Unknown

 

 

 

 

 

 

 

 

 

ଆବରଣ

ଶ୍ରୀ ଗୁରୁଦତ୍ତ

 

ଅନୁବାଦ

ଶ୍ରୀ ପରମାନନ୍ଦ ମହାନ୍ତି

 

ମୁଖବନ୍ଧ

 

ଅନୁବାଦ ପୁସ୍ତକର ପୁଣି ଗୋଟାଏ ମୁଖବନ୍ଧ ଲେଖିବାକୁ କାହିଁକି ମୁଖ ବନ୍ଦ ହୋଇଯାଉଛି । କେବଳ ପ୍ରକାଶକଙ୍କ ଆଗ୍ରହାତିଶର୍ଯ୍ୟରୁ ଯାହା ଦି ଧାଡ଼ି ଲେଖିଦେଉଛି ।

 

ବିଭିନ୍ନ ହିନ୍ଦୀ ଲେଖକଙ୍କର ଲିଖିତ କେତେଖଣ୍ଡି ମାତ୍ର ଉପନ୍ୟାସ ପଢ଼ିବାର ସୁଯୋଗ ମୁଁ ପାଇଛି । କିନ୍ତୁ ଗୁରୁଦତ୍ତଜୀଙ୍କର କେତେଖଣ୍ଡି ଉପନ୍ୟାସ ମୋତେ ଖୁବ୍‌ ଭଲ ଲାଗିଲା । ତେଣୁ ସେଥିରେ କେତେଖଣ୍ଡ ଓଡ଼ିଆରେ ଅନୁବାଦ କରି ବସିଲି । ଏହାର ଅନୁବାଦ ଓ ପ୍ରକାଶ ପାଇଁ ଗୁରୁଦତ୍ତଜୀଙ୍କର ଅନୁମତି ପ୍ରାର୍ଥନା କଲି । ସେ ତାହା ମୋତେ ସାଦରେ ପ୍ରଦାନ କଲେ । ଏଥିପାଇଁ ମୁଁ ତାଙ୍କଠାରେ ବିଶେଷ ଭାବରେ କୃତଜ୍ଞ ।

 

ଭାରତର ଗୋଟିଏ ଭାଷାରେ ଲିଖିତ ଉପନ୍ୟାସକୁ ଅନ୍ୟ ଏକ ଭାରତୀୟ ଭାଷାରେ ଅନୁବାଦ କରିବା ବିଶେଷ କଷ୍ଟସାଧ୍ୟ ନୁହେଁ ବୋଲି ଅନେକେ ଭାବନ୍ତି । ପ୍ରତ୍ୟେକ ଭାଷାର ନିଜର ଗୋଟିଏ ସ୍ୱାତନ୍ତ୍ର୍ୟ ଅଛି । ସେହି ସ୍ୱାତନ୍ତ୍ର୍ୟଟିକୁ ଅକ୍ଷୁଣ୍ଣ ରଖି ଅନୁବାଦ କରାଗଲେ ତାହା ଅନୁବାଦିତ ହେଉଥିବା ଭାଷାର ପାଠକମାନଙ୍କ ପକ୍ଷରେ ଅନେକ ସମୟରେ ଅବୋଧ୍ୟ ହୋଇଯାଏ । ସେ ଦିନ ଅନୁବାଦକମାନଙ୍କର ଏକ ବୈଠକରେ ଶ୍ରୀ ଗୋପୀନାଥ ମହାନ୍ତିଙ୍କର ଆକାଡେମୀ ପୁରସ୍କାର ପ୍ରାପ୍ତ ‘ଅମୃତ ସନ୍ତାନ’ର ବଙ୍ଗଳା ଅନୁବାଦ କରିବାରେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହା ଶ୍ରୀ ଅନ୍ନଦାଶଙ୍କର ରାୟଙ୍କଠାରୁ ଶୁଣି ମୁଁ ମଧ୍ୟ ଜଣେ ଅବଗ୍ରାହୀ ଅନୁବାଦକ ହିସାବରେ କିପରି ସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲି ସେ କଥା ଭାବିଲି । ବାସ୍ତବିକ ବହି ପକେଇ ଶବ୍ଦକୁ ଶବ୍ଦ, ବାକ୍ୟକୁ ବାକ୍ୟ ଅନୁବାଦ କଲେ ସେ ଅନୁବାଦ ଯେ କ୍ଳିଷ୍ଟ ହେବ ଏହି ଆଶଙ୍କାରେ ମୁଁ ଗୁରୁଦତ୍ତଜୀଙ୍କ ଉପନ୍ୟାସର ଠିକ୍‌ ଆକ୍ଷରିକ ଅନୁବାଦ କରିବାକୁ ସାହସ କଲିନାହିଁ । ହିନ୍ଦୀଭାଷାରେ ପ୍ରଚଳିତ ବ୍ୟଞ୍ଜନାକୁ ଯଥାସାଧ୍ୟ ଓଡ଼ିଆରେ ପ୍ରଚଳିତ ବ୍ୟଞ୍ଜନା ଦେଇ ଅନୁବାଦ କରିବାର ଚେଷ୍ଟା କରିଛି । ଅନେକ ସମୟରେ କେବଳ ଭାବକୁ ନେଇ ଲେଖିବାକୁ ପଡ଼ିଛି । ଏ ଦିଗରେ କେତେ ମାତ୍ରାରେ ସକ୍ଷମ ହୋଇଛି ତାହାର ବିଚାର ପାଠମାନଙ୍କ ଉପରେ ଛାଡ଼ିଲି ।

 

ଗୁରୁଦତ୍ତଜୀ ତାଙ୍କର ‘‘ଆବରଣ’’ ନାମକ ପୁସ୍ତକରେ ଧର୍ମ, ସମାଜ, ରାଜନୀତି, ବିଭିନ୍ନ ନୀତିବାଦ, ଶ୍ରମିକ ଆନ୍ଦୋଳନ ପ୍ରଭୃତି ଏ ଯୁଗର କେତୋଟି ଦୈନନ୍ଦିନ ସମସ୍ୟାର ଅବତାରଣା କରିଛନ୍ତି । ଆଦିମ ଭାରତୀୟ ଚିନ୍ତାଧାରାରେ ଭାରତର ପ୍ରତ୍ୟେକ ପ୍ରାନ୍ତ ଏପରି ଉଦ୍‍ବୁଦ୍ଧ ଯେ, ଏ ସବୁ ସମସ୍ୟାର ପୃଷ୍ଠଭୂମି ଭାରତର ପ୍ରାୟ ସବୁ ସହରରେ ଦେଖିବାକୁ ମିଳିବ । ତେଣୁ ଓଡ଼ିଆ ପାଠକମାନଙ୍କୁ ହିନ୍ଦୀ ଉପନ୍ୟାସର ଚରିତ୍ରଗୁଡ଼ିକର କାର୍ଯ୍ୟକଳାପ ତଥା ପୃଷ୍ଠଭୂମି ନିହାତି ଖାପଛଡ଼ା ହେବ ନାହିଁ ବୋଲି ମୋର ବିଶ୍ୱାସ ।

 

ଗୁରୁଦତ୍ତଜୀଙ୍କର ଆଉ କେତେ ଖଣ୍ଡି ଉପନ୍ୟାସ ମଧ୍ୟ ଅନୁବାଦ କରିଛି । ଏ ଦିଗରେ ମୋର ବନ୍ଧୁ ସ୍ୱର୍ଗୀୟ ଅନସୂୟାପ୍ରସାଦ ପାଠକ, ମୋତେ ଖୁବ୍‌ ଅନୁପ୍ରାଣିତ କରିଥିଲେ । ଆଜି ସେ ନାହାନ୍ତି । କିନ୍ତୁ ତାଙ୍କର ଅତି ପ୍ରିୟ ରାଷ୍ଟ୍ରାଭାଷା ପୁସ୍ତକ ଭଣ୍ଡାର ତରଫରୁ ଶ୍ରୀମତୀ ପାଠକ ଏହାର ପ୍ରକାଶନର ଦାୟିତ୍ୱ ନେଇଥିବାରୁ ମୁଁ ବିଶେଷ ସୁଖୀ । ଇତି ।

 

ପରମାନନ୍ଦ ମହାନ୍ତି

Image

 

ହରଭଜନ ସିଂ ନାମକ ଜଣେ ପଞ୍ଜାବୀ ଯୁବକ ଲକ୍ଷ୍ନୌ ମେଡ଼ିକାଲ କଲେଜର ପଞ୍ଚମ ବାର୍ଷିକ ଛାତ୍ର । ପାଠପଢ଼ାରେ ଯେପରି ଦକ୍ଷ ଅସ୍ତ୍ରୋପଚାର କଟାକଟି ପ୍ରଭୃତି ବିଦ୍ୟାରେ ମଧ୍ୟ ସେହିପରି ଧୁରନ୍ଧର । ବେଶଭୂଷାରେ ଅତ୍ୟନ୍ତ ଆଧୁନିକ ପରିପାଟୀ ସଂପନ୍ନ । ଦେଖିବାକୁ ବେଶ ହୃଷ୍ଟପୁଷ୍ଟ, ଲମ୍ବ ମଧ୍ୟ ଚେହେରାକୁ ଚାହିଁ ପାଞ୍ଚଫୁଟ ନଅଇଞ୍ଚ । ପିଲାଙ୍କ ଭିତରେ ଚାଲି ଯାଉଥିବା ବେଳେ ଦୂରକୁ ହରଭଜନ ସିଂକୁ ଚିହ୍ନି ନେବାକୁ କିଛି କଷ୍ଟ ହେବନାହିଁ ।

ଆଜି ଶିଖ୍‍ଙ୍କ ଆଦିଗୁରୁ ଗୁରୁନାନକଙ୍କର ଜନ୍ମ ଦିନ । ସେଥିପାଇଁ ଲକ୍ଷ୍ନୌରେ ଗୁରୁପର୍ବ ପାଳନ ହେଉଛି । ଶିଖ୍‍ ଧର୍ମଗ୍ରନ୍ଥ ‘ଗ୍ରନ୍ଥ ସାହେବଙ୍କୁ’ ଶୋଭା ଯାତ୍ରାରେ ଘେନି ସମସ୍ତ ସହରର ଶିଖ୍‍ ସମ୍ପ୍ରଦାୟ ପଞ୍ଝା ପଞ୍ଝା ହୋଇ ଚାଲିଛନ୍ତି । ଭକ୍ତି, ଶ୍ରଦ୍ଧା ଓ ପ୍ରେମର ସ୍ରୋତ ବହି ଯାଉଛି । ସହସ୍ର ସଂଖ୍ୟାରେ ଶିଖ୍‍ ନରନାରୀ ଗୀତ ଗାଇ ଗାଇ ଶୋଭାଯାତ୍ରାରେ ଚାଲିଛନ୍ତି ।

ଗୋଟିଏ ମଟର ଟ୍ରକ ଉପରେ ତକ୍ତପୋଷଟିଏ । ତା’ଉପରେ ସତରଞ୍ଜି । ସତରଞ୍ଜି ଉପରେ ଚୌକି, ଚୌକି ଉପରେ ପଡ଼ିଛି ରେଶମର ଗଦି, ତା ଉପରେ ଖୋଲା ଅବସ୍ଥାରେ ଶିଖ୍‍ଙ୍କର ପବିତ୍ର ଧର୍ମ ଗ୍ରନ୍ଥ ଗ୍ରନ୍ଥ ସାହେବ ଗୋଟିଏ ଚନ୍ଦନ କାଠର ଆସନ ଉପରେ ରଖାଯାଇଛନ୍ତି-। ତା’ ଉପରେ ଘୋଡ଼ା ଯାଇଛି ଜରୀଦାର ରେଶମି କନାର ଖଣ୍ଡିଏ ଚଦର । ଚଦର ଉପରେ ଗଜରା, ସୁଗନ୍ଧି ଫୁଲର ଅସଂଖ୍ୟ ମାଳ । ଗ୍ରନ୍ଥ ସାହେବଙ୍କର ପଛରେ ଲକ୍ଷ୍ନୌର ବିଖ୍ୟାତ ଠିକାଦାର ସରଦାର ବଡ଼ିୟାମ ସିଂ ଗୋଟିଏ ସୁନା ବେଣ୍ଟର ଚଅଁର ଧରି ପକେଇବାରେ ବ୍ୟସ୍ତ । ଏହା ଦେଖି କେହି ଯେପରି ମନେ ନ କରନ୍ତି ଯେ ସେ ପବିତ୍ର ଗ୍ରନ୍ଥ ଉପରୁ ମାଛି ତଡ଼ିବାରେ ବ୍ୟସ୍ତ ଅଛନ୍ତି ବୋଲି । କାରଣ ଏହି ଉପଲକ୍ଷେ ଗାଡ଼ି ଉପରେ ବସି ଗ୍ରନ୍ଥସାହେବଙ୍କ ଉପରେ ଚଅଁର ପକେଇବା ଶ୍ରଦ୍ଧା ଓ ଭକ୍ତିର ଚିହ୍ନ । ଏ ସୌଭାଗ୍ୟ ବା ଗୌରବ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ଏଥିପାଇଁ ଲୋକେ ହଜାର ହଜାର ଟଙ୍କା ଦେବାକୁ କୁଣ୍ଠିତ ନୁହନ୍ତି । ଏ ବର୍ଷ ସରଦାର ବଡ଼ିୟାମ ସିଂ ସାର୍କୁଲାର ରୋଡ଼ରେ ତିଆରି ହେଉଥିବା ଗୁରୁଦ୍ୱାର ମନ୍ଦିର ପାଇଁ ଦଶହଜାର ଟଙ୍କା ଦାନ କରିଥିବାରୁ ତାଙ୍କୁ ଏ ସୌଭାଗ୍ୟର ଅଧିକାରୀ ହେବାର ସୁଯୋଗ ଦିଆଯାଇଛି ।

ମେଡ଼ିକାଲ କଲେଜ ଛାତ୍ର ହରଭଜନ ସିଂ ବଡ଼ିୟାମ ସିଂହଙ୍କର ଏକମାତ୍ର ପୁତ୍ର । ଏପରି ପର୍ବ ଦିନରେ ହରଭଜନ ସିଂ ଓ ତା’ର ସାଙ୍ଗ ମାନଙ୍କୁ ଗୋଟିଏ ଆପେଣ୍ଡିସାଇଟିସ୍‌ ଅପେରସନ୍‌ ଦେଖାଇବାକୁ ଡକରା ଆସିଲା । ପାଞ୍ଚଜଣ ଛାତ୍ର, ତିନିଜଣ ନର୍ସ ଓ ଦୁଇଜଣ ଡାକ୍ତର ଏ ଅପରେସନ୍‍ ପାଇଁ ଉପସ୍ଥିତ ଥିଲେ । ମାସରେ ଥରେ ଦୁଇଥର ରୋଗୀଙ୍କର ତଳି ପେଟରେ ଅସହ୍ୟ ବେଦନା ହୁଏ । ଡାକ୍ତରଙ୍କ ମତରେ ଅସ୍ତ୍ରୋପଚାର ହିଁ ଏହାର ଏକମାତ୍ର ଚିକିତ୍ସା ବୋଲି ମନେହୁଏ ଓ ରୋଗୀଙ୍କର ସମ୍ମତି କ୍ରମେ ଅସ୍ତ୍ରୋପଚାର ଆରମ୍ଭ ହୁଏ ।

ଅସ୍ତ୍ରୋପଚାର କରିବା ଚିକିତ୍ସକ ରୋଗୀଙ୍କୁ କ୍ଳୋରୋଫର୍ମ ଦିଆଯାଇ ଅଜ୍ଞାନ କରାଗଲାପରେ ଉପସ୍ଥିତ ଛାତ୍ରମାନଙ୍କୁ ଏକତ୍ରିତ କରି ଏ ପ୍ରକାର ଅସ୍ତ୍ରୋପଚାର ବିଷୟରେ ଗୋଟିଏ ଛୋଟ ଧରଣର ବ୍ୟାଖାନ ଦେଇ ରୋଗୀର ପେଟକୁ ଚିରି ଦେଲେ । ପେଟ ଭିତରେ ଶିରା ପ୍ରଶିରାକୁ ଗୋଟାଏ ପାଖକୁ କରି ଆପେଣ୍ଡିସାଇଟିସ୍‌ଟିକୁ ଧରି କାଟିନେଇ ଗୋଟିଏ କାଚ ଗିନାରେ ଥୋଇ ଦେଲେ । ପେଟ ଭିତରେ ଶିରା ପ୍ରଶିରା ଅନ୍ତ ନାଡ଼ୀକୁ ପୁଣି ଏକତ୍ରିତ କରି ଯଥାସ୍ଥାନରେ ରଖି କ୍ଷତ ସ୍ଥାନକୁ ସିଲେଇ କରି ପଟି ବାନ୍ଧିଦେଲେ । ଅଧ ଘଣ୍ଟାଏ ଭିତରେ ସବୁ କାମ ବଢ଼ିଗଲା । ରୋଗୀକୁ ଠେଲା ଗାଡ଼ିରେ ଡାକ୍ତରଖାନା ଖଟିଆକୁ ପଠାଇ ଦିଆଗଲା ।

ଡାକ୍ତର ଓ ଛାତ୍ରମାନେ ନିଜ ନିଜର ମୁହଁରେ ବନ୍ଧା ହୋଇଥିବା କନା ଓ ପୋଷାକ ଉପରେ ପିନ୍ଧିଥିବା ଅପ୍ରୁନକୁ ଖୋଲିରଖି ହାତଧୋଇ ଅପରେସନ୍‍ ଥିଏଟରରୁ ପଦାକୁ ବାହାରି ଆସିଲେ । ସେମାନଙ୍କ ଭିତରେ ୩ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଥାଆନ୍ତି । ଡାକ୍ତର ନିଜ ମଟର ଚଢ଼ି ବାହାରି ଯିବାରୁ ପିଲାମାନେ ନିଜ ନିଜର ସାଇକେଲ ଧରି ଘରକୁ ଯିବାକୁ ବାହାରି ପଡ଼ିଲେ । ହରଭଜନ ସିଂ ସାଇକେଲରେ ବସିଲା ବେଳକୁ ଜଣେ ଛାତ୍ରୀ ତାଙ୍କ ଭିତରୁ ପଚାରି ବସିଲା, ଆପଣ କୁଆଡ଼େ ଯିବେ ?

‘ମୁଁ ଅମିନାବାଦ ପାର୍କ ଆଡ଼େ ଯିବି, ଗୁରୁ ଗ୍ରନ୍ଥସାହେବଙ୍କ ଶୋଭା ଯାତ୍ରା ସେହି ବାଟେ ଯାଉଛି । ମୁଁ ସେଥିରେ ଯୋଗ ଦେବି ।’

ଝିଅଟି ହସି ଦେଇ କହିଲା ‘ବାଇ ବାଇ’ । ତା’ପରେ ସେ ହଜରତ୍‌ ଗଞ୍ଜ ଯିବାକୁ ଗୋଟିଏ ରିକ୍‌ସାବାଲା ସାଙ୍ଗେ କଥାବାର୍ତ୍ତା ଆରମ୍ଭ କଲା ।

‘ନୀଳା, ହସିଲ କାହିଁକି ?’ ଝିଅଟିର ନା ନୀଳା ।

‘ନାଇଁ କିଛି ନାହିଁ, ଆପଣ ଯାଆନ୍ତୁ’ ଏହା କହି ରିକ୍‌ସାବାଲା ସଙ୍ଗେ ହଜରତ୍‌ ରଞ୍ଜ ଯିବାକୁ ଭାଉ ଛିଣ୍ଡେଇଲା ‘କେତେ ନେବୁ ।’

‘ଆଜ୍ଞା, ଛ ଅଣା ।’

‘ଚାଲ’ କହି ରିକ୍‌ସାରେ ବସି ପଡ଼ିଲା ଝିଅଟି । ହରଭଜନ ସିଂ ରିକ୍‌ସା ପାଖେ ପାଖେ ସାଇକେଲ ଚଢ଼ି ଚାଲୁ ଚାଲୁ କହିଲା, ‘ନୀଳା ଦେବୀ, ନିଶ୍ଚୟ କିଛି କଥା ଅଛି ।’

 

‘ନାଇଁ କିଛି ନୁହେଁ ଯେ, ଗୋଟାଏ କଥା ମନେ ପଡ଼ି ହସ ମାଡ଼ିଲା । ମୁଁ ସେଦିନ ହନୁମାନ ମନ୍ଦିରକୁ ପୂଜାକରିବାକୁ ଯାଉଥିଲି ବୋଲି ଆପଣ ଦେଖିକରି କହିଥିଲେ ନାଁ, ଜଣେ ଡାକ୍ତର ଛାତ୍ରୀଙ୍କର ମାଟି ପ୍ରତିମା ପୂଜା କରିବା ଗୋଟାଏ ଲଜ୍ଜାଜନକ ବ୍ୟାପାର ।’

 

‘ଆଜି ସେ କଥା କାହିଁକି ମନେ ପଡ଼ିଲା ?’

 

‘ଆପଣ ଶୋଭାଯାତ୍ରା ଦେଖି ବାହାରିଛନ୍ତି ନାଁ ?’

 

‘ତେବେ କ’ଣ ଏହା ଗୋଟିଏ ଲଜ୍ଜାର କଥା ?’

 

‘ପଢ଼ା ଲେଖା ଲୋକଙ୍କର ତ ନିଜେ ସବୁ ବୁଝିଯିବା ଦରକାର ।’

 

ହରଭଜନ ସିଂ ହସିଦେଲା । ରିକ୍‌ସା ସାଙ୍ଗରେ ସାଇକେଲ ଚାଲିଥାଏ । ସେ କଥା ପୁଣି ଆରମ୍ଭ କରି କହିଲା, ‘ବୁଝିବା କଥା କଣ କେବଳ ପୁରୁଷରଙ୍କର ଏକଚାଟିଆ, ସ୍ତ୍ରୀ ଲୋକମାନଙ୍କ ପାଇଁ ନୁହେଁ ?’

 

‘ଆପଣ ସ୍ତ୍ରୀ ଲୋକଙ୍କ କଥା କାହିଁକି କହୁଛନ୍ତି । ସେମାନେ କେତେବେଳେ ବୁଦ୍ଧି ବିଦ୍ୟା ଏକେବାରେ ହରେଇ ବସନ୍ତି, ପୁଣି କେତେବେଳେ ପୂରା ବୁଦ୍ଧିମତ୍ତାର ପରିଚୟ ଦିଅନ୍ତି । ପୁରୁଷଙ୍କର କିନ୍ତୁ ସେ କଥା ନାହିଁ । ଥରେ ସେମାନେ ବୁଦ୍ଧି ହରେଇଲେ ଆଉ–’

 

‘ସେଇ ତ କଥା, ସେମାନଙ୍କର ବୁଦ୍ଧିରେ କଦାପି ସମ୍ବନ୍ଧ-ବିଚ୍ଛେଦ ହୁଏ ନାହିଁ ।’

 

‘ହୁଏତ ବୁଦ୍ଧି ବିଦ୍ୟା ତାଙ୍କର ମୋଟେ ହାସଲ ବି ହୁଏ ନାହିଁ ।’

 

ଏତିକିରେ ଦୁହେଁ କିଛିକ୍ଷଣ ଚୁପ ରହିଲେ । ରିକ୍‌ସା ଚାଲିଯାଏ । ହରଭଜନଂ ସିଂଙ୍କ ସାଇକେଲ ତା ସାଙ୍ଗେ ଚାଲିଥାଏ । କିଛି ସମୟ ପରେ ହରଭଜନ ସିଂ କଥା ଆରମ୍ଭ କଲା । ‘ନୀଳା, ଆଜି ତମର କ’ଣ ହୋଇଛି ? ମୋତେ ଏସବୁ ବଡ଼ ବଡ଼ କଥା ଶୁଣାଉଛ କାହିଁକି ?’

 

‘ହଁ କେବେ କେବେ ବେଳ ଖରାପ ପଡ଼ିଲେ ଫିକା ଜିନ୍ଦିସ ବି ତୋଫା ଦେଖାଯାଏ, ତେଣୁ ମୋର ଏ ସାଧାରଣ କଥା ଆଜି ଆପଣଙ୍କୁ ବଡ଼ ବୋଲି ଜଣାଯାଉଛି ।

 

‘ଦେଖନ୍ତୁ, ଆପଣ କହୁଥିଲେ ମାଟି ପ୍ରତିମାରେ ଫୁଲ ଚଢ଼େଇବା ଏକ ଲଜ୍ଜାର କଥା, ମୁଁ ଆପଣଙ୍କୁ ଗୋଟିଏ ପୁସ୍ତକ ଉପରେ ଫୁଲ ଚଢ଼େଇବା କଥା କହିବାରୁ ଆପଣ ମୋ ବୁଦ୍ଧି ବିବେକ ଉପରେ ଆଲୋଚନା ଆରମ୍ଭ କରି ଦେଇଛନ୍ତି, ମୁଁ ପୁରୁଷଙ୍କ ବିଦ୍ୟା ବୁଦ୍ଧି ଉପରେ କଟାକ୍ଷ ଟିକିଏ କଲି ବୋଲି ଆପଣ ବିବ୍ରତ ହୋଇ ପଡ଼ୁଛନ୍ତି । ଇଏ ଆଜିକାଲିକା ସମୟର ଦୋଷ ନୁହେଁ ତ ଆଉ କ’ଣ ?

 

‘ହଁ, ଏହାର ଅର୍ଥ ହୁଏତ ଏଇଆ ଯେ ଆପଣ ଖୁବ୍‌ ଠିକ୍‌ ଓ ମିଠା କଥା କହୁଛନ୍ତି କିନ୍ତୁ ମୋ ମନର ଅବସ୍ଥା ଏପରି ଯେ ମୁଁ ତାକୁ କଡ଼ା ବୋଲି ବୁଝୁଛି ।’

 

‘ହଁ, ମୋର ଠିକ୍‌ ତାହାହିଁ ମନେ ହେଉଛି ।’

 

ହରଭଜନ ସିଂର ନୀଳାର କଥା ବୁଝିଲାପରି ମନର ଅବସ୍ଥା ନଥିଲା । ସେ ଟିକିଏ କହି ପୁଣି ଚୁପଚାପ ହୋଇ ରହିଲା । ରିକ୍‌ସା ଗୋମତୀ ରୋଡ଼୍‌ରୁ କେଶରବାଗ ରାସ୍ତାକୁ ମୋଡ଼ିବାରୁ ନୀଳା ରିକ୍‌ସାକୁ ଅଟକେଇ ଦେଲା ଓ ଓହ୍ଳେଇ ପଡ଼ିଲା । ହରଭଜନ ସିଂ ନିଜ ଚିନ୍ତାରେ ଏପରି ନିବିଷ୍ଟ ଥିଲା ଯେ ନୀଳା ଓହ୍ଳେଇ ଯିବା କଥା ସେ ମୋଟେ ଜାଣିପାରିଲା ନାହିଁ । କିଛି ବାଟ ଯାଇଁ ଯେତେବେଳେ ଦେଖିଲା ଯେ ସେ ଏକା ଏକା ଚାଲିଛି, ସାଙ୍ଗରେ ରିକ୍‌ସା ନାହିଁ, ସେ ସାଇକେଲ ଅଟକାଇ ଦେଖିଲା ଯେ ନୀଳା ରିକ୍‌ସାରୁ ଓହ୍ଲେଇ ରିକ୍‌ସା ବାଲାକୁ ପଇସା ଦେଉଛି । ସେ ତେଣୁ ସାଇକେଲ ଫେରାଇ ଆସି ନୀଳା ପାଖରେ ପହଞ୍ଚିଲା ଓ ଗୋଟାଏ ଗୋଡ଼ ତଳେ ଲଗେଇ ସାଇକେଲ ଉପରେ ବସି ବସି ନୀଳାକୁ ପଚାରିଲା । ଏଆଡ଼େ କୁଆଡ଼େ ଯିବ ?’

 

‘ଆପଣ ମାଧୁରୀକୁ ଜାଣନ୍ତି, ମୁଁ ଟିକିଏ ତା ସଙ୍ଗେ ଦେଖା କରିବି ।’

 

‘ମାଧୁରୀ ସହିତ, ନାଁ ତା ଭାଇ ସହିତ ?’

 

‘ଆଜି ତା ଭାଇ ନାହାନ୍ତି, ସେ କଲିକତା ଯାଇଛନ୍ତି ।’

 

‘ତେବେ ତାଙ୍କରି କଥା ବୁଝିବାକୁ ଯାଉଛନ୍ତି ?’

 

‘ତାଙ୍କ କଥା ତ ମୋତେ ଜଣା ଅଛି । ମାଧୁରୀ ଦେହ କାଲି ଖରାପ ଥିଲା, ତାକୁ ଟିକିଏ ଦେଖିବାକୁ ଆସିଛି ।’

 

ହରଭଜନ ସିଂର କଟାକ୍ଷ ବ୍ୟର୍ଥ ହେଲା । ତା କଥାରେ ନୀଳା ମୋଟେ ବିବ୍ରତ ହେଲା ପରି ମନେ ହେଲା ନାହିଁ । ସେ ସମ୍ପୂର୍ଣ୍ଣ ସାଧାରଣ ଭାବେ ଉତ୍ତର ଦେଇ ‘ବାଇ ବାଇ’ କରି ମାଧୁରୀ ଘର ଭିତରକୁ ପଶିଲା ହରଭଜନ ସିଂ ସେଇଠି ସେହିପରି ତା ଯିବା ବାଟକୁ ଚାହିଁ ରହିଲା ।

 

(୨)

 

ନୀଳା ଓରଫ ନୀଳମଣି ଡାକ୍ତର ରାଧାକୃଷ୍ଣ ସାକ୍‌ସେନାଙ୍କ ଝିଅ । ଡାକ୍ତର ସାକ୍‌ସେନା ଓ ମାଧୁରୀର ପିତା ପ୍ରଭୁଦୟାଲ, ବନ୍ଧୁ । ପ୍ରଭୁଦୟାଲ ବାରିଷ୍ଟରୀ କରନ୍ତି । ଡାକ୍ତର ଓ ବାରିଷ୍ଟରଙ୍କ ପରିବାର ମଧ୍ୟରେ ଘନିଷ୍ଠତା ଥାଏ । ତେଣୁ ଦୁଇ ପରିବାରର ପିଲାପିଲିଙ୍କ ମଧ୍ୟରେ ମଧ୍ୟ ଘନିଷ୍ଠତା ଥାଏ । ରାଧାକୃଷ୍ଣଙ୍କ ଘର ଅମିନାବାଦ ପାର୍କ ପାଖରେ ଓ ପ୍ରଭୁଦୟାଲଙ୍କ ଘର କେଶରବାଗ ଛକ ଉପରେ । ଡାକ୍ତର ସାକ୍‌ସେନା କେତେ ପୁରୁଷଧରି ଲଷ୍ନୌରେ ବସ ବାସ କରି ରହିଲେଣି, କିନ୍ତୁ ପ୍ରଭୁଦୟାଲ ପଞ୍ଜାବର ଲୁଧିଆନାର ଲୋକ । ତାଙ୍କର ପିତା ପ୍ରଥମେ ଆସି ଲକ୍ଷ୍ନୌରେ ଠିକାଦାରୀ ଆରମ୍ଭ କରି ବେଶ୍‍ ଦୁଇ ପଇସା କମେଇ ପୁଅ ପ୍ରଭୁଦୟାଲଙ୍କୁ ବିଲାତରୁ ବାରିଷ୍ଟରୀ ପାସ୍‍ କରେଇ ଆଣିଛନ୍ତି ।

 

ପ୍ରଭୁଦୟାଲଙ୍କର ରୋଜଗାର ଖୁବ୍‌ ଭଲ ହେଉଥାଏ ଓ ସେ ଅତି ସୁଖଶାନ୍ତିରେ ଚଳୁଥାନ୍ତି । ପାଞ୍ଜାବୀ ସେ, ଶିଖ୍‍ ଧର୍ମାବଲମ୍ବୀ । କିନ୍ତୁ ବିଲାତରେ ପାଞ୍ଚବର୍ଷ କଟେଇ ତାଙ୍କର ବିଚାରଧାରାରେ କେତେକ ସ୍ୱତନ୍ତ୍ରତା ଆସିଥାଏ ।

 

ଶ୍ରୀ ଗୁରୁନାନକଙ୍କ ଜନ୍ମ ଦିନ ଉପଲକ୍ଷେ ସେ ବର୍ଷ ସେ ଗୁରୁଦ୍ୱାର ପାଇଁ ହଜାରେ ଟଙ୍କା ଚାନ୍ଦା ଲେଖାଇ ଥିାନ୍ତି ।

 

ଆଜି ଯେତେବେଳେ ଗ୍ରନ୍ଥସାହେବଙ୍କର ଶୋଭାଯାତ୍ରା ଆସି କେଶର ବାଗ ଛକ ପାଖରେ ପହଞ୍ଚିଲା, ସେତେବେଳେ ସେ ଓ ତାଙ୍କ ପରିବାର ଅନ୍ୟାନ୍ୟ ସମସ୍ତେ ଶୋଭାଯାତ୍ରା ଦେଖିବାକୁ ଆସି ଦୋମହଲା ବାରଣ୍ଡା ଉପରେ ଛିଡ଼ା ହେଲେ । ପ୍ରଭୁଦୟାଲଙ୍କ ମୁଣ୍ଡରେ ପଗଡ଼ି ନ ଥାଏ କି ତାଙ୍କ ଝିଅ ମାଧୁରୀ ଓ ତା’ର ସାଙ୍ଗ ନୀଳା ମୁଣ୍ଡରେ ମଧ୍ୟ ଓଢ଼ଣୀ ନଥାଏ ।

 

ଶୋଭାଯାତ୍ରାରେ କେବଳ ଶିଖ୍‍ ଲୋକମାନେ ଯୋଗ ଦେଇଥାନ୍ତି । କେତେକ ପଞ୍ଝା ଭଜନ ଗାଇ ଗାଇ ଯାଉଥାନ୍ତି । ଚାରି ପାଞ୍ଚ ପଞ୍ଝା କେବଳ ସ୍ତ୍ରୀ ଲୋକ ଥାନ୍ତି । ଆଉ ଯାତ୍ରା ଯେତେବେଳେ ପ୍ରଭୁଦୟାଲଙ୍କ ଘର ଆଗ ଦେଇ ଗଲା, ପ୍ରଭୁଦୟାଲ ଓ ତାଙ୍କ ପରିବାରର ଅନ୍ୟ ସମସ୍ତେ ଗ୍ରନ୍ଥସାହେବଙ୍କ ଉପରେ ପୁଷ୍ପବୃଷ୍ଟି କଲେ ।

 

ଗ୍ରନ୍ଥସାହେବଙ୍କ ପଛରେ ଚଅଁର ଧରି ବସିଥିବା ଲୋକ ପ୍ରଭୁଦୟାଲଙ୍କୁ ଲକ୍ଷ୍ୟ କରି କହିଲେ, ‘ମୁଣ୍ଡରେ ପଗଡ଼ି ଦିଅନ୍ତୁ ।’

 

ପ୍ରଭୁଦୟାଲ ଏଥିରେ ବିସ୍ମିତ ହେଲା ବେଳକୁ, ପୁଣି ଶୋଭାଯାତ୍ରାରୁ ସେହି ବ୍ୟକ୍ତି ତିନିଚାରିଥର ପାଟି କରି ମୁଣ୍ଡ ଢାଙ୍କି ଦେବାକୁ ନିର୍ଦ୍ଦେଶ ଦେଲେ ।

 

ପ୍ରଭୁଦୟାଲ ଏତେବେଳଯାଏ ବି ଏହାର ଅର୍ଥ ବୁଝିପାରି ନ ଥିଲେ । ସେ ପୁଣି ଫୁଲ ଡାଲାରୁ ଆଞ୍ଜୁଳାଏ ଫୁଲ ନେଇ ଗ୍ରନ୍ଥସାହେବଙ୍କ ଉପରେ ପକେଇଦେଲେ । ଏହି ସମୟରେ ଶୋଭାଯାତ୍ରାକାରୀମାନେ ଚଅଁର ପକୋଉଥିବା ବ୍ୟକ୍ତିଙ୍କ କଥା ଶୁଣିପାରି ସମସ୍ତେ କୋଠାଉପରକୁ ଚାହିଁ ମୁଣ୍ଡ ଘୋରେଇ ପକାଅ, ମୁଣ୍ଡ ଘୋରେଇ ପକାଅ ବୋଲି ଚିତ୍କାର କଲେ ।

 

ପ୍ରଭୁଦୟାଲ ବିଲାତରେ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅର୍ଥ କଣ ଭଲ ଭାବରେ ହୃଦୟଙ୍ଗମ କରିପାରିଥିଲେ, ତେଣୁ ସେ ଲୋକଙ୍କ ଏପରି ପାଟିରେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ହାତ ହଲେଇ ଶୋଭାଯାତ୍ରାକୁ ଅଗ୍ରସର ହେବାକୁ ଅନୁରୋଧ କଲେ । ଗ୍ରନ୍ଥସାହେବଙ୍କ ପଛରେ ଚଅଁର ପକୋଉଥିବା ବ୍ୟକ୍ତି ପ୍ରଭୁଦୟାଲଙ୍କର ହସ୍ତଭଙ୍ଗୀଦ୍ୱାରା ଗ୍ରନ୍ଥସାହେବଙ୍କର ଅପମାନ ହେଲା ବୋଲି ମନେକଲେ । ସେ ଚିତ୍କାର କରି ପ୍ରଭୁଦୟାଲଙ୍କୁ ସେଠାରୁ ହଟି ଯିବାକୁ ନିର୍ଦ୍ଦେଶ ଦେଲେ ।

 

ତାଙ୍କ ନିର୍ଦ୍ଦେଶରେ ପ୍ରଭୁଦୟାଲ ହସି ଉଠିଲେ । ସେ ନିଜ ଘର ବାରଣ୍ଡାରେ ଛିଡ଼ା ହୋଇଛନ୍ତି । ତାଙ୍କୁ ଏପରି ନିର୍ଦ୍ଦେଶ ଦେବା ଯେପରି ଅଯୌକ୍ତିକ ସେହିପରି ଧୃଷ୍ଟତା ମଧ୍ୟ । ସେ କହିଲେ, ମୋ ପ୍ରତି ଲକ୍ଷ୍ୟ ନକରି ଆପଣମାନେ ଆଗେଇ ଚାଲନ୍ତୁ । ବାସ୍‌, ଏତିକି କହୁ ନ କହୁଣୁ ତଳୁ ଚାଲିଲା ପଥର ବୃଷ୍ଟି । ପ୍ରଭୁଦୟାଲଙ୍କର କାନ ପାଖ ଦେଇ ଗୋଟାଏ ଟେକା ଯାଇଁ ପଛ କାନ୍ଥରେ ବାଜି ଚୁନା ହୋଇଗଲା । ଏଥିରେ ତାଙ୍କର ଟିକିଏ ରାଗ ହେଲା, ଓ ସେ ଚିତ୍କାର କରି ଶୋଭାଯାତ୍ରାକୁ ଆଗକୁ ଯିବାକୁ କହିଲେ । ଏଥିରେ ଜନତା ଆହୁରି ଉତ୍ତ୍ୟକ୍ତ ହୋଇ ବେଶିପରିମାଣରେ ପଥର ବୃଷ୍ଟି କଲେ । ପ୍ରଭୁଦୟାଲଙ୍କର ମୁଣ୍ଡ ଫାଟିଗଲା । ନୀଳା, ମାଧୁରୀ ପ୍ରତ୍ୟେକଙ୍କର କାହାର କାନ, କାହାର ମୁଣ୍ଡ ଫାଟି ରକ୍ତ ବହିଲା । ପ୍ରଭୁଦୟାଲଙ୍କ ବୁଢ଼ୀମା’ଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଲା । ବାରଣ୍ଡାରେ ଛିଡ଼ା ହୋଇଥିବା ଲୋକେ ଘର ଭିତରକୁ ପଶିଗଲେ-। ନୀଳା ଦେଖିଲା ଯେ, ପ୍ରଭୁଦୟାଲ ଡ୍ର ଭିତରୁ ପିସ୍ତଲ କାଢ଼ି ପୁଣି ବାରଣ୍ଡାକୁ ଆଗେଇ ଯାଉଛନ୍ତି । ସେ ତାଙ୍କର ରାସ୍ତା ଅବରୋଧ କରି ଛିଡ଼ା ହୋଇଗଲା । ସେ କହିଲା, ‘ଦାଦା, ଆପଣ ଏଇଠି ରହନ୍ତୁ; ସେ ପାଗଳଙ୍କ ଉପରେ ଗୁଳି ଚଳେଇବା ଆଉ ଏକ ପାଗଳାମୀ ହେବ ।’

 

ତଳ ଲୋକ ଘରେ ନିଆଁ ଲଗେଇ ଦେବାକୁ ଚିତ୍କାର କରୁଥାନ୍ତି । ଏତିକିବେଳେ ହରଭଜନ ସିଂ ଜନତା ଭିତରୁ ବାହାରି ଟ୍ରକ ଉପରକୁ ଚଢ଼ିଯାଇ ଚିତ୍କାର ଆରମ୍ଭ କରିଦେଲା, ଭାଇ, ‘ଖାଲସା ବୀରମାନେ, ବର୍ତ୍ତମାନ ଗ୍ରନ୍ଥସାହେବଙ୍କୁ ଅପମାନ ଦେଇଥିବା ଲୋକ ପଳେଇ ଘର ଭିତରେ ଲୁଚିଲେଣି । ଆଉ ଗୋଳମାଳର ଆବଶ୍ୟକତା ନାହିଁ; ଆପଣମାନେ ଜିଣିଲେ । ଚାଲନ୍ତୁ ଆଗେଇ ଯିବା ।’

 

ହରଭଜନ ସିଂ ନୀଳାକୁ ଛାଡ଼ି ସାଇକେଲରେ ଅମିନାବାଦ ଯାଇଁ, ସେଠାରେ ଜଣେ ବନ୍ଧୁଙ୍କ ଦୋକାନରେ ସାଇକେଲ ରଖି ଆସି ଶୋଭାଯାତ୍ରାରେ ଯୋଗ ଦେଇଥିଲା । ତା’ ବାପା ଗ୍ରନ୍ଥସାହେବଙ୍କ ଉପରେ ଚଅଁର ପକାଉଥିଲେ ।

 

ସେ ପ୍ରଭୁଦୟାଲଙ୍କ ସହିତ ହୋଇଥିବା ସମସ୍ତ ଘଟଣା ଦେଖିଥିଲା । ଯେତେବେଳେ ଲୋକେ ଘରେ ନିଆଁ ଲଗେଇଦେବାକୁ ବିଚାର କଲେ, ସେତେବେଳେ ସେ ଟ୍ରକ ଉପରକୁ ଚଢ଼ି ଆସି ଲୋକଙ୍କୁ ଶାନ୍ତ ହେବାକୁ ଏତିକି କହିଥିଲା । ସେତେବେଳେ ଲୋକେ କିନ୍ତୁ ଏତେ ଉତ୍ତ୍ୟକ୍ତ ହୋଇଥିଲେ ଯେ, ହରଭଜନ ସିଂ ପରିଷ୍କାର ଶିଖ୍‍ ପୋଷାକରେ ଥିଲେ ମଧ୍ୟ ଟ୍ରକ ଉପରୁ ତା’ ଗୋଡ଼ ଧରି ଟାଣି ତଳେ ପକେଇଦେଲେ ।

 

ଏ ଦୃଶ୍ୟ ଦେଖି ଚଅଁର ହଲାଉଥିବା ବ୍ୟକ୍ତି ଲୋକମାନଙ୍କୁ ଚିତ୍କାର କରି ଗାଳିଦେଲେ । ଏ କ’ଣ କରୁଛ, ଜଣେ ଗ୍ରନ୍ଥସାହେବଙ୍କ ଭକ୍ତ ପ୍ରତି ଏ କିପରି ବ୍ୟବହାର କରୁଛ ?’

 

ବହୁ କଷ୍ଟରେ ଲୋକେ ଶାନ୍ତ ହେଲେ । ଶୋଭାଯାତ୍ରା ଆଗେଇ ଚାଲିଲା । ପୋଲିସ ମଧ୍ୟ ଶାନ୍ତି ରକ୍ଷା କରିବାକୁ ଲାଗି ପଡ଼ିଲେ ।

 

ହରଭଜନସିଂର ମୁଣ୍ଡରୁ ପଗଡ଼ି ଖସି ପଡ଼ିଥିଲା । ସେ ତଳକୁ ପଗଡ଼ି ଗୋଟେଇ ଶୋଭାଯାତ୍ରାରୁ ପଦାକୁ ବାହାରିଆସିଲା । ପଗଡ଼ି ଖୋଲି ଯାଇ ଥିବାରୁ ସେ ତାକୁ ଆଉ ବାନ୍ଧି ନ ପାରି ତାର ବନ୍ଧୁଙ୍କ ଦୋକାନକୁ ଆସି ତା ସାଇକେଲ ନେଇ ମୁଣ୍ଡରେ ଖଣ୍ଡେ ରୁମାଲ ବାନ୍ଧି ସିଧା ସଳଖ ଘରକୁ ଫେରି ଆସିଲା । ଆଉ ଶୋଭାଯାତ୍ରାରେ ଯୋଗ ଦେଲାନାହିଁ ।

 

(୩)

 

ଏ ଘଟଣା ପରେ ପ୍ରଭୁଦୟାଲ ଅନୁଭବ କଲେ ଯେ, ଯେପରି ତାଙ୍କର ଚେତନା ଆସିଲା, ନିଦ ଭାଙ୍ଗିଗଲା । ନିଜର ମୃତ ପିତାଙ୍କ ବିଚାର ଯୋଗୁଁ ଓ ଜନ୍ମଗତ ସଂସ୍କାର ଯୋଗୁଁ ସେ ନିଜକୁ ସହଜବାଦୀ ଶିଖ୍‍ ବୋଲି ମାନୁଥିଲେ । ପିତାଙ୍କର ମୃତ୍ୟୁ ହୋଇଯାଇଥିଲା, କିନ୍ତୁ ବୃଦ୍ଧା ମାତା ଜୀବିତ ଥିଲେ । ଘରେ ତାଙ୍କର ଗୁରୁଗ୍ରନ୍ଥ ପୂଜା ହେଉଥିଲା । ବୃଦ୍ଧା ମାତା ଗ୍ରନ୍ଥସାହେବ ନିଜେ ନ ପଢ଼ିପାରୁଥିବାରୁ ଗୁରୁଦ୍ୱାରକୁ ଜଣେ ଗ୍ରନ୍ଥୀ(ପୁରାଣପାଠକ) ଙ୍କୁ ସେ ମାଙ୍କୁ ଗ୍ରନ୍ଥ ପଢ଼ି ଶୁଣେଇବାକୁ ନିଯୁକ୍ତ କରିଥିଲେ । ଗ୍ରନ୍ଥ ପାଠ ହେଲାବେଳେ ସେ ନିଜେ ଓ କେବେ କେବେ ପିଲାମାନେ ସେଠାରେ ବସି ଗ୍ରନ୍ଥ ଶୁଣନ୍ତି । କେବେ ହେଲେ ମୁଣ୍ଡରେ ସେମାନେ ପଗଡ଼ି ବା ଅନ୍ୟ କିଛି ଘୋଡ଼େଇ ହୋଇ ଗ୍ରନ୍ଥ ଶୁଣିନାହାନ୍ତି । ଏହାଦ୍ୱାରା ଗ୍ରନ୍ଥ ପ୍ରତି ଆଦର ଅନାଦର କଥା ତାଙ୍କମନରେ କେବେହେଲେ ଉଠିନାହିଁ । ସେ କେବଳ ଗୁରୁ ନାନକଙ୍କୁ ପରମାତ୍ମାଙ୍କର ପରମ ଭକ୍ତ ବୋଲି ମନେ କରି ଆସିଛନ୍ତି ଓ ତାଙ୍କର ବାଣୀରେ ଅଗାଧ ଶ୍ରଦ୍ଧା ସ୍ଥାପନ କରିଛନ୍ତି । ଗ୍ରନ୍ଥରୁ ଯେତେବେଳେ ସେ ଶୁଣନ୍ତି, ସା ପୁରୁଷ ନିରଞ୍ଜନହରି ପୁରୁଷ ନିରଞ୍ଜନ, ହରି ଅଗମା ଅଗମ ଅପାରା, ସଭୀ ଧାଓଁ ସଭୀ ଧାଓଁ ତୁଦ୍‌ଜୀ, ହରି ସଚ୍ଚେ, ସିରଜନ ହାରା’ ସେ ତନ୍ମୟ ହୋଇ ପଡ଼ନ୍ତି । ଗୁରୁ ନାନକଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାରେ ତାଙ୍କର ମୁଣ୍ଡ ନଇଁଯାଏ ।

 

କିନ୍ତୁ ଆଜିକାଲି ଗୁରୁ ଗ୍ରନ୍ଥ ସାହେବଙ୍କ ଏ ବାଣୀ କେହି ବିଚାରକୁ ଆଣୁନାହାନ୍ତି । କେଶବାସ ଉପରେ ଯେତେ ନଜର ଦିଆଯାଇଛି ନାନକଜୀଙ୍କର ଅସଲ ବାଣୀ ଉପରେ ସେତେ ନଜର ଦିଆଯାଉନାହିଁ । କେଶଧାରୀ ଶିଖ୍‍ମାନେ କେବଳ ମନେକରନ୍ତି ଯେ, ସେହିମାନେ ହିଁ ଶିଖ୍‍ଧର୍ମର ଏକମାତ୍ର ରକ୍ଷକ ।

 

ସକୁର୍ଲର ରୋଡ଼ରେ ଗୁରୁଦ୍ୱାରା ତିଆରିପାଇଁ ସେ ହଜାରେ ଟଙ୍କା ଚାନ୍ଦାର ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ମନେହେଲା ଦାନର ଏ ପ୍ରତିଶ୍ରୁତି ଗୁରୁ ମହାରାଜଙ୍କର ପନ୍ଥାର ପ୍ରସାରପାଇଁ ନୁହେଁ । କେତେକ ଲୋକଙ୍କର ପ୍ରଭୁତା ବଢ଼େଇବା ପାଇଁ ମାତ୍ର । ଯେଉଁ ସଂସ୍ଥା ମନୁଷ୍ୟର ଭାବନାପ୍ରତି ଆଦର ନ କରି ମନୁଷ୍ୟର ବେଶଭୂଷା ପ୍ରତି ଆଦର ଦେଖାଏ ସେ ସଂସ୍ଥାପ୍ରତି ତାଙ୍କର ବିତୃଷ୍ଣା ଆସିଲା । ଗୁରୁଦ୍ୱାରକୁ ପ୍ରତିଶ୍ରୁତ ଦାନକୁ ସେ ନ ଦେବାକୁ ସ୍ଥିରକଲେ । କିନ୍ତୁ ନ ଦେଇ ସେ ଟଙ୍କାକୁ କଣ କରିବେ ? କ’ଣ ଅନ୍ୟକୌଣସି ଧର୍ମାନୁଷ୍ଠାନକୁ ଦେଇଦେବେ ? ନାଁ, ଗୁରୁ ମହାରାଜାଙ୍କ ଚରଣତଳେ ଅର୍ପିତ ଅର୍ଥକୁ ସେ ଆଉ କୌଣସି ସଂସ୍ଥାକୁ ଦେବେନାହିଁ ।

 

ପରଦିନ ପ୍ରଭୁଦୟାଲ ଯେତେବେଳେ ମୁଣ୍ଡରେ ପଟି ବାନ୍ଧି କଚେରୀ ଗଲେ ସମସ୍ତେ ଟୁପ୍‌ଟାପ ହେଲେ ଯେ ଗ୍ରନ୍ଥସାହେବଙ୍କ ଶୋଭାଯାତ୍ରା ପ୍ରତି ଅବମାନନା କରି ତାଙ୍କର ଏ ଦଶା ହୋଇଛି । ଭାଗ୍ୟେ ନିଜଘରେ ଥିଲେ, ନଚେତ୍‌ ମାଡ଼ଖାଇ ଏକବାରେ ମରି ଯାଇଥାନ୍ତେ ।

 

ପ୍ରଭୁଦୟାଲଙ୍କ ବନ୍ଧୁମାନେ ପ୍ରଭୁଦୟାଲଙ୍କୁ ଗୁରୁଦ୍ୱାର ନାଁରେ ମକଦ୍ଦମା କରିବାକୁ ପ୍ରବର୍ତ୍ତେଇଲେ । କିନ୍ତୁ ସେ ରାଜିହେଲେନାହିଁ । ଏଥିରୁ ଆଉଜଣେ ଶିଖ୍‍ ଓକିଲ ବୁଝିଲେ ଯେ ପ୍ରଭୁଦୟାଲ ନିଜର କୁକର୍ମପାଇଁ ଅନୁତାପ କରୁଛନ୍ତି । ସେ ଆସି କହିଲେ, ‘ପ୍ରଭୁଦୟାଲଜୀ ! ଆପଣ କଲେ କଣ ?’

 

‘କାହିଁ, କିଛି ତ କରିନାହିଁ ।’

 

‘ଶିଖ୍‌ ହୋଇ ଶିଖ୍‍ଧର୍ମ ପ୍ରତି ଅବମାନନା କଲେ କାହିଁକି ।’

 

‘ମୋତେ ଜଣା ନଥିଲା ଯେ, ଶିଖ୍‍ ଓ ଇସ୍‌ଲାମଧର୍ମ ମଧ୍ୟରେ କିଛି ପ୍ରଭେଦ ଅଛି ବୋଲି-। ଇସ୍‌ଲାମଧର୍ମାବଲମ୍ବୀ ମସଜିଦ୍‌ଠାରୁ ଦୂରରେ ହେଉ ଥିବା ହିନ୍ଦୁ ମନ୍ଦିରର କୀର୍ତ୍ତନକୁ ମଧ୍ୟ ସହିପାରନ୍ତି ନାହିଁ ।’

 

‘କିନ୍ତୁ, ଆପଣ ତ ଗୁରୁମହାରାଜଙ୍କ ଠିକ୍‌ ସାମନାରେ ଠିଆ ହୋଇଥିଲେ ।’

 

‘ଏବଂ ତାଙ୍କଉପରେ ପୁଷ୍ପବୃଷ୍ଟି ମଧ୍ୟ କରୁଥିଲି, ନିଜଘରେ ଥାଇ । କିନ୍ତୁ ମୋତେ ଜଣା ନ ଥିଲା ଯେ ଏ ସଂସ୍ଥା ସାରାଜଗତର ନରନାରୀଙ୍କ ଉପରେ ତାଙ୍କର ବିଧିବିଧାନ ଜାରିକରି ବସିବେ ।’

 

‘ଆପଣଙ୍କ ପୁଷ୍ପବୃଷ୍ଟିରୁ ସମସ୍ତଙ୍କୁ ଜଣାପଡ଼ୁଥିଲା ଜଣେ ଖାଣ୍ଟି ଶିଖ୍‍ ଓ ଶିଖ୍‍ଧର୍ମର ସମସ୍ତ ବିଧିବିଧାନ ମାନିବେ ବୋଲି ।’

 

‘ହଁ, ପ୍ରକୃତରେ ମୁଁ ଭୁଲକରି ବସିଛି । ମୋର ବ୍ୟବହାରରୁ ସମସ୍ତେ ଜାଣିଲେ ଯେ, ମୁଁ ଜଣେ ଖାଣ୍ଟି ଶିଖ୍‌ ବୋଲି । ଏହି ଭୁଲପାଇଁ ତ ମୁଁ ପୁଲିସଥାନାରେ ଫେରାଦ କଲିନାହିଁ । ଏଣିକି ମୁଁ ସାବଧାନ ହୋଇଗଲି । ଏଣିକି ଆଉ ଏପରି ମାରାତ୍ମକ ଭୁଲ କରିବିନାହିଁ ।’

 

‘ଆପଣତ ଶିଖ୍‌ ନୁହନ୍ତି, ପୁଣି ଶିଖ୍‍ଧର୍ମର ପ୍ରକାଶପାଇଁ ଏତେ ଚେଷ୍ଟିତ କାହିଁକି ?’

 

‘ହଁ, ଆପଣ ଠିକ୍‌ କହିଛନ୍ତି, ଗୁରୁମହାରାଜ ମୋର ବଡ଼ ପ୍ରିୟ ଓ ମୁଁ ତାଙ୍କର ପ୍ରିୟ କି ନାହିଁ ତାହା ଭଗବାନଙ୍କୁ ଗୋଚର, କିନ୍ତୁ ଶିଖ୍‌ କହିଲେ ଯାହା ବୁଝାଏ ମୁଁ ସେ ଶିଖ୍‍ ନୁହେଁ ।’

 

ପ୍ରଭୁଦୟାଲ ଯାହା କହୁଥିଲେ, ତାହାହିଁ କଲେ । ତାଙ୍କର ପ୍ରତିଶ୍ରୁତି ଦାନ ସେ ଗୁରୁଦ୍ୱାରକୁ ଦେବାକୁ ସାଫ ସାଫ ମନାକରିଦେଲେ । ସେ ସେଦିନର ପୂର୍ଣ୍ଣ ଘଟନା ବର୍ଣ୍ଣନାକରି କହିଲେ ଯେ, ଯଦି ଏହିପ୍ରକାର ମଣିଷ ତିଆରିକରିବା ଗୁରୁଦ୍ୱାରର ଲକ୍ଷ୍ୟ ହୁଏ, ତେବେ ସେ ଏଥିପାଇଁ କଡ଼ାଏ କଉଡ଼ି ମଧ୍ୟ ଦେବାପାଇଁ ପ୍ରସ୍ତୁତ ନୁହନ୍ତି ।

ସରଦାର ବଡ଼ିୟାମ ସିଂ ଚାନ୍ଦା ଆଦାୟକାରୀଙ୍କ ଭିତରୁ ଜଣେ ଥିଲେ । ମୂଳରୁ ଶେଷପର୍ଯ୍ୟନ୍ତ ସମସ୍ତ ଘଟଣା ବିଷୟରେ ସେ ଅବଗତ ଥିଲେ । ତେଣୁ ସେ ବଡ଼ ଲଜ୍ଜିତ ହୋଇ କହିଲେ, ‘ଲୋକମାନଙ୍କର ମନର ଭାବକୁ ତ ପୁଣି ଆଦର ଦେଖାଇବାର ଅଛି । ଉପସ୍ଥିତ ଶିଖ୍‌ ଜନତା ସେଦିନ ମନେକଲେ ଯେ, ଖାଲିମୁଣ୍ଡରେ ଛିଡ଼ାହୋଇ ଗ୍ରନ୍ଥସାହେବଙ୍କୁ ଆପଣ ଅବମାନନା କଲେ ।’

‘ଦେଖନ୍ତୁ ସରଦାର ସାହେବ, ମୁଁ ନିଜ ଘରେ ଠିଆ ହୋଇଥିଲି । ଦରବାର ସାହେବଙ୍କ ଶୋଭାଯାତ୍ରା ରାସ୍ତାରେ ଯାଉଥିଲା । ଆପଣ ମୋତେ ମୋର ନିଜ ଘରେ ଥିବା ସମୟରେ ଏପରି ଆଦେଶ ଦେବା ଅନ୍ୟାୟ ନୁହେଁ କି ? ମୋତେ ଆପଣ କ୍ଷମାକରନ୍ତୁ । ମୋର ଏ ହଜାରେ ଟଙ୍କା ଆପଣଙ୍କପାଇଁ କିଛି ନୁହେଁ । ୟାର କେତେଗୁଣ ଅଧିକ ଆପଣ ନିଜେ ଦେଇପାରନ୍ତି । ମୁଁ ତ ମୋର ବିବେକର ଚାଳନାରେ ଏହା କରୁଛି । ମୁଁ ଏପରି ଅସହିଷ୍ଣୁତା ଓ ଅସହନଶୀଳତାର ପ୍ରସାରପାଇଁ ଗୋଟିଏ ପଇସା ଦେଇ ପାରିବିନାହିଁ ।’

ସେମାନେ ଫେରିଗଲା ବେଳେ ତାଙ୍କର ଦୃଷ୍ଟି ପଡ଼ିଲା ପ୍ରଭୁଦୟାଲଙ୍କ ଘରେ ସଯତ୍ନେ ରକ୍ଷିତ ଗୁରୁ ଗ୍ରନ୍ଥସାହେବଙ୍କ ଉପରେ । ତା ଭିତରୁ ଜଣେ ପଚାରିଦେଲେ, ଆପଣ ଦରବାର ସାହେବଙ୍କୁ କ’ଣ ଘରୁ ବିଦା କରିଦେବେ ?

‘ମୁଁ ମୋ ଘରେ କଣ କରିବି ନକରିବି, ଆପଣଙ୍କ ଜାଣି ଲାଭ ନାହିଁ ।

 

‘ନାହିଁ, ମୋର କହିବାର ଅଭିପ୍ରାୟ ଯେ, ଯଦି ଆପଣ ଗ୍ରନ୍ଥସାହେବଙ୍କୁ ନ ରଖିବାର ଭାବୁଥାନ୍ତି ତେବେ ମୁଁ ତାଙ୍କୁ ଉଠେଇନେଇ ଅନ୍ୟ କେଉଁଠି ହେଲେ ସ୍ଥାପନ କରି ଦିଅନ୍ତି ।’

 

‘ବଜାରରେ ଏହା କିଣିବାକୁ ମିଳୁଛି, ଆପଣଙ୍କର ଯଦି କେଉଁଠି ସ୍ଥାପନା କରିବାର ଇଚ୍ଛା ତେବେ କିଣିକରି ସ୍ଥାପନ କରି ପାରନ୍ତି ।’

 

‘ଏହା ଶୁଣି ସରଦାର ବଡ଼ିୟାମ ସିଂ କହିଲେ, ‘ଆସନ୍ତୁ ଖାଲସାଜୀ, ସିଏ ଓକିଲ, ତାଙ୍କୁ କଥାରେ ଜିଣି ପାରିବେ ନାହିଁ ।’

 

ଏହା ଶୁଣି ସମସ୍ତେ ହସି ଉଠିଲେ ।

 

ପ୍ରଭୁଦୟାଲଙ୍କର ଏହିପରି ଆଚରଣରେ ତାଙ୍କର ମା’ଙ୍କର ବଡ଼ ଦୁଃଖ ହେଲା । ସେ ରାତିରେ ପ୍ରଭୁଦୟାଲଙ୍କୁ ଡ଼ାକି ପଚାରିଲେ, ‘ପ୍ରଭୁ, ତୁ ଗୁରୁଦ୍ୱାରକୁ ପ୍ରତିଶ୍ରୁତି ଦେଇଥିବା ଦାନକୁ ଫେରେଇ ଆଣିଲୁ କାହିଁକି ?’

 

‘ନାହିଁ ମା, ମୁଁ ଫେରେଇ ଆଣୁନାହିଁ, ତେବେ ଏପରି ସ୍ଥାନକୁ ମୁଁ ଦାନ ଦେବାକୁ ଇଚ୍ଛା କରେ ନାହିଁ, ଯେଉଁଠିକି ମନୁଷ୍ୟର ମନୁଷ୍ୟତାର କୌଣସି ମୂଲ୍ୟ ନାହିଁ, ଅଥଚ ବଜାରରେ କୋଡ଼ିଏ ଟଙ୍କାରେ ମିଳୁଥିବା ପୁସ୍ତକର ମୂଲ୍ୟ ଯଥେଷ୍ଟ ଅଛି । ସେ ଅନୁଷ୍ଠାନକୁ ଦାନ ଦେଇ ଲାଭ କିଛି ନାହିଁ-।’

 

‘‘କିନ୍ତୁ ସେ ପୁସ୍ତକରେ ତ ଅନେକ ଭଲ କଥା ପୁଣି ଲେଖାଅଛି ।’

 

‘ହଁ ମା, ଲେଖାଅଛି; ‘ସଭୀ ଜିଓ ତୁମହାରେ ଜୀ, ତୁ ଜିଓଁ କା ଦାତାରା’ କିନ୍ତୁ ଗୁରୁଦ୍ୱାରରେ କୁହାଯାଉଛି ଯେ କେଶଧାରୀ ନୁହେଁ ସେ ପତିତ । ସେଠାରେ ଶିକ୍ଷା ଦିଆଯାଉଛି ପରଘରେ ପଶି ତାକୁ ଜୋର ଜବର ଦସ୍ତି ନିଜ କଥା ମାନିବା ପାଇଁ । ମା, ମୁଁ ଗୁରୁ ସାହେବଙ୍କୁ ମାନିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଯେଉଁମାନେ ସେଦିନ ମୋ ମୁଣ୍ଡ ଫଟେଇଦେଲେ, ସେପରି ଶିଖ୍‍ଙ୍କ କଥା ମାନିବାକୁ ମୁଁ ନାରାଜ ।’

 

ପୁଅର ମୁଣ୍ଡର ପଟିକୁ ଦେଖି ମା ଚୁପ ରହିଲେ । ତାଙ୍କର ମଧ୍ୟ ଦିନକର କଥା ମନେ ପଡ଼ିଲା । ଯେଉଁ ଦିନ କି ତାଙ୍କୁ ମଧ୍ୟ କଡ଼ା ଓ କଛା ପିନ୍ଧି ନଥିବାରୁ ଗୁରୁଦ୍ୱାରରୁ ତଡ଼ି ଦିଆଯାଇଥିଲା-। ସେ କଥା ମନେପଡ଼ି ସେ ନିଜ ପୁତ୍ରର କଥା ସବୁ ବୁଝିପାରିଲେ ।

 

(୪)

 

ଗୁରୁ ନାନକଙ୍କ ଜନ୍ମ ଦିନ ପରଦିନ ନୀଳା ମୁଣ୍ଡରେ ପଟିବାନ୍ଧି କଲେଜ ଗଲା । ସମସ୍ତେ ଏହାର କାରଣ ପଚାରିବାରୁ ସେ କହିଲା, ‘ଏ ଧର୍ମାନ୍ଧତାର ଆଘାତ ।’

 

ହରଭଜନ ସିଂ ମଧ୍ୟ ନୀଳା ଆଘାତ ପାଇବା ଦେଖିଥିଲା । ନୀଳାର ଏଭଳିଆ ଉତ୍ତର ଶୁଣି ସେ ରାମ କି ବିଷ୍ଣୁ କିଛି କହିଲା ନାହିଁ । ନୀଳା ତ ପ୍ରକାରେ ନୀତିଗତ ବାଖ୍ୟାନ ଦେଉଛି; ଘଟଣା ସମ୍ବନ୍ଧରେ ତ କିଛି କହୁନାହିଁ, ତେବେ ସେ ବିଷୟରେ ଆଲୋଚନା କରି ଲାଭ କଣ ?

 

କ୍ଳାସ ସରିଲା, ନୀଳା ଘରକୁ ଫେରିଗଲା । ହରଭଜନ ସିଂ ମଧ୍ୟ ଘରକୁ ଫେରିଲା । କିନ୍ତୁ ନୀଳାର ଶିଖ୍‍ ଶୋଭା ଯାତ୍ରାର ଗଣ୍ଡଗୋଳ ବିଷୟରେ ନୀରବତା, ତାକୁ ଅନେକ କଥା ଭାବିବାକୁ ଦେଲା ।

 

ତା’ ପରଦିନ । କ୍ଳାସ ସରିଲା ପରେ ହରଭଜନ ସିଂ ଏକାନ୍ତରେ ନୀଳାକୁ ପାଇ କହିଲା, ‘ବଡ଼ ଦୁଃଖର କଥା, ସେଦିନ କେତେକ ଲୋକ ତୁମ ପ୍ରତି ଏପରି ବ୍ୟବହାର କଲେ ।

 

‘କିଏ କି ବ୍ୟବହାର କଲା ।’

 

‘ସେଦିନ ଶୋଭାଯାତ୍ରା କଥା ମୁଁ କହୁଛି ।’

 

‘ଆପଣ ତ ସେ ଶୋଭାଯାତ୍ରାରେ ଥିଲେ ।’

 

‘ହଁ, ମୁଁ ତ ଲୋକଙ୍କୁ ଶାନ୍ତ କଲି, ନଚେତ୍‌ ସେମାନେ ସେ ଘରେ ନିଆଁ ଲଗେଇ ଦେଇଥାନ୍ତେ ।’

 

‘ତେବେ ତ କିଛି ନୂଆ କଣ ହୋଇନଥାନ୍ତା, ନୂଆ କଣ ଏହା ହେଲା ଯେ ଆପଣ ବୁଝେଇବା ପରେ ସେ ଆପଣଙ୍କ କଥା ମାନିନେଲେ । ସେଥିରେ ସେମାନଙ୍କର ବୁଦ୍ଧିରେ ତ କିଛି ପରିଚୟ ମିଳିଲା ନାହିଁ । ଅବଶ୍ୟ ଆପଣଙ୍କର ଚତୁରତାର ପରିଚୟ ଯଥେଷ୍ଟ ମିଳିଲା ।’

 

ନୀଳାର ଏ ପ୍ରକାର ଟିପ୍ପଣୀ ଣୁଣି ହରଭଜନ ସିଂ ଖୁସି ହେଲା । ନୀଳା ହସି ପୁଣି କହିଲା, ‘‘ଆପାଣଙ୍କ ଗୋଡ଼ଧରି ଟାଣି ଲୋକମାନେ ଆପଣଙ୍କୁ ଟ୍ରକ ଉପରୁ ତଳେ ଗଡ଼େଇ ଦେଲେନା ?’

 

ଏହା ଶୁଣି ହରଭଜନ ସିଂ ବଡ଼ ଲଜ୍ଜିତ ହେଲା । ସେ କହିଲା, ‘‘ମୋତେ ପକେଇ ଦେଲେ ହଁ, କିନ୍ତୁ ଅଧିକ ଗଣ୍ଡଗୋଳ ନ ହୋଇ ଯେ ଶୋଭାଯାତ୍ରା ଆଗେଇ ପାରିଲା, ଏଇଥିରେ ମୋର ଆନନ୍ଦ ।’

 

‘ଧରନ୍ତୁ ଆପଣଙ୍କ ଉପରେ ଆକ୍ରମଣ କଥା ଛାଡ଼ି ଦିଆଯାଉ, କିନ୍ତୁ କଣ ବିଚାର କରିବାକୁ ହେବ ଯେ ଶୋଭାଯାତ୍ରାକାରୀମାନଙ୍କୁ ‘ଖାଲାସାବୀର’ ବୋଲି ସମ୍ବୋଧନ କରି ସେମାନଙ୍କୁ ପଥର ବୃଷ୍ଟିରୁ ବିବୃତ୍ତ କରାଇ ବୁଝେଇ ସୁଝେଇ ଆମେ ହଟି ଗଲୁ ବୋଲି କହି ଆଗେଇ ନେବାକୁ ହେଲା । ଏ ଦୁଇଟି କଥା ଭୁଲ । ସେମାନେ ଖାଲସାବୀର ନୁହନ୍ତି କି, ଆମେ ପଳେଇ ଲୁଚି ନଥିଲୁ ।’

 

‘ତୁମ ଘର ଅବସ୍ଥା କିପରି ?

 

‘ଡାକ୍ତର ତ କହୁଛନ୍ତି, ଘା ଭଲହେବାକୁ ସପ୍ତାହେ ଲାଗିଯିବ ।

 

ଏତିକିରେ ସେ ଦୁହେଁ ପରସ୍ପରଠାରୁ ବିଦାୟ ନେଲେ । ନୀଳା କଥାରେ ହରଭଜନ ସିଂ ଚିନ୍ତାଧାରା ବଦଳିଗଲା । ସେ, ସେ ଦିନର ଶୋଭାଯାତ୍ରାକାରୀମାନଙ୍କର ଅବାଧ୍ୟତା, ଅଶୋଭନୀୟ ବ୍ୟବହାର କଥା ମନେ ପକେଇ କ୍ଷୁବ୍ଧ ହେଲା । ସେମାନଙ୍କୁ ବୀର ବୋଲି ସମ୍ବୋଧନ କରିଥିବାରୁ ନିଜେ ମଧ୍ୟ ଲଜ୍ଜିତ ହେଲା ।

 

ଆସନ୍ତା ରବିବାର ଦିନ ସେ ଗୁରୁଦ୍ୱାରକୁ ଗଲା । ଗତ ଗଣ୍ଡଗୋଳ ପରେ ଗୁରୁଦ୍ୱାରର ମୁଖିଆମାନଙ୍କର କଣ ବିଚାର ହେଉଛି ସେ କଥା ବୁଝିବା ତା’ର ଇଚ୍ଛା ଥାଏ । ସେ ଯାଇଁ ପହଞ୍ଚିଲା ବେଳକୁ ଗ୍ରନ୍ଥ ପାଠ ହେଉଛି । ସେଥିରେ ପଢ଼ାଯାଉଛି, ‘ତେରା ହୁକୁମ ଅପାର ହୈ କୋଇ ଅନ୍ତ ନ ପାଏ, ଜିସ୍‌ ଗୁରୁ ପୁର ଭେଦସୀ ସୋ ଚଲେ ରଜାୟେ ।’ ଏହା ଶୁଣି ହରଭଜନ ସିଂ ଭାବିଲା, ଏଥିରେ ତ କାହା ପ୍ରତି ବୈରଭାବ ବା କାହା ପ୍ରତି ବିରୋଧ ନାହିଁ । ଯେବେ ଏହା ହେଲା ଗୁରୁଜୀଙ୍କ ଶିକ୍ଷା, ତେବେ ଏହା ନେଇ ଏତେ ଗୋଳମାଳ କାହିଁକି ?

 

ପାଠକ ପଢ଼ି ଚାଲିଛନ୍ତି । ସମସ୍ତେ ନିବିଷ୍ଟ ଚିତ୍ତରେ ଗୁରୁଜୀଙ୍କ ବାଣୀ ଶୁଣିବାରେ ନିଗମ୍ନ-। ହରଭଜନ ସିଂ ଭାବିପାରିଲା ନାହିଁ, ଏହି ଜନତା ସେଦିନ ଶୋଭାଯାତ୍ରାରେ ଏପରି ହୀନ ଓ ଅସ୍ୱାଭାବିକ ବ୍ୟବହାର କରିଥିଲେ । ପୁଣି ଯେଉଁ ଲୋକ ତା’ ଗୋଡ଼ଧରି ଟାଣି ଟ୍ରକରୁ ପକେଇ ଦେଇଥିଲା, ସେ ସବୁଠାରୁ ଭକ୍ତି ତଦ୍‍ଗତ ଚିତ୍ତରେ ବସି ଗୁରୁଜୀଙ୍କ ଅମୃତମୟ ବାଣୀ ଶୁଣିବାରେ ନିମଗ୍ନ ରହିଛି ।

 

କିନ୍ତୁ ହରଭଜନ ସିଂର ଏ ଭାବନା ବେଶି ବେଳ ରହିଲା ନାହିଁ । ପୁରାଣ ପାଠ ସରିଲା ପରେ ଗୁରୁଦ୍ୱାରର ସମ୍ପାଦକ ଉଠି ହାତ ଯୋଡ଼ି କହିବାର ଶୁଣାଗଲା, ‘ସେଦିନ ଗୁରୁ କୃପାରୁ ଶୋଭାଯାତ୍ରା ସଫଳ ହେଲା, ଖାଲସା ଭାଇମାନେ ଖୁବ୍‍ ଧୈର୍ଯ୍ୟ ଓ ସାହସର ସହିତ ଏ କାର୍ଯ୍ୟ ସମ୍ପନ୍ନ କଲେ । ଏହି ଅବସରରେ ମୁଁ ଆପଣମାନଙ୍କୁ କହି ରଖେ ଯେ ଗୁରୁଙ୍କ କୃପାରୁ ଆମେ ଗୁରୁଦ୍ୱାରର କେତେକ ଘର ନିର୍ମାଣ ପାଇଁ ପନ୍ଦର ହଜାର ଟଙ୍କା ପାଇ ପାରିଛୁ । ଗୁରୁଙ୍କର ଅତ୍ୟନ୍ତ ପ୍ରିୟ ସରଦାର ବଡ଼ିୟାମ ସିଂ ଏକା ଦଶହଜାର ଟଙ୍କା ଦାନ କରିଛନ୍ତି । ଆଉ ଜଣେ ସହଜଧାରୀ ଶିଖ୍‍ ବାରିଷ୍ଟରଙ୍କ ମାଆ ଏକ ହଜାର ଟଙ୍କା ଦାନର ପ୍ରତିଶ୍ରୁତି ଦେଇଥିଲେ ହେଁ ସେ ଦିନ ଶୋଭାଯାତ୍ରା ବେଳେ ତାଙ୍କର ଦରବାର ସାହେବଙ୍କ ପ୍ରତି ଅପମାନ ସୂଚକ ବ୍ୟବହାରର ପ୍ରତିବାଦ କରାଯିବାରୁ ସେ ଉକ୍ତ ପ୍ରତିଶ୍ରୁତ ଦାନ ଦେବାକୁ ଅସ୍ୱୀକାର କରିଛନ୍ତି । ତେଣୁ ପନ୍ଦର ହଜାରରୁ ହଜାରେ ଟଙ୍କା କମ ପଡ଼ି ଯାଇଛି । ମୋର ଆଶା ଓ ବିଶ୍ୱାସ ଉପସ୍ଥିତ ଧାର୍ମିକ ଭାଇମାନେ ଏହା ଅଚିରେ ପୂରଣ କରି ଦେବେ ।’

 

‘ସହଜଧାରୀ ପନ୍ଥାର ଲୋକଙ୍କ ଉପରେ ବିଶ୍ୱାସ ନାହିଁ, ସେମାନେ ଦୁଇ ଡଙ୍ଗାରେ ଗୋଡ଼ ଦେଇଛନ୍ତି । ଯେତେବେଳେ ଲାଭର କିଛି ଭରସା ରଖିବେ ସେତେବେଳେ ଆସି ଗୁରୁଦ୍ୱାରରେ ଦେଖାଦେବେ, ପୁଣି କେତେବେଳେ ଯାଇଁ ହିନ୍ଦୁ ମନ୍ଦିର ଦେବାଳୟରେ ମୁଣ୍ଡିଆ ମାରିବେ ।’

 

‘ପ୍ରଭୁଦୟାଲଙ୍କ ଏପରି ବ୍ୟବହାରରେ ତାଙ୍କର ମା’ଙ୍କର ଯେ କେତେଦୂର ଦୁଃଖ ହୋଇଛି ତାହା ଏଠାରେ ବର୍ଣ୍ଣନା କରିବା ଅନାବଶ୍ୟକ । କିନ୍ତୁ ଏହା ପାଇଁ ଆମେ କିଛି କରିପାରିବା ନାହିଁ । ଆମେ ଆମ କାମରେ ଆଗେଇ ଯିବା । ଏଥିପାଇଁ ପ୍ରଥମେ ଆବଶ୍ୟକ ଏକ ହଜାର ଟଙ୍କା-।’

 

ସମ୍ପାଦକଙ୍କ ଏ ବକ୍ତୃତା ଶେଷ ହେଉ ନ ହେଉଣୁ, ଗୁରୁଦ୍ୱାରର ଜଣେ ସେବାୟତ୍‌ ଠିଆ ହୋଇପଡ଼ି ଆରମ୍ଭ କଲେ, ‘ଦେଖନ୍ତୁ ଭକ୍ତ ଭାଇମାନେ; ଏକହଜାର ଟଙ୍କା ସହଜେ ଆଦାୟ ହୋଇଯିବ, ଏହାର ପ୍ରାଥମିକ ସୋପାନ ମୋର ଏ ସାମାନ୍ୟ ଦାନ ଆପଣ ଗ୍ରହଣ କରନ୍ତୁ ।’ ଏହା କହି ସେ ଚାରିଣିଟିଏ ସଭାରେ ଦାନ କଲେ ଓ ପୁଣି ନିବେଦନ କଲେ ଚାଲ, ଆମେ ସମସ୍ତେ ଯାଇଁ ପ୍ରଭୁଦୟାଲଙ୍କ ଦୁଆରେ ଧାରଣା ଦେବା ଏବଂ କହିବା, ସେ ଗୁରୁଦ୍ୱାର ପାଇଁ ତାଙ୍କର ମା’ଙ୍କର ପ୍ରତିଶ୍ରୁତ ଏକହଜାର ଟଙ୍କା ଦାନକୁ ପ୍ରତ୍ୟାହାର ନକରନ୍ତୁ ।’

 

ସେବାୟତଙ୍କର ଏ ନିବେଦନ ଶୁଣି ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ଯେପରି ନବଜୀବନ ଖେଳିଲା ପରି ମନେ ହେଲା । ସମସ୍ତେ ସତ୍‌ ଶ୍ରୀ ଅକାଳ କହି ଏ ପ୍ରସ୍ତାବକୁ ସମର୍ଥନ କଲେ ।

 

ଏହାଶୁଣି ସେବାୟତ୍‌ ପୁଣି ଆରମ୍ଭ କଲେ, ‘ମୁଁ ମୋର ସେବାକୁ ଏ କାର୍ଯ୍ୟରେ ପ୍ରଥମେ ନିୟୋଜିତ କରୁଛି । ଦରକାର ହେଲେ ମୁଁ ତାଙ୍କ ଦୁଆରେ ସତ୍ୟାଗ୍ରହ ଓ ଅନଶନ କରିବାକୁ ପ୍ରସ୍ତୁତ ଅଛି ।’ ପୁଣି ଜୟ ଜୟ କାର ପଡ଼ିଗଲା । ଲୋକେ ଉଠି ସତ୍ୟାଗ୍ରହୀ ହିସାବରେ ନାମ ଲେଖେଇବାକୁ ଆଗେଇ ଆସିଲେ ।

 

ଏତିକିବେଳେ ବଡ଼ିୟାମ ସିଂ ଉଠି କହିଲେ, ଦେଖନ୍ତୁ, ଆମେ କାଲି ପ୍ରଭୁଦୟାଲଙ୍କ ଘରକୁ ଏହି ଦାନ ବିଷୟରେ କଥାବାର୍ତ୍ତା କରିବାକୁ ଯାଇଥିଲୁ । ତାଙ୍କ କଥାରୁ ଏକଥା ସ୍ପଷ୍ଟ ହେଲା ନାହିଁ ଯେ ଏ ଦାନ ସିଏ ନିଜେ ଦେଇଛନ୍ତି କି ତାଙ୍କର ମା ଦେଇଛନ୍ତି । ମୋର ବିଶ୍ୱାସ ହେଉନାହିଁ, ଧାରଣା ଦେଲେ ମଧ୍ୟ ପ୍ରଭୁଦୟାଲ ଆଉ ସେ ଟଙ୍କା ଦେବେ ବୋଲି ।

 

ସେବାୟତ ଦେଖିଲେ ଯେ, ମଝିରେ ଗୋଳାମାଳ ପଶିଗଲା । ସେ କହିଲେ, ‘‘ଆଗେ ସ୍ୱେଚ୍ଛାସେବକମାନଙ୍କ ନାମ ଲେଖେଇନିଆଯାଉ, ପରେ କମିଟି ସ୍ଥିର କଲେ ସତ୍ୟାଗ୍ରହ ହବ; ନଚେତ୍‌ ନାହିଁ ।’

 

ତାହାହିଁ ହେଲା, ଗୋଟିକ ପରେ ଗୋଟିଏ ଲୋକ ଆସି ନାଁ, ଲେଖେଇବାରେ ଲାଗିଲେ । ନାଁ ଲେଖା ସରିବାକୁ ପୁଣି ବଡ଼ିୟାମ ସିଂ ଆରମ୍ଭ କଲେ । ଦେଖନ୍ତୁ, ମୋର ଇଚ୍ଛା ଆଜି ଏହି ସ୍ଥାନରେହିଁ ସେ ଏକହଜାରଟଙ୍କା ସଂଗ୍ରହ କରାଯାଉ । ସତ୍ୟାଗ୍ରହ କଥା ପରେ ବିଚାର କରାଯିବ । ମୁଁ ଉପସ୍ଥିତ ଭକ୍ତମଣ୍ଡଳୀକୁ ନିବେଦନ କରୁଛି ଯେ, ସେମାନେ ଏହିଠାରେ ସେମାନଙ୍କର ଦାନ ଲେଖେଇ ଦିଅନ୍ତୁ ।’

 

ତେଣୁ ପୁଣି ଚାନ୍ଦା ହେଲା; ଲୋକ ଦୋଅଣୀ, ଚାରଣୀ ପକେଇ ଚାଲିଲେ । ସବୁ ଗଣାଯାଇଁ ଦେଖାଗଲା ଯେ ଷାଠିଏ ଟଙ୍କା ପନ୍ଦରଅଣା ।

 

ଏହା ଦେଖି ବଡ଼ିୟାମ ସିଂ କହିଲେ, ‘ଏତେ କମ୍‌ ଦାନ ମିଳିବ ବୋଲି ମୁଁ କଳ୍ପନା କରି ନ ଥିଲି । ଆମେ ଯେଉଁ ସତ୍ୟାଗ୍ରହ କଥା କହୁଛୁ, ସେଥିପାଇଁତ ପୁଣି ଧନ ଲୋଡ଼ା । ଏତିକି ପଇସାରେ ନାଁ ଗୁରୁଦ୍ୱାର ତିଆରି ହେବ ନାଁ ସତ୍ୟାଗ୍ରହ କରିହେବ । ଏହାକହି ସେ ନିଜେ ଶହେ ଟଙ୍କା ଦେଲେ ଓ କହିଲେ ଯେ ଆପଣମାନେ ଏଠାରେ ଯେତେଦେଲେ ମୁଁ ମୋର ନିଜର ଦାନରୂପେ ସେତିକି ଦେବି । ପୁଣି ଚାନ୍ଦା ପଡ଼ିଲା, କିନ୍ତୁ ସବୁ ମିଶି ଶହେ ଟଙ୍କାରୁ ଅଧିକ ହେଲାନାହିଁ-

 

ହରଭଜନ ସିଂ ସବୁ ଦେଖୁଥିଲା । ସେ ଭାବିଲା ଏ ଯେଉଁ ଲୋକମାନେ ସତ୍ୟାଗ୍ରହ କରିବେ ବୋଲି ନାମ ଦେଲେ ସେମାନେ ତ ନିଜ ନିଜର ଧନ୍ଦା ବ୍ୟବସାୟ ଛାଡ଼ି ତାହାକରିବେ । ତା ପରିବର୍ତ୍ତେ ଯଦି ସେମାନେ ସେ ମାନଙ୍କର ସେଦିନର ରୋଜଗାର ତକ ଦାନକରି ଦିଅନ୍ତେ ତେବେ ତ କେତେ ଟଙ୍କା ହୋଇଯାଆନ୍ତା । କିନ୍ତୁ ଦେଖାଯାଉଛି ବିରୋଧ କରିବାର ଇଚ୍ଛା ଯେତେ ବେଶି ଅଛି, ପଇସା ଦେବାର ଇଚ୍ଛା ସେତେ ନାହିଁ ।

 

ଏହି ସମୟରେ ପ୍ରସାଦ ବଣ୍ଟା ଆରମ୍ଭ ହୋଇଗଲା । ପ୍ରଥମେ ପରମଭକ୍ତ ପାଞ୍ଚ ଜଣ ନେଲେ ଓ ତା’ପରେ ପରେ ଅନ୍ୟମାନେ ।

 

ହରଭଜନ ସିଂ ବାପାଙ୍କ ସଙ୍ଗେ ଘରକୁ ଫେରିଲା । ହରଭଜନ ସିଂର ଭଉଣୀ ଅମୃତ କୌର ମଧ୍ୟ ସାଙ୍ଗରେ ଥିଲା । ସେ ପିଲା ଲୋକ, ସେଣ୍ଟ ଟମାସ ସ୍କୁଲର ଛାତ୍ରୀ । ଏ ସବୁ ଗଣ୍ଡଗୋଳ ଉତ୍ତେଜନାର କାରଣ ସେ କିଛି ବୁଝେନାହିଁ ।

 

ମଟରରେ ହରଭଜନ ସିଂ ଆରମ୍ଭ କଲା, ‘ସେ ଯେଉଁ ସେବାୟତ ସତ୍ୟାଗ୍ରହ କରିବା ପ୍ରସ୍ତାବ କରୁଥିଲା ସେ ଅତ୍ୟନ୍ତ ମୂର୍ଖପରି ମନେହେଲା । ସେ ସେଠାରେ କ’ଣ କାମ କରେ ?’

 

‘କାମ ଆଉ କରେ କଣ ? ଗୁରୁଦ୍ୱାରରେ ଲୋକଙ୍କ ଜୋତା ଜଗି ବସେ ଓ ଗୁରୁଦ୍ୱାର ତରଫରୁ ଖାଏ । କେବେ ମୁଁ ବା ଆଉ କେହି ଖଣ୍ଡେ ଅଧେ ଲୁଗା ଜାମା ଦଉଁ । ସେ ଯେଉଁ ଚାରଣି କାଢ଼ିଦେଲା, ତାକୁ କମିଟିର ସମ୍ପାଦକ ଦେଇଥିଲେ । ସେ ଗରିବହୋଇ ଆଗତୁରା ଚାରିଣିଟିଏ ପକେଇଦେଲେ ଅନ୍ୟ ସମସ୍ତେ ସଙ୍ଗେ ସଙ୍ଗେ ପଇସା ପକେଇଦେବେ ଇଏ ଗୋଟାଏ ପଇସା ଆଦାୟ କରିବାର ଫିକର ।’

 

‘କିନ୍ତୁ, ବାବା, ଏପରି କରିବା କଣ ଉଚିତ ହେଉଛି,’ ଅମୃତ ପଚାରିଲା ।

 

‘ସେଥିରେ କ୍ଷତି କଣ ?’

 

‘ଆପଣ ତ କହୁଥିଲେ, ପ୍ରଭୁଦୟାଲ କି ତାଙ୍କର ମାଆ କିଏ ଦାନ କରିଛନ୍ତି କହି ହେବନାହିଁ ।’

 

‘ନାଁ, ମୁଁ ଭଲଭାବରେ ଜାଣେ ଯେ ପ୍ରଭୁଦୟାଲ ହିଁ ଏ ଦାନ ଦେଇଛନ୍ତି, ତାଙ୍କ ମା ଦେଇନାହାନ୍ତି ।’

 

‘ତେବେ ସତ୍ୟାଗ୍ରହ କ’ଣ ଗୋଟାଏ ମିଛକଥା ଉପରେ କରାଯିବ ?’

 

‘ମୁଁ ତ ସତ୍ୟାଗ୍ରହ କରିବାକୁ ରାଜି ନ ଥିଲି । ଯଦି ଲୋକେ ଏଥିପାଇଁ ଜିଦ୍‌ ଧରନ୍ତି, ମୁଁ ନାଚାର ।’

 

‘ଆପଣ ସମସ୍ତଙ୍କ ସାମନାରେ ପରିଷ୍କାର କହି ଦେଲେ ନାହିଁ ଯେ, ଦାନ ପ୍ରଭୁଦୟାଲ ଲେଖେଇଛନ୍ତି, ତାଙ୍କ ମା ନୁହନ୍ତି ?’

 

‘ଦେଖ ଅମୃତ, ମୁଁ ଜଣେ ଶିଖ୍‌ ସଂପ୍ରଦାୟର ମୁଖିଆ ଲୋକ, ମୁଁ ଯଦି ଏମିତି ଛୋଟ ଛୋଟ କଥାରେ ସାଧାରଣ ଲୋକଙ୍କ ସହିତ ଝଗଡ଼ା କରେ ତେବେ ମୋ ସମ୍ମାନ ରହିବଟିକି ?’

 

ଏତିକିବେଳେ ହରଭଜନ ସିଂ କହିଉଠିଲା, ‘ତେବେ ଆପଣ ମୁଖିଆ ହୋଇ ରହିବେ ବୋଲି ମିଛ କଥାଟାଏ କହିଦେବେ ?’

 

‘ମୁଁ ତ କିଛି ମିଛ କହିନାହିଁ କି ସେବାୟତର ପ୍ରସ୍ତାବକୁ ସମର୍ଥନ କରିନାହିଁ, ମୁଁ କେବଳ କହିଛି, ଦାନ କିଏ ଦେଇଛି ମୁଁ ଜାଣେ ନାହିଁ ।’

 

‘ଆପଣଙ୍କ କଥାରୁ ମନେହେଲା ଦାନଦେଲା ଲୋକ ପ୍ରଭୁଦୟାଲଙ୍କର ମାଆ ହୋଇପାରନ୍ତି କିନ୍ତୁ ଆପଣ ଜାଣନ୍ତି ଯେ ପ୍ରଭୁଦୟାଲ ନିଜେ ଏହି ଦାନ ଦେଇଛନ୍ତି ।’

 

‘ତୁମେ ସବୁ ପିଲାଲୋକ, ଏହାର ରହସ୍ୟ ବୁଝିବା ତୁମ ପକ୍ଷେ କଠିନ । ମୁଁ ମୁଖିଆ ହୋଇ ରହିବାକୁ ଇଚ୍ଛା କରେ ଓ ଏଥିରେ ମୋର ଲାଭ ଅଛି ।’

 

ହରଭଜନ ଓ ଅମୃତ ଦୁହେଁ ଚୁପ୍‌ ହୋଇଗଲେ । କିନ୍ତୁ ତାଙ୍କର ମନ ଚୁପ ରହିଲା ନାହିଁ-। ସେ ଦୁହେଁ ବୁଝିଲେ, ଏହା ଧର୍ମ ନୁହେଁ । ଏହା କେବଳ ଚାଲବାଜୀ । ଗ୍ରନ୍ଥସାହେବରେ ଉଲ୍ଲେଖଥିବା ନୀତି ଠିକ୍‌ ହୋଇପାରେ; କିନ୍ତୁ ଗୁରୁଦ୍ୱାର ବା ସମ୍ପ୍ରଦାୟରେ ଯାହା ହେଉଛି ତା ସହିତ ଗ୍ରନ୍ଥସାହେବରେ ଲିଖିତ ଥିବା ନୀତିର କୌଣସି ସମ୍ପର୍କ ନାହିଁ ।

 

(୫)

 

ହରଭଜନ ସିଂ ନୀଳାକୁ ପ୍ରେମ କରିବାକୁ ଲାଗିଥାଏ । ସେ ମେଡ଼ିକାଲ କଲେଜର ଦ୍ୱିତୀୟ ବାର୍ଷିକ ଶ୍ରେଣୀରେ ପଢ଼ୁଥିବା ବେଳଠାରୁ ନୀଳା ପ୍ରତି ତାହାର କିପରି ଗୋଟାଏ ବିଶେଷ ଆକର୍ଷଣ ଜାତ ହୋଇଥିଲା । ନୀଳା ତାହାର ସହପାଠୀ । ସେ ବରାବର ହରଭଜନ ସିଂ ସହିତ ମିଳାମିଶା କରେ; କିନ୍ତୁ ଅଧିକାଂଶ ସମୟ ଲଜ୍ଜା ଓ ସଂକୋଚ ସହିତ । ଏହି ଲଜ୍ଜା ଓ ସଂକୋଚକୁ ହରଭଜନ ସିଂ ପ୍ରେମର ବହିର୍ପ୍ରକାଶ ବୋଲି ମନେକରି ନୀଳା ମଧ୍ୟ ତାକୁ ପ୍ରେମ କରେ ବୋଲି ଧରି ନେଇଯାଏ ଓ ବରାବର ତାହାର ସାନ୍ନିଧ୍ୟ ଲାଭକରିବାକୁ ଇଚ୍ଛା କରୁଥାଏ ।

 

କଲେଜ ଛୁଟି ହେଲାପରେ ହରଭଜନ ସିଂ ଓ ନୀଳା କଥାବାର୍ତ୍ତା କରି କରି ସାଇକେଲ ଷ୍ଟାଣ୍ଡରୁ ଘରକୁ ଯିବାପାଇଁ ସାଇକେଲ କାଢ଼ୁଛନ୍ତି, ସେହିମାନଙ୍କର ଆଉ ଜଣେ ସହପାଠୀ ଶ୍ରୀମାନ୍‌ ସୁଶୀଳକୁମାର ଭଟ୍ଟାଚାର୍ଯ୍ୟ ଆସି ନୀଳାକୁ ପଚାରିଲେ, ‘ନୀଳାଦେବୀ ! ଆପଣ ଯାଉଛନ୍ତି ତ ?’

 

‘କୁଆଡ଼େ ?’ କଲେଜର କେତେକ ଛାତ୍ର ଓ ଅଧ୍ୟାପକ ଉତ୍ତର ଭାରତ ଭ୍ରମଣପାଇଁ ଯାଉଛନ୍ତି ଓ ଏଥିପାଇଁ ନୋଟିସ ବାହାରିଛି, ନୀଳା ଏକଥା ଏକେବାରେ ଭୁଲି ଯାଇଥିଲା । ସୁଶୀଳକୁମାର ଏ ଯାତ୍ରାର ଉଦ୍ୟୋକ୍ତା ଓ ସଞ୍ଚାଳକ ।

 

‘କାହିଁକି, ଉତ୍ତରଭାରତ ଭ୍ରମଣରେ, କଲେଜ ୟୁନିୟନ ତରଫରୁ ଏହା କରାଯାଉଛି; ଆପଣଙ୍କୁ କଣ ଜଣାନାହିଁ ?’

 

‘ହଁ, କିଏ କିଏ ସବୁ ଯାଉଛନ୍ତି ଶୁଣେ ।’

 

‘ବର୍ତ୍ତମାନ ସୁଦ୍ଧା ଅଠର ଜଣ ନାମ ଦେଲେଣି, ପଚିଶ ଜଣ ହେବା ଦରକାର । ପଚିଶ ଜଣ ହେଲେ ଗୋଟିଏ ଫାଷ୍ଟକ୍ଳାସ ଡବା ଆମକୁ ମିଳିବ ଓ ଆମେ ଯେଉଁଠାରେ ଇଚ୍ଛା ସେଠାରେ ଡବାକୁ ଅଟକାଇପାରିବୁ ଓ ପରେ ତାକୁ ଯେ କୌଣସି ରେଲ ସାଙ୍ଗରେ ଯୋଡ଼ି ଅନ୍ୟତ୍ର ଯାଇ ପାରିବୁ ।’

 

‘ସେ ଅଠର ଜଣଙ୍କ ଭିତରେ କିଏ କିଏ ଅଛନ୍ତି ?’

 

ସୁଶୀଳକୁମାର ନାମ ପଢ଼ି ଶୁଣେଇ ଦେଲା । ଏଥିରେ କୌଣସି ଛାତ୍ରୀଙ୍କ ନାମ ନ ଥିଲା-। ନୀଳା କହିଲା, ‘ନାହିଁ, ମୋର ଯିବା ସମ୍ଭବପର ହେବ ନାହିଁ ।’

 

ସୁଶୀଳକୁମାର କହିଲା, ‘ନାହିଁ ନୀଳା ଦେବୀ, ଆପଣଙ୍କୁ ଯିବାକୁ ହେବ । ଆମେ ସ୍ଥିର କରିଛୁ ଆମ ସଙ୍ଗେ ଯେଉଁ ଛାତ୍ରୀ ଯିବେ ତାଙ୍କୁ ଶତକଡ଼ା ୨୫ ଭାଗ ଛାଡ଼ି ଦେବୁ ।’

 

‘କାହିଁକି ?’

 

‘ଛାତ୍ରୀମାନଙ୍କ ମଧ୍ୟରେ ଭ୍ରମଣ ପାଇଁ ଉତ୍ସାହ ଆଣିବା ପାଇଁ । ସେମାନେ ଏହାର ଉପଯୋଗିତା ବୁଝୁ ନାହାନ୍ତି, ବୁଲିବାକୁ ରାଜି ହେଉ ନାହାନ୍ତି ।’

 

‘ଏ ସର୍ତ୍ତରେ ମଧ୍ୟ କୌଣସି ଛାତ୍ରୀ ରାଜି ହେଉ ନାହାନ୍ତି ?’

 

‘ମୁଁ ବର୍ତ୍ତମାନ ଶ୍ରୀମତୀ ଶୁଭଦ୍ରାଙ୍କୁ ଭେଟିଥିଲି । ସେ କହିଲେ, ଯଦି ଅନ୍ୟ କେହି ଛାତ୍ରୀ ଯିବାକୁ ଆଗଭର ହୁଅନ୍ତି ତେବେ ସେ ମଧ୍ୟ ଯିବେ ।’

 

‘ସେ ଠିକ୍‌ କଥା କହିଛି ?’

 

‘ତେବେ କଣ ଆପଣ ଯିବାକୁ ପ୍ରସ୍ତୁତ ?’

 

ନୀଳା ହଁ ଭରିବ ବୋଲି ବିଚାର କରୁଥିଲା । ଏତିକିବେଳେ ହରଭଜନ ସିଂ କହିଉଠିଲା, ‘ଛାତ୍ରଙ୍କ ସଙ୍ଗେ ଗଲେ କ’ଣ ଗାୟତ୍ରୀ ଅଶୁଦ୍ଧ ହୋଇଯିବ ?’

 

ସୁଶୀଳକୁମାର ହସି ଦେଲା । ହରଭଜନ ସିଂ ମଧ୍ୟ ହସିକରି ନୀଳା ମୁହଁକୁ ଅନେଇ ରହିଲା । ନୀଳା କହିଲା, ‘ଆପଣ କଣ ଏ ପ୍ରଶ୍ନ ସୁଭଦ୍ରା ଦେବୀଙ୍କୁ ପଚାରିଥିଲେ ?’

 

‘ହଁ, ସେ କହିଲେ ପସନ୍ଦ ନାପସନ୍ଦ କରିବା ନିଜ ଉପରେ ନିର୍ଭର କରେ ।’

 

ଏହା ଶୁଣି ତିନିହେଁ ହସି ଉଠିଲେ । ନୀଳା ହସି ହସି କହିଲା, ‘ମୋର କହିବାର କଥା ଯେ, ପୁଅମାନଙ୍କୁ ସାଙ୍ଗ ସବୁବେଳେ ସୁଖକାରକ ହୁଏ । ପୁରୁଷ ଗୋଟିଏ ହିଂସ୍ର ଜନ୍ତୁ । ସ୍ତ୍ରୀ ଲୋକମାନେ ତାଙ୍କୁ କେତେକ ପରିମାଣରେ ଗୃହପାଳିତ ଜୀବରୂପେ ପରିଣତ କରିବାକୁ ଚେଷ୍ଟାକରି ସଫଳକାମ ହୋଇଛନ୍ତି । ତଥାପି ଏବେ ସୁଦ୍ଧା ତାଙ୍କଠାରେ ହିଂସ୍ର ପ୍ରକୃତି କେତେକ ମାତ୍ରାରେ ବିଦ୍ୟମାନ ଅଛି ।’

 

‘ଯାହା ବି ହେଉ, ଆପଣ ଯଦି ଯାଆନ୍ତେ ତେବେ ଆଉ କେତେ ଜଣ ଝିଅ ମଧ୍ୟ ଯାଆନ୍ତେ ।’

 

‘ଅଠରଜଣ ପୁଅ ପିଲା ନେଇ ଗଲେ ମୋର କିଛି କହିବାର ନାହିଁ । କେତେ ଜଣ ଝିଅ ଯାଉଛନ୍ତି ମୋର ସେତିକି ବୁଝିବାର କଥା ।’

 

‘ଆପଣ ଆପଣଙ୍କ ନାମ ଅସ୍ଥାୟୀ ଭାବରେ ଦିଅନ୍ତୁ ନାଁ, ଦେଖିବେ, ବାକି ସାତଜଣ ଯାକ ଝିଅ ବାହାରି ପଡ଼ିବେ । ଆମର ପଚିଶ ପୂରା ହୋଇଯିବ ।’

 

‘ଖର୍ଚ୍ଚ କେତେ ଲାଗିବ ?’

 

‘ପୂରା ଭ୍ରମଣ ପାଇଁ ରେଲଭଡ଼ା କେବଳ ଛଅଶହ ଟଙ୍କା । ଛାତ୍ରଙ୍କ ପାଇଁ ରେଳବିଭାଗ ଏଥିରୁ ଅଧେ ମାଫି ଦେବେ । ତେଣୁ ଯିବାବାଲାଙ୍କୁ ଜଣପିଛା ତିନିଶହ ଟଙ୍କା ଦେବାକୁ ହେବ । ଦୈନିକ ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଞ୍ଚଟଙ୍କା । ଏମିତି ଅତି ବେଶି ହେଲେ ଜଣପିଛା ପାଞ୍ଚଶହ ଟଙ୍କା ପଡ଼ିବ । ଏଥିରୁ ପୁଣି ଇଉନିୟନ ୧୨୫ ଟଙ୍କା ଦେବ ।’

 

‘ଏଥିପାଇଁ ତ ଘରେ ପୁଣି ପଚାରିବାକୁ ହେବ ।’

 

ହରଜଭନ ସିଂ ଏହା ଶୁଣି କହିଲା, ‘ପଚାରିବାର ପୁଣି ଏଥିରେ କଣ ଅଛି ? ତମର ରେଲଭଡ଼ା ତ ମୁଁ ଦେଇଦେବି ।’

 

‘କାହିଁକି ?’

 

ନୀଳା କିମ୍ବା ସୁଶୀଳକୁମାର ପ୍ରଥମେ ଏ ବ୍ୟଙ୍ଗର ଅର୍ଥ ବୁଝି ପାରିଲେ ନାହିଁ । କିନ୍ତୁ ଯେତେବେଳେ ବୁଝିଲେ, ସମସ୍ତେ ମିଶି ଖୁବ୍‌ ହସିଲେ । ନୀଳା ହସିକରି କହିଲେ, ‘ମୁଁ ଏ ଦାୟିତ୍ୱ ନେବାକୁ ଅସ୍ୱୀକାର କରୁଛି ।’ ହରଭଜନଂ ସିଂ ପୁଣି ହସି କହିଲା, ‘ତେବେ ମୋର ଦାୟିତ୍ୱ କିଏ ନେବ ?’

 

‘ଆଉ କେହି ନେଇ ନେବ ।’

 

ଏହି ଅବସରରେ ଯାହା ହରଭଜନ ସିଂ କଥାରେ କଥାରେ ନୀଳାକୁ ବିବାହର ସଙ୍କେତ ମାତ୍ର ଦେଇଥିଲା । ବାସ, ଏତିକିରେ ଶେଷ, ଆଉ ସେ କଥା ଉଠି ନାହିଁ ।

 

ସମସ୍ତେ ଭ୍ରମଣରେ ଗଲେ । ଭ୍ରମଣ ସମୟରେ ହରଭଜନ ସିଂ ବରାବର ଚେଷ୍ଟା କରୁଥାଏ, ନୀଳାକୁ ଆପଣା ପାଖେ ପାଖେ ରଖିବାକୁ । ମାତ୍ର ନୀଳା ବରାବର ଦୂରେଇ ଦୂରେଇ ରହୁଥାଏ । କାହାକୁ କୌଣସି କଥା ସନ୍ଦେହ କରିବାର ଅବସର ଦେଉ ନଥାଏ ।

 

କିନ୍ତୁ ହରଭଜନ ସିଂ ମନେ ମନେ ଧରି ନେଇଥାଏ ଯେ, କ୍ରମେ ସେ ନୀଳାର ସାନ୍ନିଧ୍ୟଲାଭ କରୁଛି । ଦିନେ ସେମାନେ ତାଜମହଲର ଶଙ୍ଖମଲ ଭଳିଆ ଘାସ ପଡ଼ିଆରେ ବସିଛନ୍ତି, ଚାହାର ବରାଦ ଯାଇଛି, ଏତିକି ବେଳେ ହରଭଜନଂ ସିଂ ସୁଶୀଳକୁମାରକୁ ପାଖରେ ପାଇ କହିଲା, ‘ତୁମେ ନୀଳାର ବ୍ୟବହାରରେ କିଛି ବିଶେଷତ୍ୱ ଲକ୍ଷ୍ୟ କରୁଛ କି ?’

 

ସୁଶୀଳକୁମାର କହିଲା, ‘ନୀଳାର ବ୍ୟବହାରରେ ତ ମୁଁ କିଛି ବିଶେଷତ୍ୱ ଦେଖୁନି, କିନ୍ତୁ ଆମେ ବରାବର ଲକ୍ଷ୍ୟ କରୁଛୁ ଯେ ତୁମେ ନୀଳାକୁ ଫାନ୍ଦରେ ପକାଇବାବୁ ଲାଗିପଡ଼ିଛ । ସେଦିନ ପ୍ରଫେସର ଭାଟିଆ କହୁଥିଲେ, ତୁମର ତା ପଛରେ ଏପରି ଗୋଡ଼େଇବାଟା ବଡ଼ ଅସୁନ୍ଦର ଦେଖାଯାଉଛି । ରକ୍ଷା ହୋଇଛି, ସେ ତୁମକୁ ଆଜିଯାଏ କିପରି ଚଟକଣି ନ ବଜେଇ ଛାଡ଼ିଛି ।’

 

ଭାଟିଆ ଏପରି କହୁଥିଲେ ବୋଲି ଅନ୍ୟ ଏକ ଛାତ୍ରୀ ସୁଭଦ୍ରା ମଧ୍ୟ ଜାଣି ପାରିଥିଲା । ସେ ନୀଳା ଆଗରେ ଏହା କହିଦେଲା । ନୀଳା ହସିକରି କହିଲା, ‘ପ୍ରଫେସରଙ୍କର ମୋର ଚରିତ୍ର ଉପରେ ଏପରି ଟିପ୍ପଣୀ ଅନାବଶ୍ୟକ ଥିଲାପରି ମନେହେଉଛି । ମୁଁ ଯଦି କେହି ମୋ ଆଡ଼କୁ ଚାହିଁଲା ବା ମୋର ପ୍ରଂଶସା କଲା ବୋଲି ତାଙ୍କୁ ଆକ୍ରମଣ କରିବି ତେବେ ତ ମୁଁ ପାଗଳ ହୋଇଯିବି । କାହା ମୁହଁରେ ମୁଁ ବାଡ଼ ବତା ଦେବି ?’

 

‘କିନ୍ତୁ ତୁ ଯେପରି ଚୁପଚାପ ହୋଇ ସହିଯାଉଛୁ, ସେଥିରେ ଅନ୍ୟମାନଙ୍କର ବିଶ୍ୱାସ ଯେ, ତୁ ହରଭଜନ ସିଂ ପ୍ରତି ଆକୃଷ୍ଟ ଏବଂ ବିବାହରେ ଏହାର ଶେଷ ପରିଣିତି ହେବ ।’

 

‘ଏ ଦିଗରୁ କଥାଟାକୁ ମୁଁ କେବେ ବିଚାରି ନାହିଁ । ହରଭଜନ ସିଂ ବା ଅନ୍ୟ କାହାକୁ ମୁଁ ଆଜିପର୍ଯ୍ୟନ୍ତ ବିବାହ କରିବା ଦୃଷ୍ଟିରେ ଦେଖି ନାହିଁ ।’

 

ସୁଭଦ୍ରା ଏକଥା ଅନ୍ୟାନ୍ୟ ସାଥୀମାନଙ୍କ ଆଗରେ କହିଦେଲା ଏବଂ ତାହା ଏକାନରୁ ସେ କାନ ହୋଇ କ୍ରମେ ହରଭଜନ ସିଂ କାନକୁ ଗଲା ।

 

ସେମାନେ ଆଗ୍ରାରୁ ଦିଲ୍ଲୀ, ଦିଲ୍ଲୀରୁ ଅମୃତସର, ଅମୃତସରରୁ ସିମଳା ଦେଇ ମସୌରୀରେ ପହଞ୍ଚିଲେ । ମସୌରୀର ଜଳବାୟୁ ପ୍ରାୟ ପ୍ରେମ ଉଦ୍ରେକ କରିଥାଏ । ହରଭଜନ ସିଂ ସେହିଠାରେ ନିଜର ପ୍ରେମ ନିବେଦନର ଅବସର ଖୋଜି ବସିଲା । ଦିନେ ନୀଳାକୁ ଏକାନ୍ତରେ ପାଇ ସେ ପଚାରି ବସିଲା, ‘ନୀଳା, ସୁଭଦ୍ରା ତା’ର ଜଣେ ସାଙ୍ଗ ଆଗରେ କହୁଥିଲା ଯେ, ତୁମେ କୁଆଡ଼େ ଆଜି ପର୍ଯ୍ୟନ୍ତ କାହାକୁ ବିବାହ କରିବା ଦୃଷ୍ଟିରେ ଦେଖି ନାହଁ, କି ତୁମର ଅନ୍ତରରେ କାହାକୁ ସ୍ଥାନ ଦେଇନାହିଁ । ମୁଁ ତୁମର ଅନ୍ତରର ଏହି ଶୂନ୍ୟସ୍ଥାନଟିକୁ ପୂରଣ କରିବାକୁ ଯତ୍ନ କରିପାରେ କି ? ତୁମର କିଛି ଆପତ୍ତି ଅଛି କି ?’

 

‘ମୁଁ ସେ କଥା ବିଚାର କରି ଦେଖିବାକୁ ଅବସର ପାଉନାହିଁ କି ତାହା ବିଚାର କରିବାର ଆବଶ୍ୟକତା ନାହିଁ ।’

 

‘ବଡ଼ ଆଶ୍ଚର୍ଯ୍ୟ କଥା, ଜୀବନର ସବୁଠାରୁ ଆବଶ୍ୟକୀୟ ବିଷୟ ବିଚାର କରି ଦେଖିବାର ଅବସର ପାଉ ନାହଁ ?’

 

‘ଆପଣ ତ ଜାଣନ୍ତି, ମୁଁ ବର୍ତ୍ତମାନ ମେଡ଼ିକାଲ କଲେଜର ପଞ୍ଚମ ବାର୍ଷିକ ଶ୍ରେଣୀରେ । ଏହାପରେ ପରୀକ୍ଷା ଦେବି । ପରୀକ୍ଷା ପରେ ପୁଣି ଛଅମାସ ଶିକ୍ଷାନବିଶ ହିସାବରେ ହାସପାତାଳରେ କାମ କରିବି । ତା’ପରେ ନିଜର ବ୍ୟବସାୟ କେଉଁଠି ଆରମ୍ଭ କରିବି । ତେବେ ଯାଇଁ ବିବାହ କଥା ଭାବିବାକୁ ବା ଅବସର ପାଇପାରେ ।’

 

‘ହଁ, ମୁଁ ମଧ୍ୟ ସେହି ପଥର ପଥିକ । ଦୁହେଁ ଯଦି ହାତକୁ ହାତ ମିଳେଇ ଏ ପଥରେ ଅଗ୍ରସର ହେବା, ତେବେ ସହଜରେ ଯାଇଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା ।’

 

‘ଏକାଠି ଆଗେଇ ଚାଲିବାରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ୟା ବୋଲି ଯେ ତାହା ବିବାହର ସୂଚକ ହେବ ତା ନୁହେଁ । ବର୍ତ୍ତମାନ ସେ ସବୁ ବିଚାରର ଆବଶ୍ୟକତା ନାହିଁ । ଦରକାର ପଡ଼ିଲେ ହେବ ।’

 

‘ଆଚ୍ଛା ବେଶ, ତୁମେ ବିଚାର କର, ମୁଁ ମଧ୍ୟ ତୁମ ହୃଦୟର ଶୂନ୍ୟ ସ୍ଥାନର ଅଧିକାରୀ ହେବାପାଇଁ ଚେଷ୍ଟା ଚଳେଇଥାଏ । ଏଥିରେ ଅନ୍ତତଃ ଆପତ୍ତି କରିବାର ତ କିଛି ନାହିଁ ?’

 

‘ଯେତେବେଳଯାଏ ଆପଣଙ୍କ ଚେଷ୍ଟା ମୋର ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ କୌଣସି ଆଞ୍ଚ ଆଣି ନାହିଁ, ସେତେବେଳଯାଏ ମୋର ଆପତ୍ତି କରିବାର କୌଣସି କାରଣ ନାହିଁ । କିନ୍ତୁ ଏ ଯାତ୍ରାରେ ଆପଣଙ୍କର ଚେଷ୍ଟାର ଯେଉଁ ଢଙ୍ଗ ଦେଖୁଛି ତାହା ମୋତେ ଆପଣଙ୍କ ନିକଟକୁ ଟାଣି ନେବା ପରିବର୍ତ୍ତେ ଦୂରେଇ ନେଉଛି ।’

 

‘କାହିଁକି, ମୁଁ କ’ଣ କଲି ଯେ, ଯାହା ଫଳରେ କି ତୁମ ମନରେ ଏପରି ପ୍ରତିକୂଳ ପ୍ରତିକ୍ରିୟା ଜାତ ହୋଇଛି ?’

 

‘ଏ ବିଷୟରେ ଆପଣ ଡାକ୍ତର ଭାଟିଆଙ୍କ ସଙ୍ଗେ କଥାବାର୍ତ୍ତା କଲେ ବୋଧହୁଏ ବେଶ୍‌ ବୁଝିପାରନ୍ତେ ।’

 

‘ତୁମ ସଙ୍ଗେ ସେ କଣ କଥାବାର୍ତ୍ତା ହୋଇଥିଲେ ?’

 

‘ନାହିଁ, ମୁଁ କିନ୍ତୁ ଜାଣିବାକୁ ପାଇଛି, ସେ ଆପଣଙ୍କ ବ୍ୟବହାରରେ ସନ୍ତୁଷ୍ଟ ନୁହନ୍ତି ।’

 

ହରଭଜନ ସିଂ ବଡ଼ ଗୋଲକଧନ୍ଦାରେ ପଡ଼ିଲା । ଯାତ୍ରୀମାନେ ଯେତେବେଳେ ଡେରାଡ଼ୁନ୍‌ ବୁଲି ଲକ୍ଷ୍ନୌ ଅଭିମୁଖେ ଫେରିଲେ ହରଭଜନ ସିଂ ପ୍ରଫେସର ଭାଟିଆଙ୍କ ଡବାରେ ଯାଇ ଉଠିଲା । ରାସ୍ତାରେ ଡାକ୍ତର ଭାଟିଆଙ୍କ ସହିତ ବାକ୍ୟାଳାପ କରିବାର ସୁଯୋଗ ଠିକ୍‌ କରିନେଲା । ମସୌରି ପର୍ଯ୍ୟନ୍ତ ହରଭଜନ ସିଂ ମନେ ମନେ ନୀଳାର ସାନ୍ନିଧ୍ୟ ଲାଭ କରୁଛି ବୋଲି ଧରି ନେଇଥିଲା, କିନ୍ତୁ ନୀଳାଠାରୁ ଡାକ୍ତର ଭାଟିଆଙ୍କର ମନ୍ତବ୍ୟ ଶୁଣି ସେ ଟିକିଏ ଚିନ୍ତିତ ହେଲା । ଗାଡ଼ି ଚାଲିବାରୁ ସେ ଆରମ୍ଭ କଲା, ‘ଆଜ୍ଞା, ଆପଣ ନୀଳାପ୍ରତି ମୋର ବ୍ୟବହାରରେ ବ୍ୟଥିତ ?’

 

‘ହଁ, ବହୁତ ବ୍ୟଥିତ ।’

 

‘ମୁଁ ଜାଣିପାରେ କି ମୋର ଦୋଷ କଣ ?’

 

‘ମୁଁ ସବୁ କଥା ତୁମକୁ କହି ପାରୁନାହିଁ, କିନ୍ତୁ ଏତିକି କହୁଛି ଯେ, ଦିନ ଥିଲା ଯେତେବେଳେ ମୁଁ ତମରି ପରି ପିଲା ହୋଇଥିଲି ଓ ତମରି ପରି ମୂର୍ଖାମି କରିଥିଲି । ତୁମେ କଣ ଶୁଣିବାକୁ ଚାହଁ ଲଣ୍ଡନ ହାସପାତାଳରେ ମୋର କିପରି ଅଭିଜ୍ଞତା ହୋଇଥିଲା ?’

 

ଏହା କହି ଡାକ୍ତର ଭାଟିଆ ଆରମ୍ଭ କଲେ, ସେଦିନ ମୋର ରାତି ଡିଉଟି ଥାଏ । ମୋ ସାଙ୍ଗରେ ସେହି ଓ୍ୟାଡରେ ମିସ୍‌ ଇଡ଼େନ୍‌ ବୋଲି ଜଣେ ଭଦ୍ରମହିଳା ନର୍ସ କାମ କରନ୍ତି । ରାତି ୨ଟାରେ ତାଙ୍କର ବରାବର କଫି ଖାଇବାର ଅଭ୍ୟାସ । ସେ କଫି ତିଆର କରନ୍ତି ଓ ମୋତେ କପେ ବରାବର ଦିଅନ୍ତି । ତାଙ୍କର ଏ କଫି ଦବାକୁ ମୁଁ ପ୍ରେମ ନିବେଦନ ବୋଲି ଧରିନେଇ ତାଙ୍କ ସହିତ ଖୁବ୍‌ ଆନ୍ତରିକତା ଆରମ୍ଭ କରିଦେଲି । ସମୟ ଅସମୟରେ ତାର ଗୋଟାଏ ଅଧେ କାମ କରିଦେବାକୁ ମଧ୍ୟ କୁଣ୍ଠିତ ହେଲି ନାହିଁ । କେତେଦିନ ଗଲା; ସେହିପରି ଦିନେ ରାତି ଡିଉଟି ହୋଇଛି, ସେ ଯେମିତି ମୋତେ କପେ କଫି କରିଦେଲା, ମୁଁ କହି ପକେଇଲି, ‘ଇଏ କଫି କପେ ନୁହେଁ ତ ଅମୃତ କପେ; ମୁଁ କେଡ଼େ ଭାଗ୍ୟବାନ ।’

 

ସାଙ୍ଗେ ସାଙ୍ଗେ ମିସ୍‌ ଇଡ଼େନ କହିଲେ, ‘କାହିଁକି, ମିଷ୍ଟର ଭାଟିଆ, ଆପଣଙ୍କର କଣ ହେଲାକି, ନିଜକୁ ଏପରି ଭାଗ୍ୟବାନ ମନେକରୁଛନ୍ତି ?’

 

ମୁଁ କହିଲି, ‘ତୁମର ହାତର ସ୍ପର୍ଶ, ଏ କଫିକୁ ଅମୃତରେ ପରିଣତ କରିଛି ଓ ମୁଁ ନିଜକୁ ଭାଗ୍ୟବାନ ସେଇଥିପାଇଁ ମନେ କରୁଛି ।’

 

‘ମୋ ହାତରେ ତ କୌଣସି ବିଶେଷତ୍ୱ ନାହିଁ ।’

 

ମୁଁ ପ୍ରଶଂସାରେ ଶତମୁଖ ହୋଇଗଲି । କହିଲି, ‘ନାହିଁ ? ସେ ହାତ ଯେପରି ନରମ, କୋମଳ, ସୁନ୍ଦର ଓ ଗନ୍ଧଯୁକ୍ତ, ତାହାଦ୍ୱାରା ତିଆରି କଫି ମଧ୍ୟ ସେହିପରି । ସେ କଫି ଯେତେବେଳେ ମୋର ଅଧର ସ୍ପର୍ଶ କରୁଛି, ସେତେବେଳେ ମୁଁ ମୋ ଅଧରରେ ସେହି ସ୍ନିଗ୍‌ଧ ହସ୍ତର ସ୍ପର୍ଶ ଅନୁଭବ କରୁଛି ।’

 

ବାସ୍‌, ଏତିକି କହିଛି, ଇଡ଼େନର ସେହି ସ୍ନିଗ୍‌ଧ ହାତର ଚପେଟାଘାତ ମୋର ଗଣ୍ଡ ଦେଶରେ ଅନୁଭବ କଲି । ସେହି ସୁନ୍ଦର ଓ ଗନ୍ଧଯୁକ୍ତ କଫି ମୋର ଲୁଗାପଟାକୁ ଖରାପ କରି ଦେଲା, ମୁଁ ଅବାକ୍‌ ହୋଇଗଲି । ସେ ବାଁ ହାତରେ ଧରିଥିବା କଫି ପିଆଲାକୁ ନାଳିରେ ଢାଳିଦେଇ ଚାଲିଗଲା । ସେହି ରାତିରୁ ଆମେ ଦୁହେଁ ଦୁହିଁଙ୍କ ମୁହଁ ଆଉ ଦେଖିନୁଁ । ହରଭଜନ ସିଂ ! ନୀଳା ସହିତ ତୁମର ମିଳାମିଶା ମଧ୍ୟ କେତେପରିମାଣରେ ମୋତେ ସେହି ଇଡ଼େନ୍‌ ସହିତ ମିଳାମିଶା ପରି ମନେହେଉଛି । ଇଏ ହିନ୍ଦୁସ୍ଥାନ, ନଚେତ୍‌ କେତେଦିନୁ ତୁମର ଏ ବେମାରୀ ଭଲ ହୋଇ ଯାଆନ୍ତାଣି-

 

ହରଭଜନ ସିଂର ଆଶାସୌଧ ତାସ୍‌ ଘର ପରି ଭୁଷୁଡ଼ି ପଡ଼ିଲା ପରି ମନେହେଲା, କିନ୍ତୁ ସେ ବୁଝିଲା ନାହିଁ । ପୂର୍ବପରି ନୀଳାସହିତ ମିଳାମିଶା କରୁଥାଏ । ନୀଳା ମଧ୍ୟ ସବୁ ଶୁଣେ, ସବୁ ଦେଖେ, ହସିଦିଏ; ଆଉ କଥା ବଦଳେଇ ସେଠାରୁ ଚାଲିଯାଏ ।

 

(୬)

 

ସମୟ ଗଡ଼ି ଚାଲିଲା । ୟା ମଧ୍ୟରେ ମାଧୁରୀର ଭାଇ ପ୍ରବୋଧର ଆଖି ମଧ୍ୟ ନୀଳା ଉପରେ ପଡ଼ିବାକୁ ଆରମ୍ଭ କଲା । ସେ ନୀଳାକୁ ଆକର୍ଷଣ କରିବାକୁ ଚେଷ୍ଟା କଲା । ନୀଳା ସହିତ ତା’ର ଆଳାପ ଅତି ବାଲ୍ୟକାଳରୁ । ପ୍ରବୋଧ ନୀଳାକୁ ସ୍ତ୍ରୀ ରୂପେ ପାଇବାବୁ କେବେ ହେଲେ କଳ୍ପନା କରି ନ ଥିଲା, କିନ୍ତୁ ନୀଳା ଯେତେବେଳେ ପଞ୍ଚମବାର୍ଷିକ ଛାତ୍ରୀ ହେଲା, ସେତେବେଳେ ହଠାତ୍‌ ପ୍ରବୋଧ କାହିଁକି ତା’ ପ୍ରତି ଆକୃଷ୍ଟ ହୋଇ ବସିଲା ।

 

ଦୋଳଛୁଟି ହୋଇଥାଏ । ହୋରି ଖେଳିବାକୁ ନୀଳା ଆସି ପ୍ରବୋଧଙ୍କ ଘରେ ପହଞ୍ଚିଲା-। ନୀଳା ବରାବର ସଫାଶାଢ଼ୀ ପିନ୍ଧିବାକୁ ପସନ୍ଦ କରେ । ସେଦିନ କି ଲଗ୍ନରେ କେଜାଣି, ପ୍ରବୋଧ ନୀଳାକୁ ସେ ବେଶରେ ଦେଖି ମୁଗ୍‌ଧ ହୋଇଗଲା ।

 

ପ୍ରବୋଧ ତା’ରି ଉପରେ ରଙ୍ଗପାଣି ପକେଇବାକୁ ଆରମ୍ଭ କଲା । କହିଲା, ‘ନୀଳା, ତୁମେ ଭାରି ସୁନ୍ଦର ଦେଖାଯାଉଛ । ପହିଲେ କିନ୍ତୁ ତୁମେ ଏପରି ସୁନ୍ଦର ନ ଥିଲ ।’

‘ପହିଲେ କିପରି ଥିଲି ?’

‘ସ୍ୱର୍ଗର ଅପ୍‌ସରା, ଆଉ ବର୍ତ୍ତମାନ ହୋଇଛି ମର୍ତ୍ତ୍ୟର ସୁନ୍ଦରୀ ।’

ନୀଳାର ଗାଲ ନାଲିପଡ଼ିଗଲା, କିନ୍ତୁ ରଙ୍ଗ ପାଣିର ନାଲିରେ ପ୍ରବୋଧ ଆଖିରେ ତାହା ପଡ଼ିଲା ନାହିଁ ।

ନୀଳା ବି ପ୍ରତିଶୋଧ ନନେଇ ଛାଡ଼ିଲା ନାହିଁ । ସୁବିଧା ଦେଖି ସେ ମଧ୍ୟ ନାଲିରଙ୍ଗ ଆଚ୍ଛାକରି ପ୍ରବୋଧ ମୁହଁରେ ବୋଳିଦେଇ କହିଲା, ‘ବର୍ତ୍ତମାନ ଠିକ୍‌ ମାଙ୍କଡ଼କରି ଦିଶୁଛ ।’

‘ମୁଁ ମାଙ୍କଡ଼ପରି ଦିଶୁଛି ତ ତୁମକୁ ଡାହାଣି ବନେଇ ଛାଡ଼ିବି ।’ ଏହା କହି ସେ ଆଖି ମଳିମଳିକା ଘର ଭିତରକୁ ପଶିଯାଇଁ ସାନଭାଇ ନାରାୟଣର ଦୁଆତରୁ କାଳି ନେଇ ହାତରେ ଘସି ଘସିକା ଆସିଲା । ନୀଳା ଓ ମାଧୁରୀ ଦୁହେଁ ଅଗଣାଆଡ଼କୁ ପିଠିକରି ଠିଆ ହୋଇଥିଲେ । ସେ ଭୁଲରେ ନୀଳା ମୁହଁରେ ରଙ୍ଗ ବୋଳିବ କ’ଣ ମାଧୁରୀ ମୁହଁରେ ବୋଳି ଦେଲା । ନୀଳା ପ୍ରବୋଧର ଭୁଲ ବୁଝିପାରି ହସି ଦେଇ ସେଠାରୁ ପଳାଇଲା । ମାଧୁରୀ କହିଲା, ଭାଇ, ତୁମେ ବଡ଼ କୃପଣ । ତୁମକୁ ଭଲ ରଙ୍ଗ ମିଳିଲା ନାହିଁ, ଶେଷରେ ଦୁଆତକାଳୀ ଆଣି ମୋ’ରି ମୁହଁରେ ବୋଳିବାକୁ ଥିଲା-। ଏ କଥା ମାଧୁରୀର ପିତା ପ୍ରଭୁଦୟାଲ ଓ ତା’ର ମା ଦେଖୁଥିଲେ । ପ୍ରଭୁଦୟାଲ ନାରାୟଣକୁ ଡାକି କହିଲେ, ‘ନାରାୟଣ, ତୁ ତୋ ଦୁଆତରୁ ଦିହାତରେ କାଳି ବୋଳି ଆଣ ତ, ତୋ ଭାଇ ମୁହଁରେ ବୋଳିବୁ, ଭାରି ମଜା ହେବ । ନାରାୟଣ ବାପାଙ୍କ କଥା ଅନୁସାରେ ଘରଭିତରୁ କାଳି ନେଇ ଆସିଲା ଏବଂ ପ୍ରଭୁଦୟାଲ ପ୍ରବୋଧକୁ ଡାକି ତା’ ଦୁଇହାତକୁ ଦେଖିବେ ବୋଲି କହି ଧରି ନେବାରୁ ନାରାୟଣ କଳାରଙ୍ଗ ପ୍ରବୋଧ ମୁହଁରେ ଆଚ୍ଛାକରି ବୋଳିଦେଲା । ଏତିକି ବେଳେ ଅନ୍ୟଘର ଭିତରୁ ନୀଳା ହସି ହସି ବାହାରି ଆସି କହିଲା, ‘ମୋତେ ତ ମାଙ୍କଡ଼ ବନେଇବ ବୋଲି ବସିଥିଲ, ବର୍ତ୍ତମାନ କିଏ ମାଙ୍କଡ଼ ହେଲା ?’

ଏଥିରେ ସମସ୍ତେ ହସିଲେ ଓ ହାତ ମୁହଁ ଧୁଆ ଧୋଇ କରି ସମସ୍ତେ ଖାଇବାକୁ ବସିଲେ । ପ୍ରବୋଧ ନୀଳା ପାଖପାଖ ହୋଇ ଖାଇବାକୁ ବସିଲା । ପ୍ରବୋଧ କହିଲା, ‘ନୀଳା, ତୁମ ମୁହଁରେ ଲାଲ ରଙ୍ଗ ବେଶ୍‍ ମାନୁଥିଲା ।’

‘ତମକୁ ମଧ୍ୟ କଳାରଙ୍ଗ ବେଶ୍‌ ମାନୁଥିଲା । ମାଙ୍କଡ଼ ନକହି ହନୁମାନ କହିଥିଲେ ଭଲ ହୋଇଥାଆନ୍ତା ।’

‘ହଁ, ତୁମର ଇଷ୍ଟଦେବ ନାଁ’ ସେ ହନୁମାନଭକ୍ତ ବୋଲି ସମସ୍ତେ ଜାଣନ୍ତି । ପ୍ରବୋଧ ବରାବର ତାକୁ ହନୁମାନ ଉପରେ ଫୁଲପତ୍ରଚଢ଼ାଏ ବୋଲି ଥଟ୍ଟା କରେ ।

‘ହଁ, ସେ ତ ମାଟିର ପ୍ରତିମା, ତୁମେ ହାତଗୋଡ଼ ହଲାଉଥିବା ଜୀବନ୍ତ ହନୁମାନପରି ଦେଖାଯାଉଥିଲ ।’

‘ତୁମଲାଗି ମୁଁ ତାହା ହେବାକୁ ପ୍ରସ୍ତୁତ ଅଛି ।’

‘ନାହିଁ, ପ୍ରବୋଧଭାଇ ତୁମେ ହନୁମାନ ହୋଇଗଲେ, ଭାଉଜଟି ମୋର କ’ଣ କରିବ ।’

‘ତୁମେ ସେ ସ୍ଥାନ ଅଧିକାର କଲେ, ଆଉ ଭାବିବାର ଦରକାର ହେବନାହିଁ ।’

‘ମାଟି ପ୍ରତିମାକୁ କିଏ ବିବାହ କରିବ ?’

‘ତେବେ ପୂଜା କରିବ ।’

‘ତେବେ ତୁମକୁ ଗୋଟାଏ ସାର୍ବଜନୀନ ମନ୍ଦିରରେ ସ୍ଥାପନ କରିବାକୁ ହେବ । ମାଟି ପ୍ରତିମା ତ ସବୁ ମନ୍ଦିରରେ ରହିଛନ୍ତି ।’

 

ସେଦିନ ନୀଳାର ମାତା ପିତା ଓ ଛୋଟ ଭଉଣୀ ସରିତା ମଧ୍ୟ ପ୍ରବୋଧଙ୍କ ଘରକୁ ଆସିଥିଲେ । ପ୍ରଭୁଦୟାଲ ଓ ରାଧାକୃଷ୍ଣ ଦୁହେଁ ବସି ନୀଳାର ବିଭାଘର ବିଷୟରେ କଥାବାର୍ତ୍ତା ହେଉଥିଲେ । ରାଧାକୃଷ୍ଣ କହିଲେ, ‘କେତେ ଜାଗାରୁ ନୀଳାର ବିବାହ ପ୍ରସ୍ତାବ ଆସୁଛି ।’

 

‘ତେବେ ଗୋଟାଏ ଜାଗାରେ କଥା ପକ୍‌କା କରି ରଖୁନ କାହିଁକି ?’

 

‘ନୀଳା କିନ୍ତୁ ରାଜି ହେଉ ନାହିଁ । ସେ କହୁଛି, ମୋତେ ପଢ଼େଇ ଶୁଣେଇ ମଣିଷ କରିଛ, ମୋତେ ସେ ପଢ଼ାର ବ୍ୟବହାର ପାଇଁ ସମୟ ଦିଅ, ମୁଁ ନିଜେ ମୋର ବିବାହ ଠିକ୍‌ କରି ନେବି ।’

 

‘ସେ ଠିକ୍‌ କହୁଛି । ନୀଳାଟି ଏପରି ଭଲ ଝିଅ ଯେ, ମୁଁ ତ ତାକୁ ବୋହୂ କରି ନେବାକୁ ମନେ ମନେ ଭାବୁଛି, କିନ୍ତୁ ଏ ଯେଉଁ ସମୟ ହୋଇଛି ବାପା ମା ମାନେ ମଧ୍ୟ ନିଜ ନିଜର ପିଲାପିଲିଙ୍କୁ ସ୍ୱରାଜ୍ୟ ଦେଇ ଦେଲେଣି । ନାହିଁ ତ ସେମାନେ ଆମକୁ ପିଟି ଘରୁ ତଡ଼ି ଦେବେ ।’

 

ଦୁଇଜଣ ଯାକ ହସି ଉଠିଲେ । ପ୍ରଭୁଦୟାଲ, ନୀଳା ଓ ପ୍ରବୋଧଙ୍କ ଆଡ଼କୁ ହାତ ଦେଖାଇ କହିଲେ, ‘ଦେଖ, କିପରି କମ୍ୟୁନିଷ୍ଟ ରସିଆ ଇଣ୍ଡୋଚାଇନାକୁ ହାତ କରିବାକୁ ବସିଛି । ଏ ସବୁ ବ୍ୟାପାରରେ ଚୁପ୍‍ଚାପ ପର୍ଦ୍ଦା ଆଢ଼ୁଆଳାରେ ଲୁଚିଯିବା ହିଁ ଶ୍ରେୟସ୍କର ।’

 

ଦୁହେଁ ପୁଣି ହସି ଉଠିଲେ । ରାଧାକୃଷ୍ଣ କହିବାର ଶୁଣାଗଲା, ‘ନୀଳା ଏଡ଼େ ମୂର୍ଖ ନୁହେଁ ଯେ, କମ୍ୟୁନିଷ୍ଟ ରସିଆର ଫାନ୍ଦରେ ଏତେ ଶୀଘ୍ର ପଡ଼ିଯିବ ।’

 

‘ହଉ ଦେଖିବା’ କହି ପ୍ରଭୁଦୟାଲ ଚୁପ୍ ରହିଲେ ।

 

ଏତିକିବେଳେ ପ୍ରବୋଧ ନୀଳାକୁ କହୁଥାଏ, ‘ସାର୍ବଜନୀନ ମନ୍ଦିର ହେଉ ବା ମନମନ୍ଦିର ହେଉ, କେଉଁଠି ହେଲେ ମୋତେ ସ୍ଥାପନ କଲେ ହେଲା । ମୋର ଗୋଟିଏ ସୁନ୍ଦର ମନ୍ଦିର ଲୋଡ଼ା-।’

 

‘ସେ ତ ଠିକ୍‌ କଥା, କିନ୍ତୁ ତୁମର ବନ୍ଧୁମାନେ ଯେତେବେଳେ ମନ୍ଦିରରେ ପୂଜାକଲା ଲୋକଙ୍କୁ ମୂର୍ଖ ଆଖ୍ୟା ଦେଉଛନ୍ତି, ମନ୍ଦିରରେ ପୂଜା କରିବାକୁ ଆସିବ କିଏ ?’

 

‘ଧୂର୍ତ୍ତ’

 

‘ତେବେ ତ ତୁମେ କୌଣସି ମନ୍ଦିରରେ ସ୍ଥାପନ ହେବାର ଲୋକ ନୁହେଁ । ମୋ ପ୍ରବୋଧ ଭାଇଙ୍କୁ କିଏ ଧୂର୍ତ୍ତ ବୋଲି କହିବ, ଏହା ମୋର ସହ୍ୟ ହେବ ନାହିଁ ।’

 

ଏହିଠାରେ କଥା ଶେଷ ହେଲା । ନୀଳା ବାରମ୍ବାର ପ୍ରବୋଧଭାଇ ବୋଲି କହି ତା’ର ମନର ପରିଚୟ ଦେଲା । ପ୍ରବୋଧ କହିଲା, ‘ନୀଳା ତୁମକୁ ଆଜି ମୋର ଗୋଟିଏ ମନର କଥା କହିବି । ମୁଁ ତୁମକୁ ମୋ ଜୀବନର ସାଥି କରିନେବାକୁ ଚାହେଁ । ମୁଁ କାଲି କଲିକତା ଯାଉଛି । ମୋର ଅନ୍ୟବିଷୟ ଭାବିବାକୁ ସମୟ ନାହିଁ । କହ ମୁଁ ଆଜି ମୋର ବାପ ମାଆଙ୍କ ଆଗରେ ଆମର ଏ ପ୍ରସ୍ତାବକୁ ବାଢ଼ିବି ନାଁ ନାହିଁ ।’

 

‘ନାହିଁ, ପ୍ରବୋଧ ଭାଇ, ତୁମେ ରୁହ । ମୁଁ ଆଜିପର୍ଯ୍ୟନ୍ତ ଏ ବିଷୟରେ କିଛି ଭାବିନାହିଁ । ଏହା ଭାବିବାପାଇଁ ମଧ୍ୟ ମୋର ସମୟ ନାହିଁ ।’

 

‘ତୁମେତ ଆଉ ନାହିଁ କରୁନ ?’

 

‘ଟିକିଏ ଥୟଧର । ମୁଁ ବର୍ତ୍ତମାନ ଡାକ୍ତରୀ ପଢ଼ାର ଶେଷ ବର୍ଷରେ । ମୋତେ ଡାକ୍ତର ହେବାକୁ ହେବ । ପ୍ରାକଟିସ୍‌ ଆରମ୍ଭ କରିବାକୁ ହେବ । ତେବେ ଯାଇଁ ସିନା ଘର-ସଂସାର କଥା ଚିନ୍ତା କରିବାକୁ ଅବସର ମିଳିବ ।’

 

‘ମୁଁ ସେତେଦିନ ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ପ୍ରସ୍ତୁତ ଅଛି ।’

 

‘ସେତେବେଳକୁ ମୋର କି ପରିବର୍ତ୍ତନ ହେବ କହିପାରୁ ନାହିଁ । ହୁଏତ ସେତେବେଳକୁ ମୁଁ ତୁମର ଯୋଗ୍ୟ ହୋଇ ନ ପାରେ ବା ଯୋଗ୍ୟ ହେବାପାଇଁ ଅଭିଳାଷ କରି ନ ପାରେ ।’

 

‘ପୁଣି ଅଭିଳାଷ କଥା ଉଠୁଛି କାହିଁକି ? ବର୍ତ୍ତମାନ ତୁମେ କହୁଥିଲ ନା, ଏସବୁ ବିଷୟରେ କିଛି ଜାଣ ନାହିଁ ବୋଲି ?’

 

‘କିନ୍ତୁ ଏହା ନିଶ୍ଚୟ ଜାଣେ ଯେ, ମୁଁ ଆସ୍ତିକ ଓ ତୁମେ ନାସ୍ତିକ; ମୁଁ ଭାଗ୍ୟବାଦୀ ଓ ତୁମେ ପୁରୁଷାର୍ଥ ବିଶ୍ୱାସୀ । ମୋର ସ୍ୱତନ୍ତ୍ର ଜୀବନ ଓ ବ୍ୟବସାୟରେ ବିଶ୍ୱାସ, କିନ୍ତୁ ତୁମେ ସମାଜବାଦୀ ଅର୍ଥାତ୍‌ ସବୁକଥାରେ ସମାଜକୁ ବ୍ୟକ୍ତିଠାରୁ ବଡ଼ ବୋଲି ଧର । ମୋର ତୁମର ମିଳନ ହେବ କିପରି-?’

 

‘ଯେପରି ମୋର ଦାଦା ଶିଖ୍‌ ଓ ବାପା ସହଜଧାରୀ; ତୁମର ବାପା ଯେପରି ଶିବଭକ୍ତ ଓ ତୁମେ ହନୁମାନ ଭକ୍ତ ।’

 

‘ମୁଁ ତୁମର ଦାଦା ଶିଖ୍‌ ଓ ପିତା ହିନ୍ଦୁ ହେବା ବିଷୟରେ କହିପାରୁ ନାହିଁ । ଯେତେବେଳେ ସେ ଦୁହେଁ ଏକାଠି ରହୁଥିଲେ, ସେତେବେଳେ ଶିଖ୍‍ ଧର୍ମରେ ରାଜନୀତି ବା ଧର୍ମାନ୍ଧତା ପ୍ରବେଶ କରି ନଥିଲା । କିନ୍ତୁ ବର୍ତ୍ତମାନ ସେ ଦୁହେଁ ଏକାଠି ରହି ପାରିବେ କି ନାହିଁ ସନ୍ଦେହ । ଆଉ ମୋର ଆଉ ବାପାଙ୍କ ଉପାସ୍ୟ ଦେବତା ନେଇ ଯେଉଁ ବ୍ୟବଧାନ, ସେ କିଛି ନୁହେଁ-। ଆମର ପରସ୍ପର ଧର୍ମବିଶ୍ୱାସରେ ବିରୋଧ ନାହିଁ । ବାପା ମୋତେ କେବେହେଲେ ମାଟି ପ୍ରତିମାରେ ପତ୍ର ପୁଷ୍ପ ଚଢ଼ୋଉଛି ବୋଲି କହି ନାହାନ୍ତି କି ମୁଁ ତାଙ୍କୁ ପଥର ଉପରେ ଦୁଧ ଢାଳୁଛନ୍ତି ବୋଲି କହିନାହିଁ । ଅଥଚ ତୁମେ ମୋର ଜୀବନର ସାଥୀ ନହୋଇ ମଧ୍ୟ ଏବେଠୁଁ ମୋର ଇଷ୍ଟଦେବଙ୍କ ବିଷୟରେ ସମାଲୋଚନା ଆରମ୍ଭ କରି ଦେଇଚ ।’

 

‘ମୋର ବିଶ୍ୱାସ ଥିଲା, ଏହା ତୁମର ମାନସିକ ବିକାଶ ପଥରେ ଗୋଟିଏ ସ୍ତର । ତୁମେ ତାକୁ ଧରି ବେଶିଦିନ ରହି ପାରିବ ନାହିଁ, କିଛି ଆଶ୍ରୟ ମିଳିଲେ ତୁମେ ତାକୁ ଛାଡ଼ି ଆଗେଇ ଯିବ ।’

 

‘ଠିକ୍‌ କଥା, କିଛି ଦିନ ଯାଉ, ଯଦି ସେ ସ୍ତର ମଧ୍ୟରୁ ମୁଁ ବାହାରି ଗଲି, ତେବେ ତୁମକୁ ଜୀବନ ଯାକ ସାଥୀ କରି ନେବାରେ ଆପତ୍ତି ରହିବନାହିଁ ।’

 

ପ୍ରବୋଧ ନୀଳାଠାରୁ କୌଣସି ଠିକଣା ଜବାବ ନପାଇ ତା’ର ଛୁଟି ସରିବାରୁ କଲିକତା ବାହାରି ଗଲା, ପଢ଼ିବା ସକାଶେ । ତା’ ପରେ ସେ ଅନେକ ଥର ଛୁଟିରେ ଆସେ ଓ ନୀଳାକୁ ଦେଖେ । ନୀଳା ପ୍ରତିଥର ତା’ ପ୍ରତି ଆଗପରି ସ୍ନେହ ଦେଖାଏ ।

 

(୭)

 

ହରଭଜନ ସିଂ ମନେ ମନେ ଭାବିଥିଲା ନୀଳା ପ୍ରବୋଧ ପ୍ରତି ଅକୃଷ୍ଟ, କିନ୍ତୁ ପରେ ଯେତେବେଳେ ସେ ଜାଣିଲା ଯେ ନୀଳା ପ୍ରବୋଧକୁ ମଧ୍ୟ କିଛି ଠିକଣା ଜବାବ୍‌ ଦେଇନାହିଁ, ସେତେବେଳେ ସେ ନୀଳାର ମନର କଥା କ’ଣ ଠିକ୍‌ କରି ପାରିଲା ନାହିଁ । କଲେଜରେ ସେ ବରାବର ନୀଳାର ଛାଇ ପରି ସଙ୍ଗେ ସଙ୍ଗେ ଥାଏ । ନୀଳା ଯାହାକୁ ଦେଖେ ତାକୁ ତା’ର ସ୍ୱଭାବସୁଲଭ ହସ ହସି ଅଭିନନ୍ଦନ ଜଣାଏ । କିନ୍ତୁ କଲେଜରେ ସମସ୍ତେ ଧରି ନେଇଥାନ୍ତି ଯେ ହରଭଜନ ସିଂ ଓ ନୀଳାର ବିବାହ ସୁନିଶ୍ଚିତ । ଏ ନେଇ କେହି ବା ହରଭଜନ ସିଂକୁ ପଚାରନ୍ତି ନାହିଁ-। ପଚାରିବା ମଧ୍ୟ ସୁବିଧାଜନକ ନ ହୋଇ ପାରେ, କାରଣ ହରଭଜନ ସିଂ ପଞ୍ଜାବୀ ପିଲା, କେତେବେଳେ କ’ଣ କରି ବସିବ ।

 

ମେଡ଼ିକାଲ କଲେଜର ଶେଷ ପରୀକ୍ଷାରେ ନୀଳା ପ୍ରଭୃତି ଉତ୍ତୀର୍ଣ୍ଣ ହେଲେ । ନୀଳା ଓ ସୁଶୀଳ ହାଉସ ସର୍ଜନରୂପେ ଡାକ୍ତର ଭାଟିଆଙ୍କ ପାଖେ ରହିଲେ । ହରଭଜନ ସିଂ ଡାକ୍ତର ରସିଦ୍‌ ବୋଲି ଅନ୍ୟ ଏକ ଡାକ୍ତରଙ୍କ ପାଖରେ ପଡ଼ିଲେ ।

 

ହାଉସ ସର୍ଜନମାନଙ୍କୁ ହାସପାତାଳକୁ ଦିନକୁ ଦୁଇଥର ଆସିବାକୁ ପଡ଼େ । ସୁଶୀଳ ଓ ନୀଳା ଏକସମୟରେ ଆସନ୍ତି, ଏକ ସମୟରେ ଯା’ନ୍ତି । କିନ୍ତୁ ହରଭଜନ ସିଂର ଡିଉଟି ଅନ୍ୟ ସମୟରେ ପଡ଼େ । ତେଣୁ ନୀଳା ସହ ହରଭଜନର ସାକ୍ଷାତ୍‌ ଖୁବ୍‌ କମ୍‌ ହୁଏ । ଦିନେ ନୀଳା ଓ ସୁଶୀଳା ଡିଉଟି ସାରି ସାଇକେଲ ନେଇ ଘରକୁ ବାହାରିଛନ୍ତି, ହରଭଜନ ସିଂ ଟିକିଏ ଆଗତୁରା ଆସି ହାସପାତାଳରେ ପହଞ୍ଚିଗଲା ।

 

ସୁଶୀଳ ହରଭଜନକୁ ଦେଖି କହିଲା, ‘ମିଷ୍ଟର ସିଂ, ଆଜିକାଲି ତୁମେ କୁଆଡ଼େ ରହୁଛ ଯେ ମୋଟେ ଦେଖା ସାକ୍ଷାତ୍‌ ନାହିଁ ।’

 

‘ଏହି ଲକ୍ଷ୍ନୌରେ ଅଛି । କୁଆଡ଼େ ଯାଇ ନାହିଁ, କିନ୍ତୁ ମୋର ଡିଉଟି ଏପରି ଯେ ତୁମ ସଙ୍ଗେ ଦେଖା ହେବା କଷ୍ଟକର ।’

 

ତିନିଙ୍କର ସାଇକେଲ ଥିଲା ଓ ତିନିହେଁ ହାସପାତାଳରୁ ବାହାରି ପଡ଼ିଲେ । ହରଭଜନକୁ ସହାନୁଭୂତି ଦେଖେଇ ସୁଶୀଳ କହିଲା, ‘ଦେଖ, ତୁମେ ଇଚ୍ଛାକଲେ ମୁଁ ତୁମ ସହିତ ଡିଉଟି ବଦଳ କରିପାରେ ।’

 

‘କାହିଁକି, ତୁମକୁ ଏ ଡିଉଟି କ’ଣ ଅସୁବିଧା ହେଉଛି ?’

 

‘ନାଁ, କିଛି ଅସୁବିଧା ନାହିଁ । ନୀଳା ଦେବୀଙ୍କଠାରୁ ବହୁତ ସହଯୋଗ ମିଳୁଛି । ଡାକ୍ତର ଭାଟିଆ ମଧ୍ୟ ଆମକୁ ଖୁବ୍‌ ଭଲ ପାଉଛନ୍ତି, କିନ୍ତୁ ନୀଳାଦେବୀ ଓ ତୁମର ସୁବିଧା ସକାଶେ ମୁଁ ଏ ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି ।’

 

ନୀଳା ଏଥିରେ ହସିଲା ଓ ସେ କିଛି ଉତ୍ତର ଦେବା ପୂର୍ବରୁ ହରଭଜନ ସିଂ କହିଲା, ‘ମିଷ୍ଟର ଭଟ୍ଟାଚାର୍ଯ୍ୟ, ତୁମକୁ କିଏ କହିଲା ଯେ ଏଥିରେ ମୋର ଓ ନୀଳାର ସୁବିଧା ହେବ ?’

 

‘ମୋର ଏକା କାହିଁକି, ଆମର ସବୁ ବନ୍ଧୁଙ୍କର ବିଶ୍ୱାସ ଯେ, ତୁମେ ଦୁହେଁ ଏକା ସାଙ୍ଗରେ କାମ କରିବାକୁ ପାଇଲେ ଖୁସୀ ହେବ । ଆମର ପରିବାରରେ ମଧ୍ୟ ଆମେ ସ୍ତ୍ରୀ ଲୋକମାନଙ୍କୁ ପ୍ରାୟ ସମସ୍ତ କାର୍ଯ୍ୟରେ ସୁବିଧା ଦେଇଥାଉ ।’

 

‘ଧନ୍ୟବାଦ ସୁଶୀଳବାବୁ, କିନ୍ତୁ ଆପଣଙ୍କ ବୁଝିବା ଭୁଲ ଯେ, ଆମେ ଦୁହେଁ ଏକାଠି କାମ କରିବାକୁ ଭଲ ପାଇବୁ । ମୋର ଅନ୍ତତଃ ସମସ୍ତେ ସମାନ ।’

 

‘କିନ୍ତୁ ଆମର ଗୋଟାଏ ଭିନ୍ନରକମର ବିଶ୍ୱାସ ଥିଲା ।’

 

‘ଏହା ଆପଣମାନଙ୍କର ଭ୍ରମ ହୋଇପାରେ ମୁଁ ମିଷ୍ଟର ସିଂହଙ୍କର କେତେକ ଗୁଣପାଇଁ ହୁଏତ ତାଙ୍କୁ ପସନ୍ଦ କରିପାରେ, କିନ୍ତୁ ତା’ର ଅର୍ଥ ନୁହେଁ ଯେ ମୁଁ ଆପଣମାନଙ୍କୁ ଭଲ ପାଏ ନାହିଁ । ଆପଣଙ୍କର ମଧ୍ୟ କେତେକ ଗୁଣ ଅଛି ଯାହା ମିଷ୍ଟର ସିଂଙ୍କର ଗୁଣଠାରୁ ସଂପୂର୍ଣ୍ଣ ଭିନ୍ନ ।’

 

ତିନିହେଁ ସେତେବେଳକୁ ଆସି ହାସପାତାଲ ବାହାରେ ପହଞ୍ଚିଥିଲେ । ସୁଶୀଳ କହିଲା, ‘ନୀଳାଦେବୀ, ମୋର ଭ୍ରମଧାରଣା ପାଇଁ କ୍ଷମା କରିବେ । ମୁଁ ଏହିବାଟେ ଯାଉଛି, ବାଇ,ବାଇ ।’

 

ହରଭଜନ ସିଂ ଓ ନୀଳା ଦୁହେଁ କିଛିବାଟ ଗଲାପରେ ହରଭଜନ ସିଂ ଆରମ୍ଭ କଲା, ‘ନୀଳା ! ତୁମେ ଯାହା କହିଲ, ତାହା କଣ ସତ ? ତୁମେ କଣ ସତେ ସୁଶୀଳ ଓ ମୋ ଭିତରେ କିଛି ପାର୍ଥକ୍ୟ ରଖି ନାହଁ ?’

 

‘ପାର୍ଥକ୍ୟ ନାହିଁ କିଏ କହିଲା, ତା ବୋଲି ଯେ ମୁଁ ଜଣକୁ ଅନ୍ୟଠାରୁ ବେଶି ପସନ୍ଦ କରିବି ଏହା କିପରି ହେବ ? ମୁଁ ପ୍ରତ୍ୟେକକୁ ତା’ର ନିଜସ୍ୱ ଗୁଣ ପାଇଁ ଆଦର କରେ ।’

‘ନୀଳାଦେବୀ ! ମୁଁ ଆଜି ଗୋଟିଏ ଅତି ଜରୁରୀ କଥା ବିଷୟରେ ତୁମ ସହିତ ଆଲୋଚନା କରିବାକୁ ଆସିଛି ।’

‘ତେବେ ଜରୁରୀ କଥାଟା କ’ଣ କୁହନ୍ତୁ ।’

‘ଦେଖୁ ଦେଖୁ ଆମର ତିନିମାସ କଟିଗଲା, ଆଉ ତିନିମାସ ପରେ ଆମକୁ ନିଜ ନିଜର ଡାକ୍ତରଖାନା ଖୋଲି ବ୍ୟବସାୟ ଆରମ୍ଭ କରିବାକୁ ହେବ । ମୋର ଇଚ୍ଛା, ଆମେ ଦୁହେଁ ଏକସ୍ଥାନରେ ଏକାଠି ଡାକ୍ତରଖାନା କରି ବସିଲେ ପରସ୍ପର ପରସ୍ପରକୁ ସାହାଯ୍ୟ କରନ୍ତେ ।’

‘କଥା ଖୁବ୍‌ ଭଲ, କିନ୍ତୁ ମୁଁ ଏତେବେଳଯାଏ ବ୍ୟବସାୟ ଆରମ୍ଭ କରିବି କି ନାହିଁ ଠିକ୍‌ କରି ନାହିଁ ।’

‘ଠିକ୍‌ କରି ନିଅ । ଡାକ୍ତରୀ ପଢ଼ି ତ ଆଉ ବେକାର ବସିବ ନାହିଁ ।’

‘ଦରକାର ନାହିଁ । ହୁଏତ ମୁଁ କୌଣସି ଡାକ୍ତରଖାନାରେ ଚାକିରୀ ନେଇପାରେ ।’

‘ତୁମର କ’ଣ ମନେହେଉଛି, ତୁମେ ତୁରନ୍ତ ଚାକିରୀ ପାଇଯିବ ? ନିଜର ବ୍ୟବସାୟ ଆରମ୍ଭ କରିବାକୁ ସବୁବେଳେ ପ୍ରସ୍ତୁତ ଥିବା ଦରକାର । ଆଜିକାଲି ଦୋକାନ ମିଳିବା ଯେପରି କଠିନ, ହୁଏତ ଆଜିଠୁଁ ଚେଷ୍ଟା କଲେ ତିନିମାସ ପରେ କେଉଁଠି ହେଲେ ମିଳିପାରେ ।’

‘ମୁଁ ସେପରି ବ୍ୟର୍ଥ ଚିନ୍ତା କରେ ନାହିଁ । ଆପଣଙ୍କୁ ପୁଣି ସେ ଚିନ୍ତା କାହିଁକି ? ଆପଣଙ୍କ ବାପାଙ୍କର ତ ଦଶ କୋଡ଼ିଏଟା ଦୋକାନ ଅଛି । ସବୁ ବେଳେ ଗୋଟାଏ ନାଁ ଗୋଟାଏ ଖାଲି ହେଉଥିବ । ନଚେତ୍‌ ଆପଣ ବି ଗୋଟାଏ ଦୋକାନ ଖାଲି କରେଇ ଦେଇପାରନ୍ତି ।’

 

‘ଖାଲି ତ ହେଉଛି, କିନ୍ତୁ ଅମିନୁଦୌଲା ତରଫରେ ଦୋକାନ ଖୋଲିବାକୁ ଇଚ୍ଛା କରୁଛି-।’

 

‘ସେଠାରେ କାହିଁକି ? ସେଠାରେ ତ ଭାରି ଭିଡ଼, ମୋତେ ଭିଡ଼ ଭଲ ଲାଗେ ନାହିଁ ।’

 

‘ସେଠାରେ ବେଶି ଗ୍ରାହକ ଆସିବେ ।’

 

‘ମୁଁ ଗ୍ରାହକଙ୍କ ସଂଖ୍ୟାପ୍ରତି ସେତେ ଦୃଷ୍ଟି ଦେଉ ନାହିଁ । ମୁଁ ବେଶି ଦୃଷ୍ଟି ଦେଉଛି ଯେ କେତୋଟି ଗ୍ରାହକ ଆସିବେ ତାଙ୍କରି ସୁଖ ସୁବିଧା ପ୍ରତି । ସ୍ଥାନ ଏପରି ହେବା ଚାହିଁ ଯେଉଁଠି ଗାଡ଼ି, ମଟର ସୁବିଧାରେ ଅପେକ୍ଷାକରି ରହିପାରିବ । ଡାକ୍ତରଖାନା ଭିତରେ ମଧ୍ୟ ଶାନ୍ତ ବାତାବରଣ ଚାହିଁ-। ସେଠାରେ ରୋଗୀମାନେ ତାଙ୍କର ରୋଗ ଯନ୍ତ୍ରଣା କଥା ନିଶ୍ଚିନ୍ତ ହୋଇ କହି ପାରିବେ ଓ ଡାକ୍ତର ମନଦେଇ ତାହା ଣୁଣି ପାରିବେ ।’

 

‘ତୁମେ ତ ଗୋଟାଏ ଦୁଇଟା ଗ୍ରାହକରେ ସନ୍ତୁଷ୍ଟ ହେଲାପରି ମନେ ହେଉଛି, କିନ୍ତୁ ମୋର ଇଚ୍ଛା ସକାଳୁ ସଞ୍ଜଯାଏ ମୋ ଦୋକାନରେ ଭିଡ଼ ଲାଗି ରହିବ ।’

 

‘ଯାହାର ଯେପରି ରୁଚି ।’

 

‘ତୁମେ ଦେଖ, ବିଚାରକର, ଯଦି ମୋ ମତ ସହିତ ତୁମର ମତ ମିଳିଯାଏ ତେବେ ମୁଁ ଅନେକ କଥା କରିପାରେ ।’

 

‘ମୁଁ ଚିନ୍ତାକରେ । ଯଦି ଆପଣଙ୍କ ଚିନ୍ତାଧାରା ସହିତ ମୋ ଚିନ୍ତାଧାରା ମିଳେ ତ ମୁଁ ଆପଣଙ୍କୁ କହିବି ।’

 

‘କିନ୍ତୁ, ଯାହା କରିବାର କଥା ଶୀଘ୍ର କର ।’

 

‘ଚେଷ୍ଟା ତ କରେ ।’

 

(୮)

 

ନୀଳାଠାରୁ ସୁଶୀଳକୁମାର ଯେତେବେଳେ ଶୁଣିଲା ଯେ ତା’ର ହରଭଜନ ସିଂ ସହିତ କାମ କରିବାରେ ସେପରି କୌଣସି ଗୋଟିଏ ବିଶେଷ ଆକର୍ଷଣ ନାହିଁ, ସେ ଆଶ୍ଚର୍ଯ୍ୟ ହୋଇଗଲା-। ଦୁଇବର୍ଷ ପୂର୍ବେ ଯେତେବେଳେ ସେମାନେ ଭାରତଭ୍ରମଣରେ ଯାଇଥିଲେ ସେତେବେଳେ ଏକା ସୁଶୀଳକୁମାର ନୁହେଁ, ତାଙ୍କର ଯେତେକ ସାଙ୍ଗ ସାଥୀ ସମସ୍ତେ ବିଚାରିଥିଲେ ହରଭଜନ ସିଂ ନିଶ୍ଚୟ ନୀଳାକୁ ବିବାହ କରିବ । କିନ୍ତୁ ତା’ର ଏ ଭ୍ରମ କ୍ରମେ ଦୂର ହୋଇଗଲା ।

 

ସୁଶୀଳକୁମାର କିନ୍ତୁ ନୀଳାର ରୂପରେ ଭାରି ମୁଗ୍‌ଧ ଥାଏ । ପୁଣି ଏ ଯେଉଁ କେତେଦିନ ସେ ଦୁହେଁ ଏକାଠି କାମ କରିବାର ସୁଯୋଗ ପାଇଲେ ସେଥିରେ ସେ ନୀଳାର ଅନ୍ୟାନ୍ୟ ସ୍ୱଭାବ ଚରିତ୍ର ସମ୍ବନ୍ଧରେ ଅନେକ କଥା ଜାଣିବାର ସୁବିଧା ପାଇଲା । ନୀଳା ଅଳ୍ପ କହେ, କିନ୍ତୁ ଯାହା କହେ ଖୁବ୍‌ ବୁଝିବିଚାରି ଓଜନକରି କହେ । ଏ ସବୁ ସର୍ତ୍ତେ ତା ମନରେ ନୀଳାକୁ ବିବାହ କରିବାର କଥା ମୋଟେ ଉଠେ ନାହିଁ । ସୁଶୀଳ କୁମାର ଉତ୍ତରପ୍ରଦେଶର ଗୋଟିଏ ଅତି ଭଦ୍ର ବଙ୍ଗାଳୀ ପରିବାରର ପିଲା । ପିତା ତା’ର ଉତ୍ତରପ୍ରଦେଶର ଚିଫ ଇଂଜିନିୟର । ବଙ୍ଗାଳୀ ପରିବାର ମଧ୍ୟରେ ତାଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ସବୁଠାରୁ ଉଚ୍ଚ ଓ ବଂଶର ମର୍ଯ୍ୟାଦା ମଧ୍ୟ ସବୁଠାରୁ ବେଶି । ତେଣୁ ସେ ଗୋଟିଏ ବଙ୍ଗାଳୀ ପରିବାରରେ ବିବାହ ନକରି ଅନ୍ୟତ୍ର ବିବାହ କରିବାର ଚିନ୍ତା କେବେ ହେଲେ କରି ନ ଥିଲା ।

 

ସୁଶୀଳକୁମାର ଡାକ୍ତରୀ ଶେଷ ପରୀକ୍ଷାରେ ପାସ୍‍ କଲାପରେ ତାକୁ ଅନେକ କନ୍ୟାଦାୟଗ୍ରସ୍ତ ବଙ୍ଗାଳୀ ପରିବାରରୁ ପ୍ରାୟ ନିମନ୍ତ୍ରଣ ଆସେ । କେହି କେହି ଝିଅ ମଧ୍ୟ ତା ସହିତ ଆତ୍ମୀୟତା କରିବାକୁ ଚେଷ୍ଟା କରୁଥାନ୍ତି । ସେ ସେହି ଝିଅମାନଙ୍କର ଗୁଣ ଦୋଷ ବିଚାରକରି ବସେ-। ଏ ସମସ୍ତଙ୍କ ମଧ୍ୟରେ ଶ୍ରୀଯୁକ୍ତ ମନମୋହନ ସରକାରଙ୍କ ଝିଅ ରେଣୁ ସହିତ ତାହାର ଘନିଷ୍ଠତା ଟିକିଏ ଆଗେଇ ଯାଇଥାଏ ।

 

ଆଜି କଲେଜରୁ ଫେରିବା ବାଟରେ ସେ ବରାବର ନୀଳା କଥା ଚିନ୍ତାକରି ଆସୁଥାଏ । ତେବେ ନୀଳା କାହାକୁ ହଁ କି ନାଁ ଜବାବ ଦେଇ ନାହିଁ । ଅନ୍ୟ ବଙ୍ଗାଳୀ ଝିଅମାନଙ୍କ ସହିତ ତା କଥା ବିଚାର କଲେ କ୍ଷତି କଣ ? ଏହା ଭାବି ସେ ଆସି ଘର ପାଖରେ ପହଞ୍ଚି ଦେଖେ ଯେ ମନମୋହନ ସରକାରଙ୍କ ଗାଡ଼ି ତାଙ୍କ ଘର ଦୁଆର ମୁହଁରେ ଛିଡ଼ା ହୋଇଛି । ନିଶ୍ଚୟ ସରକାରଙ୍କ ଗାଡ଼ି ତାଙ୍କ ଘର ଦୁଆର ମୁହଁରେ ଛିଡ଼ା ହୋଇଛି । ନିଶ୍ଚୟ ସରକାରବାବୁ ତାଙ୍କ ଝିଅଙ୍କର ବିବାହ ପ୍ରସ୍ତାବ ଘେନି ଆସିଛନ୍ତି । ସେ ଅତି ସନ୍ତର୍ପଣରେ ସାଇକେଲ ରଖି ଗୋଡ଼ ଟିପି ଟିପି ଆଦି ତା’ର ପଢ଼ାଘରେ ପଶିଲା ।

 

ମନମୋହନ ସରକାରଙ୍କର ଅମିନାବାଦରେ ଦୁଇତିନିଟା ଦୋକାନ । ଲୁହା ଲକଡ଼ୀଠାରୁ ସିମେଣ୍ଟ ତେଜରାତିର ଦୋକାନ ତାଙ୍କର ଅଛି । ଯୁଦ୍ଧ ବଜାରରେ ସେ ବେଶ୍‍ ଦୁଇ ପଇସା କମେଇଛନ୍ତି । ତାଙ୍କ ଘର ପିଲାମାନେ ଯେତେବେଳେ କୁଆଡ଼େ ବୁଲି ବାହାରନ୍ତି ଖାଲି ସୁନା ଅଳଙ୍କାରରେ ଲଦି ହୋଇ ଯାଆନ୍ତି । ସୁଶୀଳର ମା ବାପାଙ୍କ ଆଖିରେ ଏଇଟା ଖୁବ୍‌ ବଡ଼ ଦେଖାଯାଏ । ସୁଶୀଳକୁ ମଧ୍ୟ ଦିନେ ଏଇଟା ଖୁବ୍‌ ବଡ଼ ଦେଖାଯାଉଥିଲା, କିନ୍ତୁ ଆଜି ହଠାତ୍‌ ମନଟା ତା’ର ନୀଳା ଚିନ୍ତାରେ ଟିକିଏ ଚଞ୍ଚଳ ହୋଇ ଉଠି ଥିବାରୁ ଏ ସୁନା ଗହଣା କଥାଟା ଆଉ ଗୁଣ ନ ହୋଇ ତାହା ଆଖିକୁ ଦୋଷ ବୋଲି ଜଣା ଯାଉଥାଏ । ଏତିକିବେଳେ ତା’ ବାପା କିପରି ସେ ଆସିବା କଥା ଜାଣିପାରି ତାକୁ ବୈଠକଖାନାକୁ ଡକେଇ ପଠେଇଥିଲେ ।

 

ସେ ବୈଠକଖାନାକୁ ଯାଇ ସେଠାରେ ସରକାର ବାବୁଙ୍କୁ ନମସ୍କାର କରି ବାପାଙ୍କ ଆଡ଼କୁ ଅନେଇ ଠିଆହେଲା । ସୁଶୀଳର ବାପା ନୀଳରତନ ବାବୁ ସୁଶୀଳକୁ କହିଲେ, ‘ସୁଶୀଳ ! ସରକାର ବାବୁ ତାଙ୍କ ଝିଅ ବିଷୟରେ କଥାବାର୍ତ୍ତା କରିବାକୁ ଆସିଛନ୍ତି ?’

 

‘ଝିଅ ବିଷୟରେ କଣ କଥାବର୍ତ୍ତା ହେବାକୁ ଆସିଛନ୍ତି ।’

 

‘ତୋତେ ଜଣା ନାହିଁ ? ତାଙ୍କ ଝିଅ ରେଣୁକୁ ସତର ପୁରି ଅଠର ଚାଲିଲା । ସେ ତାହାର ବିବାହ ଦେବା ପାଇଁ ବ୍ୟସ୍ତ ।’

 

‘ରକ୍ଷାକରନ୍ତୁ, ମୁଁ ମନେକରିଥିଲି ତା’ର ଦେହ ପା କ’ଣ ହୋଇଛି ଯେ, ମୋର ସାହାଯ୍ୟ ଆବଶ୍ୟକ ହେଉଛି । ଡାକ୍ତରଖାନାରେ କାମକରି ଆମର ଚିନ୍ତାଧାରା ସେହି ପ୍ରକାର ହୋଇଗଲାଣି-। ହଉ ତେବେ, କାହା ବିଷୟରେ ସେ ପ୍ରସଙ୍ଗ ଉଠାଉଛନ୍ତି ?’

 

‘ନୀଳରତନ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଶ୍ରୀମାନ୍‌ ସୁଶୀଳକୁମାର ଭଟ୍ଟାଚାର୍ଯ୍ୟ, ଏମ୍‌,ବି.ବି.ଏସ୍‌.ଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଛି । ଆମ ମଧ୍ୟ ଡାକ୍ତର ସାହେବ ସ୍ୱୟ ରେଣୁକୁ ଦେଖିଛନ୍ତି ଓ ପସନ୍ଦ କରିଛନ୍ତି ବୋଲି କୁହାଯାଉଛି । ମୁଁ ଶୁଣିବାକୁ ଚାହେଁ, ଏହା କଣ ସତ୍ୟ ?’ ଏହା କହି ଦୁହେଁ ହସି ଉଠିଲେ । ସୁଶୀଳ ମଧ୍ୟ ହସି ଉଠିଥାନ୍ତା । କିନ୍ତୁ ବହୁତ ସମ୍ଭାଳି ନେଲା । ସାମାନ୍ୟ ଟିକିଏ ହସି ତଳକୁ ମୁହଁ ପୋତି ଠିଆ ହେଲା ।

 

ଏହି ଯଥେଷ୍ଟ । ଆଉ କଣ ମୁହଁ ଖୋଲି କୁହନ୍ତା ନା କଣ ?

 

ତଥାପି ସୁଶୀଳ ଖୁବ୍‌ ଦମ୍ଭଧରି କହିଲା, ‘ହଁ ବାବା ! ଡାକ୍ତର ସୁଶୀଳକୁମାର ସରକାର ବାବୁଙ୍କ ଝିଅ ରେଣୁକୁ ଦେଖିଛନ୍ତି । ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ, ତାକୁ ବିବାହ କରିବା ପାଇଁ ତ ପସନ୍ଦ କରି ନାହାନ୍ତି ।’

 

‘ତେବେ ଆଉ ପସନ୍ଦ କରିଛନ୍ତି କାହିଁକି ? ସେ ତ ଆଉ ବାଇଗଣ ପୋଟଳ ନୁହେଁ ଯେ ଖାଲି ପସନ୍ଦ କରି ନେଲେ ହେଲା ।’

 

‘ନାହିଁ ବାପା, ମୁଁ ଭଲକରି ଜାଣେ ରେଣୁ ବାଇଗଣ ପୋଟଳ ନୁହେଁ, ସେ ଝିଅ । ତା’ର କିଛି ହେବନାହିଁ ତା’ର ବିବାହ ହେବ । ୟା ବୋଲି ଯେ ଝିଅର ବିବାହ ଏକମାତ୍ର କାମ୍ୟ,ଏହା ନୁହେଁ-। ରେଣୁର ସ୍ୱର ଚମତ୍କାର, ସେ ଗାଏ ଭଲ । ତା’ର ସ୍ୱର, ତାଳ, ମାନ, ଲୟରେ ଦଖଲ ଅଛି । ସବୁଦିଗରୁ ଦେଖିଲେ ରେଣୁ ସୁପାତ୍ରୀ ଆଉ ସରକାର ବାବୁ ତାକୁ ସୁଶୀଳକୁମାର ସହିତ ବିବାହ ଦେବାକୁ ସ୍ଥିର କରିଛନ୍ତି । କିନ୍ତୁ ରେଣୁ ସହିତ ବିବାହ କଲେ ସୁଶୀଳକୁମାରର ଯଦି ସନ୍ତାନ ସନ୍ତତି ହୁଅନ୍ତି ତେବେ ତାକୁ ପାଳନ କରିବାର ସାମର୍ଥ୍ୟ ତା’ର ଅଛି କି ନାହିଁ, ସେ ବିଷୟ ବୁଝି ବିଚାର କରି ଦେଖିବାକୁ ତାକୁ ସମୟ ଦିଆଯାଉ ।’

 

‘ଦେଖ୍‌ ସୁଶୀଳ, ମୁଁ ସବୁ ଶୁଣିଲି । ମୋର କିନ୍ତୁ ରେଣୁକୁ ଭାରି ପସନ୍ଦ ।’ ନୀଲରତନ ବାବୁ କହିଲେ ।

 

‘ନିଶ୍ଚୟ, ମୁଁ ଆପଣଙ୍କ ପସନ୍ଦକୁ ଯଥାବିଧି ସମ୍ମାନ କରୁଛି । କିନ୍ତୁ ଆପଣ ତାକୁ ଝିଅ ରୂପେ ନାଁ ବୋହୂ ରୂପେ ପସନ୍ଦ କରିଛନ୍ତି ?’

 

‘ଝିଅରୂପେ ଦେଖିବାକୁ କ’ଣ କେହି ପସନ୍ଦ ଅପସନ୍ଦ କରନ୍ତି । ଭଗବାନ ଯେମିତି ଝିଅ ଦିଅନ୍ତି ତାକୁ ତ ପସନ୍ଦ କରିବାକୁହିଁ ପଡ଼େ । ବୋହୂ ସିନା ପସନ୍ଦ ଅପସନ୍ଦ କରିବାକୁ ହୁଏ ।’

 

‘ମୁଁ ଆପଣଙ୍କ ପସନ୍ଦକୁ ସର୍ବଥା ସ୍ୱୀକାର କରୁଛି । କିନ୍ତୁ ମୋତେ ସବୁକଥା ଭାବିବିଚାରି ଦେଖିବାକୁ କିଛି ସମୟ ଦେଲେ ଭଲ ହୁଅନ୍ତା ।’

 

ଶିକ୍ଷିତ ଯୁବକପୁତ୍ରର ଏକଥା ଶୁଣି ନୀଲରତନ ବାବୁ କହିଲେ, ‘ନିଶ୍ଚୟ ତୋତେ ସମୟ ଦିଆଯିବ ।’ ସରକାର ବାବୁ କହିଲେ, ‘ନିଶ୍ଚୟ, ଭାବିବିଚାରି ଠିକ୍‌କରିବାକୁ ସମୟ ଦରକାର । ଦୁହେଁ ଦେଖାଚାହାଁ । ହୋଇ ପରସ୍ପର ଭାବବିନିମୟ କରନ୍ତୁ । ସେ ଆଜିକାଲିକା ଚଳନ ।’

 

‘ମୁଁ ସେ ସବୁ ସୁବିଧାରେ କରିନେବି ।’

 

‘ମୁଁ ମଧ୍ୟ ଏଥିରେ ସହାୟତ କରିବି, ସୁଶୀଳ ।’

 

‘ମୋର ଆପତ୍ତି ନାହିଁ ।’

 

‘ତେବେ କେଉଁଦିନ ଆମ ଘରକୁ ଚାହା ପିଇବାକୁ ଆସୁଛ ?’

 

‘ମୋର ଶନିବାର ଓ ବୁଧବାର ସନ୍ଧ୍ୟାରେ ଡିଉଟି ପଡ଼େ । ଏ ଦୁଇ ଦିନକୁ ଛାଡ଼ି ଆପଣଙ୍କର ଯେଉଁଦିନ ସୁବିଧା ।’

 

ଆସନ୍ତା ରବିବାରଦିନ ଚାରିଟା ବେଳକୁ ଚାହାର ନିମନ୍ତ୍ରଣ ସୁଶୀଳ ଗ୍ରହଣ କଲା । ସରକାର ବାବୁ ସ୍ତ୍ରୀ ଓ ଝିଅଙ୍କୁ ସହିତ ଘରକୁ ଫେରିଲେ । ସୁଶୀଳ ବାବାଙ୍କୁ କହିଲା, ‘ମୁଁ ରେଣୁ ସହିତ ବିବାହ କଥା କେବେ ବିଚାର କରିନାହିଁ ।’

 

‘ତେବେ କଣ ଅନ୍ୟ କାହା କଥା ବିଚାର କରିଛୁ ?’

 

‘ହଁ କରିଛି ଯେ, ତେବେ ଯେତେଦିନ ପର୍ଯ୍ୟନ୍ତ ମୁଁ ନିଜେ ରୋଜଗାର କରିନାହିଁ ସେ ବିଷୟରେ ଚିନ୍ତା କରୁନାହିଁ । ପ୍ରଥମେ ମୁଁ ମୋର ଭବିଷ୍ୟତ କଥା ଚିନ୍ତା କରେ ।’

 

‘ଚିନ୍ତା କରୁ କରୁ ଯଦି ଦଶବର୍ଷ ଲାଗିଗଲା, ତେବେ ସେ ଝିଅ କ’ଣ ଅବିବାହିତ ହୋଇ ତୋତେ ଅନେଇ ବସିଥିବ ? ତୁ ତ ବୁଢ଼ା ହେବୁ । ତୋତେ ଆଉ କିଏ ବାହା ହେବ ? ଆଉ ଗୋଟିଏ କଥା, ସ୍ତ୍ରୀ ଲୋକମାନେ ଅନେକ ସମୟରେ ଧନ ସମ୍ପତ୍ତି ଲାଭରେ ସହାୟକ ହୁଅନ୍ତି । ସେମାନେ ଲକ୍ଷ୍ମୀ । ସେ ଘରକୁ ଆସିଲେ ତୋର ଧନସମ୍ପତ୍ତି ଆପଣା ଛାଏଁ ବଢ଼ିବ ।’

 

‘ହଉ ବାବା, ମୁଁ ଆପଣଙ୍କ କଥା ଅନୁସାରେ ଖୋଜିବି ।’

 

‘ମୁଁ ତ ସେହି ଦୃଷ୍ଟିରୁ ରେଣୁକୁ ବାଛିଚି ।’

 

(୯)

 

ଆସନ୍ତା ରବିବାର ଦିନ ସୁଶୀଳ ସରକାର ବାବୁଙ୍କ ଘରକୁ ଚାହା ଖାଇବାକୁ ଗଲା । ସେଠାରେ ତା’ର ସ୍ୱାଗତ ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଥିଲା । ରେଣୁ ମଧ୍ୟ ଗୋଡ଼ରୁ ମୁଣ୍ଡଯାଏ ଗହଣା ନାଇ ବୁଟିଦାର ରେଶମୀ ଲୁଗା ପିନ୍ଧି ତା’ର ପ୍ରତୀକ୍ଷାରେ ଥିଲା । ସୁଶୀଳକୁମାର ସହିତ ରେଣୁର ପରିଚୟ ଆଗରୁ ଥିଲା । ତେଣୁ ଦୁହେଁ ଏକାଠି ବସି ବିନାସଂକୋଚରେ କଥା ଆରମ୍ଭ କଲେ । ରେଣୁ ପ୍ରଥମେ ପ୍ରଥମେ ଟିକିଏ ଲଜ୍ଜା କରୁଥିଲା, କିନ୍ତୁ ସୁଶୀଳ ଯେତେବେଳେ ରେଣୁକୁ ଦେଖି କଥା ଆରମ୍ଭ କଲା, ‘ରେଣୁ ଆଜି ଏପରି ସଜବାଜ ହୋଇ କୁଆଡ଼େ ବାହାରିଛ କି ?’ ରେଣୁର ଭୟ ଭାଙ୍ଗିଗଲା ଓ ସେ କହିଲା, ‘କାହିଁ କୁଆଡ଼େ ନାହିଁ ତ ।’

 

‘ତେବେ ଘରଯାକର ସବୁଯାକ ଗହଣା ତୁମେ କାହିଁକି ଏକା ନାଇ ବସିଛ ?’

 

‘ଗହଣା ତ ଆମ ଘରର ନୁହେଁ, ୟେ ସବୁ ମୋ ନିଜର, ତେଣୁ ପିନ୍ଧିଲେ କ୍ଷତି କଣ ?’

 

‘କିନ୍ତୁ କେବେ ତ ତୁମକୁ ଘରେ ଏପରି ସଜବାଜ ହୋଇ ବସିବାର ମୁଁ ଦେଖିନାହିଁ ।’

 

‘ଆଜି ଗୋଟାଏ ବିଶେଷ ଦରକାର ଅଛି ।’

 

‘ହଁ, ସେ ଦରକାରଟା ମୁଁ ତ ବୁଝୁଛି । ତେବେ ତୁମେ ୟାକୁ ନିଜେ ପିନ୍ଧିଛ, ନାଁ ତୁମର ମା ତୁମକୁ ଏହା ପିନ୍ଧେଇ ଦେଇଛନ୍ତି ?’

 

‘ନାଁ, ମୁଁ ନିଜେ ପିନ୍ଧିଛି, ଏ ସବୁ ମୋର । ଆଉ ମା କହୁଥିଲେ, ମୋର ପତିଙ୍କୁ ସେ ଦଶହଜାର ଟଙ୍କା ଦେବେ ଓ ସେ ଯଦି କୌଣସି ବ୍ୟବସାୟ କରିବାକୁ ଇଚ୍ଛା କରନ୍ତି, ତେବେ ଆହୁରି ବେଶି ମଧ୍ୟ ଦେବେ ।’

 

ସୁଶୀଳ ରେଣୁଠାରୁ ଏକଥା ଶୁଣି ମନେ ମନେ ବିଚାର କଲା, ସରକାରବାବୁ ରେଣୁ ବିବାହରେ ନିଶ୍ଚୟ ଦଶହଜାର ଟଙ୍କା ବ୍ୟୟ କରିବେ । ଏ ସବୁ ଦେଖି ଓ ଶୁଣି ସୁଶୀଳ ମନରେ ପ୍ରତିକ୍ରୟା ଜାତ ହେଲା । ସେ ରେଣୁର ବାପା ମାଙ୍କୁ ବଡ଼ କୃପା ଦୃଷ୍ଟିରେ ଦେଖିଲା । ରେଣୁକୁ ମଧ୍ୟ ଅତ୍ୟନ୍ତ ପିଲାଳିଆ ବୋଲି ମନେ କଲା । ସେ କହିଲା, ‘ରେଣୁ ତୁମେ ବଡ଼ ଭାଗ୍ୟଶୀଳା, ମୁଁ ତୁମକୁ ଅଭିନନ୍ଦନ କରୁଛି ।’

 

ରେଣୁ ହସିକରି କହିଲା, ‘ତେବେ ଆପଣ ଏ ଦବାନବାକୁ ପସନ୍ଦ କରୁଛନ୍ତି ?’

 

‘କିଏ କଣ ୟାକୁ ଗୋଡ଼ରେ ପେଲି ଦେଇପାରେ ? କୁବେର ଭଣ୍ଡାରକୁ ଗ୍ରହଣକରିବାକୁ କିଏ କ’ଣ ଅନିଚ୍ଛା ପ୍ରକାଶ କରିପାରେ ? କିନ୍ତୁ ବିବାହ ତ ଆଉ ଧନସମ୍ପତ୍ତି ସହିତ ହେବ ନାହିଁ । ବିବାହ ହେବ ପୁଅ ଝିଅ ଭିତରେ । ସେଇଟା ହେଲା ମୁଖ୍ୟ । ଦବା ନବା ଗୌଣ । ପୁଣି ଏତେ ଜିନିଷ ନେଇ ଜଣେ ରଖିବ କେଉଁଠି ?’

 

‘ମୁଁ ବାବାଙ୍କୁ କହି ଗୋଟିଏ ଲୁହା ସିନ୍ଧୁକ ଏସବୁକୁ ରଖିବାକୁ ନେବି ।’

 

‘ତେବେ ତ ଦେଖୁଛି ବୋଝ ବଢ଼ି ଚାଲିବ ।’

 

ରେଣୁ କିଛି ବୁଝି ନପାରି କହିଲା, ‘ତେବେ କ’ଣ କରାଯିବ ?’

 

‘ଦେଖ ରେଣୁ ! ମୁଁ ତୁମକୁ ଦେଖିବାକୁ ଆସିଥିଲି, ତୁମ ଗହଣାକୁ ନୁହେଁ । ତୁମର ଦେହର ଅନେକ ତ ଏହି ଗହଣାରେ ବୁଡ଼ିଗଲା, ମୁଁ ଆଉ ଦେଖିବି କ’ଣ ?’

 

ଚାହା ସାଙ୍ଗରେ ଖାଇବାକୁ ମଧ୍ୟ ଯଥେଷ୍ଟ ବ୍ୟବସ୍ଥା ଥିଲା । ସରକାର ବାବୁ ରେଣୁ ଓ ସୁଶୀଳକୁ ଏକା ଛାଡ଼ିଦେଇ ଇଚ୍ଛାକରି ଦୂରେଇ ହୋଇ ରହିଲେ । ରେଣୁ ଆରମ୍ଭ କଲା, ‘ଗଲା ରବିବାର ଦିନ ଆମେ ଆପଣଙ୍କ ଘରକୁ ଯାଇଥିଲୁ ।’

 

‘ମୁଁ ଜାଣିଛି, ମୁଁ ବାହାର ଘରେ ବାପାଙ୍କ ସଙ୍ଗେ କଥାବର୍ତ୍ତା କରୁଥିଲି ।’

 

‘ସେଦିନ ମୁଁ ଏ ଲୁଗା କି ଗହଣା ପିନ୍ଧି ନଥିଲି ।’

 

‘ତେବେ ଆଜି କାହିଁକି ଏ ସାଜ ?’

 

‘ଏ ସବୁ ପିନ୍ଧି କାଳେ ଟିକିଏ ଭଲ ଦେଖାଯିବି ।’

 

‘ହଁ, ସୁନ୍ଦର ତ ଦେଖାଯାଉଛ, କିନ୍ତୁ ମୁଁ ତ ଆହୁରି କିଛି ଦେଖିବାକୁ ଆସିଥିଲି ।’

 

‘ଆଉ କଣ ।’

 

‘ତୁମ ମନର ବିକାଶ କେତେ ଦୂର ହୋଇଛି ।’

 

‘ତେବେ କଣ ତୁମେ ମତେ ପରୀକ୍ଷା କରିବ ?’

 

‘ପରୀକ୍ଷା ତ କରି ସାରିଲିଣି ।’

 

‘କେତେ ନମ୍ବର ମୋତେ ମିଳିଲା, ଶୁଣେ ।’

 

‘ଖାତା ତ ଦେଖା ସରିନାହିଁ, ଘରେ ଯାଇଁ ଦେଖିବି ।’

 

‘କେବେ ପ୍ରକାଶ ପାଇପାରେ ।’

 

ଦୁହେଁ ହସି ଉଠିଲେ । ରେଣୁ କହିଲା, ‘ପରୀକ୍ଷକ ବଡ଼ ଭୟାନକ ଜୀବ । ଯେତେବେଳେ ସ୍କୁଲରେ ପଢ଼ୁଥିଲି ମୋତେ ପରୀକ୍ଷକଙ୍କୁ ଭାରି ଡର ମାଡ଼ୁଥିଲା ।’

 

‘ହଁ, ପରୀକ୍ଷକ ବଡ଼ ଭୟାନକ ଜୀବ । କିନ୍ତୁ କ’ଣ କରାଯାଏ ? ତାଙ୍କ ଛଡ଼ା ତ କାମ ଅଚଳ ।’

 

‘ତେବେ ଏ ପରୀକ୍ଷା କେବେ ସରିବ ? ମୁଁ ସ୍କୁଲରୁ ଆସିଲା ବେଳେ କେତେ ଜୁହାର ପରୀକ୍ଷା ଓ ପରୀକ୍ଷକଙ୍କୁ ହୋଇ ଆସିଥିଲି, କିନ୍ତୁ ବିନା ପାଠପଢ଼ାରେ ପୁଣି ପରୀକ୍ଷକଙ୍କ ହାବୁଡ଼େ ପଡ଼ିଲି ।’

 

ସେଦିନ ରାତିରେ ସୁଶୀଳର ବାପା ମା ଦୁହେଁ ସୁଶୀଳକୁ ପଚାରିଲେ, ‘କଣ ସବୁ କଥାବାର୍ତ୍ତା ହେଲ ?’

 

‘ହଁ ବାବା, ଚା ଓ ଜଳଖିଆର ଚମତ୍କାର ବ୍ୟବସ୍ଥା ହୋଇଥିଲା । ଘର ମଧ୍ୟ ଖୁବ୍‌ ଭଲ ସଜ୍ଜା ହୋଇଥିଲା । ରେଣୁ ଦଶହଜାର ଟଙ୍କାର ଗହଣା ପିନ୍ଧି ବସିଥିଲା । ସେମିତି ସଜବାଜ ହୋଇ ମୋ ସଙ୍ଗେ ସିନେମା ଦେଖି ଯିବ ବୋଲି ଜିଦ୍‌ ଧରି ବସିଥିଲା । ମୁଁ ବହୁ କଷ୍ଟରେ ମୁକୁଳି ଆସିଛି ।’

 

ନୀଳରତନବାବୁ ହସି ଉଠିଲେ । ତାଙ୍କ ସ୍ତ୍ରୀ କହିଲେ, ‘ସୁଶୀଳ, ଆମଘରେ ତ ଯୌତୁକର ଚଳଣି ଅଛି । ତେଣୁ ସରକାର ବାବୁ ଯାହା ଯୌତୁକ ଦେବେ ତାହାର ଏକ ନମୁନା ତୋତେ ଦେଖେଇ ଦେଲେ ।’

 

‘ହଁ ସେ କଥା ସତ, ପୁଣି ରେଣୁ ମଧ୍ୟ କଥା ପ୍ରସଙ୍ଗରେ କହିଦେଇଛି ଯେ, ତାକୁ ଆଉ ତା’ର ସ୍ୱାମୀକୁ ସରକାର ନଗଦ ଦଶହଜାର କରି ଟଙ୍କା ଦେବେ । ପୁଣି ଏହାଛଡ଼ା ରେଣୁର ସ୍ୱାମୀ ଯଦି କୌଣସି ବ୍ୟବସାୟ କରିବାକୁ ମନ ବଳାଏ ତେବେ ତାକୁ ମଧ୍ୟ ମୁକ୍ତହସ୍ତରେ ସାହାଯ୍ୟ କରିବେ ।’

 

‘ତେବେ ଆଉ କଥା କଣ ଅଛି ? ମୁଁ ଜବାବ ଦେଇ ଦେଉଛି ।’

 

ସୁଶୀଳ ତଳକୁ ମୁଣ୍ଡ ନୋଇଁ କହିଲା, ‘ନାହିଁ ମା, ଟିକିଏ ଅପେକ୍ଷା କର ।’

 

(୧୦)

 

ସୁଶୀଳକୁମାର ନୀଳା ସହିତ କେବେହେଲେ ବିବାହ ବିଷୟରେ କଥାବାର୍ତ୍ତା ହୋଇ ନଥିଲେ । ବିବାହ କଥା ଯେତେବେଳେ ରେଣୁ ସହିତ ପଡ଼ିଲା ନୀଳା କଥା ତା’ର ଆପେ ଆପେ ମନେ ପଡ଼ିଲା । ହରଜଭନ ସିଂକୁ ନୀଳା ବିବାହ କରିବା ବିଷୟରେ ସ୍ଥିର କରିନାହିଁ । ଏହି ଅବସରରେ ନୀଳା ସଙ୍ଗେ ଏ ବିଷୟରେ କଥାବାର୍ତ୍ତା କଲେ କ୍ଷତି କ’ଣ ?

 

ପ୍ରାୟ ତିନିମାସ ହେଲା ନୀଳା ଓ ସେ ଦୁହେଁ ଏକା ଡିଉଟି କରି ଆସୁଛନ୍ତି । ୟାଭିତରେ ନୀଳାର ବହୁତ ଭଲ ଗୁଣ ଜାଣିବାର ସୁଯୋଗ ସେ ପାଇଛି । ସେହି ଗୁଣଗୁଡ଼ିକ କ୍ରମେ ସୁଶୀଳକୁ ନୀଳା ଆଡ଼କୁ ଆକର୍ଷଣ କରୁଥାଏ ।

 

ଲକ୍ଷ୍ନୌ ସହର ଯାହା ଥିଲା, ତା’ଠାରୁ ବହୁତ ବଢ଼ିଗଲାଣି, କିନ୍ତୁ ପୂର୍ବେ ଡାକ୍ତରଖାନା ସଂଖ୍ୟା ଯେତେ ଥିଲା, ଏବେ ବି ସେଇଆ ଅଛି । ତେଣୁ ଡାକ୍ତରଖାନାରେ ଭିଡ଼ ହେବା ସ୍ୱାଭାବିକ । ରୋଗୀଙ୍କୁ ଦେଖିବା ସମୟ ଯଦିଓ ବାରଟା ରଖାଯାଇଛି । ରୋଗୀ ଦେଖା ଶେଷ ହଉ ହଉ ପ୍ରାୟ ଦୁଇଟା ବାଜିଯାଏ । କେତେକଙ୍କୁ ଖାଲି ହସ୍ତଖତ କରି ମଧ୍ୟ ଫେରେଇ ଦିଆଯାଏ, ପରଦିନ ଆସିବାକୁ କହି ।

 

ସୁଶୀଳକୁମାର ବିରକ୍ତ ହୋଇଯାଏ, ଥକିଯାଏ ମଧ୍ୟ । ଡାକ୍ତର ଭାଟିଆ ନୀଳା ଓ ସୁଶୀଳ ଉପରେ ସବୁ ଭାର ଛାଡ଼ିଦେଇ ବାରଟା ପରେ ଚାଲିଯାନ୍ତି । ଏ ଦୁହେଁ ରୋଗୀ ଦେଖିବାରେ ଲାଗିଥାନ୍ତି । ସୁଶୀଳ ଧୈର୍ଯ୍ୟ ହରେଇ ବସେ । କିନ୍ତୁ ନୀଳା ‘ଏଇ ଗୋଟିଏ ଦେଖିନିଏ’; ‘ଆଉ ଟିକିଏ’; ‘ବିଚାର ଫେରିଗଲେ ଯିବ କୁଆଡ଼େ’- ଏମିତି କହି ଗୋଟିକ ପରେ ଗୋଟିଏ ରୋଗୀ ଦେଖିବାରେ ଲାଗିପଡ଼େ । ସୁଶୀଳ ବାଧ୍ୟ ହୋଇ ରହେ, କହେ, ‘ଏଥିରେ ମୁଣ୍ଡ ଠିକ୍‍ ରହିବନାହିଁ ମଣିଷର ।’

 

‘ମୋର ମନେହୁଏ ଆମ ଦୁହିଁଙ୍କ ମୁଣ୍ଡ ଏକାପ୍ରକାର ଉପାଦାନରେ ଭର୍ତ୍ତି, ତେବେ ଆପଣଙ୍କ ମୁଣ୍ଡ ଗୋଳମାଳ ହୋଇ ଯାଉଛି କାହିଁକି ?’

 

Unknown

ସୁଶୀଳ କିଛି କହେ ନାହିଁ । ଚୁପ ରହି ଅପେକ୍ଷା କରେ । ଏହିପରି କ୍ରମେ ଘନିଷ୍ଠତା ବଢ଼ିଚାଲିଯାଏ, କିନ୍ତୁ ସୁଶୀଳକୁମାର କେବେହେଲେ ନୀଳା ଆଗରେ ବିବାହ ପ୍ରସ୍ତାବ ବାଢ଼ିବାକୁ ସାହସ କରୁ ନ ଥାଏ ।

 

ରେଣୁ ଘରୁ ନିମନ୍ତ୍ରଣରୁ ଫେରି ସେ ନୀଳା ସଙ୍ଗେ କଥାବାର୍ତ୍ତା କରିବାକୁ ଠିକ୍‌ କରିଦେଲା-। ସେଦିନ ସେମାନେ କାମ ସାରି ଆସି ସାଇକେଲ ଷ୍ଟାଣ୍ଡରୁ ସାଇକେଲ ବାହାର କରୁଛନ୍ତି । ସୁଶୀଳକୁମାର ଆରମ୍ଭ କଲା, ‘ନୀଳାଦେବୀ, ଆଜି ସଞ୍ଜକୁ ଆମ ଘରକୁ ଚାହାପାଇଁ ଆସିବାରେ କୌଣସି ଆପତ୍ତି ଅଛି କି ?’

 

‘ଆଜି କ’ଣ କି ?’ ସୁଶୀଳ ତ କେବେ ନୀଳାକୁ ଡାକେନାହିଁ, ତା’ଘରକୁ ।

 

‘କିଛି ନାହିଁ ଯେ, ମୁଁ ଆଜିକାଲି ଟିକିଏ ‘ସୋଶ୍ୟାଲ’ ହେବାକୁ ଚେଷ୍ଟା କରୁଛି ।’

 

‘ଆଉ କାହାକୁ କାହାକୁ ଡାକିଛନ୍ତି ?’

 

‘ନାଁ, ଆପଣଙ୍କ ଛଡ଼ା ଆଜି ଆଉ କେହି ନାହାନ୍ତି ।’

 

‘ଆଗରୁ ଏପରି ଥରେ ଅଧେ କଲେଣି ନାଁ କଣ ?’

 

‘ନାହିଁ, କାହାକୁ ଡାକି ନାହିଁ ଯେ, ନିଜେ ଅନ୍ୟର ନିମନ୍ତ୍ରଣ ଗ୍ରହଣକରିଛି । ମୋତେ, ବର୍ତ୍ତମାନ ଦେଖୁଛି କିପରି ଅନ୍ୟ ସଙ୍ଗେ ମିଶିବାକୁ ହୁଏ ତାହା ଶିକ୍ଷା କରିବାକୁ ହେବ ।’

 

‘କାହାଠାରୁ ନିମନ୍ତ୍ରଣ ପାଇଲେ କି ?’

 

‘କାଲି ତ ଯାଇଥିଲି; ମନମୋହନ ସରକାର ବୋଲି ଜଣେ ଭଦ୍ରଲୋକଙ୍କ ଝିଅ ରେଣୁର ନିମନ୍ତ୍ରଣ ରକ୍ଷା କରିବା ପାଇଁ ।’

 

‘ତେବେ କଣ ଆପଣ ସ୍ଥିର କରିଛନ୍ତି କେବଳ ଝିଅମାନଙ୍କ ନିମନ୍ତ୍ରଣ ଗ୍ରହଣ କରିବେ ଓ ଝିଅମାନଙ୍କୁ କେବଳ ନିମନ୍ତ୍ରଣ କରିବେ ?’

 

‘ନାଁ, ସେ କଥାନୁହେଁ, ତେବେ ଏଇଟା ସତ ଯେ, ମୁଁ ବରାବର ଅନୁଭବ କରୁଛି, ମୋର ଝିଅମାନଙ୍କ ସହିତ ମିଶିବାରେ କେତେକ ଦୁର୍ବଳତା ଅଛି ।’

 

‘ଦେଖନ୍ତୁ, ଭଲ କରି ଭାବିଚିନ୍ତି ନିମନ୍ତ୍ରଣ କରନ୍ତୁ । ମୋର ଅବଶ୍ୟ କିଛି ଆପତ୍ତି ନାହିଁ । କିନ୍ତୁ ମୋର ଆତିଥ୍ୟ ପୁଣି ଆପଣଙ୍କୁ ଗୋଟାଏ ବିପଦରେ ଯେପରି ନ ପକାଏ ।’

 

ସୁଶୀଳ ଏ ଉତ୍ତରରେ ଖୁସି ହୋଇ କହିଲା, ‘କଲେ କ୍ଷତି କ’ଣ ଅଛି ?’ ନୀଳା ରାଜି ହେବାରୁ ସୁଶୀଳ ଘରକୁ ଫେରିଆସି ମା’ଙ୍କୁ କହିଲା, ‘ମା, ଆଜି ସନ୍ଧ୍ୟାକୁ ଅତିଥି ମୋର ଆସିବେ । ଚାହାର ବନ୍ଦୋବସ୍ତ କରିବାକୁ ହେବ ।’

 

‘ଆରେ, କେତେଜଣ ଆସିବେ ।’

 

‘ଜଣେ ।’

 

‘ମାତ୍ର ଜଣେ ! ଜଣଙ୍କ ପାଇଁ ଯେତେବେଳେ କହିଥାନ୍ତୁ, ସେତେବେଳେ ବ୍ୟବସ୍ଥା ହୋଇଥାନ୍ତା । ମୁଁ ମନେକରିଥିଲି ବେଶି ସାଙ୍ଗ ତୋ’ର ଆସିବେ, ଟେବୁଲ ଚୌକିର ବନ୍ଦୋବସ୍ତ କରିବାକୁ ହେବ ।’

 

ମା ବି ପଚାରି ନାହାନ୍ତି ଅତିଥି କିଏ । ସେ ମଧ୍ୟ କହିନାହିଁ । ଠିକ୍‌ ପାଞ୍ଚଟାରେ ନୀଳା ଆସିବାରୁ ସେ ତାକୁ ଡାଇନିଂ ରୁମକୁ ନେଇଗଲା । ସେହିଠାରେ ଚାହାର ବନ୍ଦୋବସ୍ତ କରାଯାଇଥିଲା; ସୁଶୀଳ କହିଲା, ‘ମୁଁ ଭାବିଥିଲି ଆସିବ ନାହିଁ ବୋଲି ।’

 

‘ମୁଁ ଆସି ନ ଥିଲେ ଆଉ କେହି ଆସିଥାନ୍ତେ ।’

 

‘ହଁ, କିନ୍ତୁ ମୋ ଜୀବନରେ ଏ ନୂଆ ଅଭିଜ୍ଞତା । ଯଦି ପ୍ରଥମରୁ ସଫଳ ହୋଇ ନ ଥାନ୍ତି ତେବେ ମୋତେ ବଡ଼ ଅସୁବିଧାରେ ପଡ଼ିବାକୁ ହୋଇଥାନ୍ତା । ଏଇଟା ତ ଆଉ କଖାରୁ ବାଇଗଣ ଖରିଦ୍‌ କରିବା ନୁହେଁ । ଗୋଟାଏ ଖରାପ ପଡ଼ିଲେ ଆଉ ଗୋଟାଏ ନେଇ ହେବ !’

 

‘ଆଉ ତ ଆପଣଙ୍କର ଚିନ୍ତାର କାରଣ କିଛି ନାହିଁ, ମୁଁ ତ ଆସିଗଲି । ମିଳାମିଶା ହବାଟା ଖୁବ୍‌ ଭଲ, କିନ୍ତୁ ଗୋଟାଏ ଉଦ୍ଦେଶ୍ୟ ରଖି ଯଦି ଏହା କରାଯାଏ ତେବେ ସେଇଟା ଖରାପ ।’

 

‘ମୁଁ ବର୍ତ୍ତମାନ ମୋ ମା ଭଉଣୀଙ୍କ ସଙ୍ଗେ ତୁମର ପରିଚୟ କରାଇଦିଏ । ସେମାନେ ତୁମକୁ ଦେଖି ବିଶେଷ ସୁଖୀ ହେବେ ।’

 

‘ମୋର ସୌଭାଗ୍ୟ ।’

 

ସୁଶୀଳ ଚାକରକୁ ଡାକି ନିଜର ଭଉଣୀ ରଜନୀ ଓ ମାଙ୍କୁ ଡାକିଦେବାକୁ କହିଲା ।

 

ରଜନୀ ଆସିଲା । ସାଧାରଣତଃ ବଙ୍ଗାଳୀ ଝିଅଙ୍କ ରଙ୍ଗ ସେତେ ସଫା ନୁହେଁ । କିନ୍ତୁ ରଜନୀ ଦେଖିବାକୁ ଗୋରା ଓ ତାର କଳା ମୁଚୁ ମୁଚୁ ବାଳ ତାକୁ ଭାରି ମନୋଉଥାଏ । ବୟସ ହେବ ପନ୍ଦର । ରଜନୀକୁ ଚାହିଁ ସୁଶୀଳ କହିଲା, ‘ଦେଖ୍‌ ରଜନୀ, ଏ ମୋର ସାଙ୍ଗ ଡାକ୍ତର ମିସ୍‌ ନୀଳା । ମୋ ସାଙ୍ଗେ ପାସ୍‍ କରିଛନ୍ତି ଓ ଆମେ ଦୁହେଁ ବର୍ତ୍ତମାନ ହାସପାତାଳରେ ଏକା ଜାଗାରେ କାମ କରୁଛୁ ।’ ଆଉ ରଜନୀକୁ ଦେଖେଇ ନୀଳାକୁ କହିଲା, ‘ଏ ହେଲା ମୋର ଭଉଣୀ, ମିସ୍‌ ରଜନୀ । ମା ବାବାଙ୍କର ଗେହ୍ଳାଝିଅ, ଆଉ ମୋର ଏକନମ୍ବର ଶତ୍ରୁ ।’

 

ରଜନୀ ହାତଯୋଡ଼ି ନୀଳାକୁ ନମସ୍କାର କରିବାରୁ ସେ ତାକୁ ଟାଣିନେଇ ନିଜ ପାଖରେ ସୋଫାରେ ବସାଇଲା । ଏତେବେଳକୁ ସୁଶୀଳାର ମା ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ । ସୁଶୀଳ ନୀଳାକୁ ମାଙ୍କ ସହିତ ପରିଚୟ କରାଇ ଦେବାରୁ ସେ ତାଙ୍କୁ ନମସ୍କାର କଲା ଓ ମା ତାକୁ ‘ଚିରଞ୍ଜିବୀ ହୁଅ ମା’ ବୋଲି କଲ୍ୟାଣ କଲେ ।

 

ସୁଶୀଳର ମା କହିଲେ, ‘ସୁଶୀଳ, ତୋ’ର ଏ କେମିତିକା କଥା, ତୁ କହୁନୁ ଝିଅଟିକୁ ଡାକିଛୁ ବୋଲି । ଝିଅ କେବେ ଅତିଥି ହୁଅନ୍ତି ? ସେ ଯେତେବେଳେ ଯେଉଁଠିକି ଯିବ ସେଠାରେ ସେ ଝିଅ ।’

 

ନୀଳାକୁ ସୁଶୀଳର ମା’ଙ୍କ ଏ କଥା ଭାରି ଭଲଲାଗିଲା । ମା ମଧ୍ୟ ସୁଶୀଳର ବିନା ମଧ୍ୟସ୍ଥତାରେ ନୀଳା ସହିତ କଥାବାର୍ତ୍ତା ଆରମ୍ଭ କରିଦେଲେ: ‘ମା, ତୋ ବାପାଙ୍କ ନା’ କ’ଣ, ସେ କ’ଣ କରନ୍ତି ?’

 

‘ତାଙ୍କ ନା ରାଧାକୃଷ୍ଣ ସାକ୍‌ସେନା । ସେ ଡାକ୍ତର, ଆପଣ ହୁଏତ ତାଙ୍କ ନାଁ ଶୁଣିଥିବେ ।

 

‘କେବଳ ତାଙ୍କ ନାଁ ଯେ ଶୁଣିଛି ଏହା ନୁହେଁ, ଆମେ ବହୁଦିନ ତାଙ୍କର ଚିକିତ୍ସାରେ ରହିଛୁ-। ସୁଶୀଳର ବାପା ତାଙ୍କୁ ଭଲ ଜାଣନ୍ତି । ମୁଁ ସେଇଆ ଭାବୁଛି, ତାଙ୍କ ଭଳିଆ ଲୋକଙ୍କ ଝିଅ ନ ହୋଇଥିଲେ’-

 

ଚା ପିଆ ତା ସଙ୍ଗେ ସଙ୍ଗେ କଥାବାର୍ତ୍ତା ବେଶ୍‌ ଜମିଗଲା । ଏଇ ଘଣ୍ଟାକ ମଧ୍ୟରେ ଦୁଇ ପରିବାର ମଧ୍ୟରେ ଯେପରି ଘନିଷ୍ଠତା ପୁଣି ପୂର୍ଣ୍ଣ ପ୍ରତିଷ୍ଠିତ ହୋଇଗଲା । ସୁଶୀଳର ବାପା ନୀଳରତନ ବାବୁ ଆସିବାର ଜାଣିପାରି ତା’ର ମା ତାଙ୍କୁ ଡାକି କହିଲେ, ‘ଆ’ଡ଼କୁ ଆସ ତ ଦେଖିବ କିଏ ଆସିଛି !’

 

ନୀଳରତନବାବୁ ସେଠାକୁ ଆସିବାରୁ ସୁଶୀଳର ମା ତାଙ୍କୁ ନୀଳା ସହିତ ପରିଚର କରାଇଦେଲେ । ସେ କହିଲେ, ‘ଆଚ୍ଛା ! ହଁ ମା, କହତ ତୋ ବାପାଙ୍କ ହାଲଚାଲ, କେତେଦିନୁ ତାଙ୍କ ସହିତ ଦେଖା ହୋଇନାହିଁ । ସୁଶୀଳ, ତୁ ନୀଳାକୁ ନିମନ୍ତ୍ରଣ କରି ଖୁବ୍‌ ଭଲ କରିଛୁ ।’

 

ନୀଳା ପ୍ରାୟ ଘଣ୍ଟାଏ ଦେଢ଼ଘଣ୍ଟା ସେଠାରେ ଖୁବ୍‌ ଭଲ ଭାବରେ କଟେଇଦେଲା । ରଜନୀ ମଧ୍ୟ ଗୋଟିଏ ବଙ୍ଗଳା ଗୀତ ସମସ୍ତଙ୍କୁ ଶୁଣେଇଲା ଓ ପରେ ସୀତାର ବଜାଇ ସମସ୍ତଙ୍କୁ ମୁଗ୍‌ଧ କରିଦେଲା ।

 

ଯେତେବେଳେ ନୀଳା ବିଦାୟ ନେବାକୁ ବାହାରିଲା, ସୁଶୀଳର ମା ତାକୁ ଧରି କହିଲେ, ‘ଝିଅ, ଏମିତି ମଝିରେ ମଝିରେ ଆସୁଥିବୁ । ଆମକୁ ଖୁବ୍‌ ଭଲ ଲାଗୁଛି ।’

 

(୧୧)

 

ନୀଳା ଚାଲିଯିବାରୁ ସୁଶୀଳକୁମାରର ମା ସୁଶୀଳକୁ ପଚାରିଲେ, ‘ଏ କିପରି ଏଆଡ଼େ ଆସିଥିଲା ?’

 

ସୁଶୀଳ ଉତ୍ତର ଦେବା ଆଗରୁ ନୀଳରତନ ବାବୁ କହିଲେ, ‘ଦେଖେଇବାକୁ ଆଣିଥିଲା ରେଣୁଠାରୁ ଇଏ କେଡ଼େ ସୁନ୍ଦର ।’

 

ସୁଶୀଳର ମନକଥା ଏପରି ବାପାଙ୍କ ଆଗରେ ପଦାରେ ପଡ଼ିଯିବାର ଦେଖି ସେ ଲାଜରେ ଲାଲ ପଡ଼ିଗଲା । ସୁଶୀଳ କଣ କହିବ ଖୋଜି ପାଉ ନଥିଲାବେଳେ ତା’ର ମା କହିଲେ, ‘ସେ ତ ବଙ୍ଗାଳୀ ନୁହେଁ, ତା ଉପରେ ବାହ୍ମଣ ମଧ୍ୟ ନୁହେଁ, କାୟସ୍ଥ । ପୁଣି ସେମାନେ ଉତ୍ତର ଭାରତର ବାସିନ୍ଦା । ଆମର ବଙ୍ଗାଳୀ ଚାଲିଚଳନ ସହିତ ଇଏ ଖାପ ଖାଇବା ନାହିଁ । ରେଣୁର ସ୍ଥାନ ଇଏ କିପରି ପୂର୍ଣ୍ଣ କରିବ ?

 

‘ମା, ମୋର ଆଜିପର୍ଯ୍ୟନ୍ତ ନୀଳାସହିତ ବିବାହର କୌଣସି ପ୍ରଶ୍ନ ଉଠିନାହିଁ । ସେ ମୋର ସହପାଠୀ ଥିଲା ଓ ଡାକ୍ତରଖାନାରେ ବର୍ତ୍ତମାନ ଦୁହେଁ ଏକାଠି କାମ କରୁଛୁ । ସେହି କାରଣରୁ ମୁଁ ତାକୁ ଚାହା ଖାଇବାକୁ ଡାକିଥିଲି । ଆଉ ତୁମେ ଯାହା କହୁଛ, ସେଥିରେ ମଧ୍ୟ ମୋର କିଛି କହିବାର ଅଛି । ସେ କାୟସ୍ଥ ହେଲେ ମଧ୍ୟ ଆଚାର ବିଚାରରେ ବ୍ରାହ୍ମଣଠାରୁ ବେଶି । ଆଉ ଆମ ଘରର ଚାଲିଚଳନ–ସେ ତ ରେଣୁଠାରୁ ଅଳ୍ପସମୟ ମଧ୍ୟରେ ତାହା ଶିଖିନେବ ।’

 

‘ନାହିଁ, ସୁଶୀଳ ! ତୁ କ’ଣ କହୁଛୁ ? ମୁଁ ଯେପରି ବଙ୍ଗାଳି ଝିଅକୁ ବୋହୂ କରୁଚି,....’

 

‘ମା, ବର୍ତ୍ତମାନ ସେ କଥା ଉଠୁଛି କାହିଁକି ? ଯଦି ସେ ଦିଗକୁ ମୋର ଇଚ୍ଛା ହୁଏ, ତାହା ବିଚାର କରି ଦେଖିବି ।’

 

ଏତିକି ବେଳେ ନୀଳରତନ ବାବୁ କହିଲେ, ‘ମୋ ବିଚାରରେ ଝିଅଟି ଖୁବ୍‌ ଭଲ । ଯଦି ତୁ ତାକୁ ବିବାହ କରୁ ତେବେ ଆମର କିଛି ଆପତ୍ତି ନାହିଁ । କିନ୍ତୁ ମୋର କେବଳ ଗୋଟାଏ କଥା କହିବାର ଅଛି । ତୁମେ ଯଦି ପଢ଼ାଲେଖାବାଲା ବଙ୍ଗାଳୀ ଯୁବକତକ ସବୁ ଗୋରା ଗୋରା ଅବଙ୍ଗାଳୀ ଝିଅକୁ ବିବାହ କରିବାକୁ ଇଚ୍ଛା କରିବ, ତେବେ ତୁମ ଭଉଣୀଟିମାନଙ୍କୁ ନେବ କିଏ ? ପୁଣି ନିଜ ଭଉଣୀ ରଜନୀ କଥା ଭାବୁଛୁ ତ ?’

 

‘ନାହିଁ ବାବା, ସମସ୍ତେ କ’ଣ ଏଇଆ କରୁଛନ୍ତି ? କେଉଁଠି ଜଣେ ଅଧେ ।’

 

‘ସେଥିପାଇଁ ତ ବଙ୍ଗାଳୀ ସମାଜରେ ଚଳୁଛି ଯେ, ବଙ୍ଗାଳୀ ବଙ୍ଗାଳୀ ଘରେ ବିବାହ କରିବ । ବିଶେଷ କରି ଧନୀ ସମ୍ଭ୍ରାନ୍ତ ଶିକ୍ଷିତ ବଙ୍ଗାଳୀ ପରିବାରର ପିଲାଏ ବଙ୍ଗାଳୀ ଘରେ ବିବାହ କରିବା ଉଚିତ । ସୁଶୀଳ ! ତୋ’ର ଏ ବିଷୟରେ ଜିଦ୍‌ କରିବା ଠିକ୍‌ ହେବନାହିଁ ।’

 

ନୀଳାର ମତ କଣ ହେବ ସୁଶୀଳ ଜାଣି ନ ଥିଲା, ତେଣୁ ସେ ଚୁପ୍‌ ହୋଇଗଲା । ସେ ରେଣୁ କି ନୀଳା କାହାରି ବିଷୟରେ ଭାବି କିଛି ଠିକ୍‌ କରିପାରୁ ନ ଥିଲା । ଏତିକିବେଳେ ମା ପଚାରି ବସିଲେ, ‘ସୁଶୀଳ ! ତୁ ରେଣୁ ବିଷୟରେ କ’ଣ ଠିକ୍‌ କଲୁ ?’

 

‘ମୋ ସହିତ ରେଣୁର ବିବାହ ହୋଇ ପାରିବନାହିଁ ।’

 

‘କାହିଁକି ?’

 

‘ରେଣୁ ଓ ତା’ର ବାବାଙ୍କର ଧନର ଅଭିମାନ ଅଛି । ଧନର ଆବରଣରେ ଅସଲ ରେଣୁ ଲୁଚିଯାଉଛି । ମୁଁ ତାକୁ ଠିକ୍‌ ଭାବେ ଜାଣି ପାରୁନାହିଁ ।

 

‘ତୋର କ’ଣ ଧନ ଲୋଡ଼ା ନାହିଁ ?’

 

‘ଧନ କାହାର ଲୋଡ଼ା ନାହିଁ ? କିନ୍ତୁ ଭାବିବାର କଥା ଯେ, କେତେ ଧନ ପାଇଁ କେତେ ଆତ୍ମସମ୍ମାନ ବଳି ଦେବାକୁ ହେବ ।’

 

‘ଯିଏ ଝିଅ ଦେବ, ତା’ର ଆତ୍ମସମ୍ମାନ ଯିବ । ତୋର ସେଥିରେ କ’ଣ ଅଛି ?’

 

ସୁଶୀଳ ପଚାରିଲା, ‘ବାବା, ମା ତାଙ୍କର ବାପଘରୁ କ’ଣ ଆଣିଥିଲେ ?’

 

‘ସେ ସମୟ ଥିଲା ଅଲଗା । ମୋ ବାପା ଥିଲେ ଜଣେ ସାମାନ୍ୟ କିରାଣୀ । କିନ୍ତୁ ତୋ’ର ବାପା ଗୋଟାଏ ରାଜ୍ୟର ଚିଫ ଇଞ୍ଜିନିୟର, ଯାହାର ଦରମା ମାସକୁ ଦୁଇ ହଜାର ଟଙ୍କା । ତା ଛଡ଼ା ମୁଁ ଲକ୍ଷେ ଟଙ୍କାରୁ ଅଧିକ ସଞ୍ଚୟ କରିଛି ବୋଲି ସମସ୍ତେ ଜାଣନ୍ତି । ପୁଣି ତୁ ମୋଠାରୁ ବେଶି ପଢ଼ିଛୁ । ମୁଁ ତ ବାହା ହେଲାବେଳେ ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିଲି । କିନ୍ତୁ ତୁ ଜଣେ ଏମ.ବି.,ବି.ଏସ୍‌.ପାସକରା ଡାକ୍ତର ।’

 

‘ମୋ ପିଇସିଙ୍କୁ କେତେ ଯୌତୁକ ଦେଇଥିଲ ?’

 

‘ଝିଅ ବିଦାବେଳେ ପାଞ୍ଚଶ ଟଙ୍କା ଦେଇଥିଲି ।’

 

‘ମୁଁ ତ ବର୍ତ୍ତମାନ ଦରିଦ୍ର ନୁହେଁ । ଶଶୁର ଘରୁ ତେବେ ଆଣିବି କାହିଁକି ?’

 

‘ସେ ତ ଠିକ୍‌ । କିନ୍ତୁ ଯେତେବେଳେ ମିଳୁଛି, ନ ନେଇ ପକେଇଦବା କାହିଁକି ?’

 

‘ମୁଁ ତ ପକେଇ ଦେବାକୁ କହୁନାହିଁ । ମୁଁ କହୁଛି ନେଲେ ତ ପୁଣି କିଛି ଦେବାକୁ ହେବ । ଟଙ୍କା ଲୋଭରେ ମୁଁ ଯେଉଁ ଝିଅକୁ ପସନ୍ଦ କରୁନାହିଁ, ତାକୁ ଗ୍ରହଣ କରିବାକୁ ହେବ । ଏ କଣ କ୍ଷତି ନୁହେଁ ?’

 

‘ରେଣୁର କ’ଣ ଖରାପ ତୁ ଦେଖିଲୁ ?’ ମା ପଚାରିଲେ ।

 

‘ଏଠାରେ ମୁଁ କେଉଁ କଥାର ଏବେ ଜବାବ ଦେବି ?’

 

ନୀଳରତନବାବୁ କହିଲେ, ‘ହଉ, ସେ କଥା ଥାଉ । ତୁ ଯଦି ଅନ୍ୟ କେଉଁ ବଙ୍ଗାଳି ଝିଅକୁ ଯୋଗ୍ୟ ବୋଲି ମନେକରୁଛୁ, କହ ।’

 

‘ମିଳିଲେ ମୁଁ ଆପଣଙ୍କୁ କହିବି ।’

 

ଜୀବନରେ ପ୍ରଥମଥର ପାଇଁ ସୁଶୀଳକୁ ଏପରି ବିଷୟରେ ବାପା ମାଙ୍କ ସାମନାରେ କଥାବାର୍ତ୍ତା କରିବାକୁ ପଡ଼ିଲା । ବାପା ନୀଳରତନ ବାବୁ ଉଗ୍ର ବଙ୍ଗାଳୀପ୍ରେମୀ, ଏକଥା ସେ ଜାଣେ-। ତାଙ୍କ ଅଫିସରେ ବେଶି ବଙ୍ଗାଳୀ କାମ ପାଆନ୍ତି । ବଙ୍ଗାଳୀ କଣ୍ଟ୍ରାକ୍ଟର ମଧ୍ୟ ତାଙ୍କ କଲମରେ ବେଶି କାମ ପାଏ । ସେ ମଧ୍ୟ ଭାବିଥିଲା ତା’ର ବାବାଙ୍କ ପରି ଶିକ୍ଷିତ ଲୋକ ଯାନି ଯୌତୁକ ଲୋଭରେ କୌଣସି ବିବାହରେ ସମ୍ମତି ଦେବେ ନାହିଁ ।

 

ତା’ ପରଦିନ ନୀଳା ସଙ୍ଗେ ଦେଖା ହେବାରୁ ସେ ସୁଶୀଳର ମାଙ୍କପ୍ରତି କୃତଜ୍ଞତା ଜ୍ଞାପନ କଲା । ସେ କହିଲା, ‘ସୁଶୀଳବାବୁ, ଆପଣଙ୍କର ମା ଖୁବ୍‌ ଭଲ ଲୋକ । ତାଙ୍କର କଥା ବଡ଼ ସୁନ୍ଦର, ମୁଁ ଭୁଲିପାରୁ ନାହିଁ । ତାଙ୍କୁ ମୋର କୃତଜ୍ଞତା ଜଣାଇବେ ।’

 

‘ତୁମେ ନିଜେ ଯାଇଁ କାହିଁକି ଜଣାଇ ଆସୁନ ।’

 

‘ମୁଁ ତାଙ୍କ ମୁହଁରେ ଏହା କରିପାରିବି ନାହିଁ ।’

 

‘ତୁମେ ଜାଣ କି ମୁଁ ତୁମକୁ ନିମନ୍ତ୍ରଣ କରିବାର ଅର୍ଥ ସେ କ’ଣ ବୁଝିଛନ୍ତି ?’

 

‘କ’ଣ ?’

 

‘ସେମାନେ ବୁଝିଲେ ଯେ ମୁଁ ବିବାହ ପ୍ରସ୍ତାବନେଇ ତୁମ ଆଗରେ ଥୋଉଛି ଓ ତୁମେ ତାକୁ ଅସ୍ୱୀକାର କରୁନାହଁ ।’

 

‘ସେଇଥି ପାଇଁ କଣ ତାଙ୍କର ବ୍ୟବହାର ଏପରି ମଧୁର ଓ ସ୍ନେହପୂର୍ଣ୍ଣ ଥିଲା ?’

 

‘ତାହା ନୁହେଁ ନୀଳା ଦେବୀ ! ମୁଁ ତ ତୁମକୁ ସେପରି କୌଣସି ଅଭିପ୍ରାୟ ରଖି ନିମନ୍ତ୍ରଣ କରି ନ ଥିଲି । ତୁମେ ମଧ୍ୟ ମନରେ ଏପରି କୌଣସି ଧାରଣା ରଖି ନିମନ୍ତ୍ରଣ ରକ୍ଷା କରି ନ ଥିଲ । ଏ କଥା ମୁଁ ସ୍ପଷ୍ଟଭାବରେ ଯେତେ ଅସ୍ୱୀକାର କଲେ ମଧ୍ୟ ମା ଓ ବାବା ତାହା ବିଶ୍ୱାସ କରିବାକୁ ନାରାଜ । ସେମାନେ ବରାବର ମୋତେ ମନାକରୁଛନ୍ତି ।’

 

‘ଅର୍ଥାତ୍‌ ଆପଣଙ୍କର ମୋର ବିବାହକୁ ସେମାନେ ପସନ୍ଦ କରୁ ନାହାନ୍ତି ।’

 

‘ହଁ ।’

 

‘ତେବେ ସେ ମୋ ପ୍ରତି ଏତେ ସ୍ନେହ ଦେଖେଇଲେ କାହିଁକି ?’

 

‘ସେ ତ ତାଙ୍କର ଅଭ୍ୟାସ । ମୋର ଇଚ୍ଛା ଥରେ ତୁମେ ମୋତେ ଓ ତା’ ସଙ୍ଗେ ମୋର ମାଙ୍କୁ ଚାହାକୁ ନିମନ୍ତ୍ରଣ କର ଏବଂ ମୁଁ ଦେଖେ, ଏଥିରେ ତାଙ୍କର ମନର ଭାବ କିପରି ହେଉଛି ।’

 

‘ସୁଶୀଳବାବୁ ! ବଡ଼ ମଣିଷକୁ ଏପରି ପରୀକ୍ଷାରେ ପକାଇବାକୁ ମୋର ମନ ଡାକୁନାହିଁ-। ତାଙ୍କର ସ୍ନେହମୟୀ ମୂର୍ତ୍ତି ଏବେ ବି ମୋ ଆଖି ସାମନାରେ ନାଚୁଛି । ମୁଁ ତାଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ଦେବିନାହିଁ । ତାଙ୍କର ସେହି ଧାରଣା ଥିଲେ ମଧ୍ୟ କ୍ଷତି କଣ ?’

 

‘କ୍ଷତି ଏଇଆ ହେବ ଯେ, ମାଙ୍କ ମନକଥା ମୁଁ ଜାଣି ପାରିବିନାହିଁ ।’

 

‘ବୁଦ୍ଧିମାନ ଲୋକ ଗୋଟାଏ କଥାରୁ ସବୁକଥାର ଅର୍ଥ ବୁଝିନେବ । ଆପଣଙ୍କ ମା ଏତିକି ବୁଝିବା ଦରକାର ଯେ, ସେ ତ ଆମ ଦୁହିଁଙ୍କର ବିବାହକୁ ସମର୍ଥନ କରୁନାହାନ୍ତି । ମୋ ମତରେ ସେ ଠିକ୍‌ କରିଛନ୍ତି ଓ ଆପଣ ତାଙ୍କୁ ଯଥା ସମୟରେ ସତର୍କ କରାଇ ଦେଇଛନ୍ତି ।’

 

‘ତେବେ ଏହାର ଅର୍ଥ କ’ଣ ଏହା ଯେ, ତୁମେ ମୋତେ ନିମନ୍ତ୍ରଣ କରିବାକୁ ନାରାଜ ?’

 

‘ନିମନ୍ତ୍ରଣର କଥା ଅଲଗା । ଏହାର ବିବାହ ସହିତ କିଛି ସମ୍ପର୍କ ନାହିଁ, କିନ୍ତୁ ଏହି ଅବସରରେ ମୁଁ ଆପଣଙ୍କ ମାତାଙ୍କୁ ପରୀକ୍ଷା କରିବାକୁ ଡାକିବି ନାହିଁ ।’

 

‘ତେବେ ସେମିତି ଥରେ ଡାକ ନା ।’

 

‘ଗୋଟାଏ ସର୍ତ୍ତରେ ଡାକିବି । ସେଠାରେ ମୋର ବିବାହ ଚର୍ଚ୍ଚା ମୋଟେ ହେବ ନାହିଁ ।’

 

‘ସେ ଯଦି ଆରମ୍ଭ କରନ୍ତି ତେବେ କ’ଣ ହେବ ?’

 

‘ଆପଣ ନାହିଁ କରିବେ ।’

 

‘ସୁଶୀଳକୁମାର ଏପରି ଭାବରେ ଚର୍ଚ୍ଚା କରିବାର ଉଦ୍ଦେଶ୍ୟ ଥିଲା, ମହତ । ଏହି ସୂତ୍ରରେ ସେ ନୀଳା ମନରେ ତା ସହିତ ବିବାହ ପ୍ରସଙ୍ଗଟା ଉଠେଇ ଦେବାର ଇଚ୍ଛା କଲା । ନୀଳ ଯେପରି ତା କଥା ମନରେ ଆଣେ ଏହାହିଁ ଥିଲା ତାର ଉଦ୍ଦେଶ୍ୟ ।

 

(୧୨)

 

ଦିନେ ନୀଳାଦେବୀଙ୍କର ନିମନ୍ତ୍ରଣ ସୁଶୀଳକୁ ମିଳିଲା । ଡକ୍‌ଟର ରାଧାକୃଷ୍ଣଙ୍କ ତରଫରୁ ନିମନ୍ତ୍ରଣ ମିଳିଲା । ସେଥିରେ ଲେଖାଥିଲା, ‘‘ଶ୍ରୀ ଓ ଶ୍ରୀମତୀ ରାଧାକୃଷ୍ଣ ତାଙ୍କ କନ୍ୟା ଡାକ୍ତର ନୀଳାଦେବୀଙ୍କର ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେବାକୁ ଶ୍ରୀ ଓ ଶ୍ରୀମତୀ ଭଟ୍ଟାଚାର୍ଯ୍ୟଙ୍କୁ ସପରିବାର ଯୋଗଦେବାକୁ ଅନୁରୋଧ କରୁଛନ୍ତି ।’’

 

ନୀଳରତନବାବୁ ନିମନ୍ତ୍ରଣ ପାଇ ତାକୁ ସୁଶୀଳକୁ ଦେଖେଇଲେ । ସୁଶୀଳ ପଚାରିଲା ‘ଆପଣ ଯିବେ ?’

 

‘ମୋର ମନାକରିବାର କୌଣସି କାରଣ ନାହିଁ । ଡକ୍ଟର ରାଧାକୃଷ୍ଣ ମୋର ଚିକିତ୍ସକ । କିନ୍ତୁ ଏ ନିମନ୍ତ୍ରଣରେ ତୋ’ର ହାତ ଥିଲାପରି ଜଣାପଡ଼ୁଛି । ମୋର ମନେହେଉଛି ଡାକ୍ତରଙ୍କ ଝିଅ ସହିତ ତୋ’ର ବିଭାଘର ପାଇଁ ତୁ ଯେପରି ଆମକୁ ବାଧ୍ୟ କରିବୁ ।’

 

‘ମୁଁ କିପରି ଏହାଦ୍ୱାରା ଆପଣଙ୍କୁ ବାଧ୍ୟ କରୁଛି ? ମୋର ସହପାଠୀ ଏ ନିମନ୍ତ୍ରଣ ପତ୍ର ମୋତେ ଦେଲା । ମୁଁ ଆପଣଙ୍କୁ ଆଣି ଦେଲି । ଯିବା ନ ଯିବ ଆପଣଙ୍କର ଇଚ୍ଛା ।’

 

‘ତୁ ଯାଉଛୁ କି ନାହିଁ ? ମା ତ ଯାଉନାହାନ୍ତି ।’

 

‘କାହିଁକି ?’

 

‘ସେ ଚାହାନ୍ତି ନାହିଁ, ଉତ୍ତରଭାରତର ଝିଅ ତାଙ୍କର ବୋହୂ ହେବେ ।’

 

‘କିନ୍ତୁ ୟେ ନିମନ୍ତ୍ରଣର ତା ସାଙ୍ଗେ କି ସମ୍ପର୍କ ଅଛି ?’

 

‘ତୁ ତାଙ୍କୁ ବୁଝା । ମୁଁ ତ ଯାଉଛି, ତୁ ପୁଣି ଯାଉଛୁ କି ନାହିଁ ?’

 

‘ମୋତେ ତ ଅଲଗା ନିମନ୍ତ୍ରଣ ମିଳିଛି ।’

 

‘ତେବେ ଏ ପରିବାର ଲେଖିବାର ଅର୍ଥ କଣ ?’

 

‘ରଜନୀକୁ ବୋଧହୁଏ ସାଙ୍ଗରେ ନେବାକୁ ।’

 

‘ବୁଝିଲି, ବର୍ତ୍ତମାନ ତୋ ମାଙ୍କୁ ବୁଝେଇଲେ ହେଲା ।’

 

ରାତିରେ ଖାଇଲାବେଳେ ସୁଶୀଳ ମାଙ୍କୁ କହିଲା, ‘ମା, ତୁମେ ଡାକ୍ତର ରାଧାକୃଷ୍ଣଙ୍କ ନିମନ୍ତ୍ରଣ ରଖିବାକୁ କାହିଁକି ନାରାଜ ?’

 

‘ମୁଁ ତ ବାପା ଯାହା ସାଙ୍ଗରେ ମିଶେ ତା ସାଙ୍ଗରେ ଖୁବ୍‌ ମିଠା ମିଠା କଥାବାର୍ତ୍ତା ହୁଏ, କିନ୍ତୁ ତା’ର ଅର୍ଥ ହୁଏ ଅଲଗା । ମୁଁ ନୀଳାକୁ ସ୍ନେହ ଶ୍ରଦ୍ଧା ଦେଖେଇବି ତ ନିଶ୍ଚୟ । ତା’ର କିନ୍ତୁ ଅର୍ଥ ହେବ ଯେ ମୁଁ ତାକୁ ବୋହୂ କରିବାକୁ ଇଚ୍ଛୁକ । ମୁଁ ଏ ଭଳିଆ ଭୁଲ ସୃଷ୍ଟି କରିବାକୁ ଚାହେଁ ନାହିଁ । ’

 

‘ମା, ମୁଁ ବାବା ଓ ତୁମ ତରଫରୁ ନୀଳାକୁ ବୁଝେଇ ଦେଇଛି ଯେ, ସେଦିନ ନିମନ୍ତ୍ରଣକୁ ମୋ ବାବା ଓ ମା ଭୁଲ ବୁଝିଥିଲେ ।’

 

‘ସେ ଏହା ଶୁଣି କ’ଣ କହିଲା ?’

 

‘ସେ କୌଣସି ଉତ୍ତର ଦେଲା ନାହିଁ । ବରଂ ତୁମମାନଙ୍କର ବିଚାରଧାରା ଶୁଣି ଆଶ୍ଚର୍ଯ୍ୟ ହେଲା ।’

 

‘ତୁ କ’ଣ ତାକୁ ଆମେ କେଉଁ କାରଣରୁ ତମ ଦୁହିଁଙ୍କର ବିବାହକୁ ନାପସନ୍ଦ କରୁଛୁଁ, ତାହା କହିଛୁ ?’

 

‘ସେ ବଙ୍ଗାଳୀ ନୁହେଁ ବୋଲି ତୁମେମାନେ ଏ ବିବାହରେ ଅମତ, ଏକଥା କହି ନାହିଁ । ଏହା କହିବାକୁ ମତେ ଲାଜମାଡ଼ିଲା । କିପରି ବା ଏକଥା ତାଙ୍କୁ କହନ୍ତି ?’

 

‘ଏଥିରେ ଲଜ୍ଜା କରିବାର କ’ଣ ଥିଲା ? ଘର ସମ୍ପିତ୍ତିକୁ ଘରେ ରଖିବା କ’ଣ ଲାଜ କଥା-?’

 

‘ନାଁ, ସେ କଥାତ ଖରାପ ନୁହେଁ, ତେବେ ଘରର ଦ୍ୱାର କେବଳ ବଙ୍ଗାଳୀଙ୍କ ପାଇଁ ଖୋଲା ରଖି ଓ ଅନ୍ୟ ସମସ୍ତଙ୍କ ପାଇଁ ବନ୍ଦ ରଖିବା ଖରାପ । ଆମେ ଭାରତୀୟ, ଭାରତ ଆମର ଘର ।’

 

‘ସମୁଦାୟ ମାନବ ସମାଜ ନୁହନ୍ତି କାହିଁକି ?’

 

‘ଏହାକୁ କୌଳିନ୍ୟ କୁହାଯାଇପାରେ ।’

 

‘ମୁଁ ନୀଳାକୁ ମୋର ମନର କଥା ସାଫ ସାଫ କହିଦେବି ।‘

 

‘ତା ଦୃଷ୍ଟିରେ ତୁ ନିଜକୁ ଛୋଟ କରିଦେବୁ ।’

 

‘ଛୋଟ ହେବାରେ ମୋର ସଂକୋଚ ନାହିଁ ।’

 

ଶେଷରେ ସୁଶୀଳର ମା ନିମନ୍ତ୍ରଣରେ ଯୋଗଦେଲେ । ସୁଶୀଳକୁମାର ଏହି ଉପଲକ୍ଷେ ନୀଳାକୁ ଗୋଟିଏ ପାର୍କର୍‌ କଲମ ଉପହାର ଦେଲା । ସେଦିନ ଆଉ କେତେଜଣ ନୀଳା ଓ ସୁଶୀଳର ସହପାଠୀ ମଧ୍ୟ ଭୋଜୀରେ ଯୋଗ ଦେଇଥିଲେ । ହରଭଜନ ସିଂ ତା ଭଉଣୀ ଅମୃତକୁ ଧରି ଆସିଥିଲା । ଡାକ୍ତରଖାନାରୁ ଡାକ୍ତର ଭାଟିଆ ଓ ଡାକ୍ତର ଖାନ୍ନା ମଧ୍ୟ ଆସିଥିଲେ । ପ୍ରାୟ ପଚାଶଜଣ ପର୍ଯ୍ୟନ୍ତ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ ।

 

ନୀଳାର ଗୋଟିଏ ପାଖରେ ସୁଶୀଳର ମା ଓ ଅନ୍ୟ ପାଖରେ ପ୍ରବୋଧ ବସିଥାଏ । ସୁଶୀଳକୁମାର ଓ ହରଭଜନ ଏକାଠି ବସିଥାନ୍ତି । ହରଭଜନର ଭଉଣୀ ଅମୃତ ମଧ୍ୟ ତାଙ୍କ ସଙ୍ଗେ ବସିଥାଏ । ହରଭଜନ ସିଂ ଓ ସୁଶୀଳ ଦୁହେଁ ବଡ଼ ଅଡ଼ୁଆରେ ପଡ଼ିଥାନ୍ତି । ସୁଶୀଳକୁମାର ଅବସ୍ଥା ଦୃଷ୍ଟେ ବାଧ୍ୟ ହୋଇ ଅମୃତ ସହିତ କଥାବାର୍ତ୍ତା ଆରମ୍ଭ କଲା ।
 

‘ଆପଣ କେଉଁ ଶ୍ରେଣୀରେ ପଢ଼ୁଛନ୍ତି ?’

ଅମୃତ ତଳକୁ ମୁହଁ ପୋତି କହିଲା, ‘ଇଣ୍ଟରରେ ।’

‘କି ବିଷୟ ନେଇଛନ୍ତି ?’

‘ଇତିହାସ ଓ ଗଣିତ ।’

‘ଗଣିତ କଷ୍ଟ ଲାଗୁନାହିଁ ତ ?’

‘ସେ ତ ମୋର ସବୁଠାରୁ ପ୍ରିୟ ।’

‘ଗଣିତ ପଢ଼ି କଣ କରିବାକୁ ଇଚ୍ଛା କରୁଛନ୍ତି ?’

‘ମୁଁ ତ ଚାକିରୀ କରିବାକୁ ପଢ଼ୁନାହିଁ । ମୁଁ ପଢ଼ିବା ସକାଶେ ପଢୁଛି ?’

‘ହଁ, ବାବା ତ ବହୁତ ରୋଜଗାର କରିଛନ୍ତି । ଚାକିରୀ କରିବାର ଦରକାର କଣ ?’

‘ଠିକ୍‌ କଥା, କିନ୍ତୁ ମୁଁ ତ ବିବାହ କରିବି, ଚାକିରୀ କଥା କାହିଁକି ଚିନ୍ତା କରନ୍ତି ?’

ସୁଶୀଳ ମନେ ମନେ ଅମୃତର କଥାକୁ ଖୁବ୍‌ ପସନ୍ଦ କରୁଥାଏ । ସେ କହିଲା, ‘ଧରନ୍ତୁ, ଗୋଟାଏ ଗରିବଘରେ ଆପଣ ବିବାହ କଲେ, ବା ବିବାହ କରିବା ପଛେ ପଛେ ଆପଣଙ୍କ ସ୍ୱାମୀଙ୍କର ଚାକିରୀ ଚାଲିଗଲା । ତେବେ ଆପଣ ତ ତାଙ୍କୁ କିଛି ସାହାଯ୍ୟ କରିପାରନ୍ତେ ।’

 

‘ପଇସା କମେଇ କ’ଣ କେବଳ ସାହାଯ୍ୟ କରିହେବ ? ସାହାଯ୍ୟ କରିବାର କଣ ଅନ୍ୟ ଉପାୟ ନାହିଁ ?’

 

‘ଆପଣ କେଉଁ ସ୍କୁଲରେ ପଢ଼ୁଥିଲେ ?’

 

‘ସେଣ୍ଟ ଟମାସ୍‌ ହାଇସ୍କୁଲରେ ।’

 

‘କେଉଁ କଲେଜରେ ନାଁ ଲେଖାଇଲେ ?’

 

‘ମନକାପୁର କଲେଜରେ ।’

 

‘ତେବେ ଏ ସବୁ କଥା ଆପଣଙ୍କ ସ୍କୁଲ କଲେଜରେ ପଢ଼ା ହୋଇଛି ବୋଧହୁଏ ।’

 

ସ୍କୁଲ କଲେଜରେ ଏ ସବୁ ପଢ଼ା ହୁଏ ନାହିଁ । ସେଠାରେ ଚାକିରୀ କରିବା ନକରିବା କଥା ଚର୍ଚ୍ଚା ହୁଏ ନାହିଁ ।’

 

ହରଭଜନ ସିଂ ଏ ସମସ୍ତ ସମୟ ନୀଳାକୁ ଚାହିଁ ରହିଥାଏ । ନୀଳା ପ୍ରବୋଧ ସାଙ୍ଗରେ ଖୁବ୍‌ ହସଖୁସିରେ ଗପ କରୁଥାଏ । ସୁଶୀଳକୁମାର ମଧ୍ୟ ମଝିରେ ମଝିରେ ନୀଳା ଆଡ଼କୁ ଅନୋଉଥାଏ, କିନ୍ତୁ ତାକୁ ଅମୃତର କଥା ଆହୁରି ରୁଚିକର ବୋଧ ହେଉଥାଏ । ଅମୃତ ଅନାୟାସରେ ଯେପରି ତା’ର ମନର କଥା କହିଯାଉଥାଏ, ତାହା ଶୁଣିବାକୁ ଖୁବ୍‌ ଆନନ୍ଦ ଲାଗୁଥାଏ-। ସେ ତାକୁ ପଚାରିଲା, ‘ସ୍କୁଲ କଲେଜରେ ପାଠର ବାହାରେ ମଧ୍ୟ କିଛି ତ ଶିଖାଯାଏ-?’

 

‘ହଁ ନିଶ୍ଚୟ, ମୁଁ ବହୁତ ଭଲ ରାନ୍ଧିପାରେ, ନୂଆ ନୂଆ ଫେଶନର ଜାମା ପ୍ୟାଣ୍ଟ ପ୍ରଭୃତି ମୁଁ କାଟି ସିଲେଇ କରିପାରେ । ମୁଁ ମଧ୍ୟ ନର୍ସିଂ ଶିଖୁଛି । ତା ଛଡ଼ା ମୁଁ ଗୁରୁମୁଖୀ ଶିଖିଛି ଓ ସଂସ୍କତ ପଢ଼ୁଛି । ଇଂରେଜି ତ ଜାଣେ ।’

 

‘ତୁମେ ତ ଭାରି ଭଲ ଝିଅ, ତୁମର କଥା ମୋତେ ଭାରି ଭଲଲାଗୁଛି ।

 

‘ଆପଣ ତ ଭାଇଙ୍କ ସାଙ୍ଗରେ ପଢ଼ୁଥିଲେ, ନାଁ ?’

 

‘ଏବେ ବି ପଢ଼ୁଛୁ । ଆମେ ବର୍ତ୍ତମାନ ଡାକ୍ତରଖାନାରେ ଶିକ୍ଷାନବିଶ ହିସାବରେ କାମ କରୁଛୁ ।’

 

ଏତିକିବେଳେ ହରଭଜନ ସିଂ ସୁଶୀଳକୁମାରକୁ ପଚାରିଲା, ‘ନୀଳା ପାଖରେ ସେ ଯେଉଁ ଟୋକା ବସିଛି, ସେ କିଏ ?’

 

‘କେହି ହେବ, ମୁଁ ତ ତୁମ ଭଉଣୀ ସାଙ୍ଗରେ ଖୁବ୍‌ ମଜାଗପ ଆରମ୍ଭ କରିଦେଇଛି ।’ ଏହା କହି ସେ ଯେପରି ନୀଳା ସମ୍ବନ୍ଧରେ ତା’ର ନିର୍ଲିପ୍ତତା ଜ୍ଞାପନ କଲା ।

 

ଏତେବେଳକେ ହରଭଜନର ହୋସ ହେଲା । ସେ କହିଲା, ‘ଅମୃତ, ସୁଶୀଳବାବୁ ସଙ୍ଗେ କ’ଣ ଏତେ ବକର ବକର ହେଉଛୁ ?’

 

‘ନାହିଁ, ମୋ ପାଠ କଥା ପଚାରୁଥିଲେ ।’

 

ସୁଶୀଳ କହିଲା, ‘ମୁଁ ୟାକୁ କହିଲି ଆଜିକାଲି ସବୁ ଝିଅମାନେ ପାଠପଢ଼ି ଚାକିରୀ କରି ବା ଅନ୍ୟକିଛି ପ୍ରକାରରେ କିଛି ନା କିଛି ଆୟ କରୁଛନ୍ତି । ୟେତ ଗଣିତ ପଢ଼ୁଛି, କରିବ କଣ ? ଏହାର ଉତ୍ତରରେ ଅମୃତ କହେ ଯେ, ସେ ମନଖୁସିରେ ପଢ଼ୁଛି, ଚାକିରୀ ପାଇଁ ନୁହେଁ । ସେ ଯାହାକୁ ବାହାହବ, ସିଏ ଚାକିରୀ କରିବ ।’

 

ହରଭଜନ ହସି ଦେଇ କହିଲା, ‘ଅମୃତ ସେଇକଥା ମଧ୍ୟ ମୋ ସଙ୍ଗେ କଥାବାର୍ତ୍ତା ହୋଇଛି । ସେ କହେ ଯେ, ବିବାହ ନକଲେ ମଧ୍ୟ ବାବାଙ୍କ ସମ୍ପତ୍ତିରୁ ସେ ଅଧେ ପାଇବ, ମୁଁ ଅଧେ ପାଇବି । ଆଇନ ବଦଳିଗଲାଣି ।’

 

ସୁଶୀଳ କହିଲା, ‘ସବୁ କଥା ତାକୁ ମାଲୁମ ।’

 

କିନ୍ତୁ ଖାଲି କଥା କହିବାରେ !

 

‘ପଢ଼ାରେ କ’ଣ ନୁହେଁ ।’

 

‘ମୁଁ ପଢ଼ା କଥା କହୁନାହିଁ । ମୁଁ ତା ଲୁଗା କଥା କହୁଛି ।’

 

‘ତା ଲୁଗା କଥା କଅଣ ?’

 

‘ଆମ ସମ୍ପ୍ରଦାୟରେ ଏ ପ୍ରକାର ଲୁଗାପିନ୍ଧାକୁ ପସନ୍ଦ କରନ୍ତିନାହିଁ ।’

 

‘କିନ୍ତୁ ତାକୁ ତ ସବୁକଥା ଜଣା ।’

 

‘ହଁ, ସେ ପୁଣି ପାଠ ସାଙ୍ଗେ ସାଙ୍ଗେ ନାଚ ଗୀତ ମଧ୍ୟ ଶୁଣୁଛି ।’

 

‘ଆରେ, ତେବେ ତ ସୁନାରେ ସୋହାଗା । ଆମ ଜାତିରେ ଯେଉଁ ଝିଅ ଏ ଦୁଇଟି କଳା ଜାଣେ ନାହିଁ, ତା’ର ସ୍ଥାନ ନାହିଁ । ମୋ ବାବା ଜୀବନଯାକ ଚାକିରୀ କରି କରି ଚାକିରୀଟାକୁ ଖୁବ୍‌ ବଡ଼ ଦେଖନ୍ତି । ଏବେଠୁଁ ମୋ ପାଇଁ କୌଣସି ଡାକ୍ତରଖାନାରେ ଚାକିରୀ ଠିକଣା କଲେଣି ।’

 

ଏତିକିବେଳେ ଅମୃତ କହିଲା, ‘ସୁଶୀଳବାବୁ ! ମୋ ବଙ୍ଗାଳୀ ନାଚ ଗୀତ ଅନୁଷ୍ଠାନ ଦେଖିବାକୁ ଭାରି ଇଚ୍ଛା ।’

 

‘ଏ ତ ସାଧାରଣ କଥା, ମୁଁ ବନ୍ଦୋବସ୍ତ କରିଦେବି । ମୋ ଭଉଣୀ ରଜନୀକୁ ଜାଣ ?’

 

‘ଆପଣଙ୍କ ସାଙ୍ଗରେ ଆସିଥିଲେ ଦେଖିଥାନ୍ତି । ମୋତେ ଦେଖେଇଲେ କେଉଁଠି ?’

 

‘ଦେଖ, ସେ ନୀଳା ଦେବୀ ପାଖରେ ବସିଛି ।’

 

‘ଚାଲନ୍ତୁ ତାଙ୍କ ସଙ୍ଗେ ଆଳାପ ପରିଚୟ କରିବା ।’

 

ହରଭଜନ ସିଂ ଆଗରୁ ନୀଳାପାଖକୁ ଉଠିଯାଇଥିଲା, ଏ ଦୁହେଁ ଉଠି ସେଠାକୁ ଗଲେ । ଦେଖିଲାବେଳକୁ ହରଭଜନ ସିଂ ନୀଳାଦେବୀଙ୍କୁ ଦୁଇଟା ସୁନାର କାନଫୁଲ ତା’ର ଜନ୍ମଦିନ ଉପଲକ୍ଷେ ଉପହାର ଦେଉଛି ଓ ନୀଳା କହୁଛି, ‘ଆପଣ ଏତେ ଦାମିକା ଜିନିଷ କାହିଁକି ଆଣିଲେ ?

 

‘ତୁମେ ଏହାକୁ ଗ୍ରହଣ କଲ, ଏହି ମୋର ପରମ ସୌଭାଗ୍ୟ ।’ ହରଭଜନ ସିଂ କହିଲା-

 

‘ଏତେ ଦାମୀ ଉପହାର ମୋର ନ ନେବା ଉଚିତ । କେବଳ ଯେ ଦାମୀ ଉପହାର ଦେଲେ, ସ୍ନେହ ପ୍ରକାଶ ହୁଏ, ଏହା ନୁହେଁ । ପୁଣି ଏହାକୁ ଫେରେଇ ଦେଲେ ଆପଣମାନେ ଆହୁରି ବ୍ୟଥିତ ହେବେ । ଚାଲନ୍ତୁ ଦେଖିବେ, ମୋତେ କିଏ କିଏ କି ଉପହାର ଦେଇଛନ୍ତି ।’

 

ଏହି ସମୟରେ ସୁଶୀଳ ତା’ର ଉପହାର ପାର୍କର କଲମଟି ନୀଳାଦେବୀ ହାତରେ ଦେଇଦେଲା । ନୀଳା ହସିକରି ସେ ଉପହାରକୁ ଗ୍ରହଣ କଲା ଏବଂ ଉଭୟଙ୍କୁ ଅନ୍ୟାନ୍ୟ ଉପହାର ସବୁ ଦେଖେଇବା ପାଇଁ ଘର ଭିତରକୁ ଡାକିନେଲା ।

 

ନୀଳା, ହରଭଜନ ସିଂ ଓ ସୁଶୀଳକୁମାର ଉପହାର ଦେଖିବାକୁ ଗଲାରୁ ଅମୃତ ଓ ସୁଶୀଳର ଭଉଣୀ ରଜନୀ ମଧ୍ୟ ସେମାନଙ୍କ ପଛେ ପଛେ ଗଲେ । ସେମାନେ ସମସ୍ତେ ଗୋଟାଏ ଆଡ଼କୁ ଯିବାର ଦେଖି ନିମନ୍ତ୍ରିତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିମାନେ ସେହିଆଡ଼କୁ ଅନେଇଲେ । ଘରଭିତରେ ସମସ୍ତ ଉପହାରଗୁଡ଼ିକ ଗୋଟାଏ ଟେବୁଲ ଉପରେ ସଜା ହୋଇ ଥୁଆ ହୋଇଥିଲା । ସୁଶୀଳ ସେଠାରେ ଦାମୀ ଦାମୀ ଉପହାର ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏ ସବୁ ନୀଳାର ପିତା ଡାକ୍ତର ରାଧାକୃଷ୍ଣଙ୍କ ଖ୍ୟାତି ଓ ଲୋକପ୍ରିୟତାର ନିଦର୍ଶନ ।

 

(୧୩)

 

ସୁଶୀଳର ମା ଉଠି ନୀଳରତନ ବାବୁଙ୍କ ପାଖରେ ଯାଇଁ ବସିଲେ । ସେ ଓ ଡାକ୍ତର ରାଧାକୃଷ୍ଣ ବସି କଥାବାର୍ତ୍ତା କରୁଥିଲେ । ନୀଳରତନ ବାବୁ ସୁଶୀଳର ଭବିଷ୍ୟତ ବିଷୟରେ ରାଧାକୃଷ୍ଣଙ୍କୁ କହିଲେ, ‘ମୁଁ ଯେପରି ଦେଖୁଛି ସହରରେ ଡାକ୍ତର ଭରି ଗଲେଣି । ନୂଆ ଡାକ୍ତର ଦୋକାନ ଖୋଲି ପ୍ରସାର କମେଇବା ବଡ଼ କଷ୍ଟସାଧ୍ୟ ।’ ତେଣୁ ସେ ସୁଶୀଳକୁ କୌଣସି ଏକ ଡାକ୍ତରଖାନାରେ ଚାକିରୀ କରେଇଦେବାକୁ ବସିଛନ୍ତି । ଡାକ୍ତର ରାଧାକୃଷ୍ଣ ମଧ୍ୟ ମତ ଦେଲେ ଯେ, ପ୍ରଥମ ଅବସ୍ଥାରେ ପ୍ରତ୍ୟେକ ଡାକ୍ତରର କିଛିଦିନ ଡାକ୍ତରଖାନାରେ ରହିବା ଉଚିତ; କାରଣ ତାହାର ଅଭିଜ୍ଞତା ବଢ଼ିବ । ସମସ୍ତେ ତ ଆଉ ସହରରେ ରହିବେ ନାହିଁ । କେତେକ ଯାଇଁ ମଫସଲରେ ଖୋଲିବେ । ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ଥିବା ଦରକାର ।

 

ନୀଳରତନ ବାବୁ କହିଲେ, ‘ମୋ ବିଚାରରେ ସମସ୍ତେ ପ୍ରଥମେ ଚାକିରି ଖୋଜିବା ଦରକାର । ଚାକିରି ନ ମିଳିଲେ ତାପରେ ସହରରେ ରହି କାମ କରିବାକୁ ହେବ, ସେଠାରେ ଯଦି ସୁବିଧା ନ ହୁଏ ତେବେ ଯାଇଁ ମଫସଲରେ କାମ କରିବାକୁ ହେବ ।’

 

‘ଯେଉଁ ଡାକ୍ତର ପଢ଼ିଲାବେଳେ ଦୁଇଶହ ଅଢ଼େଇଶହ ଟଙ୍କା ଖର୍ଚ୍ଚ କରି କଲେଜରେ ପଢ଼ିଥିବ ସେ ଯାଇଁ ପୁଣି ଗାଁରେ କାମ କରି ପାରିବ ତ ?’

 

‘ନିଶ୍ଚୟ କରିବ, କାରଣ ଯାହାକୁ ଚାକିରୀ ଓ ତା ପଛରେ ସହରରେ କାମ କରିବାର ସୁବିଧା ନ ମିଳିବ ସେ ବାଧ୍ୟ ହୋଇ ଗାଁକୁ ଯିବ ।’

 

ସୁଶୀଳର ମା ଏତେବେଳଯାଏ ବସି ଶୁଣୁଥିଲେ ଦୁହିଁଙ୍କର କଥା । ଏହିଠାରେ ସେ ଆରମ୍ଭ କଲା, ‘ଦେଖନ୍ତୁ ଡାକ୍ତର ବାବୁ ! ସୁଶୀଳର ବିବାହ ପ୍ରସ୍ତାବ ବାବୁ ମନମୋହନ ସରକାରଙ୍କ ଝିଅ ସାଙ୍ଗରେ ପଡ଼ିଛି । ତାଙ୍କର ଇଚ୍ଛା ତାଙ୍କ ଜ୍ୱାଇଁ ଲକ୍ଷ୍ନୌ ଛାଡ଼ି ବାହାରକୁ ନ ଯାଉ । ଏହିଠାରେ କିଛି ଦିନ ଚାକିରୀ କରି ସେ ତା’ର ବ୍ୟବସାୟ ଏହିଠାରେ ଜମାଉ ।’ ଏହା କହିବାର ଉଦ୍ଦେଶ୍ୟ ତାଙ୍କର ସୁଷ୍ପଷ୍ଟ । କାରଣ ନୀଳାର ବାପ ମା ଜାଣିପାରିବେ ଯେ ସୁଶୀଳର ବିଭାଘର ମନମୋହନ ବାବୁଙ୍କ ଘରେ ସ୍ଥିର ହୋଇଗଲାଣି ।

ଏଣେ ହରଭଜନ ସିଂ ନୀଳାକୁ ମିଳିଥିବା ଉପହାରସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲାଣି-। ତା’ର ବିଶ୍ୱାସ ଥିଲା, ତା’ ଛଡ଼ା ନୀଳାକୁ ବିବାହ କରିବାକୁ ହୁଏ ତ ଆଉ କେହି ପ୍ରାର୍ଥୀ ନାହାନ୍ତି । କିନ୍ତୁ ଯେତେବେଳେ ସେ ଦେଖିଲା ଯେ ସୁଶୀଳ ନିଜେ ଗୋଟିଏ ଦାମୀ କଲମ ଉପହାର ଦେଇଛି, ତା’ର ସୁଶୀଳ ଉପରେ ସନ୍ଦେହ ହେଲା । ପୁଣି ସେମାନେ ସେହିଠାରେ କଥାବାର୍ତ୍ତା ହେଉଛନ୍ତି, ନୀଳାର ପିତା ଡାକ୍ତର ରାଧାକୃଷ୍ଣ ଆଉ ଜଣେ ଯୁବକକୁ ସାଙ୍ଗରେ ଧରି ଆସି ନୀଳାକୁ କହିଲେ, ‘ନୀଳା ଦେଖ୍‌, ଏ ତୋ ପାଇଁ କଣ ଆଣିଛନ୍ତି ।’

ଆଣିଥିବା ଜିନିଷଟି ଗୋଟିଏ ଉଲ୍‌ର ଓଭରକୋଟ । ବେକ ଚାରିପାଖେ କୌଣସି ଲୋମଶ ପ୍ରାଣୀର ଲୋମର କଲର ଦିଆଯାଇଛି ଓ ଧଡ଼ିରେ ମଧ୍ୟ ସେହିପରି ଆଉ ପ୍ରକାରେ ଲୋମ ବ୍ୟବହାର କରାଯାଇଛି ।

ନୀଳା ନବାଗତ ଯୁବକଟିକୁ ଟିକିଏ କୌତୁହଳପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା । ଡାକ୍ତର ରାଧାକୃଷ୍ଣ ଏ ଚାହାଣୀର ଅର୍ଥ ବୁଝିପାରି କହିଲେ, ‘ନୀଳା, ତୁ ୟାଙ୍କୁ ଚିହ୍ନି ପାରୁନାହୁଁ, ସେ ମୋର ବନ୍ଧୁ ଶ୍ରୀଚରଣଙ୍କ ପୁଅ ରାମଚରଣ । ବର୍ତ୍ତମାନ କାଶ୍ମୀରରେ ଜଙ୍ଗଲ ବିଭାଗରେ ରେଞ୍ଜର ।’

‘ଓଃ ଚିହ୍ନିଲି, ଚିହ୍ନିଲି । ବହୁତ ଦିନ ଧରି ଆପଣଙ୍କ ସଙ୍ଗେ ଦେଖା ହୋଇ ନଥିଲା । ମୁଁ ବୋଧହୁଏ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲାବେଳେ ଆପଣଙ୍କ ସହିତ ଶେଷ ଦେଖା ହୋଇଥିଲା ।’

 

‘ଖୁବ୍‌ ମନେରଖିଛ ନୀଳା । ୟା ମଧ୍ୟରେ ବାରବର୍ଷ, ଗୋଟାଏ ଯୁଗ ବିତିଗଲାଣି । ତିନିଫୁଟ ନୀଳା ବର୍ତ୍ତମାନ ଆସି ପାଞ୍ଚଫୁଟ ଛଅଇଞ୍ଚର ହେଲାଣି । ରାମ କାନ୍ଧରେ ଡେଇଁବା ନୀଳା ଆଜି ଡାକ୍ତର ନୀଳାରେ ପରିଣିତ ହେଲାଣି ।

 

‘ଆଉ ଆପଣ ମଧ୍ୟ ବର୍ତ୍ତମାନ ଅଫିସର ହୋଇଗଲେଣି ।’

 

‘ହଁ, ବଣ ଜଙ୍ଗଲରୁ ଜନ୍ତୁ ତଡ଼ିବା ଅଫିସର ।’

 

ଡାକ୍ତର ରାଧାକୃଷ୍ଣ ସମସ୍ତଙ୍କୁ ପୁଣି ଚା’କୁ ଡାକିଲେ । ସମସ୍ତେ ତ ଆସିଥିଲେ, ପୁଣି ଯେତେବେଳେ ନୀଳା ନିଜେ ତିଆରି କରିଥିବା ଚା ସମସ୍ତଙ୍କ ହାତକୁ କପେ କପେ ଦେବାକୁ ଆରମ୍ଭ କଲା, କେହି ନାସ୍ତି କରିପାରିଲେ ନାହିଁ ।

 

(୧୪)

 

ହରଭଜନ ସିଂ ବଡ଼ ଅଡ଼ୁଆରେ ପଡ଼ିଛି । ନୀଳାର ବିବାହପ୍ରାର୍ଥୀ ଏତେ ଲୋକ ହେବେ ବୋଲି ତା’ର କଳ୍ପନା ନ ଥିଲା । ସେ କିନ୍ତୁ ନିଜକୁ ନୀଳାର ସବୁଠାରୁ ଯୋଗ୍ୟ ପାତ୍ର ବୋଲି ମନେ କରୁଥିଲା । ସେ ଲକ୍ଷପତିର ଏକମାତ୍ର ପୁଅ, ପୁଣି ଏମ୍‌.ବି.ବି.ଏସ.ରେ ପ୍ରଥମ ସ୍ଥାନ ଅଧିକାର କରି ସର୍ଜରୀରେ ବିଶେଷ ଜ୍ଞାନ ଅର୍ଜନ କରିବାକୁ ବିଦେଶ ଯିବାକୁ ବସିଛି । ଲମ୍ବା, ଚୌଡ଼ା ଚେହେରା ମଧ୍ୟ ଦେଖିଲା ପରି । ନୀଳାର ଯଦି ଟିକିଏ ହେଲେ ଅକଲ ଥାନ୍ତା ତେବେ ସେ ହରଭଜନ ସିଂ ଛଡ଼ା କାହାକୁ ଯୋଗ୍ୟବୋଲି ବିବେଚନା କରନ୍ତା ନାହିଁ ।

 

ସେ ଗୋଟି ଗୋଟି କରି ପ୍ରବୋଧ, ସୁଶୀଳ ଓ ଏହି ନବାଗତ ରାମଚରଣଟିକୁ ନିଜ ସହିତ ନିକିତିରେ ତଉଲି ନେଲା । କାହିଁ, କେଉଁ ଗୁଣରେ ତ ସେ କମ ନୁହେଁ ବରଂ ସମସ୍ତଙ୍କଠାରୁ ଉପରେ । ସେ ମନେ କଲା, ଡାକ୍ତର ରାଧାକୃଷ୍ଣଙ୍କର ନୀଳାର ଏ ଜନ୍ମଦିନ ଉତ୍ସବ ପାଳନ କେବଳ ନୀଳା ନିଜଲାଖି ଗୋଟିଏ ପାତ୍ର ଯେପରି ସହଜରେ ବାଛିପାରିବ ସେହି ଉଦ୍ଦେଶ୍ୟରେ କରାଯାଇଛି-। ନୀଳା ସହିତ ସେହି ଭୋଜିରେ ପଦେକଥା ଏକାନ୍ତରେ କହିନେବ ବୋଲି ଚେଷ୍ଟା କରି ସେ ବିଫଳ ହେଲା । ହରଭଜନ ସିଂ କିନ୍ତୁ ଛାଡ଼ିବାର ପାତ୍ର ନୁହେ । ସେ ନୀଳା ସହିତ କଥାବାର୍ତ୍ତାର ସୁଯୋଗ ନପାଇ ସିଧା ସଳଖ ତା ବାପା ଡାକ୍ତର ରାଧାକୃଷ୍ଣଙ୍କ ସହତି ଆରମ୍ଭ କରି ଦେଲା । ସେ ଆରମ୍ଭ କଲା, ‘ଡାକ୍ତର ସାହେବ, ଆଜି ଆପଣଙ୍କର ଆୟୋଜନ ଖୁବ୍‌ ସୁନ୍ଦର ଓ ସଫଳ ହୋଇଛି । ତେଣୁ ଆପଣଙ୍କୁ ଧନ୍ୟବାଦ ।’

 

‘ସେ ଆପଣଙ୍କର ହୃଦୟତାର ପରିଚୟ ଦେଉଛି । ଆପଣ ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟକରି ଏ ନିମନ୍ତ୍ରଣରେ ଯୋଗ ଦେଇ ଯେଉଁସବୁ ମୂଲ୍ୟବାନ ଉପହାରମାନ ମୋ ନୀଳାକୁ ଦେଇଛନ୍ତି, ସେଥିପାଇଁ ମୁଁ କୃତଜ୍ଞ ।’

 

‘ମୁଁ କିନ୍ତୁ ଆପଣଙ୍କ ସହିତ ଗୋଟାଏ ଅତି ଆବଶ୍ୟକୀୟ ବିଷୟରେ ପଦେ ଅଧେ କଥାବାର୍ତ୍ତା ହେବି ।’

 

‘କୁହନ୍ତୁ’

 

‘ମୁଁ ନୀଳାସହିତ ବିବାହ କରିବାକୁ ଇଚ୍ଛୁକ, ସେ କିନ୍ତୁ ଆପଣଙ୍କ ଇଚ୍ଛାବିରୁଦ୍ଧରେ କିଛି କରିବାକୁ ନାରାଜ, ତେଣୁ ମୁଁ ବାଧ୍ୟ ହୋଇ ଏ ପ୍ରସ୍ତାବ ଆପଣଙ୍କ ଆଗରେ ଥୋଉଛି ।’

 

‘କୁହନ୍ତୁ ।’

 

‘ଦେଖନ୍ତୁ, ମୋର ବାପାଙ୍କର ସମ୍ପତ୍ତିର ଆୟ ବର୍ତ୍ତମାନ ମାସିକ ପଚିଶି ହଜାର ଟଙ୍କାର ସେପାଖକୁ ଗଲାଣି । ମୁଁ ବାପାଙ୍କର ଏକମାତ୍ର ପୁତ୍ର ।

 

‘ମୁଁ ଏମ୍‌:ବି:ବି:ଏସ୍‌:ରେ ପ୍ରଥମ ହୋଇଛି ।

 

‘ମୁଁ ବର୍ତ୍ତମାନ ଡାକ୍ତର ରଶୀଦଙ୍କ ପାଖେ ଶିକ୍ଷାନବିଶରୂପେ କାମ କରୁଛି ।

 

‘ମୁଁ ମୋ ଦୋକାନ ଓ କ୍ଳିନିକ୍‌ ପାଇଁ ଅମିନୁଦୌଲା ପାର୍କ ପାଖରେ ଗୋଟାଏ ବିରାଟ ଦୋକାନ ଭଡ଼ା ନେଇଛି ।

 

‘ମୁଁ ନୀଳାକୁ ଭଲପାଏ, ଏହା ମଧ୍ୟ ତାକୁ ଭଲଭାବରେ ଜଣା ।’

 

ଏତିକି କହି ସେ ଅଟକିଲା ଓ ରାଧାକୃଷ୍ଣଙ୍କ ମୁହଁକୁ ଅନେଇ ତାଙ୍କର ମନୋଭାବ ଜାଣିବାପାଇଁ ଚେଷ୍ଟା କଲା । ଡାକ୍ତର ସାହେବ ହରଭଜନ ସିଂ ଚୁପ କରିବାରୁ କହିଲେ, ‘ଆପଣ ନୀଳା ସହିତ ଏ ବିଷୟରେ ଆଲୋଚନା କରିଛନ୍ତି ?’

 

‘ପ୍ରାୟ କଥାବାର୍ତ୍ତା ହୋଇସାରିଛି, କିଛି ପକ୍‌କା ଜବାବା ପାଇନାହିଁ ।’

 

‘ସରଦାର ହରଭଜନ ସିଂ, ମୁଁ ଆଜି ଚାରୋଟି ପାତ୍ରଙ୍କ କଥା ନୀଳାକୁ କହିଛି, ଆପଣ ହେଲେ ପଞ୍ଚମ । ମୁଁ ଚାରିଜଣଙ୍କୁ ଯାହା କହିଛି ଆପଣଙ୍କୁ ମଧ୍ୟ ସେଇଆ କହୁଛି । ମୁଁ ଆପଣମାନଙ୍କର କଥା ଗୋଟି ଗୋଟି କରି ନୀଳାକୁ କହିବି । କିନ୍ତୁ ବାଛିବାର ଦାୟିତ୍ୱ ତା’ର । ସେ ଯଦି ଆପଣଙ୍କୁ ବାଛେ, ତେବେ ମୁଁ କାଳବିଳମ୍ବ ନକରି ଆପଣଙ୍କୁ ତା’ର ମତାମତ ଯଥାସମୟରେ ଜଣେଇଦେବି ।’

 

ଏକଥା ଶୁଣି ହରଭଜନ ସିଂକୁ ତା’ର ଗୋଡ଼ତଳୁ ମାଟି ଭୁଷୁଡ଼ି ପଡ଼ିଲା ପରି ଜଣାଗଲା-। ସେ ତ ବହୁଚିନ୍ତାକରି ତିନିଜଣ ପ୍ରାର୍ଥୀଙ୍କ ଠିକଣା ପାଇଥିଲା । ପୁଣି ଏ ଚତୁର୍ଥଟି କିଏ ? ସେ ଆଉ ସମ୍ଭାଳି ନପାରି କହିପକେଇଲା, ‘ମୁଁ ଚତୁର୍ଥ ପ୍ରାର୍ଥୀଟିର ନାମ ଜାଣିପାରେ କି ?’

 

‘କାହାରି ନାଁ ବଢ଼େଇବାଟା ମୁଁ ଠିକ୍‌ ମନେ କରୁନାହିଁ । ତେବେ ଆପଣ ଓ ସୁଶୀଳ ଏ ଦୁଇଜଣ ତା’ ଭିତରେ ଅଛନ୍ତି–ଏଥିରେ ସନ୍ଦେହ ନାହିଁ । ଆପଣ ସମ୍ଭବପର କେତୋଟି ନାଁ କହିଦିଅନ୍ତୁ । ତା’ ଭିତରୁ ମୁଁ ହଁ ବା ନାଁ କହି ବାକୀ ତିନିଜଣ ପ୍ରାର୍ଥୀଙ୍କ ନାମ ସୂଚାଇ ଦେବି ।’

 

ହରଭଜନ ଦେଖିଲା, ଏହାହିଁ ଉପଯୁକ୍ତ ଅବସର ।

 

ସେ କହିଲା, ‘ସୁଶୀଳ କୁମାରର ନାଁ ସେଥିରେ ଅଛି କି ?’

 

‘ନାହିଁ, କାହିଁ ମୁଁ ତ ତା’ ନା ଜାଣିନାହିଁ । ମୁଁ ସନ୍ଦେହ କରୁଥିଲି । କିନ୍ତୁ, ନୀଳା ମୋତେ ସେ ବିଷୟରେ କିଛି କହିନାହିଁ ।’

 

ହରଭଜନ ପୁଣି ଅଡ଼ୁଆରେ ପଡ଼ିଲା । ନଜାଣିବା ଲୋକ ଜଣେ ଥିଲା । ଏବେ ଦୁଇଜଣ ହେଲା । ସେ ପୁଣି ପଚାରିଲା, ‘ଆଜ୍ଞା, ପ୍ରବୋଧ ନିଶ୍ଚୟ ସେଥିରୁ ଜଣେ ।’

 

‘ହଁ, ସେ ଜଣେ ।’

 

‘ଦ୍ୱିତୀୟ ଜଣଙ୍କ ରାମଚରଣ ନୁହେଁ ତ ?’

 

‘ନା, ସେ ନୀଳାକୁ ଭଉଣୀପରି ମାନେ ।’

 

‘ତେବେ, ଆଉ ପୁଣି କିଏ ରହିଲା ?’

 

‘ଅନୁମାନ କର ।’

 

ୟାଠାରେ ବେଶି ଦୂର ଯିବା ହରଭଜନ ସିଂପକ୍ଷେ ଅସମ୍ଭବ ହୋଇପଡ଼ିଲା । ସେ କଥା ବଦଳେଇ କହିଲା- ‘ସେ ଯେକେହି ହୁଅନ୍ତୁ, ଏକଥା କିନ୍ତୁ ସତ ଯେ ନୀଳାକୁ ଆପଣ ଯେତେ ସ୍ୱାଧୀନତା ଦେଲେ ମଧ୍ୟ, ସେ ଆପଣଙ୍କ ସମ୍ମତି ନେଇ ତା’ର ମତାମତ ସ୍ଥିର କରିବ । ତେଣୁ ଆପଣଙ୍କ ପାଖରେ ମୁଁ ମୋ ନିବେଦନ ଜଣାଉଛି । ଆଶାକରେ, ଆପଣ ଅନୁକୂଳ ମତ ଦେବେ ।’

 

‘ମିଷ୍ଟର ହରଭଜନ ସିଂ ! ନୀଳା ବିଷୟରେ ଆପଣଙ୍କର ଅନୁମାନ ଠିକ୍‌ । ସେ ନିଶ୍ଚୟ ମୋର ମତାମତ ଲୋଡ଼ିବ । କିନ୍ତୁ ଆପଣ ଆପଣଙ୍କ ଯୋଗ୍ୟତା ବିଷୟରେ ଯେଉଁ କେତୋଟି କଥା ମୋତେ କହିଲେ ମୋ ମତରେ ମତାମତ ସ୍ଥିର କରିବାପାଇଁ ତାହା ଯଥେଷ୍ଟ ନୁହେଁ ।’

 

‘ପଚାରନ୍ତୁ, ଅନ୍ୟ କେଉଁବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ।’

 

‘ଦେଖନ୍ତୁ, ମୁଁ ପ୍ରବୋଧକୁ ଏହି ପ୍ରଶ୍ନ ସିଧାସଳଖ ପଚାରିଥିଲି ।’ ମୁଁ ପଚାରିଲି, ପ୍ରବୋଧ, ତୁମେ ତ ନାସ୍ତିକ, ତୁମର ସ୍ତ୍ରୀ ତୁମ ଘରେ ଗୋଟାଏ ଦେବଦେବୀ ସ୍ଥାପନା କରିଦିଏ ତେବେ ତୁମେ କ’ଣ କରିବ ?

 

‘ସେ ତାର ଉତ୍ତର ଦେଇ ପାରିଲା ନାହିଁ । ମୁଁ କହିଲି, ଦେଖ ପ୍ରବୋଧ ! ପ୍ରଥମେ ତୁମ ମନକୁ ସ୍ଥିର କର । ଗାର୍ହସ୍ଥ୍ୟ ଜୀବନ ଏକ ସଂଯୁକ୍ତ ଜୀବନ । ଏକରୁ ଅଧିକ ପ୍ରାଣୀ ଯେଉଁଠି ଏକାଠି ଚଳନ୍ତି ତାକୁ ପରିବାର କୁହାଯାଏ । ଗୃହସ୍ଥି ତଥା ପରିବାର, ଏସବୁ ପର୍ଯ୍ୟାୟ ବାଚକ ଶବ୍ଦ । ଏକା ରହିବାର ଗୋଟାଏ ନିୟମ ଅଛି । ଏହି ନିୟମରେ ସହିଷ୍ଣୁତା, ସହୃଦୟତା ଓ ପରସ୍ପର ବୁଝାମଣା ଏ ତିନୋଟି ଗୁର ସର୍ବାଦୌ ଆବଶ୍ୟକ । ଧନ, ଖ୍ୟାତି, ବୁଦ୍ଧି ଓ ବିକାଶ-ସେ ତ ଆସିବ ଯିବ । ଗ୍ରାର୍ହସ୍ଥ୍ୟ ଜୀବନ ଉପରେ ତା’ର କୌଣସି ପ୍ରଭାବ ପଡ଼ିବ ନାହିଁ ।’

 

ଏତେଗୁଡ଼ାଏ କଥା ପାଇଁ ହରଭଜନ ପ୍ରସ୍ତୁତ ନଥିଲା । ଏ ସବୁ ତତ୍ତ୍ୱ କଥା । ତେଣୁ ସେ ଚିନ୍ତା କରିବାର ଦେଖି ପୁଣି ଡାକ୍ତର ରାଧାକୃଷ୍ଣ ପଚାରିଲେ, ‘ଧରନ୍ତୁ ଆପଣଙ୍କର ପୁଅ ହେବ, ଆପଣଙ୍କ ପତ୍ନୀ ଯଦି ତାକୁ କେଶଧାରୀ ଶିଖ୍‌ କରିବାକୁ ନାରାଜ ହୁଅନ୍ତି, ତେବେ ?’

 

ଏ ପ୍ରଶ୍ନ ଏଡ଼େ ସିଧାସଳଖ ଓ ନଗ୍ନ ହେଲା ଯେ, ହରଭଜନକୁ ଆଉ ବୁଝେଇବାକୁ ପଡ଼ିଲା ନାହିଁ । ସେ କହିଲା, ‘ମୁଁ ଆପଣଙ୍କ କଥା ବୁଝିଲି । ଏହାର ଉତ୍ତର ମୁଁ ବୁଝି ବିଚାରି ଦେବି । କାରଣ ଏହା କେବଳ ମୋର ଚିନ୍ତା ବା ଭାବନାଦ୍ୱାରା ସମ୍ଭବ ନୁହେଁ । ମୋତେ ମୋର ପିତାମାତା ଓ ଅନ୍ୟାନ୍ୟ ଜ୍ଞାତିସ୍ୱଜନଙ୍କ ସହିତ ବିଚାର କରିବାକୁ ହେବ ।’

 

‘ଠିକ୍‌ କଥା । ମୁଁ ଉଦାହରଣସ୍ୱରୂପ ଗୋଟାଏ କଥା ଆପଣଙ୍କୁ କହିଦେଲି । ସେ କଥା ନ ହୋଇପାରେ, ହୁଏତ ଅନ୍ୟ କୌଣସି କଥା ଉପରେ ଆପଣ ଦୁଇଜଣଙ୍କ ମଧ୍ୟରେ ବିଚାରର ସ୍ୱତନ୍ତ୍ରତା ଜାତ ହେବାର ଅବକାଶ ପଡ଼ିପାରେ । ତେଣୁ ଭଲଭାବେ ଭାବି ଉତ୍ତର ଦେବାକୁ ହେବ ।’

 

(୧୫)

 

ସୁଶୀଳ ମଧ୍ୟ ସେଦିନ ଚା ଭୋଜୀକୁ ଆସିଲାବେଳେ ମନେ ମନେ ଭାବିଥିଲା, ନୀଳା ସହିତ ତା’ର ବିବାହର ଗୋଟାଏ ଶେଷ ସମାଧାନ ସେହିଠାରେ କରିବ ବୋଲି । କିନ୍ତୁ ଅମୃତ ସହିତ ତା’ର ଦେଖା ଓ କଥାବାର୍ତ୍ତା ଫଳରେ ତାର ସେ ଭାବନାରେ ଗୋଟାଏ ମସ୍ତ ପରିବର୍ତ୍ତନ ଦେଖାଦେଲା ।

ତା’ଆଖିରେ ଅମୃତ ନୀଳାଠାରୁ ଆହୁରି ସୁନ୍ଦରୀ ଓ ଗୁଣବତୀ ବୋଲି ମନେହେଲା । ସେ ଯେତେବେଳେ ନୀଳାକୁ ତା’ର କଲମଟି ଭେଟି ଦେଇ ଅନ୍ୟମାନଙ୍କ ଭେଟି ଜିନିଷମାନ ଦେଖି ଘରଭିତରୁ ବାହାରି ଆସିଲା, ଦେଖିଲା ହରଭଜନ ସିଂ ଡାକ୍ତର ରାଧାକୃଷ୍ଣଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ । ରଜନୀ ଓ ଅମୃତ କେତେବେଳୁ ଆସି ବାହାରେ ବସି ଆପଣା ଆପଣା ମଧ୍ୟରେ କଥାବାର୍ତ୍ତାରେ ବ୍ୟସ୍ତ । ସୁଶୀଳ ସେମାନଙ୍କ ପାଖରେ ପହଞ୍ଚିବାରୁ ଅମୃତ କହିଲା, ‘ଭାରି ସୁନ୍ଦର କଲମ ଆପଣ ଉପହାର ଦେଲେ । ତା’ର ଦାମ କେତେ ?’

ସୁଶୀଳ କହିଲା, ‘ପଞ୍ଚାଅଶୀ ଟଙ୍କା । ମୁଁ ଆଉ ନୀଳା ଏକ ସାଙ୍ଗରେ ପାଞ୍ଚବର୍ଷ ପଢ଼ିଲୁ । ଏବେ ମଧ୍ୟ ଏକାଠି କାମ କରୁଛୁ । ଏହା ପରେ କିଏ କୁଆଡ଼େ ଯିବ ଠିକଣା ନାହିଁ । ଆମର ଏତେଦିନର ସ୍ମୃତିସ୍ୱରୂପ ଏ କଲମଟି ମୁଁ ତାକୁ ଉପହାର ଦେବା ଠିକ୍‌ ମନେକଲି ।’

‘ମୁଁ ମନେ କରିଥିଲି ଆପଣ ମଧ୍ୟ ନୀଳା ଦେବୀଙ୍କୁ ବିବାହ କରିବାକୁ ଜଣେ ପ୍ରାର୍ଥୀ । ଭାଇ ତ ଆଜି ମାଙ୍କୁ କହି ଗୋଟିଏ ସୁନ୍ଦର କାନଫୁଲଯୋଡ଼ା ନୀଳା ଦେବୀଙ୍କ ପାଇଁ ଉପହାର ଆଣିଥିଲେ । ସେ ଆଜି ଏଠାରେ ନୀଳା ଦେବୀଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ଆଣିବେ ।’

‘ଏକଥା କଣ ତୁମ ଭାଇ ତୁମକୁ କହୁଥିଲେ ?’ ସୁଶୀଳ ‘ଆପଣ’ ଛାଡ଼ି ‘ତୁମେ’ କହିବାକୁ ଆରମ୍ଭ କଲାଣି ।

‘ନାହିଁ, ମୋତେ କହୁ ନ ଥିଲେ ଯେ, ମାଙ୍କୁ କହିଲା ବେଳେ ମୁଁ ଶୁଣିଛି ।’

‘ତୁମେ କ’ଣ ଭାବୁଛ ନୀଳା ତୁମ ଭାଉଜଯୋଗ୍ୟ ହେବ ?’

‘ମୁଁ ତ ତାଙ୍କୁ ଭଲଭାବରେ ଜାଣେ ନାହିଁ, ଥରେ ଦୁଇଥର ଦେଖିଛି ମାତ୍ର । ତେବେ ଭାଇଙ୍କର ଯେତେବେଳେ ପସନ୍ଦ ହୋଇଛି ଆମର କହିବାର କିଛି ନାହିଁ ।’

‘ସେ ତ ତୁମପରି ସୁନ୍ଦରୀ ନୁହନ୍ତି ।’

ଅମୃତ ଲାଜରେ ଲାଲ ପଡ଼ିଯାଇ ହସିକରି କହିଲା, ‘ମୁଁ ସୁନ୍ଦରର ଅର୍ଥ ବୁଝେନାହିଁ । ସେ ମୋଠାରୁ ଅଧିକ ପଢ଼ିଛନ୍ତି, ଦେଖିବାକୁ ମଧ୍ୟ ବେଶ ଲମ୍ବା ଚୌଡ଼ା । ମୋତେ ସେ ଭାରି ଭଲ ଲାଗୁଛନ୍ତି ।’

‘ସେ ତ ଭଲ, ଏଥିରେ ସନ୍ଦେହ ନାହିଁ । ତୁମେ କିନ୍ତୁ ନିଜ ବିଷୟରେ ଖୁବ୍‌ କମ ଜାଣ । ତୁମ ଘରେ ତୁମ ରୂପ ଓ ଗୁଣର ଆଦର କରିବା ଲୋକ ବୋଧହୁଏ ନାହାନ୍ତି ।’

‘ମୋର ଇଚ୍ଛା ତୁମର ଗୀତ ନାଟ ଯେଉଁଠି ହେଉଛି, ସେଠାକୁ ଥରେ ଯିବାକୁ । ସେଠାରେ ଯଦି ତୁମର କୃତିତ୍ତ୍ୱ ଦେଖେ, ତେବେ ମୋ ମନରେ ତୁମ ପ୍ରତି ଯେଉଁ ଉଚ୍ଚଧାରଣା ହୋଇଛି ତାହା ସମ୍ପୂର୍ଣ୍ଣ ଦୃଢ଼ୀଭୂତ ହେବ ।’

ଅମୃତର ଏପରି ପ୍ରଶଂସା କେହି କେବେ ତା’ ମୁହଁରେ କରିନଥିଲେ । ତା’ର ନୃତ୍ୟ ଓ ସଂଗୀତରେ ରୁଚି ଥିଲା ଏକଥା ସତ । ତା’ର ଶିକ୍ଷକ ମଧ୍ୟ ଏ କଳାରେ ତା’ର ଉଜ୍ଜଳ ଭବିଷ୍ୟତର ସୂଚନା ବରାବର ଦେଇ ଆସିଛନ୍ତି । କିନ୍ତୁ ଏହାଦ୍ୱାରା ଯେ କାହା ମନରେ ତା’ ପ୍ରତି ଉଚ୍ଚଧାରଣା ହେବ ଏବଂ ସେ ଏଡ଼େ ସୁନ୍ଦରୀ ବୋଲି ପ୍ରଶଂସା ପାଇବ ଏହା ସେ ସୁଶୀଳଠାରୁ ପ୍ରଥମେ ଶୁଣିଲା । ତା ମନରେ ଏଥିପାଇଁ ପ୍ରଥମ ସ୍ପନ୍ଦନ ଆସିଲା ।

 

ସେ କହିଲା, ‘ଆପଣ ଏପରି ଥରେ ବନ୍ଦୋବସ୍ତ କରନ୍ତୁ, ଯେଉଁଠି ମୁଁ ଆପଣଙ୍କର ବଙ୍ଗୀୟ କଳା ଦେଖିବାର ସୁଯୋଗ ପାଇବି ଓ ମୋର ଯତ୍‌କିଞ୍ଚିତ୍‌ ବିଦ୍ୟା ମଧ୍ୟ ଦେଖେଇ ଆପଣମାନଙ୍କୁ ଆପ୍ୟାୟିତ କରି ପାରିବି ।’

 

‘ତେବେ କଥା ରହିଲା, ମୁଁ ଏହାର ବନ୍ଦୋବସ୍ତ କରୁଛି । ଆମର ଗୋଟିଏ ନାଟକ ଦଳ ଅଛି । ତାହାର କୌଣସି ଏକ ବିଶେଷ ଉତ୍ସବର ଆୟୋଜନ ହେଲେ ମୁଁ ତୁମକୁ ସେଠାକୁ ଡାକିବି ।’

 

ସେ ସୁଯୋଗ ଖୁବ୍‌ ଶୀଘ୍ର ଆସିଲା । ନୀଳାର ଜନ୍ମଦିନ ଉତ୍ସବର ମାସକ ମଧ୍ୟରେ ଥରେ ବଙ୍ଗୀୟ ନାଟକ ଦଳର ଗୋଟିଏ ବିଶେଷ ଉତ୍ସବର ଆୟୋଜନ ହେଲା । କବିଗୁରୁ ରବିନ୍ଦ୍ରନାଥଙ୍କ ଜନ୍ମ ଦିବସରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ପେଶାଦାର ଓ ସୌଖିନ୍‌ କଳାକାର ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶିଣୁ, ଯୁବକ, ବୃଦ୍ଧ, ପୁରୁଷ ଓ ସ୍ତ୍ରୀ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିଥିଲେ । ବଙ୍ଗୀୟ ସମ୍ପ୍ରଦାୟବ୍ୟତୀତ ଅବଙ୍ଗାଳୀ କେତେକ କଳାକାର ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅମୃତ କୌର ସେମାନଙ୍କ ମଧ୍ୟରୁ ଜଣେ ଥିଲା ।

 

ଗଙ୍ଗାପ୍ରସାଦ ହଲରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ପର୍ଦ୍ଦା ପ୍ରଭୃତି ଲଗାଇ ଗୋଟିଏ ସୁନ୍ଦର ସୁସଜ୍ଜିତ ମଞ୍ଚ ସେଠାରେ ନିର୍ମାଣ କରାଯାଇଥିଲା ।

 

ଅମୃତ ତା’ର ଶିକ୍ଷକ ଓ ତବଲାବାଦକଙ୍କୁ ସାଙ୍ଗରେ ଧରି ଯାଇଥିଲା । ସେ ବୀଣା ବଜାଏ । ପଞ୍ଜାବି ସମ୍ପ୍ରଦାୟରେ ଏହା ନୂଆ ।

 

ଉତ୍ସବର କାର୍ଯ୍ୟକ୍ରମ ଏପରି ଭାବରେ କରାଯାଇଥିଲା ଯେ, ଗୋଟିଏ ପେଶାଦାର କଳାକାର ପରେ ଜଣେ ସୌଖିନ୍‌ କଳାକାରଙ୍କର ପାଳି ପଡ଼ୁଥିଲା । ପ୍ରଥମେ ଶିଶୁ, ପରେ ଯୁବକଯୁବତୀ ଓ ତା’ପରେ ବୟସ୍କ ଲୋକ–ଏହି କ୍ରମରେ କାର୍ଯ୍ୟକ୍ରମ କରାଯାଇଥିଲା । ଦର୍ଶକ ଓ ପରିବେଷକମାନଙ୍କ ମଧ୍ୟରେ ସ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିଲା ।

 

ସୁଶୀଳ ଏହି ନାଟକଦଳର ସମ୍ପାଦକ । ତାଙ୍କରି ସଂସ୍ଥା ତରଫରୁ ଏହି ଜୟନ୍ତୀର ଆୟୋଜନ କରାଯାଇଥିଲା । ସେ ବରାବର ମଞ୍ଚ ଉପରକୁ ଆସି ଶିଳ୍ପୀଙ୍କର ପରିଚୟ ଦିଏ । ଅବଙ୍ଗାଳୀ ଦର୍ଶକମାନଙ୍କ ମଧ୍ୟରେ ନୀଳା, ପ୍ରବୋଧ, ହରଭଜନ ଓ ରାମଚରଣ ପ୍ରଭୃତି କେତେଜଣ ଥା’ନ୍ତି । ନୀଳାର ମାତାପିତା ଓ ମାଧୁରୀ ପ୍ରଭୃତି ମଧ୍ୟ ନିମନ୍ତ୍ରିତ ହୋଇ ଯୋଗ ଦେଇଥାନ୍ତି ଦର୍ଶକ ହିସାବରେ ।

 

ପ୍ରଥମ ଉଦବୋଧନ ସଂଗୀତ ହେଲା, ‘ବନ୍ଦେ ମାତରମ୍‌’ । ଦଶବର୍ଷରୁ କମ୍‌ କେତୋଟି ବାଳକବାଳିକା ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ‘ବନ୍ଦେମାତରଂ’ ଗାଇ ସମସ୍ତଙ୍କୁ ମୁଗ୍‌ଧ କରିଦେଲେ । ଦର୍ଶକମାନେ ଜାତୀୟ ସଙ୍ଗୀତକୁ ଦଣ୍ଡାୟମାନ ହୋଇ ଅଭିନନ୍ଦନ ଜଣେଇଲେ ।

 

ଏହା ପରେ ବିଧିମତେ କାର୍ଯ୍ୟକ୍ରମ ପାଳିତ ହେଲା । ନୃତ୍ୟ, ଗୀତ ଓ ଯନ୍ତ୍ରସଙ୍ଗୀତ ପରେ ପରେ ପରିବେଶିତ ହେଉଥାଏ । ଅମୃତର ନୃତ୍ୟ, ଗୀତ ଓ ଯନ୍ତ୍ରବାଦନ ତିନୋଟିଯାକ ଥାଏ-। ଯେପରି ମନେହେଉଥାଏ ସୁଶୀଳ ଅମୃତପାଇଁ ବିଶେଷ ସମୟର ବ୍ୟବସ୍ଥା କରିଥାଏ । ତା’ର କିନ୍ତୁ ଭୟ ଥାଏ ଯଦି ଅମୃତର କାର୍ଯ୍ୟକ୍ରମଗୁଡ଼ିକ ମନୋରଞ୍ଜକ ନ ହୁଏ ତେବେ ଉତ୍ସବ ମାଟି ହୋଇଯିବ, ଲୋକେ ପାଟିତୁଣ୍ଡ କରିବେ । ତେଣୁ ସେ ଅମୃତକୁ ଆଗରୁ କହି ରଖିଥାଏ, ‘ଦେଖ ଅମୃତ ! ଯଦି ତୁମର କାର୍ଯ୍ୟକ୍ରମ ଶ୍ରୋତାଗଣଙ୍କ ମନଲାଖି ନହୁଏ ଓ ଦର୍ଶକଙ୍କ ମଧ୍ୟରୁ ସାମାନ୍ୟ ଟିକିଏ ଗୋଳମାଳର ଆଭାସ ମୁଁ ପାଏ ତେବେ ମୁଁ ସଙ୍ଗେ ସଙ୍ଗେ ନାଲିବତୀ ଜଳେଇଦେବି, ତୁମେ ତାକୁ ଦେଖିଲା ମାତ୍ରେ ତୁମର କାର୍ଯ୍ୟକ୍ରମ ଶେଷ କରିଦେବ ।’

 

‘ଆପଣ ନିଶ୍ଚିନ୍ତ ରୁହନ୍ତୁ । ମୁଁ ନାଲିବତୀକୁ ବରାବର ଲକ୍ଷ୍ୟ ରଖିଥିବି ।’

 

ଅମୃତର ପାଳି ପଡ଼ିଲା । ସେ ମଞ୍ଚ ଉପରକୁ ଆସିବାରୁ ସୁଶୀଳ କହିଲା, ‘ଏ ହେଉଛନ୍ତି ଶ୍ରୀମତୀ ଅମୃତ କୌର । ନଗରର ବିଖ୍ୟାତ ଓସ୍ତାଦ୍‌ ସୀତାପୁର ତେଓ୍ୟାରୀଜୀଙ୍କର ଏ ଶିଷ୍ୟା । କବିଗୁରୁଙ୍କ ପ୍ରତି ଅଶେଷ ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନରୂପେ ସେ ଆମର ଆଜିର ଉତ୍ସବରେ ଅଂଶ ଗ୍ରହଣ କରିବାକୁ ଆସିଛନ୍ତି । ସେ ଆପଣମାନଙ୍କୁ ବାଗେଶ୍ୱରୀ ରାଗରେ ବୀଣାବଜାଇ ଶୁଣାଇବେ, ତା’ପରେ ହିନ୍ଦୀରେ ମାଲକୋଶ ରାଗରେ ଗୋଟିଏ ସଙ୍ଗୀତ ଗାଇବେ ଓ ଶେଷରେ ଆପଣମାନେ ତାଙ୍କର ନୃତ୍ୟ ଦେଖିପାରିବେ ।

 

ଏତେବେଳଯାଏ ସମସ୍ତ କାର୍ଯ୍ୟକ୍ରମ ବଙ୍ଗଳାରେ ଚାଲିଥିଲା । କେତେଜଣ ବଂଶୀ ଓ କେତେଜଣ ବେଞ୍ଜୋ ବଜାଇ ସାରିଲେଣି । ଛୋଟ ଛୋଟ ପିଲା କେତେକ ନୃତ୍ୟ ମଧ୍ୟ ଦେଖେଇ ସାରିଲେଣି । କିନ୍ତୁ ଜଣେ ତରୁଣୀ ଯେତେବେଳେ ବୀଣା ଧରି ମଞ୍ଚ ଉପରକୁ ଆସିଲେ ସେତେବେଳେ ସମଗ୍ର ଦର୍ଶକମଣ୍ଡଳୀରେ ଗୋଟିଏ ମୃଦୁ ଗୁଞ୍ଜରଣ ଶୁଣାଗଲା ।

 

ଅମୃତ ବୀଣା ବଜେଇବାକୁ ଆରମ୍ଭ କଲା । ତାଳର ଆଳାପ ଯହୁଁ ଯହୁଁ ବଢ଼ୁଥାଏ ଦର୍ଶକମଣ୍ଡଳୀ ତହୁଁ ତହୁଁ ମନ୍ତ୍ରମୁଗ୍‌ଧ ପରି ବସି ଶୁଣୁଥାନ୍ତି । ସଙ୍ଗୀତର ଗତି ବଢ଼ିଚାଲିଲା, ତବଲାଚାଳକର ଆଙ୍ଗୁଠି ଖଇ ଫୁଟିଲା ପରି ଚାଲିଥାଏ ଆଉ ତା’ ସଙ୍ଗେ ସଙ୍ଗେ ଦର୍ଶକମାନଙ୍କର ତୁଣ୍ଡ ମଧ୍ୟ ସଙ୍ଗୀତର ତାଳେ ତାଳେ ହଲୁଥାଏ । ସମସ୍ତ ହଲଟି ନିସ୍ତବ୍‌ଧ । ବୀଣାବାଦନ ସରିଲା । ସମସ୍ତେ କରତାଳିଦ୍ୱାରା ନିଜ ନିଜର ଗୁଣଗ୍ରାହିତାର ପରିଚୟ ଦେଲେ । ଆଉଥରେ ଶୁଣିବା ପାଇଁ କେତେକଙ୍କର ଅନୁରୋଧକୁ ସୁଶୀଳ ସମୟ ଅଳ୍ପ ବୋଲି କହି ବିନୟତାର ସହିତ କ୍ଷମା ଚାହିଁଲା ।

 

ତା’ପରେ ମାଲକୋଶ ରାଗରେ ହିନ୍ଦୀ ସଙ୍ଗୀତ ଆରମ୍ଭ କଲା ଅମୃତ । ପୂର୍ବପରି ସମଗ୍ର ହଲଟି ଅମୃତର ପ୍ରଶଂସାରେ ମୁଖରିତ ହୋଇଉଠିଲା । ଅଧଘଣ୍ଟାଏ ପରେ ଅମୃତ ସଙ୍ଗୀତ ଶେଷକରି ହାତଯୋଡ଼ି ଦର୍ଶକମାନଙ୍କର ଅଧିକ ସମୟ ନେଇଥିବା ଯୋଗୁଁ କ୍ଷମା ଚାହିଁ ପର୍ଦ୍ଦାର ଅନ୍ତରାଳରେ ଲୀନ ହୋଇଗଲା । ସମସ୍ତେ କରତାଳିଦ୍ୱାରା ତାକୁ ଅଭିନନ୍ଦନ ଜଣାଇଲେ ।

 

ସମୟ ଅଧିକ ହୋଇଥିବାରୁ ଅମୃତ ନୃତ୍ୟ ଦେଖେଇବା ସମ୍ଭବପର ହେଉ ନ ଥିଲା । କିନ୍ତୁ ରଜନୀ ସ୍ୱଇଚ୍ଛାରେ ନିଜର ନୃତ୍ୟ ପାଇଁ ଥିବା ସମୟତକ ନବାଗତ ଅତିଥି ଅମୃତ ପାଇଁ ଦେବାରୁ ସୁଶୀଳ ଏହାପରେ ଅମୃତର ନୃତ୍ୟ ହେବ ବୋଲି ମଞ୍ଚ ଉପରୁ ଘୋଷଣା କଲା ।

 

କ୍ଳାନ୍ତ ଅମୃତ ସୁଶୀଳର ଏ ଘୋଷଣା ଫଳରେ ବାଧ୍ୟ ହୋଇ ଗୋଡ଼ରେ ଘୁଙ୍ଗୁର ବାନ୍ଧି ମଞ୍ଚ ଉପରେ ଆସି ଉପସ୍ଥିତ ହେଲା ଓ ସମସ୍ତଙ୍କୁ ପୁଣି ଅଭିନନ୍ଦନ ଜଣାଇଲା । ପାଟି ଓ କରତାଳିରେ କିଛିକ୍ଷଣ ପାଇଁ ହଲଟି ମୁଖରିତ ହୋଇଗଲା । ଅଳ୍ପ ସମୟ ଭିତରେ ସମସ୍ତେ ଚୁପ୍‌ ହୋଇଗଲେ । ମଞ୍ଚ ଉପରେ ଅମୃତ ତା’ର ନୃତ୍ୟକଳାନୈପୁଣ୍ୟ ଦେଖାଇବାକୁ ଲାଗିଲା । ତା’ର ନୃତ୍ୟ ମଧ୍ୟ ସମସ୍ତଙ୍କୁ ଚମତ୍‌କୃତ କରିଦେଲା ।

 

ସେ ଦିନର ଉତ୍ସବରେ ଅମୃତର ଅଂଶ ସବୁଠାରୁ ବଡ଼ ଥିଲା । ସୁଶୀଳ, ନୀଳା ଓ ଅମୃତର ଅନ୍ୟାନ୍ୟ ପରିଚିତ ଲୋକେ ଅମୃତର କଳାକୁଶଳତାର ଭୁରି ଭୁରି ପ୍ରଶଂସା କଲେ । ଅମୃତ ହରଭଜନ ସିଂ ସାଙ୍ଗରେ ଆସି ମଟରରେ ବସିଲା । ସୁଶୀଳ ସେମାନଙ୍କୁ ଆଗେଇ ଦେବାକୁ ଆସିଲାରୁ ଅମୃତ ତାକୁ କହିଲା, ‘ଦେଖନ୍ତୁ ସୁଶୀଳବାବୁ, ମୋର ଗୋଟିଏ ଅଭିଳାଷ ପୂରଣ ହୋଇପାରିଲା ନାହିଁ । ମୁଁ ରଜନୀର ନୃତ୍ୟ ଦେଖି ପାରିଲି ନାହିଁ ।’

 

‘ତାହା ଯେ କୌଣସି ଦିନ ମୁଁ ତୁମକୁ ଘରେ ଦେଖେଇ ଦେବି ।’

 

’ନିଶ୍ଚୟ, କଥା ଦେଉଛନ୍ତି ?’

 

’ନିଶ୍ଚୟ’ ।

 

(୧୬)

 

ଉତ୍ସବ ସରିଲା । ଭାଇ ଭଉଣୀ ଦୁହେଁ ମଟରରେ ଘରକୁ ଫେରିଲେ । ବାଟରେ ହରଭଜନ ସିଂ ଅମୃତକୁ କହିଲା, ‘ଅମୃତ, କଥା କ’ଣ ? ତୁ ତ ଆଜି ଖୁବ ଭଲ ନାଚ ଗୀତ ଦେଖେଇଲୁ ।’

 

‘ମୁଁ ଶୁଣିଥିଲି ବଙ୍ଗାଳୀମାନେ ନୃତ୍ୟ ନାଟରେ ଖୁବ୍‍ ନିପୁଣ । ତେଣୁ ମୁଁ ଏଥିପାଇଁ ବିଶେଷ ଯତ୍ନ ସହିତ ଅଭ୍ୟାସ କରିଥିଲି ଯେପରି ସେମାନଙ୍କ ଆଗରେ ହାସ୍ୟଷ୍ପଦ ନହୁଏ ।

 

‘ତେବେ ତୁ ଏହା ସକାଶେ ରୀତିମତ ସାଧନା କରିଥିଲୁ ।’

 

‘ମୁଁ ତୁମର ବନ୍ଧୁ ସୁଶୀଳ କୁମାରକୁ ଦେଖେଇବାକୁ ଚାହିଁଥିଲି ଯେ, ପଞ୍ଜାବୀମାନଙ୍କ ମଧ୍ୟରେ କଳାକାର ମଧ୍ୟ ଥାଇପାରନ୍ତି ।’

 

‘ଓଃ, ବୁଝିଲି । ତେବେ ସୁଶୀଳକୁ ସନ୍ତୁଷ୍ଟ କରିବାକୁ ତୁ ରୀତିମତ ସାଧନା କରିଥିଲୁ ।’ ହରଭଜନର ଏ କଥାରେ ଅମୃତ କିପରି ଟିକିଏ ବ୍ୟଙ୍ଗର ସନ୍ଧାନ ପାଇଲା । ସେ କଥା ବଦଳେଇ କହିଲା, ‘ଭାଇ ! ନୀଳାର କ’ଣ ହେଲା ?’

 

‘ନୀଳାର କ’ଣ ହେବାର ଥିଲା ?’ ଆଶ୍ଚର୍ଯ୍ୟ ହୋଇ ହରଭଜନ ପଚାରିଲା ।

 

‘ତୁମ ସହିତ ବିବାହ ପ୍ରସ୍ତାବ ? କିଛି ଠିକ୍‌ ହେଲା କି ?’

 

‘ସେ ତ ମନା କରିଦେଲା ।’

‘ବିଲକୁଲ ?’

‘ସେ କୁଆଡ଼େ କେବେହେଲେ ମନରେ ଧାରଣା କରି ନଥିଲା ଯେ ତାହାର ବିବାହ ଜଣେ ଶିଖ୍‍ କେଶଧାରୀ ଯୁବକ ସହିତ ହେବ ।’

‘ତେବେ, ତା’ର ମତ କଣ ?’

‘ସେ ଆମ ସମ୍ପ୍ରଦାୟର ଲୋକଙ୍କୁ କୁସଂସ୍କାରଯୁକ୍ତ ଧର୍ମାନ୍ଧ ବୋଲି ମନେକରେ ।’

‘ତୁମେ ତା’ର ଏ ଭ୍ରମ ଦୂର କଲ ନାହିଁ କାହିଁକି ?’

‘କିପରି ଦୂର କରନ୍ତି ? ସେତ ସତ କହିଛି । ସେ ଯେଉଁ ଘଟଣା ବର୍ଣ୍ଣନାକଲା ମୁଁ ତା’ର ସାକ୍ଷୀ ଥିଲି । ଗତବର୍ଷ ବୈଶାଖି ଦିନ ଗୁରୁଦ୍ୱାରକୁ ନୀଳା, ପ୍ରଭୁଦୟାଲଙ୍କ ମା ଓ ମାଧୁରୀ ପ୍ରଭୃତି ଆସିଥିଲେ । ସେମାନେ ସମସ୍ତେ ପ୍ରସାଦ ତିଆରି କରିବାରେ ବ୍ୟସ୍ତ ଥିଲେ । ଏତିକିବେଳେ ଗୁରୁଦ୍ୱାରର ସେକ୍ରେଟାରୀ ସରଦାର କର୍ତ୍ତାର ସିଂହଙ୍କ ସ୍ତ୍ରୀ ଆସି ପହଞ୍ଚିଲେ । ଓ ସେମାନେ ରାନ୍ଧୁଥିବା ଦେଖି ଚିତ୍କାର କରି କହିଲେ, ‘ଯେଉଁମାନେ ଅମୃତ ଚାଖି ନାହାନ୍ତି ସେମାନେ ପ୍ରସାଦ ଛୁଇଁବେ ନାଇଁ ।’ ଫଳରେ ପ୍ରଭୁଦୟାଲଙ୍କ ମା, ନୀଳା, ମାଧୁରୀ ଓ ଅନ୍ୟାନ୍ୟ କେତେଜଣ ହିନ୍ଦୁ ସ୍ତ୍ରୀ ଯେଉଁମାନେ କି ଉତ୍ସାହ ସହକାରେ କାମ କରୁଥିଲେ, ସେମାନେ କାମ ଛାଡ଼ି ବାହାରିଗଲେ । ପ୍ରଭୁଦୟାଲଙ୍କର ମାଙ୍କର ଭୋଜନ କରିବାର ଇଚ୍ଛା ଥିଲା, କିନ୍ତୁ ନୀଳା ମାଧୁରୀ ପ୍ରଭୃତି ତାଙ୍କୁ ନଖାଇବାକୁ କହି ସାଙ୍ଗରେ ନେଇ ଗଲେ । ସେମାନେ ଘରକୁ ଫେରିଯାଇ ଏ କଥା ତାଙ୍କ ପରିବାରମଧ୍ୟରେ କାହାକୁ କହି ନଥିଲେ ।’

ମଟର ଆସି ସେତେବେଳକୁ ଘରେ ପହଞ୍ଚିସାରିଥିଲା । ମଟର ବନ୍ଦ କରି ହରଭଜନ ସିଂ ଦୀର୍ଘନିଶ୍ୱାସ ପକେଇ କହିଲା, ‘ହିନ୍ଦୁ ମାନେ ପୁଣି ତ ହାଡ଼ି ପାଣଙ୍କ ହାତରୁ ଖିାଉନଥିଲେ, ସେମାନେ ତ ତାବୁ ବଦଳେଇ ସାରିଲେଣି, ଆଉ ଆମେ ଅମୃତ ଖାଇ ନାହାନ୍ତି ବୋଲି ଦଳେ ଲୋକଙ୍କୁ ହାଡ଼ି ପାଣଠାରୁ ଆହୁରି ହୀନଦୃଷ୍ଟିରେ ଦେଖି ବାଛନ୍ଦ କରୁଛୁ । ଏ ଅବସ୍ଥାରେ ନୀଳା ଯେ କୌଣସି ଶିଖ୍‍କୁ ବିବାହ କରିବନାହିଁ ବୋଲି ମନା କରି ଦେଲା, ଏଥିରେ ଆଶ୍ଚର୍ଯ ହେବାର କିଛି ନାହିଁ ।’

‘ତମେ କହିଲ ନାହିଁ ଯେ ଆମେ ସେପରି ଛୋଟ କଥାରେ ନାହୁଁ ବୋଲି ।’

‘ମୁଁ କହିଥିଲି, କିନ୍ତୁ ସେ କହିଲା, ଆପଣଙ୍କ ବିଚାର ସିନା ସଙ୍କୁଚିତ ହୋଇନାହିଁ କିନ୍ତୁ ବିବାହ କେବଳ ପତିର ବିଶ୍ୱାସ ଅବିଶ୍ୱାସକୁ ନେଇ ତ ନୁହେଁ । ତାହାର ପୁଣି ବାପ ମା ଓ ଅନ୍ୟାନ୍ୟ ଆତ୍ମୀୟସ୍ୱଜନ ଅଛନ୍ତି । ଯିଏ ସେଘରକୁ ବୋହୂ ହୋଇ ଯିବ ତାକୁ ତ ପୁଣି ସେମାନଙ୍କ ମନନେଇ ଚଳିବାକୁ ହେବ । ତେଣୁ ଯାହାର ବାପ ମାଙ୍କର ବିଚାରଧାରା ଭିନ୍ନ ରକମର ତାକୁ ବିବାହ କରି ଚଳିବା କଷ୍ଟକର ହେବ ।’

ଏତକ ଣୁଣି ଅମୃତ ଗମ୍ଭୀର ହୋଇ ରହିଲା । ଦୁହେଁ ନୀରବରେ ଘରେ ପଶିଲେ । ସେଦିନ ରାତିରେ ଅମୃତ କଥା ମନେ ମନେ ଭାବିଲା । ତା’ପରଦିନ ସକାଳୁ ଚା ଖାଇଲା ବେଳେ ସେ ହରଭଜନ କହିଥିବା ଗୁରୁଦ୍ୱାର କଥା ତା ମାକୁ ପଚାରି ସତ କି ନାହିଁ ବୁଝିବାକୁ ଚାହିଁଲା ।

‘ତୋ’ର ସେ କଥା କାହିଁକି ଏବେ ମନେ ପଡ଼ିଲା ?’

 

‘ସେଇଥିପାଇଁ ତ ନୀଳା ଭାଇଙ୍କୁ ବିବାହ କରିବନାହିଁ ବୋଲି କହିଲା ।’

 

‘ଆଉ କଣ ପଞ୍ଜାବୀ ଝିଅ ତୋ ଭାଇ ପାଇଁ ମିଳିବ ନାହିଁ, ଖାଲି ସେହି ନୀଳା ହେଲେ ହେବ ?’

 

‘ମା, ତୁମେ କହିଲ, ସତରେ କ’ଣ ସେମାନଙ୍କୁ ଅମୃତ ଖାଇ ନାହାନ୍ତି ବୋଲି ଗୁରୁଦ୍ୱାରରୁ ତଡ଼ି ଦିଆଗଲା ?’

 

‘ହେଲା କ’ଣ ? ଆମ ଧର୍ମରେ ତ ଅମୃତ ଖାଇବାକୁ ଗୋଟାଏ ବଡ଼ କଥା ବୋଲି ଧରାଯାଇଛି ।’

 

‘ସେହିପରି ହିନ୍ଦୁମାନଙ୍କ ମଧ୍ୟରେ ଯଜ୍ଞୋପବୀତ ପିନ୍ଧିଥିବା ଲୋକଙ୍କୁ ତ ପୁଣି ଶ୍ରେଷ୍ଠ ମାନନ୍ତି । ଏଥିରେ ହେଲା କଣ ?’

 

‘ହିନ୍ଦୁମାନେ ତ ଆଉ ସମସ୍ତଙ୍କୁ ଯଜ୍ଞୋପବୀତ ଦେଉନାହାନ୍ତି । ଆମେ ତ ସମସ୍ତଙ୍କୁ ଅମୃତ ଦଉଁ ।’

 

‘ଆଜିକାଲି ତ ଆର୍ଯ୍ୟ ସମାଜ ସମସ୍ତଙ୍କୁ ଯଜ୍ଞୋପବୀତ ଦେଉଛନ୍ତି । କିନ୍ତୁ ମା, ପଇତା ନପିନ୍ଧିଲେ ବା ଅମୃତ ନଚାଖିଲେ କେହି ଲୋକ ଅସ୍ପୃଶ୍ୟ କାହିଁକି ହୁଏ ?’

 

‘ଅମୃତ ପାନ ନ କଲେ ଗରୁଦ୍ୱାରରେ ତା’ର ସ୍ଥାନ ନାହିଁ ।’

 

‘ସେଇଥିପାଇଁ ତ ନୀଳା ଉଚ୍ଚ ଜାତିର କାହାକୁ ବିବାହ କରିବନାହିଁ ବୋଲି ମନା କରିଦେଲା ।’

 

ମା କହିଲେ, ‘ଅମୃତ, ତୋ ଭାଇ ପାଇଁ ଦିଲ୍ଲୀର ଜଣେ ପ୍ରଫେସର ନିରଞ୍ଜନ ସିଂ ତାଙ୍କ ଝିଅ କଥା ପ୍ରସ୍ତାବ ଆଣିଛନ୍ତି । ସେ କହନ୍ତି, କୋଡ଼ିଏ ହଜାର ଟଙ୍କା ଯୌତୁକ ଦେବେ । ତାଛଡ଼ା ତାଙ୍କ ସମ୍ପତ୍ତିର ଚାରିଭାଗରୁ ଭାଗେ ହରଭଜନ ପାଇବ ।’

 

ଏଥିରେ ଅମୃତ ପାଟି ନ ଫିଟେଇ ଚାଲିଗଲା । ହରଭଜନ କୁଆଡ଼େ ବାହାରକୁ ଯାଉଥିଲା । ସେ ତାକୁ ତିରିଶ ଟଙ୍କା ଧାର ମାଗିଲା ।

 

‘ଟଙ୍କା କଅଣ ହବ ?’

 

‘ଦିଅ ତ ତୁମେ, ମୁଁ ପହିଲା ବେଳକୁ ତମ ଟଙ୍କା ଦେଇଦେବି ।’

 

ହରଭଜନ ଡ୍ର ଭିତରୁ ଶହେଟଙ୍କିଆ ନୋଟ ଖଣ୍ଡେ କାଢ଼ି ଅମୃତକୁ ଦେଲା ଓ କହିଲା, ‘ଦେଖ୍‌, ଖୁଚୁରା ନାହିଁ, ତୁ ଆକୁ ଭଙ୍ଗେଇ ତିରିଶ ଟଙ୍କା ନେବୁ ଓ ବାକୀ ତକ ସନ୍ଧ୍ୟାକୁ ମୋତେ ଫେରେଇଦେବୁ ।’ ଏହା କହି ସେ ଚାଲିଗଲା ।

 

ସେଦିନ ୫ଟା ବାଜିଲା, ଅମୃତ ଫେରିଲା ନାହିଁ । ହରଭଜନ ସିଂର ଟଙ୍କା ଦରକାର ଥିଲା । ସେ ମା’ଙ୍କଠାରୁ କୋଡ଼ିଏ ଟଙ୍କା ନେଇ ବାହାରକୁ ଚାଲିଗଲା ।

 

(୧୭)

 

ପ୍ରାୟ ପାଞ୍ଚଟା ବେଳକୁ ଅମୃତ ଘରକୁ ଫେରିଲା । ଘରେ ପହଞ୍ଚି ସେ ସିଧା ସଳଖ ତା ନିଜ କୋଠରୀ ଭିତରକୁ ପଶିଯାଇଁ ଭିତରୁ କବାଟ ବନ୍ଦ କରିଦେଲା । ସେଠାରେ ସେ ନିଜ ମୁଣ୍ଡର ଓଢ଼ଣୀ କାଢ଼ି ଡ୍ରେସିଂ ଟେବୁଲ ସାମନାରେ ଠିଆ ହୋଇ ତା କଟାବାଳକୁ ଦେଖିବାକୁ ଲାଗିଲା । ହରଭଜନଠାରୁ ସେ ଟଙ୍କା ନେଇ କଲେଜ ଯାଇଥିଲା । କଲେଜ ଦୁଇଟାରେ ବନ୍ଦ ହେବାରୁ ସେ ଗୋଟିଏ ବିଦେଶୀ ସେଲୁନ୍‌କୁ ଯାଇ ସେଠାରେ ତା ଲମ୍ବବାଳକୁ କାଟି ଛୋଟକରି ତାକୁ କୁଞ୍ଚୁକୁଞ୍ଚିଆ କରି ଘରକୁ ଫେରିଲା । ଏଥିପାଇଁ ତାକୁ ତିରିଶ ଟଙ୍କା ଦେବାକୁ ପଡ଼ିଲା ।

 

ଦର୍ପଣରେ ନିଜ ମୁହଁକୁ ଦେଖି ତା’ର ଯେପରି ମନେହେଲା, ତା’ର ସୌନ୍ଦର୍ଯ୍ୟ ଦୁଇଗୁଣ ବଢ଼ିଯାଇଛି । ତା’ ସାଙ୍ଗେ ସାଙ୍ଗେ ତା’ର ମଧ୍ୟ ମନେପଡ଼ିଲା ତାଙ୍କର ରକ୍ଷଣଶୀଳ ଶିଖ୍‌ ସମାଜ କଥା-। ଯେତେବେଳେ ବାବା ମା ଦେଖିବେ ଯେ ଶିଖ୍‌ ଧର୍ମର ବିରୁଦ୍ଧାଚରଣ କରି ମୁଣ୍ଡରୁ ବାଳ କଟେଇ ପକେଇଛି, ସେତେବେଳେ ଅବସ୍ଥା କ’ଣ ହେବ ଏହା ଭାବି ତା ମନରେ ବିଦ୍ରୋହର ଭାବ ଯେତିକି ବଢ଼ି ଉଠିଲା, ହସ ମଧ୍ୟ ମାଡ଼ିଲା ସେତିକି । ସେ ଏକା ସେ ଘରେ ମନକୁମନ ହୋ ହୋ କରି ହସି ଉଠିଲା ।

 

ଏତିକିବେଳେ କବାଟ କିଏ ଖଟ୍‌ ଖଟ୍‌ କଲା । ସେ ଭାବିଲା ଯଦି ମା ହୋଇଥିବେ ତେବେ ବଡ଼ ମଜା ହେବ । ସେ ତ ପ୍ରଥମେ ରାଗି ନିଆଁ ହୋଇଯିବେ, ପରେ କିନ୍ତୁ ବୁଝିବେ ଯେ । ପୁଣିଥରେ କବାଟ ଖଟ୍‌ ଖଟ୍‌ ହେବାରୁ ସେ ମୁଣ୍ଡରୁ ଓଢ଼ଣୀ ଦେଇ କହିଲା, ‘କିଏ ?’ ବାହାରୁ ମା’ଙ୍କ କଣ୍ଠସ୍ୱର ଶୁଣି ସେ ମୁଣ୍ଡରେ ଓଢ଼ଣୀ ଦେଇ କବାଟ ଖୋଲିଦେଲା । ମା ଘରଭିତରକୁ ପଶିଆସି କହିଲେ ‘ଅମୃତ, ଏଠାରେ କଣ କରୁଛୁ ?’

 

‘ଟିକିଏ ଆରାମ କରୁଥିଲି ମା’ ଏହା କହି ସେ ପଲଙ୍କରେ ବସି ପଡ଼ିଲା ଓ ମା ପଲଙ୍କ ପାଖ ଗୋଟିଏ ଚୌକିରେ ବସି ପଡ଼ିଲେ ଏବଂ କହିଲେ, ‘ହରଭଜନ ମୋତେ କହିଯାଇଛି, ତାର ଟଙ୍କା ତୋଠାରେ ଅଛି, ମୋତେ ସେଥିରୁ କୋଡ଼ିଏ ଟଙ୍କା ଦେବୁ ।’

 

ଅମୃତ ବାହାରୁ ଆସି ଟଙ୍କା ବ୍ୟାଗଟି ତା ତକିଆ ତଳେ ରଖିଦେଇଥିଲା । ସେ ବୁଲିପଡ଼ି ତାକୁ ଆଣିଲା ବେଳକୁ ତା ମୁଣ୍ଡରୁ ଓଢ଼ଣୀ ଖସିଗଲା । ମା ତା’ର ଛୋଟ ଛୋଟ କୁଞ୍ଚୁକୁଞ୍ଚିଆ ବାଳକୁ ଦେଖି ପକେଇଲେ । ଅମୃତ ବ୍ୟାଗ୍‍ରୁ ଟଙ୍କା କାଢ଼ୁ କାଢ଼ୁ ସେ ଆଉ ସମ୍ଭାଳି ନ ପାରି ଚଟାସ୍‌ କରି ତା ଗାଲରେ ଗୋଟାଏ ଚଟକଣା ମାରି କହିଲେ, ‘ଏ ବାଳ ପୁଣି କାଟିଲୁ କେବେ ?’

 

ହଠାତ୍‌ ମା ଏପରି ଚଟକଣାଟାଏ ମାରିଦେବେ ଏହା ସେ କଳ୍ପନା କରି ନ ଥିଲା । କିଛି ସମୟ ସେ ନୀରବ ରହିଯାଇ କହିଲା, ‘ମା ! ମୁଁ ଆଜି ବାଳ କଟେଇ ଆସିଛି । କ’ଣ ଭଲ ଦେଖାଯାଉନାହିଁ ?’

 

‘ହଁ ଭଲ ନୁହେଁ କ’ଣ, ଠିକ୍‌ ଡାହାଣୀ ପରି ଦିଶୁଛି ।’

 

‘ନାହିଁ ମା, ଖୁବ୍‌ ସୁନ୍ଦର ଦେଖାଯାଉଥିବ ।’

 

‘ତୁ ଏକେବାରେ ଅନ୍ଧ ହୋଇଯାଇଛୁ । ତୋ’ର ବାପମାଙ୍କୁ ଅପମାନ ଦେବାକୁ ତୁ ଏହା କରି ଆସିଛୁ । ବର୍ତ୍ତମାନ ମୋର ସମୁଦି, ତୋର ବାପା, ବାପାଙ୍କର ବନ୍ଧୁବାନ୍ଧବ ଏପରି କି ଚାକରବାକର ମଧ୍ୟ ବାରକଥା କହିବେ । ମୁଁ କେମିତି ସେମାନଙ୍କ ଆଗରେ ମୁହଁ ଦେଖେଇବି ? ତୁ ବି ଆଉ ଗୁରୁଦ୍ୱାର ମାଡ଼ିପାରିବୁ ନାହିଁ ।’

‘ସେଇଥିପାଇଁ ତ ଏ ବାଳ ଏପରି କାଟିଛି ମା ! ମୁଁ ଗୁରୁଦ୍ୱାର ସଂକୀର୍ଣ୍ଣ ପରିବେଶ ଛାଡ଼ି ବିରାଟ ସଂସାରକୁ ଦେଖିବାକୁ ଚାହେଁ ।’

‘ଚୁପ୍‌, ବେଶି ପାଟି କରନାହିଁ ।’

‘ହେଲା କ’ଣ ମା ? ମୋର ମାମୁଁ ମାଉସୀ ପ୍ରଭୃତି ତ ଏହାକୁ ପସନ୍ଦ କରିବେ ।’

‘ତାଙ୍କ ପସନ୍ଦ ଅପସନ୍ଦରେ ମୋର ଯାଏ କେତେ ଆସେ କେତେ ?’

‘ତା ବୋଲି କଣ ମୋର ସମ୍ପର୍କ କଟିଯିବ ସେମାନଙ୍କ ସଙ୍ଗେ ?’

‘ଆଚ୍ଛା ମୁଁ ଯାଉଛି । ତୁ ଆଉ ଘର ବହାରକୁ ବାହାରିବୁ ନାହିଁ ।’ ଏହାକହି କୋଡ଼ିଏ ଟଙ୍କା ଧରି ଘରୁ ବାହାରିଗଲେ । ବାହାରୁ କବାଟ ଦେଇଗଲେ ।

ଏତେବେଳଯାଏ ଅମୃତ ଚଟକଣାର ପରସ ଅନୁଭବ କରୁ ନ ଥିଲା । ମା ଗଲାରୁ ସେ ଉଠି ଦର୍ପଣରେ ମୁହଁ ଦେଖିବାକୁ ଲାଗିଲା । ଗାଲ ଏକବାରେ ନାଲି ପଡ଼ିଯାଇଥିଲା । ସେ ଟେବୁଲ ଉପରୁ କିଛି କ୍ରୀମ ନେଇ ମୁହଁରେ ଆଚ୍ଛା କରି ବୋଳିଲା ।

କ୍ରୀମ ଲଗାଇବାରୁ ବ୍ୟଥାର କିଞ୍ଚିତ୍‌ ଅବସାନ ହେଲା । ସେ ଦର୍ପଣରେ ନିଜର ପ୍ରତିବିମ୍ବକୁ ଚାହିଁ କହିଲା, ‘ବେଶ୍‌ ଅମୃତ, ଏହା ସ୍ୱାଧୀନତା ପାଇଁ ବିପ୍ଲବର ପ୍ରଥମ ଧକ୍‌କା ! ଆହୁରି କେତେ ବିପଦ ଆସିବ । ଧୈର୍ଯ୍ୟ ସହକାରେ ସେସବୁର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୁଅ । ନିଶ୍ଚୟ ବିଜୟୀ ହେବ ।’

 

ଏହା କହି ପୁଣି ହସି ଉଠିଲା । ଭାବିଲା, ‘ସୁଶୀଳବାବୁ ମୋତେ ଦେଖି କ’ଣ ଭାବିବେ-।’ ଏହା ଭାବି ଖଟ ଉପରେ ମୁହଁମାଡ଼ି ଧଡ଼ କିନା ପଡ଼ିଲା । ତା’ର ମନେପଡ଼ିଲା ଗୋଟି ଗୋଟି ହୋଇ ସୁଶୀଳର ଟିପ୍ପଣୀ । ‘ତୁମେ ନୀଳାଠାରୁ ଅଧିକ ସୁନ୍ଦରୀ’, ‘ତୁମ ଦେହ ଓ ମନର ସୌନ୍ଦର୍ଯ୍ୟ ବୁଝିବାକୁ ତୁମଘରେ କେହି ନାହାନ୍ତି’ । ‘ବର୍ତ୍ତମାନ ତ ମୋରୂପରେ ସୁଶୀଳ ବାବୁ ଏକେବାରେ ମୋହିତ ହୋଇଯିବେ ।’ ତା’ର ମନେ ହେଲା ସେ ଲକ୍ଷ୍ନୌର ସବୁ ସୁନ୍ଦରୀମାନଙ୍କ ଭିତରେ ଗୋଟିଏ ଗୌରବମୟ ସ୍ଥାନ ଅଧିକାର କରିପାରିବ ।

 

ସୁଶୀଳ ଓ ତାହାର କଥାର ମଧୁର ସ୍ମୃତି କଥା ଭାବୁ ଭାବୁ ତାକୁ କେତେବେଳେ ନିଦ ହୋଇଯାଇଛି । ଘରତ ବାହାରୁ ବନ୍ଦ ଥିଲା । ତାକୁ ଫିଟେଇ କିଏ ସେ ଅନ୍ଧାର ଘର ଭିତରକୁ ଆସିବାରୁ ତାର ନିଦ ଭାଙ୍ଗିଗଲା । ତାକୁ ଲାଗିଲା ଯେପରି ସେ ଅନେକବେଳୁ ଶୋଇପଡ଼ିଛି । ହରଭଜନ ସିଂ ସ୍ୱିଚ ଟିପିଲାରୁ ସାରା ଘରଟି ଆଲୋକିତ ହୋଇଗଲା, ଏବଂ ସେ ଦେଖିଲା ଯେ, ତା’ର ମା, ବାପ ଓ ଭାଇ ତିନିହେଁ ଘରଭିତରକୁ ଆସିଛନ୍ତି । ହରଭଜନ ଘରର ଦରଜା ବନ୍ଦ କରିଦେଲା ଓ ତିନିହେଁ ଆସି ଅମୃତର ଖଟ ପାଖରେ ଛିଡ଼ା ହେଲେ ।

 

ସରଦାର ବଡ଼ିୟାମ୍‌ ସିଂ ଖୁବ୍‌ କୋମଳଗଳାରେ କହିଲେ, ‘ଅମୃତ, ତୁ କଲୁ କଣ ?’

 

‘ବାବା, ମୁଁ ବ୍ୟର୍ଥତାର ଦାସତ୍ୱରୁ ମୁକ୍ତି ପାଇଛି ।’

 

ହରଭଜନ ଦୁଇଟି ଚୌକି କାନ୍ଥପାଖରୁ ଆଣି ଖଟ ପାଖରେ ଥୋଇଲା । ଆଗରୁ ସେଠାରେ ଗୋଟିଏ ଥିଲା । ତିନିଜଣଯାକ ତିନୋଟି ଚଉକିରେ ବସିଲାରୁ ବଡ଼ିୟାମ ସିଂ କହିଲେ, ‘କେଉଁ କଥାରେ ତୁ କାହାର ଦାସ ହେଲୁ ?’

 

‘ଶିଖ୍‍ ଧର୍ମର ପାଞ୍ଚୋଟି ବାରଣ ଭିତରୁ ବାଳ ନ କାଟିବା ଗୋଟିଏ । ମୁଁ ତାହା ମାନିନାହିଁ-। ଯେଉଁଥିପାଇଁ ଶିଖମାନେ ନିଜକୁ ସଂସାରର ଅନ୍ୟାନ୍ୟ ଲୋକଙ୍କଠାରୁ ଶ୍ରେଷ୍ଠ ବୋଲି ଅଭିମାନ କରନ୍ତି, ମୁଁ ଆଜି ସେହି ଅଭିମାନକୁ ସମୂଳେ ଦୂର କରିଛି । ମୁଁ ଆଜି ସଂସାରର ଅନ୍ୟାନ୍ୟ ମନୁଷ୍ୟମାନଙ୍କ ପରି ଜଣେ ।’

 

‘କିନ୍ତୁ ଭାରତବର୍ଷରେ ତ ସବୁ ସ୍ତ୍ରୀ ଲୋକମାନେ ଲମ୍ବବାଳ ରଖନ୍ତି, ସେଥିରେ ତାଙ୍କର ସୌନ୍ଦର୍ଯ୍ୟ ବଢ଼େ ।’

 

‘ବାବା, ସୌନ୍ଦର୍ଯ୍ୟର ଧାରଣା ଦିନକୁ ଦିନ ବଦଳିଯାଉଛି । ଆଜିକାଲି ଛୋଟବାଳକୁ ଲୋକେ ପସନ୍ଦ କରୁଛନ୍ତି । ପିନ୍ଧିବା ଲୁଗାଜାମାରେ ଯେପରି ଢଙ୍ଗ ବଦଳୁଛି, ସେହିପରି ଅସନ ବ୍ୟସନ ପ୍ରସାଧନରେ ମଧ୍ୟ ଢଙ୍ଗ ବଦଳୁଛି ।’

 

‘ତୁ ତ ଗୁରୁଦ୍ୱାରରୁ ଅମୃତ ଖାଇଥିଲୁ ନା ।’

 

‘ବାଳକାଟି ପକେଇଛି ବୋଲି କ’ଣ ମୋ ଦେହରୁ ଅମୃତ ଚାଲିଗଲା ?’

 

‘କିନ୍ତୁ ସେ ସମୟରେ ପୁଣି ତ କିଛି ଗୋଟାଏ ଶପଥ ନେଇଥିବୁ ।’

 

‘ସେ ଶପଥ ବାବା ମିଛ, ସେ ଶପଥ ସହିତ ସଂସ୍ଥାର କୌଣସି ସମ୍ପର୍କ ନାହିଁ ।’

 

‘କିନ୍ତୁ ତା’ର ପ୍ରାଭବ ତ ମୋ ଉପରେ ପଡ଼ିବ ?’

 

‘ଆପଣଙ୍କ ଉପରେ କି ପ୍ରଭାବ ପଡ଼ିପାରେ ?’

 

‘ସମାଜରେ ମୋର ଯେଉଁ ପ୍ରତିଷ୍ଠା ଥିଲେ ସେ ଆଉ ରହିବ ?’

 

‘କାହିଁକି, ଆପଣ କ’ଣ କଲେ ବୋଲି ?’

 

‘ତୁ ଶପଥ ଭାଙ୍ଗିଛୁ ଓ ତୁ ମୋର ଝିଅ ।’

 

‘ମୁଁ ତ ଶପଥ ଭାଙ୍ଗିନାହିଁ, ଆଉ ଯଦିବା ଆପଣ ମନେକରୁଥାନ୍ତି ଭାଙ୍ଗିଛି ବୋଲି, ତା’ର ସମସ୍ତ ଦାୟିତ୍ୱ ମୋ’ର ।’

 

‘କିନ୍ତୁ ଲୋକ ତ ଏହା ବୁଝିବେ ନାହିଁ ।’

 

‘ଯେଉଁ ସମାଜ ଏପରି ଅବୁଝା, ସେ ସମାଜରେ ଆପଣ ରହୁଛନ୍ତି କାହିଁ ସେ ସମାଜକୁ ଛାଡ଼ି ଦିଅନ୍ତୁ, ସବୁ ନାଟ ଭାଙ୍ଗିଯିବ ।’

 

‘ଦେଖ୍‌ ଅମୃତ, ବେଶି କଥା କହି ଲାଭ ନାହିଁ, ମୋର ଆଦେଶ ତୋ’ର ବାଳ ଯେତେଦିନ ପର୍ଯ୍ୟନ୍ତ ଲମ୍ବ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ତୁ ଏଘରୁ ପଦାକୁ ବାହାରି ପାରିବୁ ନାହିଁ ।’

 

‘କଲେଜ ଯିବି କିପରି ?’

 

‘ଯିବା ଦରକାର ନାହିଁ ।’

 

‘ଆପଣ ବାହାରେ ତାଲା ବନ୍ଦକରି ଦିଅନ୍ତୁ, ନଚେତ୍‌ ମୁଁ ବାହାରକୁ ଚାଲିଯାଇଁ ବଜାରରେ ବୁଲିବି ।’

 

‘ମୋ କଥା ମାନିବୁ ନାହିଁ ?’

 

‘ସେ କଥା ପରି କଥା ହେଲେ ସିନା ମାନନ୍ତି ।’

 

ବଡ଼ିୟାମ ସିଂ ଆଉ ସମ୍ଭାଳି ନପାରି ଅମୃତ ଗାଲରେ ଗୋଟାଏ ଶକ୍ତ ଚଟକଣା ବସାଇ ଦେଲେ । ସେଥିରେ ଅମୃତ ଖଟ ଉପରୁ ତଳେ କଚାଡ଼ି ହୋଇ ପଡ଼ିଲା । ଏତିକିବେଳେ ହରଭଜନ ସିଂ ଉଠି ଠିଆ ହେବାରୁ ବଡ଼ିୟାମ ସିଂ ତାର ହାତଧରି ଟାଣି ବସେଇ ଦେଇ କହିଲେ, ‘ଶୁଣ, ତୋ ସାଙ୍ଗେ କଥା ଅଛି ।’

 

‘ମୁଁ କିଛି ଶୁଣିବାକୁ ଚାହେଁ ନାହିଁ, ଆପଣ ତାକୁ ମାରିବେ ଓ ସେ ମାଡ଼କୁ ମଧ୍ୟ ସମର୍ଥନ କରିବେ ?’

‘ଏ ତ କିଛି ମାଡ଼ ନୁହେଁ, ମୁଁ କହି ରଖୁଛି, ସେ ଯଦି ଏ ଘର ବାହାରକୁ ଗୋଡ଼ କାଢ଼ିଛି ତେବେ ବାଡ଼େଇ ତା ଗୋଡ଼ ଛୋଟା କରିଦେବି ।’

ଏହା କହି ସେ ଉଠି ଛିଡ଼ା ହେଲେ । ଅମୃତ ଉଠି ଠିଆ ହୋଇଥିଲା । ସେ କହିଲା, ‘ଯଦି ମୋ ଘରର କବାଟ ବାହାରୁ ବନ୍ଦ ନ ଥାଏ ବା ମୋତେ ବାଧାଦେବାକୁ କେହି ନଥାନ୍ତି ତେବେ ମୋର ମନ ଯୁଆଡ଼େ ମୁଁ ସେଆଡ଼େ ଚାଲିଯିବି । ଆପଣଙ୍କ କଥାମାନି ଘରଟି ଭିତରେ ଚୁପହୋଇ ବସିବା ଅର୍ଥ ମୁଁ ଆପଣା ଭୁଲ ମାନିଯାଉଛି ।’

‘କବାଟ ବନ୍ଦରହିବ ଓ ବାହାରେ ପହରାବାଲା ରହିବ ।’ ଏହା କହି ସେ ରାଗରେ ତମ ତମ ହୋଇ ପଦାକୁ ବାହାରିଗଲେ ।

ହରଭଜନ ସିଂ ମଧ୍ୟ ଯିବାକୁ ବସିଥିଲା । ଟଙ୍କା କଥା ମନେ ପଡ଼ିବାରୁ ସେ ରହିଗଲା ଓ ପଚାରିଲା ‘ଅମୃତ, କିଛି ପଇସା ବଳିଛି ?’

‘ଭାଇ, ସେଇ ବ୍ୟାଗରେ ଅଛି, ନିଅ ।’

ବ୍ୟାଗ ଭିତରୁ ପଚାଶ ଟଙ୍କା ବାହାର କରିନେଇ ସେ ଘରୁ ବାହାରକୁ ଚାଲିଗଲା । ଅମୃତର ମା ପଛକୁ ରହିଯାଇଥିଲେ । ସେ ଅମୃତର ମୁଣ୍ଡ ଆଉଁସି କହିଲେ, ‘ଦେଖ ଅମୃତ, ତୁ ତ ଭୁଲ କରିସାରିଛୁ, ତା’ ଉପରେ ପୁଣି ବାପାଙ୍କ ସଙ୍ଗେ ତର୍କ !’

‘କ’ଣ କହୁଛୁ ମା, ତୁ ବର୍ତ୍ତମାନ ଯାଉଛୁ ନାଁ ନାହିଁ ?’

‘କାହିଁକି ଯିବି ?’

‘ମୁଁ ମୋ ଗାଲରେ ସେକ ଦେବି । ମତେ ବଡ଼ କଷ୍ଟ ହେଉଛି, ତୁ ଗଲେ ମୁଁ କରିବି ।’

‘ମୁଁ ସେକ ଦେଇଦେଉଛି ।’

‘ନାହିଁ, ମାଡ଼ ଯିଏ ଦେବ ସେ ପୁଣି ସେକିବ କାହିଁକି ? ତୁ ଯାଆ, ବାପାଙ୍କୁ କହିଦେବୁ ତାଙ୍କ ମାଡ଼ରେ ମୋ ମୁହଁ ସିଝିଯାଇଛି । ମୁଁ ନିଜ ଇଚ୍ଛାରେ ଏଠାରେ କଏଦୀ ହୋଇ ରହିପାରିବି ନାହିଁ, ମୁଁ ଯିବି ଇ ଯିବି । ଆହୁରି ମଧ୍ୟ ମୁଁ ଯଦି ଘରକୋଣରେ ପଡ଼ି ରହେ ତେବେ ତୁମ୍ଭେମାନେ ମନେକରିବ ଯେ, ମୁଁ ମୋର ଭୁଲ ପାଇଁ ଅନୁଶୋଚନା କରୁଛି । ମୁଁ ଏଥିରେ ମୋର କିଛି ଦୋଷ ଦେଖୁ ନାହିଁ, ତେଣୁ ଲୁଚି ରହିବାର ଆବଶ୍ୟକତା ମୋର ନାହିଁ । ଯାହାର ମୋତେ ଲୁଚେଇବାର ଇଚ୍ଛା ଅଛି, ସେ ମୋତେ ତାଲା ପକେଇ ବନ୍ଦୀଶାଳାରେ ଲୁଚେଇ ରଖୁ ।’

‘ଦେଖୁଛି ବିନାମାଡ଼ରେ ତୋ’ର ଭୂତ ଛାଡ଼ିବ ନାହିଁ । ତୋତେ ତାଲା ଲଗେଇବାକୁହିଁ ହେବ ।’

ଏହା କହି ମା ସେଠାରୁ ଉଠି ନିଜ କୋଠରୀକି ଚାଲିଗଲେ । ବାହାର ଦରଜା ବନ୍ଦ କରି ଛିଟିକିଣି ଲଗେଇଦେଲେ ।

 

(୧୮)

 

ସେଦିନ ରବୀନ୍ଦ୍ର ଜୟନ୍ତି ଉତ୍ସବରେ ଅମୃତର ନୃତ୍ୟଗୀତ ନୀଳା ଓ ପ୍ରବୋଧ ଉପରେ ଖୁବ୍‌ ପ୍ରଭାବ ପକେଇଥିଲା । ନୀଳା, ପ୍ରବୋଧ ଓ ମାଧୁରୀ ଉତ୍ସବ ଶେଷରେ ଚାଲି ଚାଲି ଘରକୁ ଫେରୁଥିଲେ, ମାଧୁରୀର ସଙ୍ଗୀତ ପ୍ରତି ମନ ନ ଥାଏ । ସେ ଖାଲି ପ୍ରବୋଧ ସାଙ୍ଗରେ ଚାଲିଆସିଥିଲା ।

 

ରାସ୍ତାରେ ପ୍ରବୋଧ ନୀଳାକୁ କହିଲା, ‘ଯେପରି ମନେହେଉଛି ହରଭଜନ ସିଂର ପରିବାର ବେଶ ସଭ୍ୟ ଓ ସୁରୁଚିସମ୍ପନ୍ନ । ଯେଉଁ ପରିବାରର ଝିଅ ଏପରି ସୁନ୍ଦର ନାଚିଗାଇପାରେ, ସେ ପରିବାରର ଜୀବନ ନିଶ୍ଚୟ ମାର୍ଜିତ ହୋଇଥିବ, ଏଥିରେ ସନ୍ଦେହ ନାହିଁ ।’

 

‘ନାଚ ଗୀତ ତ ସ୍ୱତନ୍ତ୍ର ଜିନିଷ । ତା’ ବୋଲି ପରିବାରର ସଭ୍ୟତାର ମାନ ଏହାଦ୍ୱାରା ନିର୍ଦ୍ଧାରିତ ହେବ କାହିଁକି ?’

 

ନୀଳା ହସିକରି କହିଲା, ‘ମୁଁ ଭାବୁଛି ପ୍ରବୋଧବାବୁଙ୍କୁ ଅମୃତ ସହିତ ପରିଚୟ କରାଇଦେଇ ସେହି ସଭ୍ୟ ଓ ମାର୍ଜିତ ପରିବାରର ଝିଅ ସହିତ ବିଭାଘର କରେଇଦେଲେ ଭଲ ହୁଅନ୍ତା ।’

 

‘ଖାଲି କ’ଣ ସଭ୍ୟମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେବ ?’

 

‘ବିବାହ ପାଇଁ କ’ଣ ଅମୃତ ଯୋଗ୍ୟ ପାତ୍ରୀ ନୁହେଁ ?’

 

‘କେବଳ ନାଚ ଗୀତ ଦେଖି ତାହା ମୁଁ କିପରି କହିବି ?’

 

‘ଆହୁରି ମଧ୍ୟ କୁହାଯାଇପାରେ ଯେ, ଅମୃତର ପରିବାର ଶିକ୍ଷିତ ପରିବାର । ଝିଅ ମଧ୍ୟ ଦେଖିବାକୁ ସୁନ୍ଦର । ରୂପ ଯେମିତି ଗୁଣ ମଧ୍ୟ ସେମିତି । ଆଉ ତମର କ’ଣ ଲୋଡ଼ା କୁହ ।’

 

‘ମୋର ଦରକାର ତୁମର ମୁଣ୍ଡ । ତୁମ କଥାରୁ ମୋତେ ଜଣା ପଡ଼ୁଛି ଶେଷରେ ତୁମେ ହରଭଜନ ସିଂ କୁହିଁ ବିବାହ କରିବ ।’

 

‘ସେ କିପରି ସ୍ଥିର ହୋଇଗଲା ?’

 

‘ତୁମେ ଅମୃତଲାଗି ଯେପରି ‘କାନ୍‌ଭାସିଂ’ କରୁଛ ସେଥିରୁ ଜଣା ପଡ଼ୁଛି ସେ ଝିଅଟି ଉପରେ ତୁମର କୌଣସି ନା କୌଣସି ଦିଗରୁ ଅଧିକାର ମିଳିଯାଇଛି ।’

 

‘ବାହା ରେ ବାହା । ଲୋକେ ଇଂଜିନିୟରିଂ ପଢ଼ିଲେ ବୋଧହୁଏ ଏପରି ଯୁକ୍ତିହୀନ କଥା କହନ୍ତି । କୌଣସି ଦୋକାନର ମିଠେଇକୁ ମୁଁ ଯଦି ପସନ୍ଦ କରେ ତେବେ କଣ ତୁମେ ବୁଝିବ ମୁଁ ସେ ମିଠେଇ ଦୋକାନୀକୁ ଭଲ ପାଏ ?’

 

‘ଆଛା ଗୋଟାଏ କଥା ନୀଳା ! ତୁମେ ମତେ ବିବାହ କରିବାକୁ କାହିଁକି ପ୍ରସ୍ତୁତ ନୁହେଁ ।’

 

‘ଭଲା ସମୟରେ ଏ ପ୍ରଶ୍ନ ପଚାରି ବସିଲ, ମୁଁ ତ ଆସି ଆମ ଘର ସାମନାର ପହଞ୍ଚିଲିଣି-।’

 

‘ଓଃ, ଏ ବିଷୟ ଚର୍ଚ୍ଚା ଲାଗି ଗୋଟିଏ ବିଶେଷ ମୁହୂର୍ତ୍ତ ବାଛିବା ଦରକାର ।’

 

‘ଏଥିରେ ଆଉ ସନ୍ଦେହ ଅଛି ? ରାତି ଏଗାରଟାରେ ରାସ୍ତା ଉପରେ ଠିଆ ଠିଆ ବିବାହର ପ୍ରସ୍ତାବ କରାଯାଏ ନାହିଁ ।’

 

‘ତେବେ ଏ ବିଷୟ କଥାବାର୍ତ୍ତା କରିବାକୁ କାଲି ଆସିବି ?’

 

‘ଜ୍ୟୋତିଷ ସହିତ ପରାମର୍ଶ କରି ଆସିବ ।’

 

‘ମୁଁ ତ ଆଗରୁ ତୁମ ପାଇଁ ଜ୍ୟୋତିଷ ଲଗେଇ ରଖିଛି ।’

 

‘କିପରି ?’

 

‘ବଜାରରେ ଚାଲୁ ଚାଲୁ ତ ଆଉ ଏ ବିଷୟରେ କହି ପାରିବି ନାହିଁ । ସମୟ ଆସିଲେ କହିବି ।’

 

ପରଦିନ ସକାଳେ ଖାଇବା ପିଇବା ବେଳକୁ ପ୍ରବୋଧ ଆସି ନୀଳାଘରେ ପହଞ୍ଚିଲା । ଡାକ୍ତର ରାଧାକୃଷ୍ଣ ଦୋକାନରୁ ଫେରି ପ୍ରବୋଧକୁ ଦେଖି ପଚାରିଲେ, ‘ପ୍ରବୋଧ କିପରି ଆସିଲ ?’

 

‘ନୀଳା ଆଜି ମୋତେ ଖାଇବାକୁ ଡାକିଛି ।’

 

Unknown

‘ସେ ଆସୁ ଆସୁ ଆଉ ଘଣ୍ଟାଏ ଡେରି ହେବ । ସେ ଦେଢ଼ୁଟାରେ ଡାକ୍ତରଖାନାରୁ ଫେରେ ।’

 

‘ମୁଁ ଟିକିଏ ଶୀଘ୍ର ଆସିଗଲି । ଭାବିଛି ଏଇଠି ତା ପାଇଁ ଅପେକ୍ଷା କରିବି ।’

 

‘ନାହିଁ ନାହିଁ, ମୁଁ ଯିବା କଥା କହୁନାହିଁ । ବରଂ ମୋର ଇଚ୍ଛା ତୁମକୁ ଭୋକ ହବଣି, ମୋ ସଙ୍ଗେ ଖାଇଦେଲେ ହୁଅନ୍ତା ।’

 

‘ନାହିଁ ଆଜ୍ଞା, ମୋତେ ଭୋକ ହୋଇନାହିଁ । ଆପଣ ଖାଇ ନିଅନ୍ତୁ ।’

 

ସେ ସେଇଠାରେ ବସି ଖଣ୍ଡେ କ’ଣ ବହି ପଢ଼ିବାକୁ ଲାଗିଲା । ଡାକ୍ତର ରାଧାକୃଷ୍ଣ ଖାଇ ତାଙ୍କରି ଶୋଇବା ଘରେ ବିଶ୍ରାମ କଲେ ।

 

ଡାକ୍ତର ଶୋଇ ଶୋଇ ଭାବିଲେ, ନୀଳା ଯେତେବେଳେ ପ୍ରବୋଧକୁ ନିମନ୍ତ୍ରଣ କରିଛି ସେତେବେଳେ ପୁଣି ସେମାନଙ୍କ ଭିତରେ ବୋଧହୁଏ କିଛି ଗୋଟାଏ ବିଚାର ଚାଲିଛି । ସେ ପ୍ରବୋଧକୁ ନିରାଶ କରିଥିଲେ ସୁଦ୍ଧା ପ୍ରବୋଧପ୍ରତି ତାଙ୍କର ଖୁବ୍‌ ଭଲ ଧାରଣା ଥିଲା । ଆହୁରି ମଧ୍ୟ ନୀଳା ଓ ପ୍ରବୋଧ ବହୁ ପିଲାଦିନର ସାଙ୍ଗ । ସେମାନେ ପରସ୍ପରକୁ ଭଲ ଭାବରେ ବୁଝିଛନ୍ତି । ହରଭଜନ ସିଂ ଅପେକ୍ଷା ତାଙ୍କ ମତରେ ପ୍ରବୋଧ ଭଲ । ଏହି ସମୟରେ ନୀଳାର ମା ଆସି ପହଞ୍ଚିଲେ । କହିଲେ, ‘ଆମର ଯେଉଁଦିନ ଭୋଜୀ ହୋଇଥିଲା, ସେଦିନ ସୁଶୀଳର ମା ନୀଳାକଥା ପଚାରୁଥିଲେ । ତା’ର କେଉଁଠି ପ୍ରସ୍ତାବ ପଡ଼ିଲାଣି କି ନାହିଁ । ସେ ମଧ୍ୟ ନୀଳାକୁ ଖୁବ୍‌ ପ୍ରଶଂସା କରୁଥିଲେ । ମୁଁ ଭାବିଲି ସୁଶୀଳପାଇଁ ସେ ପ୍ରସ୍ତାବ ଆଣିବେ ବୋଲି, କିନ୍ତୁ ସେ କଥାଛଳରେ ସୁଶୀଳର ବିବାହ ସରକାରବାବୁଙ୍କ ଝିଅ ସହିତ ହେବ ବୋଲି କହିଲେ । ସରକାର ବାବୁଙ୍କ ଝିଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି । ଖୁବ୍‌ ଭଲ ଗୀତ ବୋଲେ । ତାଙ୍କର ମତ ବଙ୍ଗାଳୀସହିତ ବଙ୍ଗାଳୀର ସମ୍ପର୍କ ହେବା ଉଚିତ । ପୁଣି ଝିଅଙ୍କର ଚାଳିଚଳନ ପୋଷାକ ଖାଇବା ପିଇବା ଅନ୍ୟାନ୍ୟ ଢଙ୍ଗ ସବୁ ଏକପ୍ରକାର ହେବା ଉଚିତ । ମୋର ମନେ ହେଲା ତାଙ୍କ କଥାବାର୍ତ୍ତାରୁ ଯେପରି ସେ ନୀଳାକୁ ସୁଶୀଳପ୍ରତି ଧ୍ୟାନ ନ ଦେବାକୁ ପରୋକ୍ଷରେ କହୁଛନ୍ତି ।’

 

ଡାକ୍ତର ରାଧାକୃଷ୍ଣ କହିଲେ, ‘ତୁମର ବିଚାର ଠିକ୍‌, କିନ୍ତୁ ମୁଁ କିଛି ବୁଝିପାରୁ ନାହିଁ ନୀଳାର ମନ କ’ଣ । ତା’ର ପ୍ରବୋଧ ବିଷୟରେ ମତ କ’ଣ ଜାଣ ? ପ୍ରବୋଧ ସବୁ ଦିଗରୁ ଭଲ । ପଢ଼ା ଲେଖା ସବୁଥିରେ ଭଲ । ପଇସାବାଲା ଘର । କିନ୍ତୁ ଚାକିରୀ କଲେ ଉନ୍ନତିର ଗୋଟାଏ ସୀମା ଅଛି । ଚାକିରିଆ ଜୀବନରେ କିଛି ନୂତନତ୍ୱ ନାହିଁ । ସେହି ଗତାନୁଗତିକ କାମ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ । ସେଥିପାଇଁ ନୀଳାର ପ୍ରବୋଧ କଥାରେ ଅରାଜି ।’ ଏତିକି କହି ଡାକ୍ତର ଶୋଇଲା ପରି ହେବାରୁ ନୀଳାର ମା ଘରକାମରେ ଅନ୍ୟତ୍ର ଚାଲିଗଲେ ।

 

ନୀଳା ଦେଢ଼ଟାରେ ଆସି ପ୍ରବୋଧକୁ ଦେଖିବାମାତ୍ରେ ଗତକାଲି ରାତିକଥା ତା’ର ମନେ ପଡ଼ିଗଲା । ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘ଆପଣ ତ ଖାଇ ନଥିବେ ।’

 

‘ନା, ମୁଁ ତ ସେଥିପାଇଁ ତୁମକୁ ଅପେକ୍ଷା କରି ବସିଛି ।’

 

‘ମୁଁ ମନେ କଲି କୌଣସି ଜ୍ୟୋତିଷ କଥାରେ ଆପଣ ମାଡ଼ି ଆସିଲେ ।’

 

‘ହଁ, ତାହା ମଧ୍ୟ ସତ ଯେ । ମୁଁ ବାପାଙ୍କଠାରୁ ଶୁଣିଲି ତୁମେ ବର୍ତ୍ତମାନ ଖାଇବାକୁ ଆସିବ-। ମୁଁ ଦେଖିଲି ଆଉ ଘରକୁ ଯିବି କାହିଁକି । ଏଇଠି ଖାଇପିଇ କଥାବାର୍ତ୍ତା କରି ଯିବି ।’

 

‘ତେବେ ଶୀଘ୍ର ଆସନ୍ତୁ, ମୋତେ ଭାରି ଭୋକ ହେଲାଣି ।’

 

(୧୯)

 

ନୀଳା ଓ ପ୍ରବୋଧ ଖାଇବାକୁ ବସିଲେ । ଖାଉ ଖାଉ ପ୍ରବୋଧ ଆରମ୍ଭ କଲା, ‘ନୀଳା ଶୁଣିଲଣି, ମୁଁ ଗାରେଜ ଭଡ଼ା ନେଇ ସେଥିରେ ମଟର ସଜାଡ଼ିବା ଯନ୍ତ୍ରପାତି ଖଞ୍ଜି ନେଲିଣି । ତା ସାଙ୍ଗକୁ ଗୋଟିଏ ପେଟ୍ରୋଲ ପମ୍ପ, ଗାଡ଼ିରେ ପମ୍ପ ଦେବା ଯନ୍ତ୍ର ଓ ଅନ୍ୟାନ୍ୟ ସବୁ ସାଜ ସରଞ୍ଜାମ ପ୍ରାୟ ପ୍ରସ୍ତୁତ । କେବଳ ଗୋଟିଏ ଶୁଭଦିନକୁ ଅପେକ୍ଷା କରିଛି । ଆଶାକରେ କାମ ମନ୍ଦ ଚାଲିବ ନାହିଁ । ଆଉ ଗୋଟିଏ କାମ ବାକୀ ରହିଲା, ଯାହାପାଇଁ ତୁମର ଆବଶ୍ୟକତା ସବୁଠାରୁ ବେଶି ।’

 

‘ମୋର ପୁଣି ଦରକାର କେଉଁ କାମଲାଗି ?’

 

‘ନିଜ ଘର ବାନ୍ଧିବା ପାଇଁ ।’

 

‘ଆପଣ ଯେତେବେଳେ ଏଡ଼େ ବଡ଼ ବଡ଼ କାମ ଏକା ଏକା କରି ଦେଲେ, ଘର ବାନ୍ଧିବାଟା କେଡ଼େ ଛାର କଥା । କୌଣସି ଠିକାଦାରକୁ ଟଙ୍କା ଦେଇଦେଲେ ସେ ଅଳ୍ପ କେଇଟାଦିନ ଭିତରେ ଘର ତିଆରି କରିଦେବ ।’

 

‘ନାହିଁ ନୀଳା ଦେବୀ, ମୁଁ ଘର ଦୁଆର ତିଆରି କଥା କହୁନାହିଁ, ମୁଁ କହୁଛି ଘର-ସଂସାର ବାନ୍ଧିବା କଥା । ସେଥିପାଇଁ ତୁମର ସହଯୋଗ ହିଁ କେବଳ ମାତ୍ର ଲୋଡ଼ା ।’

 

‘ହଁ, ଗୋଟାଏ କଥା ମନେ ପଡ଼ିଲା । ଆପଣ ସମାଜବାଦୀ ନାଁ । ଆପଣ ଯେଉଁ କାରଖାନା କରୁଛନ୍ତି ସେଥିରେ ଆପଣ ମାଲିକ ନାଁ ଶ୍ରମିକ ହୋଇ ରହିବେ ?’

 

‘ସମାଜବାଦୀ ସମାଜ ସ୍ଥାପନପାଇଁ ତ ଏବେ ସରକାର ନିଜେ ଡାକରା ଦେଇଛନ୍ତି । ମୋର କାରଖାନାର ଶ୍ରମିକମାନଙ୍କ ସହିତ ମୁଁ ନିଜକୁ ଜଣେ ବୋଲି ମନେ କରିବି । ମୋର ବିଚାର ଯେ, ମୁଁ ମୋ କାରଖାନାର ପ୍ରତ୍ୟେକ ଶ୍ରମିକକୁ ଲାଭର ଅଂଶ ସମାନ ଭାବରେ ବାଣ୍ଟି ଦେବି ।’

 

‘କେତେ ପାଣ୍ଠି ଲଗାଉଛନ୍ତି ଆପଣ ?’

 

‘ଚାଳିଶ ହଜାର ତ ଖର୍ଚ୍ଚ ହୋଇଗଲାଣି । ଆହୁରି କିଛି ଲାଗିବ । ବାବାଙ୍କଠାରୁ ବିନା ସୁଧରେ ତ ପଚିଶ ହଜାର ଆଣିଚି । ପାଞ୍ଚ କିସ୍ତିରେ ତାଙ୍କ ଟଙ୍କା ତାଙ୍କୁ ଫେରେଇ ଦେବି ବୋଲି ଭାବିଛି । ବାକୀ ଯାହା ଲାଭ ହେବ, ତାହା ଶ୍ରମିକଙ୍କ ଭିତରେ ବଣ୍ଟାଯିବ; ମୁଁ ବି ସେମାନଙ୍କ ଭିତରେ ଜଣେ ବୋଲି ଧରାହେବି ।’

 

‘ଆଜି ପର୍ଯ୍ୟନ୍ତ ତେବେ ଆପଣ ବିଶ୍ୱାସ କରୁଛନ୍ତି, ପାଣ୍ଠି ଓ ଶ୍ରମ ଏକ ପର୍ଯ୍ୟାୟର ?’

 

‘ହଁ, ମୁଁ ମୋ କାରଖାନାକୁ ଗୋଟିଏ ସମାଜବାଦୀ ସଂସ୍ଥାରେ ତିଆରି କରିବାକୁ ଚାହୁଁଛି-।’

 

‘ଆପଣ କ’ଣ ଭାବୁଛନ୍ତି ଆପଣଙ୍କର ଏ ବିଚାର ଠିକ୍‍ ରହିବ ?’

 

‘ପଦେ ପଦେ ଠିକ୍‌ ରହିବ ।’

 

‘ଆପଣ ଯଦି ବାବାଙ୍କଠାରୁ ଆଣିଥିବା ପାଣ୍ଠିତକ ଠିକ୍‌ ସମୟରେ ଫେରେଇ ଦିଅନ୍ତି, ମୁଁ ଆପଣଙ୍କୁ ଧନ୍ୟବାଦ ଦେବି ।’

 

‘ତୁମର କ’ଣ ମୋର ଏ ଯୋଜନାରେ କିଛି ସନ୍ଦେହ ହେଉଛି ?’

 

‘ହଁ, ମୋତେ କାହିଁକି ଆପଣଙ୍କର ଏ ବିଚାର ଟିକିଏ ଅସ୍ୱାଭାବିକ ଲାଗୁଛି ।’

 

‘ଓଃ, ତେବେ ଏହି କାରଣରୁ ତୁମେ ମୋ ସହିତ ବିବାହ ପ୍ରସ୍ତାବକୁ ପସନ୍ଦ କରୁନାହିଁ ।’

 

‘ଆପଣ ଆପଣଙ୍କ ବାବାଙ୍କ ସମ୍ପତ୍ତି ଯେପରି ଭାବରେ ବ୍ୟୟ କରନ୍ତୁ ମୋର ସେଥିରେ କିଛି କହିବାର ନାହିଁ । ମୁଁ ମୋର ସ୍ୱତନ୍ତ୍ରତା ପାଇଁ ଚିନ୍ତିତ । ମୁଁ ଚାହେଁ ମୋର ଆଚାର ବ୍ୟବହାରରେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା । ସରଦାର ହରଭଜନ ସିଂ ପାଞ୍ଚବର୍ଷ ହେଲା ମୋ ସଙ୍ଗେ ଲଗେଇଛି । କିନ୍ତୁ ସେ ଶିଖ୍‍ ସମ୍ପ୍ରଦାୟର ଅତ୍ୟନ୍ତ ଭକ୍ତ । ଚାରି ପାଞ୍ଚଦିନ ତଳେ ସେ ମୋତେ ପଚାରିଛି । ମୁଁ ତାକୁ କହିଲି ‘ସେ କଣ ଶିଖ୍‌ ଧର୍ମକୁ ମାନବିକତାଠାରୁ ଉଚ୍ଚରେ ବୋଲି ମନେକରେ । ସେ ମୋ କଥା ବୁଝିଲା ନାହିଁ । ମୁଁ ତାକୁ ବୁଝେଇ ଦେଲି, ସେ ଶିଖ୍‌ ଧର୍ମରେ ଅମୃତ ପାନକରିଛି ବୋଲି କ’ଣ ନିଜକୁ ଅନ୍ୟାନ୍ୟ ମନୁଷ୍ୟଠାରୁ ଉଚ୍ଚ ମନେକରେ ।’ ମୁଁ ତାଙ୍କ ଗୁରୁଦ୍ୱାରର ଦିନକର ଘଟଣା ବିଷୟ ତାକୁ କହିଲି, ସେ ଚୁପ ରହିଲା । ମୁଁ ପୁଣି ତାକୁ ପଚାରିଥିଲି, ଯେଉଁ ଗୁରୁଦ୍ୱାରରେ ମନୁଷ୍ୟକୁ ମନୁଷ୍ୟ ବୋଲି ଜ୍ଞାନ କରାଯାଏ ନାହିଁ, ସେ ଗୁରୁଦ୍ୱାରକୁ ଛାଡ଼ିବାକୁ ପ୍ରସ୍ତୁତ ?’ ସେ ଉତ୍ତର ଦେଲା ନାହିଁ । ମୁଁ ତାକୁ ପରିଷ୍କାର କହିଦେଲି ଯେ, ମୁଁ କୌଣସି ଧର୍ମାନ୍ଧ ଯୁବକକୁ ବିବାହ କରିବାକୁ ଚାହେଁ ନାହିଁ ।

 

‘ପୁଣି ସୁଶୀଳକୁମାର ମଧ୍ୟ ମୋ ସହିତ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସେଦିନ ଭୋଜିରେ ତାଙ୍କ ମା କହିଲେ ଯେ, ସୁଶୀଳକୁ ସେ ବଙ୍ଗାଳୀ ଝିଅ ଛଡ଼ା ଅନ୍ୟ କାହା ସହିତ ବିବାହ ଦେବେ ନାହିଁ । ଦେଖିଲି ସେ ମଧ୍ୟ ପ୍ରାଦେଶିକତା ଦୋଷରେ ଦୁଷିତ । ସେ ମଧ୍ୟ ଧର୍ମାନ୍ଧତାଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ ।

 

‘ଆଉ ଜଣକ କଥା କହୁଛି । ସେ ଜଣେ ଜମିଦାରଙ୍କ ପୁଅ । ବାବାଙ୍କ ପାଖରେ ଚିକତ୍ସା କରାଉଥିଲେ । ଆଖିପଡ଼ିଲା ମୋ ଉପରେ । ବାବାଙ୍କ ସଙ୍ଗେ ପ୍ରସ୍ତାବ ଉଠାଇଲେ ମୋର ବିବାହ ପାଇଁ । ଶୁଣିଲି ସେ ଜଣେ ଆର୍ଯ୍ୟସମାଜବାଲା । ନିଜ ଜମିଦାରୀ ଇଲାକାରୁ ମହାଦେବ ମନ୍ଦିର ସବୁକୁ ଉଠେଇ ଦେଇଛନ୍ତି । ସେ ବାବାଙ୍କ ସମ୍ମତି ଅନୁସାରେ ମୋ ସହିତ କଥାବାର୍ତ୍ତା କଲେ । ମୁଁ କହିଲି, ମୁଁ ହନୁମାନଭକ୍ତ । ହନୁମାନଙ୍କୁ ପୂଜାକରେ । ଆପଣଙ୍କ ସେଥିରେ ଆପତ୍ତି ନାହିଁ ତ ?

 

‘ଉତ୍ତରରେ ସେ କହିଲେ, ‘ଆପତ୍ତି ତ ଅଛି, କିନ୍ତୁ ଏଥିପାଇଁ ଝଗଡ଼ା କଜିଆ କରିବାର କିଛି ନାହିଁ’ ।

 

‘ନ ଥାଉ, ମୁଁ କିନ୍ତୁ ହନୁମାନ ମନ୍ଦିରକୁ ପୂଜା ପାଇଁ ବରାବର ଯିବି’ ।

 

‘ମୋ ଇଲାକାରେ ହନୁମାନଜୀଙ୍କର ମୂର୍ତ୍ତି ନାହିଁ’ ।

 

‘ମୁଁ ଯଦି ହନୁମାନଜୀଙ୍କର ଗୋଟିଏ ମନ୍ଦିର ସେଠାରେ କରିନିଏ’ ।

 

‘କି ଦରକାର, ଗୋଟାଏ ମାଟି ପ୍ରତିମାକୁ ପୂଜା କରିବାରେ କଣ ଗୋଟାଏ ବିଶେଷତ୍ୱ ଅଛି’ ?

 

‘ମାଟି ପ୍ରତିମାରେ ବିଶେଷତ୍ୱ ନଥାଇ ପାରେ, କିନ୍ତୁ ସେ ଯାହାଙ୍କର ପ୍ରତିମା ତାଙ୍କର ତ କିଛି ବିଶେଷତ୍ୱ ଅଛି । ମୂର୍ତ୍ତି ତ କେବଳ ଚିହ୍ନ ମାତ୍ର’ ।

 

‘ହଁ ତାଙ୍କର ବଡ଼ ଲାଙ୍ଗୁଡ଼ ଥିଲା ବୋଲି କଣ ତାଙ୍କର ବିଶେଷତ୍ୱ ଅଛି ।’

 

‘ଲାଙ୍ଗୁଡ଼ ଥିଲା ନ ଥିଲା ମୁଁ କିପରି କହିବି ? ମୁଁ ତ ତାଙ୍କୁ ସ୍ୱଚକ୍ଷୁରେ ଦେଖି ନାହିଁ ।’

 

‘କିନ୍ତୁ ମଣିଷଙ୍କର ତ କେବେହେଲେ ଲାଙ୍ଗୁଡ଼ ନଥିଲା ।’

 

‘କିନ୍ତୁ ହନୁମାନ ମାଙ୍କଡ଼ ଥିଲେ କି ମଣିଷ ଥିଲେ ସେ ବିଷୟ ଆଲୋଚନା କରି ଲାଭ ନାହିଁ । କିନ୍ତୁ ଏତିକି କହିଲେ ଯଥେଷ୍ଟ ହେବ ଯେ ସେ ଆର୍ଯ୍ୟ ସଂସ୍କୃତିର ରକ୍ଷାକାରୀ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ, ସହାୟକ ଏବଂ ସହଯୋଗୀ ଥିଲେ ।’

 

ସେ କହିଲେ, ‘ମୂର୍ତ୍ତିପୂଜା ତ ମୂର୍ଖତାର ପରିଚାୟକ ।’

 

‘ତାଙ୍କର ଏ କଥାରେ ମୁଁ ଚୁପ୍‌ ରହିଲି । ୟାପରେ ସେ ଥରେ ଚିଠି ଦେଇଥିଲେ; ମୋର ମତାମତ କ’ଣ ବୋଲି ପଚାରିଥିଲେ । ମୁଁ ଜବାବ୍‌ ଦେଲି ଯେ, ମୁଁ ବିଚାରର ସ୍ୱାଧୀନତାକୁ ମୋର ଜୀବନଠାରୁ ଆହୁରି ମୂଲ୍ୟବାନ ମନେକରେ, ଆଉ ମୋର ସ୍ୱାମୀ ଯେ ହେବେ ସେ ଯଦି ମୋତେ ଏହିତକ ସ୍ୱତନ୍ତ୍ରତା ଦେଇ ନପାରିବେ, ତେବେ, ମୁଁ ଅନ୍ୟଠାରୁ ତାହା କିପରି ଦାବୀ କରିବି ? ପରିଷ୍କାର ଲେଖିଦେଲି, ମୋ ସହିତ ତାଙ୍କର ବିବାହ ହୋଇପାରିବ ନାହିଁ ।

 

‘ଆଜି ପୁଣି ଆପଣ ମୋ ସହିତ ବିବାହ ପ୍ରସ୍ତାବ ଆଣିଛନ୍ତି । ଆପଣଙ୍କ ଆର୍ଥିକ ସ୍ୱଚ୍ଛଳତା ଓ ପାଣ୍ଠି ବିଷୟରେ ପଚାରି ବୁଝିବାର ଆବଶ୍ୟକତା ମୋର କିଛି ନାହିଁ । କେବଳ ମୁଁ ଶୁଣୁଥିଲି ଯେ ଆପଣ କମ୍ୟୁନିଷ୍ଟ ମତବାଦୀ । ତେଣୁ ବୁଝୁଥିଲି ଏବେ ବି ଆପଣ ସେହି ମତବାଦକୁ ସମର୍ଥନ କରୁଛନ୍ତି ନାଁ ପୂରାପୂରି ଛାଡ଼ିଲେଣି । ବିଭିନ୍ନ ‘ଇଜମ୍‌’ କଥା ପଡ଼ିଲେ ମୋତେ ବଡ଼ ଭୟ ଲାଗେ । ତେଣୁ ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ତୁରନ୍ତ ଦେଇପାରୁନାହିଁ ।’

 

‘କିନ୍ତୁ ନୀଳା, କମ୍ୟୁନିଜମ୍‌ ତ ଆଉ ମୁସଲମାନ, ଶିଖ୍‌ ପ୍ରଭୃତି ଧର୍ମମତବାଦପରି ନୁହେଁ । ଏହା କେବଳ ଆର୍ଥିକ ବ୍ୟବସ୍ଥାର ବିଚାରଧାରା ।’

 

‘ଦେଖନ୍ତୁ ପ୍ରବୋଧବାବୁ ! ‘ଇଜମ୍‌’ କହିଲେ ବିରୋଧମତବାଦୀ ବା ଧର୍ମ ପ୍ରତି ବରାବର କିପରି ଗୋଟାଏ ଅସହନଶୀଳତାର ଗନ୍ଧ ଦେଖିବାକୁ ମିଳେ । କମ୍ୟୁନିଜମ୍‌ରେ ମଧ୍ୟ ସେହିପରି ଅସହନଶୀଳତାର ଗନ୍ଧ ବରାବର ରହିଛି । ଏହା କଣ ସତ ନୁହେଁ ଯେ, କମ୍ୟୁନିଷ୍ଟ ଆପଣା ବିରୋଧୀର ମୂଳୋତ୍ପାଟନ ପାଇଁ ଯେ କୌଣସି କର୍ମକୁ ଘୃଣ୍ୟ ବୋଲି ମନେ କରେ ନାହିଁ ।’

 

‘ତୁମେ ଠିକ୍‌ କହିଛ, ମାଲିକ ତ ପୁଣି ଶ୍ରମିକର ନାଶ ପାଇଁ ଯତ୍ନ କରୁଛି ।’

 

‘ଶହେ ବର୍ଷ ପୂର୍ବେ କ’ଣ ଥିଲା ସେ କଥା ହୁଏତ ମୁଁ କହିପାରିବି ନାହିଁ । ଏବେ ଭାରତରେ ଯାହା ହେଉଛି, କେବଳ ସେହିକଥା ମୁଁ କହି ପାରିବି । ଆଜି କୌଣସି ଶ୍ରମକି ଭାରତରେ ମୃତ୍ୟୁବରଣ କରୁନାହିଁ । ଶ୍ରମିକର ଅଧିକାର ଆଇନଜରିଆରେ ନିର୍ଦ୍ଦିଷ୍ଟ କରିଦିଆଯାଇଛି-। ତେଣୁ ଶ୍ରେଣୀସଂଘର୍ଷ ବା ଘୃଣାର ଆବଶ୍ୟକତା ଆଉ ନାହିଁ ।’

 

‘ଏବେ ବି ସଂପୂର୍ଣ୍ଣ ସନ୍ତୋଷଜନକ ଆଇନ କରାଯାଇ ପାରିନାହିଁ ।’

 

‘ଏହାକୁ ସନ୍ତୋଷଜନକ କରିବାକୁ ଯତ୍ନ କରାଯାଇପାରେ । କିନ୍ତୁ ପୁଞ୍ଜିପତିର ଉପସ୍ଥିତି ଯେ ପୂର୍ଣ୍ଣଭାବରେ ଅବାଞ୍ଛନୀୟ ଏହା କହି ହେବନାହିଁ । ପୁଞ୍ଜି ନଥିଲେ କାମ କିପରି ଚାଲିବ ?’

 

‘ଏହା ମତଭେଦର କଥା । ଗୋଟାଏ ଜାଗାରେ ଏକାଧିକ ପୁଞ୍ଜିପତି ଏକାଠି ହେଲେ କର୍ମଚାରୀଙ୍କ ପ୍ରତି ବେଶିରୁ ବେଶି ଅନ୍ୟାୟ ହେଉଛି ।’

 

‘କିନ୍ତୁ ବିନା ପୁଞ୍ଜିରେ କାମ ଚାଲିବ କିପରି ? କମ୍ୟୁନିଷ୍ଟଙ୍କର ତ ପୁଣି ପୁଞ୍ଜିର ଆବଶ୍ୟକତା ପଡ଼େ । ତଫାତ୍‌ କେବଳ ଏତିକି ଯେ, କମ୍ୟୁନିଷ୍ଟ ସଂସ୍ଥାରେ ରାଷ୍ଟ୍ର ପୁଞ୍ଜିପତିର ଆସନ ଗ୍ରହଣ କରେ ଏବଂ ବ୍ୟକ୍ତିଗତ ସ୍ୱତନ୍ତ୍ରତାରେ ରାଷ୍ଟ୍ରର ବାହାରେ ଜଣେ କେହି ପୁଞ୍ଜିପତି ହୋଇଥାଏ-।’

 

‘ଆଜିକାଲି ଏ ଯେଉଁ ଯନ୍ତ୍ରଯୁଗ ହେଲା, ସେଥିରେ ବିନା ପୁଞ୍ଜିରେ କାମ ଚଳିବା କଷ୍ଟକର । ପୁଣି ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ନିଜର ଆବଶ୍ୟକତାରୁ ଅଧିକ ଉତ୍ପାଦନ କରିଥାଏ । ଫଳରେ ଧନ ଗୋଟାଏ ଜାଗାରେ ପୁଞ୍ଜିଭୂତ ହେଉଛି । କଥା ହେଉଛି ସେ ଧନ କାହାପାଖରେ ଜମା ହେଉଛି ? ଯୋଜନା କଲାବାଲା ଲୋକ ପାଖରେ ନା ନିଜେ ପରିଶ୍ରମ କରିଥିବା ଲୋକପାଖରେ ରହୁଛି ନା ଦେଶର ଶାସକ ହାତରେ ରହୁଛି ?’

 

‘ଦେଶର ଶାସକକୁ ଶାସନବ୍ୟୟ ନିର୍ବାହପାଇଁ କରି ଦିଆଯାଉଛି । ସେ ଆବିଷ୍କାରକ ନୁହେଁ ବା କାରଖାନାର ସଞ୍ଚାଳକ ନୁହେଁ, ତେବେ ତାଙ୍କ ପାଖକୁ ଧନ ଯିବ କାହିଁକି ?’

 

‘କାରଣ ସେ ଜନତାର ପ୍ରତିନିଧି ।’

 

‘ସେ ଅବଶ୍ୟ ଜନତାର ପ୍ରତିନିଧି । ତେଣୁ ଜନତା ସମୂହଭାବରେ ଶ୍ରମ କରି ଯାହା ହାସଲ କରିଛି ସେହି ଶ୍ରମଫଳ ଉପରେ ତାଙ୍କର ଅଧିକାର ଥାଇପାରେ । ଯେଉଁ ଜିନିଷ ଜନତା ସମୂହଭାବରେ ତିଆରି କରିବାକୁ ଅସମର୍ଥ ତା ଉପରେ ଜନତା ପ୍ରତିନିଧିଙ୍କର କୌଣସି ଅଧିକାର ନାହିଁ ।’

 

‘ମୋର କହିବାର କଥା, ଦେଶର ପ୍ରତ୍ୟେକ କାରଖାନା, ପ୍ରତ୍ୟେକ ବ୍ୟବସାୟ ଦେଶର ଖାସ୍‌ ସମ୍ପତ୍ତି ହେବା ଦରକାର । ତେଣୁ ଦେଶର ପ୍ରତିନିଧିଙ୍କର ସେଥିରେ ପୂରା ଅଧିକାର ରହିବା ଦରକାର ।’

 

‘ଏହା ଆପଣଙ୍କ କହିବା କଥା ନା ଏଥିରେ କିଛି ପ୍ରମାଣ ଅଛି ? ଗୋଟାଏ ବ୍ୟବସାୟ ସମସ୍ତଙ୍କର ସମ୍ପତ୍ତି କିପରି ହେବ ? ଦେଶର ଜୀବନବୀମା କମ୍ପାନୀ କଥା ଦେଖାଯାଉ । କେତେ ଲୋକ ମିଶି ଗୋଟାଏ ବ୍ୟବସାୟ ଆରମ୍ଭ କଲେ ଓ ତାକୁ ଦେଶରେ ପ୍ରଚଳନ କରି ଜନପ୍ରିୟ କରିପାରିଲେ । ଅବଶ୍ୟ ବୀମା କରିବା ଲୋକଙ୍କ ସଂଖ୍ୟା ଦେଶରେ ବହୁତ କମ୍‌; କିନ୍ତୁ ଏହାର ପ୍ରଚଳନ ତଥା ଉନ୍ନତିରେ ଦେଶର ସବୁଲୋକଙ୍କର ସହାୟତା ତ ମିଳିନାହିଁ । ଏହି ବ୍ୟବସାୟ ଉପରେ ଜନତା ପ୍ରତିନିଧିଙ୍କର ଅଧିକାର ଆସିଲା କିପରି ?’

 

‘ଏହାର କାରଣ ଅବଶ୍ୟ ଏହି ଯେ ବୀମା କମ୍ପାନୀର ଲୋକମାନେ କେତେକ ପରିମାଣରେ ମନସୁଖୀ କାମ କରିଛନ୍ତି ।’

 

‘ଏହାର ନିରାକରଣପାଇଁ ଆଇନ କରାଯାଇପାରିଥାନ୍ତା । ଉଦହରଣସ୍ୱରୂପ କୁହାଯାଇପାରେ ଯେ, ଠିକ୍‌ଭାବେ ବୀମାର କିସ୍ତି ବା ପ୍ରାପ୍ୟ ଧାର୍ଯ୍ୟ କରିବାପାଇଁ ସୁଚିନ୍ତିତ ଆଇନ କରାଯାଇପାରନ୍ତା । ବୀମାକାରୀ ତଥା କମ୍ପାନୀ ଉଭୟଙ୍କ ସ୍ୱାର୍ଥଦୃଷ୍ଟିରୁ କେତେକ ଆଇନ ମଧ୍ୟ କରାଯାଇପାରନ୍ତା । କିନ୍ତୁ ୟେ କେଉଁ ଆଡ଼ର ଯୁକ୍ତି, ଯାହାକି ଚୋର ଓ ସାଧୁଙ୍କ ଭିତରେ ଭଲ ଲୋକ ହୋଇ ନ୍ୟାୟ ସ୍ଥାପନ କରିବାକୁ ଯାଇଁ ନିଜେ ଗାଦି ମାଡ଼ି ବସିବା ?’

 

‘ବ୍ୟବସାୟରେ ତୁମ କଥା କେତେକ ଭାବରେ ଠିକ୍‌ ହୋଇପାରେ, କିନ୍ତୁ ନୀଳାଦେବୀ ! କାରଖାନା ପାଇଁ ଏ ଯୁକ୍ତି ଚଳିବ ନାହିଁ । ଧର ଗୋଟିଏ ଲୁଗାକଳ । ତା ଦେହରେ ହଜାର ରକମ ଯନ୍ତ୍ର ଲାଗିଛି । ଯନ୍ତ୍ର ଆବିଷ୍କାରକ ହୁଏତ ଭୋକରେ ମଲା, କିନ୍ତୁ ଲାଭ ଉଠାଇଲେ କଳମାଲିକ, ଯିଏ ତାକୁ କାରଖାନାରେ ଆଣି ବସେଇଲେ ।’

 

‘ଯନ୍ତ୍ରପାତିର ମୂଲ୍ୟରୁ ଯେ କୌଣସି ଅଂଣ ସରକାର ଆଇନ କରି ଯନ୍ତ୍ରର ଆବିଷ୍କାରକ ବା ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦେଇପାରନ୍ତି, କିନ୍ତୁ କେଉଁ ଯୁକ୍ତି ବଳରେ ସରକାର ସ୍ୱୟଂ କାରଖାନାର ମାଲିକ ହୋଇ ବସିଯିବେ ? ଗୋଟିଏ କାରଖାନାର ମାଲିକ ମେସିନ କିଣି କାରଖାନାରେ ବସେଇବେ । ଆବିଷ୍କାରକ ସଙ୍ଗେ ତାଙ୍କର କି ସମ୍ପର୍କ ଅଛି ?’

 

ଏପରି କଥାବାର୍ତ୍ତା ହେଉ ହେଉ ଭୋଜନ ସରିଲା । ଦୁହେ ମୁହଁ ହାତ ଧୋଇ ପୁଣି ସେହି ସ୍ଥାନକୁ ଫେରି ଆସିଲେ ।

 

(୨୦)

 

ପ୍ରବୋଧ କହିଲା, ‘ଦେଖନ୍ତୁ ନୀଳା ଦେବୀ, ଯଦି ପ୍ରତ୍ୟେକ ଝିଅ ବିବାହ ପୂର୍ବରୁ ତାଙ୍କ ଭାବୀ ସ୍ୱାମୀଙ୍କ କାର୍ଯ୍ୟକଳାପ ତଥା ମତବାଦ ନେଇ ଏପରି ଟିକିନିଖି ଆଲୋଚନା ଆରମ୍ଭ କରିବେ ତେବେ ସଂସାରରେ କୌଣସି ବିବାହ ପକ୍‌କା ହୋଇ ପାରିବ ନାହିଁ । ସବୁ ପୁଅ ଝିଅ ଅଭିଆଡ଼ା ହୋଇ ରହିଯିବେ ।’

 

‘କଥା କଣ କି, ଗତ କେତେବର୍ଷ ତଳେ ଦେଶର ଅବସ୍ଥା ଯାହା ଥିଲା ତାହା ବହୁତ ବଦଳିଯାଇଛି । ଏବେ ଝିଅମାନେ ବାପ ସମ୍ପତ୍ତିର ମାଲିକ ହେଲେଣି । ପୂର୍ବେ ବାପ ସମ୍ପତ୍ତିର ମାଲିକ ପୁଅମାନେ ଥିଲେ । ଝିଅର ଦେଖାଶୁଣାର ଦାୟିତ୍ୱ ତା’ର ପତି ଉପରେ ଛାଡ଼ି ଦିଆଯାଉଥିଲା । ଝିଅ ସମ୍ପତ୍ତି ଉପରେ ଅଧିକାର ପାଇବା ପରେ ଏହା ତାହାର ଭାବିବା ଉଚିତ ଯେ, ତା’ର ସ୍ୱାମୀ ଯିଏ ହବ ସେ ତା’ର ସମ୍ପତ୍ତିର ଉଚିତ ରକ୍ଷଣାବେକ୍ଷଣ କରିବ କି ନାହିଁ ।’

 

‘ପତି ପତ୍ନୀ ମଧ୍ୟରେ ଏଥିପାଇଁ ଆଉ କଜିଆର ଅବସର ଆସିବ କେଉଁଠୁ । ସବୁ ସମ୍ପତ୍ତି ତ ରାଷ୍ଟ୍ରୟତ୍ତ ହୋଇଯିବ ।’

 

‘ଇଏ ତ ବଡ଼ ମଜାର କଥା । ସରକାର ପତିପତ୍ନୀ ଭିତରେ କଳହ ମେଣ୍ଟେଇବାକୁ ଯାଇଁ ଦୁହିଁଙ୍କ ସମ୍ପତ୍ତିକୁ ନିଜର କରାୟତ୍ତ କରିନେବେ ? ଏ ତ ବିଲେଇ ମାଙ୍କଡ଼ଙ୍କ ପିଠା ବାଣ୍ଟିବା ନ୍ୟାୟ ।’

 

‘ଏହାଠାରୁ ଅଧିକ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସରକାରଙ୍କର ହେଉଛି, ପ୍ରତ୍ୟେକ ବ୍ୟକ୍ତି ତା’ର ଶ୍ରମ ବୁଦ୍ଧି ତଥା ଯୋଗ୍ୟତାକୁ ଚାହିଁ ପାରିଶ୍ରମିକ ପାଉଛି କି ନାହିଁ ଦେଖିବା । ଏହା ନୁହେଁ ଯେ, ସମସ୍ତଙ୍କର ପାରିଶ୍ରମିକକୁ ନିଜେ ନେଇ ଯାଇ ନିଜ ଇଚ୍ଛାନୁସାରେ ତାକୁ ସମସ୍ତଙ୍କ ଭିତରେ ବାଣ୍ଟିବା-

 

‘ଧରିନିଆଯାଉ ଯନ୍ତ୍ରପାତି ତିଆରି କରିବା କାରଖାନାର ମାଲିକ ଯନ୍ତ୍ରର ଆବିଷ୍କାରକଙ୍କୁ କିଛି ଦେଲା ନାହିଁ । ସରକାର ଏଥିରେ ହସ୍ତକ୍ଷେପ କରି ପାରନ୍ତି, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସମଗ୍ର ଯନ୍ତ୍ର ତିଆରି କାରଖାନାଟିକୁ ସରକାର ନିଜ ହାତକୁ ନେଇଯିବେ ଓ ତେଣିକି ଇଚ୍ଛା ହେଲେ ଆବିଷ୍କାରକଙ୍କୁ କିଛି ଦେବେ ଅଥବା ନ ଦେବେ ।’

 

‘ତେବେ ଶ୍ରମିକଙ୍କୁ ପୁଞ୍ଜିପତିର ଅନ୍ୟାୟ ଅତ୍ୟାଚାରରୁ କିପରି ମୁକ୍ତ ଦିଆଯିବ ?’

 

‘ଏହା ତ ଅତି ସହଜ । ଆଇନକରି ସମସ୍ତଙ୍କ ପରିଶ୍ରମର ମୂଲ୍ୟ ଧାର୍ଯ୍ୟ କରିହେବ ।’

 

‘ଏହା ତ ଖୁବ୍‌ କଠିନ କାମ । ଏହାକୁ ଅସମ୍ଭବ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ ।’

 

‘ଚୋର ଧରିବାଠାରୁ ଏହା ଅଧିକ ସହଜ । କେଉଁ ବ୍ୟବସାୟରେ କି କି ପ୍ରକାରର ଲୋକ କି କି କାମ କରୁଛନ୍ତି ତାହାର ଏକ ତାଲିକା କରିନେଇ ତାହାର କାର୍ଯ୍ୟକୁ ଚାହିଁ ତାହାର ପାରିଶ୍ରମିକ ଠିକ୍‌ କରି ଦିଆଯିବ ।’

 

‘ଏ ସବୁ ଏତେ ଗୋଳମାଳରୁ ନିଷ୍କୃତି ପାଇବାକୁ, ସରକାର ସବୁ କଥା ହାତକୁ ନେଇଗଲେ ତ ଭଲ ହୁଅନ୍ତା ।’

 

‘ଏହି କାରଣରୁ ଏପରି ହାତକୁ ନେବା ଉଚିତ ନୁହେଁ ଯେ, ସରକାର ବିଭିନ୍ନ ରାଜନୈତିକ ଦଳର ସଂଖ୍ୟାଗରିଷ୍ଠତା ଉପରେ ନିର୍ଭର କରି ଗଢ଼ାଯାଉଛି । ତେଣୁ ଯେଉଁଦିନ କ୍ଷମତାକୁ ଆସିବେ ସେମାନେ ସରକାରଙ୍କ ସମ୍ପତ୍ତି, ସରକାରୀ ଚାକିରୀ, ସରକାରଦତ୍ତ ପୁରସ୍କାର ବା ପାରିଶ୍ରମିକ ସବୁ ଦଖଲ କରି ବସିଯିବେ ।’

 

‘ଯଦି କୌଣସି ବ୍ୟକ୍ତି ସରକାରଙ୍କଠାରୁ ତାଙ୍କର ପୁରସ୍କାର ବା ପାରିଶ୍ରମିକ ପାଇବାରେ ହଇରାଣ ହୁଅନ୍ତି ତେବେ ସରକାର ବିରୁଦ୍ଧରେ ମକଦ୍ଦମା କରିବା ତାଙ୍କ ପକ୍ଷେ ବହୁ କଷ୍ଟକର । କାରଣ ସରକାର ବିରୁଦ୍ଧରେ ଫେରାଦ କରାଯିବ, ପୁଣି ସରକାର ନିଜେ ହେବେ ବିଚାରକ ।’

 

‘କାରଖାନା ଶ୍ରମିକର ମଧ୍ୟ ସେହି ଅସୁବିଧା ହେବ । କାରଣ ସରକାର କାରଖାନାର ମାଲିକ ହେଲେ ଶ୍ରମିକ ତାର ନ୍ୟାଯ୍ୟ ପ୍ରାପ୍ୟ ଗଣ୍ଡାକ ପାଇଁ ଫେରାଦି ହେବ କାହା ପାଖରେ ? ସରକାର ତ ନିଜେ ଆସାମୀ ପୁଣି ନିଜେ ବିଚାରକ ।’

 

‘ଯଦି ସରକାର ନିଜେ ମାଲିକ, ନିଜେ ଦୋକାନଦାର ଓ ପୁଣି ନିଜେ ନ୍ୟାୟପତି ତେବେ ଶ୍ରମିକ ବା ଗରାକ କାହା ପାଖରେ ଯାଇଁ ଆପତ୍ତି କରିବ ?’

 

‘ଯଦି ସରକାର ଜନତାଙ୍କର ହୁଏ ତେବେ ସେ ଜନତା ପୁଣି ଅନ୍ୟାୟ କରିବେ କିପରି-?’

 

‘ସରକାର ଜନତାର ହେବ କିପରି ?’

 

‘ନିର୍ବାଚନଦ୍ୱାରା ।’

 

‘ନିର୍ବାଚନରେ କୌଣସି ଏକସ୍ଥାନରୁ ଜଣେ ଠିଆ ହେବେ ନାଁ ଏକାଧିକ ଲୋକ ଛିଡ଼ା ହେବେ ?’

 

‘ଜଣକରୁ ଅଧିକ ମଧ୍ୟ ଛିଡ଼ା ହୋଇପାରନ୍ତି ।’

 

‘ତେବେ ଜନତା ଦୁଇ ବା ତତୋଽଧିକ ଭାଗରେ ବିଭକ୍ତ ହୋଇଯିବେ । ଯିଏ ନିର୍ବାଚନରେ ଜିତିଲା ସେ ଯେଉଁମାନଙ୍କ ଭୋଟ ଦେବାଫଳରେ ଜୟଲାଭ କଲା, ସେହିମାନଙ୍କୁ ହିଁ ବେଶି ସମର୍ଥନ କରିବ । ସେ ତା’ର ବିପକ୍ଷରେ ଭୋଟ ଦେଇଥିବା ଲୋକଙ୍କର ପ୍ରତିନିଧି ହେଲେ ମଧ୍ୟ ସେମାନଙ୍କ ପ୍ରତି କଦାପି ନ୍ୟାୟ ଦେଖାଇ ପାରିବନାହିଁ ।’

 

‘ନିର୍ବାଚନ ପରେ ପରେ ସେ ନିଜକୁ ସମସ୍ତଙ୍କର ପ୍ରତିନିଧି ବୋଲି ଧରିନେବ ।’

 

‘କିପରି ଧରିନେବ ? ଏହା ସତ୍ୟ ନୁହେଁ କି ସମ୍ଭବ ମଧ୍ୟ ନୁହେଁ । ପୁଣି ପାଞ୍ଚବର୍ଷପରେ ତ ତାକୁ ନିର୍ବାଚନରେ ଛିଡ଼ା ହେବାକୁ ପଡ଼ିବ । ସେ ତେଣୁ ନିଜର ସହାୟକମାନଙ୍କୁ ଧନ ଓ ପଦ ଦେଇ ସନ୍ତୁଷ୍ଟ ରଖିବାକୁ ଚେଷ୍ଟା କରିବ ।’

 

‘ତେବେ ପୁଣି କଣ ହେବ ?’

 

‘ମୁଁ ତ କହିଦେଇଛି, କିଏ ଜାତୀୟକରଣକୁ ସମର୍ଥନ କରିପାରେ କିଏ ବା ନକରିପାରେ, କିନ୍ତୁ ସମସ୍ତଙ୍କୁ ଏହା ଭାବିଚିନ୍ତି ସ୍ଥିର କରିବାପାଇଁ ସ୍ୱତନ୍ତ୍ରତା ଦେବା ତ ଦରକାର । ପ୍ରତ୍ୟେକଙ୍କୁ ବିଚାର କରିବାକୁ ଓ ନିଜର ବିଚାରକୁ ପ୍ରସାର କରିବାକୁ ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର ।’

 

(୨୧)

 

ପ୍ରବୋଧକୁ ନୀଳାର ଯୁକ୍ତି ନିରର୍ଥକ ବୋଲି ମନେ ହେଉଥାଏ । ସମାଜରେ ସମସ୍ତଙ୍କୁ ସ୍ୱାଧୀନତା ଦେଇଦେବା ପରେ ଓ ତା’ପରେ ତାର ଗତିବିଧିକୁ ନିୟନ୍ତ୍ରଣ କରିବାପାଇଁ ଆଇନକରିବା ନୀତି ପରସ୍ପରବିରୋଧୀ ବୋଲି ତାହାର ମନେହେଲା । ତା’ ମତରେ ସମାଜରେ ସମସ୍ତେ ମିଳିମିଶି ଚଳିବା ଓ ଜଣଙ୍କର ସମ୍ପଦ ଓ ବିପଦରେ ଅନ୍ୟ ସମସ୍ତେ ଭାଗନେବା ହେଲା ଆଦର୍ଶ ସମାଜର ନମୁନା । ଲୋକେ ଏହାଦ୍ୱାରା ଆନନ୍ଦରେ ଚଳିବେ ।

କିନ୍ତୁ ଏ ବିରୋଧଭାବନା ସତ୍ତ୍ୱେ ନୀଳାସହିତ ତ ପୁଣି ବିବାହ କରିବାକୁ ହେବ । ନୀଳା ସୁନ୍ଦରୀ, ନୀଳା ଡାକ୍ତରୀ ପାସ୍‍ କରଛି । ନୀଳା ନିଜର ଜୀବିକା ନିର୍ବାହ ପାଇଁ ସକ୍ଷମ । ଖୋଜିଲେ ବି ଏପରି ଝିଅ ମିଳିବା କଷ୍ଟ । ତେଣୁ ସେ କଥାର ଗତି ବଦଳାଇ ନୀଳାକୁ ଅନ୍ୟଦିଗକୁ ମନେଇବାକୁ ଚେଷ୍ଟା କଲା । ସେ ଆରମ୍ଭ କଲା :

‘ନୀଳା, ସତକୁହ ତୁମେ ମୋତେ ଭଲ ପାଅ କି ନାହିଁ ।’

‘ଆପଣଙ୍କର ଏହା ଜାଣିବାର ଆବଶ୍ୟକତା କଣ ?’

‘ମୁଁ ତୁମର ସବୁ ଭମ୍ର ଦୂର କରି ଦେବି, ମୋତେ ତୁମେ କୁହ ମୋତେ ତୁମେ ଘୃଣା କର କି ଭଲପାଅ ।’

‘ଦେଖନ୍ତୁ ମୁଁ ଆପଣଙ୍କୁ ମୋ ନିଜ ମନର କଥା ବିଶ୍ଲେଷଣ କରି ବୁଝାଇଲି । ଆପଣ ନିଶ୍ଚୟ ସୁପାତ୍ର । ମୁଁ ଆପଣଙ୍କୁ ପିଲାଟିଦିନୁ ଜାଣେ । ଯଦି ମୋର ମାନସିକ ସ୍ୱାଧୀନତାରେ ବାଧା ନ ଆସେ, ତେବେ ଆପଣ ଜଣେ ଯୋଗ୍ୟପାତ୍ର ବୋଲି ମୁଁ ନିଃସଙ୍କୋଚରେ କହିବି । ୟାକୁ ଆପଣ ଭଲ ପାଇବା ମନେ କରନ୍ତୁ ବା ଅନ୍ୟ ଯାହା କିଛି ମନେକରନ୍ତୁ ।’

‘ତୁମେ ମୋର କଥାର ଅର୍ଥ ବୁଝିଲ ନାହିଁ । ମୁଁ କହୁଛି ଶୁଣ । ଭଲ ପାଇବା ଗୋଟିଏ ବିଶେଷ ସମ୍ମୋହନ କାର୍ଯ୍ୟ, ଏଥିରେ ଜଣେ ଲୋକ ଏପରି ଭାବରେ ମୋହିତ ହୋଇଯାଏ ଯେ, ତା’ ପାଇଁ ସେ ସବୁ ଛାଡ଼ିବାକୁ ପ୍ରସ୍ତୁତ ହୁଏ ।’

 

‘କିନ୍ତୁ ମୋ କଥା ଅଲଗା, ମୁଁ ମୋର ମନର ସ୍ୱାଧୀନତାକୁ କାହାର ସନ୍ତୋଷପାଇଁ ବଳି ଦେଇ ପାରିବି ନାହିଁ । ସେପରି ଅର୍ଥରେ ମୁଁ କାହାକୁ ଭଲ ପାଇ ନ ପାରେ । ମୋ ବିଚାରରେ ଭଲ ପାଇବା ହେଲା ଜଣେ ଜଣକ ମତକୁ ଆଦର କରିବ, ସମର୍ଥନ କରିବ, ଆଉ ଜଣେ ଏପରି କୌଣସି କାମ କରିବ ନାହିଁ ଯାହାଫଳରେ ଅନ୍ୟର ମନରେ କଷ୍ଟ ଜାତ ହେବ । ଭଲ ପାଇବା ଜଣକର ନୁହେଁ, ଏହା ଉଭୟଙ୍କର । ଏଥିରେ ସମ୍ମୋହନ ଶକ୍ତି ନାହିଁ । ଏହା ପୂରା ଏକ ଚିନ୍ତା ଓ ବିଚାରର ବସ୍ତୁ ।’

 

‘ହଉ ହେଲା, ତେବେ ତୁମର ମନ ଭିତରେ ମୋ ପାଇଁ ସ୍ଥାନ ଅଛି ତ ?’

 

‘ବର୍ତ୍ତମାନ ସୁଦ୍ଧା ଅଛି; କିନ୍ତୁ ମୁଁ ଯେଉଁ ପ୍ରଶ୍ନ ପଚାରୁଥିଲି ତାହାର ଉତ୍ତର ଆପଣ ଦେଲେ ନାହିଁ । ଆପଣ ଆପଣଙ୍କର ବିଚାରଧାରାକୁ ମୋ ଉପରେ ବାଧ୍ୟ କରି ଚପେଇବେ ନାହିଁ ତ ?’

 

‘ମୁଁ ଦେଖୁଛି ମୋତେ ଭାରତ ସରକାରଙ୍କ ପରି ମୋ ଘରେ ଦୁଇଟା ସେକ୍ଟର ଖୋଲିବାକୁ ହେବ; ଗୋଟିଏ ପବ୍ଲିକ ସେକ୍ଟର (ସରକାରୀ କ୍ଷେତ୍ର) ଓ ଗୋଟିଏ ପ୍ରାଇଭେଟ୍‌ ସେକ୍ଟର (ବେ-ସରକାରୀ କ୍ଷେତ୍ର) । ଭାରତ ସରକାର ଯେପରି ଏ ଦୁଇକ୍ଷେତ୍ରରେ ସାଲିସ କରି ଚଳୁଛନ୍ତି ସେହିପରି ଆମ ଘରେ ଚଳିବାକୁ ହେବ ।’

 

‘ଭାରତସରକାରଙ୍କ ପରି ତ ଆମ କାମ ଚଳିପାରିବ ନାହିଁ । ହଁ, ଯଦି ଆପଣ କଥା ଦେବେ ଯେ ମୁଁ ମୋର ସ୍ୱାଧୀନ ମତବାଦ ନେଇ ଚଳିବି, ଆପଣ ଆପଣଙ୍କର ମତବାଦ ନେଇ ଚଳିବେ, ତେବେ ଆମେ ଦୁହେଁ ଭଲ ଭାବରେ ଚଳିପାରିବା ।’

 

‘ତେବେ ଆସ ନୀଳା, ଆମେ ପରସ୍ପର ସହଯୋଗରେ ସୁନ୍ଦର ସଂସାର ଗଢ଼ି ତୋଳିବା-।’ ନୀଳା ଏହାର ଉତ୍ତର କିଛି ଦେଇପାରିଲା ନାହିଁ । ସେ ଭାବିଲା, ଯଦି ଉଭୟେ ପରସ୍ପରର ମତବାଦକୁ ସମ୍ମାନ ଦେଖାଇ ଚଳିବେ, ତେବେ କ୍ଷତି ନାହିଁ । ପୁଣି ଯଦି ବିବାହପରେ ପ୍ରବୋଧ ତାହାର ଏ ପ୍ରତିଶ୍ରୁତି ଭାଙ୍ଗେ ତେବେ କଣ ହେବ ? ଏହା ସତ ଯେ, ବିବାହବିଚ୍ଛେଦ ଆଇନ ଚାଲୁ ହେଲାଣି; କିନ୍ତୁ ଏହାତ ଭଲ କଥା ହେବନାହିଁ । କିନ୍ତୁ ସେ ପିଲାଟି ଦିନରୁ ପ୍ରବୋଧକୁ ଦେଖି ଆସିଛି-। କାହିଁ କେବେ ତ ସେ ତାହାର ପ୍ରତିଶ୍ରୁତି ଭାଙ୍ଗିନାହିଁ । ତେଣୁ ସେ ଭାବିଚିନ୍ତି ଗୋଟାଏ ଉପାୟ ଚିନ୍ତା କରି କହିଲା, ‘ଯଦି ଆପଣ ଯାହା କହିଲେ ସେଥିରେ ସମ୍ମତ, ତେବେ ମୋତେ ତାହା ଲେଖିକରି ଦିଅନ୍ତୁ । ମୁଁ ତାକୁ ଭାବିଚିନ୍ତି ଆପଣଙ୍କୁ ଉତ୍ତର ଦେବି ।’

 

‘ନିଶ୍ଚୟ ଲେଖିକରି ଦେବି, କିନ୍ତୁ ସେ ଲେଖାରେ ଯଦି କୌଣସି କଥା ଅସ୍ପଷ୍ଟ ବୋଲି ତୁମେ ଭାବ ତେବେ ମୋ ସହିତ ଆଲୋଚନା କରି ତାକୁ ପରିଷ୍କାର କରିନେବ । କେବଳ ତାକୁଇ ଭିତ୍ତିକରି ଯେପରି ଆମର ସମ୍ପର୍କ ତୁଟି ନ ଯାଏ ।’

 

‘ଭଲ କଥା, ଆପଣ ଲେଖିକରି ଦିଅନ୍ତୁ ।’

 

ପରଦିନ ନୀଳା ପ୍ରବୋଧର ଚିଠି ପାଇଲା । ପ୍ରବୋଧ ଲେଖିଥିଲା, ‘ମୁଁ ପ୍ରତ୍ୟେକର ମାନସିକ ସ୍ୱତନ୍ତ୍ରତାକୁ ତାହାର ଏକ ଅତ୍ୟନ୍ତ ପ୍ରିୟବସ୍ତୁ ବୋଲି ମନେକରେ । ମୁଁ ତୁମର ବିଚାରଧାରାକୁ ବରାବର ସମ୍ମାନ ଦେବି, ଆଦର କରିବି ଏବଂ ଯେତେଦିନଯାଏ ତୁମର ବ୍ୟବହାର ମୋର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ନ କରିଛି, ସେତେଦିନପର୍ଯ୍ୟନ୍ତ ମୁଁ ତୁମର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବି ନାହିଁ ।’

 

ନୀଳା ଏ ଚିଠିକୁ ପଢ଼ିଲା, ବିଚାର କଲା ଏବଂ କିଛିଦିନପରେ ଉତ୍ତର ଦେଲା, ‘ଆପଣ ଆପଣଙ୍କ ପିତାଙ୍କୁ କହି ବିବାହର ଦିନ ସ୍ଥିର କରି ନିଅନ୍ତୁ ।’

 

(୨୨)

 

ଅମୃତ କାଉରର ମା ବାହାରୁ ତାଲା ବନ୍ଦକରି ଦେଇ ଯିବାରୁ, ଅମୃତ ସେଘରେ ଥିବା ପଲଙ୍କ ଉପରେ ପଡ଼ି ପଡ଼ି ଚିନ୍ତା କରିବାକୁ ଲାଗିଲା । ସେ ଭାବିଲା, ବାପାମା କିଛିଦିନ ଖୁବ୍‌ ଖଟ୍‌ ଖଟ୍‌ ହେବେ, ପରେ ପୁଣି ସବୁ ସହ୍ୟ ହୋଇଯିବ । ଏହି କିଛିଦିନଟାକୁ ଯେତେ କମ୍‌ କଲେ ମଙ୍ଗଳ-। ବାପା ମାଙ୍କ ସାଙ୍ଗରେ ଏ ବିଷୟରେ କଥା ହେବା ଲୋକ ଦୁଇଜଣ ବୋଲି ତା’ର ମନେ ହେଲା, ଜଣେ ଭାଇ ହରଭଜନ ଓ ଅନ୍ୟଜଣକ ମାମୁଁ ବିଷ୍ଣୁସହାୟ । ବିଷ୍ଣୁ ସହାୟ ଶିଖ୍‌ ନୁହେଁ ଓ ସେ ଅମୃତର ବ୍ୟବହାରକୁ ସେତେ ଖରାପ ଭାବୁ ନ ଥିଲେ । ତେଣୁ ସେ ଭାଇ ହରଭଜନ ଉପରେ ଏହାର ସମାଧାନ ପାଇଁ ସବୁଠାରୁ ବେଶି ଆଶା କରିଥିଲା ।

 

ଏହାଭାବି ସେ ହରଭଜନ ସିଂକୁ ଡାକି ପରାମର୍ଶ କରିବ ବୋଲି ବିଚାରିଲା । ଏତିକିବେଳେ ଚାକର ଖାଇବାକୁ ଆଣିବାରୁ ସେ ତାକୁ ଭାଇ ଘରକୁ ଆସିଲେଣି କି ନାହିଁ ପଚାରି ବୁଝିଲା ।

 

ଚାକର ସୋହନ ଘରେ ପଶିଲା ମାତ୍ରେ ଅମୃତର କଟାବାଳ ଉପରେ ତା’ର ଆଖି ପଡ଼ିଥିଲା । ସେ ହାତରେ ଖାଇବା ଥାଳି ଧରିଥିଲା । ଥାଳିକୁ ଟେବୁଲ ଉପରେ ରଖିବ କଣ ସେ ଅମୃତର ବାଳକୁ ଚାହିଁ କାବା ହୋଇ ଛିଡ଼ା ହୋଇ ରହିଲା । ଅମୃତର ପ୍ରଶ୍ନ ପ୍ରତି ତା’ର ଲୟ ନ ଥିଲା । ଅମୃତ ପାଟିକରି କହିଲା, ‘ସେମିତି କଣ ଅନେଇଛୁ, ଥାଳି ରଖ ।’

 

ଏଥିରେ ବି ସୋହନର ଚେତା ପଶିଲା ନାହିଁ । ସେ ବାଳକୁ ଦେଖି ଅନେକ କଥା ଭାବିଗଲାଣି । ଅମୃତ ପୁଣି ପାଟିକରି କହିଲା, ‘ସେମିତି ଦେଖୁଛୁ କଣ, ଥାଳି ରଖ ।’

 

ଏଥିରେ ତାହାର ଚେତା ଆସିଲା । ସେ ଆଗେଇଗଲା ଗୋଟିଏ ଟିପୟ ଉପରେ ଥାଳି ଥୋଇବାକୁ ।

 

ଥାଳି ଥୋଇବାରୁ ଅମୃତ ତାକୁ କହିଲା, ‘ସେମିତି କଣ ଚାହୁଁଥିଲୁ ସୋହନ ।’

 

‘ନାହିଁ କିଛି ନୁହେଁ । ମାଆ କହିଥିଲେ ଖାଇବାର ଦେଇ ବାହାରୁ ତାଲା ପକେଇଦେବାକୁ-। ମୁଁ ଭାବୁଥିଲି ଏ ଆଦେଶର ଅର୍ଥ କ’ଣ । ବର୍ତ୍ତମାନ ସବୁ କଥା ପରିଷ୍କାର ହୋଇଗଲା ଆପଣଙ୍କ ବାଳକୁ ଦେଖି ।’

 

ସୋହନ ପିଲାଟି ଦିନରୁ ଅମୃତଙ୍କ ଘରେ ମଣିଷ । ଅମୃତସହିତ ମଧ୍ୟ ତା’ର ଭାରି ଭଲ ପଡ଼େ । ସେ ଅମୃତସହିତ ଖୋଲାଖୋଲି କଥାବାର୍ତ୍ତା ହୁଏ । ତା’ର ଏକଥା ଶୁଣି ଅମୃତ କହିଲା, ‘ମୋ ବାଳକଟାଟା କ’ଣ ଭଲ ଦିଶୁନାହିଁ ?’

 

‘ଦିଶୁଛି ତ ଭଲ, କିନ୍ତୁ ମାଆ ବଡ଼ ରାଗିଛନ୍ତି ।’

 

‘ଆଛା କହିଲୁ, ଭାଇ ଆସିଲେଣି କି ନାହିଁ ?’

 

‘ଆସିନାହାନ୍ତି, କିନ୍ତୁ କୁହନ୍ତୁ ଆପଣଙ୍କର ବର୍ତ୍ତମାନ କଣ ହେବ ?’

 

‘କ’ଣ କାହିଁକି ହେବ ?’

 

‘ମାଆ ଭାରି ରାଗିଛନ୍ତି ।’

 

‘ଭାଇ ବୁଝେଇ ଦେବେ ନାହିଁ କି ।’

 

ଅମୃତ ଖାଇବାକୁ ଲାଗିଲା । ପଛରେ କାଳେ କ’ଣ ଦରକାର ହେବ ସେଥିପାଇଁ ସୋହନ ସେହିଠାରେ ଠିଆ ହୋଇ ରହିଲା; କିନ୍ତୁ ସେ ଅମୃତର କଟାବାଳକୁ ଦେଖି ବରାବର ଭାବୁଥାଏ, ବାଳ କାଟିବାରୁ ଅମୃତ ଆହୁରି ସୁନ୍ଦର ଦେଖାଯାଉଛି । ତା’ର ପିଲାଦିନର କଥା ମନେପଡ଼ିଲା । ଅମୃତ ଯେବେ ସୋହନର ବାଳଧରି ଟାଣେ, ମାଆ ଭାରି ବିରକ୍ତ ହୋଇ କହିବାର ସେ ଶୁଣିଛି, ‘ଅମୃତ, କାହାର ବାଳଧରି ଟାଣିବା ଖରାପ, ସେଥିରେ ଗୁରୁମହାରାଜାଙ୍କର ଅସମ୍ମାନ ହୁଏ । ଆଜି ତ ଅମୃତ ତା ନିଜର ବାଳ କାଟି ଦେଇଛି । ମାଆ କେତେଦୂର ରାଗି ନଥିବେ ?

 

ଅମୃତ ଖାଇସାରି କହିଲା, ‘ସୋହନ, ଭାଇ ଆସିଲେ ତାଙ୍କୁ ଏଠାକୁ ପଠେଇଦେବୁ ।’

 

‘କିନ୍ତୁ ମା ତ ତାଲା ବନ୍ଦ କରିଦେଇ ଚାବି ନେଇଯିବାକୁ କହିଛନ୍ତି ।’

 

‘ତେବେ ବନ୍ଦ କରିଦେବୁ ।’

 

‘ଭାଇ ପୁଣି କିପରି ଘରକୁ ଆସିବେ ।’

 

‘ତାଲା ଭାଙ୍ଗିଦେବା ।’

 

ସୋହନ କିଛିକାଳ ନୀରବ ହୋଇ କହିଲା, ‘ତାଲା ଭାଙ୍ଗିବା ଭଲ ହେବନାହିଁ ।’

 

ଅମୃତ ଖାଇସାରି ଗାଧୁଆଘରକୁ ମୁହଁ ଧୋଇବାକୁ ଗଲା; କିନ୍ତୁ ସୋହନ ବରାବର ଭାବୁଥାଏ ଅମୃତ ତା’ ବାଳ କାହିଁକି କାଟିଲା ।

 

ଅମୃତ ଆସିବାରୁ ସେ ବାସନ ଉଠୋଉ ଉଠୋଉ କହିଲା, ‘ଆପଣ କାହିଁକି ଏହା କଲେ-?’

 

‘ତୋର ସେଥିରେ କ’ଣ ଅଛି । ଯା କାମ କର ।’

 

‘କଥାଟା ଠିକ୍‌ ହେଲା ନାହିଁ ।’ ଏତିକି କହି ସେ ବାସନ ଉଠେଇ ନେଇ ଚାଲିଗଲା ।

 

ଅମୃତର ଇଚ୍ଛା ହେଲା ସୋହନ ଗାଲରେ ଗୋଟାଏ ଚଟକଣା କଷିଦେବ । କିନ୍ତୁ ଅବସ୍ଥା ଦୃଷ୍ଟେ ସେ ସେଥିରୁ ନିରସ୍ତ ହେଲା । ହୁଏତ, କୌଣସି କାମ ପାଇଁ ସୋହନର ସାହାଯ୍ୟ ଲୋଡ଼ା ଯାଇପାରେ ।

 

ସୋହନ ଅଇଁଠା ବାସନ ନେଇ ଘର ବାହାରକୁ ଯାଇଁ ତଳେ ବାସନ ଥୋଇ ତା ଘରର ଚାବି ବନ୍ଦକଲା । ଅମୃତ ହତାଶ ହୋଇ ଖଟ ଉପରେ ଗଡ଼ି ପଡ଼ିଲା ।

 

ବଜାରରୁ ଫେରୁ ଫେରୁ ହରଭଜନର ବଡ଼ ଡେରି ହୋଇଗଲା । ତା କୋଠରୀକୁ ଯିବାକୁ ହେଲେ ବାଟରେ ପଡ଼ିବ ଆଗ ଅମୃତର କୋଠରୀ । ସେ ସିଧା ସଳଖ ଅମୃତଘରେ ଯାଇଁ ପହଞ୍ଚିଲା । ତାକୁ ଦେଖି ଅମୃତ ‘ଭାଇ’ ବୋଲି ଡାକି ଆଶ୍ଚର୍ଯ୍ୟ ହୋଇଗଲା । ପୁଣି ଭାବିଲା ଭାଇ ବୋଧହୁଏ ମାଙ୍କଠାରୁ ଚାବି ଆଣିଛି । କିନ୍ତୁ ସେ ଆଉ କଥା ପଚାରିବ କ’ଣ, ଭାଇ ମୁଣ୍ଡରେ ପଗଡ଼ି ଓଲଟା ମୋଲଟା ହୋଇ ବନ୍ଧାହେବାରେ ଦେଖି ଓ ମୁହଁରେ ଦାଢ଼ି ନିଶ ନଥିବା ଦେଖି ସେ ନିର୍ବେଦ ହୋଇଗଲା । ଅମୃତର ଅବସ୍ଥା ଦେଖି ହରଭଜନ ମୁଣ୍ଡରୁ ପଗଡ଼ି କାଢ଼ିଦେଇ କହିଲା, ‘ଅମୃତ ! ଦେଖ, ମୁଁ ଭାବିଲି ମୁଁ ଆଉ କାହିଁକି ପଛରେ ପଡ଼ିଯିବି ।’

 

ହରଭଜନର ବାଳକଟା ଦେଖି ଅମୃତ ଭାବିଲା, ମୋ କଥାରେ ହୁଏତ ବାପାମାଆ ସେତେ ଚିନ୍ତା କରି ନଥାନ୍ତେ । ମୋର ତ ଆଉ ସେପରି ବଜାର ରାସ୍ତାଘାଟରେ ବୁଲିବାର ଆବଶ୍ୟକତା ନଥିଲା । କିନ୍ତୁ ଭାଇ, ସେ ତ ସବୁବେଳେ ପଦାକୁ ବାହାରିବ । ତାକୁ ରୋକିବେ କିପରି ? କାଲି ଦିନକ ଭିତରେ ସାରା ସହରରେ ଏକଥା ରାଷ୍ଟ୍ର ହୋଇଯିବ । କଣ କରାଯିବ ? ବାପ ମାଆଙ୍କ ସଙ୍ଗେ ସନ୍ଧି କରିବାକୁ କିଏ ମଧ୍ୟସ୍ଥତା କରିବ ?

 

ଅମୃତକୁ ଚୁପ ଦେଖି ହରଭଜନ କହିଲା, ‘କାଲି ମୋତେ ଦେଖିବାପାଇଁ ଦିଲ୍ଲୀରୁ ଜଣେ ପ୍ରଫେସର ଆସୁଛନ୍ତି, ତାଙ୍କ ଜୋଇଁ କରିବେ ବୋଲି । ମୁଁ ଏହି ଅବସରରେ ଭାବିଲି ଦିନେ ନା ଦିନେ ଯାହା କରିବାକୁ ପଡ଼ିଥାନ୍ତା, ଆଜି କରିଦେଲେ କ୍ଷତି କ’ଣ ? ତେଣୁ ମୁଁ ବାଳ ଦାଢ଼ି କଟେଇ ଦେଲି ।’

 

‘ବାପା ଦେଖିଲେଣି ?’

 

‘ଘର ଫାଟକ ପାଖରେ ସୋହନ ଠିଆ ହୋଇଥିଲା, ମୁଁ ଆସିବାରୁ ତୁ ମୋତେ ଖୋଜୁଛୁ ବୋଲି ଖବର ଦେଲା ।’

 

‘ମୁଁ ଯାହା ଭରସା କରିଥିଲି ତୁମେ ମୋତେ ସାହାଯ୍ୟ କରିବ ବୋଲି, ସେ ଆଶା ତ ଗଲା ।’

 

‘ବର୍ତ୍ତମାନ ଆମେ ଦୁହେଁ ଏକା ଡଙ୍ଗାରେ ।’

 

‘ତେବେ ଦୁହିଁଙ୍କର ଗୋଟାଏ ନିଷ୍ପତ୍ତି ଏକସାଙ୍ଗରେ ହୋଇଯିବ । ମୁଣ୍ଡ ବାଳ କଟେଇସାରି ମାମୁଙ୍କ ଘରଆଡ଼େ ଯାଇଥିଲି । ସେ ମୋର ଏ କାର୍ଯ୍ୟକୁ ପସନ୍ଦ କଲେ ନାହିଁ ସତ, କିନ୍ତୁ କହିଲେ, ତାଙ୍କ ଭଉଣୀ ଗୋଟିଏ ଶିଖ୍‌କୁ ବିବାହ କରିବାରେ ତାଙ୍କର ଯେପରି ଆପତ୍ତି ନ ଥିଲା, ଭଣଜା ବାଳକଟେଇ ଶିଖ୍‌ରୁ ହିନ୍ଦୁ ହେଲେ ମଧ୍ୟ ତାଙ୍କର କିଛି କହିବାର ନାହିଁ । ଆମ ଦୁହିଁଙ୍କ ପାଇଁ ତାଙ୍କ ଘରେ ସ୍ଥାନର ଅଭାବ ନାହିଁ ବୋଲି ସେ କହିଲେ ।’

 

‘ମୁଁ ଭାବିଥିଲି ତୁମେ ବାପା ମାଙ୍କୁ ଶିଖେଇ ବୁଝେଇ ମୋର ଗୋଟାଏ କିନାରା କରିବ ବୋଲି, କିନ୍ତୁ ଏବେ ତ ତୁମ କଥାର କିଛି ମୂଲ୍ୟ ରହିବନାହିଁ ।’

 

‘ବର୍ତ୍ତମାନ ସେ ସବୁ ବୁଝା ସୁଝାର ଦାୟିତ୍ୱ ମାମୁଙ୍କର । ତୁ କିଛି ଭାବ ନାହିଁ । ମୋ କଥା ବାପାଙ୍କୁ ମାନିବାକୁ ହିଁ ପଡ଼ିବ । ମୁଁ ତ ଆଉ ତୋ ପରି ହୋଇନାହିଁ ଯେ ମୋତେ କଏଦୀ କରି ରଖିବେ । ମୁଁ ସାବାଳକ ହୋଇଛି, ଉପାର୍ଜନକ୍ଷମ ହୋଇଛି । ମୁଁ ମୋର ନିଜର ଡାକ୍ତରଖାନା ଚଳେଇ ଦିପଇସା କମେଇ ଚଳିପାରିବି ।’

 

‘ତେବେ ବର୍ତ୍ତମାନ କରିବା କ’ଣ କୁହ ?’

 

(୨୩)

 

‘ଚାଲ, ଦୁହେଁଯାକ ବାପାଙ୍କ ଆଗକୁ ଯିବା । ମୁଁ ସବୁକଥା କହିବି, ତୁ ଖାଲି ଚୁପଚାପ୍‌ ହୋଇ ଶୁଣିବୁ ।’

 

‘ସେ ତ ମୋତେ ତାଲା ଚାବି ଦେଇ ବନ୍ଦକରି ଯାଇଛନ୍ତି ।’

 

‘ମୁଁ ଆସିଲାବେଳକୁ ତ ଘର ମେଲା ଥିଲା, ତାଲା ପଡ଼ି ନ ଥିଲା ।’

 

‘ସୋହନ ତ ତାଲା ପକେଇ କରି ଯାଇଥିଲା ।’

 

ଦୁହେଁ ଉଠିଆସି କବାଟ ଦେଖିଲେ । କବାଟ ଛା କବାଟ ବନ୍ଦ ରହିଛି, ତାଲା ପଡ଼ିଛି କେବଳ କୁହୁଣ୍ଡାରେ । ଦୁହେଁ ସୋହନର ନିର୍ବୁଦ୍ଧିଆ କଥା ଦେଖି ହସିଲେ । କିନ୍ତୁ ଏହି ନିର୍ବୁଦ୍ଧି ଭାଇଭଉଣୀଙ୍କୁ ଖୁବ୍‌ ସାହାଯ୍ୟ କଲା ।

 

ଅମୃତ କହିଲା, ‘ମୋର ବିଶ୍ୱାସ, ସୋହନ ଜାଣିଶୁଣି ଏହା କରିଛି ।’

 

ହରଭଜନ ଏହା ଶୁଣି କହିଲା, ‘ଚାଲ, ଏସବୁ କଥାର ଗୋଟାଏ ନିଷ୍ପତ୍ତି ବାପାଙ୍କ ସମ୍ମୁଖରେ କରିଦେବା ।’

 

ଅମୃତ କିଛି କହିଲା ନାହିଁ । ଦୁହେଁ ବାପା ଥିବା ଧାଉଡ଼ିକୁ ଗଲେ । ବଡ଼ିୟାମ ସିଂହଙ୍କ ଘରକୁ ସେଦିନ ଗୁରୁଦ୍ୱାରରୁ କେତେଜଣ ଆସିଥିଲେ, ସେମାନେ ସମସ୍ତେ ଖାଇବା ଘରେ ବସି ଖାଉଥିଲେ ।

 

ହରଭଜନ ମୁଣ୍ଡ ନଣ୍ଡା, ମୁହଁରେ ମଧ୍ୟ ଦାଢ଼ି ନାହିଁ । ତେଣୁ ଅମୃତ ଆଉ ସେ ଦୁହେଁ ଯେତେବେଳେ ସେଠାରେ ପହଞ୍ଚିଲେ କେହି ତାଙ୍କୁ ଚିହ୍ନିଲେ ନାହିଁ । ବଡ଼ିୟାମ ସିଂ କିନ୍ତୁ ଚିହ୍ନିପକେଇ ଏକେବାରେ ସ୍ତବ୍‌ଧ ହୋଇଗଲେ । ଦୁହିଁଙ୍କୁ ଅନେଇ ରହିଲେ ।

 

ହରଭଜନ ସିଂ ହାତଯୋଡ଼ି ଗୁରୁଦ୍ୱାର କମିଟିର କର୍ମକର୍ତ୍ତାମାନଙ୍କୁ ସତ୍‌ ଶ୍ରୀ ଅକାଳ ବୋଲି ସମ୍ବର୍ଦ୍ଧନା ଜଣାଇଲା ଓ ଗୋଟାଏ ଚଉକିରେ ବସିପଡ଼ି ପାଚକକୁ ତାଙ୍କ ଦୁହିଁଙ୍କପାଇଁ ଖାଇବାର ଦେବାକୁ କହିଲେ । ଅମୃତ କହିଲା, ‘ମୁଁ ଖାଇଛି ।’

 

ପାଚକ ଓ ଅନ୍ୟାନ୍ୟ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ହରଭଜନ ସିଂ ଆଡ଼କୁ ଅନେଇ ରହିଲେ । ହରଭଜନ ପାଚକକୁ ଲକ୍ଷ୍ୟକରି ଜୋରରେ କହିଲା, ‘ଦେଖୁଛୁ କଣ, ଖାଇବାର ଆଣୁଛୁ ନାଁ ନାହିଁ ।’

 

ପିତା ବଡ଼ିୟାମ ସିଂହଙ୍କ ମନରେ ଏତେବେଳକୁ ଗୋଟାଏ ଝଡ଼ ଉଠିଲାଣି । ମନ ହଉଥାଏ, ପୁଅ ଝିଅ ଦୁହିଁଙ୍କୁ ଘରୁ ବାହାର ଦରିଦେବେ । କିନ୍ତୁ ମୁହଁରୁ ତାଙ୍କର କଥା ବାହାରୁ ନ ଥାଏ । ତାଙ୍କର ଏହି ଦୁଇଟି ପିଲା । ଅନ୍ତରର ସମସ୍ତେ ସ୍ନେହ ସୋହାଗ ନେଇ ଏ ଦୁଇଟି ତାଙ୍କର କୋଳରେ ବଢ଼ି ଉଠିଛନ୍ତି । କେବେହେଲେ ସେ ତାଙ୍କ ମନରେ କଷ୍ଟ ଦେଇ ନାହନ୍ତି ।

 

ଗୁରୁଦ୍ୱାର କମିଟିର ସେକ୍ରେଟେରୀ ପ୍ରଥମେ ନିସ୍ତବ୍‌ଧତା ଭାଙ୍ଗି କହିଲେ, ‘ହରଭଜନ, ତୁ କାହିଁକି ଏପରି କଲୁ ?’

 

‘ତେଇଶ ବର୍ଷ ଧରି ତ ମୁଣ୍ଡରେ ତାକୁ ଧରି ଆସିଲି । ଏବେ କାଟି ଦେଇ ଦେଖେ କିପରି ହେଉଛି ।’

 

‘ଆମେ ତୁମକୁ ଜଣେ ସଚ୍ଚୋଟ ଶିଖ୍‌ ବୋଲି ଧରୁଥିଲୁ; ମୁଣ୍ଡରେ ବାଳରଖିବା ଶିଖ୍‌ ଧର୍ମର ଗୋଟିଏ ବିଶେଷ ଅଙ୍ଗ ।’

 

‘ଶିଖ୍‍ ଧର୍ମର ଦଶଗୁରୁଙ୍କ ଭିତରୁ ନଅଜଣଙ୍କ ମୁଣ୍ଡରେ ତ ବାଳ ନଥିଲା ? ମୁଁ ତ ଶିଖ୍‌ ଧର୍ମ ଛାଡ଼ି ନାହିଁ । ଶିଖ୍‌ ଧର୍ମ ତ କେବଳ ମୁଣ୍ଡର ବାଳକୁ ଘେନି ହେଉନାହିଁ ।’

 

‘ହରଭଜନ ! ଏହା ଧର୍ମର ଗୋଟାଏ ଚିହ୍ନବିଶେଷ ।’

 

‘ଧର୍ମର ଚିହ୍ନ ବୋଲି କେଉଁଠି ଲେଖାଅଛି ? ମୁଁ ତ ଆଜି ଆପଣଙ୍କଠାରୁ ନୂଆକରି ଏକଥା ଶୁଣୁଛି ।’

 

ସେକ୍ରେଟେରୀ ସେପରି ଲେଖପଢ଼ା ଜାଣିବା ଲୋକ ନ ଥିଲେ । ସେ ହରଭଜନ କଥାରେ ଚୁପ୍‌ ରହିଗଲେ । ଏତେବେଳଯାଏ ବଡ଼ିୟାମ ସିଂ ଚୁପ୍‌ କରି ମନକୁ ଦୃଢ଼ କରୁଥିଲେ । ସେ ପଚାରିଲେ, ‘ତୁମେ ଦୁହେଁ ପରସ୍ପର ବିଚାର କରି ଏପରି କରିଛ ନାଁ ପ୍ରତ୍ୟେକ ପ୍ରତ୍ୟେକର ଇଚ୍ଛାନୁସାରେ ଏପରି କରିଛ ?’

 

‘ବାବା, ଆପଣ ଯେତେବେଳେ ଅମୃତକୁ ମାଇଲେ, ସେତିକିବେଳଠୁଁ ମୁଁ ଏପରି କରିବି ବୋଲି ମନେ ମନେ ସ୍ଥିର କରି ନେଇଥିଲି । ମୁଁ ବର୍ତ୍ତମାନ ଏ ରୂପରେ ଆସିଛି, ଆପଣ ମୋତେ ମାଡ଼ ଦିଅନ୍ତୁ ।’

 

‘ନାହିଁ, ତୋତେ ମାରିବି କଣ ? ମୁଁ ନିଜେ ମାଡ଼ ଖାଇବା ଉଚିତ । ମୁଁ ତୁମ ଦୁହିଁଙ୍କୁ କଲେଜରେ ପଢ଼େଇ ବଡ଼ ଭୁଲ କରିଛି ।’

 

‘କଲେଜର ଏଥିରେ ଦୋଷ କ’ଣ ହେଲା ? ଏହାତ ଆମେ ଗୁରୁଦ୍ୱାରରେ ଯାହା ଦେଖିଛୁ ତାହାର ପ୍ରତିକ୍ରିୟା ମାତ୍ର ।’

 

‘ଗୁରୁଦ୍ୱାରରେ କ’ଣ ଦେଖିଛନ୍ତି ଆପଣ ?’ ସେକ୍ରେଟେରୀଙ୍କ ପାଖରେ ବସିଥିବା ଆଉ ଜଣେ ଭଦ୍ରଲୋକ ଯେ କି ଏତେବେଳଯାଏ ଚୁପଚାପ ଭୋଜନରେ ବ୍ୟସ୍ତଥିଲେ ସେ ପଚାରିଲେ ।

 

‘ମୁଁ ଇତିହାସରୁ ପଢ଼ିଛି ଯେ ଗୁରୁମହାରାଜ ଗୋବ୍ରାହ୍ମଣ ରକ୍ଷା ପାଇଁ ଶିଖ୍‌ ଧର୍ମର ସଂସ୍ଥାପନ କରିଥିଲେ, ଆଉ ଗୋବ୍ରାହ୍ମଣ ରକ୍ଷା ହିଁ ହିନ୍ଦୁଧର୍ମର ସାର କଥା । କିନ୍ତୁ ଆପଣମାନେ ତ ହିନ୍ଦୁଙ୍କୁ ଗୋଟିଏ ସ୍ୱତନ୍ତ୍ର ଜାତି ବୋଲି ମନେ କରୁଛନ୍ତି ।’

 

‘ଦେଖ ହରଭଜନ, ଏ ପ୍ରକାର ତର୍କ ମନୁଷ୍ୟକୁ ତାହାର ପତନ ପଥରେ ଦୃତ ଅଗ୍ରସର କରାଇଦିଏ ।’

 

‘କିନ୍ତୁ ଆମେ ତ ନିଜକୁ କୌଣସି ପ୍ରକାରେ ପତିତ ହୋଇଛୁ ବୋଲି ମନେକରୁନୁ । ଆଜିର ମୋର ଯେଉଁ ପରିବର୍ତ୍ତନ ଆପଣମାନେ ଦେଖୁଛନ୍ତି, ସେଥିରେ ମୋର ଯେ ନୈତିକ ପତନ ହୋଇଛି ଏହା ମୁଁ ମନେ କରୁନାହିଁ ।’

 

‘ତୁମେ ବୋଧହୁଏ ଶିଖ୍‌ ଦଶମ ଗୁରୁଙ୍କର ପାଞ୍ଚୋଟି ଉପଦେଶାବଳିର ମର୍ମ ଭଲଭାବେ ବୁଝିନ ।’

 

‘ସେ ତାଙ୍କ ସମୟକୁ ଚାହିଁ ହୁଏତ ଯାହା କହିଥିଲେ ତାହା ଠିକ୍‌ ଥିଲା । ମୋତେ ସେ ସମୟର ଅବସ୍ଥା ବିଷୟରେ କିଛି ଜଣା ନାହିଁ । ଗୋଟାଏ କଥା ମୁଁ ବୁଝି ପାରୁ ନାହିଁ । ସେ ତ କହିଥିଲେ ମୁସଲମାନଙ୍କୁ କଦାପି ବିଶ୍ୱାସ କରିବ ନାହିଁ । ହାତକୁ ତେଲରେ ବୁଡ଼େଇ ସେହି ତେଲ ହାତକୁ ତିଳଗଦାରେ ଲଗେଇଲେ ଯେତେ ତିଳ ସେଥିରେ ଲାଗିଯିବ ସେତିକିଥର ରାଣନିୟମ ପକେଇ ମୁସଲମାନ ଜଣେ ଶପଥ କଲେ ମଧ୍ୟ ତାକୁ ବିଶ୍ୱାସ କରିବ ନାହିଁ । ଏ କଥା କହିବା ସତ୍ତ୍ୱେ ନିଜେ ଗୁରୁମହାଶୟ ଗୋଟିଏ ମୁସଲମାନକୁ ଚାକର ରଖିଥିଲେ ଓ ଶେଷରେ ସେହି ଚାକର ହିଁ ତାଙ୍କୁ ହତ୍ୟା କଲା ।

 

‘ତା’ ବୋଲି ଗୁରୁମହାଶୟ ଯେ ଭୁଲ କରୁ ନ ଥିଲେ ଏହା ନୁହେଁ । ସେ ଯାହା କହୁଥିଲେ ବା କରୁଥିଲେ ତାହା ସମୟପାଇଁ ହୁଏତ ଠିକ୍‌ ହୋଇ ପାରିଥାଏ, କିନ୍ତୁ ଆଜି ସେ କଥା ଠିକ୍ ହେବ ନାହିଁ । ଆଜି ତ ଆଠଅଣାରେ କଳ କ୍ଷୂର ମିଳୁଛି । ଲୁଗା ପୁଣି ଏତେ ଶସ୍ତା ଯେ ଖଣ୍ଡେ ପିନ୍ଧା ଧୋତିରେ କେତେଟା ପାଇଜାମା ହୋଇଯିବ । କିନ୍ତୁ ସବୁଠାରୁ ବଡ଼ କଥା ଏହା ଥିଲା ଯେ, ଧର୍ମ ସହିତ ଏ ସବୁ ଜିନିଷର କିଛି ସମ୍ପର୍କ ନ ଥିଲା ।’

 

‘ଶିଖ୍‌ ଧର୍ମାବଲମ୍ବୀର ଏହା ଥିଲା ଚିହ୍ନ ।’

 

‘ମୁଁ କଣ ଶିଖ୍‌ ଧର୍ମରେ ନାହିଁ କି ? ଶିଖ୍‌ ଧର୍ମରେ ଅଛି ବୋଲି କଣ ମୁଁ କାହାସାଙ୍ଗେ ସମ୍ବନ୍ଧ ରଖି ପାରିବି ନାହିଁ ।’

 

‘ସମ୍ବନ୍ଧ ରହିବ, ଏଥିରେ ଦୋଷ ନାହିଁ । କିନ୍ତୁ ଜଣେ ଶିଖ୍‌ ସହିତ ଯେଉଁ ସମ୍ପର୍କ ରହିବ ସେ ସମ୍ପର୍କ ତା ସହିତ ରହି ନ ପାରେ ।’

 

‘ତେବେ ଆପଣ ଯେପରି ପାତର ଅନ୍ତର କଥା କହୁଛନ୍ତି ମୁଁ ସେଥିରେ ନାହିଁ । ବଙ୍ଗାଳୀ ବଙ୍ଗାଳୀ ସହିତ, ଗୁଜୁରାଟୀ ଗୁଜୁରାଟୀ ସହିତ, ମୁସଲମାନ ମୁସଲମାନ ସହିତ, ବ୍ରାହ୍ମଣ ବ୍ରାହ୍ମଣ ସହିତ; ସେହିପରି ମୂଲିଆ ମୂଲିଆ ସହିତ, ଧନୀ ଧନୀ ସହିତ କେବଳ ସମ୍ପର୍କ ରଖିବ–ଏ ପ୍ରକାର ବିଚାରବୁଦ୍ଧି ଭିତରେ ମୁଁ ନାହିଁ । ଧର୍ମ ଆଉ ସମ୍ପ୍ରଦାୟର ଦ୍ୱାହି ଦେଇ ଯେତେପ୍ରକାର ଆର୍ଥିକ ତଥା ରାଜନୈତିକ ଦଳ ବା ଗୋଷ୍ଠୀର ପ୍ରତିଷ୍ଠା କରିବା ସର୍ବଥା ଅବାଞ୍ଛନୀୟ । ଭଲ ଓ ଖରାପ ଭିତରେ, ଚୋର ଆଉ ସାଧୁ ଭିତରେ, ସହନଶୀଳ ଆଉ ଅସହିଷ୍ଣୁ ଭିତରେ ଏପରିକି ଭଦ୍ର ଆଉ ଡାକୁ ଭିତରେ ମଧ୍ୟ ସମ୍ପର୍କ ରହିବା ବାଞ୍ଛନୀୟ ।’

 

ଏତିକିବେଳେ ହରଭଜନ ସିଂର ବାପା ବଡ଼ିୟାମ ସିଂ ପାଟିକରି କହିଉଠିଲେ, ‘ହରଭଜନ, ତୋର ଯଦି ଆମ ସମ୍ପ୍ରଦାୟରେ ରହିବାର ଇଚ୍ଛା ନାହିଁ, ତେବେ ତୁ ରହି ନପାରୁ, କିନ୍ତୁ ଗୁରୁମହାଶୟ ଦେଇଥିବା ନିର୍ଦ୍ଦେଶ ଉପରେ ତୋର ଟିପ୍ପଣୀ କରିବା ଆଉ ଦରକାର ନାହିଁ । ଧୋତି ବା ସାଲଓ୍ୟାର ପାଇଁ ପଇସା ହେଲାନାହିଁ ଓ ଖିଅରହେବାକୁ ଭଣ୍ଡାରି ମିଳିଲେନାହିଁ, ଏସବୁ ତର୍କ ମୋତେ ଶୁଣିବାକୁ ମୋଟେ ଭଲ ଲାଗୁନାହିଁ ।’

 

ଏତିକିବେଳେ ପାଚକ ହରଭଜନ ସିଂପାଇଁ ଖାଦ୍ୟ ଆଣି ପହଞ୍ଚିଲା । ସମସ୍ତେ ତ ଖାଉଥିଲେ, ତେଣୁ ବଡ଼ିୟାମ ସିଂ ପାଚକକୁ ଡାକି କହିଲେ, ‘ହରଭଜନର ଖାଇବା ତା’ ଘରେ ତାକୁ ଦେଇଆ । ସେ ଆମ ସମ୍ପ୍ରଦାୟରେ ରହିବାକୁ ଚାହେଁନାହିଁ, ତାକୁ ଅଲଗା ଖାଇବାକୁ ଦେ ।’

 

ହରଭଜନ ଓ ଅମୃତ ଦୁହେଁ ଉଠି ଛିଡ଼ା ହୋଇଗଲେ, ‘ଆମେ କଣ ଅସ୍ପୃଶ୍ୟ ହରିଜନ ନା ଚୋର ଡାକୁ ହୋଇଗଲୁ ?’

 

‘ତା’ଠାରୁ ମଧ୍ୟ ହୀନ, ମୋ ଲେଖାରେ ତୁମେ ଦୁହେଁ ନାହଁ କି ତୁମ ଲେଖାରେ ମୁଁ ମଧ୍ୟ ନାହିଁ ।’

 

ହରଭଜନ ଏହାଠାରୁ ଅଧିକ କିଛି ଶୁଣିବ ବୋଲି ପ୍ରସ୍ତୁତ ନଥିଲା । ତେଣୁ ସେ ଚୁପଚାପ ସେ ସ୍ଥାନ ଛାଡ଼ି ଚାଲିଗଲା । ଅମୃତ ସେଠାରେ ଥିଲା । ସେ କହିଲା, ‘ବାବା, ମୁଁ ତ ତୁମର ସନ୍ତାନ, ବାହାରର ଆବରଣ ବଦଳିଗଲା ବୋଲି କ’ଣ ମୁଁ ବଦଳିଗଲି ? ମୋର ରକ୍ତ ମଧ୍ୟ ବଦଳିଗଲା ?’

 

‘ମରିଗଲେ ତ ପୁଣି ସେ ବଦଳିଯାଏ । ଧରିନେ ତୋ ଲେଖାରେ ମୁଁ ମରିଛି ।’

 

ଅମୃତ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ହରଭଜନ ବାହାରେ ଥିଲା, କହିଲା, ‘ଅମୃତ, ଚାଲିଆ, ଏଠାରେ ବୁଦ୍ଧି ବଣ୍ଟା ଯାଉଛି ।’

 

(୨୪)

 

ହରଭଜନ ସିଂ ଓ ଅମୃତ ମାମୁଁ ଘରକୁ ଚାଲିଗଲେ । ଅମୃତର ମାମୁଁ ବିଷ୍ଣୁସହାୟ । ସେ ତା ପରଦିନ ବଡ଼ିୟାମ ସିଂ ଘରକୁ ଆସିଲେ । ତାଙ୍କ ଭଉଣୀ ଭିଣୋଇ ବଡ଼ ଚିନ୍ତାରେ ପଡ଼ିଥାନ୍ତି । ବଡ଼ିୟାମ ସିଂଙ୍କ ମତରେ ଅମୃତ ଓ ହରଭଜନ ଗୁରୁଦ୍ୱାରର ସଭ୍ୟମାନଙ୍କ ସମ୍ମୁଖକୁ ଆସିବାର ଆଦୌ ଉଚିତ ନଥିଲା । ଆଉ ଯଦିବା ଆସିଥିଲେ ଓ ସେଥିଲାଗି ବାପାଙ୍କଠାରୁ ଗାଳି ଖାଇଲେ, ସେ ଗାଳିକୁ ମନରେ ଧରିବା ମଧ୍ୟ ଉଚିତ ନଥିଲା । ତେଣୁ ସେ ଭାବୁଥିଲେ, ପୁଅ ଝିଅ ଦୁହେଁ ରାଗିକରି ହୁଏତ କୌଣସି ବନ୍ଧୁବାନ୍ଧବ ଘରକୁ ଚାଲିଯାଇଥିବେ ଓ ରାତିଟା ସେଠାରେ କଟାଇ ସକାଳୁ ସକାଳୁ ଆସୁଥିବେ । କିନ୍ତୁ ସେ ଦୁଇଜଣ ନଆସି, ଆସିଲେ ବିଷ୍ଣୁ ସହାୟ । ତାଙ୍କୁ ଦେଖି ବଡ଼ିୟାମ ସିଂ ସବୁକଥା ବୁଝି ମନେ ମନେ ଆଶ୍ୱସ୍ତ ହେଲେ ମଧ୍ୟ ଉପରକୁ ମୁହଁ ଭଡ଼କି ନ ଛାଡ଼ି ଖୁବ୍‌ ରାଗ ଦେଖାଇଲେ; ବିଷ୍ଣୁସହାୟକୁ କିଛି ରାମ କି ବିଷ୍ଣୁ ପାଟି ଫିଟେଇଲେ ନାହିଁ । ତେଣୁ ବିଷ୍ଣୁସହାୟ ଗୋଟାଏ ଚୌକି ଉପରେ ବସିପଡ଼ି ନିଜେ ନିଜେ କଥା ଆରମ୍ଭ କଲେ । ସେ କହିଲେ, ‘ହରଭଜନ ଓ ଅମୃତ ରାତିରେ ମୋ ଘରେ ପହଞ୍ଚି ଆପଣ ତାଙ୍କୁ ଘର ବାହାର କରିଦେଲେ ବୋଲି କହିଲେ ।’

 

‘ବାହାର ତ କରି ଦେଇନାହିଁ, ଖୁବ୍‌ ଗାଳି ଦେଇଛି । ଗାଳି ଦିଅନ୍ତି ନାହିଁ ? ସେ ଦୁହେଁ ଗୁରୁଦ୍ୱାର କମିଟି ସଭ୍ୟମାନଙ୍କ ସମାନାରେ ମୋତେ ଅପମାନ ଦେଲେ । ମୁଣ୍ଡର ବାଳ କାଟିଲେ ତ କାଟିଲେ, ସେହିଠାରେ କ’ଣ ତା’ର ପ୍ରଚାର କରିବାର ଏତେ ଆବଶ୍ୟକତା ଥିଲା ? ମୋ ମୁହଁରେ ସେ ଦୁହେଁ ଚୁନକାଳି ବୋଳିଦେଲେ, ମୁଁ ନ ରାଗି ରହିବାର ଉପାୟ ଥିଲା ?’

 

‘ସେମାନେ ତ ପିଲା, ଆପଣ ହେଲେ ବଡ଼ ମଣିଷ । ଆପଣ କେତେ ଲୋକ କେତେ ଅବସ୍ଥାକୁ ଚାହିଁ କାମ କରୁଛନ୍ତି । ଆପଣ ସେ ଦୁହିଁଙ୍କ ସଙ୍ଗେ ସେହିପରି ବ୍ୟବହାର କରିଥାନ୍ତେ । ଘରୁ ବାହାର କରିଦେବାଟା ଭଲ ଦେଖାଗଲା ନାହିଁ ।’

 

‘ଶିଖ୍‌ମାନେ କେଶ କାଟିବାଟାକୁ ଭାରି ଖରାପ ମନେକରନ୍ତି ।’

 

‘ସେମାନେ ଖରାପ ଭାବିଲେ କ’ଣ ହେଲା, ଆପଣ ତ ଭାବନ୍ତି ନାହିଁ ।’

 

‘ମୁଁ ତ କେଶ କାଟିବାଟାକୁ ପସନ୍ଦ କରେନାହିଁ ।’

 

‘ସେ ଭଲ ମନ୍ଦ ବିଚାର ଆପଣ ଆପଣଙ୍କପାଇଁ କରିପାରନ୍ତି । ଦେଖନ୍ତୁ, ମୁଁ ତ କେଶ ରଖିନାହିଁ । ତାହା ବୋଲି ମୁଁ କାହା ଉପରେ ଅଯଥା ଭାବରେ ମୋର ମତ ଚପେଇଦେବାକୁ ଚାହେଁ ନାହିଁ । ମୁଁ ଆପଣଙ୍କୁ, ମୋର ଭଉଣୀର ବିବାହ ପରେ କେଶ ରଖ କି ନାହିଁ, ଏ ବିଷୟରେ କେବେ କିଛି ପାଟି ଫିଟେଇଛିକି ? ନିଜ ଭଉଣୀକୁ ଆପଣଙ୍କୁ ବିବାହ ଦେଇ କେବେ ଖରାପ ହେଲା ବୋଲି କହିଛି କି ?’

 

‘ଆପଣ ତାହା ଖରାପ ମନେକରିବେ କାହିଁକି ? ଆପଣଙ୍କ ଭଉଣୀ ତ ହିନ୍ଦୁଧର୍ମର ଆବର୍ଜନା ମଧ୍ୟରୁ ବାହାରି ଗୁରୁମହାରାଜଙ୍କ ଶ୍ରୀଚରଣରେ ଆଶ୍ରା ପାଇଲେ । କିନ୍ତୁ ଏଠାରେ କଥା ସ୍ୱତନ୍ତ୍ର ହେଲା । ଏମାନେ ଗୁରୁମହାରାଜଙ୍କ ଶରଣ ଛାଡ଼ି ଆବର୍ଜନା ଭିତରକୁ ଗୋଡ଼ କାଢ଼ିଲେ ।’

 

‘ଠିକ୍‌ ଏଇଥିପାଇଁ ତ ଭାଇ ମୁଁ ଶିଖ୍‌ ହେବାକୁ ନାରାଜ । ମୋର ଭଉଣୀ ଯଦି ଗୋଟାଏ ଉଚ୍ଚସ୍ଥାନକୁ ଗଲା ବୋଲି ମୁଁ ଭାବନ୍ତି ତେବେ ମୁଁ ତ ଅନେକ ଦିନରୁ ଶିଖ୍‌ ହୋଇ ସାରନ୍ତିଣି । ମୋ ପକ୍ଷରେ ହିନ୍ଦୁଧର୍ମ ଆବର୍ଜନା ନୁହେଁ, ଏହା ଏକ ସାଗର, ଶିଖ୍‌ଧର୍ମ ତହିଁର ଏକ ସୂକ୍ଷ୍ମ ବିଭାଗବିଶେଷ-।’

 

‘ନାଁ, ଏହା ହିନ୍ଦୁଧର୍ମର ଏକ ଭାଗ ନୁହେଁ, ଗୁରୁମହାରାଜ ହିନ୍ଦୁଧର୍ମରେ ଏପରି କିଛି ଗୋଟାଏ ଦୋଷ ଦେଖିଲେ ଯାହା ପାଇଁ କି ସେ ଶିଖ୍‌ ଧର୍ମର ଅବତାରଣା କରିଥିଲେ । ହିନ୍ଦୁ ଧର୍ମର ସଂସ୍କାର ପାଇଁ ତ ସେ ଶିଖ୍‌ଧର୍ମର ସୃଷ୍ଟି କରିଥିଲେ ।’

 

ଆଜି ପ୍ରଥମକରି ବିଷ୍ଣୁସହାୟ ବୁଝିଲେ ଯେ, ନିଜ ଭଉଣୀକୁ ଏ ଘରେ ବିବାହଦେଇ ସେ କେଡ଼େ ଭୁଲ କରିଛନ୍ତି । ତେଣୁ ସେ ଭିଣୋଇଙ୍କୁ ବୁଝାଇବାକୁ ଯାଇ କହିଲେ, ‘ଆପଣ ହିନ୍ଦୁ ନୁହନ୍ତି, ୟା ବୋଲି ଯେ ମୁଁ ବୁଝିବିଚାରି ନିଜ ଭଉଣୀକୁ ହିନ୍ଦୁଧର୍ମରୁ ବହିଷ୍କାର କରିଦେଲି ଏହା ଭାବିବା ଭୁଲ । ସେ ତ ବିବାହ କରିବାକୁ ନାହିଁ କରୁଥିଲା । ସେ ତ ବିଚାର ଗାଈ ପରି ନୀରବ ଥିଲା, ମୁଁ ଜାଣୁ ଜାଣୁ ତାକୁ ବାନ୍ଧି ଦଉଡ଼ିଟା ଆପଣଙ୍କ ହାତକୁ ଧରେଇଦେଲି । ସେ ବିଚାରା ନିର୍ବିକାର ହୋଇ ଆପଣଙ୍କ ସଙ୍ଗେ ଆସିଲା । ମୁଁ ଦେଖୁଛି, ତାକୁ ହିନ୍ଦୁଧର୍ମରୁ ପତିତ କରାଇବାର ସବୁ ଦୋଷ ମୋ’ର, ମୁଁ ଏଥିପାଇଁ ଦାୟୀ ।’

 

ସେ ପୁଣି କହିଲେ, ‘ମୁଁ ଶିଖ୍‌ ଧର୍ମକୁ ହିନ୍ଦୁଧର୍ମର ଏକ ଶାଖା ବୋଲି ଏବେ ବି ମନେକରିଆସୁଥିଲି । ହିନ୍ଦୁଧର୍ମର ରକ୍ଷାଲାଗିତ ଗୁରୁମହାରାଜ କେତେକ ଦୁର୍ଦ୍ଧର୍ଷ ହିନ୍ଦୁଙ୍କୁ ନେଇ ଏକ ସଂସ୍ଥା ସ୍ଥାପନାକରିଥିଲେ । ମୁଁ ଏହିପ୍ରକାର ଇତିହାସ ଉପରେ ବିଶ୍ୱାସକରିଆସୁଥିଲି । ମୋତେ ଯଦି ଜଣାଥାନ୍ତା ଯେ, ଶିଖ୍‍ମାନେ ହିନ୍ଦୁମାନଙ୍କୁ ଏପରି ଘୃଣାଚକ୍ଷୁରେ ଦେଖନ୍ତି, ତେବେ....’

 

ସେ କହିବାକୁ ଯାଉଥିଲେ ଯେ ତେବେ ଏ ବିବାହ କଦାପି ହୋଇ ନ ଥାନ୍ତା । କିନ୍ତୁ ଏକଥା ତାଙ୍କ ମୁହଁରୁ ବାହାରି ପାରିଲା ନାହିଁ । କିନ୍ତୁ କଥାର ମର୍ମ ବଡ଼ିୟାମ ସିଂ ବୁଝିପାରି କହିଲେ, ‘ତେବେ ତମ ଭଉଣୀକୁ ବର୍ତ୍ତମାନ ନେଇଯାଇ ସେ ହିନ୍ଦୁଧର୍ମରୁ ପତିତ ଯେପରି ନହୁଏ ତା ବ୍ୟବସ୍ଥା କର ।’

 

‘ଯଦି ଏହା ସମ୍ଭବପର ହୁଅନ୍ତା ତେବେ ମୁଁ ନିଶ୍ଚୟ କରନ୍ତି; କିନ୍ତୁ ଭାଇ, ମୁଁ ଆପଣଙ୍କୁ ଏପରି ଲୋକ ବୋଲି କେବେହେଲେ ଭାବି ନ ଥିଲି । ହଉ ତେବେ, ବର୍ତ୍ତମାନ ମୁଁ ଆସେ ।’ ଏହାକହି ସହାୟ ଉଠି ଠିଆହେଲାରୁ ବଡ଼ିୟାମ ସିଂ ତାଙ୍କୁ ବସିବାକୁ ସଙ୍କେତ ଦେଇ କହିଲେ, ‘ମୁଁ ତୁମ ଭଉଣୀଙ୍କୁ ଡକୋଉଛି, ତୁମର ସାମନାରେ ଏହାର ଗୋଟାଏ ସମାଧାନ ହୋଇଯାଉ ।’

 

ବିଷ୍ଣୁସହାୟଙ୍କର ମଧ୍ୟ ଏତେବେଳକୁ ରାଗ ଟିକିଏ ବଢ଼ିଗଲାଣି, ସେ କହିଲେ, ‘ଠିକ୍‌ କଥା, ତାକୁ ମଧ୍ୟ ପଚାରିଦିଏ, ସେ ଯଦି ଆପଣଙ୍କ ଏଠି ରହିବାକୁ ନାରାଜ ହୁଏ, ତେବେ ତାକୁ ମଧ୍ୟ ନେଇଯିବି ।’

 

ବଡ଼ିୟାମ ସିଂ ଭିତରକୁ ଚାଲିଗଲେ ଓ ଦୁଇମିନିଟ ମଧ୍ୟରେ ହରଭଜନର ମାଙ୍କୁ ଧରି ସେଠାରେ ଆସି ପହଞ୍ଚିଲେ । ତାଙ୍କୁ ବିଷ୍ଣୁ ସହାୟଙ୍କ ସାମନାରେ ଛିଡ଼ାକରି କହିଲେ, ‘ଏଇ ଶୁଣ, ତମ ଭାଇ କଣ କହୁଛନ୍ତି । କୁଆଡ଼େ ତାଙ୍କୁ ଏକଥା ଜଣାଥିଲେ ସେ ତୁମକୁ ମୋ ସହିତ ବିବାହ ଦେଇନଥାନ୍ତେ ।’

 

‘କେଉଁ କଥା ଜଣାଥିଲେ, ସେ କଥା କହି ଦିଅନ୍ତୁ’, ବୋଲି ବିଷ୍ଣୁସହାୟ କହିଲେ ।

 

‘ହଁ, ହଁ, କହୁଛି । ମୁଁ କହିଲି ତୁମେ ଜଣେ ଶିଖ୍‍ ଘରକୁ ବୋହୂ ହୋଇ ଆସିବାଦ୍ୱାରା ଆବର୍ଜନାରୁ ବାହାରି ଗୁରୁଚରଣଆଶ୍ରା ପାଇଲ । କିନ୍ତୁ ସେ କହନ୍ତି, ସେ ଏ କଥା ଜାଣିଥିଲେ ତୁମକୁ ମୋ ସହିତ ବିବାହ ଦେଇ ନଥାନ୍ତେ । ବର୍ତ୍ତମାନ କୁହ, ତମେ କ’ଣ ପୁଣି ସେହି ଆବର୍ଜନା ଭିତରକୁ ଯିବାକୁ ପ୍ରସ୍ତୁତ ?’

 

ହରଭଜନର ମା ସେହିପରି ତଳେ ବସି କହିଲେ, ‘ମୁଁ ଜଣେ ହିନ୍ଦୁର କନ୍ୟା ହୋଇ ମୋର ନିଜ ସ୍ୱାମୀର ଘରଛାଡ଼ି କେଉଁଠିକି ଯାଇପାରିବି ନାହିଁ । ସେ ଯାହା ହେଲେ ବି ମୋର ପତି ବିଷ୍ଣୁ ! ତୁ ଏଠାରୁ ଯା, ବିବାହ ପୂର୍ବରୁ ତୋର ଏକଥା ବିଚାର କରିବାର ଥିଲା ।’

 

ଏତେବେଳକୁ ବିଷ୍ଣୁ ସହାୟ ପରିସ୍ଥିତିର ଜଟିଳତା ବୁଝିସାରିଲେଣି । ସେ ଯିବାକୁ ବାହାରିବାରୁ ବଡ଼ିୟାମ ସିଂ କହିଲେ, ‘ବିଷ୍ଣୁ, ବର୍ତ୍ତମାନ ଶୁଣ, ହରଭଜନ ଓ ଅମୃତକୁ ଘରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ପଠେଇଦବ, ଡେରି କରିବ ନାହିଁ ।’

 

‘ଦେଖନ୍ତୁ, ମୁଁ ସେ ଦୁହିଁଙ୍କୁ ବାନ୍ଧିରଖିନାହିଁ । ମୋ ଘରର କବାଟ ସବୁବେଳେ ଖୋଲା, ଆପଣ ଯାଇଁ ସେମାନଙ୍କୁ ନେଇ ଆସି ପାରନ୍ତି । ମୋର ଏଥିରେ କହିବାର କ’ଣ ଅଛି ?’

 

ଏହା କହି କହି ସେ ଘରୁ ବାହାରିଗଲେ ।

 

ବିଷ୍ଣୁସହାୟ ଯିବାରୁ ବଡ଼ିୟାମ ସିଂ କହିଲେ, ‘ବର୍ତ୍ତମାନ ତ ଜଣାପଡ଼ିଲା, ସେ ଦୁହେଁ ତାଙ୍କ ମାମୁଁ ଘରେ ଅଛନ୍ତି । ତୁମେ ଯାଇ ସେ ଦୁହିଁଙ୍କୁ ନେଇଆସ ।’

 

‘ଯାଇଁକରି ତ ଆଣିବି, କିନ୍ତୁ ତୁମେ କହିଲ, ବିଷ୍ଣୁ ଆଗରେ କିପରି ତୁମେ ମୋତେ ମଧ୍ୟ ଘରୁ ବାହାର କରିଦେବ ବୋଲି କହିପାରିଲ ? ତୁମର କଣ ଯେ ହେଲାଣି ମୁଁ ବୁଝିପାରୁ ନାହିଁ !’

 

ବଡ଼ିୟାମ ସିଂ କହିଲେ, ‘ସେ କଥା ଛାଡ଼, ମୋର ରାଗ ବଢ଼ିଯାଇଥିଲା । କଣ ଗୋଟାଏ କହି ଦେଇଥିବି ।’

 

‘ମୁଁ ଯାଉଛି ସେମାନଙ୍କୁ ଆଣିବାକୁ, କିନ୍ତୁ ଯେପରି ମନେହେଉଛି ସେମାନେ ସେମିତି ଆସିବେ ନାହିଁ । ସେମାନେ ଆସିଲେ ତୁମେ ସେମାନଙ୍କୁ ଗାଳିମାଡ଼ ଦେବ ନାହିଁ ତ ?’

 

‘ତୁମେ ତ ଜାଣ, ମୁଁ ରାଗିଲେ, ମୋର ଭଲମନ୍ଦ ବିଚାରକରିବାର ଶକ୍ତି ଲୋପ ହୋଇଯାଏ ।’

 

‘ତେବେ ଗୋଟାଏ କଥା କରିବା । ତୁମେ ମୁଁ ସାଙ୍ଗ ହୋଇ ଯିବା । ମୁଁ ଘର ଭିତରକୁ ଯାଇଁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରିବି, ଆଉ ଯଦି ସେମାନେ କୌଣସି ସର୍ତ୍ତ ବାଢ଼ି ବସନ୍ତି, ତେବେ ମୁଁ ବାହାରକୁ ଆସି ତୁମ ମତାମତ ନେଇ ଯିବି ।’

 

‘ତୁମେ ତ ସବୁ ଠିକ୍‌ କରିଦେବ । ମୋତେ ବର୍ତ୍ତମାନ ନନେଲେ ଭଲ ହୁଅନ୍ତା ।’

 

‘ମୁଁ ତ ସେମାନଙ୍କୁ କାଲି ରାତିରେ ମୋଟେ ଛାଡ଼ି ନ ଥାନ୍ତି । ସେମାନେ ଧର୍ମବିରୋଧୀ କାମ କରିଛନ୍ତି ବା ଠିକ୍‌ ଧର୍ମକୁ ମାନି ଚାଲିଛନ୍ତି ମୁଁ କିଛି ବୁଝେ ନାହିଁ । ମୁଁ କେବଳ ସେମାନଙ୍କୁ କହିବି ତୁମେ ଘରକୁ ଆସ ବୋଲି । ମୁଁ ମା, ସେମାନେ ଯାହା କରନ୍ତୁ, ମୋର ପୁଅଝିଅ ସେମାନେ-।’

 

‘ତେବେ ତ ତୁମେ ସବୁ ବିଗାଡ଼ିଦେବ ଦେଖୁଛି । ଚାଲ, ମୁଁ ମଧ୍ୟ ଯିବି । ମୁଁ ମଟରରେ ରହିବି, ତୁମେ ଘର ଭିତରକୁ ଯାଇ ସେମାନଙ୍କୁ ଡାକି ଆଣିବ ।’

 

ସେ ଦୁହେଁ ଏହା ସ୍ଥିର କରି ମଟରରେ ବସି ବିଷ୍ଣୁସହାୟଙ୍କ ଘରେ ଯାଇଁ ପହଞ୍ଚିଲେ ।

 

ବିଷ୍ଣୁସହାୟ ଘରେ ପହଞ୍ଚିବା ପୂର୍ବରୁ ହରଭଜନ ସିଂ ବାହାରି ଯାଇଥିଲା ଓ ଅମୃତ କଲେଜ ଯିବାକୁ ପ୍ରସ୍ତୁତ ହେଉଥିଲା ।

 

ବିଷ୍ଣୁସହାୟ କେବଳ ଅମୃତକୁ ଏତିକି ମାତ୍ର କହିଲେ ଯେ, ‘ତୁମ ପିତା ତୁମକୁ ଏ ବେଶରେ ଘରକୁ ନେବାକୁ ପ୍ରସ୍ତୁତ ନୁହନ୍ତି ।’ ଏହା କହୁ କହୁ ସେ କାନ୍ଦି ପକାଇଲେ ।

 

ଏହା ଦେଖି ଅମୃତ ଭୟରେ ପଚାରିଲା, ‘ମାମୁଁ, ସେଠାରେ କ’ଣ ହେଲା ?’

 

‘କିଛି ନାହିଁ, ସେ ତ ତୁମ ମାକୁ ଘରୁ ବାହାର କରି ଦେବାକୁ ପ୍ରସ୍ତୁତ । ଭଗବାନ ତୁମ ମାର ମଙ୍ଗଳ କରନ୍ତୁ ।’ ଏତିକି କହି ସେ ଆଉ କହି ପାରିଲେ ନାହିଁ ।

 

ଏହା ଦେଖି ଅମୃତ ମନେ ମନେ ଖୁବ୍‌ ରାଗିଲା । ସେ କିଛି କହିଲା ନାହିଁ ସତ, କିନ୍ତୁ ଭାବିଲା ଯଦି ବାପା ମା’ଙ୍କୁ ଘରୁ ବାହାର କରିଦିଅନ୍ତି ତେବେ ହବ କଣ ? ସେ ଆଉ କିଛି ଭାବି ପାରିଲା ନାହିଁ । ସନ୍ଧ୍ୟାକୁ ଭାଇ ଫେରିଲେ ତାଙ୍କ ସଙ୍ଗେ ପରାମର୍ଶ ଯାହା କରିବାର କଥା କରାଯିବ-। ଏହା ଭାବି ମାମୁଁଙ୍କୁ କହିଲା, ‘ଆପଣ ଚିନ୍ତା କରନ୍ତୁ ନାହିଁ, ଆମେ ଦୁହେଁ ଏଠାରୁ ମଧ୍ୟ ଚାଲିଯିବୁ ।’

 

‘ଏଠାରୁ ଗଲେ ଅବସ୍ଥା ଆହୁରି ଖରାପ ହେବ, ଏଠାରେ ରହିଛ ବୋଲି ଗୋଟାଏ କଥା ଅଛି ।’ ବିଷ୍ଣୁସହାୟ ଏତିକି କହି ସ୍ଥିର ରହିଲେ ।

 

ଅମୃତ କାଲି ରାତିରେ ଆସିଲାବେଳେ ସାଙ୍ଗରେ ତା’ର ବହିପତ୍ର କିଛି ଆଣି ନ ଥିଲା । ତେଣୁ ସେ ମାମୁଁଙ୍କଠାରୁ ଦୁଇଟଙ୍କା ନେଇ ଖାତା ପେନ୍‌ସିଲ କିଣିବାକୁ ବାହାରି ପଡ଼ିଲା ବଜାରକୁ । ଠିକ୍‍ ଘରୁ ବାହାରୁଛି ଦେଖିଲା ତା’ ମା ମଟରରୁ ଓହ୍ଲେଇ ଏହି ଆଡ଼କୁ ଆସୁଛନ୍ତି । ୟା ଦେଖି ତା ମୁଣ୍ଡ ବୁଲେଇ ଦେଲା । ତା’ର ମନେ ହେଲା ବାପା ବୋଧହୁଏ ମାକୁ ମଧ୍ୟ ଘରୁ ବାହାର କରି ଦେଲେ । ତେଣୁ ସେ ଯାଇଁ ମାକୁ କୁଣ୍ଢେଇ ପକେଇ କହିଲା, ‘ମା ଶେଷକୁ ତୁମେ ମଧ୍ୟ ଚାଲି ଆସିଲ ?’

 

‘ହଁ ଆସିଲି, ତୁମ ଦୁହିଁଙ୍କୁ ନେବାକୁ ।’

 

‘ମୁଁ ଯିବାପାଇଁ ଆସିନାହିଁ ।’

 

‘ତେବେ କାହିଁକି ଆସିଛୁ ?’

 

‘ମା, ଯେଉଁଠି ମନୁଷ୍ୟର ମାନସମ୍ମାନ ତା’ର କାର୍ଯ୍ୟକଳାପ ଉପରେ ନିର୍ଭର ନ କରି ମୁଣ୍ଡରବାଳ କାଟିବା ରଖିବା ଉପରେ ନିର୍ଭର କରୁଛି, ସେଠାରେ ରହିବା ଅସମ୍ଭବ । ମୁଁ ମୋର ମାନରକ୍ଷା ପାଇଁ ଏଠାକୁ ଚାଲି ଆସିଛି ।’

 

‘ଦେଖ୍‍, ତୋ ବାପା ମଧ୍ୟ ଆସିଛନ୍ତି, ସେ ମଟରରେ ବସିଛନ୍ତି ।’

 

ଅମୃତ କିଛିକ୍ଷଣ ଅନ୍ୟମନସ୍କ ହୋଇ ସେଠାରେ ଛିଡ଼ା ହେଲା । ତା’ପରେ ମାଙ୍କୁ ସେହିଠାରେ ଛାଡ଼ି ମଟର ପାଖକୁ ଯାଇଁ ବାପାଙ୍କୁ ନମସ୍କାର ଜଣାଇଲା ।

 

‘ଅମୃତ, ଚାଲ ଯିବା । ଏଠାରେ ମାମୁଁ ଘରେ ରହିବା ଠିକ୍‌ ହେବ ନାହିଁ ।’

 

‘ଆପଣ ଭିତରକୁ ଆସନ୍ତୁ । ମାମୁଁ କହୁଥିଲେ ଆପଣ ଭାରି ରାଗିଛନ୍ତି, କହିବେ ତ ମାମୁଁଙ୍କୁ ଏଠାକୁ ଡାକିବି ।’

 

‘ନାହିଁ, ମୁଁ ତୋତେ ନେବାକୁ ଆସିଛି ।’

 

‘ଆଉ ଭାଇକୁ ନେବନାହିଁ ।’

 

‘ନାହିଁ, ସେ ମୋ ମୁହଁରେ କଳା ବୋଳିଦେଇଛି ।’

 

‘ମୁଁ ଯାହା କରିଛି ସେ ମଧ୍ୟ ସେହିପରି କିଛି କରିଛି ତ । ଆପଣ ତା’ ଉପରେ ବେଶି ରାଗୁଛନ୍ତି କାହିଁକି ?’

 

‘ଦେଖ ଅମୃତ ! ତୁ ବର୍ତ୍ତମାନ କଲେଜରେ ପଢ଼ିବାକୁ ଯିବୁନାହିଁ । ଘରେ ରହିବୁ । ତୋତେ କେହି ଦେଖିବେ ନାହିଁ । ଦୁଇଚାରି ମାସରେ ତୋର ମୁଣ୍ଡବାଳ ବଢ଼ି ପୂର୍ବପରି ହୋଇଯିବ । ତା’ପରେ ତୁ ଗୁରୁଦ୍ୱାର ପ୍ରଭୃତିକୁ ଯାଇପାରିବୁ । କିନ୍ତୁ ହରଭଜନ କଥା ଅଲଗା । ସେ ତ ଡାକ୍ତରଖାନାକୁ ଯିବ ଓ ସବୁ ଲୋକେ ତାକୁ ଦେଖିବେ । ମୋର ଜ୍ଞାତି ସ୍ୱଜନ ଓ ତାହାର ବନ୍ଧୁବାନ୍ଧବ ସେ ବାଳକଟେଇଛି ବୋଲି ଜାଣିବେ । ଦି ଦିନରେ ଏହା ଚାରିଆଡ଼େ ଜଣାପଡ଼ିଯିବ ଯେ, ଠିକଦାର ବଡ଼ିୟାମ ସିଂହଙ୍କ ପୁଅ ବାଳ କଟେଇ ଦେଇଛି । ତେଣୁ ତାକୁ ଘରକୁ ନ ଆଣିଲେ ମୋର ମାନସଂଭ୍ରମ କେତେକାଂଶରେ ବଞ୍ଚିଯିବ ବୋଲି ମୁଁ ମନେ କରୁଛି ।’

 

‘ତେବେ ମୁଁ ବି ଯିବିନାହିଁ । ଯିବୁ ତ ଆମେ ଦୁହେଁ ଏକ ସଙ୍ଗେ ଯିବୁ ।’

 

ଏତିକି କହି ଅମୃତକାଉର କଲେଜ ଯିବାକୁ ବାହାରିଲାରୁ, ବଡ଼ିୟାମ ସିଂ ମଟରରୁ ଓହ୍ଲେଇ ତା ସାମନାରେ ଛିଡ଼ା ହେଲେ ଓ କହିଲେ, ‘ଏମିତି ଭଲରେ ନ ଯିବୁ ତ ତୋତେ ଜବରଦସ୍ତି ଧରି ମଟରରେ ବସେଇ ନେଇଯିବି ।’

 

‘ଆପଣଙ୍କର ଯାହା ଇଚ୍ଛା, ତେବେ ମୁଁ ମୋ ଇଚ୍ଛାରେ କେବେ ହେଁ ଯିବିନାହିଁ ।’

 

ଏହି ସମୟରେ ବିଷ୍ଣୁ ସହାୟ ଖବର ପାଇଲେ ଯେ, ତାଙ୍କ ଭଉଣୀ ଭିଣୋଇ ଆସି ଘର ବାହାରେ ପହଞ୍ଚିଛନ୍ତି । ବଡ଼ିୟାମ ସିଂ ଅମୃତର ବାହୁକୁ ଧରି ମଟର ଭିତରକୁ ଘୋଷାଡ଼ିବାରୁ ସେ ତଳେ ପଡ଼ିଗଲା । ସେ ପାଖରେ ଛିଡ଼ା ହୋଇଥିବା ଅମୃତର ମାକୁ ଡାକି କହିଲେ, ‘ତୁମେ ତା ଗୋଡ଼ ଦୁଇଟାକୁ ଧର, ମୁଁ ତା ହାତ ଧରୁଛି ।’

 

ଅମୃତର ମା ଏ କଥାକୁ ପସନ୍ଦ କଲେ ନାହିଁ । ସେ ପାଟିକରି କହିଲେ, ‘ଛାଡ଼ ତାକୁ । ପଢ଼ାଲେଖା ଝିଅପ୍ରତି ଏପରି ବ୍ୟବହାର କରିବା ଠିକ୍‌ ନୁହେଁ । ଅମୃତ ଉଠ୍‌, ଘର ଭିତରକୁ ଚାଲ । ରାସ୍ତା ଉପରେ ଏ ତମାସା କ’ଣ ଲଗେଇଛ ? ଲୋକେ କ’ଣ ଭାବିବେ ?

 

ବଡ଼ିୟାମ ସିଂ ହାତ ଛାଡ଼ିଦେବାରୁ ଅମୃତ ଉଠି ଘର ଭିତରକୁ ଚାଲିଗଲା । ତା’ ମା ବି ତା ସାଙ୍ଗେ ଭିତରକୁ ଗଲେ । ବିଷ୍ଣୁସହାୟ ବଡ଼ିୟାମ ସିଂଙ୍କୁ କହିଲେ, ‘ଆପଣ ବି ଆସନ୍ତୁ ଘର ଭିତରକୁ । ତାକୁ ବୁଝେଇ ସୁଝେଇ ନିଅନ୍ତୁ ।’

 

ଲୋକ ଜମା ହୋଇଯିବାର ଦେଖି ବଡ଼ିୟାମ ସିଂ ମଧ୍ୟ ଘର ଭିତରକୁ ଯିବାଟା ଠିକ୍‌ ମନେ କଲେ । ବିଷ୍ଣୁସହାୟ ସମସ୍ତଙ୍କ ପଛରେ ଘର ଭିତରକୁ ଗଲେ ।

 

ରାସ୍ତାରେ ଜମାହୋଇଥିବା ଲୋକେ ଗାଡ଼ି ଡ୍ରାଇଭରକୁ ପଚାରିଲେ ‘ଏ ସବୁ ନାଟ କ’ଣ-?’

 

ଡ୍ରାଇଭର ସେମାନଙ୍କୁ କହିଲା, ‘ଝିଅ ବାଳ କଟେଇପକେଇଛି ବୋଲି ବାପ ତାକୁ ମାରିଛି, ସେଇଥିଲାଗି ସେ ଘରୁ ପଳେଇ ଆସି ମାମୁଁ ଘରେ ଆଶ୍ରା ନେଇଛି । ଏମାନେ ତାକୁ ଜବରଦସ୍ତି ନେବାକୁ ବସିଛନ୍ତି ।’

 

(୨୫)

 

ଘଣ୍ଟାକରୁ ଉପର ଲାଗିଲା କଥାବାର୍ତ୍ତା ମେଣ୍ଟିବାକୁ । ଶେଷରେ ଏହା ସ୍ଥିରହେଲା ଯେ ସନ୍ଧ୍ୟାବେଳକୁ ହରଭଜନ ଓ ଅମୃତ ଘରକୁ ଫେରିଯିବେ । ଦୁହେଁ ଗୁରୁଦ୍ୱାର ବା ଶିଖ୍‌ମାନଙ୍କ ସଙ୍ଗତକୁ ଯିବେନାହିଁ । ଘରକୁ କୌଣସି ଅତିଥି ଅଭ୍ୟାଗତ ଆସିଲେ ସେମାନେ ସମସ୍ତଙ୍କ ସାଙ୍ଗରେ ଡାଇନିଙ୍ଗ ହଲରେ ବସି ଖାଇ ପାରିବେନାହିଁ । ସେମାନେ ଶିଖ୍‌ ଧର୍ମର ନିନ୍ଦା କରିବେନାହିଁ । ଆଉ ଏ ସବୁ ମାନି ଚଳିଲେ ବାପମା ମଧ୍ୟ ସେମାନଙ୍କୁ ବାଳ ରଖିବାପାଇଁ ବାଧ୍ୟ କରିବେନାହିଁ । ଯଦି କେବେ ପୁଣି ସେମାନଙ୍କର ଇଚ୍ଛା ହୁଏ ତ ସେମାନେ ବାଳ ରଖିପାରନ୍ତି ।

ଏହି ପ୍ରକାର କଥାବାର୍ତ୍ତା ଛିଣ୍ଡିଲା । ଅମୃତର ମା ଓ ବାପା ଘରକୁ ଫେରିଲେ । କଲେଜ ବେଳ ଗଡ଼ିଯାଇଥିବାରୁ ଅମୃତ କଲେଜ ନ ଯାଇ ଡାକ୍ତରଖାନା ଆଡ଼କୁ ଗଲା । ସେଠାରେ ପହଞ୍ଚି ଡାକ୍ତରଖାନାର ସଦର ଦରଜା ବାଟ ଦେଇ ଯାଇଁ ସିଧା ପହଞ୍ଚିଲା ସୁଶୀଳ ଆଉ ନୀଳାଙ୍କ ଓ୍ୟାର୍ଡରେ-

ଗୋଟାଏ ସେତେବେଳକୁ ବାଜିଲାଣି । ନୀଳା ଆଉ ସୁଶୀଳ ନିଜ ନିଜର କାମସାରି ହାତ ଧୋଉଥିଲେ । ଅମୃତକୁ ଦେଖି ସୁଶୀଳ କହିଲା, ‘ଦେଖ, ପୁଣି ଏକ ନୂଆ ରୋଗୀ ଗଡ଼ିଲେଣି-। ପୁଣି କଣ ତାଙ୍କର ବ୍ୟବସ୍ଥା କରିବାକୁ ହେବ ?’

ନୀଳା ଫେରି ପଡ଼ି ଅମୃତକୁ ଚିହ୍ନି ପକାଇଲା । କହିଲା, ‘‘ସେ ରୋଗୀ ନୁହେଁ’, କିନ୍ତୁ ଏତିକି କହି ଅମୃତର ସାହେବି ଢଙ୍ଗରେ କଟା ବବ୍‌କରା ବାଳକୁ ଚାହିଁ ଆଉ କିଛି କହିପାରିଲା ନାହିଁ-

ସୁଶୀଳ ମଧ୍ୟ ତାକୁ ଦେଖି ‘ଆରେ’ ବୋଲି କହି ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲା । କିଛିକ୍ଷଣ ପରେ କହିଲା, ‘ଅମୃତ ତୁମର ଏ କ’ଣ ହେଲା ।’

 

‘ଚୁପ୍‌ କରନ୍ତୁ, ମହାଭାରତ ଯୁଦ୍ଧ ସାରି ବର୍ତ୍ତମାନ ଫେରୁଛି ।’

 

‘କୌରବ କିଏ ଥିଲେ ତୁମ ଯୁଦ୍ଧରେ,’ ନୀଳା ପଚାରିଲା ।

 

ଅମୃତ ହସି ପଚାରିଲା, ‘ଭାଇ କେଉଁଠି ଅଛି ଆଗ କୁହ ।’

 

ସୁଶୀଳ କହିଲା, ‘ଆଜି ଗୋଟାଏ ଅପରେସନ ହବାର ଥିଲା, ଜାଣେ ନାହିଁ ତାହା ସରିଲାଣି କି ନାହିଁ ।’

 

‘ଅପରେସନ ଥିଏଟର କେଉଁଠି ?’

 

ସୁଶୀଳ କହିଲା, ‘ଚାଲ ନେଇଯାଉଛି ।’

 

ନୀଳା ହାତ ଧୋଇ ତଉଲିଆରେ ହାତପୋଛି ଆପ୍ରୁନ ଖୋଲି ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ସୁଶୀଳ କହିଲା, ‘ଟିକିଏ ଅପେକ୍ଷା କର, ମୁଁ ଅମୃତକୁ ତାଙ୍କ ଭାଇ ପାଖରେ ଛାଡ଼ି ଦେଇ ଆସୁଛି ।’

 

‘ମୋତେ କିନ୍ତୁ ଭାରି ଭୋକ ହେଲାଣି ସୁଶୀଳବାବୁ ।’

 

‘ଚାଲ ତୁମକୁ ଆଜି କାର୍ଲଟନ୍‌ରେ ଖୁଆଇଦେବି ।’

 

‘ଦେବାଳିଆ ହୋଇଯିବେ ଯେ ।’

 

‘ତୁମେ ଚାଲ ନା, ଦେବାଳିଆ ହେଲେ ହେବି, ତା ବୋଲି ନ ଖାଇ ତ ଆଉ ମରିବି ନାହିଁ-।’

 

‘ଭୋକ ତ ହେଉଛି, ତା ବୋଲି ମିଲ୍‌ ଗୋଟାକୁ ପାଞ୍ଚଟଙ୍କା ଦେଇ ଖାଇବା ।’

 

‘ହେଲା କ’ଣ, ଆମେ ତ ଚାରିଜଣଯାକ ଖାଇବା ।’

 

‘ଚାରିଜଣ ପୁଣି କିଏ, ମୁଁ ତ ପୁଣି ଯାଉନାହିଁ ।’

 

‘ବାଃ, ତା କିପରି ହେବ ? ମୁଁ ଆଜି ଭାରି ଖୁସ୍‌, ସେଥିରେ ତୁମକୁ ମଧ୍ୟ ଭାଗ ନେବାକୁ ହେବ ।’

 

‘କଥା କଣ ? କାହିଁକି ଏତେ ଖୁସ୍‌ ।’

 

‘ହୋଟେଲରେ ବସି କହିବି ଖୁସିର କାରଣ ।’

 

ନୀଳା ଜାଣିଥିଲା ସରକାର ବାବୁଙ୍କ ଝିଅ ସହିତ ସୁଶୀଳର ସମ୍ବନ୍ଧ ପକା ହୋଇଛି । ସୁଶୀଳର ମା ଓ ନୀଳାର ମାଙ୍କ ଭିତରେ ଏ ବିଷୟରେ କଥାବାର୍ତ୍ତା ହୋଇଥିଲା । ସେ ବୁଝିଲା, ଏହି କାରଣରୁ ସୁଶୀଳ ଆଜି ସମସ୍ତଙ୍କୁ ଖୁଆଉଛି । ତେଣୁ ସେ ଚୁପ୍‌ ରହିଲା । ତିନିହେଁ ଅପରେସନ ଥିଏଟରକୁ ଚାଲିଲେ । ଅପରେସନ ଶେଷକରି ଡାକ୍ତର ଥିଏଟରକୁ ବାହାରୁଥିଲେ । ତାଙ୍କୁ ଦେଖି ସୁଶୀଳ କହିଲା, ‘ଅପରେସନ ଶେଷ ହୋଇଗଲାଣି ବୋଧହୁଏ । ନୀଳାଦେବୀଙ୍କୁ ଆଉ ବେଶି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଇଠୁଁ ସିଧା ଟାକ୍‌ସି ନେଇ ହୋଟେଲକୁ ଚାଲିଯିବା ।’

 

ନୀଳା କହିଲା, ‘ହରଭଜନ ସିଂଙ୍କ ଗାଡ଼ିରେ ଚାଲିଗଲେ ହେବ ।’

 

ଅମୃତ କହିଲା, ‘ନାହିଁ, ଗାଡ଼ି ଖରାପ ଥିବାରୁ ହରଭଜନ ଆଜି ଗାଡ଼ି ଆଣିନାହିଁ ।’

 

ଇତ୍ୟବସରେ ସମସ୍ତେ ଆସି ଅପରେସନ ଥିଏଟର୍‌ ପାଖରେ ପହଞ୍ଚି ଯାଇଥିଲେ । ନୀଳା କି ସୁଶୀଳ କେହି ହରଭଜନକୁ ଚିହ୍ନି ପାରିଲେ ନାହିଁ । ତାର ମୁହଁ ଓ ମୁଣ୍ଡରେ ମୋଟେ ବାଳ ନାହିଁ । ଅମୃତ ଯେତେବେଳେ ଯାଇଁ ହରଭଜନ ସାମନାରେ ଠିଆ ହୋଇଗଲା, ସୁଶୀଳ ବୁଝିଲା ଯେ ଭାଇ ଭଉଣୀ ଦୁହେଁ ପରିବାର ମଧ୍ୟରେ ବିଦ୍ରୋହ ସୃଷ୍ଟି କରିଦେଇଛନ୍ତି । ସୁଶୀଳ ବଡ଼ ପାଟିକରି ହସି ଉଠିଲା । ହରଭଜନର ଅନ୍ୟାନ୍ୟ ସାଥିମାନେ ଆଗରୁ ହରଭଜନକୁ ଦେଖି ହସୁଥିଲେ, ସୁଶୀଳ ହସିବାରୁ ପୁଣି ସମସ୍ତେ ହସରେ ଯୋଗ ଦେଲେ ।

 

‘ହରଭଜନ ! ଏ କଣ କଲ ?’

 

ହରଭଜନ ଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ହସୁଥାଏ । ହସ ବନ୍ଦ ହେବାରୁ ନୀଳା କହିଲା, ‘ଚାଲ, ଆଜି ସୁଶୀଳବାବୁ ଆମ ସମସ୍ତଙ୍କୁ କାର୍ଲଟନ୍‌ରେ ଭୋଜି ଦେବେ ।’

 

‘କାହିଁକି ଏ ଭୋଜିର ବ୍ୟବସ୍ଥା ?’

 

‘ସେ କଥା ସେ ହୋଟେଲରେ କହିବେ ବୋଲି କହୁଛନ୍ତି ।’

 

ସୁଶୀଳ କହିଲା, ‘ହଁ, ପ୍ରଥମରୁ କହିଦେଲେ ହୁଏତ ତୁମେମାନେ ଭୋଜିରେ ଯୋଗ ଦେବ ନାହିଁ ।’

 

ନୀଳା ଏହା ଶୁଣି କହିଲା, ‘ତେବେ କାରଣ ନ ଜାଣି ନିମନ୍ତ୍ରଣ ଗ୍ରହଣ କରିବାଟା ଠିକ୍‌ ହେବନାହିଁ ।’

 

‘କିନ୍ତୁ ଆପଣ ତ ସ୍ୱୀକାର କରି ସାରିଛନ୍ତି ଆପଣ ନାହିଁ କଲେ ଆଉ ଚଳିବ ନାହିଁ ।’

 

ହରଭଜନ କହିଲା, ‘ମୁଁ ତେବେ ଅସ୍ୱୀକାର ନକରିବି କାହିଁକି ?’

 

ସୁଶୀଳ କହିଲା, 'ମୋର ଖୁସିର କାରଣ ପୁଣି କାହାର ଦୁଃଖର କାରଣ ହୋଇପାରେ ।’

 

‘ଜଣେ ବନ୍ଧୁଙ୍କ ଆନନ୍ଦ ପୁଣି ଅନ୍ୟ ବନ୍ଧୁମାନଙ୍କର ଦୁଃଖର କାରଣ ହୋଇପାରେ କି ?’

 

‘କାରଣ କହିବା ବହୁ କଷ୍ଟ ।’

 

ହରଭଜନ କହିଲା, ‘ସୁଶୀଳ ବନ୍ଦକର । ଘରେ ତ ମହାଭାରତ ଯୁଦ୍ଧ ଲଗେଇବାକୁ ଯାଉଛି । ପୁଣି ଏଠାରେ ସେପରି ଗୋଟାଏ କିଛି ନ ହେଲେ ରକ୍ଷା ।’

 

‘ଘରର ମହାଭାରତ ଯୁଦ୍ଧ ତ ଅମୃତ ଲଢ଼ି ଆସିଛନ୍ତି ହରଭଜନ ।’

 

ସମସ୍ତେ ହସପିଟାଲରୁ ବାହାରି ଟାକ୍‌ସିଷ୍ଟାଣ୍ଡ ଆଡ଼େ ଚାଲିଥିଲେ । ହରଭଜନ ଚାଲୁ ଚାଲୁ ଅଟକିଯାଇଁ ଅମୃତ ଆଡ଼କୁ ଅନେଇଲା । ଅମୃତ କହିଲା, ‘ସୁଶୀଳ ବାବୁ ଠିକ୍‌ କହୁଛନ୍ତି । ମୁଁ ମହାଭାରତ ଯୁଦ୍ଧ ଶେଷକରି ଆସିଛି । ବାବାଙ୍କ ସାଙ୍ଗେ ଗୋଟାଏ ମିଳାମିଶା ହୋଇଯାଇଛି ।’

 

‘କ’ଣ ହେଲା ?’

 

‘ଆମେ ଏଇଠୁ ସିଧା ଆମଘରକୁ ଯିବା ।’

 

‘ଏପରି କିପରି ସମ୍ଭବ ହେଲା ?’

 

‘କେତେ କଣ ହୋଇ । ଘରେ ଯାଇଁ ସବୁ କହିବି ।’ ଅମୃତ କହିଲା ।

 

‘ତେବେ ତ ଭୋଜି ନିଶ୍ଚୟ ଖିଆଯିବ ।’

 

‘ଭାଇ ! ତେବେ ତୁମେ ଆଜି ଭୋଜି ଦେଉନ ।’

 

ହରଭଜନ ଉତ୍ତର ଦେବା ପୂର୍ବରୁ ସୁଶୀଳ କହିଲା, ‘ଆଜି ତ ଭୋଜି ମୁଁ ଦେବି ବୋଲି ଠିକ୍‌ ହୋଇଛି । କାଲିକି ପଛେ ହରଭଜନ ଖୋଇବ ।’

 

ନୀଳାକୁ ଖୁବ୍‌ ଭୋକ ହେଉଥିଲା । ଟାକ୍‌ସିକୁ ହାତରେ ଇସାରା ଦେବାରୁ ସେ ଚାଲିଆସିଲା ଓ ସମସ୍ତେ ବସି କାର୍ଲଟନ୍‌ ହୋଟେଲକୁ ଗଲେ ।

 

ହୋଟେଲରେ ଖାଦ୍ୟପଦାର୍ଥ ପରଶାଯିବାବେଳକୁ ସୁଶୀଳ ଖୁସିର କାରଣ କହିଲା । ସେ କହିଲା, ଅମୃତଦେବୀ ବାଳ କାଟି ଯେଉଁ ବିଦ୍ରୋହର ଇଙ୍ଗିତ ଦେଇଛନ୍ତି, ସେ ତା’ର ଭିତରକଥା ବୁଝିପାରିଛି । ‘ମୁଁ ତ ବଙ୍ଗାଳୀ । ମୋତେ ବିଦ୍ରୋହ କଥା ଭାରି ଭଲ ଲାଗେ । ଅମୃତଙ୍କର ବିଦ୍ରୋହର ସୂଚନାଯୋଗୁଁ ଆଜି ମୁଁ ଏ ଭୋଜି ଦେଉଛି ।’

 

ନୀଳା କହିଲା, ‘ବିଦ୍ରୋହ କଣ ଏମିତି ଗୋଟାଏ ଭଲ କଥା ?’

 

‘ହଁ, ଯେବେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଏହା କରାଯାଏ ।’

 

‘ଅନ୍ୟକୁ ବିଦ୍ରୋହ କରିବାର ଦେଖି ଆନନ୍ଦିତ ହେଲେ ହେବନାହିଁ । ନିଜର ମଧ୍ୟ ଏହା କରିବାକୁ ଯୋଗ୍ୟତା ଥିବା ଦରକାର ।’

 

ନୀଳା ଜାଣିଥିଲା, ସୁଶୀଳର ବାପା ମା କେତେ ବେଶି ପ୍ରାଦେଶିକତାବାଦୀ । ସୁଶୀଳ ନୀଳାର ଇଙ୍ଗିତରୁ ସ୍ପଷ୍ଟ ବୁଝିଲା ଯେ, ସେ ଯେପରି ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଠିଆ ହେବାକୁ ଅକ୍ଷମ । ଏହି କାରଣରୁ ସେ କହିଲା, ‘ଦେଖ, ଏଠାରେ ଆମେ ସମସ୍ତେ ମିତ୍ର । ତେଣୁ ପ୍ରତ୍ୟେକ ନିଜ ନିଜର ମନକଥା ମନରେ ରଖନ୍ତୁ । ମୁଁ ତୁମମାନଙ୍କୁ ଗୋଟାଏ ରହସ୍ୟ କଥା କହୁଛି ।’

 

‘ଦିନେ ମୁଁ ନୀଳାଦେବୀଙ୍କୁ ଆମ ଘରକୁ ଚାହା ଖାଇବାକୁ ଡାକିଲି । ସେ ମଧ୍ୟ ଦୟାକରି ଆସିଲେ । ମୋ ମା ମନେକଲେ ଯେ, ମୁଁ ନୀଳାଦେବୀଙ୍କୁ ବିବାହ କରିବାକୁ ଚାହୁଁଛି । ମୁଁ ବହୁତ ବୁଝେଇଲି, ଚା ଖାଇବାକୁ ନିମନ୍ତ୍ରଣ କରିବାର ଉଦ୍ଦେଶ୍ୟ ଏହା ନୁହେଁ ବୋଲି, କିନ୍ତୁ ସେ ମାନିଲେ ନାହିଁ । ବାବା ଓ ମା ମୋର ବିବାହ ଗୋଟିଏ ବଙ୍ଗାଳୀ ଝିଅ ସହିତ ଦେବେ ବୋଲି ଯୋଗାଡ଼ କରୁଛନ୍ତି । ମୁଁ କିନ୍ତୁ ଏଥିରେ ଅସମ୍ମତ ।

 

‘ଆଜି ବାପା ମାଙ୍କ ବିରୁଦ୍ଧରେ ଅମୃତ ଯେପରି ବିଦ୍ରୋହ ଘୋଷଣା କରିଛି ତାହା ଦେଖି ମୁଁ ଉତ୍ସାହିତ ହୋଇଛି । ମୁଁ ମଧ୍ୟ ମୋ ଘରେ ସେହି ପରି ବିଦ୍ରୋହ ଆରମ୍ଭ କରିବାକୁ ଭାବୁଛି । ଆଜିର ନିମନ୍ତ୍ରଣର ଏହା ଏକ ପ୍ରଧାନ କାରଣ । ଏ ବାଟ ଦେଖାଇଥିବାରୁ ମୁଁ ଅମୃତଦେବୀଙ୍କ ପାଖରେ କୃତଜ୍ଞ ।’

 

ନୀଳାଦେବୀ ପଚାରିଲେ, ‘ଆପଣ କିପରି ବିଦ୍ରୋହ କରିବେ ?’

 

‘ମୁଁ ଜଣେ ଅବଙ୍ଗାଳୀ ଝିଅକୁ ବିବାହ କରିବି ବୋଲି ଜିଦ୍‌ ଧରିବି ।’

 

‘କିନ୍ତୁ ସେ ଝିଅ ଓ ତା’ର ବାପା ମା ରାଜିହେଲେ ତ ।’

 

‘ତେଣୁ ଆଜିଠୁଁ ଏ ଦିଗରେ ଚେଷ୍ଟା ଆରମ୍ଭ କରିଦେବି ।’

 

‘ସେ କେଉଁ ଭାଗ୍ୟବତୀ, ଯାହା ଉପରେ କି ଆପଣଙ୍କ ଦୃଷ୍ଟି ପଡ଼ିଛି । ମୁଁ ତାକୁ ଆଗରୁ ସତର୍କ କରିଦେବି ଯେ, ସେ ଏକ ଦୁର୍ଦ୍ଦାନ୍ତ ବିଦ୍ରୋହୀ ଫାନ୍ଦରେ ପଡ଼ୁଛି ବୋଲି ।’

 

‘ନୀଳା ଦେବୀ, ଆପଣ ବୋଧହୁଏ ଜାଣନ୍ତି ନାହିଁ ଯେ, ଜଣେ ବଙ୍ଗାଳୀ ଯୁବକ ପ୍ରଳୟଙ୍କରୀ ଝଡ଼ ପରି, ସେ ତା’ ସାମନାରେ କୌଣସି ବାଧା ରଖେଇ ଦେବନାହିଁ । ବଡ଼ ବଡ଼ ଘର ଅଟ୍ଟାଳିକା ମଧ୍ୟ ଏ ଝଡ଼ ଦାଉରେ ନିଶ୍ଚିହ୍ନ ହୋଇଯିବ ।’

 

ଏତେବେଳକୁ ଖାଦ୍ୟ ଆସି ପହଞ୍ଚିଗଲାଣି । ସମସ୍ତେ ଖାଇବାକୁ ଆରମ୍ଭ କଲେଣି । ସୁଶୀଳ ପ୍ରତି ଅମୃତ ମନର ଗୋଟିଏ ନିଭୃତ ପ୍ରଦେଶରେ ବରାବର ଏକ ସ୍ଥାନ ଥାଏ । ସେଥିପାଇଁ ତା’ର ବରାବର ଆଗ୍ରହ ଥାଏ ଜାଣିବାକୁ ଯେ, ସୁଶୀଳ କାହାକୁ ତାହାର ହୃଦୟର ରାଣୀଭାବେ ଗ୍ରହଣ କରିବ । କିନ୍ତୁ ସେ ତା’ର ମନର କଥା କେବେ ପ୍ରକାଶ କରି ନ ଥିଲା । କେବଳ କଥାଟା କେତେଦୂର ଆଗୋଉଛି ତାହା ଜାଣିବାକୁ ସେ ଆଗ୍ରହର ସହିତ ଅପେକ୍ଷା କରୁଥାଏ । ତେଣୁ ଯେତେବେଳେ ସୁଶୀଳ ତା’ର ମନର କଥା ଏପରି ଭାବରେ ପ୍ରକାଶକଲା ସେତେବେଳେ ସମସ୍ତେ ଉଦ୍‌ଗ୍ରୀବ ହୋଇ ପଡ଼ିଲେ ଜାଣିବାକୁ ଯେ, ସୁଶୀଳର ଲକ୍ଷ୍ୟ କିଏ ? ହରଭଜନ ସିଂ କହି ଉଠିଲା, ‘ମୋର ବିଶ୍ୱାସ, ସୁଶୀଳ ନୀଳାଦେବୀଙ୍କୁ ଲକ୍ଷ୍ୟକରି ଏକଥା କହୁଛି । ନୀଳାଦେବୀ ସୁଶୀଳ ଘରକୁ ଯାଇଥିଲେ, ସୁଶୀଳ ମା କିନ୍ତୁ ସୁଶୀଳ ସହିତ ନୀଳାଦେବୀଙ୍କର ବିବାହକୁ ସମର୍ଥନ କଲେନାହିଁ । ସେ ଚାହାନ୍ତି, ସୁଶୀଳ ଗୋଟିଏ ବଙ୍ଗାଳୀ ଝିଅକୁ ବିବାହ କରିବ । ବର୍ତ୍ତମାନ ସୁଶୀଳ ଅମୃତର ଉଦାହରଣରେ ଉତ୍ସାହିତ ହୋଇ ମାତାପିତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବାକୁ ଭାବୁଛି । ଏ କଥାରୁ ମୁଁ ବୁଝୁଛି ଯେ, ସୁଶୀଳ ନୀଳା ଦେବୀଙ୍କୁ ଜୀବନର ସାଥୀ କରିବାକୁ ମସୁଧା କରୁଛନ୍ତି ।

 

‘ମୋର ମଧ୍ୟ ନୀଳାଦେବୀଙ୍କ ଉପରେ ଭାରି ଦୟା । ମୁଁ ନୀଳାଦେବୀଙ୍କୁ ବିବାହ କରିବାକୁ ଏକ ପ୍ରାର୍ଥୀ । ଏ ଇଚ୍ଛା ମୋର ଆଜିର ନୁହେଁ, ବହୁ ବର୍ଷର । କିନ୍ତୁ ନୀଳାଦେବୀ ମୋର ଏ ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତାଙ୍କର ଧାରଣା, ଶିଖ୍‌ମାନେ ହିନ୍ଦୁଙ୍କୁ ଘୃଣା କରନ୍ତି ଓ ନିଜକୁ ଏକ ବଡ଼ ଜାତି ବୋଲି ଭାବନ୍ତି । ହିନ୍ଦୁଙ୍କୁ ତାଙ୍କର ଧର୍ମର ସ୍ୱତନ୍ତ୍ରତା ମଧ୍ୟ ଦେବାକୁ ଚାହାନ୍ତି ନାହିଁ । ତେଣୁ ମୁଁ ମୋର ବାଳକଟାଇ ମୁଁ ଶିଖ୍‌ ନୁହେଁ ବୋଲି ଦେଖାଇଦେବାକୁ ଚାହେଁ ।

 

‘ମୁଁ ପ୍ରଳୟଙ୍କରୀ ଝଡ଼ ହୋଇ ତ ଆଉ ଆସିନାହିଁ । ମୁଁ ଶରତ ଋତୁରେ ସୂର୍ଯ୍ୟକିରଣ ପରି ମଧୁର ଓ ସ୍ନିଗ୍‌ଧ ତାପଦ୍ୱାରା ନୀଳାଦେବୀଙ୍କର ହୃଦୟର ହିମକୁ ତରଳାଇବାକୁ ଯତ୍ନ କରୁଛି ମାତ୍ର ।’

 

ନୀଳା ଦେବୀ ନିଜ ବିଷୟରେ ତାଙ୍କର ଦୁଇସାଙ୍ଗଙ୍କର କଥାବାର୍ତ୍ତା ଶୁଣି ହସ ହସି ଗଡ଼ିଗଲେ । ସେ କହିଲେ, ‘ଯାହାହେଉ ଗୋଟାଏ କଥା ଏଥରକୁ ମୁଁ ଜାଣିଲି, ‘ମୁଣ୍ଡରୁ ବାଳ ନଣ୍ଡା ହୋଇପଡ଼ିଲେ ବୋଧହୁଏ କବିତାର ବୀଜ ତା ଦେହରେ ଗଜୁରେ । ମଧୁର, ସ୍ନିଗ୍‌ଧ, ତାପ, ହିମ ପ୍ରଭୃତି ବହୁ କବିତ୍ୱପୂର୍ଣ୍ଣ ଶବ୍ଦ ଏହି କବିତ୍ୱର ବହିପ୍ରକାଶ । ଝଡ଼ ଓ ସୂର୍ଯ୍ୟ ଏ ଦୁଇଟିର ହିଁ ଆକର୍ଷଣର କେନ୍ଦ୍ର ଏକ୍‌ ହେଲାପରି ଜଣାପଡ଼ୁଛି । ଏହି କେନ୍ଦ୍ରରେ ଦୁହେଁ ଆସି ଧକ୍‌କା ଖାଇ ନିଃଶେଷ ନହୋଇଗଲେ ରକ୍ଷା ।’

 

ସୁଶୀଳ କହିଲା, ‘ମୁଁ ପରିଷ୍କାର ଗୋଟିଏ କଥା କହିଦେବାକୁ ଚାହେଁ । ମୁଁ ହରଭଜନ ସିଂର ଆଗ୍ରହକୁ ବିରୋଧ କରିବାକୁ ଚାହେଁ ନାହିଁ ।’

 

ହରଭଜନ ଏହା ଶୁଣି ଅତ୍ୟନ୍ତ ପ୍ରସନ୍ନ ହେଲାପରି କହିଲା, ‘ତେବେ ଏକଥା କଣ ସତ ଯେ ସୁଶୀଳର ଦୃଷ୍ଟି ନୀଳା ଦେବୀଙ୍କ ଉପରେ ଆଉ ନାହିଁ । ତେବେ ତ ମୋ ରାସ୍ତା ସୁଗମ ହୋଇଗଲା ।’

 

ସୁଶୀଳ କହିଲା, ‘ହଁ ।’

 

‘ତେବେ ସେ କିଏ ?’ ନୀଳା ଦେବୀ ପଚାରିଲେ ।

 

‘ସମୟ ଅନୁସାରେ ଜଣାପଡ଼ିଯିବ । ଆଜି ଭୋଜି ଦେବାର କାରଣ ଅମୃତର ବିଦ୍ରୋହର କାରଣ ବୋଲି ଧରିନିଆଯାଉ ।’

 

ଅମୃତ କହିଲା, ‘ଯଦି ଆପଣ ଆପଣଙ୍କର ମାନସୀ କିଏ ବୋଲି କହିଦିଅନ୍ତେ ତେବେ ଆଜି ଭୋଜିଟା ବେଶ୍‌ ଜମିଯା’ନ୍ତା ।’

 

ସୁଶୀଳ କହିଲା, ‘ମୋର ଡର ଯେ ମୋର ଏ କାମରେ କେହି ପୁଣି ବାଧା ଆଣି ନ ଦିଏ-।’

 

ଅମୃତ କହିଲା, ‘ମୁଁ ଜବାବ୍‌ ଦେଉଛି, ମୁଁ ଆପଣଙ୍କର ନିନ୍ଦା କଦାପି କରିବି ନାହିଁ ।’

 

‘କିନ୍ତୁ ନୀଳା ଦେବୀ ତାଙ୍କର ମତାମତ ଦେଇ ସାରିଲେଣି । ସେ ତ ମୋର ଲକ୍ଷ୍ୟବିନ୍ଦୁକୁ ସଚେତ କରିବାକୁ କହୁଅଛନ୍ତି ।’

 

ହରଭଜନ ମିନତିଭରା କଣ୍ଠରେ କହିଲା, ‘ନୀଳା ଦେବୀ, ଏହା କରିବା ଆପଣଙ୍କର ଅନ୍ୟାୟ । ସୁଶୀଳ ମୋର ସହପାଠୀ ବନ୍ଧୁ ତଥା ମିତ୍ର ।’

 

ନୀଳା ଦେବୀ କହିଲେ, ‘ମୁଁ ତ ଏହି ମିତ୍ରତାର ପରିଚୟ କିଛି ପାଉନାହିଁ ।’

 

ସୁଶୀଳ ହସି ହସି କହିଲା, ‘ଅଙ୍ଗୁର ଫଳ ନ ପାଇଲେ ଖଟା ।’

 

‘ତେବେ ମୁଁ କଣ ଅଙ୍ଗୁର ଫଳ ନ ପାଇ ଏପରି ହେଉଛି ।’

 

‘ନହେଲେ ମୋ ନିନ୍ଦ କାହିଁକି କରନ୍ତ । ମୁଁ କଣ କଣାକୁଜା ଲେଙ୍ଗଡ଼ା ହୋଇଛି !’

 

‘ନାହିଁ, ଆପଣ କହିଲେ ବିଦ୍ରୋହ କରିବେ ନା, ମୁଁ ସେଥିପାଇଁ କହୁଛି । ଆଜି ବାପ ମା ସଙ୍ଗେ ବିଦ୍ରୋହ କଲେ, କାଲି ପତ୍ନୀ ସଙ୍ଗେ ବିଦ୍ରୋହ କରିବେ । ମୋର ବିଦ୍ରୋହ ବଦଳରେ ସତ୍ୟାଗ୍ରହରେ ଆସ୍ଥା ଅଧିକ ।’ ନୀଳାଦେବୀ କହିଲେ ।

 

ଅମୃତ କହିଲା, ‘କିନ୍ତୁ ମୁଁ ବିଦ୍ରୋହକୁ ପସନ୍ଦ କରେ ବେଶି । ମୁଁ ନିଜେ ଜଣେ ବିଦ୍ରୋହୀ ଆଉ ମୁଁ ମଧ୍ୟ ପସନ୍ଦ କରେ ବିଦ୍ରୋହୀକୁ ।’

 

ସୁଶୀଳ କହିଲା, ‘ତେବେ ତ ସବୁ ଠିକ୍‌, ମୋର ବିଦ୍ରୋହର ଶୁଭ ଏହିଠାରେ ପଡ଼ିଲା ବୋଲି ବୁଝିବାକୁ ହେବ ।’

 

ନୀଳାଦେବୀ କହିଲେ, ‘ଏବେ ବୁଝିଲି, ବିଦ୍ରୋହୀ ବିଦ୍ରୋହୀ ଭିତରେ ପଡ଼ିବ କିନ୍ତୁ ଭଲ-।’

 

ଅମୃତ ଏକଥାରେ ହସିବାରୁ ସମସ୍ତେ ହସି ଉଠିଲେ । ସୁଶୀଳ ଅତିମାତ୍ରାରେ ପ୍ରସନ୍ନ ହେଲାପରି ଦେଖାଗଲା । ସେ ତା’ର ମନର କଥା ତା’ର ମାନସୀ ଆଗରେ ପ୍ରକାଶ କରିଦେଇଥିବାରୁ ଅଧିକ ପ୍ରସନ୍ନ ହେଲା ।

Image

 

ଦ୍ୱିତୀୟ ଭାଗ

 

ପ୍ରବୋଧକୁ ବିବାହ କରି ନୀଳାଦେବୀଙ୍କ ମନରେ ବରାବର ଆସିଲା ଯେ, ସେ ଯଦି ଡାକ୍ତର ହୋଇ ତାଙ୍କର ସ୍ୱାମୀଙ୍କର ଉପାର୍ଜ୍ଜନ ଉପରେ ନିର୍ଭର କରି ବସନ୍ତି ତେବେ ସେ ଯେଉଁ ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ କଥା ପିଲାଟି ଦିନରୁ ମନେ ମନେ ଧ୍ୟାନ କରି ଆସିଛନ୍ତି ତାହାର ଆଉ ମୂଲ୍ୟ ରହିଲା କ’ଣ ? ତେଣୁ ସେ ଆପଣାର ଚିକିତ୍ସା ବ୍ୟବସାୟ ଆରମ୍ଭ କରିବା ଲାଗି ଗୋଟିଏ ଚିକିତ୍ସାଳୟ ଆରମ୍ଭ କରିବାର ଚିନ୍ତାକଲେ ।

 

ଆଉ ମଧ୍ୟ ଏହାର ଅନ୍ୟ ଗୋଟିଏ କାରଣ ଥିଲା । ପ୍ରବୋଧର କାରଖାନା ଏତେବେଳଯାଏ ମଧ୍ୟ ସ୍ୱାବଲମ୍ବୀ ହୋଇପାରିନଥାଏ । ଏ ବିଷୟରେ କଥା ପ୍ରସଙ୍ଗରେ ପ୍ରବୋଧ କହିଥିଲା, ‘ନୀଳାଦେବୀ, ମୋର ଏ କାରଖାନା ସମବାୟ ସୂତ୍ରରେ କରାଯାଉଛି । ଏଥିର ଲାଭ କେତେ ବର୍ଷ ପର୍ଯ୍ୟନ୍ତ ଏହିଥିରେ ହିଁ ବ୍ୟୟିତ ହେବ । ଯେତେବେଳେ ଦେଖାଯିବ ଯେ, କାରଖାନା ତିଆରିରେ ଲାଗିଥିବା ମୂଳଧନ ପୂରାପୂରି ତାହାରି ଲାଭରୁ ମିଳିଗଲାଣି, ସେତେବେଳେ ମୁଁ ଲାଭାଂଶରୁ କିଛି ଘରଖର୍ଚ୍ଚ ବା ନିଜଖର୍ଚ୍ଚ ପାଇଁ ନେଇପାରେ ।’

 

ଏହା ଶୁଣି ନୀଳାଦେବୀ କହିଥିଲେ, ‘ଯେବେ ତୁମେ ଏପରି କରିବାକୁ ଚାହୁଁଛ ତେବେ ବାପାଙ୍କଠାରୁ କାରଖାନାପାଇଁ ଆଣିଥିବା ମୂଳଧନ ଅତି ଶୀଘ୍ର ପରିଶୋଧ କରିଦିଅ । ଏଥିପାଇଁ ମୁଁ ତୁମକୁ ପୂର୍ଣ୍ଣ ସହାୟତା କରିବି । ମୁଁ ଡାକ୍ତରଖାନା ଖୋଲି ଘର ଚଳିବାର ଯାବତୀୟ ଖର୍ଚ୍ଚ ସେହିଥିରୁ ତୁଲେଇବି, ‘ସେଥିପାଇଁ ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ ।’

Unknown

 

ନୀଳାର ବିବାହ ସମୟରେ ତାଙ୍କର ବାପା ପ୍ରାୟ ଦଶହଜାର ଟଙ୍କାର ଧନସମ୍ପତ୍ତି ନୀଳାକୁ ଯୌତୁକରୂପେ ଦେଇଥିଲେ । ସେଥିରେ ନଗଦ ଦୁଇହଜାର ଟଙ୍କା ଥିଲା । ନୀଳା ତାକୁ ତା’ର ଚିକିତ୍ସାଳୟ ସ୍ଥାପନ କରିବାରେ ଖଟାଇବବୋଲି ଚିନ୍ତାକଲା । ବିବାହ ପରେ ପ୍ରବୋଧ ଓ ନୀଳା ସହରଠାରୁ ଟିକିଏ ଦୂରଜାଗାରେ ଗୋଟିଏ ଛୋଟ ଅଥଚ ସୁନ୍ଦର ବଙ୍ଗଳା ଭଡ଼ା ନେଇ ସେଠାରେ ରହୁଥିଲେ । ଏପରି ପୃଥକ ରହିବା କଥାଟାକୁ ପ୍ରବୋଧର ମା ପସନ୍ଦ କରୁନଥିଲେ ମଧ୍ୟ ତାଙ୍କର ପିତା ପ୍ରଭୁଦୟାଲ ଏ କାର୍ଯ୍ୟକୁ ପସନ୍ଦ କରିଥିଲେ । ତାଙ୍କର ମନଟା ସବୁବେଳେ ପାଶ୍ଚାତ୍ୟଭାବାପନ୍ନ ଥାଏ । ବିବାହ ପରେ ପୁତ୍ର ତାହାର ପୃଥକସଂସାର କରୁ ଏହା ତାଙ୍କର ମତ ଥିଲା । ତେଣୁ ସେଥିରେ କେହି ବାଧା ଦେଇନଥିଲେ । ସହରଠାରୁ ଦୂରରେ ଥିବାରୁ ଏଠାରେ ଚିକିତ୍ସା ବ୍ୟବସାୟ ସେପରି ସୁବିଧା ଜନକ ହେବନାହିଁ ଭାବି ନୀଳାଦେବୀ ସହର ମଝିରେ ବ୍ୟବସାୟୀ ଅଞ୍ଚଳରେ ନିଜର ଚିକିତ୍ସାଳୟ ସ୍ଥାପନପାଇଁ ଗୋଟିଏ ଘର ଖୋଜିବାକୁ ଲାଗିଲେ । ଶିଶୁ ଓ ସ୍ତ୍ରୀ ରୋଗର ଚିକିତ୍ସାପାଇଁ ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠଯୁକ୍ତ ଚିକିତ୍ସାଳୟ ଖୋଲିବାର ସଂକଳ୍ପ ଥାଏ ନୀଳାଦେବୀଙ୍କର । ସେଥିପାଇଁ ଦୀର୍ଘ ଚାରିଦିନ ଧରି ସେ ସହରର ବହୁଅଞ୍ଚଳ ବୁଲି ଦେଖିଲେ ।

 

ହରଭଜନ ସହରର ଗୋଟିଏ ଗହଳିସ୍ଥାନରେ ଚିକିତ୍ସାଳୟ ଖୋଲିଥାଏ, ନୀଳାଦେବୀ ସେ କଥା ଜାଣିଥାନ୍ତି । ସେ ମଧ୍ୟ ସେ ଅଞ୍ଚଳରେ ଖୁବ୍‌ ଖୋଜା ଖୋଜି କଲେଣି ଗୋଟିଏ ଘର ପାଇଁ-। ହରଭଜନ ସହିତ ଭାଗାଭାଗୀ କରି ଦୋକାନ କରିବା କଥା ତାଙ୍କ ମନକୁ ଥରେ ଅଧେ ଆସିଛି ସତ, କିନ୍ତୁ ସେପରି ଭାଗାଭାଗୀରେ ଚିକିତ୍ସା ବ୍ୟବସାୟକରିବା କଥାଟାକୁ ସେ କାହିଁକି ମୋଟେ ପସନ୍ଦ କରିପାରୁନଥିଲେ । କିନ୍ତୁ ବହୁ ଖୋଜାଖୋଜି ପରେ ଯେତେବେଳେ ନିରୁପାୟ ହେଲେ ସେତେବେଳେ ଅଗତ୍ୟା ହରଭଜନ ସିଂର ଦ୍ୱାରସ୍ଥ ହେଲେ ।

 

ହରଭଜନ ଗୋଟାଏ ବଡ଼ ଘର ଯୋଗାଡ଼ କରିଥାଏ । ଘରର ଗୋଟାଏ ଅଂଶରେ ହରଭଜନର ବସିବାର ପ୍ରକୋଷ୍ଠ, ଅନ୍ୟ ଏକ ଅଂଶରେ ତାହାର ଅପରେସନ କରିବାର ପ୍ରକୋଷ୍ଠ । ତଥାପି ବହୁଜାଗା ଖାଲି ପଡ଼ିଥାଏ ।

 

ନୀଳାଦେବୀ ହରଭଜନର ଦୋକାନ ଭିତରକୁ ପଶିଲା ବେଳକୁ ହରଭଜନ କାହା ସାଙ୍ଗରେ କଥାବାର୍ତ୍ତାରେ ବ୍ୟସ୍ତଥିଲା । ନୀଳା ତାକୁ କିଛି ନକହି ଚାରିଆଡ଼େ ବୁଲି ଦୋକାନର ସାଜସଜ୍ଜା ଦେଖିବାରେ ଲାଗିପଡ଼ିଲା ।ହରଭଜନ କଥାବାର୍ତ୍ତା ସାରି ନୀଳାଦେବୀଙ୍କୁ ତା’ ଦୋକାନରେ ଦେଖି ତାଙ୍କୁ ସ୍ୱାଗତ କଲା । କହିଲା, ‘ମୋର ପରମ ସୌଭାଗ୍ୟ, ଆଜି ଡାକ୍ତର ଆନନ୍ଦରେ ନୀଳାଙ୍କର ପାଦ ମୋ ଦୋକାନରେ ପଡ଼ିଲା ।’

 

ନୀଳାଦେବୀ କହିଲେ, ‘ମୁଁ ଗୋଟାଏ ଚିକିତ୍ସାଳୟ କରିବି ବୋଲି ଜାଗା ଖୋଜୁ ଖୋଜୁ ଆସି ଦେଖେ ତ ଆପଣ ଏଠାରେ ଗୋଟିଏ ଚିକିତ୍ସାଳୟ ଖୋଲିଛନ୍ତି । କାଳେ ଚିହ୍ନିବେ ବୋଲି ଭାବି ଭିତରକୁ ପଶି ଆସିଲି ।’

 

ହରଭଜନ ନୀଳାର ଗୋଡ଼ଠାରୁ ମୁଣ୍ଡଯାଏ ଭଲ କରି ଦେଖିନେଇ କହିଲା, ‘କାହିଁ, ନ ଚିହ୍ନିବାପରିତ କୌଣସି ପରିବର୍ତ୍ତନ ଆପଣଙ୍କର ହୋଇଛି ବୋଲି ମନେ ହେଉନାହିଁ ।’

 

‘କିଛି ପରିବର୍ତ୍ତନ ଓ ନିଶ୍ଚୟ ହୋଇଛି । ଯଦି ଆପଣଙ୍କର ସୂକ୍ଷ୍ମ ଦୃଷ୍ଟି ତାକୁ ଠଉରେଇ ପାରିଲାନାହିଁ, ତେବେ ହେଲା । ବର୍ତ୍ତମାନ କହନ୍ତୁ କାମଧନ୍ଦା କିପରି ଚାଲୁଛି ।’

 

‘ଛୋଟ ଛୋଟ ଅପରେସନ କେଶ୍‌ ବରାବର ଆସୁଛି ତିନିମାସ ଭିତରେ ଗୋଟାଏ ବଡ଼ ଅପରେସନ୍‌ କେସ୍‍ ଆସିଥିଲା ଯେ, ଦୁର୍ଭାଗ୍ୟକୁ ତାର ‘ରାମନାମ ସତ୍ୟ ହେ’ ହୋଇଗଲା ।’

 

‘ଆହା, କି କେସ୍‌ ଥିଲା ସେଇଟା ।’

 

‘ଗାଲ୍‌ ଷ୍ଟୋନ ବାହାର କରୁ କରୁ ଏ ଅବସ୍ଥା ହେଲା ।’

 

‘ତେବେ ବର୍ତ୍ତମାନ ରୋଜଗାର କିପରି ହେଉଛି ?’

 

‘ଯେତେବେଳେ ପଢ଼ୁଥିଲି, ସେତେବେଳେ ସ୍ୱପ୍ନ ଦେଖୁଥିଲି ଅପରେସନ ପରେ ଅପରେସନ କରି ସୁନାମ କରିବି । କିନ୍ତୁ ବର୍ତ୍ତମାନ ଦେଖୁଛି ତିନିମାସ ଭିତରେ ଗୋଟାର ବଡ଼ ଅପରେସନ କେଶ୍‌ ମିଳିଥିଲା ଯେ ତାହାର ମଧ୍ୟ ପରିଣତି ଏଇୟା ହେଲା ।’

 

‘ସେତେବେଳେ ଭାବୁଥିଲି ମାସକୁ ଦୁଇହଜାର ତିନିହଜାର ରୋଜଗାର କରିବା ଅତି ସାଧାରଣ କଥା ହେବ, କିନ୍ତୁ ବର୍ତ୍ତମାନ ମାସକୁ ତିନିଚାରିଶ ଟଙ୍କା ପାଇବା ଦୁରୁହ ମନେହେଲାଣି । ଏତକ ଦୋକାନ ଭଡ଼ା ଖର୍ଚ୍ଚକୁ ନିଅଣ୍ଟ ।’

 

ନୀଳାଦେବୀ କହିଲେ, ‘ବ୍ୟସ୍ତ ହେବାର କାରଣ ନାହିଁ । ବର୍ତ୍ତମାନ ଆରମ୍ଭ ମାତ୍ର ହୋଇଛି, ତାହା ସତ୍ତ୍ୱେ ମାସକୁ ଯଦି ତିନିଶ ଚାରିଶ ପର୍ଯ୍ୟନ୍ତ ଧକ୍‌କା ଖାଇଲାଣି ତେବେ ମନ୍ଦ କଅଣ ?’

 

‘ମୋର କିନ୍ତୁ ଭୟ ଅନ୍ୟପ୍ରକାର । ଯଦି ବର୍ଷେ ଦୁଇବର୍ଷ ଯାଏ କୌଣସି ବଡ଼ ଅପରେସନ ନଆସେ ତେବେ ତ ଗଲା ! ତେଣିକି ଛୁରୀ ଧରିବାକୁ ଡର ମାଡ଼ିବ !’

‘ହଁ, ପୁଣି ଯେତେବେଳେ ଗୋଟାକ ପରେ ଗୋଟାଏ ଅପରେସନ କେସ୍‌ ଆସି ପହଞ୍ଚିବ ସେତେବେଳେ ଡର ଛାଡ଼ିଯିବ ବଳେବଳେ ।’

‘ନୀଳାଦେବୀ, ଦେଖୁଛି ଆପଣ ଭାରି ଆଶାବାଦୀ । କାମ ଆରମ୍ଭ କଲେ ଆପଣ ମଧ୍ୟ ଜାଣିବେ ।’

‘କାମ ତ କରିବାକୁ ହେବ, ଯାହାହେଉ ପଛେ ।’

ତା’ ପରେ ହରଭଜନ ସିଂ ନୀଳାଦେବୀଙ୍କୁ ଚାରିଆଡ଼ ବୁଲେଇ ଅପରେସନ ହାତହତିଆର, ଜିନିଷପତ୍ର, ଚୌକି ଟେବୁଲ ଦେଖାଇଲା । କହିଲା, ‘ଏ ସବୁ ଜିନିଷପତ୍ର କିଣାକିଣିରେ ମୁଁ ପାଞ୍ଚହଜାର ଟଙ୍କା ଖର୍ଚ୍ଚ କଲିଣି । ଆହୁରି ଦଶହଜାର ଲାଗିବ ଭାବୁଛି । ମୁଁ ଏହା ସାଙ୍ଗେସାଙ୍ଗେ ଗୋଟିଏ ମଳମୂତ୍ର ପରୀକ୍ଷାଗାର ଓ ଗୋଟିଏ ଏକସ୍‌ରେ’ର ବ୍ୟବସ୍ଥା କରିବି ବୋଲି ମନେମନେ ଭାବୁଛି ।’

‘ବାପାଙ୍କଠାରୁ ମାଗି ନେବେ ! ଆପଣଙ୍କର ପୁଣି ଅଭାବ କଣ ?’

‘ମୁଁ ଯେତେଦିନୁ ମୁଣ୍ଡବାଳ କଟେଇ ପକେଇଲିଣି, ବାପା ମୋତେ ଘରୁ ବାହାରକରିଦେଇଛନ୍ତି ଏକରକମ୍‍ । କଥାବାର୍ତ୍ତା କରୁନାହାନ୍ତି ମୋ ସାଙ୍ଗେ, ଘରେ ଅବଶ୍ୟ ରହୁଛି, କିନ୍ତୁ ସପ୍ତାହକରେ ଥରେ ତାଙ୍କ ଦର୍ଶନପାଇବା କଷ୍ଟ ।’

‘ବଡ଼ ଆଶ୍ଚର୍ଯ୍ୟ କଥା । ତେବେ ଏ ଯେଉଁ ଟଙ୍କା ଖଟେଇଛନ୍ତି ତାକୁ ଆଣିଲେ କେଉଁଠୁ-?’

‘ମାମୁଁଙ୍କଠାରୁ ପାଞ୍ଚହଜାର ଧାର ଆଣିଥିଲି । ସେ ସବୁ ତ ଖରଚ ହୋଇଗଲାଣି । ତେଣୁ ମୁଁ କିପରି ଶୀଘ୍ର ଏ ଧାରା ଶୁଝିବି ସେ ଚିନ୍ତା କରୁଛି । ବୀମା କମ୍ପାନୀରୁ ହେଲେ କିଛି ପାଇବି ବୋଲି ଆଶାକରିଥିଲି ଯେ, ସରକାରଙ୍କ ହାତକୁ କମ୍ପାନୀମାନଙ୍କର ପରିଚାଳନାଭାର ଚାଲିଗଲାଦିନଠାରୁ ସେ ଆଶା ମଧ୍ୟ ଯାଇଛି ।’

 

(୨)

 

ନୀଳାଦେବୀ ହରଭଜନର ଅବସ୍ଥା ଦେଖି ନିଜକୁ ମନେମନେ ଭାଗ୍ୟବତୀ ବୋଲି ମନେକରୁଥାନ୍ତି । ଭାଗ୍ୟେ ହରଭଜନକୁ ବିବାହ କରିନାହାନ୍ତି । ପ୍ରବୋଧର ଆଉ ଯାହା ଦୋଷ ଥାଉ ପଛେ ନୀଳାକୁ ସେ କେବେ ଚିକିତ୍ସା କାର୍ଯ୍ୟ କରିବାକୁ ବାଧ୍ୟ କରୁନଥଲା । ପୁଣି ପ୍ରବୋଧର ପିତା ନିଜପୁତ୍ରକୁ ନିଜ ଗୋଡ଼ରେ ଠିଆ ହେବାକୁ ସବୁପ୍ରକାର ସହାୟତା କରୁଥିଲେ ।

 

ଏ ସବୁ କଥା ଭାବି ନୀଳାଦେବୀ ଟିକିଏ ତୁନି ପଡ଼ିବାରୁ ହରଭଜନ ସିଂ କହିଲା, ‘ଆପଣଙ୍କ ଡାକ୍ତରଖାନାପାଇଁ ଜାଗା ମିଳିଲା କି ନାହିଁ ?’

 

‘ନାହିଁ, ମିଳିନାହିଁ ।’

 

‘ଆପଣଙ୍କର କେତେ ଜାଗା ଦରକାର ?’

 

‘ବେଶି ନୁହେଁ । କୋଡ଼ିଏ ବର୍ଗଗଜ ଜାଗା ହେଲେ ଚଳିଯିବ ।’

 

‘ମୋ ଦୋକାନରୁ ଅଧେ ହେଲେ ଆପଣଙ୍କର ଚଳିଯିବ ?’

 

‘ଆପଣ କଣ ମୋତେ ଦେବେ ?’

 

‘କାହିଁକି ନ ଦେବି, ଅଧେ ଭଡ଼ା ଆପଣ ଦେଲେ ନିଶ୍ଚୟ ଦେଇ ଦେବି ।’

 

‘ତେବେ କେତେ ଦେବାକୁ ପଡ଼ିବ ?

 

‘ପୂରା ଦୋକାନର ଭଡ଼ା ଦେଢ଼ଶ । ଆପଣ ପଞ୍ଚସ୍ତରୀ ଟଙ୍କା ଦେବେ । ଦୋକାନ ସଫାସୁତୁରା କରିବାକୁ ଜଣେ ଚାକର ଅଛି । ତା’ ଦରମାରୁ ଅଧେ ଦେଲେ ସେ ଦୁଇଜଣଙ୍କର କାମ କରିପାରିବ । ଆଉ ପାଣି ଆଲୁଅ ଖର୍ଚ୍ଚ ରୁ ଆପଣଙ୍କର ଅଧେ ଓ ମୋର ଅଧେ । ଏମିତି ମୋଟ ଶହେ ପାଞ୍ଚପା ଟଙ୍କାରେ ସବୁ ଚଳିଯିବ ।’

 

‘ମୁଁ ତ ରାଜି, ଆପଣ ବିଚାର କରି ଜବାବ୍‌ ଦିଅନ୍ତୁ ।’

 

‘ତେବେ ଆପଣ ଭଡ଼ା କିଛି ଆଗତୁରା ଦେଇ କାଲିଠାରୁ ଆପଣଙ୍କର ଜିନିଷପତ୍ର ସଜେଇବାର ବ୍ୟବସ୍ଥା କରନ୍ତୁ ।’

 

‘ହରଭଜନ ସିଂ ! ଆପଣଙ୍କୁ ଅଶେଷ ଧନ୍ୟବାଦ । ମୁଁ ଭାବିଥିଲି ଆପଣ ରାଜି ହେବେନାହିଁ । କେତେଥର ଏବାଟେ ଯାଇଛି । ଆପଣଙ୍କୁ ଏ କଥା କହିବି କହିବି ହୋଇ କହିପାରେନାହିଁ । ସାହସ ହୁଏ ନାହିଁ ।’

 

‘ଏଥିରେ ସନ୍ଦେହ ବା ସଙ୍କୋଚର ପ୍ରଶ୍ନ ନଥିଲା । ମୁଁ ଆଜି କାହିଁକି ଛଅମାସ ଆଗରୁ ମଧ୍ୟ ଏ ପ୍ରସ୍ତାବ ଆପଣଙ୍କୁ ଦେଇଥିଲି ।’

 

‘ସେତେବେଳେ ଆପଣ ମୋତେ ବିବାହ କରିବେ ବୋଲି ଇଚ୍ଛା କରୁଥିଲେ । ବର୍ତ୍ତମାନ ତ ମୋର ବିବାହ ପ୍ରବୋଧବାବୁଙ୍କ ସଙ୍ଗେ ହୋଇସାରିଲାଣି ।’

 

‘ନୀଳା ! ଗୋଟାଏ କଥା ପଚାରିବି । କିଛି ଭାବିବନାହିଁ ତ ?’

 

‘ଭାବିବି କାହିଁକି ? କଣ ପଚାରିବେ ପଚାରନ୍ତୁ ?’

 

‘ଆପଣ ଆପଣଙ୍କ ବିବାହିତ ଜୀବନରେ ସନ୍ତୁଷ୍ଟ ତ ?’

 

‘ଅସନ୍ତୋଷ ହେବା ତ କୌଣସି କାରଣ ଦେଖୁନାହିଁ । ଆପଣ ଏ ପ୍ରଶ୍ନ କାହିଁକି ପଚାରୁଛନ୍ତି ?’

 

‘ଗଲା ଦୁଇମାସ ହେବ ମୁଁ ବରାବର ପ୍ରବୋଧବାବୁଙ୍କୁ ଦେଖୁଛି । ତାଙ୍କର ହାବଭାବରୁ ଦେଖୁଛି ଯେପରି ସେ ବିବାହିତ ଜୀବନରେ ସନ୍ତୁଷ୍ଟ ନୁହନ୍ତି । ଆପଣଙ୍କଠାରୁ ନୀଚସ୍ତରର ଲୋକମାନଙ୍କ ସହିତ ତାଙ୍କର ମିଳାମିଶା ଟିକିଏ ବେଶି ଥିବାପରି ମନେହେଉଛି ।’

 

‘ମୋତେ ଏପରି କୌଣସି କଥା ଜଣାନାହିଁ ଯହିଁରୁ ତାଙ୍କର ବ୍ୟବହାରରେ ମୁଁ ସନ୍ଦେହ କରିବି । ମୋର ନିଜ ଜୀବନଯାପନ-ଧାରାରେ ମୁଁ ସ୍ୱାଧୀନ । କିନ୍ତୁ ପାରିବାରିକ ଜୀବନରେ ଆମେ କେବେହେଲେ ପରସ୍ପର ବିରୋଧୀ କୌଣସି କାର୍ଯ୍ୟ କରୁନାହିଁ ।’

 

ଏକଥା ଶୁଣି ହରଭଜନ ସିଂ କିଛି ସମୟ ଚୁପ୍‌ ହୋଇଗଲା । ସେ ଏପରି ଅବାନ୍ତର ପ୍ରଶ୍ନ ନୀଳାଦେବୀଙ୍କୁ ପଚାରିଥିବାରୁ କ୍ଷମାମାଗିଲା । ନୀଳା ଦେବୀ କିନ୍ତୁ କହିଲେ, ‘କ୍ଷମା ମାଗିବାର ଆବଶ୍ୟକତା ନାହିଁ । ଆପଣଙ୍କ ପ୍ରଶ୍ନ ମୋତେ ଖରାପ ଲାଗିନାହିଁ । ମୁଁ ବୁଝୁଛି ଆପଣ ମୋ’ର ହିତପାଇଁ ଏ ପ୍ରଶ୍ନ ପଚାରିଥିଲେ ।’

 

ହରଭଜନ ସିଂ ଘରର ଛାତ ଆଡ଼କୁ ମୁହଁକରି କହିବାକୁ ଲାଗିଲା, ‘ନୀଳାଦେବୀ, ଗୋଟାଏ ମଜ୍ଜା କଥା କହୁଛି ଶୁଣନ୍ତୁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବାୟୋଲଜି ପ୍ରଫେସର ନିରଞ୍ଜନ ସିଂ-। ତାଙ୍କର ପତ୍ନୀ ଓ କନ୍ୟା ବିବାହ ଉଦ୍ଦେଶ୍ୟରେ ମୋତେ ଦେଖିବାପାଇଁ ଆସନ୍ତି । ଦୁହେଁ ମୋତେ ଦେଖି ପସନ୍ଦକରି ଚାଲିଗଲେ, କିନ୍ତୁ ପ୍ରଫେସାରସାହେବ ମୁଁ ବାଳଦାଢ଼ି କାଟି ପକେଇଛି ବୋଲି ଏ ବିବାହରେ ମତ ଦେଲେନାହିଁ । ତାଙ୍କ ପାଖରୁ ଚିଠି ଆସିଲା ଯେ, ମୁଁ କୌଣସି ହିନ୍ଦୁଝିଅକୁ ବିବାହ କରିବି ବୋଲି ବାଳଦାଢ଼ି କଟେଇପକେଇଛି । ସେ ହିନ୍ଦୁଝିଅ ମୋତେ ବିବାହ ନକରି ଅନ୍ୟତ୍ର ବିବାହ କରିଯାଇଛନ୍ତି । ତେଣୁ ମୁଁ ପୁଣି ବାଳଦାଢ଼ି ରଖିନେଲେ ସେ ତାଙ୍କ କନ୍ୟାରତ୍ନଟିକୁ ମୋ ହାତରେ ସମର୍ପି ଦେବେ, ନଚେତ୍‌ ନାହିଁ ।’

 

‘ମୁଁ ଏହାର ଉତ୍ତରରେ ଲେଖିଲି, ଏହା ସତ ଯେ ମୁଁ ଗୋଟିଏ ହିନ୍ଦୁଝିଅର କଥା ମୁତାବକ ବାଳଦାଢ଼ି କଟେଇ ପକେଇଥିଲି । ସେ କହିଥିଲେ ଏ ବାଳଦାଢ଼ି ନିର୍ବୋଧତାର ପରିଚାୟକ । ସେ ତ ଅନ୍ୟତ୍ର ବିବାହ କଲେ । ମୁଁ କିନ୍ତୁ ଥରେ ବାଳକଟେଇପକେଇ ଯେଉଁ ଆନନ୍ଦ ପାଇଛି ତାକୁ ଛାଡ଼ି ପୁଣି ବାଳରଖିବାକୁ ସମ୍ମତନୁହେଁ । ସେ ଯେଉଁ ହିନ୍ଦୁ ଝିଅଙ୍କ କଥାରେ ମୁଁ ବାଳଦାଢ଼ି କାଟିଥିଲି ସେ ବୁଝିଥିଲେ ଯେ, ବିବାହ ଅର୍ଥ ଏକ ପରିବାରରୁ ଯାଇ ଅନ୍ୟ ପରିବାରଭୁକ୍ତ ହେବା । ସେଇଥିପାଇଁ ମୋତେ ଛାଡ଼ି ଯେତେବେଳେ ଆମ ପରିବାରର ଅନ୍ୟମାନଙ୍କଠାରେ ନିବୋଧତାର ପ୍ରତୀକ ରୂପେ ବାଳଦାଢ଼ି ରହୁଛି, ସେ ପରିଷ୍କାର ଏପରି ପରିବାରଭୁକ୍ତ ହେବେ ନାହିଁ ବୋଲି ମନାକରିଦେଲେ ।’

 

‘ଏ ଚିଠିର ମଧ୍ୟ ଉତ୍ତର ପାଇଛି । ସେଥିରେ ପ୍ରଫେସର ସାହେବ ଲେଖିଛନ୍ତି ଯେ, ତାଙ୍କର କନ୍ୟା କେଶଧାରୀଛଡ଼ା ଅନ୍ୟକୁ ବିବାହ କରିବାକୁ ଚାହାନ୍ତିନାହିଁ ।’

 

‘ଏ ଚିଠିର ଫଳସ୍ୱରୂପ ମୋର ପିତାମାତା ଆହୁରି ରୁଷ୍ଟ ହେଲେ, କାରଣ ସେମାନେ ଏ ବିବାହରେ ପଚାଶ ହଜାର ଟଙ୍କା ନଗଦ ପାଇବେ ବୋଲି ଆଶାପୋଷଣ କରିଥିଲେ ।’

 

ନୀଳାଦେବୀ କହିଲେ, ‘ଏଥିରେ ଆଉ ବିଚିତ୍ର କ’ଣ ଅଛି । ଆପଣ ଆଉ ତ ଶିଖ୍ ସମ୍ପ୍ରଦାୟରେ ବିବାହ କରୁନାହାନ୍ତି କି କରିବାର ଆଶା ମଧ୍ୟ ରଖି ନାହାନ୍ତି ।’

 

‘ଆଶା ନାହିଁ କି ଇଚ୍ଛା ନାହିଁ । ସେ ତ ଆପେ ମୋତେ ଦେଖିବାକୁ ଆସିଲେ । ଆସି ଏପରି ଭାବପ୍ରକାଶ କଲେ ଯେ ଯେପରି ମୋ ପ୍ରତି ଦୟା ପ୍ରଦର୍ଶନକରି ସେ ତାଙ୍କ କନ୍ୟାକୁ ମୋ ହାତରେ ଦେବେ ବୋଲି ଭାବୁଛନ୍ତି । ସେସବୁକଥା ବର୍ତ୍ତମାନ ଥାଉ । ଆଉ ଗୋଟାଏ ମଜ୍ଜାକଥା ଶୁଣନ୍ତୁ । ମୁଁ ଦିଲ୍ଲୀରୁ ଗୋଟିଏ ଝିଅଠାରୁ ଚିଠି ପାଇଛି ଯେ, ସେ ମୋତେ ବିବାହ କରିବାକୁ ଇଚ୍ଛୁକ-। ପ୍ରଫେସର ନିରଞ୍ଜନ ସିଂଙ୍କ ଝିଅ ନାଁ ଯାହା, ଏ ଝିଅ ନାଁ ମଧ୍ୟ ସେଇଆ ।’

 

‘ସେ ଚିଠିରେ କ’ଣ ଆପଣଙ୍କ ଠିକଣା ଲେଖାଅଛି ?’

 

‘ହଁ ଅଛି । କିନ୍ତୁ ସେଥିରେ ତା’ ଠିକଣା ନାହିଁ । ମନେ ହେଉଛି ସେ ଯେପରି ତା’ର ଜଣେ ସାଙ୍ଗୀ ଠିକଣାରେ ଉତ୍ତର ଚାହୁଁଛି ।’

 

‘ତେବେ ଗୋଟାଏ କଥା କରନ୍ତୁ । ଆପଣ ତାକୁ ଲେଖନ୍ତୁ, ସେ ତା’ର ଫଟୋ ପଠାଉ ।’

 

‘ସେ କଥା ମୁଁ ଲେଖିଛି । ଆହୁରି ଲେଖିଛି ଯେ, ଗୋଟିଏ ଶିଖ୍‍ ପରିବାରରେ ଜନ୍ମନେଇ ମୋ ନାଁ ହରଭଜନ ସିଂ ହେଲେ ମଧ୍ୟ ମୁଁ ଶିଖ୍‌ ନୁହେଁ ।’

 

‘ଉତ୍ତର କେବେ ପାଇବେ ବୋଲି ଆଶାକରନ୍ତି ?’

 

‘ଦେଖେ, କେବେ ଆସୁଛି ।’

 

‘ତାହା ହେଲେ ଠିକ୍‌ ଅଛି । ଏହାକୁ ବର୍ତ୍ତମାନ ମଜାରେ ଉଡ଼େଇ ଦେବାର କାରଣ ନାହିଁ-

 

‘ନାହିଁ ସେକଥା ନୁହେଁ ଯେ, କୌଣସି ହିନ୍ଦୁ ଯେ, ମୋତେ ବିବାହ ଦେବାକୁ ନାରାଜ । ସେମାନେ ଭାବୁଛନ୍ତି ମୁଁ ବର୍ତ୍ତମାନ ହିନ୍ଦୁଭାବେ ବିବାହକରି ପରେ ବାଳଦାଢ଼ି ରଖି ଶିଖ୍‌ ହୋଇଯିବି । ଏଣେ ବାଳଦାଢ଼ି କାଟିଦେଇଛିବୋଲି ଶିଖ୍‌ ମାନେ ମୋତେ ଆଉ ସଂସ୍ଥାରେ ନେବାକୁ ନାରାଜ ।’

 

‘ହିନ୍ଦୁ ପୁଣି କିଏ ଏପରି ସନ୍ଦେହ କରୁଛି ?’

 

‘ଏହା ଜାଣି ଆପଣଙ୍କର ଲାଭ କ’ଣ ?’

 

‘ଜାଣିଲେ କ୍ଷତି କେଉଁଠି ?’

 

‘ଆପଣ ନିଜେତ ଏହା ବୁଝିଥିଲେ ।’

 

‘ନାହିଁ, ଆପଣଙ୍କ ସତ୍ୟତା ଉପରେ ମୋର ସନ୍ଦେହ ନଥିଲା, କିନ୍ତୁ ଆପଣଙ୍କଠାରୁ ପ୍ରବୋଧବାବୁ ମୋର ଅଧିକ ପ୍ରିୟ ଥିଲେ ।’

 

‘ତେବେ ଆପଣ କାହିଁକି ମୋତେ ବରାବର କହୁଥିଲେ, ଶିଖ୍‍ମାନେ ବଡ଼ ରକ୍ଷଣଶୀଳ ଓ ସେ ଧର୍ମରୁ ବାହାରି ଆସିବାକୁ ମଧ୍ୟ ବେଳେବେଳେ କହୁଥିଲେ ।’

 

‘ଯଦି କେବେ ଏପରି କହିଥାଏ ତେବେ ତାହା ମାନବିକତା ଦୃଷ୍ଟିରୁ । ବିବାହକରିବା ନ କରିବା ସହିତ ଏହାର କୌଣସି ସମ୍ବନ୍ଧ ନଥିଲା ।’

 

‘କିନ୍ତୁ କମ୍ୟୁନିଜମ୍‌ କଣ ଗୋଟିଏ ପକ୍ଷପାତପୂର୍ଣ୍ଣ ମତ ନୁହେଁ ?’

 

‘ହଁ ହୋଇପାରେ । କିନ୍ତୁ ପ୍ରବୋଧବାବୁ ମୋତେ ନିର୍ଭର ଜବାବ ଦେଇଛନ୍ତି ଯେ, ମୋର ବିଚାରଧାରାଉପରେ ସେ ହସ୍ତକ୍ଷେପ କରିବେ ନାହିଁ । ମୁଁ ମୋର ସ୍ୱତନ୍ତ୍ରତା ନେଇ ରହିବି । ଆହୁରି ମଧ୍ୟ ପ୍ରବୋଧବାବୁଙ୍କ ପିତାମାତାଙ୍କ ସହିତ ମୋର ଯେତିକି ମିଶିବାର ସୁଯୋଗ ମିଳିଛି ସେଥିରୁ ମୁଁ ପରିଷ୍କାର ବୁଝିପାରିଛି ଯେ, ସେମାନେ ହିନ୍ଦୁ ହେଲେ ମଧ୍ୟ ରକ୍ଷଣଶୀଳ ନୁହନ୍ତି ।’

 

‘ହଁ କିନ୍ତୁ ପ୍ରବୋଧ ତାଙ୍କର ଜବାବ୍‌ ଠିକ୍‌ ରଖିବେତ ?’

 

‘କାହିଁକ ନ ରଖିବେ ?’

 

‘ରଖିବେ ନାହିଁ, କାରଣ ସେ ଜଣେ କମ୍ୟୁନିଷ୍ଟ । ତାଙ୍କର ବିଚାରରେ କାର୍ଯ୍ୟସିଦ୍ଧିହିଁ ମୂଳ, ସାଧନାର ମାର୍ଗ ଗୌଣ ।’

 

‘ପ୍ରବୋଧବାବୁ ସେପରି ନୁହନ୍ତି ।

 

ତା’ ପରଦିନ ନୀଳାଦେବୀ ଦୁଇଶହଟଙ୍କା ଆଣି ହରଭଜନ ହାତରେ ଦେଇ ସେ ଘରେ ତାଙ୍କର ଜିନିଷପତ୍ର ସଜେଇବାରେ ଲାଗିପଡ଼ିଲେ । ପନ୍ଦରଦିନ ଭିତରେ ନୀଳାର ଚିକିତ୍ସାଳୟ ହରଭଜନ ସିଂ ଚିକିତ୍ସାଳୟକୁ ଲାଗି ମୁଣ୍ଡଟେକି ଉଠିଲା । ସ୍ତ୍ରୀ ଲୋକ ଓ ପିଲାମାନେ ନୀଳା ପାଖକୁ ଚିକିତ୍ସା ପାଇଁ ଆସିଲେ । ସେ ଅପରେସନ୍‌ କେସ୍‌ ଗୁଡ଼ିକୁ ହରଭଜନକୁ ଦେଇଦିଏ । ଏହିପରି ଦିନ ଗଡ଼ିଯିବାକୁ ଲାଗିଲା । ନୀଳାର କାମ ଚାଲିଥାଏ । ତା’ ସାଙ୍ଗେ ସାଙ୍ଗେ ମଧ୍ୟ ହରଭଜନର ଉନ୍ନତି ହେବାକୁ ଲାଗିଥାଏ ।

 

ସୁଶୀଳକୁ ସହରତଳିଅଞ୍ଚଳର ବଳରାମପୁରରେ ଡାକ୍ତରୀ ଚାକିରୀ ଖଣ୍ଡେ ମିଳିଥାଏ । ସେ ପ୍ରତିଦିନ ଏ ଦୁହିଁଙ୍କ ସାଙ୍ଗେ ଆସି ବସାଉଠା କରେ । ଅମୃତ ସାଙ୍ଗରେ ପ୍ରାୟ ସେଠାରେ ତା’ର ଭେଟ ହୋଇଯାଏ । ଅମୃତ ଏବେବି କଲେଜରେ ପଢ଼ୁଥାଏ । ଦୁହିଁଙ୍କର ହାବଭାବରୁ ଯେପରି ଜଣାପଡ଼ୁଥାଏ ଦୁହେଁ ନିଶ୍ଚୟ ବିବାହ କରିବେ । ଅମୃତ ଯେପରି ସାବାଳିକା ହେବାକୁ ଅପେକ୍ଷା କରିଥାଏ ।

 

ଏହିପରି ମିଳାମିଶାରେ କେତେମାସ କଟିଗଲା । ଏତିକିବେଳେ ଖବର ମିଳିଲା ଯେ, ସୁଶୀଳର ବିବାହ ମନମୋହନ ସରକାରଙ୍କ ଝିଅ ସହିତ ହେବ ବୋଲି ସୁଶୀଳର ପିତା ନୀଳରତନ ଭଟ୍ଟାଚାର୍ଯ୍ୟ ଯୋଗାଡ଼ କରୁଛନ୍ତି । ନୀଳା ସରକାରବାବୁଙ୍କ ସ୍ତ୍ରୀଙ୍କର ଚିକିତ୍ସା କରୁଥିଲା । ସେହିଠାରୁ ସେ ଏ ଖବର ପାଇଛି । ସେ ହରଭଜନକୁ ଏ କଥା କହିଦେଲା । କଥା ଅମୃତ କାନକୁ ଗଲା । ସେ କହିଲା ସମୟ ଗଡ଼େଇବାକୁ ସୁଶୀଳ ଏ ପ୍ରସଙ୍ଗ ଶୁଣି ମଧ୍ୟ ଚୁପ୍‌ଚାପ ରହିଛି । ହରଭଜନ ମଧ୍ୟ ଏ କଥାର ଚର୍ଚ୍ଚା ସେପରି କଲାନାହିଁ, କାରଣ ସେତେବେଳଯାଏ ଅମୃତ ନାବାଳିକା ଥାଏ ।

 

ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ଘଟିଗଲା । ଅମୃତର ବାପା ମାଆ ଅମୃତକୁ ଗୁରୁଦ୍ୱାର କମିଟିର ସେକ୍ରେଟେରୀ କର୍ତ୍ତାର ସିଂଙ୍କର ପୁତ୍ର ସର୍‌ଦାର ପ୍ରୀତମ୍‌ ସିଂଙ୍କ ସହିତ ବିବାହ ଦେବେ ବୋଲି କଥାବାର୍ତ୍ତର ପକ୍‌କା କରିବାକୁ ଲାଗିଲେ । ପ୍ରୀତମ୍‌ ସିଂ ଏମ. ଏ.. ପାସ୍‍କରି ପଞ୍ଜାବର ଶିକ୍ଷାବିଭାଗରେ ଜିଲ୍ଲା ଇନ୍‌ସ୍‌ପେକ୍ଟର ଭାବେ ନୂଆ ଚାକିରୀରେ ଭର୍ତ୍ତି ହୋଇଥାନ୍ତି ।

 

ଅମୃତର ପିତା ବଡ଼ିୟାମ ସିଂ ତା’ପରଦିନ ଦିପହରେ କର୍ତ୍ତାର ସିଂଙ୍କ ଘରକୁ ସ୍ୱୀକାର ପଠାଇଦେଲେ । ଏକଥା ପ୍ରଘଟ ନ ହୋଇ ଖୁବ୍‌ ଚୁପଚାପ୍‌ରେ ଚାଲିଥାଏ । ସନ୍ଧ୍ୟାବେଳକୁ କର୍ତ୍ତାର ସିଂଙ୍କ ଘରର ସ୍ତ୍ରୀ ଲୋକମାନେ ଲୁଗାପଟା ଗହଣା ଘେନି ବୋହୂ ଦେଖିବାକୁ ଆସିଲେ । ଅମୃତକୁ ଏ ସବୁ କଥା କିଛି ଜଣା ନଥାଏ । ସେ କଲେଜରୁ ଆସି ତା’ ପଢ଼ାଘରେ ଗୋଟିଏ ଚୌକୀ ଉପରେ ବସିଛି କି ନାହିଁ, ପଞ୍ଝାଏ ସ୍ତ୍ରୀ ଲୋକ ଆସି ତାକୁ ଘେରି ଠିଆହୋଇଗଲେ । ଅମୃତର ମା ମଧ୍ୟ ସେମାନଙ୍କର ସାଙ୍ଗରେ ଥାନ୍ତି । ଜଣେ ସ୍ତ୍ରୀ ଲୋକ ଲୁଗାପଟା ଓ ଗହଣା ଧରି ଠିଆହୋଇଥିଲା । ସେ ଆସି ଅମୃତ ମୁଣ୍ଡରେ ସେ ଲୁଗା ଓ ଗହଣାକୁ ଛୁଆଁଇ ନେଇଆସିଲା । ଏତିକିବେଳେ ଅମୃତର ମା କହିଲେ, ‘ଅମୃତ ! ଏ ତୋର ଶାଶୁ । ଏହାଙ୍କ ପାଦ ଧରି ପ୍ରଣାମକର ।’

 

ଅମୃତର ମୁହଁ ଲାଲହୋଇଗଲା । ସେ ସେତେବେଳକୁ କାଠ ହୋଇଗଲାଣି । ମା’ଙ୍କର ଏକଥା ତା’ କାନକୁ ଗଲାନାହିଁ । ସେ ଯେପରି ବସିଥିଲା ସେହିପରି ବସି ରହିଲା । ଯେଉଁ ସ୍ତ୍ରୀ ଲୋକଟି ତା ମୁଣ୍ଡରେ ଲୁଗାପଟା ଓ ଗହଣାକୁ ଛୁଆଁଇ ଆଣି ଧରିଥିଲା, ସେ ଗୋଟିଏ ଡବା ଭିତରୁ ହାରଟିଏ କାଢ଼ି ଅମୃତକୁ ପିନ୍ଧାଇ ଦେବ ବୋଲି ହାତବଢ଼ାଇବାରୁ ଅମୃତକୁ ସବୁକଥା ଜଣାପଡ଼ିଗଲା-। ସେ ତା’ହାତରୁ ହାରଟିକୁ ଦୁଇହାତରେ ଧରିପକେଇ ନିଜ ସାମନା ଟେବୁଲଉପରେ ରଖିଦେଲା । ଅମୃତର ମା କହିଲେ, ‘ଥାଉ, ବିଚାରୀକୁ ଲାଜମାଡ଼ୁଛି ।’

 

ଅନ୍ୟ ସ୍ତ୍ରୀ ଲୋକଟି ‘ସବୁ ଠିକ୍‌ ହୋଇଯିବ’ କହି ଅମୃତର ମୁଣ୍ଡରେ ଗୋଟିଏ ଚୁମ୍ବନ ଦେଲେ । ତା’ପରେ ସେମାନେ ଆଣିଥିବା ସମସ୍ତ ଜିନିଷ ସେହି ଘରେ ରଖିଦେଇ ସମସ୍ତେ ପଦାକୁ ବାହାରି ଆସିଲେ ।

 

ସେମାନେ ଚାଲିଯିବାପରେ ଅମୃତ ତା’ଘରୁ ବାହାରି ସିଧା ଯାଇଁ ତା ଭାଇ ହରଭଜନର ଦୋକାନରେ ପହଞ୍ଚିଲା । ଭାଇକୁ ରୋଗୀ ଦେଖିବା ପାଇଁ ଥିବା ଛୋଟ ଘରଟିକୁ ଡାକି ନେଇ କାନ୍ଦି କାନ୍ଦି ତାକୁ ସବୁ କଥା କହିଲା

 

ଏ କଥା ଶୁଣି ହରଭଜନ ବଡ଼ ଚିନ୍ତିତ ହେଲା । ନୀଳାର ମତାମତ ଏ ବିଷୟରେ ନେବାକୁ ସେ ଉଚିତ ମନେକଲା । ଅମୃତକୁ ସେଇଠି ବସେଇ ସେ ନୀଳା ଘରଭିତରକୁ ପଶିଗଲା-। ନୀଳା ରୋଗୀ ଦେଖା କାମ ସାରିବାରୁ ହରଭଜନ ତାକୁ ଅମୃତ ବସିଥିବା ଘରକୁ ଆଣି କହିଲା, ‘ଯେଉଁ ଲୋକ ସାମନାକୁ ମୁଁ ମୁଣ୍ଡବାଳ କଟେଇବାପରେ ମୋଟେ ଯିବାକୁ ପସନ୍ଦ କରୁନଥିଲି ସେହି ଲୋକର ପୁଅ ସହିତ ଅମୃତର ବିବାହ ଦେବାକୁ ବାବା ମା’ସ୍ଥିର କରିଛନ୍ତି ।

 

‘ତେବେ ଏଥିରୁ ଆପଣଙ୍କର ବିଜୟ ହେଲା ନା ପରାଜୟ ହେଲା କ’ଣ ହେଲା ବୋଲି ଭାବୁଛନ୍ତି ?’

 

‘ସେସବୁ ଲୋକଙ୍କର ଏହା ଚାଲାକି । ବିବାହ ପରେପରେ ଅମୃତକୁ ପୁଣି ସଂସ୍ଥା ଭିତରକୁ ଟାଣିବେବୋଲି ସେମାନଙ୍କର ଅଭିପ୍ରାୟ ।’

 

ନୀଳା କହିଲା, ‘ପରିଷ୍କାର ଅମୃତର ଜୀବନସଂଗ୍ରାମ ଲାଗିଗଲା ବୋଲି ବୁଝିବାକୁ ହେବ-। ଭଲ କଥା ! ସେ ଯାଉ ଶଶୁର ଘରକୁ । ସେଠାରେ ସେ ନିଜର ସ୍ୱତନ୍ତ୍ରତା ବଜାୟ ରଖି ଚଳିବାକୁ ଚେଷ୍ଟାକରୁ ।’

 

‘ନୀଳା ଦେବୀ ! ମୋର କହିବାର କଥା ଯେ, ଏ ପ୍ରସ୍ତାବକୁ ମୁଁ ଆଦୌ ପସନ୍ଦ କରିପାରୁନାହିଁ । ଅମୃତ କାନ୍ଦିକରି କହିଲା ।’

 

‘ଯେତେବେଳେ ତୁମର ବାବା ମା ଏ ବିବାହକୁ ପସନ୍ଦ କରୁଛନ୍ତି ତୁମେ କିପରି ଏଥିରେ ଅମତହେବ ? ତୁମେ ବର୍ତ୍ତମାନ ମଧ୍ୟ ନାବାଳିକା ।’

 

‘ଆଉ ତିନିଚାରି ମାସରେ ମୁଁ ସାବାଳିକା ହେବି । ମୁଁ କେବଳ ସେତିକିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହୁଛି । ସେତେବେଳେ ମୁଁ କଥାଟାକୁ ସ୍ୱତନ୍ତ୍ର ଭାବରେ ଚିନ୍ତାକରିବାର ଅବସର ପାଇବି ।’

 

‘କେବେ ବିବାହ ଦେବେ ବୋଲି ବାପା ମା ସ୍ଥିର କରିଛନ୍ତି ?’

 

‘ମୁଁ ସେ କଥା ଜାଣେନାହିଁ ।’

 

ନୀଳା ହରଭଜନକୁ ଏ ଖବର ବୁଝିବାପାଇଁ କହିବାରୁ ଅମୃତ କହିଲା, ‘ମୁଁ ସେ ଲୋକକୁ ମୋଟେ ବିବାହ କରିବିନାହିଁ । ମୁଁ ତାକୁ ଦେଖିଛି । ମୋର ସେ ପସନ୍ଦ ନୁହେଁ ।’

 

‘ଯଦି ସେ ତୁମର ସ୍ୱତନ୍ତ୍ର ଚିନ୍ତାଧାରା ଉପରେ କୌଣସି ବାଧା ସୃଷ୍ଟି ନ କରନ୍ତି ତେବେ କଣ ତାଙ୍କୁ ବିବାହ କରିବାକୁ ତୁମେ ନାରାଜ ?’

 

‘ନୀଳା ଦେବୀ, ମୁଁ ସୁଶୀଳବାବୁଙ୍କୁ ବିବାହ କରିବି ବୋଲି କଥା ଦେଇଛି । ମୁଁ ଆଉ କାହାକୁ ବିବାହ କରିପାରିବିନାହିଁ ।’

 

‘କେବେ ଏ କଥା ହୋଇଛି ? ମୋର ବିଶ୍ୱାସ ସୁଶୀଳବାବୁଙ୍କର ବିବାହ ମନମୋହନ ସରକାରଙ୍କ ଝିଅ ସହିତ ହେଉଛି ।’

 

‘ମୋତେ ସେ କଥା ଜଣାଅଛି । ଆପଣ ଜାଣି ରଖନ୍ତୁ, ସମୟ ଗଡ଼େଇବାକୁ ଏହା ଏକପ୍ରକାର ଅଭିନୟ ବୋଲି ବୁଝିବାକୁ ହେବ ।’

 

ଏତିକିବେଳେ ହରଭଜନ ସିଂ କହିଲା, ‘ବଡ଼ ଆଶ୍ଚର୍ଯ୍ୟ କଥା । ମୁଁ ସୁଶୀଳବାବୁଙ୍କୁ ବହୁଦିନରୁ ଜାଣେ । ତାଙ୍କ କଥାରେ କେହି ବିଶ୍ୱାସ କରିବା ଠିକ୍‌ ନୁହେଁ । ସେ ବଡ଼ ଭାବୁକ ଲୋକ । ବଡ଼ ଚଞ୍ଚଳ ପ୍ରକୃତିର ଲୋକ ସେ । ପରିସ୍ଥିତିରେ ପଡ଼ି ସେ ନିଜକୁ ସେହି ଅନୁସାରେ ଗଢ଼ିନିଅନ୍ତି ।’

 

‘କିନ୍ତୁ ମୁଁ ଯେ ସୁଶୀଳବାବୁଙ୍କୁ ଅନ୍ତରର ସହିତ ଭଲପାଏ ।’

 

‘ଭଲ ପାଇବା କ’ଣ କହୁଛୁ ? ଏହା କ’ଣ ପସନ୍ଦ କରିବାର ଅନ୍ୟ ଅର୍ଥ ନୁହେଁ ? ପସନ୍ଦ ତ ବଦଳି ଯାଇପାରେ । ସୁଶୀଳବାବୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିପାରିଲେ ଯଦି ବିଚାର ବଦଳିଯାଏ ତେବେ ତା’ ସଙ୍ଗେ ସଙ୍ଗେ ପସନ୍ଦ ବଦଳି ନଯିବ କାହିଁକି ?’

‘ଭଲ ପାଇବା ଗୋଟାଏ କଥା, ପସନ୍ଦ ନାପସନ୍ଦ ଆଉ ଗୋଟାଏ କଥା । ପସନ୍ଦର ସମ୍ବନ୍ଧ କେବଳ ଶରୀର ସହିତ, କିନ୍ତୁ ଭଲ ପାଇବାର ସମ୍ବନ୍ଧ ମନର ସମ୍ବନ୍ଧ । ତାହା ଏକପ୍ରକାର ମାୟା ।’

ହରଭଜନ ସିଂ ବିରକ୍ତ ହେଲାପରି କହିଲା, ‘ନାହିଁ ଅମୃତ ! ଏ କଣ ସତ ଯେ, ତୁ ପ୍ରୀତମ ସିଂକୁ ପସନ୍ଦ କରୁନୁ ? ଆଉ ମଧ୍ୟ ପ୍ରୀତମ ସିଂକୁ ତୁ ବିବାହ କରବୋଲି ମୁଁ ବାଧ୍ୟ କରୁନାହିଁ, କିନ୍ତୁ ମୁଁ ତୋତେ ଏପରି ଜଣେ ଲୋକର ମାୟାରେ ଭୁଲିଯିବାକୁ ଦେବିନାହିଁ, ଯାହାର କଥା ଉପରେ ଭରସା କରି ହେବନାହିଁ । ଆଉ ଗୋଟିଏ କଥା, ତୁ ଯାହା ମନେକରିଛୁ, ପସନ୍ଦ କେବଳ ଶରୀରର ରୂପରଙ୍ଗକୁ ନେଇ ହୁଏ, ସେ କଥା ନୁହେଁ । କେତେବେଳେ ବିଚାର, କେତେବେଳେ ବା ସଂସ୍କାର ଆଉ କେତେବେଳେ ସ୍ୱଭାବକୁ ଚାହିଁ ମଧ୍ୟ ପସନ୍ଦ ନାପସନ୍ଦ ସ୍ଥିର କରାହୁଏ । ସମୟ ଅନୁସାରେ ଜ୍ଞାନବୁଦ୍ଧିର ପ୍ରଭାବରେ ପସନ୍ଦ ମଧ୍ୟ ବଦଳିଯାଇପାରେ ।’

ଏ ପ୍ରକାର ଯୁକ୍ତିରେ ଅମୃତ ଆଉ ଉତ୍ତର ଦେଇପାରିଲାନାହିଁ । କିନ୍ତୁ ସେ ମନେ ମନେ ଭାବୁଥାଏ ହରଭଜନର ଅନୁମାନ ସତେନୁହେଁ । ଏହି ସମୟରେ ନୀଳା ଅମୃତକୁ କହିଲା, ‘ଗୋଟାଏ କଥା କରାଯାଉ । ହରଭଜନ କର୍ତ୍ତାର ସିଂଙ୍କ ସହିତ କଥାବାର୍ତ୍ତାକରି ତାଙ୍କର ମତାମତ ବୁଝ, ମୁଁ ମଧ୍ୟ ସୁଶୀଳବାବୁଙ୍କ ସଙ୍ଗେ କଥାବାର୍ତ୍ତା କରି ତାଙ୍କର ମତାମତ ବୁଝେ ।’

ଅମୃତ ଚୁପ ଥିଲା । କଣକରିବା ଉଚିତ ବା ଅନୁଚିତ ସେ ବୁଝିପାରୁ ନଥିଲା । କେବଳ ଏତିକି ବୁଝିଲା ଯେ, ତା’ର ଭାଇ ଓ ନୀଳାଦେବୀ ଭିନ୍ନ ଭିନ୍ନ ଲୋକଙ୍କ ସହିତ କଥାବାର୍ତ୍ତାକରି ତାହାର ବିବାହ ସ୍ଥିର କରିବେ ।

 

ଏହିଠାରେ କଥା ଶେଷକରି ନୀଳାଦେବୀ ତାଙ୍କ ଚିକିତ୍ସାଳୟକୁ ଚାଲିଗଲେ । ଅମୃତକୁ ଏକୁଟିଆ ପାଇ ହରଭଜନ କହିଲା, ‘ପ୍ରେମ ବା ଭଲପାଇବା ଏକ ନିରର୍ଥକ ଜିନିଷ ବୋଲି ମୁଁ ବୁଝୁଛି । ମୁଁ ପ୍ରଥମେ ନୀଳାଦେବୀଙ୍କୁ ପ୍ରେମ କରୁଥିଲି । ମୁଁ ମନେକରୁଥିଲି ନୀଳା ଯଦି ମୋତେ ବିବାହ ନକରି ଆଉ କାହାକୁ ବିବାହକରେ ତେବେ ମୋର ‘ହାର୍ଟଫେଲ’ ହୋଇ ମୃତ୍ୟୁ ହୋଇଯିବ । ନୀଳା ଅନ୍ୟକୁ ବିବାହକଲା ମୁଁ ତ ନ ମରି ଏବେବି ଜୀବିତ ରହିଛି ।’

 

‘ମୁଁ ବର୍ତ୍ତମାନ ଆଉ ଦୁଇଟି ଝିଅଙ୍କସହିତ ବିବାହପାଇଁ କଥାବାର୍ତ୍ତା କରୁଛି । ପ୍ରେମ କରିବାକୁ ଗୋଟାଏ ପାଖରେ ରଖିଦେଇ ଦୁହିଙ୍କର ଗୁଣ ଦୋଷକୁ ବିଚାରକରି ଦେଖୁଛି । ମୋର ବିଶ୍ୱାସ ଧନର ଏହି ଭାବନାଦ୍ୱାରା ମୋର କେବେହେଲେ ଭୁଲହେବନାହିଁ ।’

 

‘ଭାଇ ! ସେ ଦୁଇଜଣ କିଏ ?’

 

‘ଜଣେ ହେଲେ ନୀଳାର ବାନ୍ଧବୀ ମାଧୁରୀ ଓ ଆଉ ଜଣେ ପ୍ରଫେସର ନିରଂଜନ ସିଂଙ୍କ ଝିଅ ଲୀଳାବତୀ ।’

 

‘ପ୍ରଫେସରଙ୍କ ଝିଅ କଥାତ ଛିଣ୍ଡିଯାଇଛି ।’

 

‘ହଁ, କିନ୍ତୁ ତାଙ୍କ ଝିଅ ସହିତ ଏବେବି କଥାବାର୍ତ୍ତା ଚାଲିଛି । ସେ ଏବିଷୟରେ ତା’ ବାପା ମାଙ୍କ ସହିତ ବିଦ୍ରୋହକରିବାକୁ ସ୍ଥିର କରିଛି । ସେ ଲକ୍ଷ୍ନୌ ଆସି ମୋ ସହିତ ଦେଖା କରିଛି ଓ ଏବେ ବି ଆମର ଚିଠିପତ୍ର ଚାଲିଛି ।’

 

‘ଆଉ ସେ ମାଧୁରୀ, ସେ ତମକୁ କିପରି ଲାଗୁଛି ?’

 

‘ହଁ ସେ ଖୁବ୍‌ ଭଲ । ଅତ୍ୟନ୍ତ ଶାନ୍ତଶିଷ୍ଟ ସ୍ୱଭାବର ଝିଅ ସେ, କିନ୍ତୁ ଟିକିଏ କାଳୀ ।’

 

‘କିନ୍ତୁ ଲୀଳାବତୀ ରଙ୍ଗରେ ଗୋରାହୋଇ ଯଦି ମନରେ କାଳୀ ହୁଏ ?’

 

‘ଏତେଦିନଯାଏତ କେବଳ ସେଇଆ ଜାଣିବାକୁ ଅପେକ୍ଷା କରିଛି ।’

 

‘ତୁମେ ଯଦି ଦୁହିଁଙ୍କ ଭିତରୁ କାହାକୁ ପ୍ରେମ କରୁନାହଁ, ତେବେ ସେମାନଙ୍କୁ ମନାକରିଦେଉନ କାହିଁକି ?’

 

‘ମୁଁ ପ୍ରେମ କ’ଣ ଜାଣେ ନାଁ, ମୁଁ ପସନ୍ଦ ହିଁ ସବୁବୋଲି ମନେକରେ । ଯଦି ବାହାର ରୂପଲାବଣ୍ୟ ଦେଖି ବିବାହ କରିବାର ହୋଇଥାନ୍ତା ତେବେ କେବେଠୁଁ ଲୀଳାବତୀକୁ ବିବାହକରି ସାରନ୍ତିଣି । ମୁଁ କେବଳ ତା’ର ମନର ଅବସ୍ଥା ଜାଣିବାକୁ ଅପେକ୍ଷା କରୁଛି ।’

 

‘ତେବେ ମୁଁ କ’ଣ କରିବି, କୁହ ?’

 

‘ତୁ ଘରକୁ ଯା’ ମୁଁ କର୍ତ୍ତାର ସିଂଙ୍କ ସହିତ ଦେଖାକରି ଫେରିବି ।’

 

(୪)

 

ଅମୃତ ଅନ୍ୟମନସ୍କ ଭାବେ ଦୋକାନରୁ ଘରକୁ ଗଲା । ହରଭଜନ ରୋଗୀଦେଖା ସାରି ରାତି ଆଠଟା ବେଳକୁ ଆସି ଗୁରୁଦ୍ୱାରରେ କର୍ତ୍ତାର ସିଂଙ୍କଘରେ ପହଞ୍ଚିଲା । କର୍ତ୍ତାର ସିଂ ଖାଇବସିଥିଲେ । ହରଭଜନ ଆସିବାର ଖବରପାଇ ସେ ଖାଇବା ଛାଡ଼ି ବୈଠକଖାନାରେ ହରଭଜନ ସିଂ ସଙ୍ଗେ ଦେଖାକଲେ । କହିଲେ, ‘ଡାକ୍ତରସାହେବଙ୍କର କାହିଁକି ଶୁଭାଗମନ ହେଲା-?’

 

‘ମୁଁ ପ୍ରୀତମ୍‌ ସିଂଙ୍କ ସହିତ ଦେଖାକରିବାକୁ ଆସିଛି ।’

 

‘କ’ଣ କାମ ଅଛି ?’

 

‘ଆଜି ଅମୃତ ସହିତ ତାଙ୍କର ସ୍ୱୀକାର ହେଲା ନାଁ ?’

 

‘ସେ ତ କିନ୍ତୁ ଜଳନ୍ଧରରେ ରହୁଛି । ପଞ୍ଜାବ ଶିକ୍ଷାବିଭାଗରେ ନିଯୁକ୍ତି ପାଇଛି ।’

 

‘ସତରେ ! କ’ଣ ହୋଇ ?’

 

‘ଜିଲା ଇନ୍‌ସପେକ୍ଟର ଭାବେ ସେ ନିଯୁକ୍ତିପାଇଛି ।’

 

‘ବଡ଼ ଆନନ୍ଦର କଥା । ତେବେ ଆଜିକାର ସ୍ୱୀକୃତି ସବୁ ଆପଣ ହିଁ କରେଇଛନ୍ତି ।’

 

‘ହଁ ।’

 

‘କିନ୍ତୁ ଆପଣତ ଅମୃତର କାର୍ଯ୍ୟକଳାପରେ ତାପ୍ରତି ବିମୁଖ ଥିଲେ । ଏଣୁ ଆଜିକାର ଏ ନିର୍ବନ୍ଧ କଥାଶୁଣି ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ।’

 

‘ହରଭଜନ ! ସଂସାରରେ ଅନେକ କଥା ଅଛି, ଯାହା ବୁଝିବା କଷ୍ଟ । ବୁଝିବା ମଧ୍ୟ ଆବଶ୍ୟକ ନୁହେଁ । ପରିସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟର ଗତି ବଦଳିଯାଏ ।’

 

‘ମୁଁ ଆଜ୍ଞା ସେହି ପରିସ୍ଥିତି ସମ୍ବନ୍ଧରେ ବୁଝିବା ପାଇଁ ଆସିଛି । ମୋର ବିଶ୍ୱାସ ଥିଲା ପ୍ରୀତମ ସିଂ ଏହି ନିର୍ବନ୍ଧର ପ୍ରଧାନ ବ୍ୟକ୍ତି । ତେଣୁ ମୁଁ ତାଙ୍କ ସହିତ ଦେଖା କରିବାକୁ ଆସିଥିଲି । କିନ୍ତୁ ଯେତେବେଳେ ଦେଖୁଛି, ଆପଣ ଏ କାର୍ଯ୍ୟର କର୍ତ୍ତା, ସେତେବେଳେ ଆପଣହିଁ ମୋତେ ସବୁ କଥା କହି ପାରିବେ ।’

 

‘ପ୍ରୀତମ ସିଂ ଏ ନିର୍ବନ୍ଧର ମୁଖ୍ୟବ୍ୟକ୍ତି ବୋଲି ଯାହା ଅନୁମାନ କରିଛ ସେ କଥା ସତ । ମୁଁ କେବଳ ତା’ର ଏଜେଣ୍ଟରୂପେ ଏ କାମ କରିଛି । ଅମୃତ ବରାବର ଗୁରୁଦ୍ୱାରକୁ ଆସେ । ପ୍ରୀତମ ତାକୁ ସେଇଠି ଦେଖିଛି । ଚାକିରୀ ପାଇଲା ପରେ ଅମୃତ ସହିତ ବିବାହ ପ୍ରସ୍ତାବ ଆଣିବାକୁ ସେ ମୋତେ ଲେଖିଲା । ମୁଁ ତାକୁ ଲେଖିଲି ଯେ, ଅମୃତ ଶିଖଧର୍ମ ଉପରୁ ବିଶ୍ୱାସ ହରେଇଛି । ସେ ବାଳ କଟେଇ ପକେଇଛି ଓ ଅତ୍ୟନ୍ତ ଚଞ୍ଚଳ ପ୍ରକୃତିର ପିଲା ସେ ।

 

‘ତାହାର ଉତ୍ତରରେ ସେ ଲେଖିଲା, ସେକଥା ତାକୁ ଜଣାଅଛି । ସେ ତାକୁହିଁ ବିବାହ କରିବ । ସେ ଚଞ୍ଚଳତାର ସ୍ତାବକ ବୋଲି ଲେଖିଥିଲା ।

 

‘ମୁଁ ଲେଖିଲି, ତୁମର ମାଆ ଓ ମୁଁ ସଂସ୍ଥାରୁ ବାହାରି ଯାଇଥିବା ଝିଅକୁ ବୋହୂରୂପେ ଗ୍ରହଣ କରିବାକୁ ନାରାଜ ।

 

‘ତା’ର ଉତ୍ତରରେ ସେ ପୁଣି ଲେଖିଲା, ‘ମୁଁ ସବୁ ଜାଣି ମଧ୍ୟ ତାକୁ ସ୍ତ୍ରୀ ରୂପେ ଗ୍ରହଣକରିବାକୁ ପ୍ରସ୍ତୁତ, ଆପଣ ତାକୁ ବୋହୂ କରନ୍ତୁ ନ କରନ୍ତୁ ।’’

 

‘ଆହୁରି ମଧ୍ୟ ସେ ଲେଖିଲା ଯଦି ଅମୃତ ପୁଣି କେଶ ରଖିବାକୁ ରାଜି ନ ହୁଏ ତେବେ ସେ ମଧ୍ୟ କେଶ କଟାଇ ପକାଇବ । ଆଉ ଯଦି ଅମୃତ ତାହାର ଧାର୍ମିକ ସ୍ୱତନ୍ତ୍ରତା ବଜାୟ ରଖିବାକୁ ଚାହେଁ, ତେବେ ସେ ମଧ୍ୟ କୌଣସି ବାଧା ତାକୁ ଦେବନାହିଁ । ଆଉ ଯଦି ଏଥିରେ ଅମୃତର କୌଣସି ଦ୍ୱିଧା ଥାଏ ତେବେ ସେ ନିଜେ ମଧ୍ୟ ଲକ୍ଷ୍ନୌ ଆସି ପ୍ରତ୍ୟକ୍ଷରେ ଅମୃତ ସହିତ କଥାବର୍ତ୍ତର କରି ସବୁ ଠିକ୍‌ ଠାକ୍‌ କରିଦେବାକୁ ପ୍ରସ୍ତୁତ ଅଛି ।

 

‘ମୁଁ ତୁମର ବାବା ବଡ଼ିୟାମ ସିଂକୁ ଏକଥା ସବୁ ଜଣାଇଦେଇଛି ଓ ସେ ତାହା ସତ୍ତ୍ୱେ ମଧ୍ୟ ଏ ନିର୍ବନ୍ଧରେ ରାଜି ହୋଇଅଛନ୍ତି ।’

 

ଏସବୁ କଥା ଶୁଣି ହରଭଜନ ପାଟିରୁ ଆଉ କଥା ବାହାରିଲା ନାହିଁ । କର୍ତ୍ତାର ସିଂ ହରଭଜନ ଚୁପ୍‌ ଥିବାର ଦେଖି ଭାବିଲେ ସେ ତାଙ୍କ କଥାରେ ବିଶ୍ୱାସ କରୁନାହିଁ । ସେ ଘର ଭିତରକୁ ଯାଇ ବିଡ଼ାଏ ଚିଠି ଆଣି ହରଭଜନ ସିଂ ସାମନାରେ ରଖିଦେଲେ । ହରଭଜନ ବିଡ଼ାଟି ଖୋଲି ବାଛି ବାଛି ତା ଭିତରୁ ଖଣ୍ଡେ ଖଣ୍ଡେ ଚିଠି ପଢ଼ିବାକୁ ଲାଗିଲା । କିଛି ସମୟ ପରେ କହିଲା, ‘ମୋର ସବୁ ସନ୍ଦେହ ଏବେ ଦୂର ହେଲା, କିନ୍ତୁ ମୋର ଗୋଟିଏ ପ୍ରାର୍ଥନା ଯେ, ଏ ଚିଠିଗୁଡ଼ିକ ମୁଁ ଦିନକପାଇଁ ନେଇଯାଇ ଅମୃତକୁ ଟିକିଏ ପଢ଼ାଇବି, ଏଥିରେ ଆପଣଙ୍କ ଆପତ୍ତି ନ ଥିଲେ–’

 

ଆଉ ହରଭଜନକୁ ଅଧିକ କହିବାକୁ ପଡ଼ିଲା ନାହିଁ । କର୍ତ୍ତାର ସିଂ ଏ କଥାରେ ସଙ୍ଗେ ସଙ୍ଗେ ରାଜି ହୋଇପଡ଼ିଲେ ଓ କହିଲେ, ‘ମୋର ବିଶ୍ୱାସ ଅମୃତ ଏ ଚିଠି ପଢ଼ି ଆନନ୍ଦ ହେବ, ତା’ର ଭବିଷ୍ୟତ ଜୀବନଧାରା ମଧ୍ୟ ଏ ଚିଠି ପଢ଼ିବା ଉପରେ ଅନେକ ନିର୍ଭର କରେ ।’

 

ଅମୃତକୁ ଏ ଚିଠିର କଥା କିପରି ପ୍ରକାଶକରିବ ଏହିକଥା ଚିନ୍ତା କରି କରି ହରଭଜନ ସିଂ ଆସି ଘରେ ପହଞ୍ଚିଲା । ବାଳ କଟାଇପକାଇବା ଦିନଠାରୁ ସେ ଦରକାର ନ ପଡ଼ିଲେ ମା ବାପାଙ୍କ ସହିତ କିଛି କଥାବର୍ତ୍ତା କରୁ ନ ଥିଲା । ନିଜ ଘରଟିରେ ଥାଏ । ସେଇଠି ଖାଏ ସେଇଠି ରହେ । କେବଳ ମଝିରେ ମଝିରେ ଅମୃତ ସାଙ୍ଗରେ କଥାବାର୍ତ୍ତା କରେ । ସେ ଆସି ସିଧା ଅମୃତ ଘରେ ପଶିଲା । ବାପା ଓ ମାଙ୍କୁ ସେ ଘରେ ଯେପରି ବଡ଼ ଚିନ୍ତାଗ୍ରସ୍ତ ହୋଇ ଠିଆହୋଇଥିବାର ଦେଖିଲା । ଏପରି ଭାବରେ ସେ ଛିଡ଼ା ହେବାର ଦେଖି ବ୍ୟସ୍ତ ହୋଇ ପଚାରିଲା, ‘ବାପା, ଅମୃତ କାହିଁ ?’

 

‘ସେ କ’ଣ ତୋ ସାଙ୍ଗରେ ନଥିଲା ।’

 

‘ହଁ, ଦୋକାନକୁ ଯାଇଥିଲା କିନ୍ତୁ ଦୁଇଘଣ୍ଟା ହେବ ତ ଆସିଲାଣି ।’

 

‘ସେ ଘରୁ ପାଞ୍ଚଟାରୁ ଗଲାଣି, ବର୍ତ୍ତମାନ ନଅ ବାଜିବାକୁ ଯାଉଛି ।’

 

ହରଭଜନ ମଧ୍ୟ ଚିନ୍ତିତ ହୋଇପଡ଼ିଲା । ତା’ର ମନେହେଲା ଯେ ଅମୃତ ତା’ର ସାଙ୍ଗ ମନୋରମା ଘରକୁ କାଳେ ଯାଇଥିବ । କିନ୍ତୁ ମା ଯେତେବେଳେ କହିଲେ ଯେ, ସେ ଫୋନକରି ବୁଝିଛନ୍ତି ଅମୃତ ସେଠାକୁ ଯାଇନାହିଁ ସେତେବେଳେ ହରଭଜନ ମଧ୍ୟ ଚିନ୍ତିତ ହୋଇପଡ଼ିଲା ।

 

‘ମାଧୁରୀ ଘରେ ଅଛିକି ନାହିଁ ବୁଝିଛ ?’

 

‘ତୁ ଟିକିଏ ପଚାରି ବୁଝିଲୁ ।’

 

ହରଭଜନ ବାରିଷ୍ଟର ପ୍ରଭୁଦୟାଲଙ୍କ ଘରେ ମାଧୁରୀକୁ ଟେଲିଫୋନ କରି ବୁଝିଲା ଯେ, ଅମୃତ ସେଠାକୁ ଯାଇଥିଲା କିନ୍ତୁ ଦୁଇଘଣ୍ଟା ହେବ ସେ ସେଠାରୁ ଗଲାଣି ।

 

ଏ କଥା ଶୁଣି ହରଭଜନ ସାଙ୍ଗେ ସାଙ୍ଗେ ମଟର ଧରି ବାହାରିଗଲା, ସୁଶୀଳ ଘରକୁ । ସୁଶୀଳ ଆଜିକାଲି ନିଜ ଡାକ୍ତରଖାନାକୁ ଲାଗି ଗୋଟିଏ ଛୋଟଘରେ ରହୁଛି । ତା’ ଘରକୁ ଟେଲିଫୋନ ନଥିଲା । ସୁଶୀଳ ସେତେବେଳେ ଘରେ ନଥିଲା । ତେଣୁ ସେ ସୁଶୀଳ ବାପାଙ୍କ ଘରକୁ ଗଲା । ସେଠାରୁ ସେ ତାଙ୍କର ମାମୁଁ ଘର ବାଟେ ଫେରିଲା, କିନ୍ତୁ କେଉଁଠି ଅମୃତକୁ ପାଇଲା ନାହିଁ । ସେ ପୁଣି ମଟରଧରି ଯାଇ ନୀଳା ଘରେ ପହଞ୍ଚିଲା, ନୀଳା ଓ ପ୍ରବୋଧ ସହରଠାରୁ ଦୂରରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ସେଠାକୁ ମଧ୍ୟ ଟେଲିଫୋନ ନଥିଲା ।

 

ପ୍ରବୋଧ ନିଶ୍ଚିନ୍ତରେ ସିଗାରେଟ୍‌ ଟାଣିବାରେ ବ୍ୟସ୍ତ ଓ ନୀଳା ପାଖରେ ବସି କ’ଣ ଖଣ୍ଡେ ଡାକ୍ତରୀ ପତ୍ରିକା ପଢ଼ିବାରେ ବ୍ୟସ୍ତ ଥିଲା । ଦୁହେଁ ହରଭଜନକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ‘କଣ କଥା ହରଭଜନ, ଏତେ ରାତିରେ ?’

 

‘ନୀଳା ଦେବୀଙ୍କ ସଙ୍ଗେ ଗୋଟାଏ କଥା ଥିଲା । ସେଥିପାଇଁ ଛଅମାଇଲ ରାସ୍ତା ମଟର ଧରି ଦୌଡ଼ିବାକୁ ପଡ଼ିଲା ।’

 

ନୀଳା ଉଠି ବାରଣ୍ଡାକୁ ଆସିବାରୁ ହରଭଜନ ଅମୃତକଥା ତା’କୁ କହିଲା । ନୀଳା ଏହା ଶୁଣି କହିଲା, ‘ମୁଁ ଡାକ୍ତରଖାନାରୁ ସିଧା ଗୋଟିଏ ରୋଗୀ ଘରକୁ ଗଲି । ସେଠାରୁ ଫେରୁଛି । ରାସ୍ତାରେ ସୁଶୀଳକୁ ଦେଖିଲି । ପଚାରିବାରୁ ସେ କହିଲା, ତା’ର ଜଣେ ସାଙ୍ଗ ଘରକୁ ଯାଇଥିଲା, ଆସୁ ଆସୁ ଡେରି ହେଲା ବୋଲି । ମୁଁ ମଧ୍ୟ ତାକୁ ତା ବିବାହକଥା ପଚାରିଲି । ସେ କହିଲା, ତା ବାପା ମା ରେଣୁ ସହିତ ବିବାହ କରିବାକୁ ତାକୁ ବାଧ୍ୟ କରୁଛନ୍ତି । ତା’ର କିନ୍ତୁ ଇଚ୍ଛାନାହିଁ । କିନ୍ତୁ କ’ଣ କରିବ, ସେ ବାପା ମାଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହେଁନାହିଁ ।’

 

ମୁଁ ପଚାରିଲି, ‘ତେବେ କଅଣ ଅମୃତକୁ ବିବାହ କରିବ ବୋଲି ଜବାବ ଦେଇଛ ?’

 

‘ନାହିଁ, ମୁଁ ତ ତାକୁ କୌଣସି ଜବାବ ଦେଇନାହିଁ । ଏକଥା ସତ ଯେ, ସେ ମୋତେ ବିବାହ କରିବାକୁ ଉତ୍ସୁକ । ମୁଁ ସେ ବିଷୟରେ ଖୁବ୍‌ ଭାବିଛି । ମୁ୍ଁ ଅମୃତକୁ ବିବାହ କରେ–ଏହା ମୋର ବାପା ମା ଚାହାନ୍ତି ନାହିଁ କି ଅମୃତର ବାପା ମା ମଧ୍ୟ ଚାହାନ୍ତି ନାହିଁ । ତେଣୁ ଏ ବିବାହରେ କାହାରି ମଙ୍ଗଳ ହେବବୋଲି ମୁଁ ଭାବୁନାହିଁ ।

 

‘ଏହା ପରେ ଏଣୁତେଣୁ କେତେ ଗପ ପଡ଼ିଲା । ଆମେ ଦୁହେଁ ଯେତେବେଳେ ମେମୋରିଆଲ ଡାକ୍ତରଖାନା ଛକରେ ଆସି ପହଞ୍ଚିଲୁ, ସେ ଗୋଟାଏ ଟାକ୍‌ସିକୁ ଡାକିଲା ଓ ସେଥିରେ ବସି ଗୋଟାଏ ମୁମୂର୍ଷୁରୋଗୀ ଦେଖିବବୋଲି କହି ବାହାରିଗଲା ।’

 

‘ମୁଁ ବୁଝୁଛି ଯେ, ସୁଶୀଳର ବିବାହ ଅମୃତ ସହିତ ହେବନାହିଁ ।’

 

‘କିନ୍ତୁ ସେ ଗଲା କୁଆଡ଼େ ?’

 

ନୀଳା ଏ ପ୍ରଶ୍ନର ଉତ୍ତର ଦେବାକୁ ଅକ୍ଷମ । ହରଭଜନ ହତାଶ ହୋଇ ଘରକୁ ଫେରିଲା-। ତା ବାବା ଓ ମା ଅମୃତକୁ ଅପେକ୍ଷାକରି ବସି ରହିଥିଲେ । ହରଭଜନକୁ ଏକୁଟିଆ ଆସିବା ଦେଖି ସେ ଦୁହିଁଙ୍କର ଅତ୍ୟନ୍ତ ଦୁଃଖ ହେଲା ?

 

ସାରା ରାତି ସେମାନେ ଅମୃତର ପଥ ଚାହିଁ ରହିଲେ, କିନ୍ତୁ ସେ ଆସିଲାନାହିଁ ।

 

ସକାଳୁ ହରଭଜନ ବାପାଙ୍କ ପାଖକୁ ଯାଇଁ କହିଲା, ‘ଆପଣ ଜବାବ୍‌ ଦେବା ପୂର୍ବରୁ ଅନ୍ତତଃ ମୋତେ ପଚାରିବା ଉଚିତ ଥିଲା, ଅମୃତକୁ ନ ପଚାରିଲେ ନାହିଁ ।’

 

‘ସେ ବର୍ତ୍ତମାନ ପୂର୍ଣ୍ଣ ସାବାଳକ ବୋଲି କ’ଣ ମୋତେ ମାଲୁମ ନ ଥିଲା । ମୋର ବିବାହର ଜବାବ୍‌ ମୋ ବାପା ଦେଇଥିଲେ, ବାପାଙ୍କ ବାହାଘର ଜବାବ ତାଙ୍କ ବାପା ଦେଇଥିଲେ । ପ୍ରୀତମ୍‌ ସିଂର ବିବାହପାଇଁ ଜବାବ ତ ପୁଣି ତାଙ୍କ ବାପା କର୍ତ୍ତାର ସିଂ ଦେଲେ । କେବଳ ଆମରି ଘରେ ଦରକାର ପଡ଼ୁଛି ବାପା ମାଙ୍କର ପୁଅ ଝିଅଙ୍କ ମତ ନେବା ।’

 

‘ସେ କଥା ନୁହେଁ । ଆପଣ ଯେଉଁ କଥା କହୁଛନ୍ତି ସେ ସବୁ ୧୯୦୨ ବା ୧୯୦୩ ମସିହାର କଥା ହୋଇପାରେ । କର୍ତ୍ତାର ସିଂଙ୍କ କଥା କହୁଛନ୍ତି, ସେ ତାଙ୍କ ପୁଅର ମତନେଇ ବିବାହ ପ୍ରସ୍ତାବ ଆଣିଥିଲେ । ପ୍ରୀତମ୍‌ ସିଂ ତା ବାପା ପାଖକୁ ଯେଉଁସବୁ ଚିଠି ଲେଖିଥିଲା ସେ ସବୁକୁ ମୁଁ ନିଜେ ପଢ଼ି ଆସିଛି । ଆହୁରି ମଧ୍ୟ କର୍ତ୍ତାର ସିଂଙ୍କ କଥାରୁ ମୁଁ ବୁଝିଲି ଯେ, ପରିସ୍ଥିତି ଓ ଆବଶ୍ୟକତାକୁ ସେ ବୁଦ୍ଧିଠାରୁ ଅଧିକବୋଲି ଜ୍ଞାନକରନ୍ତି ।’

 

‘ସେ ସେକଥା ମଧ୍ୟ ମୋତେ କହିଛନ୍ତି ।’

 

‘କିନ୍ତୁ ଆପଣ ତାଙ୍କ କହିବାରୁ ମଧ୍ୟ କିଛି ଶିଖିଲେନାହିଁ । ଆପଣ ଆପଣଙ୍କ ଘରର ପରିସ୍ଥିତି ଓ ଅମୃତର ଆବଶ୍ୟକତା ପ୍ରତି ଟିକିଏ ହେଲେ ଦୃଷ୍ଟି ଦେଲେନାହିଁ । ଆଜି ଦେଶ ସ୍ୱାଧୀନ ହୋଇଛି । ଏହି ସ୍ୱାଧୀନତା ପ୍ରାପ୍ତି ସଙ୍ଗେ ସଙ୍ଗେ ପ୍ରତ୍ୟେକ ଲୋକ ମଧ୍ୟ ସ୍ୱତନ୍ତ୍ର ହୋଇଛି ।’

 

‘ସେ କଥାକୁ ମୁଁ ଖୁବ୍‌ ସାଧାରଣ ଭାବରେ ବିଚାର କରିଥିଲି । ସେ ତା ଚିଠିରେ କ’ଣ ଲେଖିଥିଲା ?’

 

‘ସେ ତା ଚିଠିରେ ଲେଖିଥିଲା ଯେ, ଅମୃତର ମତାମତ କଥା ତାକୁ ଭଲଭାବରେ ଜଣା-। ଆଉ ଯଦି ଅମୃତ ଚାହେଁ ତ ତେବେ ସେ ମଧ୍ୟ ନିଜର ବାଳ କଟେଇ ପକେଇବାକୁ ପ୍ରସ୍ତୁତ ଅଛି । ଯଦି ଆପଣ ଏ ଚିଠିକୁ ପ୍ରସ୍ତାବ ପକ୍‌କା ହେବାପୂର୍ବରୁ ଅମୃତକୁ ଦେଖେଇଦେଇଥାନ୍ତେ ତେବେ ଖୁବ୍‌ ଭଲ ହୋଇଥାନ୍ତା ।’

 

‘ଆଚ୍ଛା, ତୁ ଏବେ ତାକୁ ଖୋଜିକରି ଆଣ । ସେ ଏଣିକି ଯାହା କହିବ ତାହାରି କଥା ଅନୁସାରେ କାମ ହେବ ।’

 

‘ମୁଁ ତ ଚେଷ୍ଟା କରୁଛି, କାଲି ରାତିଯାକ ତ ବୁଲି ବୁଲି ନିରାଶ ହୋଇଛି ।’

 

ବଡ଼ିୟାମ ସିଂ ଓ ତାଙ୍କ ସ୍ତ୍ରୀଙ୍କର ବଦ୍ଧଧାରଣା ଥିଲା ଯେ, ଅମୃତର ଖବର ହରଭଜନକୁ ପୂରା ମାଲୁମ ଅଛି । କିନ୍ତୁ ସେ କହୁନାହିଁ । ତେଣୁ ସେ ତାକୁ ପାକଳାପାକଳି କରୁଥିଲେ କଥା ଆଦାୟ କରିବାପାଇଁ । ବଡ଼ିୟାମ ସିଂ କହିଲେ, ‘ଦେଖ ହରଭଜନ ! ମୁଁ ଏଣିକି ବୁଢ଼ା ହେଲି । ମୋର ତ ସବୁ ସମ୍ପତ୍ତି ତୁମରି । ମୋର ଆତ୍ମାକୁ ମଧ୍ୟ ବର୍ତ୍ତମାନ ତୁମକୁ ବିକି ଦେଉଛି । ଅମୃତକୁ ଯୁଆଡ଼ୁ ହଉ ଖୋଜିକରି ଆଣେ, ସେ ଯାହା କହିବ ମୁଁ ମାନିବି ।’

 

(୫)

 

ଅମୃତର କୌଣସି ପତ୍ତା ମିଳିଲାନାହିଁ । ଦିନ ପରେ ଦିନ ଗଡ଼ିଯିବାକୁ ଲାଗିଲା । ଅମୃତର ବାପା ବୋଉ ତଥା ଆତ୍ମୀୟସ୍ୱଜନ ଅମୃତ ଫେରିବାର ଆଶା ସଂପୂର୍ଣ୍ଣ ଛାଡ଼ିଲେ । ହରଭଜନ ସିଂ ଖବରକାଗଜମାନଙ୍କରେ ବିଜ୍ଞାପନ ଦେଲା, ସେଥିରେ ଲେଖିଲା ଯେ, ଅମୃତ ଫେରି ଆସିଲେ ତାର ବାପା ମା ତା’ର କୌଣସି କଥାର ବିରୋଧ କରିବେନାହିଁ ।
 

ସେହି ବିଜ୍ଞାପନରୁ କର୍ତ୍ତାର ସିଂ ତାଙ୍କ ପୁଅ ପ୍ରୀତମ ସିଂଙ୍କୁ ଅମୃତର ଘରୁ ପଳାଇଯିବାର ଖବର ଦେଲେ । ଫଳରେ ନିର୍ବନ୍ଧଟା ସେହିଠାରେ ଭାଙ୍ଗିଗଲା ।

 

ପ୍ରତିଦିନ ହରଭଜନ ଅମୃତର ଖବର ପାଇବାକୁ ଚେଷ୍ଟା କରୁଥାଏ । ଯେତିକି ଦରକାର ମାତ୍ର ସେତିକି ସମୟ ସେ ଦୋକାନରେ ବସେ । ନୀଳା ସହିତ ମଧ୍ୟ ଖୁବ୍‌ କ୍ୱଚିତ ତାର ଦେଖାହୁଏ-। ମାଧୁରୀ ସହିତ ମଧ୍ୟ ବହୁଦିନୁ ଦେଖା ହୋଇନାହିଁ । ଅମୃତର ଘରୁ ଯିବା ତିନିମାସ ହୋଇଗଲାଣି-। ଶତଚେଷ୍ଟା ସତ୍ତ୍ୱେ ବି ତା’ର କୌଣସି ସନ୍ଧାନ ଏ ପର୍ଯ୍ୟନ୍ତ ମିଳିଲାନାହିଁ ।

 

ମାଧୁରୀ କେତେଥର ହରଭଜନକୁ ଖୋଜିବାକୁ ତା’ ଦୋକାନକୁ ଆସେ । ଦିନେ ଆସି ଦେଖେ ତ ହରଭଜନ ନାହିଁ । ସେ ବସି ବସି ନୀଳା ସଙ୍ଗେ ଗପ କରୁଥିଲା । ଏତିକିବେଳେ ହରଭଜନକୁ ଖୋଜିବାକୁ ଗୋଟିଏ ଝିଅ ଆସି ସେଠାରେ ପହଞ୍ଚିଲା । ସେ ନୀଳାକୁ କହିଲା, ‘ଡାକ୍ତର ହରଭଜନଙ୍କର ଚପରାସୀଠାରୁ ବୁଝିଲି ଯେ ଆପଣ କହିପାରିବେ ସେ କେତେବେଳେ ଆସିବେ ।’

 

‘ଡାକ୍ତର ତ କହିଯାଇନାହାନ୍ତି, ତେବେ ସେ ପ୍ରାୟ ବାରଟାର କିଛି ପୂର୍ବରୁ ଆସନ୍ତି ।’

 

‘ମୋର ଆଜି ପଞ୍ଜାବ ମେଲରେ ଯିବାକଥା, ତେଣୁ ତାଙ୍କ ସହିତ ଦେଖା କରିବାକୁ ଏତେ ଉଦ୍‌ବିଗ୍ନ ।’

 

‘ଏପରି କିଛି କାମ ଅଛି ଯହିଁରେ କି ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ ? କୁହନ୍ତୁ, ମୁଁ ମୋର ଯଥାସାଧ୍ୟ ଚେଷ୍ଟା କରିବି ।’

 

‘ତାଙ୍କ ସହି ତ ଯଦି ଗୋଟାଏ ବାଜିବା ପୂର୍ବରୁ ମୋର ଦେଖା କରାଇଦେଇପାରନ୍ତେ ତେବେ ସବୁଠାରୁ ବେଶି ସାହାଯ୍ୟ କଲେ ବୋଲି ଭାବନ୍ତି ।’

 

‘ଆପଣ କେଉଁଠୁ ଆସିଛନ୍ତି ।’

 

‘ଏ ପ୍ରଶ୍ନର ଉତ୍ତର ନ ଦେଲେ କ’ଣ ଆପଣ ମୋ ଉପରେ ରାଗିବେ ?’

 

‘ଏ ପ୍ରକାର ଉତ୍ତରରେ ନୀଳା ଆଶ୍ଚର୍ଯ୍ୟ ହେଲା । କିନ୍ତୁ ଏ ଉତ୍ତର ଯେ ହୃଦୟର ଶୁଦ୍ଧତାର ପରିଚୟ ଦେଉଛି ଏଥିରେ ତାହାର ଆଉ ସନ୍ଦେହ ରହିଲା ନାହିଁ । ନୀଳାର ପୂରା ଧାରଣା ହେଲା, ସେ ଦିଲ୍ଲୀରୁ ଆସିଛି ଓ ସେ ପ୍ରଫେସର ନିରଞ୍ଜନ ସିଂଙ୍କ ଝିଅ । ପାଖରେ ବସିଛି ମାଧୁରୀ । ହରଭଜନ ସହିତ ମାଧୁରୀର ବିବାହପ୍ରସ୍ତାବ ମଧ୍ୟ ନୀଳାକୁ ଅଜଣା ନୁହେଁ । ତେଣୁ ସେ କଥାକୁ ଆଉ ନ ଆଗେଇ କହିଲା, ‘ରାଗିବାର କାରଣ ନାହିଁ, ମୋର ଆପଣଙ୍କର ପରିଚୟ ପାଇ କୌଣସି ଲାଭନାହିଁ । ଆପଣ ଏଠାରେ ବସନ୍ତୁ, ମୁଁ ବର୍ତ୍ତମାନ ତାଙ୍କ ଘରକୁ ଓ ଅନ୍ୟାନ୍ୟ କେତେକ ସ୍ଥାନକୁ ଟେଲିଫୋନ କରି ତାଙ୍କର ଖବର ନେଉଛି ।’

 

ହରଭଜନର ଠିକଣା ମିଳିଲା ପ୍ରବୋଧ କାରଖାନାରୁ । ନୀଳା ତାକୁ ଯେତେବେଳେ କହିଲା ଜଣେ ତରୁଣୀ ପଞ୍ଜାବମେଲରେ ଯିବା ପୂର୍ବରୁ ତା’ ସହିତ ଦେଖା କରିବାକୁ ଏଠାରେ ବସିଛନ୍ତି, ହରଭଜନ କହିଲା, ‘ତାଙ୍କୁ ବସିବାକୁ କୁହ; ମୁଁ ଦଶମିନିଟ ଭିତରେ ସେଠାରେ ପହଞ୍ଚୁଛି । ସେ ବୋଧହୁଏ ଦିଲ୍ଲୀରୁ ଆସିଛନ୍ତି ।’

 

‘ମୋର ମଧ୍ୟ ସେହି ବିଶ୍ୱାସ, ତେବେ ମୁଁ କିଛି ପଚାରି ନାହିଁ । ମାଧୁରୀ ମଧ୍ୟ ଏଠାରେ ତୁମ ଅପେକ୍ଷାରେ ବସିଛି ।’

 

ହରଭଜନ ଏକଥା ଶୁଣି ଘାବଡ଼େଇଲା ପରି ହୋଇ ଟେଲିଫୋନରେ କହିଲା, ‘ନୀଳା, ତୁମକୁ ଭଗବନାଙ୍କ ରାଣ ମାଧୁରୀକୁ କିପରି ସେଠାରୁ ଖସାଅ, ସେ ଦୁହେଁ ପରସ୍ପର ଭିତରେ କଥାବାର୍ତ୍ତା ହେବାକୁ ଅବସର ଯେପରି ନ ପାଆନ୍ତି । କଥା ପ୍ରକାଶ କରିବାର ସମୟ ଏବେବି ଆସିନାହିଁ । ଆଚ୍ଛା, ଗୋଟାଏ କାମ କର । ମାଧୁରୀକୁ ଏଠାକୁ ପଠେଇ ଦିଅ, ଆଉ ସେ ଭଦ୍ରମହିଳାଙ୍କୁ ସେହିଠାରେ ଅଧଘଣ୍ଟାଏ ଅପେକ୍ଷା କରିବାକୁ କୁହ ।’

 

‘ପ୍ରବୋଧବାବୁ କ’ଣ ସେଠାରେ ନାହାନ୍ତି ।’

 

‘ଅଛନ୍ତି ତ, କିନ୍ତୁ ଗୋଟାଏ ଜଞ୍ଜାଳରେ ପଡ଼ିଯାଇଛନ୍ତି ।’

 

‘ଜଞ୍ଜାଳ କ’ଣ ?’

 

ଏତିକିବେଳେ ହରଭଜନର ଖିଆଲ ହେଲାକି ସେ ବଡ଼ ଭୁଲ କରିଦେଇଛି । ପ୍ରବୋଧର ଜଞ୍ଜାଳ କଥା ନୀଳାକୁ ନକହିବା ଉଚିତ୍‌ ଥିଲା । କିନ୍ତୁ କହୁ କହୁ ତ କହି ପକାଇଛି । ତେଣୁ ଅନନ୍ୟୋପାୟ ହୋଇ ହଠାତ୍‌ ଟେଲିଫୋନଟାକୁ ଥୋଇଦେଲା ।

 

ଏଣେ ନୀଳା ମଧ୍ୟ ଆଶ୍ଚର୍ଯ୍ୟ ହେଲା କିନ୍ତୁ ଟିକିଏ ଭାବି ନିଜ ଦୋକାନକୁ ଆସି ମାଧୁରୀକୁ କହିଲା, ‘ପ୍ରବୋଧବାବୁଙ୍କର ସେଠାରେ କଣ ଟିକିଏ ଗୋଳମାଳ ହୋଇଛି, ହରଭଜନ ସେଇଠି ଅଛନ୍ତି । ତୁମକୁ ସେହିଠାକୁ ସେ ଡାକୁଛନ୍ତି ।’

 

ମାଧୁରୀ ପଦେ କଥା ନକହି ଉଠିପଡ଼ିଲା ଓ ଖଣ୍ଡେ ଟାକ୍‌ସି ଧରି ନିଜ ଭାଇର କାରଖାନାକୁ ଚାଲିଗଲା ।

 

ସେ ଚାଲିଗଲାରୁ ନୀଳା ଅନ୍ୟ ଭଦ୍ରମହିଳାଙ୍କୁ କହିଲା, ‘ଆପଣ ଏଠାରେ ବସନ୍ତୁ, ଅଧଘଣ୍ଟାଏ ଭିତରେ ଡାକ୍ତରବାବୁ ଏଠାରେ ପହଞ୍ଚିବେ ବୋଲି କହିଲେ ।’

 

ନୀଳା ନିଜ କାମରେ ବ୍ୟସ୍ତ ହୋଇ ପଡ଼ିଲା । ସେ କବେଳ ଶିଶୁ ଓ ସ୍ତ୍ରୀ ଲୋକଙ୍କ ଚିକିତ୍ସା କରେ । ଏହି ଦୁଇପ୍ରକାର ରୋଗୀଙ୍କ ସଂଖ୍ୟା ଭାରତରେ ସବୁଠାରୁ ବେଶି । ପରିଣାମରେ ନୀଳାର କାମ ଦିନୁଦିନ ବଢ଼ିବଢ଼ି କ୍ରମେ ଆୟତ୍ତାଧୀନ ଅବସ୍ଥାକୁ ଆସୁଥାଏ ।

 

ହରଭଜନର କାମ ଖୁବ୍‌ କମ୍‌ । ମାସରେ ଗୋଟାଏ ଅଧେ ବଡ଼ ଧରଣର ଅପରେସନ ଆସିଗଲେ ଶହେ ଦୁଇଶ ମିଳିଯାଏ । ଅନ୍ୟ ଦିନମାନଙ୍କରେ ପାଞ୍ଚସାତଟା ମାମୁଲି କଟା ଫୋଡ଼ା କେସ୍‍ ଆସେ । ତେବେ ଦୋକାନ ଖର୍ଚ୍ଚଟା ହରଭଜନର ଉଠିଯାଏ ଯଥା ତଥା । ତା ଛଡ଼ା ମାସେ ଦି ମାସ ହେବ ସେ ଗୋଟାଏ ଜୀବନବୀମା କମ୍ପାନୀର ଡାକ୍ତର ହୋଇଯିବାରୁ ସେଥିରୁ ମଧ୍ୟ ଦେଢ଼ଶ ଦୁଇଶ ପାଉଥାଏ ।

 

କିନ୍ତୁ ନୀଳାର ରୋଜଗାର ଥାଏ ବେଶି । ସେହି ଅନୁସାରେ ତା’ର ଖର୍ଚ୍ଚ ମଧ୍ୟ ଅଧିକ ଥାଏ । ସେ ଖଣ୍ଡେ ଛୋଟ ମଟର ରଖିଥାଏ । ନିଜେ ଚଳାଏ, ତଥାପି ସେ ବାବତ୍‌ ରେ ତା’ର ଦେଢ଼ଶ ଦୁଇଶ ଖର୍ଚ୍ଚ ହୋଇଯାଏ । ପୁଣି ଦୋକାନ ଭଡ଼ା, ଚାକର ନୌକର ଦରମା ଇତ୍ୟାଦି ଖର୍ଚ୍ଚ ତ ଅଛି । ତା’ ଛଡ଼ା ଘରର ଯାବତୀୟ ଖର୍ଚ୍ଚ ମଧ୍ୟ ନୀଳାକୁ ବହନ କରିବାକୁ ପଡ଼େ ।

 

ପ୍ରବୋଧ ପଚାଶ ହଜାର ଟଙ୍କାର ଯନ୍ତ୍ରପାତି କିଣିଛି । ସେ ଏ ଟଙ୍କାକୁ ବାପାଙ୍କଠାରୁ ଧାର ସୂତ୍ରରେ ଆଣିଥାଏ । କାରଖାନା ଭଡ଼ା ପୁଣି ଶ୍ରମିକମାନଙ୍କର ମାସିକ ବେତନ । ଏ ସବୁ ସେଇଥିରୁ ହେଉଥିଲା । ପ୍ରବୋଧର ପୁଣି ନିଜଖର୍ଚ୍ଚ ଅଛି । କାରଖାନା ହେବା ବର୍ଷକରୁ ଅଧିକ ହେଲେ ମଧ୍ୟ ଘରଖର୍ଚ୍ଚ ପାଇଁ ଲାଭରୁ ସେ ଗୋଟାଏ ପଇସା ଦେଇପାରେ ନାହିଁ ।

 

ଯେବେ କାରଖାନା କିପରି ଚାଲୁଛି ବୋଲି ନୀଳା ପଚାରି ବସେ, ସେ କହେ ଯେ, ବର୍ତ୍ତମାନ ନୂଆ କାରଖାନା, ସେଥିରୁ ଲାଭ ହେବାର ସମ୍ଭାବନା କମ୍‌ । ତେଣୁ ବାଧ୍ୟ ହୋଇ ଘରର ଯାବତୀୟ ଖର୍ଚ୍ଚ ନୀଳାକୁ କରିବାକୁ ପଡ଼େ । କାମ ତା’ର ଦିନକୁ ଦିନ ବଢ଼ୁଥାଏ । ତା ସାଙ୍ଗକୁ ରୋଜଗାର ମଧ୍ୟ, ତେଣୁ ଘର ଚଳେଇବାପାଇଁ ଖର୍ଚ୍ଚ କରିବାକୁ ନୀଳାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ନ ଥାଏ ।

 

(୬)

 

ହରଭଜନ ଯେତେବେଳେ ଟେଲିଫୋନରେ କହିଲା ଯେ, ପ୍ରବୋଧ ଗୋଟାଏ ଜଞ୍ଜାଳରେ ପଡ଼ିଯାଇଛି, ନୀଳାର ବଡ଼ ଚିନ୍ତା ହେଲା । ସବୁଦିନେ ଡାକ୍ତରଖାନା କାମସାରି ସେ ବସାକୁ ଚାଲିଯାଏ । ପ୍ରବୋଧ ମଧ୍ୟ ଆଗରୁ ଆସିଥାଏ । ଆଜି କିନ୍ତୁ ସେ ବସାକୁ ସିଧା ନ ଯାଇ ପ୍ରବୋଧର କାରଖାନାକୁ ଗଲା । ସେ ଦେଖିଲା ଯେ କାରଖାନା ବାହାରେ କର୍ମଚାରୀମାନେ ବସି ରହିଛନ୍ତି । ସେ ଭିତରକୁ ଯାଇ ପ୍ରବୋଧ ଘର ଭିତରକୁ ଚାହିଁ ଦେଖେ ଯେ, ପ୍ରବୋଧ କର୍ମଚାରୀମାନଙ୍କ ନେତାଙ୍କ ସହିତ କଣ କଥାବାର୍ତ୍ତା କରୁଛି । ତେଣୁ ସେ ଭିତରେ ନ ପଶି କବାଟର ପରଦା ବାହାରେ ଠିଆ ହେଲା ।’

 

ପ୍ରବୋଧ କିନ୍ତୁ ନୀଳାକୁ ଦେଖିପାରି କହିଲା, ‘ଆଜି କଣ ଖାଇବନାହିଁ ।’

 

‘ସାଙ୍ଗ ହୋଇ ତ ଖାଇବା, ଚାଲ ଯିବା ।’

 

‘ମୋ ନିଜ ଗାଡ଼ି ଅଛି । ମୁଁ ଠିକ୍‌ ବେଳେ ଯାଇ ପହଞ୍ଚିବି । ତୁମେ ଯାଅ ।’

 

‘ନାହିଁ, ସାଙ୍ଗ ହୋଇ ଯିବା ।’ ଏହା କହି ସେ ଗୋଟାଏ ଚୌକି ଟାଣି ବସିଲା ।

 

ପ୍ରବୋଧ କହିଲା, ‘ନୀଳା, ତୁମେ ବର୍ତ୍ତମାନ ଯାଅ, ମୁଁ ଏ ଭଦ୍ରଲୋକଙ୍କ ସାଙ୍ଗେ ଗୋଟାଏ ଗୁରୁତର ବିଷୟର ଆଲୋଚନା କରୁଛି । ମୁଁ ଯାଇ ପାଞ୍ଚମିନିଟରେ ପହଞ୍ଚୁଛି ।’

 

‘ତେବେ ପାଞ୍ଚମିନିଟ ଏହିଠାରେ ଅପେକ୍ଷା କଲେ କ୍ଷତି କଣ ?’

 

‘ଏସବୁ କାରଖାନା କଥାରେ ତୁମର ତ କେବେ ମନ ନ ଥାଏ, ଅକାରଣ କାହିଁକି ମନ ଖରାପ କରିବ ଏ ସବୁ ଶୁଣି ।’

 

‘ଆଜି ଟିକିଏ ମନ ଦିଏ, ଦେଖେ କିପରି କ’ଣ ।’

 

କର୍ମଚାରୀମାନଙ୍କର ନେତା ସେତେବେଳକୁ ବୁଝି ସାରିଲେଣି ଯେ, ଆଜି ଆଉ କଥାବାର୍ତ୍ତା ହେବା ସମ୍ଭବ ନୁହେଁ । ତେଣୁ ସେ ଉଠି ଠିଆହୋଇ କହିଲେ, ‘ପ୍ରବୋଧବାବୁ ! ଶେଷ କଥାବାର୍ତ୍ତା କାଲି ହେବା । କାଲି ମଧ୍ୟ ହରତାଳ ଚାଲୁ ରହିବ ।

 

‘ନାହିଁ, ଏହାର ଶେଷ ନିଷ୍ପତ୍ତି ମୁଁ ଆଜି କରିବି । ଆପଣ ଅଢ଼େଇଟା ବେଳକୁ ଆସନ୍ତୁ । ସେତିକିବେଳେ ଶେଷ କଥାବାର୍ତ୍ତା କରିବା ।’

 

‘ସନ୍ଧ୍ୟାକୁ ମୋର କାମ ଅଛି । ମୁଁ ଆସି ପାରିବିନାହିଁ ।’

 

ଏତିକିବେଳେ ନୀଳା ପ୍ରବୋଧକୁ ପଚାରିଲା, ‘ଏ ଭଦ୍ରଲୋକଙ୍କ କାମ କ’ଣ ?’

 

‘ସେ ଅଟୋମୋବାଇଲ କାରଖାନା ଶ୍ରମିକ ସଂଘର ସଞ୍ଚାଳକ । ଏହାଙ୍କ ନାମ ଶ୍ରୀ ଶିଶିରକୁମାର ବାନର୍ଜି ।’

 

‘ଆପଣ କେଉଁ କମ୍ପାନୀରେ କାମ କରନ୍ତି ?’

 

‘ସେ କାମ କରନ୍ତି ନାହିଁ, ଇଉନିୟନର ସେ କର୍ମକର୍ତ୍ତା ।’

 

‘ଆପଣ କି କାମ କରନ୍ତି ?’

 

ଶିଶିରକୁମାର ଉତ୍ତର ଦେଲେ, ‘କର୍ମଚାରୀଙ୍କ ସେବା ହେଲା ମୋର ଏକମାତ୍ର କାମ ।’

 

‘ଓଃ ବୁଝିଲି, ଆପଣ ଏଜିଟେଟରଙ୍କ ଦଳର ଲୋକ ।’

 

ଏ ଶବ୍ଦରେ ଯେପରି ଗୋଟିଏ ବ୍ୟଙ୍ଗ ଭରିରହିଥିଲା । ‘ମୁଁ ବାସ୍ତବିକ ଏଜିଟେଟର, କିନ୍ତୁ ଏଜିଟେଶନ କରିବା ଆମର କାମ ନୁହେଁ ।’

 

‘ହରତାଳର ଇତିହାସ ଜଣାପଡ଼ିଲେ ଏହା ବୁଝାପଡ଼ିବ । ଚାଲନ୍ତୁ ପ୍ରବୋଧବାବୁ ! କାଲି ଏହାଙ୍କ ସଙ୍ଗେ କଥାବାର୍ତ୍ତା ହେବେ ।’

 

‘ନୀଳା, ତୁମର ଏହା ଜାଣିବା ଉଚିତ ଯେ, ପ୍ରତିଦିନ ଅତି କମ୍‌ରେ ତିନିଶଟଙ୍କା ଏ ହରତାଳ ଯୋଗୁ କ୍ଷତି ହେଉଛି । କେତେ କଷ୍ଟରେ ଗୋଟାଏ ଗୋଟାଏ ଦିନ ବିତୁଛି ।’

 

‘କେତେଦିନ ହେଲା ଏ ହରତାଳ ଚାଲୁଛି ।’

 

‘ଏକମାସରୁ ଅଧିକ ହେଲାଣି ।’

 

‘ଯେତେବେଳେ ଏତେଟଙ୍କା ଲୋକସାନ ହେଲାଣି, ଆଉ ହୋଇ ହୋଇ ତିନିଶଟଙ୍କା ଲୋକସାନ ହେବ; ଚାଲନ୍ତୁ, ଭାରି ଭୋକହେଲାଣି ।’

 

ପ୍ରବୋଧ ମଧ୍ୟ ଉଠିଲା ଓ ତିନିଜଣଯାକ କାରଖାନା ବାହାରକୁ ଆସିଲେ । ନୀଳା ମଟରରେ ହିଁ ଆଜି ପ୍ରବୋଧ ଗଲା । ବାଟରେ ନୀଳା କହିଲା, ମୁଁ ହରଭଜନକୁ ଖୋଜୁଥିଲି । ଯେଉଁଠି ଯେଉଁଠି ସେ ଥିବ ବୋଲି ଭାବୁଥିଲି ସେ ସବୁ ଜାଗାକୁ ଟେଲିଫୋନ କରୁଥିଲି । ଶେଷରେ ପାଇଲି ତାକୁ ତୁମ କାରଖାନାରେ । ସେ କହିଲା, ତୁମେ ଗୋଟାଏ ଗଣ୍ଡଗୋଳରେ ପଶିଯାଇଛ ବୋଲି । ତେଣୁ ମୁଁ ଭାବିଲି, ନିଜେ ଯାଇଁ ଦେଖେ ଗଣ୍ଡଗୋଳଟା କଅଣ, ଯାହାବିଷୟରେ ମୋତେ ଜଣାନାହିଁ, ଅଥଚ ହରଭଜନକୁ ଜଣାଅଛି । ମୁଁ ଜାଣିବାକୁ ଚାହେଁ, ଏ କାରଖାନାରେ ହରଭଜନର ଏପରି କ’ଣ ଅଧିକାର ଅଛି ଯେ, ସେ ମୋଠାରୁ ଏ ବିଷୟରେ ବେଶି ଜାଣିବାକୁ ପାଉଛି । ହରଭଜନର କ’ଣ ଅଧିକାର ଅନଧିକାର ସେକଥା ପରେ ହେବ । ତେବେ ଗଣ୍ଡଗୋଳଟା ଏତେଦୂର ଆଗେଇଯିବା ପୂର୍ବରୁ ଅନ୍ତତଃ ମୋର ଜାଣିବାର ଉଚିତ ଥିଲା ଏ ବିଷୟରେ ।’

 

‘ନୀଳା, ମୁଁ କାରଖାନାର ଏ ଗଣ୍ଡଗୋଳ ଭିତରେ ଜାଣି ଶୁଣି ତୁମକୁ ପଶିବାକୁ ଦେଇନି-। ମୁଁ ନିଜେ ନିଜେ ଏହାର ସମାଧାନର ଗୋଟାଏ ବ୍ୟବସ୍ଥା କରିବାକୁ ଚେଷ୍ଟାକରୁଛି ।’

 

‘କାରଖାନାର ଲାଭ ବା ଲୋକସାନ ସହିତ କ’ଣ ମୋର କିଛି ସମ୍ବନ୍ଧ ନାହିଁ ? ତାହାହେଲେ ହରଭଜନର କି ସମ୍ବନ୍ଧ ଅଛି ଏହା ସହିତ ।’

 

‘ଘଟଣା କ’ଣ କି କାରଖାନା ତିଆରି ପାଇଁ ବାବାଙ୍କଠାରୁ ପଚାଶ ହଜାର ଟଙ୍କା ତ ଆଣିଥିଲି । ଆହୁରି ଟଙ୍କା ଦରକାର ହେବାରୁ ବ୍ୟାଙ୍କରୁ ଆଣିଥିଲି । ବ୍ୟାଙ୍କ ଆଉ ବେଶି ଦେବାକୁ ମନାକରିବାରୁ ହରଭଜନର ମାମୁଁଙ୍କଠାରୁ ଦଶହଜାର ଟଙ୍କା ଧାର ଆଣିଛି ।’

 

‘ଅଧିକ ଶ୍ରମିକ ବଢ଼ାଇବାକୁ ନାଁ କାରଖାନା ଚଳେଇବାକୁ କାହାପାଇଁ ଏ ଟଙ୍କା ଧାରକଲ ।’

 

‘ସେ ଏକକଥା । ବାବାଙ୍କ ଟଙ୍କା ଓ ବ୍ୟାଙ୍କରୁ ଆଣିଥିବା ଟଙ୍କା ଖର୍ଚ୍ଚ ହୋଇସାରି ଆଉ ଦରକାର ପଡ଼ିବାରୁ ହରଭଜନର ମାମୁଁଙ୍କଠାରୁ ଟଙ୍କା ଆଣିଛି ।’

 

‘ବାବାଙ୍କୁ ଏ ହରତାଳ କଥା ଜଣାଅଛି ?’

 

‘ବାବାଙ୍କୁ ବା ବ୍ୟାଙ୍କକୁ ଏ ହରତାଳ କଥା ଜଣାଇନାହିଁ ।’

 

‘ଏହା ଠିକ୍‌ ହେଲାନାହିଁ । ଯାହାଠାରୁ ଦଶହଜାର ଆଣିଛନ୍ତି ସେ ଖବର ପାଇଲା ଅଥଚ ଯାହାଠାରୁ ପଚାଶହଜାର ଆଣିଛ ତାଙ୍କୁ ଖବର ଦିଆଗଲାନାହିଁ ?

 

‘କଥା କ’ଣ କି, ମୁଁ ମୋ କାରଖାନାର ଶ୍ରମିକମାନଙ୍କୁ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବାବଦରେ ବହୁତ ଦେଇଛି । ଏ ବର୍ଷର ହିସାବ ଶେଷରେ ଦେଖାଗଲା ଯେ ଲାଭ କେବଳ ନାମମାତ୍ର ହୋଇଛି । ହରଭଜନ ମୋତେ ଏବିଷୟରେ ପରାମର୍ଶ ଦେଲା ଯେ, ଦରମା ଭତ୍ତା ବାବଦରୁ ଟିକିଏ କମେଇ ଦିଆଯାଉ । ତେଣୁ ମୁଁ ଦରମା ଭତ୍ତାହାର ଶତକଡ଼ା କୋଡ଼ିଏ କମେଇ ଦେଲି ଆଉ କାରଖାନାର କାମ ସମୟ ମଧ୍ୟ ଘଣ୍ଟାଏ ବଢ଼ାଇ ଦେଲି । କର୍ମଚାରୀମାନେ ପ୍ରଥମେ ନୋଟିସ ଦେଲେ ଓ ପରେ ପରେ ହରତାଳ କରିଦେଲେ । ନୋଟିସ ଦେବା ସମୟ ଓ ହରତାଳ କରିବା ବେଳେ ମଧ୍ୟ ମୁଁ ପ୍ରତ୍ୟେକ କର୍ମଚାରୀଙ୍କୁ ଡାକି ଗୋଟି ଗୋଟି କରି ବୁଝାଇଲି ଯେ, ଦରମା କମେଇଲେ ସୁଦ୍ଧା ସେମାନଙ୍କ ଦରମା ଅନ୍ୟାନ୍ୟ କାରଖାନାର ଶ୍ରମିକମାନଙ୍କର ଦରମାଠାରୁ ବେଶି-। କିନ୍ତୁ ସେ କଥା କେହି ନ ଶୁଣି ହରତାଳ ଆରମ୍ଭ କଲେ ଓ ତାହା ମଧ୍ୟ ଚାଲୁ ରଖିଲେ ।’

 

‘କିନ୍ତୁ ଆପଣଙ୍କ ଏହା ବୁଝିବା ଉଚିତ ଥିଲା ଯେ, କାରଖାନାର ଶ୍ରମିକମାନଙ୍କ ଦରମା କମେଇବା, ଫଳରେ ହରତାଳ ହେବା, ଏ କଥା ବିଷୟରେ ହରଭଜନ ସଙ୍ଗେ କଥାବାର୍ତ୍ତା କଲେ, ଆଉ ବାବାଙ୍କ ପରାମର୍ଶ ନେବା ତ ଦୂରର କଥା, ତାଙ୍କୁ ଘୁଣାକ୍ଷରରେ ମଧ୍ୟ ଏ କଥା ଜଣାଇଲ ନାହିଁ-।’

 

‘ସେ ଓକିଲ ଏବଂ ତାଙ୍କର ମତିଗତି ବୁର୍ଜୁୟା ଧରଣର । ତାଙ୍କ ସହିତ କଥାବାର୍ତ୍ତା କଲେ ଗଣ୍ଡଗୋଳର ସମାଧାନ ଦୂରେ ଥାଉ ଆହୁରି ବଢ଼ିଯାଇଥାନ୍ତା ।’

 

‘ତେବେ ବର୍ତ୍ତମାନ କଣ ଘଟଣାର ସମାଧାନ ହୋଇଗଲା ?’

 

‘ବାସ୍ତବିକ କିଛି ସମାଧାନ ହୋଇନାହିଁ । ଦରମାକଟା ନେଇ ଏଇ ମାସେହେବ ହରତାଳ ଚାଲିଛି । ତା’ ଉପରେ ଶିଶିରକୁମାର ମଧ୍ୟ ଲାଭ ଉଠେଇବାକୁ ବସିଛି ।’

 

‘ତେବେ କେଉଁ ପ୍ରକାରରେ ସମାଧାନର କଥାବାର୍ତ୍ତା ହେଉଛି ?’

 

‘କାମ କରିବାର ସମୟ ବଢ଼େଇ..... ।’

 

‘କିନ୍ତୁ କେତେ ଘଣ୍ଟା କାମ କରିବାକୁ ହେବ ସେ ବିଷୟ ତ ଆଇନରେ ଠିକଣା ହୋଇଛି-।’

 

‘କିନ୍ତୁ ମୁଁ ସେ ବିଷୟରେ ଗୋଟାଏ ଆପୋସି ସର୍ତ୍ତ ରଖିଥିଲି ।’

 

‘ଫଳରେ ଗତବର୍ଷ କେତେ ଲାଭ କଲେ ?’

 

‘ମୋଟେ ପାଞ୍ଚଶ ପଞ୍ଚାବନ ଟଙ୍କା ।’

 

‘ଆପଣଙ୍କ ଦରମା ବାବତକୁ କେତେ ନେଇଛନ୍ତି ?’

 

‘ବେତନ ନେଇନାହିଁ, କାରଣ ମାଲିକ କେବଳ ଲାଭର ଅଧିକାରୀ, ବେତନର ଅଧିକାରୀ ନୁହନ୍ତି ।’

 

‘ତେବେ ବୁଝିବାକୁ ହେବ ଯେ, ଗଲାବର୍ଷ କାରଖାନାରେ କ୍ଷତି ହୋଇଛି ।’

 

‘ହଁ, ଅସଲ କଥା ହେଉଛି ସେହି ।’

 

‘ତେବେ ବର୍ତ୍ତମାନ ଗଣ୍ଡଗୋଳଟା କେଉଁଠି ?’

 

‘କହିଲି ତ ସେମାନେ ଦରମା ବା ଅନ୍ୟ ସୁବିଧା କଥା ଧରୁନାହାନ୍ତି । ସମୟ ବଢ଼ାଇ ଦିଆଯାଇଥିଲା । ବୋଲି ବୋନସ ଦାବୀ କରୁଛନ୍ତି ।’

 

‘ବୋନାସ୍‌ ! ଲାଭ ନାହିଁ ତ ବୋନସ ପୁଣି କଣ ?’

 

‘ସେମାନେ ଲାଭପାଇଁ ବୋନସ ଦାବୀ କରୁନାହାନ୍ତି । ଅଧିକ ସମୟ କାମକରିଥିବାରୁ ସେମାନଙ୍କୁ ଉତ୍ସାହିତ କରିବାପାଇଁ ବୋନସ ଦାବୀ କରୁଛନ୍ତି ।’

 

‘ମୁଁ ବୁଝୁଛି, ବର୍ତ୍ତମାନ ଅବସ୍ଥାର ସବୁବିଷୟ ବାବାଙ୍କୁ ଜଣାଇ ଦେବା ଉଚିତ୍‌ ।’

 

‘ସେ ମୋ ମନର କଥା ବୁଝିବେ ନାହିଁ ।’

 

‘ବୁଝନ୍ତୁ ବା ନ ବୁଝନ୍ତୁ, ଯେତେବେଳେ ତାଙ୍କ ଟଙ୍କାରେ କାରଖାନା ତିଆରି ହୋଇଛି, ସବୁକଥା ତାଙ୍କୁ ଜଣାଇବା ଦରକାର ।’

 

(୭)

 

ସନ୍ଧ୍ୟାକୁ ପ୍ରବୋଧ କାରଖାନାକୁ ଗଲାନାହିଁ । ସେ ବାବାଙ୍କୁ କାରଖାନା ବିଷୟ ଜଣାଇବ ବୋଲି ଗଲା । ପିତା ପ୍ରଭୁଦୟାଲ୍‌ ସବୁ ଶୁଣି କହିଲେ, ‘ତୁମର କାରଖାନା ହିସାବପତ୍ର ନଦେଖି ମୁଁ ଏ ବିଷୟରେ କିଛି ମତ ଦେଇ ପାରୁନାହିଁ । ତୁମ କାରଖାନାର କାମ ଦେଖି ମୁଁ ତ ଭାବୁଥିଲି ଅତି କମ୍‌ରେ ତୁମର କୋଡ଼ିଏ ହଜାର ଟଙ୍କା ଲାଭ ହେବ ବୋଲି । କିନ୍ତୁ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଲାଭଜାଗାରେ ତୁମର କ୍ଷତି ହୋଇଛି ।’

 

ହିସାବପତ୍ର ସଂକ୍ରାନ୍ତୀୟ କାଗଜପତ୍ର କାରଖାନାରେ ଥିଲା । ତେଣୁ ବାପପୁଅ ଦୁହେଁ କାରଖାନାକୁ ଆସିଲେ । କାରଖାନା ବାହାରେ କର୍ମଚାରୀମାନେ ଧର୍ମଘଟ କରି ଧାରଣା ଦେଇ ପଡ଼ିରହିଥିଲେ । ପ୍ରଭୁଦୟାଲ୍‌ ସେମାନଙ୍କୁ ଦେଖି ପଚାରିଲେ, ‘ଏମାନେ କିଏ ?’

 

‘ଏମାନେ କାରଖାନା କର୍ମଚାରୀଙ୍କ ମଧ୍ୟରୁ କେତେକ ।’

 

‘ଏଠାରେ ଏମାନେ କ’ଣ କରୁଛନ୍ତି ?’

 

‘ଧାରଣା ଦେଇ ବସିଛନ୍ତି ଯେପରି ଅନ୍ୟ କେହି କର୍ମଚାରୀ କାରଖାନା ଭିତରକୁ ନ ଆସନ୍ତି ।’

 

‘ତେବେ କଣ କେହି ଆସିବାକୁ ଚେଷ୍ଟା କରୁଚନ୍ତି ?’

 

‘ମୁଁ ଜାଣିନାହିଁ ।’

 

‘ନିଶ୍ଚୟ କେହି କରୁଥିବେ’, କହି ପ୍ରଭୁଦୟାଲ ସେମାନଙ୍କ ଭିତରୁ ଜଣକୁ ଡାକି ପଚାରିଲେ, ‘ଏଠାରେ କଣ କରୁଛ ?’

 

‘କେହି କାରଖାନା ଭିତରକୁ କାମ କରିବାକୁ ନ ଯାଆନ୍ତୁ ବୋଲି କହିବାକୁ ଏଠାରେ ବସିଛୁ ।’

 

‘କିନ୍ତୁ କାରଖାନା ତ ବନ୍ଦ, କିଏ କାମ କରିବାକୁ ଆସୁଛି ?’

 

‘କେଜାଣି, କାଳେ କେହି ଆସିଯିବେ ।’

 

ପ୍ରଭୁଦୟାଲ କାରଖାନା ଭିତର ଅଫିସ ଘର ଭିତରକୁ ଯାଇଁ କହିଲେ, ‘ପ୍ରବୋଧ ! ମୁଁ ଜାଣିଥିଲି ତୁ ବହୁତ ଚାଲାକ ଲୋକ । ତୁ ଏ ଧର୍ମଘଟ ଭାଙ୍ଗି ସାରନ୍ତୁଣି । ଏମାନଙ୍କ ଏଠାରେ ଧାରଣା ଦେବାରୁ ମୁଁ ଜାଣୁଛି, କେତେକ କର୍ମଚାରୀ ଅଛନ୍ତି ଯେଉଁମାନେ କି କାମ କରିବାକୁ ଇଚ୍ଛା କରନ୍ତି । ତୁ ଯଦି ଟିକିଏ ବୁଦ୍ଧି କରିଥାନ୍ତୁ ଏ ଧର୍ମଘଟ କେବେଠୁଁ ଭାଙ୍ଗି ଯାଆନ୍ତାଣି । କେବେଠୁଁ ଏ ଧାରଣାଦେବା ଚାଲିଛି ?’

 

‘ଧର୍ମଘଟ ହେବାର ୩/୪ ଦିନ ପରଠାରୁ ଏହା ଚାଲିଛି ।’

 

‘ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଏ ଧର୍ମଘଟରେ ସବୁ କର୍ମଚାରୀ ଏକମତ ନୁହନ୍ତି । କେତେକ ଏହା ନ୍ୟାୟସଙ୍ଗତ ନୁହେଁ ବୋଲି ଏବେ ବି ବିଶ୍ୱାସ କରୁଛନ୍ତି ।’

 

ପ୍ରଭୁଦୟାଲ କାରଖାନାର ଜମାଖର୍ଚ୍ଚର ଖାତା ଦେଖିଲେ । କର୍ମଚାରୀଙ୍କ ହାଜିରା ବହି ପ୍ରଭୃତି ଦେଖି କେତେକ କଥା ନୋଟ୍ କରି ନେଲେ ।

 

କାରଖାନାରୁ ପ୍ରବୋଧକୁ ସାଙ୍ଗରେ ନେଇ ପ୍ରଭୁଦୟାଲ ନୀଳାର ଡାକ୍ତରଖାନାରେ ପହଞ୍ଚିଲେ । ସେତେବେଳକୁ ସନ୍ଧ୍ୟା ସାତ ହେଲାଣି । ରୋଗୀଙ୍କ ଭିଡ଼ ସେଠାରେ ଲାଗିଛି । ତେଣୁ ସେ ହରଭଜନ ସିଂ ଆଡ଼କୁ ଗଲେ । ହରଭଜନ ତାଙ୍କୁ ଦେଖି ପ୍ରବୋଧକୁ ପଚାରିଲା, ‘କଥା କ’ଣ-?’

 

‘କିଛି ତ ହୋଇନାହିଁ ଏତେବେଳଯାଏ ।’

 

ହରଭଜନ ଏହାଶୁଣି କହିଲା, ‘ମୋର ମତ କାରଖାନା ପୂରାପୂରି ବନ୍ଦ ରଖାଯାଉ । ଏପରି ହୋଇ କାରଖାନା ଚଳିପାରିବ ନାହିଁ ।’

 

‘ପ୍ରଭୁଦୟାଲ ପଚାରିଲେ, ‘ତୁମେ କଣ ଦୋଷ ଦେଖୁଛ ?’

 

ପ୍ରବୋଧବାବୁ ଏହି କାରଖାନା ଚଳେଇବା ପାଇଁ ଗୋଟାଏ ଉପଦେଷ୍ଟା କମିଟି କରିଛନ୍ତି-। ସେଥିରେ କର୍ମଚାରୀମାନଙ୍କ ମଧ୍ୟରୁ ମଧ୍ୟ ପ୍ରତିନିଧି ଅଛନ୍ତି । ଏହି କମିଟିରେ ବହୁମତରେ ସମର୍ଥିତ ନ ହେଲେ କୌଣସି କର୍ମଚାରୀକୁ ରଖିବା ବା ବାହାର କରିବା ସମ୍ଭବ ନୁହେଁ-। କାହାରି ଦରମା ବଢ଼େଇବା ବା କମେଇବା ବା ଛୁଟି ମଞ୍ଜୁର କରିବା ନ କରିବା ସେହି କମିଟିରେ ବହୁମତରେ ସମର୍ଥିତ ହେବା ଦରକାର । ଏହି କମିଟିଗଠନ ହିଁ କାରଖାନା ଫେଲ୍‌ ମାରିବାର ପ୍ରଧାନ କାରଣ ହୋଇଛି ।’

 

ପ୍ରବୋଧ କହିଲା, ‘ଏହା ସତ୍ତ୍ୱେ ମୁଁ ତ ପ୍ରତ୍ୟେକ କାର୍ଯ୍ୟର ସୂଚନା ଦେଉଥିଲି ।’

 

ପ୍ରଭୁଦୟାଲ ପଚାରିଲେ, ‘କାରଖାନାର ମେନେଜର କିଏ ?’

 

‘ସେହି କମିଟି ।’

 

‘ମୁଁ ତ ଟଙ୍କା କମିଟିକୁ ଦେଇ ନ ଥିଲି । ମୋତେ ନପଚାରି ଏ କମିଟି ହାତରେ ପରିଚାଳନା ଭାର ଦେଇଦେଲ କିପରି ?’

 

‘ଆପଣଙ୍କ ଟଙ୍କାତ ମେସିନ କିଣାରେ ଲାଗିଛି । ତା’ର ତ କିଛି କ୍ଷତି ହୋଇନାହିଁ ।’

 

‘ମୁଁ ସେ କଥା କହୁନାହିଁ । ସେ କମିଟି ମୋ ଟଙ୍କାକୁ ନେଇ ଖେଳିବାର ଅଧିକାର କାହାଠାରୁ ପାଇଲେ ?’

 

‘ମୋର ବିଶ୍ୱାସ ଥିଲା କର୍ମଚାରୀଙ୍କୁ ନେଇ ଗୋଟିଏ କମିଟି କଲେ ସେମାନଙ୍କ ଯୋଗ୍ୟତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ କାରଖାନାର ମଧ୍ୟ ଉନ୍ନତି ହେବ ।’

 

‘ବର୍ତ୍ତମାନ କ’ଣ ତୁମର ଏହି ବିଚାର ?’

 

‘ଗଲାବର୍ଷ ତ ଅଭିଜ୍ଞତା ନ ଥିଲା କାରଖାନା ଚଳେଇବାରେ; ତେଣୁ ଲୋକସାନ୍‌ ହୋଇଥିଲା । ଏ ବର୍ଷ ଦେଖୁଛି କ୍ଷତିର ସମ୍ଭାବନା ନାହିଁ ।’

 

‘ଦେଖ ପ୍ରବୋଧ, ସଂସାରରେ ଅଭିଜ୍ଞତା ଥିବା ଲୋକଙ୍କର ଅଭାବନାହିଁ । ତା’ ସତ୍ତ୍ୱେ ଅନଭିଜ୍ଞଲୋକଙ୍କୁ ନେଇ କାମ କରେଇବା ଏକ ଅପରାଧ । ଅଭିଜ୍ଞତା ହିଁ ଅଧିକାରର ଆଧାର । କେବଳ ଅଭିଜ୍ଞ ଲୋକକୁ ଅଧିକାର ଦେବାର ଥିଲା ।’

 

‘ମୁଁ କାରଖାନାର ବର୍ତ୍ତମାନ ଅବସ୍ଥା ଦେଖି ଯାହା ବୁଝୁଛି ସେଥିରେ ଏହାକୁ ତୁରନ୍ତ ବନ୍ଦକରିଦେବାକୁ ହେବ । ଏଥିପାଇଁ ଯଥାବିଧି ନୋଟିସ ଦେଇ ଦିଆଯିବ । ଉପଯୁକ୍ତ ଅଭିଜ୍ଞ ଅଧିକାରୀ ମିଳିଲେ ଯାଇଁ କାରଖାନା ଖୋଲାଯିବ ।’

 

‘ଏଥିରୁ ଭାରି ଅନର୍ଥ ଉପୁଜିବ ।’ ପ୍ରବୋଧ କହିଲା ।

 

‘ମୁଁ ଆଇନ ଦୃଷ୍ଟିରୁ କେଉଁଟା ସମ୍ଭବ, କେଉଁଟା ଅସମ୍ଭବ ତାହା ବିଚାର କରିବି । ଏପରିଭାବରେ ଆଉ କାରଖାନା ଚଳିପାରିବ ନାହିଁ । ଯଦି କିଛି ଦେଣା ଥାଏ ମୁଁ ତାହା ପରିଶୋଧ କରିବି । କିନ୍ତୁ ଏ କଥା ସତ ଯେ ପରିଚାଳନାର ଧାରା ନ ବଦଳିବା ପର୍ଯ୍ୟନ୍ତ କାରଖାନା ଆଉ ଖୋଲିବ ନାହିଁ ।’

 

ସେତେବେଳକୁ ରୋଗୀଦେଖାକାମ ସାରି ନୀଳା ମଧ୍ୟ ଆସି କଥାବାର୍ତ୍ତାରେ ଯୋଗ ଦେଲାଣି । ପ୍ରଭୁଦୟାଲ କହିଲେ, ‘ମୁଁ କାରଖାନା ଦେଖି ଆସିଲି । ମୋର ଯାହା ବିଶ୍ୱାସ କାରଖାନାର ଆର୍ଥିକ ଅବସ୍ଥା ଖୁବ୍‌ ଖରାପ । କାରଖାନାର ଦେଣା ସୁତରି ହଜାରକୁ ସମ୍ପତ୍ତି ଅଣସ୍ତରି ହଜାର । ଅର୍ଥାତ୍‌ ହଜାର ଟଙ୍କା କ୍ଷତି ହେଲାଣି ।’

 

‘ମୁଁ ନିଜେ ଯେଉଁ ଦେଢ଼ହଜାର ଟଙ୍କା ସେଥିରୁ ନେଇଛି, ଆପଣ ତ ତାହାର ହିସାବ କରିନାହାନ୍ତି ।’

 

‘ସେମିତି ମୁଁ ଯେଉଁ ଟଙ୍କା ଦେଇଛି ତା’ର ସୁଧ ତ ହିସାବ ହୋଇନାହିଁ ।’

 

‘ମାଲିକର ଟଙ୍କା ଉପରେ ସୁଧ ହିସାବ ହୁଏ ନାହିଁ ।’

 

‘ଆଚ୍ଛା ହେଲା, ତାହେଲେ ପାଞ୍ଚଶ ଟଙ୍କା ଲାଭ ଏବେ କେଉଁ ବଡ଼ କଥାଟାଏ ହେଲା ।’

 

ନୀଳା କହିଲା, ‘ହଁ, ଏ କଥା ସତ ଯେ କାରଖାନାର ଅବସ୍ଥା ମୋଟେ ଭଲ ନୁହେଁ । ବର୍ତ୍ତମାନ ପ୍ରଶ୍ନ ହେଉଛି ଏପରି ଅବସ୍ଥା କାହିଁକି ହେଲା ତାହା ବିଚାର କରାଯାଉ ଓ ତା’ର ପ୍ରତିକାରର ବ୍ୟବସ୍ଥା ହେଉ ।’

 

ପ୍ରଭୁଦୟାଲ କହିଲେ, ‘ମୁଁ ଏହାର କାରଣ ଓ ପ୍ରତିକାର ସବୁ ଚିନ୍ତାକରି ସାରିଲିଣି । କାରଣ ହେଲା ପ୍ରବୋଧକୁ ବ୍ୟବସାୟ ଭଲ ଭାବରେ ଜଣାନାହିଁ । ତେଣୁ ପ୍ରତିକାର ସ୍ୱରୁପ ଏ କାରାଖାନାକୁ ଜଣେ ପକ୍‌କା ବ୍ୟବସାୟୀକୁ ବିକି ଦିଆଯାଉ ଓ ପ୍ରବୋଧ ସେଥିରେ ଚାକିରି କରୁ ।

 

ଏ କଥା ଶୁଣି ନୀଳା ଓ ହରଭଜନ ପରସ୍ପରର ମୁହଁକୁ ଚାହିଁଲେ । ସେମାନଙ୍କ ଅବସ୍ଥା ଦେଖି ପ୍ରଭୁଦୟାଲ ପୁଣି କହିଲେ, ‘ମୁଁ ଜାଣେ ଏ କଥା ଶୁଣି ପ୍ରବୋଧ କ’ଣ ଭାବୁଛି । ସେ ଭାବୁଛି ମୁଁ ଜଣେ ରକ୍ଷଣଶୀଳ ବୁର୍‌ଜୁଆ ମନୋଭାବର ଲୋକ । ଅର୍ଥକୁ ମୁଁ ମାନବିକତାଠାରୁ ଉଚ୍ଚ ବୋଲି ମନେକରେ । କ’ଣ ପ୍ରବୋଧ ! ମୁଁ ଯାହା କହିଲି ତାହା ସତ ତ ?

 

ପ୍ରବୋଧ ସାହସ କରି କହିଲା, ‘ସବୁ କିନ୍ତୁ ସତ ନୁହେଁ । ଟଙ୍କା ପଇସାର ସୁରକ୍ଷାର ସୁନ୍ଦର ବ୍ୟବସ୍ଥା ତ ଆପଣ କହିଲେ । କିନ୍ତୁ କାରଖାନାରେ ଯେଉଁ ଶ୍ରମିକମାନେ କାମ କରୁଛନ୍ତି ଓ ସେମାନଙ୍କ ପିଲାଛୁଆଙ୍କର ଅବସ୍ଥା କ’ଣ ହେବ ସେ କଥା ତ ଭାବିଲେ ନାହିଁ ।’

 

‘ପ୍ରଥମେ ତ ମୁଁ ତୁମକଥା ବିଚାର କଲି । ସତ କହିଲ, ତୁମେ ସତୁରି ଅଶୀ ହଜାର ଟଙ୍କା କ୍ଷତିରେ ପଡ଼ିନାହଁ କି ? ତୁମେ ଏ କାମର ଅଯୋଗ୍ୟ କି ନୁହଁ ? ମୋର ବିଶ୍ୱାସ ଏ ଲୋକମାନେ ସମୁଦ୍ରରେ ପହଁରି ନଜାଣି, ସମୁଦ୍ର ବାଲିର ଦୋଷ ଦେଉଛନ୍ତି । ଯେଉଁମାନେ କୌଣସି ସ୍ୱତନ୍ତ୍ର କାର୍ଯ୍ୟ ଜାଣିନାହାନ୍ତି, ସେହିମାନେ ହିଁ କେବଳ ଚାକିରୀପାଇଁ ଚେଷ୍ଟା କରନ୍ତି । ଯାହାର ବ୍ୟକ୍ତି ବା ମନୁଷ୍ୟଠାରେ ବିଶ୍ୱାସ ନାହିଁ, ସେ ସମାଜବାଦର ଆଶ୍ରା ନେଇ ବ୍ୟକ୍ତି ବିଶେଷଙ୍କର ସ୍ୱତନ୍ତ୍ରତା ନାଶ କରିଦେବାକୁ ଇଚ୍ଛା କରେ । ଏ ସବୁ କାମର ଫଳ ହେବ ଏହା ଯେ ସମୁଦ୍ର ତ ଶୁଖିବ ନାହିଁ, କିନ୍ତୁ ସମୁଦ୍ରରେ ପହଁରି ଜାଣି ନଥିବା ଲୋକ ରତ୍ନ ମଧ୍ୟ ପାଇପାରିବନାହିଁ । ସ୍ୱତନ୍ତ୍ର କାର୍ଯ୍ୟ ତ ଚାଲିବ, ଆଉ ଚାକିରୀପାଇଁ ଇଚ୍ଛା କରୁଥିବା ଲୋକଙ୍କୁ ଚାକିରୀ ମିଳିବ, ଦାସତ୍ୱ ମଧ୍ୟ ମିଳିବ । ଏହିପ୍ରକାରେ ପୃଥିବୀରୁ ମାନବିକତା ତ ଲୋପ ପାଇବ ନାହିଁ, ବରଂ ସମାଜବାଦରେ ଆଶ୍ରୟ ନେଇଥିବା ଲୋକେ ନିଜେ ନିଜେ ପତିତ ହୋଇଯିବେ ।

 

(୮)

 

ପରଦିନ ଦେଖାଗଲା କାରଖାନା ଦୁଆରେ ଗୋଟାଏ ବିଜ୍ଞାପନ ମରାଯାଇଛି । ଯେଉଁ କର୍ମଚାରୀମାନେ ଧାରଣା ଦେବାକୁ ଆସିଥିଲେ ସେମାନେ ତାକୁ ପଢ଼ି ଚକିତ ହୋଇଗଲେ । ସେଥିରେ ଲେଖାଥିଲା, ‘ଏ କାରଖାନା କ୍ରମେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ବିକ୍ରି କରି ଦିଆଯିବ । ସବୁ କର୍ମଚାରୀମାନଙ୍କୁ ଅନୁରୋଧ ସେମାନେ କାରଖାନାର ମାଲିକ ଶ୍ରୀମାନ୍‌ ପ୍ରବୋଧ ଚନ୍ଦ୍ରଙ୍କ ସହିତ ସାକ୍ଷାତକରି ନିଜନିଜର ହିସାବ କରି ପ୍ରାପ୍ୟ ନେଇଯାଆନ୍ତୁ ।’

 

ୟୁନିୟନର ମୁଖ୍ୟଙ୍କ ପାଖରେ ଏ ଖବର ପହଞ୍ଚିବା ସଙ୍ଗେ ସଙ୍ଗେ ସେ ତୁରନ୍ତ ସେଠାରେ ଆସି ପହଞ୍ଚିଗଲେ । ପ୍ରବୋଧ ସେଠାରେ ନଥିଲା; କାରଖାନା ମଧ୍ୟ ତାଲା ବନ୍ଦ ଥିଲା । ଇଉନିୟନର କର୍ତ୍ତା ସବୁ ଶ୍ରମିକମାନଙ୍କୁ ସେହି କାରଖାନା ଦୁଆରମୁହଁରେ ଏକାଠି କରି ଗୋଟିଏ ସଭା ଆରମ୍ଭ କରିଦେଲେ । ଏ ପ୍ରକାର କିଛି ହେବ ବୋଲି ପ୍ରଭୁଦୟାଲ ଜାଣିଥିଲେ । ତେଣୁ ସେ ସକାଳୁ ଜିଲା ମାଜିଷ୍ଟ୍ରେଟଙ୍କ ସହ ଦେଖାକରି ପୋଲିସ ସାହାଯ୍ୟ ପାଇଁ ଆବେଦନ କରିଥିଲେ । ଫଳରେ ଗୋଟିଏ ବନ୍ଧୁକଧାରୀ ପୋଲିସ ଦଳ କାରଖାନା ଦୁଆରମୁହଁରେ ଆସି ପହଞ୍ଚି ଗାଡ଼ିରୁ ଓହ୍ଲାଇବାମାତ୍ରେ ମିଟିଂ କରୁଥିବା ଶ୍ରମିକମାନେ ଭୟଭୀତ ହୋଇ ପଳାଇଯିବାକୁ ଉଦ୍ୟମ କଲେ । କିନ୍ତୁ ପରେ ପୁଲିସବାଲାକୁ ପଚାରି କେତେକାଂଶରେ ଆଶ୍ୱସ୍ତ ହେଲେ । ବୁଝିଲେ, ପ୍ରଭୁଦୟାଲବାବୁ ଏମାନଙ୍କୁ ଖର୍ଚ୍ଚା ଦେଇ ଅଣାଇଛନ୍ତି ।

 

ଆଜି ପ୍ରବୋଧର କିଛି କାମ ନଥିଲା । ସେ କିଛି ସମୟ ବାପାଙ୍କ ବୈଠକଖାନାରେ ବସିଲାପରେ ଉଠି ନୀଳାର ଡାକ୍ତରଖାନା ଆଡ଼େ ଗଲା । ପ୍ରଭୁଦୟାଲ ମଧ୍ୟ ପୁଲିସଙ୍କୁ କାରଖାନା ଦୁଆରେ ବସାଇ ସେଠାରେ ଆସି ପହଞ୍ଚିଲେ । ନୀଳା ନିଜର ଚାକରକୁ ପଠାଇ କାରଖାନା ଫାଟକପାଖେ କଅଣ ହେଉଛି ବୋଲି ବୁଝୁଥିଲା । ଚାକର ଆସି କହିଲା, ମିଟିଂ ଚାଲିଛି । ସେଥିରେ ପ୍ରବୋଧ ଓ ନୀଳାଙ୍କୁ ଗାଳି ହେଉଛି ।

 

ପ୍ରଭୁଦୟାଲ କାରଖାନାର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ନୋଟିସ ଚିଠା କରି ତାକୁ ଛପେଇ ଦସ୍ତଖତକରି ସବୁ କର୍ମଚାରୀମାନଙ୍କ ପାଖକୁ ପଠାଇଦେବାକୁ କହିଲେ ।

 

ନୋଟିସର ମର୍ମ ଥିଲା ଏହି ପ୍ରକାର : ‘ମୁଁ କାରଖାନାକୁ ଗୋଟିଏ କାଉନ୍‌ସିଲଦ୍ୱାରା ପରିଚାଳନା କରିବି ବୋଲି ସ୍ଥିର କରି ଗୋଟିଏ କାଉନ୍‌ସିଲ ଗଢ଼ିଥିଲି; କିନ୍ତୁ କାରଖାନାର ପରିଚାଳନା ଏପରି ହେଲା ଯେ, ଲାଭ ତ ଦୂରର କଥା, ମୋର ପୁଞ୍ଜି ମଧ୍ୟ ବୁଡ଼ିଯିବାକୁ ବସିଲା । ଏଣୁ କାରଖାନା ବନ୍ଦ ରଖିବାକୁ ବାଧ୍ୟ ହେଉଛି । ମୁଁ ବାରମ୍ବାର ବୁଝେଇଲେ ସୁଦ୍ଧା ଆପଣମାନେ ଧର୍ମଘଟ ଚାଲୁ ରଖିଲେ । ଫଳରେ କାରଖାନାର ଆର୍ଥିକ ଅବସ୍ଥା ଖୁବ୍‌ ଖରାପ ଆଡ଼କୁ ଗଲା । ତେଣୁ ଆପଣମାନଙ୍କୁ ଅତ୍ୟନ୍ତ ଦୁଃଖର ସହିତ ଜଣାଇବାକୁ ପଡ଼ୁଛି ଯେ, କାରଖାନା ଆଉ ଚଳିପାରିବନାହିଁ ଓ ଆପଣମାନଙ୍କୁ ଆଉ ଚାକିରୀରେ ରଖିବା ସମ୍ଭବପର ହେବନାହିଁ । ଆଉ ଆପଣମାନଙ୍କର ଯାହା ପ୍ରାପ୍ୟ ବାକୀ ଅଛି ତାହାକୁ ଦିନବାରଟାରୁ ତିନିଟା ମଧ୍ୟରେ ବା ସନ୍ଧ୍ୟା ଆଠଟାରୁ ରାତି ଦଶଟା ଭିତରେ ଆସି ନୀଳାଦେବୀଙ୍କ ଚିକିତ୍ସାଳୟରୁ ନେଇଯାଆନ୍ତୁ । ଆଉ ଯଦି ଆପଣଙ୍କୁ ସେଠାରେ ଦିଆଯିବା ପ୍ରାପ୍ୟ ଯଥାର୍ଥ ନୁହେଁ ବୋଲି ଆପଣ ମନେକରନ୍ତି, ତେବେ ଉଚିତ ଆଇନ ଅଦାଲତର ଆଶ୍ରୟ ନେଇପାରନ୍ତି ।’

 

ଏହି ନୋଟିସ ଛପା ହୋଇ ସବୁ କର୍ମଚାରୀଙ୍କ ଠିକଣାକୁ ପଠାଇ ଦିଆଗଲା । ଏ ନୋଟିସ ପାଇ କର୍ମଚାରୀମାନେ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲେ ଓ କାରଖାନାର ଅଫିସଘରେ ନିଆଁ ଲଗାଇ ଦେବେ ବୋଲି ଧମକ ଦେଲେ ।

 

ଏହାର ଆଗଦିନ ଶିଶିର କୁମାର ଧର୍ମଘଟ କରିଥିବା କର୍ମଚାରୀମାନଙ୍କର ଏକ ସଭା କାରଖାନା ବାହାରେ କରାଇ ସେଠାରେ ସେମାନଙ୍କୁ ଏପରି ଉତ୍ତ୍ୟକ୍ତ କରିଦେଲେ ଯେ, ଶ୍ରମିକମାନେ ପୁଲିସର ଘେର ଭାଙ୍ଗି କାରଖାନା ଫାଟକର ତାଲା ଭାଙ୍ଗି ବହୁ ଜିନିଷ ନଷ୍ଟକରି ପକେଇଲେ । ପୁଲିସ ଅବସ୍ଥା ଅସମ୍ଭାଳ ଦେଖି ଗୁଳି ଚଳାଇଲେ ଓ ଫଳରେ ତିନିଜଣ ଘଟଣା ସ୍ଥଳରେ ହିଁ ମଲେ, ଦଶବାରଜଣ ବୁରୁଜର ଭାବରେ ଆହତ ହେଲେ ଓ ବାକୀ କର୍ମଚାରୀମାନେ ପ୍ରାଣଘେନି ଛିନ୍‌ଛତ୍ର ହୋଇ ପଳାଇଲେ ।

 

ଯେତେବେଳେ କାରଖାନା ବାହାରେ ଗୁଳି ଚାଲୁଥାଏ, ପ୍ରବୋଧ, ନୀଳା ଓ ପ୍ରଭୁଦୟାଲ ବ୍ୟସ୍ତ ଥାନ୍ତି କାରଖାନା ପରିଚାଳନା କରିବାର ଗୋଟିଏ ଖସଡ଼ା ତିଆରିରେ । ପ୍ରଭୁଦୟାଲ ସ୍ଥିର କରିଥାନ୍ତି ଯେ, ଦିଲ୍ଲୀର ତାଙ୍କର ଏକ ସମ୍ପର୍କୀୟ ଲୋକକୁ ପ୍ରବୋଧ କାରଖାନା ବିକ୍ରି କରିଦେବ ଓ ସେ ଭଦ୍ରଲୋକ ଲୋକ ପଠେଇ କାରଖାନାକୁ ପରିଚାଳନା କରିବେ । ଏହା ପ୍ରକୃତରେ ଗୋଟାଏ ବାହାନା । ପ୍ରକୃତରେ କାରଖାନାର ପରିଚାଳନାଭାର ଏହାଦ୍ୱାରା କାଉନ୍‌ସିଲ ହାତରୁ ପୂରାପୂରି ମାଲିକ ହାତକୁ ଚାଲିଆସିବ ।

 

ଏହିପରି କଥାବାର୍ତ୍ତାବେଳେ କାରଖାନା ସମ୍ମୁଖରେ ଗୁଳି ଚାଲି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଖବର ଆସି ସେମାନଙ୍କ ପାଖରେ ପହଞ୍ଚିଲା । ଏ ସମ୍ବାଦର ପ୍ରଭାବ ପ୍ରଭୁଦୟାଲଙ୍କ ଉପରେ ମୋଟେ ପଡ଼ିଲା ନାହିଁ କହିଲେ ଚଳେ । ନୀଳାଦେବୀ ମଧ୍ୟ ଏହା ଶୁଣି ଗମ୍ଭୀର ହେଲେ, କିନ୍ତୁ ପ୍ରବୋଧ ଏହା ଖୁବ୍‌ ଖରାପ କାମ ହେଲା ବୋଲି ଚିତ୍କାର କରି ଉଠିଲା । ସେ କହିଲା, ‘ବର୍ତ୍ତମାନ ମଧ୍ୟ ସମୟ ଅଛି, ଏ ସମସ୍ୟା ଯଦି ସମାଧାନ ହୋଇଯାଆନ୍ତା ଭଲ ହୁଅନ୍ତା ।’

 

ପ୍ରଭୁଦୟାଲ କହିଲେ, ‘ବର୍ତ୍ତମାନ ଆଉ ସେପରି ଚିନ୍ତା କରିବାର ବେଳ ନୁହେଁ, ଏ କଥା ସତ ଯେ ଗୁଳି ଚଳେଇବାଟା ଠିକ୍‌ ହୋଇନାହିଁ । ବାସ୍ତବିକ ମୁଁ ସେମାନଙ୍କ ପାଇଁ ବଡ଼ ବ୍ୟଥିତ, କିନ୍ତୁ ପ୍ରକୃତ ଅପରାଧୀ ବଞ୍ଚିଗଲା । ୟୁନିୟନର ମୁଖ୍ୟ ହେଲା ପ୍ରଥମ ଅପରାଧୀ, ସେ କିନ୍ତୁ ବଞ୍ଚିଯାଇଛି । ପ୍ରଭୁଦୟାଲ ଏତିକି କହି ସେଠାରୁ ଚାଲିଗଲେ । ତାଙ୍କର କଚେରୀରେ ଗୋଟାଏ ମକଦ୍ଦମା ଥିଲା । ନୀଳା ଚିକିତ୍ସାଳୟ କାମ ଶେଷ କରି ଠିକ୍‌ ଘରକୁ ବାହାରୁଛି, ଦେଖିଲା, ଶିଶିର କୁମାର ଓ ସୁଶୀଳ ଆସି ପହଞ୍ଚିଲେ । ନୀଳା ଦୁଇଜଣଙ୍କୁ ଏକ ସାଙ୍ଗରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସୁଶୀଳକୁ ସେ କେବେ ହେଲେ କମ୍ୟୁନିଷ୍ଟଙ୍କ ସମର୍ଥକ ବୋଲି ଜାଣି ନଥିଲା । ସୁଶୀଳକୁ ଶିଶିର ବାବୁଙ୍କ ସାଙ୍ଗରେ ଦେଖି ସେ କହିଲା, ‘କହନ୍ତୁ ସୁଶୀଳବାବୁ ! କଣ ଭୁଲରେ ଇଆଡ଼େ ଆସିଗଲେ କି ?’

 

ସୁଶୀଳ ଶିଶିରକୁମାର ଆଡ଼କୁ ହାତ ଦେଖେଇ କହିଲା, ‘ଦେଖନ୍ତୁ ନୀଳାଦେବୀ ! ଏ ମୋର ବନ୍ଧୁ ଶିଶିରକୁମାର । ଯେତେବେଳେ କାରଖାନା ଫାଟକ ସାମନାରେ ବହୁଲୋକ ପୁଲିସ ଗୁଳିରେ ଆହତ ହେଲେ, ସେତେବେଳେ ସେ ମୋତେ ସେମାନଙ୍କର ଚିକିତ୍ସା କରିବାପାଇଁ ତାଙ୍କ କାର୍ଯ୍ୟାଳୟକୁ ଡାକିନେଲେ । ମୁଁ ଯେତେବେଳେ ତାଙ୍କଠାରୁ ଗୁଳିଚାଳନାର କାରଣ ବୁଝିଲି, ସେତେବେଳେ ତାଙ୍କୁ ତୁମମାନଙ୍କ ପାଖକୁ ନେଇ ଆସିଲି । ତୁମମାନଙ୍କ ସହିତ ଗୋଟାଏ ମିଳାମିଶା କରେଇନେବାପାଇଁ ।’

 

‘ବଡ଼ ଦୁଃଖର କଥା, ଆପଣ ଏତେ ଡେରିରେ ଆସିଲେ । କାରଖାନାକୁ କିଣିବାପାଇଁ ସବୁ କଥାବାର୍ତ୍ତା ପ୍ରାୟ ଶେଷ ହୋଇଯାଇଛି । ଗ୍ରାହକ ବି ଠିକ୍‌ ହୋଇସାରିଛି । ଦିନେ ଦୁଇଦିନ ଭିତରେ ଲେଖାପଢ଼ା ହୋଇଯିବ । ତେଣୁ ଏଥିରେ କରିବାର ଆମର କିଛି ନାହିଁ ।’

 

ସୁଶୀଳ କହିଲା, ‘କିନ୍ତୁ ଶିଶିରବାବୁଙ୍କର ବିଚାର ଭିନ୍ନ ପ୍ରକାରର । ତାଙ୍କର ମତ ଯେ ଏଇ କାରଖାନା-ହସ୍ତାନ୍ତର ଗୋଟାଏ ପ୍ରହସନ । ଏହା କେବଳ ଶ୍ରମିକମାନଙ୍କୁ ସେମାନଙ୍କ ଚାକିରୀରୁ ତଡ଼ିବାର ଉପାୟ ମାତ୍ର ।’

 

‘ମୁଁ ଏ ବିଷୟରେ କିଛି କହିବି ନାହିଁ; କିନ୍ତୁ ଏକଥା ମାନିବାକୁ ବାଧ୍ୟ ହେଉଛି ଯେ, ଶିଶିରବାବୁ ଯାହା କହିଛନ୍ତି ତାହା ଏକବାରେକେ ମିଛ ନୁହେଁ । ଯେତେବେଳେ କର୍ମଚାରୀମାନେ ପରିଚାଳନା କାଉନ୍‌ସିଲରେ ଭିନ୍ନ ବିଚାର ଆରମ୍ଭକରି କାରଖାନାକୁ ଲୁଟିବାକୁ ବସିଲେ, ସେତେବେଳେ ସେ କାରଖାନା ବସେଇବାରେ ଯିଏ ଟଙ୍କା ଖଟେଇଛି, ସେ ତା’ର ଟଙ୍କାର ସୁରକ୍ଷାପାଇଁ ପୁଣି କିଛି ନା କିଛି ବନ୍ଦୋବସ୍ତ କରିବ ତ ? ତାହାର ଏପରି ଅଧିକାର ଅଛି କି ନାହିଁ ଆପଣ କହନ୍ତୁ ?’

 

ଶିଶିରକୁମାର ଏକଥାରେ ଉତ୍ସାହିତ ହୋଇ କହିଲେ, ‘ପରିଚାଳନା କାଉନ୍‌ସିଲ ଏପରି କୌଣସି ଗର୍ହିତ କାର୍ଯ୍ୟ କରିଥିବାର ଉଦାହରଣ ଆପଣ ଦେଇପାରିବେକି ?’

 

‘ଗୋଟିଏ ଯୋଡ଼ିଏ ନୁହେଁ, ଗଣ୍ଡା ଗଣ୍ଡା ଉଦାହରଣ ଦିଆଯାଇ ପାରିବ । ମୁଁ କାଲି ରାତିରେ ପରିଚାଳନା କାଉନ୍‌ସିଲର ପୁରୁଣା କାର୍ଯ୍ୟ ବିବରଣୀଗୁଡ଼ିକ ପଢ଼ୁଥିଲି । ସେଥିରେ ଦେଖିଲି, ବିନା ଦରଖାସ୍ତରେ ନଲହି ନ ପୁଚ୍ଛି କେହି ଜଣେ ଛୁଟିରେ ଚାଲିଗଲା, କାରଖାନାରେ କାମ ନ କରି ଏକର ସେକର ବୁଲିଲା ବା କାରଖାନାର କ୍ଷତି ହେବାଭଳିଆ କୌଣସି କାମ କଲା, ସେଥିପାଇଁ ଯେତେବେଳେ ତା’ପ୍ରତି ପ୍ରବୋଧବାବୁ କୌଣସି ଦଣ୍ଡର ବିଧାନ କରିଛନ୍ତି, ସେତେବେଳେ କାଉନ୍‌ସିଲ ବାଙ୍କି ବସିଛି, ସେ କର୍ମଚାରୀର ଦରମା କଟାଯାଇନାହିଁ କି ତା ପ୍ରତି ଅନ୍ୟ ଦଣ୍ଡାଦେଶ ହୋଇପାରିନାହିଁ ।

 

‘ବାବା ମଧ୍ୟ କାରଖାନା, କାମ ତାଲିକା ଓ ପରିଚାଳନା କାଉନ୍‌ସିଲର ନିଷ୍ପତ୍ତିଗୁଡ଼ିକୁ ଜଣେ ଅଡ଼ିଟରଙ୍କୁ ଦେଇଛନ୍ତି । ସେ ପରିଚାଳନାରେ କଣ ଦୋଷତ୍ରୁଟି ରହିଛି ତାହାର ତନଖି କରିବେ ଓ ଦର୍ଶାଇଦେବେ କେଉଁଠାରେ କେଉଁ କର୍ମଚାରୀ ନିୟମବିରୁଦ୍ଧ କରି ସୁବିଧା ହାସଲ କରିଛି । ଦରକାର ହେଲେ ତା ବିରୁଦ୍ଧରେ ମକଦ୍ଦମା ମଧ୍ୟ କରାଯାଇପାରିବ ।’

 

ସୁଶୀଳ ଏ ସବୁ ଶୁଶି ଆଶ୍ଚର୍ଯ୍ୟ ହୋଇ କହିଲା, ‘ବଡ଼ ଆଶ୍ଚର୍ଯ୍ୟ କଥା, ପ୍ରବୋଧବାବୁ ଏତେଦିନଯାଏ ଏ କାଉନ୍‌ସିଲକୁ ନ ଭାଙ୍ଗି ରଖିଲେ କାହିଁକି ?’

 

‘ତା’ର ଠିକଣା ଜବାବ୍‌ ତାଙ୍କୁଇ ଜଣା । ମୋର ବିଶ୍ୱାସ ସେ କାରଖାନାକୁ ସମବାୟ ଭିତ୍ତିରେ ଚଳାଇବାକୁ ଚେଷ୍ଟା କରୁଥିଲେ । ସେ ଭାବପ୍ରବଣ ହୋଇ ପ୍ରେମରେ ଉଚିତ ଅନୁଚିତ, ବର୍ତ୍ତମାନ ଭବିଷ୍ୟତ, ଅଧିକାର ଅନଧିକାର ଓ ସର୍ବୋପରି ଲାଭ ଓ କ୍ଷତି ପ୍ରତି ମଧ୍ୟ ଆଖି ବୁଜିଦେଲେ ।’

 

‘ମୁଁ ଜାଣୁଥିଲି, ସ୍ତ୍ରୀ ପୁରୁଷ ମଧ୍ୟରେ ପ୍ରେମ ହୁଏ ବୋଲି, କିନ୍ତୁ ଏଠାରେ ପ୍ରଥମଥରପାଇଁ ଶୁଣିଲି କେହି କେହି ନୀତି, ବିଚାରଧାରା, ମତବାଦର ପ୍ରେମରେ ମଧ୍ୟ ପଡ଼ନ୍ତି ।’

 

‘ଏହାର କାରଣ ହେଉଛି, ଆପଣ ମେଡ଼ିକାଲ କଲେଜରେ, ପଢ଼ାପଢ଼ିରେ ବ୍ୟସ୍ତ ହୋଇ, ବାହାର ସଂସାର ବିଷୟରେ ଅଭିଜ୍ଞତା ମୋଟେ ହାସଲ କରିପାରିଲେ ନାହିଁ । ଇତିହାସ ବା ସମାଜବିଜ୍ଞାନ ବିଷୟରେ ଆପଣଙ୍କର ଧାରଣା ମୋଟେ ରହିଲା ନାହିଁ । ତେଣୁ ବିଚାରଧାରା, ମତବାଦ ପ୍ରଭୃତିର ଆକର୍ଷଣ ଯେ କେତେ ବେଶି ତାହା ଆପଣ ବୁଝିଲେ ନାହିଁ ।’

 

‘ଦେଖନ୍ତୁ, ମୁଁ ବର୍ତ୍ତମାନ ଆପଣଙ୍କୁ କହୁଛି, ସଂସାରରେ ଯେତେ ମତବାଦ ଅଛି, ସେସବୁ କେବଳ ଭାବ ଓ ବିଚାରପ୍ରଣାଳୀର ବୈଚିତ୍ରତା ଯୋଗୁଁ ତିଷ୍ଠି ରହିପାରୁଛି । ଏହି ବିଚାରଧାରାର ପ୍ରଭାବରେ, ଜଣେ ବଙ୍ଗାଳୀ ଅନ୍ୟ ଜଣେ ବଙ୍ଗାଳୀକୁ ବା ଜଣେ ଓଡ଼ିଆ ଅନ୍ୟଜଣେ ଓଡ଼ିଆକୁ ଅନ୍ୟାୟ ଭାବରେ ସାହାଯ୍ୟ କରୁଛି । ଜଣେ ମୁସଲମାନ ଆଉ ଜଣେ ଅତ୍ୟନ୍ତ ହୀନ ସ୍ୱଭାବର ମୁସଲମାନଙ୍କୁ, ଜଣେ ଭଲ ସାଧୁସ୍ୱଭାବଯୁକ୍ତ ହିନ୍ଦୁଠାରୁ ଆହୁରି ଭଲ ପାଉଛି । ଜଣେ ଶ୍ରମିକ ଆଉ ଜଣେ ଶ୍ରମିକକୁ ବା ଜଣେ ପୁଞ୍ଜିପତି ଅନ୍ୟଜଣେ ପୁଞ୍ଜିପତିକୁ ନିର୍ବିଚାରରେ ସାହାଯ୍ୟ କରୁଛି । ଏହା ବିଚାରଧାରାର ବୈଚିତ୍ର୍ୟ ଛଡ଼ା ଆଉ କ’ଣ ହୋଇପାରେ ?’

 

‘ଯେପରି ଗୋଟିଏ ସ୍ତ୍ରୀକୁ ଭଲ ପାଇସାରିଲାପରେ ତା ଦୁର୍ଗୁଣ ବିଷୟରେ ଯେତେ କୁହାଗଲେ ମଧ୍ୟ ତାକୁ ଅସତୀ ବୋଲି ବିଶ୍ୱାସ କରିବାକୁ ଲୋକ ରାଜି ହୁଏନାହିଁ, ସେହି କମ୍ୟୁନିଷ୍ଟ ଭାବଧାରା ବା ବିଚାର ଧାରାର ସମ୍ମୋହନୀଶକ୍ତି ଭିତରେ ଥରେ ପଡ଼ିଲେ ନ୍ୟାୟ ଅନ୍ୟାୟ, ସମ୍ଭବ ଅସମ୍ଭବ ବିଚାର କରିବାର ପ୍ରଶ୍ନ ଆଉ ଉଠେ ନାହିଁ ।’

 

‘ପ୍ରବୋଧବାବୁ ଠିକ୍‌ ଏହି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ।’

 

ନୀଳାର କହିବାର ଭଙ୍ଗୀ ଓ ଯୁକ୍ତିର ପ୍ରଭାବ ବିଷୟରେ ସୁଶୀଳର ଆଗରୁ କିଞ୍ଚିତ୍‌ ଅନୁଭୂତି ଥିଲା । ନୀଳା ସାଧାରଣତଃ ଅଳ୍ପଭାଷୀ, କହେ କମ୍‌, କିନ୍ତୁ ଯାହା କହେ ତାହା ବେଶ୍‌ ବୋଧଗମ୍ୟ ହୁଏ, ଶୁଣିଲା ଲୋକର ମନରେ ଦାଗ ବସେଇ ଦିଏ । ସେ ପ୍ରବୋଧର କାରଖାନାରେ କ୍ଷତି କାହିଁକି ହେଉଛି ତାହା ପରିଷ୍କାର ବୁଝିପାରିଲା ।
 

 

ଶିଶିର କୁମାର ଆଜି ପ୍ରଥମଥର ପାଇଁ ନୀଳାର ଯୁକ୍ତି ଶୁଣିଲେ । ସେ ମଧ୍ୟ ସେ ଯୁକ୍ତିରେ ପ୍ରଭାବିତ ହୋଇପଡ଼ିଲେ । ସେ ପ୍ରବୋଧବାବୁଙ୍କ କାରଖାନାର ଧର୍ମଘଟର କାରଣଗୁଡ଼ିକୁ ମନ ମଧ୍ୟରେ ଟିକିନିଖି ବିଚାର କରିବାକୁ ଲାଗିଲେ ଏବଂ ତାଙ୍କର ମନେହେଲା ଗୋଟିଏ ସୁନ୍ଦରୀ ସ୍ତ୍ରୀର ସମ୍ମୋହନୀଶକ୍ତିଦ୍ୱାରା ଆକୃଷ୍ଟ ହେଲାପରି ସେ କମ୍ୟୁନିଜମ୍‌ର ବିଚାରଧାରା ଦ୍ୱାରା ଆକୃଷ୍ଟ ହୋଇଛନ୍ତି । ଉଚିତ ଅନୁଚିତ ବିଚାର ନ କରି ଧର୍ମଘଟ କରିବା ପାଇଁ ଶ୍ରମିକମାନଙ୍କୁ ଉତ୍ତେଜିତ କରିଛନ୍ତି ।

 

(୯)

 

ଲୀଳାବତୀ ହରଭଜନ ସିଂଠାରୁ ଶେଷ କଥା ଶୁଣିବାକୁ ଆସିଥିଲେ । କିନ୍ତୁ ହରଭଜନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ପହଞ୍ଚିପାରି ନ ଥିଲେ । ଲୀଳାବତୀ ଅବଶ୍ୟ ସବୁ ଦିଗରୁ ହରଭଜନର ଯୋଗ୍ୟ ବୋଲି ମନେ ହଉଥିଲା, କିନ୍ତୁ ନୀଳାର ଗୋଟିଏ କଥା ହରଭଜନ ମନରେ ବାରମ୍ବାର ଧକ୍‌କା ଦେବାକୁ ଲାଗିଲା । ନୀଳା କହୁଥିଲା, ବିବାହ କେବଳ ଦୁଇଟି ଯୁବକ ଯୁବତୀର ମିଳନର ସମ୍ପର୍କ ନୁହେଁ, ଏହାଦ୍ୱାରା ଦୁଇଟି ପରିବାରର ମଧ୍ୟ ମିଳନର ସମ୍ପର୍କ ସୃଷ୍ଟି ହୁଏ । ସେ ଭାବିଲା, ଲୀଳାବତୀର ବାପ ମା ଯେତେବେଳେ ସେ ବାଳ କଟେଇପକେଇଛି ବୋଲି ରାଗିଯାଇ ତାଙ୍କଘରୁ ବାହାରିଗଲେ, ତଦ୍ଦ୍ୱାରା କ’ଣ ସେମାନେ ସେମାନଙ୍କର ସଂକୀର୍ଣ୍ଣମନର ପରିଚୟ ଦେଇନାହାନ୍ତି ? ତା’ର ଭୟ ହେଉଥାଏ କାଳେ ଏପରି ଏକ ପରିବାର ସହିତ ବିବାହ ସୂତ୍ରରେ ଆବଦ୍ଧ ହୋଇଯାଇ ଜୀବନଟା ତା’ର ଦୁଃଖମୟ ହୋଇଯିବ ।

 

ଫଳରେ ସେଦିନ ମଧ୍ୟ ପକ୍‌କା ଜବାବ୍‌ ନ ପାଇ ଲୀଳାବତୀକୁ ଲକ୍ଷ୍ନୌରୁ ଫେରିବାକୁ ପଡ଼ିଲା । ମାଧୁରୀ ମଧ୍ୟ ସେଦିନ ହରଭଜନ ସିଂକୁ ଭେଟିଥିଲା ନୀଳାର ଡାକ୍ତରଖାନାରେ । ସେ ଦୁହିଁଙ୍କୁ ଏକାନ୍ତରେ ଭଲ ଭାବରେ ଆଲୋଚନା କରି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବାକୁ ସୁଯୋଗ ଦେଇ ନୀଳା ରୋଗୀ ଦେଖିବାକୁ ବାହାରିଗଲା ।

 

ନୀଳାର ଏପରି ବ୍ୟବହାରରେ ମାଧୁରୀ କ୍ଷୁଣ୍ଣ ହୋଇ କହିଲା, ‘ଦେଖନ୍ତୁ ମୁଁ ଆଜି ନୀଳା ଭାଉଜର ସାମନାରେ ଆପଣଙ୍କ ସାଙ୍ଗରେ କେତେକ ଠିକଣା କଥା ପକେଇବି ବୋଲି ଭାବି ଆସିଥିଲି, କିନ୍ତୁ ସେ ମୋତେ ଏଠାରେ ଛାଡ଼ି ଚାଲିଗଲେ ରୋଗୀ ଦେଖିବାକୁ ।’

 

‘ମୁଁ ଭାବୁଛି, ସେ ଠିକ୍‌ କରିଛନ୍ତି । ବିବାହ ବିଷୟରେ ଆମର ଯେତେ ଖୋଲାଖୋଲି କଥାବାର୍ତ୍ତା ହୁଏ ସେତେ ଭଲ ।’

 

ମାଧୁରୀ କହିଲା, ‘ଦେଖନ୍ତୁ, ଥରେ ଆପଣ ନିଜେ ମୋତେ ବିବାହ ସମ୍ବନ୍ଧରେ କେତେକ କଥା କହିଥିଲେ । ମନେ ଅଛି କି ?’

 

‘ହଁ ଅଛି । ମୋର ଯେତେଦୂର ମନେହୁଏ ମୁଁ କହିଥିଲି, ଆପଣଙ୍କ ସହିତ ମୋର ବିବାହ ପ୍ରସ୍ତାବକୁ ମୁଁ ବିଚାର କରି ଦେଖୁଛି । ମୁଁ ମଧ୍ୟ ଚାହୁଁଥିଲି ଏହି ଅବସରରେ ଆପଣ ମଧ୍ୟ କଥାଟାକୁ ଭଲ ଭାବରେ ବିଚାର କରିନିଅନ୍ତୁ ବୋଲି ।’

 

‘ମୁଁ ମନେ କରୁଛି ଆପଣ ଏତେବେଳକୁ ଗୋଟାଏ ସିଦ୍ଧାନ୍ତରେ ଆସି ପହଞ୍ଚିସାରିଲେଣି-।’

 

‘କଣ କଥାଟା ଅତିଶୀଘ୍ର ହୋଇଗଲା ।’

 

‘ଏ ଜୀବନର ଭରସା କଣ ଅଛି ? ସିଦ୍ଧାନ୍ତ ତ ପୁଣି ବଦଳି ଯାଇପାରେ । ଏ ଡଙ୍ଗା ଯାଇ ପୁଣି କେଉଁ ଘାଟରେ ଉଠିବ ତା’ର କଣ କିଛି ଠିକଣା ଅଛି ?’

 

‘କାହା ଜୀବନର ଭରସା ନାହିଁ । କାହାର ସିଦ୍ଧାନ୍ତ ବଦଳି ଯାଉଛି, ପୁଣି କାହାର ଡଙ୍ଗା ଯାଇ କାହା ଘାଟରେ ଭିଡ଼ୁଛି ।’

 

‘ମୋର ହେଉ, ଆପଣଙ୍କର ହେଉ, ମନୁଷ୍ୟ ଚାହେଁ ସ୍ଥିରତା । ଯେତେବେଳଯାଏ ତାହାର କୌଣସି ଆଧାରର ସ୍ଥିରତା ନଥାଏ ସେତେବେଳଯାଏ ସେ ପାରା ବିନ୍ଦଭଳି ଏ ଦିଗରୁ ସେ ଦିଗକୁ ଢଳିଯିବାର ସମ୍ଭାବନା ଥାଏ ।

 

‘ତେବେ ଏ କଥାର ଅଭିପ୍ରାୟ ଏହା ଯେ, ମୁଁ ତୁମକୁ ଶୀଘ୍ର ବିବାହ କରିପକାଏ ?’

 

‘ବୁଝିନିଅନ୍ତୁ ସେଇଆ । ମୁଁ ଆଜି ଖାସ୍‌ ଆପଣଙ୍କ ମତାମତ ବୁଝିବାକୁ ଆସିଛି ।’

 

‘ମୁଁ ଯଦି ବର୍ତ୍ତମାନ କହେ ଯେ, ମୁଁ ବର୍ତ୍ତମାନ ବିବାହ କରିବି ନାହିଁ । ତେବେ ତୁମେ କ’ଣ କରିବ ?’

 

‘ସଂସାରର କେତେ ଝିଅ ଚାନ୍ଦ ଧରିବାକୁ ହାତ ବଢ଼େଇଛନ୍ତି । ଆଉ ଯଦି ନଧରି ପାରିଛନ୍ତି, ସେମାନଙ୍କର ଦଶା ଯାହା ହୁଏ ମୋର ମଧ୍ୟ ସେଇଆ ହେବ ।’

 

‘ଯେଉଁ ଝିଅମାନେ ଚାନ୍ଦ ଧରି ନ ପାରୁଛନ୍ତି ତାଙ୍କର ଦଶା କ’ଣ ହେଉଛି ?’

 

‘କଣ ହୁଏ ସେମାନଙ୍କର ଦଶା ମୁଁ ବର୍ତ୍ତମାନ ଭାବିବି । ମୋର ତ ଆଶା ବିଫଳ ହୋଇନାହିଁ ବର୍ତ୍ତମାନ ସୁଦ୍ଧା ।’

 

ହରଭଜନ କିଛିସମୟ ଚିନ୍ତା କରିବାକୁ ଲାଗିଲା । ଏତିକିବେଳେ କେତେକ ଲୋକ ବ୍ୟାଣ୍ଡେଜ ବାନ୍ଧିବାକୁ ଆସିଲେ । ହରଭଜନ ସେମାନଙ୍କ ବ୍ୟାଣ୍ଡେଜ ବାନ୍ଧିବାରେ ବ୍ୟସ୍ତ ରହିଲା, ପାଞ୍ଚଟଙ୍କା ରୋଜଗାର କରି ସେ ମାଧୁରୀ ପାଖରେ ବସିବାକୁ ଆସିଛି କି ନାହିଁ, ଜୀବନବୀମା କେସ୍‍ ତିନିଟା ଆସି ପହଞ୍ଚିଗଲା । ସେ ସେମାନଙ୍କୁ ପରୀକ୍ଷା କରିବାରେ ଲାଗିଲା । ସେ କାମ ଶେଷ ହେବାର ମାଧୁରୀ କହିଲା, ‘ମୁଁ ବର୍ତ୍ତମାନ ମୋର ଭବିଷ୍ୟତ କାର୍ଯ୍ୟପନ୍ଥା ତିଆରି କରିବାକୁ ଚାହେଁ । ଭାଇ କାରଖାନାକୁ ଭଲକରି ଚଳେଇ ନପାରିବାରୁ ବାବାଙ୍କର ବିଶେଷ କ୍ଷତି ହୋଇଛି । ମୁଁ ପୁଣି ଯଦି ବିନା ବିଚାରରେ କୌଣସି ଉଡ଼ନ୍ତା ଚଢ଼େଇ ଧରିବାକୁ ମନବଳାଏ ତେବେ ତାଙ୍କର ମନରେ ବଡ଼ କଷ୍ଟ ହେବ । ମୋର ଯଦି ବର୍ତ୍ତମାନ ବିବାହ ନ ହୁଏ ତେବେ ମୁଁ ଅକ୍‌ସଫୋର୍ଡରେ ପିଏଚ. ଡି. କରିବାକୁ ଶୀଘ୍ର ଚାଲିଯିବି ବୋଲି ଭାବୁଛି ।’

 

‘ତୁମେ କ’ଣ ଆଉ କିଛିଦିନ ଅପେକ୍ଷା କରିପାରିବ ନାହିଁ ।’

Unknown

 

ଅପକ୍ଷା କରିପାରେ ସତ, କିନ୍ତୁ ସେ ଅପେକ୍ଷା, କାର୍ଯ୍ୟ କରିବା ପାଇଁ ନାଁ ପନ୍ଥା ନିର୍ଣ୍ଣୟ କରିବାକୁ ତାହା ମୁଁ ଆଗେ ଜାଣିବାକୁ ଚାହେଁ । ଅନିଶ୍ଚିତବୁଦ୍ଧି ଲୋକର ଦଶା ପ୍ରାୟ ଭାଇଙ୍କ ଦଶାପରି ହୁଏ ।’

 

‘ପ୍ରବୋଧ ଭାଇଙ୍କର ହେଲା କଣ ?’

 

‘ଭାଇଙ୍କ କାରଖାନାରେ ପୂରା ଏକମାସ ଧରି ହରତାଳ ଚାଲିଲା, କିନ୍ତୁ ଭାଇ କୌଣସି ନିଷ୍ପତ୍ତିରେ ପହଞ୍ଚିଲେ ନାହିଁ । ଶେଷରେ ନୀଳାଭାଉଜ କାରଖାନାର ପରିଚାଳନାର ଅବସ୍ଥା ଦେଖି ମାତ୍ର ଦିନ ଦୁଇଟାରେ ଏହାର ଗୋଟାଏ କିନାରା କରିଦେଇ ପାରିଲେ । ବର୍ତ୍ତମାନ କାରଖାନାର କର୍ମଚାରୀଙ୍କର କାଣ୍ଡଜ୍ଞାନ ଫେରି ଆସିଛି ।’

 

‘ଏକଥା ସହିତ ଆମ କଥାର ସମ୍ପର୍କ କଣ ଅଛି ?’

 

ମାଧୁରୀ ହସି କହିଲା, ‘ସମ୍ପର୍କ ଏତିକି ଯେ ତୁମେ କୌଣସି ନିଷ୍ପତ୍ତି କରିପାରୁନାହଁ ଭାଇଙ୍କ ପରି । ଏହି ବିଭାଘର ପ୍ରସଙ୍ଗ ଆଜିକି ବର୍ଷେ ହେଲା ଚାଲିଛି, କିନ୍ତୁ ତୁମେ କିଛି ଗୋଟାଏ ନିଷ୍ପତ୍ତି କରିପାରୁନାହଁ । କୌଣସି ଗୋଟାଏ ନିଷ୍ପତ୍ତିରେ ପହଞ୍ଚିବାକୁ ଯଦି ଏତିକିସମୟ ଲାଗେ ତେବେ ଜୀବନରେ କୌଣସି କାର୍ଯ୍ୟ ହୋଇପାରିବନାହିଁ । ଅନିଶ୍ଚୟତା ଭିତରେ ଯଦି ଏହି କ୍ଷୁଦ୍ର ଜୀବନର ସବୁ ସମୟତକ ଚାଲିଯାଏ ତେବେ ହେବ କ’ଣ ?’

 

‘ମୋର ଅନିଶ୍ଚୟତାର କାରଣ ଅଛି, ଏବଂ ମୁଁ ତାହା ତୁମକୁ କହୁଛି । ତିନିଦିନ ତଳର କଥା । ଠିକ୍‌ ଏତିକିବେଳେ ତୁମେ ଲକ୍ଷ୍ୟ କରିଥିବ, ମୁଁ ଗୋଟିଏ ଝିଅ ସାଙ୍ଗରେ କଥାବାର୍ତ୍ତା କରୁଥିଲି-। ସେ ସେହିଦିନ ପଞ୍ଜାବ ମେଲରେ ବିଦାୟ ନେଲା । ସେ ମୋତେ ବିବାହ କରିବାକୁ ଚାହିଁଥିଲା ଏବଂ ସେଦିନ ମୋଠାରୁ ପକ୍‌କା ଜବାବ୍‌ ପାଇବ ବୋଲି ଆସିଥିଲା । ତୁମ ଦୁହିଁଙ୍କ ଭିତରୁ ଜଣକୁ ବାଛି ନେବାପାଇଁ ମୋ ଭିତରେ ଗୋଟାଏ ରୀତିମତ ସଂଘର୍ଷ ସୃଷ୍ଟି ହୋଇଛି । ତୁମ ଦୁହିଁଙ୍କର ଦୋଷଗୁଣ ନିର୍ଣ୍ଣୟ କରିବାରେ ମୋର ଏତେ ଡେରି ହୋଇଛି ।

 

‘ତୁମେ ମୋତେ ସବୁବେଳେ ଶୀତଳ, ସହୃଦୟ, ଗମ୍ଭୀର-ଦୃଢ଼, ସଂକଳ୍ପ, ପିତାମାତାଙ୍କର ବାଧ୍ୟ ଓ ବୁଦ୍ଧିମତୀ ବୋଲି ଦେଖାଯାଇଛ । କିନ୍ତୁ ଠିକ୍‌ ତୁମର ବିପରୀତ ଭାବରେ ସେ ଝିଅଟି ସଦା ହାସ୍ୟମୟୀ, ପିଲାଙ୍କପରି ଚଞ୍ଚଳ, ଫୁଲପରି ପ୍ରଫୁଲ୍ଲ ଓ ମାତାପିତାଙ୍କର ସେପରି ବାଧ୍ୟ ନହୋଇ ନିଜ ମନମୁତାବକ କାମ କରିବାକୁ ଆଗ୍ରହୀ । ମୋର ଇଚ୍ଛା ଏହି ଦୁଇପ୍ରକାର ଗୁଣ ଜଣଙ୍କଠାରେ ମିଳନ୍ତା କି ? ମୁଁ ଶିକ୍ଷିତା, ଗମ୍ଭୀର ଓ ବୁଦ୍ଧିମତୀ ପତ୍ନୀ ଚାହେଁ ପୁଣି ମନେ ଚାହେଁ ଗୋଟିଏ ଚିର ଲାସ୍ୟମୟୀ ଗୋଟିଏ ଚଞ୍ଚଳପ୍ରକୃତିର ଝିଅ, ଯିଏ କି ମାଟିରେ ପାଦ ନ ଦେଇ ଖାଲି ପବନରେ ଉଡ଼ି ବୁଲିବ । କିନ୍ତୁ ବର୍ତ୍ତମାନ ମୋର ବିପଦ ହୋଇଛି ଯେ ଏହିପରି ଦୁଇପ୍ରକୃତିବିଶିଷ୍ଟ ଗୋଟିଏ ଝିଅ ମୋ ଆଖିରେ ପଡ଼ୁନାହିଁ ।’

 

‘ତେବେ ତୁମେ ତାଙ୍କୁ କଣ କହି ଫେରେଇଲ ?’

 

‘ତାର ଚିରହାସ୍ୟମୟୀ ମୁଖ ଓ ଚଞ୍ଚଳ ପ୍ରକୃତିରେ ମୁଗ୍‌ଧ ହୋଇ ମୁଁ ଜବାବ୍‌ ଦେବାକୁ ଯାଉଛି, ସେ କହିଲା, ଗୋଟାଏ କଥା କଲେ ବଡ଼ ମଜା ହୁଅନ୍ତା, ଚାଲ ଆମେ ପିତାମାତାଙ୍କର ବିନା ଅନୁମତିରେ ବାହା ହୋଇ ପଡ଼ିବା ।’

 

‘ମୁଁ ଏତିକିରେ ଅଟକିଗଲି । ଭାବିଲି ଯିଏ ପିତାମାତାଙ୍କ ବିନାନୁମତିରେ ବିବାହ କରିବାଟାକୁ ମଜା ବୋଲି ଭାବୁଛି, ସେ ପୁଣି ମୋ କଥାର ଅବାଧ୍ୟ ହୋଇ ମଜା ଖୋଜି ବସିବ ନାହିଁ ତ ? ଏପରି କଲେ ମୋର ଅବସ୍ଥା କଣ ହେବ ?

 

‘ଏହି ଭାବନା ମୁଣ୍ଡକୁ ଆସିବାରୁ, ମୁଁ ତାକୁ ବୁଝେଇ କହିଦେଲି ଯେ, ମୁଁ ମୋର ସିଦ୍ଧାନ୍ତ ତୁମକୁ ଏହି ଆସନ୍ତା ୨ ।୩ ମଧ୍ୟରେ ଜଣେଇ ଦେବି । ଆଉ ଏଥିପାଇଁ ତୁମକୁ ଅଧୀର ହୋଇ ଲକ୍ଷ୍ନୌ ଦୌଡ଼ି ଆସିବାକୁ ପଡ଼ିବ ନାହିଁ ।

 

ଏହା କହି ମୁଁ ତାକୁ ଗାଡ଼ିରେ ବସେଇ ଦେଇ ଆସିଲି ।’

 

ଏତିକିରେ ମାଧୁରୀ କହିଲା, ‘ଆପଣ ବିରକ୍ତ ନ ହେଲେ ଗୋଟିଏ କଥା କହନ୍ତି ।’

 

‘କୁହ’ ।

 

‘ଆପଣ, କ’ଣଟି ତା ନାଁ ? ତାକୁ ବିବାହ କରିପକାନ୍ତୁ । ବର୍ଷ ବର୍ଷ ଧରି କୌଣସି ଝିଅକୁ ଗୋଟାଏ ଅନିଶ୍ଚୟତା ଭିତରେ ରଖିବା ଠିକ୍‍ ନୁହେଁ ।’

 

‘ତୁମ ସହିତ ମଧ୍ୟ ମୁଁ ସେହିପରି ବ୍ୟବହାର କରୁଛି ।’

 

‘କିନ୍ତୁ ମୁଁ ଏପରି ଟାଳମଟାଳ କଥା ମୋଟେ ବରଦାସ୍ତ କରି ପାରିବି ନାହିଁ ।’

 

ହରଭଜନ ସିଂ ଚୁପ୍‌ ହୋଇଗଲା, କେବଳ କହିଲା, ‘କାଲି ମାଧୁରୀ, ତୁମକୁ ମୁଁ ସବୁକଥା କହିବି ।’

 

‘ଭଲ କଥା, ତେବେ ମୁଁ ବର୍ତ୍ତମାନଠାରୁ ଆଉ ଏ ବିଷୟରେ ତୁମ ସଙ୍ଗେ କଥାବାର୍ତ୍ତା ହେବିନାହିଁ ।’

 

ଏତିକି କହି ମାଧୁରୀ ହରଭଜନ ଡାକ୍ତରଖାନାରୁ ବାହାରି ନୀଳା ଘର ଭିତରକୁ ଉଠିଗଲା ।

 

(୧୦)

 

ହରଭଜନର ମନେହେଲା, ସେ ଯେପରି ଏ ଦୁଇ ଝିଅଙ୍କୁ ନେଇ ଖେଳ କରୁଛି । ସେ ସ୍ଥିରକଲା ଯେ, ବାପାଙ୍କୁ ପଚାରି ଏହାରଗୋଟାଏ ନିଷ୍ପତ୍ତି କରିନେବ । ଅମୃତ ଘରୁ ଚାଲିଯିବା ପରେ ସେ ଆଉ ବାପା ମାଙ୍କ ମନରେ ଦୁଃଖ ଦେବାକୁ ଇଚ୍ଛା କରୁ ନ ଥାଏ ।

 

ସେ ମନେ ମନେ ଭାବୁଥାଏ ଯଦି ସେ ନୀଳାର କହିବା ମୃତାବକ ବାଳ କଟେଇ ନ ଥାନ୍ତା ତେବେ ମାଧୁରୀ ହୁଏତ ତାକୁ ପସନ୍ଦ କରି ନଥାନ୍ତା, କିନ୍ତୁ ଲିଳାବତୀ ହୁଏତ ପସନ୍ଦ କରିଥାନ୍ତା-। ଏଥିପାଇଁ ତା ମନରେ ବଡ଼ ସଂଶୟ ଆରମ୍ଭ ହେଲା । ଲୀଳା ତ ତାକୁ ଏବେ ଦାଢ଼ି ମୁଛ ନଥିବା ବେଳେ ଦେଖିଛି ଓ ତା ସତ୍ତ୍ୱେ ତାକୁ ପସନ୍ଦ କରିଛି । ଦାଢ଼ି ମୁଛ ଥିଲେ ହୁଏତ କ’ଣ କରିଥାନ୍ତା କହି ହେଉନାହିଁ ।

 

ଏମିତି ସଂଶୟ ମନରେ ରଖି ସେ ବାପାଙ୍କୁ ପଚାରି ତାଙ୍କରି ନିଷ୍ପତ୍ତି ଅନୁସାରେ ଗୋଟାଏ କାର୍ଯ୍ୟପନ୍ଥା ସ୍ଥିର କରିବବୋଲି ଭାବି ସନ୍ଧ୍ୟା ପରେ ଘରକୁ ଫେରିଲା । ଗୁରୁଦ୍ୱାର ବିଷୟରେ ଆଲୋଚନା କରିବାକୁ କର୍ତ୍ତାର ସିଂ ତାଙ୍କ ଘରକୁ ଆସିଥାନ୍ତି । ସେ ତାଙ୍କୁ ଦେଖି ବାହାରପଟୁ ନିଜ ରହିବାଘର ଭିତରକୁ ପଶିଲା । ସେ ଘରେ ପଶୁ ନପଶୁଣୁ ସୋହନୁ ସେ ଘରଭିତରକୁ ଆସି କହିଲା, ‘ଭାଇ, ଆଜି ଅମୃତ ଚିଠି ଦେଇଛି ।’

 

ହରଭଜନ ଆଶ୍ଚର୍ଯ୍ୟ ହୋଇ କହିଲା, ‘କିପରି ଜାଣିଲୁ ।’

 

‘ଡାକରେ ଚିଠି ଲଫାପା ଭିତରେ ଆସିଲା । ମୁଁ ତା ଉପର ଠିକଣାରୁ ଠିକ୍‌ ବୁଝୁଛି ସେ ଚିଠି ଅମୃତ ଦେଇଛି ।’

 

ସୋହନୁ ଓରଫ ସୋହନ ସିଂ ପିଲାଦିନୁ ୟାଙ୍କ ଘରେ ଚାକର । ସେ ଅତି ଛୋଟ ଅବସ୍ଥାରେ ତା ମା ସାଙ୍ଗରେ ଆସି ହରଭଜନ ସିଂଙ୍କ ଘରେ ଆଶ୍ରା ନେଇଥିଲା । ମା ଦାସୀ ଭାବରେ ଥିଲା ଓ ସୋହନ ସେତେବେଳେ ସୋହନଲାଲ ହିସାବରେ ହରଭଜନ ଓ ଅମୃତଙ୍କ ସାଙ୍ଗରେ ଖେଳିବୁଲି ମଣିଷ ହୋଇଥିଲା । ସେତେବେଳେ ସେ ହିନ୍ଦୁ ଥିଲା । କିନ୍ତୁ ତା ମା ମରିଯିବାପରେ ସେ ହରଭଜନଙ୍କ ଘରେ ଚାକର ପରି ରହିଗଲା ଓ ଶିଖ୍‌ ଧର୍ମରେ ଦୀକ୍ଷିତ ହୋଇ ସୋହନ ସିଂରେ ପରିଣତ ହେଲା । ତେଣୁ ଅମୃତର ହାତଅକ୍ଷର ଚିହ୍ନିବା ତା ପକ୍ଷରେ ଆଦୌ ଅସମ୍ଭବ ନଥିଲା ।

 

ସୋହନୁ ଖାଇବା ଘରେ ଜାଗାକରି ହରଭଜନକୁ ଖାଇବାକୁ ଡାକିଲା । ହରଭଜନ ଖାଇବାଘର ପାଖଘରେ ବାପା ଓ କର୍ତ୍ତାର ସିଂ ଦୁହେଁ ବସି କଥାବାର୍ତ୍ତା ହେଉଥିବାର ଦେଖି ବଡ଼ ସନ୍ତର୍ପଣରେ ପରଦା ଆଢ଼ୁଆଳରୁ ସେ ଦୁହିଁଙ୍କ କଥା ପ୍ରତି କାନଦେଲା ।

 

ଶୁଣିଲା କର୍ତ୍ତାର ସିଂ କହୁଛନ୍ତି, ‘କଂଗ୍ରେସର ଏ ଧର୍ମନିରପେକ୍ଷ ନୀତି ଗୋଟାଏ ଅଦ୍ଭୁତ ଖିଆଲ । ଯେଉଁମାନେ ଧର୍ମ ବା ମତର ଅର୍ଥ କିଛି ବୁଝନ୍ତି ନାହିଁ, ସେହିମାନେହିଁ ନିଜନିଜର ବୈଶିଷ୍ଟ୍ୟ ରକ୍ଷାକରିବାକୁ ଏହି ନୀତିକୁ ବୟାନ କରୁଛନ୍ତି । ଗୋଟାଏ ବିଷୟ ବୁଝିବାକୁ କଷ୍ଟହେଉଛି ବୋଲି ଜଣେ ଶିକ୍ଷାର୍ଥୀ ଯେପରି ଅନ୍ୟମାନଙ୍କୁ ତାହା ନପଢ଼ିବାପାଇଁ ପ୍ରବର୍ତ୍ତାଏ, ଏହା ସେଇ ନ୍ୟାୟ ହେଉଛି ।’

 

କର୍ତ୍ତାର ସିଂହଙ୍କ କଥା ଶୁଣି ବଡ଼ିୟାମ ସିଂ ହସିକରି କହିଲେ, ‘ଆପଣ ଠିକ୍‌ କହୁଛନ୍ତି । ଏ କଥାର ପ୍ରମାଣ ଦିଅନ୍ତୁ ତ ?’

 

କର୍ତ୍ତାର ସିଂ କହିଲେ, ‘ଏ ଅସମ୍ପ୍ରଦାୟବାଦୀ କଂଗ୍ରେସୀ ଲୋକ ଜୀବନଯାକ କଂଗ୍ରେସରେ ପ୍ରଭୁତ୍ୱ ରଖିବେ ବୋଲି ମୁସଲମାନମାନଙ୍କ ପିଠି ଥାପଡ଼ୋଉଛନ୍ତି । ଆମର ନେତାମାନେ ବିଳାସରେ ମୁସଲମାନମାନଙ୍କୁ ବିଶେଷ ଅଧିକାର ଦେବାକୁ ଏବେବି ଦୃଢ଼ସଂକଳ୍ପ ଥିଲେ । ଶିଖ୍‌ ସମ୍ପ୍ରଦାୟ ସହିତ ଗୋଟାଏ ବୁଝାମଣା କରିବାକୁ ସେମାନେ ବର୍ତ୍ତମାନ ପ୍ରସ୍ତୁତ । ଇଂରେଜମାନଙ୍କଠାରୁ ସେମାନେ ଏ ଶିକ୍ଷା ପାଇଛନ୍ତି । ସେମାନେ ଜାଣନ୍ତି ଯେ ହିନ୍ଦୁମାନଙ୍କ ମଧ୍ୟରେ ଏପରି ଏକ ଦଳ ରହିବେ ଯେଉଁମାନେ ସବୁ ସମୟରେ ସେମାନଙ୍କୁ ସାହାଯ୍ୟ କରିବେ । ଏକ ସ୍ୱତନ୍ତ୍ର ସୁବିଧା କରି ଗୋଟାଏ ପକ୍ଷକୁ ନିଜ ଆଡ଼କୁ ଢଳେଇନେବା ସବୁବେଳେ ସୁବିଧାଜନକ ହେବ । ଏଥିପାଇଁ କେତେକ ହିନ୍ଦୁବିରୋଧୀ ଦଳକୁ କିଛି ଦେଇ ନେଇ ନିଜ ଦଳପ୍ରତି ଆକୃଷ୍ଟ କରେଇବା ସହଜ । ହିନ୍ଦୁସ୍ୱାର୍ଥକୁ ବଳିଦାନ କରି ମୁସଲମାନଙ୍କୁ ସନ୍ତୁଷ୍ଟ କରିବାର ଚେଷ୍ଟା କରାଯାଉଛି । ସର୍ବପ୍ରଥମେ ୧୯୨୦ରେ, ମହାତ୍ମା ଗାନ୍ଧୀ କଂଗ୍ରେସର କଲିକତାରେ ବସିଥିବା ବିଶେଷ ଅଧିବେଶନରେ ଏହି ନୀତିର ବ୍ୟାଖ୍ୟା ଦେଇଥିଲେ । ଖିଲାପତ୍‌କୁ କଂଗ୍ରେସର ଗୋଟିଏ ପ୍ରସ୍ତାବ ହିସାବରେ ଆଲୋଚନା କରିବାକୁ ସେ ଜିଦ୍‌ ଆରମ୍ଭ କଲେ । ଦେଶର ସମସ୍ତ ନେତା ଏହାକୁ କଂଗ୍ରେସ ପ୍ରସ୍ତାବରୂପେ ଆଲୋଚନା କରିବାକୁ ଚାହୁଁ ନଥିଲେ । ମୁସଲମାନ ପ୍ରତିନିଧିମାନଙ୍କ ସହାୟତାରେ ଏ ପ୍ରସ୍ତାବକୁ ପାସ୍‍ କରେଇନେଲେ । ମହାତ୍ମାଜୀ ଏହିପରି ନିଜର ଅନେକ ଅଯୌକ୍ତିକ ପ୍ରସ୍ତାବକୁ ମୁସଲମାନମାନଙ୍କ ସହାୟତାରେ ପାସ୍‍ କରେଇ ନେଇଥିଲେ ଓ ହିନ୍ଦୁମାନଙ୍କୁ ଏପରି ଅନେକ କଥାରେ ନତମସ୍ତକ ହେବାକୁ ପଡ଼ୁଥିଲା । ଏହି ନୀତିଯୋଗୁହିଁ ଶେଷରେ କଂଗ୍ରେସକୁ ଦେଶ ବିଭାଗପାଇଁ ସ୍ୱୀକୃତି ଦେବାକୁ ପଡ଼ିଲା ।

 

‘ବର୍ତ୍ତମାନ ଅଳ୍ପସଂଖ୍ୟକ ବିରୁଦ୍ଧ ସମ୍ପ୍ରଦାୟକୁ କିଛିକିଛି ସୁବିଧା ସୁଯୋଗ ଦେଇ ନିଜର ପ୍ରଭୁତ୍ୱ ବଜାୟ ରଖିବା ନୀତି ମହାତ୍ମାଜୀଙ୍କଠାରୁ ହିଁ ଆରମ୍ଭ ହୋଇଛି ବୋଲି ବୁଝିବାକୁ ହେବ ।

 

‘ଏହି ପରିସ୍ଥିତିରେ ଶିଖ୍‍ ସମ୍ପ୍ରଦାୟ ଯଦି କଂଗ୍ରେସର ଏହି ଦୁର୍ବଳତାରୁ କିଛି ଲାଭ ନ ଉଠାନ୍ତି ତେବେ ତାଙ୍କୁ ମୂର୍ଖ ବୋଲି ଧରିନେବାକୁ ହେବ ।

 

‘ପଞ୍ଜାବରେ ହିନ୍ଦୁ ସଂଖ୍ୟାଗରିଷ୍ଠ ଭାବରେ ଅଛନ୍ତି । କଂଗ୍ରେସ ପକ୍ଷରେ ବହୁସଂଖ୍ୟକ ହିନ୍ଦୁ ଅଛନ୍ତି । ଏତିକିବେଳେ ଆମ ସଂପ୍ରଦାୟକୁ ଅକାଳୀଦଳର ସହାୟତାରେ କିଛି ସୁବିଧା ହାସଲକରିବାକୁ ହେବ । କଂଗ୍ରେସ ଏବେ ବି ମହାତ୍ମାଜୀଙ୍କର ଏ ନୀତି ଉପରେ ଆସ୍ଥା ରଖି ଚଳୁଛି-। ଏହାକୁ ଏକ ସୌଭାଗ୍ୟ ବୋଲି ମଣିବାକୁ ହେବ । ଏହି ଦୁର୍ବଳତାରୁ ଆମକୁ ନିଶ୍ଚୟ ଲାଭ ଉଠାଇବାକୁ ହେବ ।’

 

‘ଆମର ଏଥିରେ କ’ଣ ଲାଭ ହେବ ?’

 

ହରଭଜନ ଏତିକିରେ ଆଉ ସ୍ଥିର ହୋଇ ନପାରି ଘରଭିତରକୁ ପଶିଆସି ‘ସତ୍‌ ଶ୍ରୀ ଅକାଳ’ କହି ଦୁହିଁଙ୍କୁ ନମସ୍କାର କରି ସେମାନଙ୍କ ସାମନାରେ, ଗୋଟିଏ ଚୌକିରେ ବସିପଡ଼ିଲା ଓ ବାପାଙ୍କୁ ଲକ୍ଷ୍ୟକରି କହିଲା, ‘କି ଆଲୋଚନା ଚାଲିଛି ?’

 

ବଡ଼ିୟାମ ସିଂ କହିଲେ, ‘କର୍ତ୍ତାର ସିଂ କହୁଛନ୍ତି କାଲି ଗୁରୁଦ୍ୱାର ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ଅକାଳୀଦଳର ସାହାଯ୍ୟପାଇଁ ପାସ୍‍ କରି ଦିଆଯାଉ । ମୋର କହିବା କଥା, ଗୁରୁଦ୍ୱାର ଟଙ୍କା କୌଣସି ରାଜନୈତିକ ଦଳପାଇଁ ଖର୍ଚ୍ଚ କରାନଯାଉ । ତାଙ୍କର କିନ୍ତୁ ମତ ରାଜନୀତି ଓ ଧର୍ମ ଏ ଦୁଇଟି ପୃଥକବସ୍ତୁ ନୁହନ୍ତି । ମୋର କହିବା କଥା ଭାରତ ଧର୍ମନିରପେକ୍ଷ ରାଷ୍ଟ୍ର । ସେ କହନ୍ତି ସରଳଚିତ୍ତ ହିନ୍ଦୁମାନଙ୍କୁ ଭଣ୍ଡିବାପାଇଁ ଏହା ଏକ କଂଗ୍ରେସୀ ପର୍ଦା । ବାସ୍ତବରେ କଂଗ୍ରେସ କୁଆଡ଼େ ନିଜର ପ୍ରଭୁତ୍ୱ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଭିନ୍ନ ମତ ମତାନ୍ତରବାଦୀମାନଙ୍କ ଭିତରେ ବିଭେଦ ଜାରି ରଖିବାକୁ ସର୍ବଦା ଚେଷ୍ଟା କରୁଛି ।’

 

‘ମୁଁ ତ ସେ କଥା ଶୁଣିଲି । ତେବେ କଣ ଆପଣ କାଲି ଗୁରୁଦ୍ୱାର ପାଣ୍ଠିରୁ ପାଞ୍ଚହଜାର ଟଙ୍କା ଅକାଳୀ ଦଳପାଇଁ ମଞ୍ଜୁର କରୁଛନ୍ତି ?’

 

‘ମୁଁ ତ ସ୍ଥିର କରିନାହିଁ । ତେବେ ମୁଁ ଭାବୁଛି କଂଗ୍ରେସ ଓ କଂଗ୍ରେସ ସରକାର ଏହିପରି ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କୁ କିଛି ନା କିଛି ଦେଇ ନିଜର ପ୍ରଭୁତ୍ୱ ବିସ୍ତାରପାଇଁ ଯଦି ସେମାନଙ୍କୁ ହାତ କରୁଥାଏ, ତେବେ ଶିଖ୍‌ ସମ୍ପ୍ରଦାୟ ଏ ଦୁର୍ବଳତାର ସୁଯୋଗ ନନେବ କାହିଁକି ?’

 

‘ଆପଣ ଯାହା କହିଲେ ତାହା ଯଥାର୍ଥ, ଯଦି କଂଗ୍ରେସ ସରଳଚିତ୍ତ ଲୋକଙ୍କୁ ଏହିପରି ଠକୁଥାଏ ତେବେ ଏହା ଘୋର ଅନ୍ୟାୟ । ଏଥିପାଇଁ ଯେଉଁ ସଂସ୍ଥା କଂଗ୍ରେସକୁ ସହାୟତା କରିବ ସେ ମଧ୍ୟ ଦୋଷୀ ହେବ । କଂଗ୍ରେସ କଣ ନିଜର ପ୍ରଭୁତ୍ୱ ବଜାୟ ରଖିବାକୁ ଦେଶରେ ବହୁମତ ସୃଷ୍ଟି କରୁଛି ? ଏହା ଘୋର ଅନ୍ୟାୟ । କୌଣସି ଗୋଟିଏ ସଂପ୍ରଦାୟକୁ ଭାଙ୍ଗି ବିଭେଦ ସୃଷ୍ଟି କରିବା କଦାପି କ୍ଷମଣୀୟ ନୁହେଁ ।’

 

‘ତେବେ କଣ କରାଯିବ ? ଗୁରୁଦ୍ୱାରର ପାଣ୍ଠି ପୁଣି କିପରି ବ୍ୟୟ ହେବ ?’ କର୍ତ୍ତାର ସିଂ ପଚାରି ବସିଲେ ।

 

‘ଗୁରୁ ମହାରାଜାଙ୍କ ଧର୍ମପ୍ରଚାର ପାଇଁ ଏହା ବ୍ୟୟିତ ହେବ ।’

 

‘ସେଇଥିପାଇଁ ତ ଶିଖ୍‌ ରାଜ୍ୟ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି ।’

 

‘ଅର୍ଥାତ୍‌ ଆପଣ ଶିଖ୍‌ ରାଜ୍ୟ ପ୍ରତିଷ୍ଠା ପାଇଁ ଶିଖ୍‌ ସଂସ୍ଥାକୁ ହତ୍ୟା କରିବେ ?’

 

‘ସେଥିରେ କ୍ଷତି କଣ ? ଆଜି ଭାରତରେ ବୌଦ୍ଧ ସମ୍ପ୍ରଦାୟ ଓ ମହାରାଜ ଅଶୋକ-ବର୍ଦ୍ଧନଙ୍କର ଅଶେଷ ପ୍ରଶସ୍ତି ଗାନ ହେଉଛି । ଅଶୋକ କଣ ରାଜନୈତିକ ବଳଦ୍ୱାରା ବୌଦ୍ଧଧର୍ମର ପ୍ରଚାର କରିନଥିଲେ ? ଆମେ କରିବା ତ ପାପ କେଉଁଠି ରହିବ ?’

 

‘କିନ୍ତୁ ଆପଣ ଜାଣନ୍ତି ତ ମହାରାଜା ଅଶୋକଙ୍କର ଏହି ନୀତିର ପରିଣତି କ’ଣ ହେଲା-? ମହାରାଜ ଅଶୋକଙ୍କର ଜୀବଦ୍ଦଶାରେ ହିଁ ଦେଶରେ ନାନାପ୍ରକାର ଅଘଟଣାମାନ ସୃଷ୍ଟି ହେଲା ଓ ତାହାର ଅଳ୍ପଦିନପରେ ଦେଶ ବିଦେଶୀ ଶତ୍ରୁ ହାତରେ ସହଜରେ ପଡ଼ିଥିଲା ।’

 

‘ସେ ଯାହା ହେବାର ହୋଇଛି । ବର୍ତ୍ତମାନ ଦେଖିବା କଥା, କଂଗ୍ରେସ ପଞ୍ଜାବରେ ଶିଖ୍‌ମାନଙ୍କୁ ଅତିଶୀଘ୍ର ସଂଖ୍ୟାଗରିଷ୍ଠ ଗୋଷ୍ଠୀ ବୋଲି ସ୍ୱୀକାର କରୁଛି । ଏହାର ସୁବିଧା ଆମକୁ ନେବାକୁ ହିଁ ହେବ ।’

 

‘ଧର୍ମ କ’ଣ ? ଏହା ଏକପ୍ରକାର ବିଚାରଧାରାର ସମଷ୍ଟି ନୁହେଁ କି ? ଆଜି ସମଗ୍ର ସଂସାରରେ ବିଭିନ୍ନ ରାଜ୍ୟ ତାହାର ସ୍ୱାତନ୍ତ୍ର୍ୟ ରକ୍ଷାପାଇଁ ଚେଷ୍ଟା କରୁଛି । ବାସ୍ତବିକ ଦେଖିବାକୁ ଗଲେ ଏହା ବିଚାରଧାରାର ବିସ୍ତାର ଛଡ଼ା ଅନ୍ୟ କିଛି ନୁହେଁ । ଦେଖନ୍ତୁ ରୁଷ୍‌ ଓ ଆମେରିକା କଣ କରୁଛନ୍ତି !

 

‘ଆମ ସରକାର ଗୋଟିଏ ଆର୍ଥିକ ବିଚାରଧାରାକୁ ମୁଖ୍ୟ କରି ଧରିଛି । ପ୍ରଥମ ନିର୍ବାଚନରେ ‘ସୋସିଆଲିଷ୍ଟ ପାଟର୍ଣ୍ଣ ଅବ୍‌ ଷ୍ଟେଟ୍‌’ର ପରିକଳ୍ପନା ଆମ ଆଗରେ ନ ଥିଲା । ଯେତେବେଳେ ରାଜ୍ୟ ଶାସନ ଆମ୍ଭମାନଙ୍କ ନେତାମାନଙ୍କ ସମ୍ମୁଖକୁ ଆସିଲା ସେତେବେଳେ ଏହି ନୂତନ ପରିକଳ୍ପନା ସେମାନଙ୍କ ମନକୁ ଆସିଲା । ପୁଣି ଦ୍ୱିତୀୟ ନିର୍ବାଚନ ଆସିଲା, ସେତେବେଳକୁ ‘ପଞ୍ଚବାର୍ଷିକ ଯୋଜନା’ ଦ୍ୱାହି ଦେଇ ଏ ନିର୍ବାଚନ ଲଢ଼ାଗଲା । ତା’ପରେ ‘ସୋସିୟାଲାଇଜେସନ୍‌’ କାର୍ଯ୍ୟ ଆରମ୍ଭ ହୋଇଛି ।

 

‘ଉଦ୍ଦେଶ୍ୟ, ପଞ୍ଚବାର୍ଷିକ ଯୋଜନା ନୁହେଁ । ଯେଉଁ ଦଳରାଜ୍ୟର ଶାସନଭାର ନେବ ସେ ତାକୁ ଚଳେଇବ । କିନ୍ତୁ ଅସଲ କଥା ହେଲା ସାମ୍ୟବାଦ । ଏହାକୁ ଗୌଣ ରଖି ନିର୍ବାଚନ ଲଢ଼ାଗଲା । ଯଦି କଂଗ୍ରେସ ତାହାର ଆର୍ଥିକ ବିଚାରର ପ୍ରତିଷ୍ଠପାଇଁ ଶାସନକାଳକୁ ପ୍ରୟୋଗ କରୁଛି, ତେବେ ଆମେ ଆମର ଧର୍ମପ୍ରଚାର ପାଇଁ ରାଜନୀତିର ସାହାଯ୍ୟ ନେବାରେ ଅନ୍ୟାୟ ରହିଲା କେଉଁଠି ?’

 

ବଡ଼ିୟାମ ସିଂ ଏ ଆଲୋଚନାକୁ ବନ୍ଦକରିବା ଉନ୍ଦେଶ୍ୟରେ କହିଲେ, ‘ମୁଁ ବର୍ତ୍ତମାନ ଗୁରୁଦ୍ୱାରର ପାଣ୍ଠିକୁ କୌଣସି ରାଜନୈତିକ ସଂସ୍ଥା ପାଇଁ ଦେଇ ପାରିବି କି ନାହିଁ, ତାହା ନିଷ୍ପତ୍ତି କରିପାରୁନାହିଁ । କାଲି ମୁଁ ଏହାର ଏକ ନିଷ୍ପତ୍ତି ଭାବି ବିଚାରି ସ୍ଥିରକରି ଆପଣଙ୍କୁ କହିବି ।’

 

ଏହା ଶୁଣି କର୍ତ୍ତାର ସିଂ କହିଲେ, ‘ସରଦାର ବଡ଼ୟାମ ସିଂ ! ଟଙ୍କା ତ ମଞ୍ଜୁର ହେବ । କିନ୍ତୁ କଥା ହେଉଛି ଆପଣ ବଦନାମ ହେବାକୁ ଚାହୁଁଛନ୍ତି କି ନାହିଁ । ଯଦି ଟଙ୍କା ଦେବା ସପକ୍ଷରେ ଆପଣ ମତଦିଅନ୍ତି ତେବେ ସବୁ ପ୍ରଶଂସା ଆପଣଙ୍କର ହିଁ ହେବ ।’

 

ଏହା କହି କର୍ତ୍ତାର ସିଂ ବିଦାୟ ନେଇ ବାହାରିଗଲେ ।

 

(୧୧)

 

କର୍ତ୍ତାର ସିଂ ବିଦାୟ ନେବାରୁ ହରଭଜନ ପଚାରିଲା, ‘ବାପା, ଅମୃତଠାରୁ କ’ଣ ଚିଠି ଆସିଛି ?’

 

‘ତୋତେ କିଏ କହିଲା ?’

 

‘ଆସିଛି ନାଁ ନାହିଁ ?’

 

‘ହଁ ଆସିଛି, କିନ୍ତୁ ମୁଁ ତ କାହାକୁ ସେ କଥା କହି ନ ଥିଲି । ତୋ ମା’ଙ୍କୁ ମଧ୍ୟ କହି ନ ଥିଲି-। ତୋତେ କିଏ କହିଲା ସେ ଚିଠି ଦେଇଛି ବୋଲି ?’

 

‘ସୋହନୁ ମୋତେ କହିଲା, ଗୋଟାଏ ଲଫାପ ଚିଠିରେ ସେ ଅମୃତର ହସ୍ତାକ୍ଷର ଦେଖିଛି ବୋଲି ।’

 

‘ସୋହନୁ କହିଲା ? ସେ ତ ବଡ଼ ଚାଲାକ ହେଲାଣି, ମୁଁ ତ ଚିଠି ଚିହ୍ନି ପାରି ନ ଥିଲି ।’

 

‘ସେ ଅମୃତର ଚିଠିକୁ କିନ୍ତୁ ଚିହ୍ନିଛି ।’

 

ବଡ଼ିୟାମ ସିଂ ପକେଟରୁ ଚିଠି କାଢ଼ିଲେ । ସେଥିରେ ଲେଖାଥିଲା, ‘ବାପା, ମୁଁ ବର୍ତ୍ତମାନ ସାବାଳିକା ହୋଇଛି, ମୁଁ ମୋର ନିଜ ଇଚ୍ଛାରେ ଏଣିକି ବିବାହ କରୁଛି ।

 

‘ତିନିମାସ ପୂର୍ବେ ଯେତେବେଳେ ଆପଣ ମୋର ବିବାହ ଜଣେ ସ୍କୁଲ ଇନସ୍‌ପେକ୍ଟରଙ୍କ ସହିତ କରିବାକୁ ପ୍ରସ୍ତାବ ଆଣିଥିଲେ, ସେତେବେଳେ ମୁଁ ନାବାଳିକା ଥିଲି । ସେତେବେଳେ ମୋତେ ଆଇନକାନୁନ ଜଣା ନଥିଲା । ନିଜ ବିଷୟରେ କୌଣସି ମତାମତ ଦେବାର ବୁଦ୍ଧି ମଧ୍ୟ ମୋର ନ ଥିଲା । ଏ ତିନିମାସ ମଧ୍ୟରେ ସେ ବୁଦ୍ଧି ମୋର ହୋଇଛି । ମୁଁ ବର୍ତ୍ତମାନ ମୋର ବିଚାରବୁଦ୍ଧିରେ ଯାହା ସ୍ଥିର କରିଛି, ସେ କଥା ଲେଖୁଛି । ମୁଁ କଲିକତାରେ ମୋର ଜଣେ ବନ୍ଧୁଙ୍କ ମା’ଙ୍କ ପାଖରେ ରହୁଛି । ଏତେଦିନ ଲୁଚି ରହିବାର କାରଣ ବର୍ତ୍ତମାନ ଆପଣ ବୁଝି ସାରିବେଣି । ବର୍ତ୍ତମାନ ମୋର କହିବାର କଥା ଯେ, ଯାହା ତାହା ସହିତ ବିବାହ ପ୍ରସ୍ତାବ ମୋର କରିବା ପୂର୍ବରୁ ମୋ ସହିତ ପରାମର୍ଶ କରି ସ୍ଥିର କରିବାକୁ ହେବ । ଏ ସ୍ୱାଧୀନଯୁଗରେ ମୁଁ ମୋର ସ୍ୱାଧୀନ ମତବାଦକୁ ପ୍ରୟୋଗ କରିବାକୁ ଚାହେଁ ।

 

‘ମୋର ଏପରି ବିଚାର ବୁଝି ଯଦି ଆପଣ ମୁଁ ଘରୁ ପଳାଇ ଆସିବାର ଅପରାଧକୁ କ୍ଷମା କରନ୍ତି ଓ ମୋର ସ୍ୱାଧିନତାକୁ ପ୍ରୟୋଗ କରିବାର ଭରସା ଦିଅନ୍ତି ତେବେ ଘରକୁ ଫେରିଯିବାରେ ମୋର ବିଶେଷ ଆନନ୍ଦ ହେବ ।

 

‘ମୁଁ ଠିକଣା ଦେଉନାହିଁ । ଯଦି ମୋର ଘରକୁ ଫେରିବାଟା ଆପଣଙ୍କୁ ରୁଚିକର ବୋଲି ମୋର ଧାରଣା ହେବ, ମୁଁ ନିଶ୍ଚୟ ଆପଣଙ୍କ କୋଳକୁ ଫେରିଯିବ । ମୋର ଏ ଚିଠିକୁ ଆପଣ ଗୋପନରେ ନରଖି ଆପଣଙ୍କ ମିତ୍ର ଓ ସମ୍ପର୍କୀୟମାନଙ୍କୁ ଦେଖାଇଲେ ମୁଁ ସେହିମାନଙ୍କ ମାରଫତରେ ଆପଣଙ୍କ ମନୋଭାବ ବୁଝିପାରି ଘରକୁ ଫେରିଯିବି । ଇତି । ଆପଣଙ୍କର ସ୍ନେହର ଅମୃତ ।’

 

ହରଭଜନ ସିଂ ଚିଠି ପଢ଼ି ବାପାଙ୍କୁ ଫେରେଇଦେଲା । ବଡ଼ିୟାମ ସିଂ ହରଭଜନ ସିଂକୁ ଲକ୍ଷ୍ୟ କରି ପଚାରିଲେ, ‘ହରଭଜନ, କିଏ ସେ ମୋର ଅମୃତକୁ ଏପରି ଲୁଚେଇ ରଖିଛି ?’

 

‘ଆପଣ କାହାକୁ ସନ୍ଦେହ କହୁଛନ୍ତି ?’

 

‘ମୋର ତ ସନ୍ଦେହ ତୋହରି ଉପରେ ।’

 

‘ମୁଁ ତାର ଠିକଣା ଜାଣେ ନାହିଁ । ମୋର ସନ୍ଦେହ ଥିଲା, ମୋର ବନ୍ଧୁ ସୁଶୀଳକୁମାରର ଜ୍ଞାତସାରରେ ସେ କେଉଁଠି ଅଛି । ଏକ ସମୟରେ ସୁଶୀଳ ତାକୁ ବିବାହ କରିବାକୁ ଚାହୁଁଥିଲା, କିନ୍ତୁ ଅମୃତ ଘରୁ ପଳେଇବାର ପୂର୍ବରୁ ତାହାର ଏ ବିଚାର ବଦଳି ଯାଇଥିଲା । ବର୍ତ୍ତମାନ ସୁଶୀଳର ବିବାହ ମନମୋହନ ବାବୁଙ୍କ ଝିଅ ସହିତ ସ୍ଥିର ହୋଇଯାଇଛି । ତାଙ୍କ ଘରେ ବିବାହର ଆୟୋଜନ ମଧ୍ୟ ଚାଲିଲାଣି । ସୁଶୀଳକୁ ମଧ୍ୟ ଅମୃତ ବିଷୟ ଚିନ୍ତା କରିବାର ଅବସର ନାହିଁ । ମୋର କେତେକ ବନ୍ଧୁଙ୍କ ସାହାଯ୍ୟରେ ମୁଁ ସୁଶୀଳଠାରୁ ଏକଥା ଜାଣିବା ପାଇଁ ଚେଷ୍ଟା କରି ଯାହା ଦେଖିଲି, ସେଥିରୁ ପରିଷ୍କାର ବୁଝିପାରିଲି ଯେ, ସୁଶୀଳର ଜ୍ଞାତସାରରେ ଏକଥା ହୋଇନାହିଁ ।’

 

‘ତୋ କଥା ଶୁଣି ମୋର ସନ୍ଦେହ ହେଉଛି ତୋ ମାମୁଁ ଉପରେ, ତା’ର ଶଳା କଲିକତାରେ ରହେ ।’

 

‘ହୋଇପାରେ, ତେବେ କଥା ତ ଅତି ସରଳ । ତାଙ୍କୁ ଡାକି ଆପଣଙ୍କର ମତାମତ ଜଣାଇଦିଅନ୍ତୁ । ଯଦି ଆପଣ ଅମୃତକୁ କ୍ଷମା କରିଛନ୍ତି ବୋଲି ସେ ଜାଣନ୍ତି, ତେବେ ଅମୃତର ସେ କଥା ଜାଣିବାକୁ କେତେବେଳ ?’

 

‘ତେବେ ତୋ’ର ମତ ଯେ, ଏ ଚାଲାକି ସବୁ ବିଷ୍ଣୁର ?’

 

‘ମୁଁ କିଛି କହି ପାରିବି ନାହିଁ, ୟା ମଧ୍ୟ କହିପାରୁନାହିଁ ଯେ, ଏହା ଚାଲାକି ନା ଭଦ୍ରାମି ।’

 

‘କେବେ କହିପାରିବୁ ?’

 

‘ଯେବେ ଅମୃତ ଫେରି ଆସିବ ଓ କହିବ ଏ ତିନିମାସ ସେ କେଉଁଠି ଲୁଚିକରି ଥିଲା ଓ ବିବାହ ବିଷୟରେ ବର୍ତ୍ତମାନ ମଧ୍ୟ ତା’ର ମତ କ’ଣ ?’

 

‘ମୋର ବିଶ୍ୱାସ ସେ ଯେଉଁଆଡ଼େ ଯାଇଥିଲା, ସେ ଆଡ଼େ ବିବାହ କରିବ ବୋଲି ସ୍ଥିର କରିଥିଲା, କିନ୍ତୁ ସେଠାରୁ ଧକ୍‌କା ଖାଇ ସେ ବର୍ତ୍ତମାନ ଘରକୁ ଫେରିବ ବୋଲି ଭାବୁଛି । ବିଷ୍ଣୁର ଶଳାର ପୁଅ କଲିକତାର ଗୋଟିଏ ବଡ଼ କାମରେ ରହିଛି । ବୋଧହୁଏ ସେଠାରେ କୌଣସି ସ୍ଥିରତା ନପାଇଁ ସେ ବର୍ତ୍ତମାନ ଫେରିବାର ବାଟ ଖୋଜୁଛି ।’

 

‘ତେବେ ତ ଆପଣଙ୍କର ନିଜ ଝିଅକୁ ଆଶ୍ରୟ ଦେଇ ତାକୁ ଅତି ଶୀଘ୍ର ଯେଉଁଠି ହେଲେ ବିବାହ ଦେବାର ବନ୍ଦୋବସ୍ତ କରନ୍ତୁ ।’ ବଡ଼ିୟାମ ସିଂ କିଛି ସମୟ ଚିନ୍ତାକରି କହିଲେ, ତେବେ ତୁ ଯା ଓ ମାମୁଁଙ୍କୁ କହ ଅମୃତ ଫେରିଆସୁ । ମୁଁ ତା’ର ଇଚ୍ଛାକୁ ଆଦର କରିବି ।’

 

ହରଭଜନ ଖାଇସାରି ମୋଟରରେ ମାମୁଁଙ୍କ ଘରକୁ ବାହାରିଗଲା । ଏତେ ରାତିରେ ହରଭଜନକୁ ଆସିବା ଦେଖି ବିଷ୍ଣୁସହାୟ ଆଶ୍ଚର୍ଯ୍ୟ ହେଲେ । ହରଭଜନ ସାଙ୍ଗରେ ଆଣିଥିବା ଅମୃତର ଚିଠିକୁ ମାମୁଁଙ୍କୁ ଦେଖାଇଲା । ଚିଠି ପଢ଼ି ସେ ହରଭଜନକୁ ଫେରେଇ ଦେଇ ତା ମୁହଁକୁ ଚାହିଁ ରହିଲେ ।

 

ହରଭଜନ କହିଲା, ‘ବାପା କହିଲେ ଯଦି ଆପଣ ଅମୃତର ଠିକଣା ଜାଣନ୍ତି ତେବେ ତାକୁ ଜଣେଇ ଦିଅନ୍ତୁ ଯେ, ସେ ଫେରିଆସୁ । ତା’ର ଇଚ୍ଛାକୁ ଯଥେଷ୍ଟ ଆଦର କରାଯିବ ।’

 

‘ଡେରିରେ ହେଲେ ମଧ୍ୟ ତୁମ ବାପାଙ୍କ ବିଚାରପାଇଁ ତାଙ୍କୁ ଧନ୍ୟବାଦ । କିନ୍ତୁ ମୋତେ ବିଶ୍ୱାସ କର, ସେ କେଉଁଠି ଅଛି ମୁଁ ଜାଣେନା ହିଁ । ଏକଥା ସତ ଯେ, ମୋ ଶଳା ବ୍ରଜନାଥ ସେଠାରେ ଅଛି, କିନ୍ତୁ ତାକୁ ସେଠାରେ ନରଖି ମୁଁ ଏହିଠାରେ ରଖିପାରିଥାନ୍ତି । ବଡ଼ିୟାମ ସିଂ ମୋ ଘର ଭିତରୁ ଜବରଦସ୍ତି ତାକୁ କେବେହେଲେ ନେଇ ଯାଇପାରି ନ ଥାନ୍ତେ ।’

 

‘ଅମୃତ ତ ଲେଖୁଛି, ବାପାଙ୍କ ମତାମତ ତାଙ୍କର ବନ୍ଧୁ ଓ ଆତ୍ମୀୟଙ୍କ ମଧ୍ୟରେ ପ୍ରଚାର ହେଲେ ସେ ତାହାର ସନ୍ଦେଶ ପାଇପାରିବ ।’

 

‘ସେଥି ସକାଶେ ତ ମୁଁ କହୁଛି, ମୋ ପାଖକୁ ଆସିଥିଲେ ମୁଁ ତାକୁ ଏହିଠାରେ ହିଁ ରଖି, ତାକୁ ରକ୍ଷା କରିବାର ଗୋଟାଏ ବାଟ କରିଥାନ୍ତି । ଦୂରକୁ ତାକୁ ପଠେଇଦେବାର ଆବଶ୍ୟକତା କିଛି ନ ଥିଲା । ମୋର ମତ ଯେ, ସେ ଘରୁ ବାହାରିଯାଇ ଠିକ୍‌ କଲାନାହିଁ ।’

 

‘ହରଭଜନ ନିରାଶ ହୋଇ ସେଠାରୁ ଫେରିଲା । ବଡ଼ିୟାମ ସିଂ ହରଭଜନକୁ ଅପେକ୍ଷା କରି ବସିଥିଲେ । ତା’ଠାରୁ ସବୁକଥା ଶୁଣି ସେ କହିଲେ, ‘ତୁମ ଦୁହିଁଙ୍କ ଛଡ଼ା ଏଥିରେ ଆଉ କାହାରି ହାତ ନାହିଁ ।’

 

‘ତେବେ ଅମୃତ ଚିଠିକଥା ଆଉ କାହାକୁ କହିବାର ଆବଶ୍ୟକତା ନାହିଁ ?’

 

‘ସେ କଥା ତୁ କହ । ମୁଁ କିପରି କହିବି ?’

 

‘ମୋର ଇଚ୍ଛା ଯେ ଆପଣ କଲିକତାର ପତ୍ରପତ୍ରିକାରେ ବିଜ୍ଞାପନ ଦିଅନ୍ତୁ; ସେ ତାକୁ ପଢ଼ି ଫେରିଆସିବ ।’

 

‘ପ୍ରଥମେ ତୋର ଚିହ୍ନାପରଚ ସମସ୍ତଙ୍କୁ ବୁଝେଇ ଦେ ଯେ ମୁଁ ତାକୁ କ୍ଷମା କରିଛି । ଏହା ପରେ ସେ ଯଦି ସପ୍ତାହକ ଭିତରେ ନ ଫେରେ ତେବେ ବିଜ୍ଞାପନ ଦେବାକଥା ବିଚାରକରିବା ।’

 

(୧୨)

 

ଅମୃତର ଚିଠିକୁ ହରଭଜନ ପ୍ରଥମେ ନୀଳାକୁ ଦେଖାଇଲା । ତା’ପରେ ତା’ର ଜାଣିବାରେ ଯିଏ ଯିଏ ଅମୃତକୁ ଜାଣନ୍ତି ତାଙ୍କୁ ମଧ୍ୟ ଦେଖାଇଲା । ବଡ଼ିୟାମ ସିଂ ମଧ୍ୟ ତାଙ୍କର ବନ୍ଧୁ ଓ ଆତ୍ମୀୟଙ୍କ ଆଗରେ ସେ ଅମୃତକୁ କ୍ଷମା କରିଛନ୍ତିବୋଲି କହିଲେ । ତାଙ୍କର କହିବାର ଅର୍ଥହେଲା, ସେ ବର୍ତ୍ତମାନ ସାବାଳିକା ହେଲାଣି । ଏଣିକି ତାର ମତ ନ ନେଇ ବିବାହଦେବା ଅନ୍ୟାୟ ।’

 

ଅମୃତର ଠିକଣା କଲିକତାରୁ ମିଳିଥିବାରୁ ଶିଖ୍‌ ସମ୍ପ୍ରଦାୟ ବିଶେଷ ସନ୍ତୁଷ୍ଟ ନ ଥିଲେ । ଏହା ସାଙ୍ଗେ ସାଙ୍ଗେ ସ୍ତ୍ରୀ ସମାଜରେ ଅମୃତର ମଧ୍ୟ କମ୍‌ ନିନ୍ଦା କରାଯାଉ ନ ଥିଲା । ସେମାନେ ବିଚାରୁଥାନ୍ତି, ଅମୃତ ଯାହା ସାଙ୍ଗରେ ପଳେଇ ଯାଇଥିଲା, ତା’ ସାଙ୍ଗରେ ବୋଧହୁଏ ନ ପଡ଼ିବାରୁ ସେ ପଳେଇ ଆସୁଛି ।

 

ସେମାନେ ହସି ହସି କହନ୍ତି, ‘ହରଭଜନ ମା, ଯେତେହେଲେ ତ ସେ ଝିଅ, ତାକୁ ଘରେ ନ ରଖିଲେ ଆଉ କିଏ ରଖିବ । ସେ ବା ଆଉ ଯିବ କୁଆଡ଼େ ?’

 

କର୍ତ୍ତାର ସିଂଙ୍କୁ ବଡ଼ିୟାମ ସିଂ ଅମୃତର ପତ୍ତା କଲିକତାରୁ ମିଳିଛି ବୋଲି କହିବାରୁ ସେ କହିଲେ, ‘କାହା ସାଙ୍ଗେ ପଳେଇଥିଲା ?’

 

‘ସେ ବିଷୟ ସେ କିଛି ଲେଖିନାହିଁ । କେବଳ ଲେଖିଛି, ଯଦି ତାକୁ ବିବାହ କରିବାକୁ ସ୍ୱାଧୀନତା ଦିଆଯାଏ ତେବେ ସେ ଫେରିଆସିବ ।’

 

‘ତେବେ ସେ ଯାହା ସାଙ୍ଗରେ ପଳେଇଯାଇଥିଲା, ତାକୁ ବିବାହ କରୁନାହିଁ କାହିଁକି ? ଏଠାକୁ ଆସି ଆମ ସମସ୍ତଙ୍କ ମୁହଁରେ କଳା ବୋଳିବ କାହିଁକି ?’

 

‘ତାହା ମୁହଁରେ କାଳି ଲାଗିଛି ବୋଲି ମୁଁ କିପରି କହିବି ? କେବଳ ତାହାର ଇଚ୍ଛା ତା ମତ ଅନୁସାରେ ବିବାହ ହେବ ।’

 

‘ମୁଁ ତ ସେହିକଥା କହୁଛି । ଯଦି ବିବାହ ତା’ର କରିବାର ଇଚ୍ଛା ତେବେ ଏଠାକୁ ଆସି ବିବାହ କରିବ କାହିଁକି ? ଦେଖନ୍ତୁ ସରଦାର ! ସେ ବାଳକଟେଇବା ଦିନଠାରୁ ମୁଁ ଜାଣିଛି ଯେ, ସେ ସମସ୍ତଙ୍କ ମୁହଁରେ କାଳି ଦେବ । ଶେଷରେ ତାହା ହିଁ ହେଲା ।’

 

ସରଦାର ବଡ଼ିୟାମ ସିଂ ଓ ତାଙ୍କର ସ୍ତ୍ରୀ ଯେତେବେଳେ ତାଙ୍କର ବନ୍ଧୁବାନ୍ଧବଙ୍କଠାରୁ ଏହିପରି କଥା ଶୁଣୁଥାନ୍ତି, ସେତେବେଳେ ତାଙ୍କ ମୁଣ୍ଡ ତଳକୁ ହୋଇଯାଉଥାଏ ।

 

ଅମୃତ ଘରୁ ଚାଲିଯିବା କଥାଟାକୁ ନୀଳା ମୋଟେ ପସନ୍ଦ କରୁ ନ ଥାଏ । ତେଣୁ ଅମୃତର ଚିଠି ଆସିବା ଦିନଠାରୁ ସେ ବରାବର ଇଚ୍ଛା କରୁଥାଏ ଯେ ଅମୃତ ଶୀଘ୍ର ଘରକୁ ଫେରିଆସୁ । ତେଣୁ ସେ ତାହାର ସମସ୍ତ ପରିଚିତ ବନ୍ଧୁ ବାନ୍ଧବଙ୍କୁ ଅମୃତର ଚିଠି ଆସିବା କଥା ଓ ତା ପିତାଙ୍କର ଆଶ୍ୱାସନା ଦେବାକଥା କହୁଥାଏ । କାରଖାନାକୁ ଚାଲୁ କରିବାକୁ ନୀଳା ଲାଗିପଡ଼ିଥାଏ । ଏଥିପାଇଁ ପ୍ରତିଦିନ ରାତିରେ ସେ, ପ୍ରବୋଧ ଓ ପ୍ରଭୁଦୟାଲ ବାବୁ ବସି କାରଖାନାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରନ୍ତି । ସେମାନଙ୍କର ଗୋଟିଏ ଗୋଟିଏ ନିଷ୍ପତ୍ତି ଫଳରେ କାରଖାନାର ରୂପରେଖ କ୍ରମେ ବଦଳୁଥାଏ ଓ ଏ ପରିବର୍ତ୍ତନ କାରଖାନାର କର୍ମଚାରୀ ତଥା ୟୁନିୟନର କର୍ମକର୍ତ୍ତାମାନେ ଜାଣିପାରୁଥାନ୍ତି ।

 

କାରଖାନାର କର୍ମଚାରୀମାନେ ଯେତେବେଳେ ଜାଣିପାରିଲେ ଯେ, କାରଖାନା ବିକ୍ରି ହେବାକୁ ଯାଉଛି, ସେମାନେ ବଡ଼ ଚିନ୍ତିତ ହେଲେ । କର୍ମଚାରୀଙ୍କ ଭିତରେ ରାମାଧୀନ ବୋଲି ଗୋଟିଏ କର୍ମଚାରୀ ଥିଲା । ସେ ବିଚାରା ବେଶି ଦରମା ଲୋଭରେ ରେଳବାଇ ଚାକିରୀ ଛାଡ଼ି ଏ କାରଖାନା କାମରେ ପଶିଥିଲା । ଗୋଟାଏ ବର୍ଷ ଏ କାରଖାନାରେ କାମକରିବା ଫଳରେ ସେ ବଡ଼ ଆନନ୍ଦରେ ଥିଲା । କିନ୍ତୁ ଯେତେବେଳେ ଧର୍ମଘଟ ହୋଇ କାରଖାନା ବନ୍ଦ ହୋଇଗଲା ସେ ବିଚରା ବଡ଼ ବିପଦରେ ପଡ଼ିଗଲା ।

 

ରାମାଧୀନର ପିଲାଛୁଆ’ ମିଶି ଆଶ୍ରିତଙ୍କ ସଂଖ୍ୟା ସାତ । କାରଖାନା ମାସେ ବନ୍ଦ ହୋଇଯିବାରୁ ତା’ର ଅବସ୍ଥା ବଡ଼ ସାଂଘାତିକ ହେଲା, ସେ ଦେଖିଲା ଯେ, ଧର୍ମଘଟ ଯୋଗୁଁ ସେ ବେକାର ହେଲା । ତେଣୁ ସେ କମ୍ୟୁନିଷ୍ଟ ପାର୍ଟି ଅଫିସକୁ ଯାଇଁ ଶିଶିରକୁମାରଙ୍କୁ ଦେଖାକରି କହିଲା, ‘ଯଦି ଦୁଇତିନି ଦିନ ଭିତରେ କାରଖାନା ଚାଲୁ ନ ହୁଏ ତେବେ ତାହାର ଓ ତାହାର ଆଶ୍ରିତ ସାତପ୍ରାଣୀ କୁଟୁମ୍ବଙ୍କର କଥା ଆଉ ନେଇଆଣି ଥୋଇ ହେବନାହିଁ ।’

 

ଶିଶିରକୁମାର ତାକୁ ବୁଝେଇବାକୁ ଚେଷ୍ଟା କଲେ ଯେ, ତ୍ୟାଗ ଆଉ ତପସ୍ୟା ଫଳରେ ପୃଥିବୀରେ ବହୁ ମହତ୍‌ କାର୍ଯ୍ୟ ସମ୍ପାଦିତ ହୋଇଛି । ଏହା ଶୁଣି ରାମାଧୀନ କହିଲା, ‘ଶିଶରବାବୁ ! ଆପଣଙ୍କର ସେ ମହତ୍‌ କାର୍ଯ୍ୟଟି କ’ଣ, ଯାହା ସକାଶେ କି ଆପଣ ମୋତେ ନିଜକୁ ଓ ମୋର ଆଶ୍ରିତମାନଙ୍କୁ ବଳିଦାନ ଦେବାପାଇଁ କହୁଛନ୍ତି ?’

 

‘ସେ କାମ ହେଲା ଶ୍ରମିକରାଜ୍‌ ପ୍ରତିଷ୍ଠା ଓ ଶ୍ରମିକମାନଙ୍କର ମଙ୍ଗଳ ।

 

‘କିନ୍ତୁ ଆପଣ ତ ନିଜେ ଶ୍ରମିକରାଜ୍‌କୁ ଭାଙ୍ଗି ଛିନ୍‍ଛତ୍ର କରିଦେଲେ । ନ୍ୟୁ ଇଣ୍ଡିଆ ଅଟୋମୋବାଇଲ ଓ୍ୟାର୍କସର ପରିଚାଳନା ତ କର୍ମଚାରୀମାନେ କରୁଥିଲେ, ସେହି କର୍ମଚାରୀ କାଉନ୍‌ସିଲକୁ ଭାଙ୍ଗିବାପାଇଁ ଆପଣ ଏ ଧର୍ମଘଟ ଆରମ୍ଭ କଲାପରି ମନେହେଉଛି ।’

 

‘ସେ ସବୁକଥା ମିଛ ।’

 

ଶିଶିରକୁମାର ତ ଏହା କହିଦେଲେ, କିନ୍ତୁ ତା’ ପରେ ପରେ ତାଙ୍କର ନୀଳାଦେବୀଙ୍କ କଥା ମନେପଡ଼ିଗଲା । ନୀଳାଦେବୀ ଥରେ କହିଥିଲେ, ଲୋକେ ତାଙ୍କ ନିଜ ବିଚାରଧାରାର ସମର୍ଥନ ପାଇଁ ନ୍ୟାୟ ଅନ୍ୟାୟ, ଉଚିତ ଅନୁଚିତ କିଛି ବୁଝନ୍ତି ନାହିଁ । ତାଙ୍କର ମନେହେଲା ଯେପରି ସେ ମଧ୍ୟ ଜଣେ ଅନ୍ଧ ସମର୍ଥକ ହିସାବରେ କାମକରୁଛନ୍ତି । ତେଣୁ ସେ କହିଥିବା କଥାକୁ ସଂଶୋଧନ କରି କହିଲେ, ‘ରାମାଧୀନ ! ଗୋଟିଏ କାମ କର, ତୁମେ ନୀଳାଦେବୀଙ୍କ ପାଖକୁ ଚାଲିଯାଅ ଓ ତାଙ୍କୁ ନିଜ ପରିବାରର ଅବସ୍ଥା କଥା କହି ପୁଣି ଚାକିରୀରେ ଭର୍ତ୍ତିହେବାପାଇଁ ଅନୁରୋଧ କର ।’

 

‘ଆପଣ ଯିଏକି ନିଜକୁ ଶ୍ରମିକଙ୍କର ରକ୍ଷକ ବୋଲି ମନେକରନ୍ତି, ସେ ଯଦି ମୋପରି ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମିକଙ୍କ ପ୍ରତି ଦୟା ପ୍ରଦର୍ଶନ ନ କରନ୍ତି ତେବେ ଜଣେ ମାଲିକ କାହିଁକି ଆମପ୍ରତି ଦୟା ଦେଖାଇବ ? ଆମେ ତ ତାଙ୍କୁ ଗାଳିଗୁଲଜ କରିବାରେ ଲାଗିଛୁ ଓ ତାଙ୍କର ଯଥେଷ୍ଟ ଆର୍ଥିକ କ୍ଷତି କରିଛୁ ।’

 

‘କିନ୍ତୁ ମୁଁ କ’ଣ କରିପାରେ ?’

 

‘ଆପଣ ଗୋଟାଏ କଥା କରିପାରିଥାନ୍ତେ । ମୋର ବିଶ୍ୱାସ, ବର୍ତ୍ତମାନ ମଧ୍ୟ ଆପଣ ଏହା କରିପାରନ୍ତି । ଆପଣ ଇଉନିୟନର ଅଧ୍ୟକ୍ଷ । ଆପଣ ଇଉନିୟନ ତରଫରୁ ଯାଇ ନୀଳା ଦେବୀ ଓ ପ୍ରବୋଧବାବୁଙ୍କ ପାଖରେ କ୍ଷମାପ୍ରାର୍ଥନା କରି ଆମ୍ଭମାନଙ୍କ ଚାକିରୀ ରକ୍ଷାକରନ୍ତୁ ।’

 

‘ମୁଁ ମୋ ପାର୍ଟିର ବିନାଆଦେଶରେ ଏପରି କାମ କରିପାରିବି ନାହିଁ ।’

 

‘ତେବେ କ’ଣ ପାର୍ଟିର ଆଦେଶରେ ଆପଣ ଆମ ଇଉନିୟନର ପ୍ରେସିଡେଣ୍ଟ ହୋଇଥିଲେ ?’

 

‘ହଁ ।’

 

‘ଏ ଧର୍ମଘଟ ତେବେ କଣ ଆପଣ ପାର୍ଟିର ଆଦେଶରେ ଚଳାଉଥିଲେ ।’

 

‘ହଁ ।’

 

‘ତେବେ ଆମର ଏ ଦୁର୍ଦ୍ଦଶାରେ ପାର୍ଟିର ଦୟା ହେଉନାହିଁ ।’

 

‘ପାର୍ଟି କଚେରୀରେ ମକଦ୍ଦମା କରି କାରଖାନା ବିକ୍ରିର ବିରୋଧ କରିବ ।’

 

‘ସେଥିରେ ଆମର ଲାଭ କଣ ? କାରଖାନା କେତେମାସ ବନ୍ଦ ହେବ ଏବଂ ଆମେ ବେକାର ରହିବୁ ?’

 

‘ସେଥିପାଇଁ ତ ମୁଁ କହୁଛି ତୁମେ ନୀଳାଦେବୀଙ୍କ ସହ ଦେଖାକରି ତୁମର ବ୍ୟକ୍ତିଗତ ସମସ୍ୟାର ସମାଧାନ କର ।’

 

‘ଅନ୍ୟ ଶ୍ରମିକମାନଙ୍କର ଅବସ୍ଥା କ’ଣ ହେବ ?’

 

‘ସେମାନେ ମଧ୍ୟ ତୁମ ପରି ଯାଇ ନିଜନିଜ ଅବସ୍ଥା କଥା କହି ପାରନ୍ତି ।’

 

‘କିନ୍ତୁ ଆପଣ ଯେତେବେଳେ କୋଟ କଚେରୀରେ ବିରୋଧ ଆରମ୍ଭ କଲେଣି ସେତେବେଳେ ନୀଳାଦେବୀ ଆମକୁ କୁଆଡ଼ୁ ଚାକିରୀ ଦେବେ ?’

 

‘ତେବେ ଏଥିରେ ମୁଁ କଣ କରିବି ?’

 

ରାମାଧୀନ ନିରାଶ ହୋଇ ଫେରିଲା । ସେ ତାହାର କେତେକ ଶ୍ରମିକ ସାଥୀଙ୍କ ସହ ପରାମର୍ଶ କରି ଯେଉଁମାନେ ରାଜି ହେଲେ ସେମାନଙ୍କୁ ଧରି ନୀଳାଦେବୀଙ୍କ ପାଖକୁ ଗଲା ।

 

ନୀଳା ଦେବୀ ରାମାଧୀନର ଆସିବାର ଉଦ୍ଦେଶ୍ୟ ଜାଣିପାରି କହିଲେ, ‘ମୁଁ ଆପଣଙ୍କ ଦୁର୍ଦ୍ଦଶା କଥା ସବୁ ବୁଝୁଛି ଏବଂ ମୁଁ ପୂର୍ଣ୍ଣ ଯତ୍ନ କରୁଛି ଯଦ୍ଦ୍ୱାରା ଆପଣମାନେ ପୁଣି କାମ ପାଇବେ । ଦେଖନ୍ତୁ, କାରଖାନା ବିକ୍ରି ହୋଇଯାଇଛି । ଦିଲ୍ଲୀରୁ କାରଖାନା ଦେଖାଶୁଣା କରିବା ପାଇଁ ଜଣେ ମେନେଜର ଆସିଛନ୍ତି, ସେ ଲୋକ ନିଯୁକ୍ତି କଲେଣି । ପ୍ରବୋଧବାବୁଙ୍କ ପିତା ପଇସା ଖଟୋଉଛନ୍ତି-। କାରଖାନା ଖରିଦ୍‌ କରିବା ଲୋକ ଯେତେ ଦିନଯାଏ ସବୁ ଟଙ୍କା ଦେଇସାରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ନୂଆ ମେନେଜରଙ୍କ ସହ ମୁଁ ମଧ୍ୟ କାରଖାନା ପରିଚାଳନା କଥା ବୁଝିବି ଓ ସେଥିରେ ମୋର ହାତ ରହିବ । ମୁଁ ଆପଣଙ୍କୁ କହିରଖୁଛି, ଯଥାସମ୍ଭବ ଆମର ପୁରୁଣା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।’

 

‘କାରଖାନା କେବେ ଖୋଲିପାରେ ?’

 

‘ଯଦି ଆପଣମାନଙ୍କ ଇଉନିୟନ ତରଫରୁ କିଛି ଗଣ୍ଡଗୋଳ କରା ନ ଯାଏ ତେବେ ଆଜିଠୁ ଏକ ସପ୍ତାହ ମଧ୍ୟରେ କାରଖାନା ଖୋଲିଯିବ, କିନ୍ତୁ ମୁଁ ଶୁଣୁଛି ଇଉନିୟନ ଏହି ବିକ୍ରିରେ ବାଧା ଦେବାପାଇଁ ଚେଷ୍ଟା କରୁଛି ।’

 

‘ମୁଁ ଚେଷ୍ଟା କରିବି ଯେପରି ଏପରି ବାଧା ସୃଷ୍ଟି ନହୁଏ ।’

 

‘ହଁ, କରନ୍ତୁ । ଆଉ ଦିନେ ଦୁଇଦିନ ଭିତରେ ଚାକିରୀର ନୂଆ ସର୍ତ୍ତଥିବା ଦରଖାସ୍ତ ଫରମ ନେଇଯାଇ ସେଥିରେ ଦସ୍ତଖତ କରି ଫେରାଇ ଦିଅନ୍ତୁ । ଦରଖାସ୍ତ ଫରମ୍‌ ଛାପା ହେବାକୁ ଦିଆଯାଇଛି, ଦିନେ ଓଳିଏ ଭିତରେ ଆସିଯିବ ।’

 

(୧୩)

 

ଗୁଳିଚାଳନା ହେବା ଓ କାରଖାନା ବିକ୍ରି ହୋଇଯିବା ପରେ ପରେ ଶିଶିର କୁମାର ପାର୍ଟିର ନିର୍ଦ୍ଦେଶକୁ ଅନାଇ ବସିଥିଲେ । ସେଥିପାଇଁ ସେ ପାର୍ଟି ମିଟିଂ ଡକେଇଥିଲେ । ପାର୍ଟିର ଗୋଟିଏ ବିଶେଷ ଅଧିବେଶନ ବସି ଶିଶିରକୁମାରଙ୍କୁ ନିର୍ଦ୍ଦେଶ ମିଳିଲା, ଶ୍ରମିକମାନଙ୍କୁ ନୀଳାଦେବୀଙ୍କ ସହିତ ଦେଖାକରି ଚାକିରୀ ଯୋଗାଡ଼ କରିବାକୁ କୁହାଯାଉ, କିନ୍ତୁ ତା ସାଙ୍ଗେ ସାଙ୍ଗେ ଶିଶିରକୁମାର କାରଖାନା ଯେପରି ବିକ୍ରି ନ ହୁଏ ସେଥିପାଇଁ କଚେରୀରେ ଗୋଟିଏ ମକଦ୍ଦମା ଦାଏର କରନ୍ତୁ ।

ନୀଳାଦେବୀ ତ କଥା ଦେଇ ସାରିଥିଲେ ପୁରୁଣା ଶ୍ରମିକଙ୍କୁ ରଖିବେ ବୋଲି । ସେଥିପାଇଁ ଶିଶିର କୁମାରଙ୍କ ଚିନ୍ତା ନ ଥିଲା । କିନ୍ତୁ ଚିନ୍ତା ହେଲା ଯଦି ମକଦ୍ଦମା କରାଯାଏ ତେବେ ନୀଳାଦେବୀ ଶ୍ରମିକମାନଙ୍କୁ ଚାକିରୀ ଦେବେ କିପରି ? ମକଦ୍ଦମା କରି ଇଞ୍ଜଙ୍କସନ୍‌ କରିନେଲେ କାରଖାନା ତ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ହୋଇଯିବ ।

ଶିଶିର କୁମାରଙ୍କ ଏ ଯୁକ୍ତି କେହି ଶୁଣିଲେ ନାହିଁ । ତାଙ୍କୁ କୁହାଗଲା, ‘ତୁମର କାମ କରିବାକଥା ପାର୍ଟିର ଆଦେଶ ଅନୁସାରେ । ଆଦେଶ ହେଲା ମକଦ୍ଦମା କରିବାକୁ, ତୁମେ ମକଦ୍ଦମା କରିବ । ଏହା ଏକ ନୀତିଗତ ପ୍ରଶ୍ନ । ଏ ଆଦେଶ ତୁମକୁ ପାଳନ କରିବାକୁ ହିଁ ପଡ଼ିବ ।’

ଶିଶିର କୁମାର ବଡ଼ ନିରାଶ ହୋଇପଡ଼ିଲେ । ସେ ପରିଷ୍କାର ବୁଝିଥିଲେ ଯେ ପାର୍ଟିର ଏ ନିଦ୍ଦେଶ ଅନ୍ୟାୟ ଏବଂ ଏହା କର୍ମଚାରୀଙ୍କ ସ୍ୱାର୍ଥବିରୋଧୀ; କିନ୍ତୁ ପାର୍ଟିର ନିର୍ଦ୍ଦେଶକୁ ପାଳନ ନ କରି ତାଙ୍କର ଅନ୍ୟ ପନ୍ଥା ନଥିଲା ।

ପାର୍ଟି ମିଟିଂ ପରେ ସେ ସେହିଠାରେ ଉଦାସ ମନରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସିରହିଥିଲେ । ଏତିକିବେଳେ ଜଣେ ଆସି କହିଲା, ‘ଆପଣଙ୍କୁ ବାହାରେ ଡାକ୍ତର ସୁଶୀଳକୁମାର ଡାକୁଛନ୍ତି ।’

ସେ ଘାବଡ଼େଇ ଯାଇ ଉଠି ଠିଆ ହେଲେ ଓ ପାର୍ଟିଅଫିସରୁ ପଦାକୁ ବାହାରି ଆସିଲେ । ସେ ଚାଲିଗଲା ପରେ ପାର୍ଟିର କେତେକ ସଭ୍ୟ ଆପଣା ଆପଣା ମଧ୍ୟରେ ସଂପୂର୍ଣ୍ଣ ଭିନ୍ନ ପ୍ରକାର ଆଲୋଚନା ଆରମ୍ଭ କରି ଦେଲେ । ଭୃଗୁଦତ୍ତ ବୋଲି ଜଣେ ସଭ୍ୟ କହିଲା, ‘ମକଦ୍ଦମା କରିବା ସପକ୍ଷରେ ମୁଁ ମୋଟେ ନୁହେଁ; କିନ୍ତୁ ଶିଶିର କୁମାର ଯେତେବେଳେ ମକଦ୍ଦମା କରିବା ଅନ୍ୟାୟ ବୋଲି ଯୁକ୍ତି କଲେ ସେତେବେଳେ ମୁଁ ମକଦ୍ଦମା କରିବା ସପକ୍ଷରେ ମତ ଦେଲି ।’

ଏହାଶୁଣି ଭୃଗୁଦତ୍ତର ସାଥୀ ହସି ଉଠିଲେ ।

ଭୃଗୁଦତ୍ତ ପଚାରିଲା, ‘ହସିଲ କାହିଁକି ?’

‘କାରଣ, ପାର୍ଟିର ନିଷ୍ପତ୍ତି ହିଁ ଯେଉଁଠି ଏକମାତ୍ର ନିଷ୍ପତ୍ତି ସେଠାରେ ଯୁକ୍ତିର ପ୍ରଶ୍ନ ପୁଣି କାହିଁକି ଉଠୁଛି ?’

‘କେବଳ ଆମର ନିଜ ନିଜର କାର୍ଯ୍ୟକୁ ସମର୍ଥନ କରିବାପାଇଁ ।’

‘ଆମର ନିଷ୍ପତ୍ତି ଯେପରି ଅଯୌକ୍ତିକ, ଆମର ସମର୍ଥନ ମଧ୍ୟ ସେହିପରି ଅନ୍ୟାୟ ।’

ତେବେ ତୁମେ କ’ଣ ଏହା ଅନ୍ୟାୟ ବୋଲି ଭାବୁଛ ?’

‘ନିଶ୍ଚୟ ।’

‘ତେବେ ତୁମେ କାହିଁକି ମକଦ୍ଦମା କରିବା ବିପକ୍ଷରେ ମତ ଦେଲ ନାହିଁ ?’

‘କାରଣ ମୁଁ ଅତିଶୀଘ୍ର ପାର୍ଟିର ବେତନପ୍ରାପ୍ତ କର୍ମଚାରୀ ହେବାକୁ ଯାଉଛି ।’

ଏହା ଶୁଣି ଭୃଗୁଦତ୍ତ ଖୁବ୍‌ ହସିଲା । ତାର ସାଥୀ ତା ଆଡ଼କୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁବାରୁ ସେ କହିଲା, ‘କାର୍ଯ୍ୟକାରୀ କମିଟିର ଏ ରୀତି ସଂପୂର୍ଣ୍ଣ ଦୋଷାବହ । ଯେଉଁ ଦଳ ଶ୍ରମିକମାନଙ୍କର ପ୍ରତିନିଧିତ୍ୱ କରୁନାହିଁ, ସେମାନଙ୍କ ବିଷୟରେ କୌଣସି ଆଦେଶ ଦେବାର ଅଧିକାର ପାର୍ଟିର ନାହିଁ ।’

‘ତେବେ କ’ଣ କରାଯିବ ?’

‘ମୁଁ ତ ଶ୍ରମିକମାନଙ୍କୁ ପରିଷ୍କାର କହିବି ମକଦ୍ଦମାକୁ ଅନେଇଁ କୌଣସି ଲାଭ ନାହିଁ । ମୋ ପଡ଼ିଶା ଘରେ ଏହି କମ୍ପାନୀର ଦୁଇଜଣ କର୍ମଚାରୀ ରହନ୍ତି । ସେମାନଙ୍କର ଅବସ୍ଥା କହିଲେ ନସରେ । ସେମାନଙ୍କୁ ଯଥାସମ୍ଭବ ଶୀଘ୍ର କାମରେ ଯୋଗଦେବାକୁ କହିବା ଉଚିତ ।’

ରାମାଧୀନ ଭୃଗୁଦତ୍ତର ପଡ଼ୋଶୀ । ରାତିରେ ଘରକୁ ଫେରି ଯେତେବେଳେ ଭୃଗୁଦତ୍ତ ସଭାର ବିବରଣୀ ତାକୁ କହିଲା, ସେ ତା’ର ନୀଳାଦେବୀଙ୍କ ସହିତ ହୋଇଥିବା କଥାବାର୍ତ୍ତା ବିଷୟ ଭୃଗୁଦତ୍ତକୁ କହିଲା ।

‘ନୀଳାଦେବୀ କ’ଣ ତୁମକୁ ପୁଣି ଚାକିରୀ ଦେବେ ବୋଲି କହିଛନ୍ତି ?’

‘ଆଜ୍ଞା ହଁ, ସେ କହିଲେ ଶିଶିରବାବୁ ଯଦି କାରଖାନା ନାଁରେ ମକଦ୍ଦମା ଆରମ୍ଭ କରିଦିଅନ୍ତି, ତେବେ ଚାକିରୀ ମିଳିବ ଆଉ କିପରି ?’

‘ତେବେ ଶିଶିର ବାବୁଙ୍କୁ ମକଦ୍ଦମା ନ କରିବାକୁ କହୁନ ?’

‘ମୁଁ ତ ତାଙ୍କୁ ସେହିକଥା କହିବାକୁ ଯାଇଥିଲି, କିନ୍ତୁ ଖବର ପାଇଲି ଯେ ସେ କୁଆଡ଼େ ବାହାରକୁ ଚାଲି ଯାଇଛନ୍ତି ।’

‘ବାହାରକୁ କୁଆଡ଼େ ?’

‘ସେକଥା କହିପାରିବି ନାହିଁ ଆଜ୍ଞା ! ପାର୍ଟିର ଅଫିସରେ କିଏ କହୁଥିଲା ଯେ, ସେ କୁଆଡ଼େ କଲିକତା ଯାଇଛନ୍ତି ।’

‘ତେବେ ଏହାର ଅର୍ଥ ଏଇଆ ଯେ, କିଛିଦିନ ମକଦ୍ଦମା ଦାଏର ହେବନାହିଁ । ଏଇ କେତେଦିନ ମଧ୍ୟରେ ତୁମେ ନୀଳା ଦେବୀଙ୍କ ସହିତ ମିଶି ଚାକିରୀର ଯୋଗାଡ଼ କରିନିଅ ।’

‘ସେୟା ହେବ ଆଜ୍ଞା ! କିନ୍ତୁ କାରଖାନା ଚାଲୁହେବା ପରେ ପରେ ଯଦି ଇଞ୍ଜଙ୍କସନ୍‌ ଦାଏର ହୋଇଯାଏ, ତେବେ ଆମ ଚାକିରୀ ପୁଣି ଚାଲିଯିବ ।’

‘ଗୋଟାଏ କଥା କର । ଶିଶିରବାବୁ କେବେ ଆସୁଛନ୍ତି ତାହାର ଖବର ବରାବର ରଖ । ଆସିଲେ ତାଙ୍କୁ କହିବ ଯେ ମକଦ୍ଦମା ଦାଏର କରିବା ପୂର୍ବରୁ ମୋ ସଙ୍ଗେ ଦେଖାକରିବେ ।’

 

ତୃତୀୟ ଭାଗ

 

ଯେଉଁଦିନ ଅମୃତର ବିବାହ ପ୍ରୀତମ ସିଂ ସଙ୍ଗେ ହେବବୋଲି ସ୍ଥିରହେଲା, ସେଦିନ ଅମୃତ ଭାଇର ଡାକ୍ତରଖାନାରୁ ଉଠୁ ଉଠୁ ଭାଇକୁ ପଚାରିଲା, ‘ତେବେ ବର୍ତ୍ତମାନ କ’ଣ କରିବି ?’

 

ହରଭଜନ କହିଥିଲା, ‘ତୁ ଘରକୁ ଆ । ମୁଁ ସରଦାର କର୍ତ୍ତାର ସିଂଙ୍କ ଘର ଦେଇ ଫେରୁଛି-।’

 

ଅମୃତ ହରଭଜନ ଦୋକାନରୁ ବାହାରି ଘରକୁ ନ ଯାଇ ଅନ୍ୟଆଡ଼େ ଚାଲିଲା ଅନିର୍ଦ୍ଦିଷ୍ଟଭାବେ । ଘରକୁ ଯିବାକୁ କାହିଁକି ମନ ବଳିଲାନାହିଁ । ବାଟରେ ଯାଉଁ ଯାଉଁ ଅନେକ ଯୁକ୍ତି ତା ମନକୁ ଆସିଲା । ସରଦାର କର୍ତ୍ତାର ସିଂଙ୍କୁ ଭେଟି ଆଉ ବିଶେଷ ଯେ କିଛି ହେବ ଏହା ସେ ଧାରଣା କରିପାରିଲା ନାହିଁ । ଏ ବିଷୟରେ ସେ ହରଭଜନ ସହିତ ଏକମତ ହୋଇ ପାରୁ ନଥାଏ । ହରଭଜନକୁ ମଧ୍ୟ ନଯିବାକୁ ମନା କରିପାରୁ ନଥାଏ । ସେ ମଧ୍ୟ ନିଶ୍ଚିତଭାବରେ ବୁଝୁଥାଏ ଯେ, ଯଦି ପ୍ରୀତମ୍‌ ସହିତ ବିବାହ କରିବ ନାହିଁ ବୋଲି ସେ ବାପାଙ୍କୁ କହିଦିଏ, ତେବେ ରକ୍ଷା ନାହିଁ । ମାଡ଼ ତ ହେବ ପୁଣି ତାକୁ ଘରେ ମଧ୍ୟ ବିବାହ ପର୍ଯ୍ୟନ୍ତ ବନ୍ଦକରି ରଖିଦିଆଯିବ ।

 

ଏହି ପରିସ୍ଥିତିରେ ଘରକୁ ଫେରି କିଛି ଲାଭ ହେବ ନାହିଁ ବୋଲି ସେ ଭାବୁଥାଏ । ସେ ମନେକଲା ମାମୁଁଙ୍କ ଘରକୁ ଚାଲିଯିବ, କିନ୍ତୁ ଥରେ ଏହି ପରିସ୍ଥିତିରେ ବାପା ମାକୁ ମଧ୍ୟ ଘରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ । ତେଣୁ ନା ଘରକୁ ନା ମାମୁଁ ଘରକୁ କୁଆଡ଼କୁ ଯିବାକୁ ତା ମନ ହେଲାନାହିଁ ।

 

ସେ ଜାଣିଥିଲା ଯେ ତାକୁ ସାବାଳିକା ହେବାକୁ ଆଉ ମାତ୍ର ତିନିମାସ ଅଛି । ଯଦି ଏ ତିନିମାସଟା ସେ କେଉଁଠି ଲୁଚି ରହିଯାଇପାରନ୍ତା ତେବେ ବହୁତ ସୁବିଧା ହୁଅନ୍ତା । ମାମୁଁ ଘରଆଡ଼େ ଯିବବୋଲି କିଛିବାଟ ଯାଇଁ ପୁଣି ମାଙ୍କ ଉପରେ ହୋଇଥିବା ନିର୍ଯାତନା କଥା ଭାବି ସେ ଲେଉଟିଲା ।

 

ଏ ସବୁରେ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା । କଣ କରିବ ଠିକ୍‌ କରି ପାରୁନଥାଏ-। ଯେତେ ଭାବିଲେ ବି ଘରକୁ ଫେରିବାକୁ ମନ ଡାକୁ ନଥାଏ । ଏହିପରି କୁଆଡ଼େ ଯିବ, କ’ଣ କରିବ, ଚିନ୍ତା କରୁ କରୁ ହଠାତ୍‌ ଦେଖିଲା ଯେ ସୁଶୀଳକୁମାର କୁଆଡ଼ୁ ଆସି ତା ସାମନାରେ ବାଟ ଉଗାଳି ଛିଡ଼ାହୋଇଛି । ତାକୁ ଦେଖି ତା ମନରେ ଗୋଟାଏ ଆଶାର କ୍ଷୀଣରେଖା ଦେଖାଦେଲା । ସେ ପଚାରିଲା, ‘ଆଜି ଏଆଡ଼େ କାହିଁକି ?’

 

ଆଜି ଡାକ୍ତରଖାନା ଯିବାର ନାହିଁ । ତେଣୁ ସିନେମା ଦେଖି ଚାଲି ଆସିଥିଲି । ତୁମେ ଏ ଆଡ଼େ କୁଆଡ଼େ, ଚା ପିଇବ ଆସ ।’

 

‘ହଁ ଚାଲ ଚା ପିଇବା, ଆଉ ମଧ୍ୟ ଏକ ଅତ୍ୟାବଶ୍ୟକୀୟ କଥା ହେବା ।’

 

‘ଚାଲ ତେବେ ରେସ୍ତୋରାଁ ଭିତରକୁ ।’

 

ସୁଶୀଳ ଏହା କହୁଥାଏ, ଆଉ ଅମୃତ ଆଡ଼କୁ ଚାହୁଁଥାଏ ସନ୍ଧ୍ୟା ହୋଇ ଅନ୍ଧାର ଟିକିଏ ହୋଇଥିଲେ ମଧ୍ୟ ସୁଶୀଳ ଅମୃତର ଛଳଛଳ ଆଖିକୁ ଠିକ୍‌ ଲକ୍ଷ୍ୟକରିନେଲା । କିନ୍ତୁ ତା’ର କାରଣ ନବୁଝି ସିଧା ରେସ୍ତୋରାଁ ଭିତରକୁ ଆଗେଇଲା । ଅମୃତ ମଧ୍ୟ ସାଙ୍ଗରେ ଗଲା ।

 

ଦୁହେଁ ରେସ୍ତୋରାଁର ଗୋଟିଏ କଣରେ ଯାଇ ବସିଲେ । ଅମୃତ ଚୁପ୍‌ ଥାଏ । ସେ ନିଜର ଆଖି ପୋଛୁଥାଏ । ସୁଶୀଳ ଅମୃତକୁ ଚୁପ୍‌ ଦେଖି ପଚାରିଲା, ‘ବହୁତ ଦିନରେ ଦେଖା, ତମ ସାଙ୍ଗରେ ଅନେକ କଥା ଅଛି ।’

 

ମୁହଁ ନ ଖୋଲି ଅମୃତ ଛୋଟ ‘ହଁ’ ଟିଏ କଲା ।

 

‘ମୋତେ ହସପିଟାଲରେ ଚାକିରୀ ମିଳିଯାଇଛି । ସେଠାରେ ଦରମା ଅବଶ୍ୟ ଅଢ଼େଇଶ, କିନ୍ତୁ ବାହାର ପ୍ରାକ୍‍ଟିସ୍‌ରୁ ବହୁତ ଟଙ୍କା ମିଳୁଛି । ଆଜିକାଲି ହାସପାତାଳକୁ ବହୁତ ରୋଗୀ ଭର୍ତ୍ତି ହେବାକୁ ଆସୁଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ଆଗରୁ ଡାକ୍ତରଙ୍କୁ ଦେଖାଇଛନ୍ତି, ସେମାନଙ୍କୁ ଭର୍ତ୍ତି ହେବା ସୁବିଧା ହେଉଛି । ତେଣୁ ବହୁ ରୋଗୀ ମୋ ଘରକୁ ଆସି ଫିସ ଦେଇ ମୋତେ ଦେଖାଇ ହାସପାତାଳରେ ସୁବିଧାରେ ଭର୍ତ୍ତି ହେଉଛନ୍ତି । ଏଇଥିରୁ ମୋର ଦୈନିକ ପ୍ରାୟ ଦୁଇଶଟଙ୍କା ହୋଇ ଯାଉଛି ।’

 

ଅମୃତ ଚୁପ୍‌ ହୋଇ ବସିଥାଏ, ଆଉ ମନକୁ ଦୃଢ଼ କରୁଥାଏ କିପରି ତା’ କଥା ଉଠେଇବ-

 

ସୁଶୀଳ ପୁଣି କହିଲା, ‘ବର୍ତ୍ତମାନ ସୁଦ୍ଧା ମୋର ରୋଜଗାର କେବଳ ଘର ସଜାଇବାରେ ଖର୍ଚ୍ଚ ହେଉଛି । ମୁଁ ଚାହେଁ ମୋର ବିବାହ ପୂର୍ବରୁ ମୋ ରହିବାଘର ସଭ୍ୟ ମନୁଷ୍ୟର ଚଳିବାଯୋଗ୍ୟ ହୋଇଯାଉ । ମୁଁ ମୋ ସ୍ତ୍ରୀଙ୍କୁ ବହୁତ ଆରାମ ଓ ଆନନ୍ଦରେ ରଖିବାକୁ ଚାହେଁ ।’

 

ଅମୃତ ତେବେ ବି ନୀରବ । ସୁଶୀଳ କହି ଚାଲିଥାଏ, ‘ଆସନ୍ତା ମାସକୁ ଗୋଟିଏ ଗାଡ଼ି କିଣିବି ବୋଲି ଭାବିଛି । ତେବେ ଯାଇଁ ବିବାହରେ ଆନନ୍ଦ ରହିବ ।’

 

ଏତେବେଳଯାଏ ଅମୃତ ସୁଯୋଗ ଖୋଜୁଥିଲା । ଏଇଠି ପଚାରିଲା, ‘ବିବାହ କେବେ ପୁଣି ହେଉଛି ?’

 

‘ତୁମେ କହୁଥିଲ ନାଁ ତୁମର ବାପା ମା ମୋ ସହିତ ତୁମର ବିବାହକୁ ପସନ୍ଦ କରୁନାହାନ୍ତି, ତେଣୁ ତିନିମାସ ପୂରିଲେ, ତୁମେ ସାବାଳିକା ହେଲେ ଯାଇଁ ବିବାହ ।’

 

‘କିନ୍ତୁ ଯେପରି ମନେହେଉଛି ତିନିମାସ ନ ପୁରୁଣୁ ବାଜପକ୍ଷୀ ଆସି ବିଚାରା କପୋତୀକୁ ଉଡ଼େଇ ନେଇଯିବ, ଆଉ ତୁମେ ଆଁ କରି ଅନେଇଥିବ ।’

 

‘ଏହାର ଅର୍ଥ ?’

 

‘ମୋର ପିତାମାତା ମୋର ନିର୍ବନ୍ଧ ସରଦାର କର୍ତ୍ତାର ସିଂ ବୋଲି ଜଣଙ୍କ ପୁଅ ପ୍ରୀତମ ସିଂ ସହିତ କରିସାରିଲେଣି ।’

 

‘ତେବେ ଏହାର ଅର୍ଥ ହେଉଛି ମୁଁ ଦୌଡ଼ାରେ ପଛରେ ପଡ଼ିଯାଉଛି ଓ ମୋତେ ଅତିକ୍ରମ କରି ଆଉ ଜଣେ ଆଗକୁ ଚାଲିଯାଉଛି ।’

 

‘ହଁ, ଠିକ୍‌ ସେଇଆ, ତେବେ ମୁଁ ଭାବୁଛି ଏ ତିନିମାସ କେଉଁଠି ଲୁଚିକରି ଯଦି ରହି ହୁଅନ୍ତା..... ।’

 

‘ତେବେ ଠିକ୍‌ ଅଛି ।’

 

‘କିନ୍ତୁ କେଉଁଠି ?’

 

‘ତୁମେ କ’ଣ ଏ ବିଷୟ କିଛି ଭାବିଛ ?’

 

‘ମୁଁ ଆମର କେଉଁ ଆତ୍ମୀୟଙ୍କ ଘରକୁ ଯିବାକୁ ଚାହୁନାହିଁ, ଆଉ ତୁମଠାରୁ ଅଧିକ ବନ୍ଧୁ ମୋର କିଏ ହୋଇପାରେ ?’

 

ସୁଶୀଳ ଗଭୀର ଚିନ୍ତାମଗ୍ନ ହେଲାପରି ମନେହେଲା । ବେହେରା ଚାହା ଦେଇଗଲାଣି । ଅମୃତ ଚା ତିଆରି କରିବାରେ ବ୍ୟସ୍ତ ଥାଇ କହିଲା, ‘ତୁମେ ତ ସବୁବେଳେ ନିଜକୁ ଷଡ଼ଯନ୍ତ୍ରକାରୀ ଦଳର ବୋଲି ଭାବ, ବର୍ତ୍ତମାନ ଦେଖାଯାଉ ଗୋଟାଏ ରାସ୍ତା ବାହାର କରୁଛ କିପରି !’

 

ସେତେବେଳକୁ ସୁଶୀଳର ଉର୍ବର ମସ୍ତିଷ୍କ ଗୋଟାଏ ରାସ୍ତା ଠିକ୍‌ କରି ସାରିଲାଣି । ଚା’ରୁ ଥରେ ଶୋଷି ନେଇ ସେ କହିଲା, ‘ଅମୃତ, ମୋତେ ବିଶ୍ୱାସ କରିବ ତ, ଗୋଟାଏ ବାଟ କହିବି ।’

 

‘ମୁଁ ତ ତୁମଠାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିସାରିଛି, ଅବିଶ୍ୱାସର ପ୍ରଶ୍ନ ପୁଣି କାହିଁକି ଉଠୁଛି ?’

 

ସୁଶୀଳ କୁମାର ଚା କପ୍‌କୁ ଟେବୁଲ ଉପରେ ରଖୁ ରଖୁ ଅମୃତ ମୁହଁକୁ ଚାହିଁ କହିଲା, ‘ବର୍ଦ୍ଧମାନରେ ମୋର ଜଣେ ବନ୍ଧୁ ଶିଶିରକୁମାରର ମାଉସୀ ଘର । ସେ ମାଉସୀ ମୋତେ ପୁଅପରି ମନେ କରନ୍ତି । କହିବତ ମୁଁ ତୁମକୁ ତାଙ୍କ ପାଖକୁ ପଠେଇଦେବି ।’

 

‘କିନ୍ତୁ କେତେଦିନ ସେଠାରେ ରହିବା ସମ୍ଭବ ହେବ ? ମୁଁ ତ ବର୍ତ୍ତମାନ ଆଉ ଆମ ଘରକୁ ଯାଇପାରୁନାହିଁ । ମୋର ଭୟ ମୁଁ ସେଠାକୁ ଗଲେ ମୋତେ ବିବାହ ପର୍ଯ୍ୟନ୍ତ କଏଦୀ କରି ରଖାଯିବ ।’

 

‘କାହିଁକି ?’

 

‘କାରଣ ଆମର ବାପା ମୋର ସ୍ୱାଧୀନ ମନୋବୃତ୍ତି କଥା ଜାଣନ୍ତି ଓ ଆମେ ଭାଇ ଭଉଣୀ ଯେ କେଶଧାରୀ ଶିଖ୍‌ ସମ୍ପ୍ରଦାୟକୁ ପସନ୍ଦ କରୁନାହିଁ, ସେ କଥା ମଧ୍ୟ ଜାଣନ୍ତି । ମୁଁ କାଳେ ଘରୁ ପଳାଇବି ସେହି ଭୟରେ ମୋତେ ଘରେ କଏଦୀ କରି ରଖିବେ ଏବଂ ଦିନେ ଦୁଇଦିନ ମଧ୍ୟରେ ବିବାହ ଦେଇଦେବେ ।’

 

‘ତେବେ କ’ଣ ତୁମେ କହିବାକୁ ଚାହଁ ଯେ ବର୍ତ୍ତମାନ ଏହାର ଗୋଟାଏ ବ୍ୟବସ୍ଥା କରିବା ଦରକାର ?’

 

‘ହଁ, ମୁଁ ମାମୁଁଘରକୁ ଯିବି ବୋଲି ଭାବୁଥିଲି, କିନ୍ତୁ ଆଗରୁ ଯେଉଁ କଥା କହିଲି ସେଇଥିପାଇଁ ମାମୁଁ ଘରକୁ ଯାଉନାହିଁ । ଯଦି ବର୍ତ୍ତମାନ ମୁଁ ତୁମ ପାଖରେ କେଉଁଠି ରହିପାରେ ତେବେ ଭଲ ହୁଅନ୍ତା ।’

ଚା ପିଇସାରି ଦୁହେଁ ଶିଶରକୁମାର ପାଖକୁ ଚାଲିଲେ । ସେ ପାର୍ଟି ଅଫିସରେ ଥିଲା । ସେ ସୁଶୀଳ ଓ ଅମୃତର କଥା ଶୁଣି କଣ କରିବ ସ୍ଥିର କରି ପାରିଲା ନାହିଁ । ଏ ଦୁହେଁ ମଧ୍ୟ ଏକଆଖିରେ ତାକୁ ଅନେଇଥାନ୍ତି । ଶେଷରେ ଶିଶିର କହିଲା, ‘ମାଉସୀ ଘରକୁ ନେବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ସେ ଯେତେବେଳେ ଏକଥା ଶୁଣିବେ, ତାଙ୍କ ଘରେ ରଖିବାକୁ ହୁଏତ ମଙ୍ଗି ନ ପାରନ୍ତି ।’

‘କାହିଁକି ?’

‘କଥା ହେଉଛି, ଜଣେ ଅବିବାହିତା ତରୁଣୀ ତା’ର ବାପା ମା ସ୍ଥିର କରିଥିବା ପତିକୁ ବିବାହ କରିବାକୁ ଅରାଜି ହୋଇ ଲୁଚିକରି ତାଙ୍କ ଘରେ ଆଶ୍ରା ନେଉଛି, ଏକଥା ଜାଣିଲେ ମାଉସୀ ଅମୃତକୁ ଆଦର ଯତ୍ନ କରିବା ପରିବର୍ତ୍ତେ ଘୃଣା କରିପାରନ୍ତି । ଆଉ ତୁମେ ଜାଣ ଘୃଣା କଲେ ମନୁଷ୍ୟର ହିତାହିତ ବିଚାର ରହେ ନାହିଁ ।’

‘ତେବେ କଣ କରାଯିବ ?’

‘ଗୋଟାଏ ଉପାୟ ଅଛି । ସେ ମୋର ବିବାହିତା ସ୍ତ୍ରୀ ହିସାବରେ ସେଠାରେ ରହିପାରନ୍ତି-। ମୁଁ କହିଦେବି ମୋତେ ଲକ୍ଷ୍ନୈାରେ ଘର ନ ମିଳିବାରୁ ଆମେ ବିବାହ ପରେ ପରେ ଏଠାକୁ ଚାଲିଆସିଛୁ ।’

ଏ ପ୍ରସ୍ତାବ ଶୁଣି ସୁଶୀଳ ହସି ପକେଇଲା ଏବଂ କହିଲା, ‘ଯଦି ବିବାହିତା ସ୍ତ୍ରୀ ବୋଲି କହି ରଖୁ ତେବେ ଆପତ୍ତି କରିବାର ପ୍ରଶ୍ନ ଉଠି ନ ପାରେ; କିନ୍ତୁ ମନେରଖ ଶିଶିର ! ଯଦି ଭୁଲରେ ମୋ କିଆରୀରେ ମୁହଁ ପକୋଉ ତୋ’ର ଆଉ ଠିକଣା ରଖିବି ନାହିଁ ।’

 

‘ମୋର ସେ ଚିନ୍ତା ନାହିଁ । ମୁଁ ଜାଣୁଛି, ତୁ ମୋର ବନ୍ଧୁ, ଆଉ ଏ ହେଉଛନ୍ତି ତୋ’ର ବାଗ୍‌ଦତ୍ତା । କିନ୍ତୁ ଅସଲ କଥା ହେଉଛି ମୁଁ ବିବାହିତା ସ୍ତ୍ରୀ ବୋଲି ମାଉସୀକୁ କହିଲେ, ୟାଙ୍କୁ ତ ପୁଣି ମୋର ସ୍ତ୍ରୀ ପରି ଅଭିନୟ କରିବାକୁ ପଡ଼ିବ ।’

 

ଏହା ଅମୃତର ଏକ ପ୍ରକାର ଶିକ୍ଷା ଓ ଚରିତ୍ରର ଚରମ ପରୀକ୍ଷା ବେଳ । ତେଣୁ ସେ କହିଲା, ‘ଅଭିନୟ କରିବାରେ ମୋର କୌଣସି ତ୍ରୁଟି ହେବନାହିଁ ।’

 

‘ବାସ୍‌, ଆଉ କିଛି ଦରକାର ନାହିଁ । ମାଉସୀ ଉତ୍ତମ ଲୋକ । ମୋର ବାପା ବୋଉ ନାହାନ୍ତି । ସେ ମୋତେ ପୁଅ ପରି ଦେଖନ୍ତି । ତେଣୁ ମୁଁ ମୋ ପତ୍ନୀକୁ ସେଠାରେ ନେଇ ତାଙ୍କ ପାଖରେ ଛାଡ଼ି ଆସିବି, ଏହା ଅସ୍ୱାଭାବିକ ମନେ ହେବ ନାହିଁ ।’

 

କଥା ଠିକ୍‌ ହେଲା । ସୁଶୀଳ ଅମୃତ ଓ ଶିଶିରକୁ ଟାକ୍‌ସିରେ ଆପଣା ଘରକୁ ନେଇଗଲା-। ସେଠାରେ ନିଜ ବିଛଣା ଅମୃତକୁ ଦେଲା । ପାଞ୍ଚଶ ଟଙ୍କା ଶିଶିରକୁ ଦେଇ କହିଲା, ‘ରାତି ନଅଟାରେ ଡେରାଡୁନହାଓଡ଼ା ଏକସ୍‌ପ୍ରେସ, ସେଇଥିରେ ତୁମେ ଦୁହେଁ ଚାଲିଯାଅ ।’

 

‘ମାଉସୀଙ୍କୁ ଗୋଟାଏ ଟେଲିଗ୍ରାମ କରିଦିଏ ?’

 

‘ହଁ, ଯାହା କହିଲୁ, ସେ କଥା ଠିକ୍‌ ।’

 

ତେଣୁ ସମସ୍ତେ ସେହି ଟାକ୍‌ସିରେ ଟେଲିଗ୍ରାମ ଅଫିସକୁ ଗଲେ । ଶିଶିର ମାଉସୀ ପାଖକୁ ତାର କରିଦେଲା ।

 

ତାରରେ ଲେଖାଗଲା, ‘Bringing wife for stay with you. Reaching tomorrow Dehradun-Howrah Express.’

 

ତାର ଦେଇସାରି ଶିଶିର କହିଲା, ‘ମାଉସୀ ମୋତେ ଚିଠି ଦେଇଥିଲେ ଶୀଘ୍ର ବିବାହ କରିବାକୁ । ବର୍ତ୍ତମାନ ଏ ଚିଠି ପାଇ ସେ କିପରି ଆନନ୍ଦ ହେବେ ବୁଝୁଥିବୁ ।’

 

ଏହା ଶୁଣି ତିନିଜଣଯାକ ହସିଲେ, ଠିକ୍‍ ସମୟରେ ଯାଇ ଷ୍ଟେସନରେ ପହଞ୍ଚିଲେ । ସୁଶୀଳର ଷ୍ଟେସନମାଷ୍ଟର ସହିତ ଚିହ୍ନା ଥିଲା । ସେ ବି ଜଣେ ବଙ୍ଗୀୟ ଭଦ୍ରଲୋକ । ତାଙ୍କୁ କହି ଗୋଟିଏ ଫାଷ୍ଟକ୍ଲାସ କୁପେ ଯୋଗାଡ଼ କରାଗଲା । ଗାଡ଼ି ଆସିବାରୁ ଶିଶିର ଓ ଅମୃତକୁ ଗାଡ଼ିରେ ବସେଇ ସୁଶୀଳ ଫେରି ଆସିଲା ।

 

‘ରାସ୍ତାରେ ନୀଳା ସଙ୍ଗେ ସୁଶୀଳର ଦେଖାହେଲା । ସେ ଗୋଟିଏ ରୋଗୀ ଦେଖି ଫେରୁଥିଲା । ଅମୃତ କହୁଥିଲା ଯେ, ସୁଶୀଳ ସହିତ ତା’ର କଥାବାର୍ତ୍ତା ବନ୍ଦ, ଏକଥା ତା ମୁଣ୍ଡରେ ଖେଳୁଥିଲା । ସୁଶୀଳକୁ ଦେଖି ହଠାତ୍‌ ତା’ର ସେ କଥା ମନେପଡ଼ିବାରୁ ସେ କହିଲା, ‘ସୁଶୀଳ, ତୁମର ବିବାହ କେବେ ହେଉଛି ।’

 

‘ଦୁଇ ତିନିମାସ ଭିତରେ ହୋଇଯିବ ।’

 

‘ଅମୃତ ବିଷୟରେ ତୁମର ବାପା ବୋଉ ରାଜି ହେଲେ କି ?’

 

‘ନାହିଁ, ମୁଁ ବୁଝୁଛି ସେମାନଙ୍କୁ ଅସନ୍ତୁଷ୍ଟ କରି କିଛି ଲାଭ ନାହିଁ ।’

 

‘ମୁଁ ଶୁଣୁଥିଲି ଯେ ତୁମେ ବାପା ବୋଉଙ୍କ କଥା ନ ମାନି ଅମୃତକୁ ବିବାହ କରିବ ?’

 

ସୁଶୀଳର ମନେହେଲା ଅମୃତ କଥା ସେ ନୀଳାକୁ କହିଦବ । କିନ୍ତୁ ପରକ୍ଷଣରେ ତା’ର ମନେହେଲା ଅମୃତର ଘରୁ ପଳେଇବାଟା ତା’ ବ୍ୟକ୍ତିଗତ କଥା । ତାକୁ ନ ପଚାରି ଏଇଟା କହିଦବାଟା ଠିକ୍‍ ହେବନାହିଁ । ହରଭଜନକୁ ମଧ୍ୟ କହିବ ନାହିଁ । ଏତିକି ଭାବି ସେ ତା’ ମନକୁ ଦୃଢ଼କରି କହିଲା, ‘ଅମୃତ ହେଉ ବା ଯିଏ ହେଉ ଆପଣଙ୍କୁ ଏକଥା ଯେ କହିଛି ତାହା ମିଛ । ଅମୃତକୁ ବିବାହ କରିବି ବୋଲି ମୁଁ କେବେହେଲେ ତାକୁ ଜବାବ ଦେଇନାହିଁ । କଥା ଏହା ଯେ, ଆପଣ ମୋତେ ବିବାହ କରିବେ ନାହିଁ ବୋଲି ଯେତେବେଳେ କହିଲେ, ମୋର ବିବାହ ପ୍ରତି ଗୋଟାଏ ଗୁରୁତ୍ୱ ଦେବାକୁ ଆଉ ଇଚ୍ଛା ରହିଲା ନାହିଁ ।

 

‘ମୁଁ ବୁଝୁଛି, ମୋର ସ୍ତ୍ରୀ ମୋ ପରିବାରରେ ରହିବା ଉଚିତ୍‌ । ସେଥିପାଇଁ ପରିବାର ସହିତ ଯିଏ ଚଳିପାରିବ, ମୁଁ ତାକୁଇ ବିବାହ କରିବି । ମୁଁ ସରକାର ବାବୁଙ୍କର ଝିଅକୁ ବିବାହ କରୁଛି-।’

 

ଅମୃତ ଯେ ଘରୁ ପଳେଇଛି ସେ ପର୍ଯ୍ୟନ୍ତ ଏକଥା ନୀଳାଦେବୀଙ୍କୁ ଜଣା ନ ଥିଲା । ରାତିରେ ଯେତେବେଳେ ହରଭଜନ ଆସି ଘରେ ନୀଳାଦେବୀଙ୍କୁ ଅମୃତ ବିଷୟ କହିଲା, ସେ ସୁଶୀଳ କଥା ଠିକ୍‌ ଠିକ୍‌ ତାକୁ କହିଦେଲା । ଏଥିରେ ହରଭଜନର ପୂରା ବିଶ୍ୱାସ ହୋଇଗଲା ଯେ ସୁଶୀଳ ଅମୃତକୁ ବିବାହ କରିବା କଥା ଅନିଶ୍ଚିତ । ଆଉ ମଧ୍ୟ ସୁଶୀଳ ଅମୃତ ବିଷୟରେ କିଛି ଜାଣେ ନାହିଁ, ଏ କଥା ମଧ୍ୟ ଜଣା ପଡ଼ିଲା ।

 

ଏହାପରେ ହରଭଜନ ଯେତେବେଳେ ସରକାର ବାବୁଙ୍କୁ ଭେଟେ ସେତେବେଳେ ତାଙ୍କ ଝିଅ ରେଣୁର ବିବାହ ପ୍ରସଙ୍ଗ କେତେଦୂର ଆଗେଇଲା ସେ କଥା ପଚାରେ ।

 

(୨)

 

ଅମୃତ କହିଦେଲା, ସେ ଶିଶିରକୁମାରଙ୍କ ବିବାହିତା ସ୍ତ୍ରୀ ବୋଲି ଅଭିନୟ କରିବ, କିନ୍ତୁ ସେ କଥା ଯେତେ ସହଜ ବୋଲି ମନେକରିଥିଲା ତାହା କାର୍ଯ୍ୟରେ ସେତେ ସହଜ ମନେହେଲା ନାହିଁ । ଶିଶିର ଗାଡ଼ି ଲକ୍ଷ୍ନୌ ଛାଡ଼ିବାରୁ ଅମୃତକୁ ନିଜର ପରିଚୟ ଦେବାଟା ଉଚିତ ମନେ କରି କହିଲା, ‘ତୁମେ ମୋର ସ୍ତ୍ରୀର ଅଭିନୟ କରିବାକୁ ଯାଉଛ, ତେଣୁ ତୁମର ମୋ ବିଷୟରେ ସବୁକଥା ଜାଣି ରଖିବା ଉଚିତ ।

 

‘ମୋର ଅଜା ଜଣେ ସାଧାରଣ କିରାଣୀ ଥିଲେ । ତାଙ୍କର ପରିବାର ଖୁବ୍‍ ବଡ଼ ଥିଲା । ପାଞ୍ଚ ଝିଅ ଆଉ ଛଅ ପୁଅ ତାଙ୍କର । ତାଙ୍କର ସବା ବଡ଼ଝିଅ ପ୍ରତିମାକୁ ସେ ବର୍ଦ୍ଧମାନର ଗୋଟିଏ ବଡ଼ ଜିମଦାର ପ୍ରଫୁଲ୍ଲ ବାବୁଙ୍କ ସହିତ ବିବାହ ଦେଇଥିଲେ । ପ୍ରଫୁଲ୍ଲ ବାବୁଙ୍କ ପ୍ରଥମ ସ୍ତ୍ରୀ ମଲାପରେ ସେ ପ୍ରତିମାକୁ ବିବାହ କରିଥିଲେ । ପ୍ରତିମା ଉପରେ ସନ୍ତୁଷ୍ଟ ହୋଇ ସେ ନଜର ସମ୍ପତ୍ତି ତାଙ୍କ ନାମରେ ଲେଖିଦେଲେ । କେବଳ ଜମିଦାରୀକୁ ଛାଡ଼ି ବର୍ଦ୍ଧମାନରେ ତାଙ୍କର କେତୋଟି କୋଠା ଥିଲା, ଝରିଆ କୋଇଲା ଖଣିରେ ମଧ୍ୟ ତାଙ୍କର ଅଂଶ ଥିଲା । ଏହାଛଡ଼ା ଟାଟା ଓ ଅନ୍ୟାନ୍ୟ କୋମ୍ପାନୀରେ ମଧ୍ୟ ତାଙ୍କର ଅଂଶ ଥିଲା ।

 

‘ଦୁଇବର୍ଷ ପରେ ପ୍ରଫୁଲ୍ଲବାବୁଙ୍କର ମୃତ୍ୟୁ ହୁଏ ନିଃସନ୍ତାନ ଅବସ୍ଥାରେ । ସେତେବେଳକୁ ସେ ଜମିଦାରୀର ଲାଭକୁ ଛାଡ଼ି ପ୍ରଚୁର ଧନ ସମ୍ପତ୍ତିର ମାଲିକ ।

 

‘ଅଜା ତ ଏହା ଚାହୁଁଥିଲେ । ଫଳରେ ଅଜାଙ୍କର ପରିବାରକୁ ଏକ ବିରାଟ ଆଶ୍ରୟ ମିଳିଗଲା । ପ୍ରତିମା ଦେବୀ ତାଙ୍କର ଚାରି ଅବିବାହିତା ଭଉଣୀଙ୍କୁ ବିବାହ ଦେଲେ ଓ ଅନ୍ୟ ଭାଇମାନଙ୍କର ମଧ୍ୟ ଶିକ୍ଷାର ବ୍ୟବସ୍ଥା କଲେ ।

 

‘ମୋର ମା ଅଜାଙ୍କର ଦ୍ୱିତୀୟା କନ୍ୟା । ମୋର ମାଙ୍କର ନାଁ ଚନ୍ଦ୍ରିକା, ସେ ପ୍ରତିମାଦେବୀଙ୍କର ପରମପ୍ରିୟ ଥିଲେ । କିନ୍ତୁ ତାଙ୍କର ବିବାହ ପରେ ପରେ ମୁଁ ପେଟରେ ଥିଲାବେଳେ ମୋର ପିତାଙ୍କର ମୃତ୍ୟୁ ହୋଇଗଲା । ମୋର ମା ନିଜର ଶଶୁରଘର ଛାଡ଼ି ଆସି ପ୍ରତିମାଦେବୀଙ୍କ ପାଖରେ ରହିଲେ । ମୋର ଜନ୍ମ ସେହିଠାରେ ଓ ମୋ ଜନ୍ମର କିଛିଦିନ ପରେ ମା ମଧ୍ୟ ମରିଗଲେ ।

 

‘ମାଉସୀ ମୋତେ ବଢ଼େଇକୁଢ଼େଇ ଏତେବଡ଼ କଲେ । ମୋତେ ଏମ୍‌.ଏ..ପର୍ଯ୍ୟନ୍ତ ପଢ଼େଇଲେ । ସାମ୍ୟବାଦରେ ମୋର ବିଶ୍ୱାସ ବଢ଼ିବାରୁ ମୁଁ ଦେଶର ସ୍ୱାଧୀନତା ପାଇଁ ଚିନ୍ତାକରିବାକୁ ଲାଗିଲି । ବର୍ତ୍ତମାନ ମୁଁ କମ୍ୟୁନିଷ୍ଟ ପାର୍ଟିର ଜଣେ ସଭ୍ୟ ଓ ସେଥିର ଜଣେ ବେତନଭୋଗୀ କର୍ମଚାରୀ । ମୋର ମାଉସୀ ମୋର ଏ କାର୍ଯ୍ୟକଳାପ ସମ୍ବନ୍ଧରେ ବିନ୍ଦୁବିସର୍ଗ ଜାଣନ୍ତି ନାହିଁ । ତାଙ୍କର ବିଶ୍ୱାସ, ମୁଁ ଲକ୍ଷ୍ନୌରେ ପିଏଚ୍‌.ଡ଼ି.ପାଇଁ ଥିସିସ୍‌ ଲେଖିବାରେ ବ୍ୟସ୍ତ ।

 

‘ଯଦିବା ସେ ମୋତେ ପୁଅପରି ଦେଖନ୍ତି, ତଥାପି ସେ ମୋତେ ତାଙ୍କର ପୁଅବୋଲି ଘୋଷଣା କରିନାହାନ୍ତି ବା ମୋ ଖର୍ଚ୍ଚର ଅତିରିକ୍ତ ମୋତେ କିଛି ଦେଇ ନାହାନ୍ତି । ମୋର ବିଶ୍ୱାସ, ସେ ମୋ ବିବାହକୁ ଅପେକ୍ଷା କରୁଛନ୍ତି ଓ ତାହା ହବା ପରେ ପରେ ଏହାର ଗୋଟାଏ କିଛି କିନାରା କରିବେ ।

 

‘ମାଉସୀ ସୁଶୀଳକୁ ଜାଣନ୍ତି । ଦୁଇବର୍ଷ ପୂର୍ବେ ସୁଶୀଳ ଥରେ ମୋ ସାଙ୍ଗେ ଆସି ବର୍ଦ୍ଧମାନରେ ମାସେ କଟେଇ ଯାଇଛି । ତୁମକୁ ମୋର ସ୍ତ୍ରୀ ହିସାବରେ ସେଠାକୁ ନେଇଗଲେ ଅନେକ ପ୍ରକାର ପ୍ରତିକ୍ରିୟା ହେବାର ଆଶଙ୍କା ଅଛି । ମୋର ସ୍ତ୍ରୀ ବଙ୍ଗାଳୀ ନୁହେଁ ଏହା ଆଣି ସେ ଦୁଃଖିତା ହୋଇ ପାରନ୍ତି । ତୁମକୁ ସୁନ୍ଦରୀ ଦେଖି ମାଉସୀ ପୁଣି ଆନନ୍ଦ ହୋଇପାରନ୍ତି । ଆଉ ମଧ୍ୟ ତାଙ୍କୁ ନ ଜଣେଇ ବିବାହ କରିଛି ବୋଲି ସେ ମନକଷ୍ଟ କରି ପାରନ୍ତି ଅଥବା ଲେଖାପଢ଼ାଜଣା ସୁଧୀର ବୋହୂଟିଏ ଆଣିଛି ବୋଲି ଖୁସି ମଧ୍ୟ ହୋଇପାରନ୍ତି । କହିପାରୁନାହିଁ ପରିସ୍ଥିତି କଣ ହେବ; କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ଯେ ସେ ତୁମକୁ ଘରୁ ତଡ଼ି ଦେବେ ନାହିଁ ।
 

‘ଏ ହେଲା ମୋର ଇତିହାସ । ଆଉ ତୁମକୁ ତୁମର ଇତିହାସ ତିଆରି କରିନେବାକୁ ହେବ, କାରଣ ତୁମ ନିଜ ଇତିହାସ କହିଲେ ଅସୁବିଧା ହେବ ।’

 

ଅମୃତ କହିଲା, ‘ଆପଣ ମୋ ବିଷୟରେ କହିବେ ଯେ, ମୋର ପିତା ପଞ୍ଜାବର ଜଣେ ବାସଚ୍ୟୁତ ବ୍ୟକ୍ତି । ଦେଶବିଭାଗ ପରେ ବହୁକଷ୍ଟରେ ଝିଅକୁ ଧରି ଲକ୍ଷ୍ନୌରେ ଥିଲେ । ମା ଆଗରୁ ପଞ୍ଜାବରେ ମରିଯାଇଥିଲେ, ଲକ୍ଷ୍ନୌରେ ପିତାଙ୍କର ହଠାତ୍‌ ମୃତ୍ୟୁ ହେଲା । ସେ ମୋ ଘର ପାଖରେ ରହୁଥିଲେ । ମୋର ପରିବାର ସହିତ ଆଳାପ ପରିଚୟ ଥିଲା । ତାଙ୍କ ପିତାଙ୍କ ମୃତ୍ୟୁପରେ ଅନନ୍ୟୋପାୟ ହୋଇ ମୁଁ ୟାଙ୍କୁ ବିବାହ କରିଛି ।’

 

‘ଓଃ ବହୁତ ସୁନ୍ଦର କାହାଣୀ ହବ ଇଏ ।’

 

ଏହିପରି ଏକ କାହାଣୀ ସୃଷ୍ଟି କରି ଦୁହେଁ ଶୋଇଲେ । ରାତି ପାହିଲା ବେଳକୁ ନିଦ ଭାଙ୍ଗିବାରେ ଦେଖନ୍ତି ତ ଗାଡ଼ି ସୋନନଦୀର ପୋଲ ଉପରେ । ଶିଶିର ଶୋଇଥିଲା ଉପର ବର୍ଥରେ । ହଠାତ୍‌ ଅମୃତ ଖିଲି ଖିଲି ହସିବାରୁ ଶିଶିର ପଚାରିଲା ।

 

‘ଅମୃତ ଦେବୀ ! କଥା କ’ଣ ?’

 

‘ମୁଁ ରାତିଯାକ ଭାବୁଛି, ଆପଣଙ୍କ ମାଉସୀ ଆଗରେ ମୁଁ ଆପଣଙ୍କୁ କଣ ବୋଲି ଡାକିବି-।’

 

‘ଆମର ସେଠାରେ ଚଳନି ଯେ, ସ୍ତ୍ରୀ ସ୍ୱାମୀଙ୍କୁ ଆପଣ, ଭଦ୍ର ମହାଶୟ ବୋଲି ସମ୍ବୋଧନ କରି ଡାକନ୍ତି ।’

 

‘ଆଉ ଆପଣ ମୋତେ କ’ଣ ବୋଲି ଡାକିବେ ?’

 

‘ହଁ, ମୁଁ ତୁମକୁ ଅମୃତ ଡିୟର, ଡାର୍ଲିଙ୍ଗ, ପ୍ରିୟେ ପ୍ରଭୃତି ବୋଲି ଡାକିବି ।’

 

‘ଆପଣଙ୍କ ମାଉସୀ କ’ଣ ମୋତେ ଗୋଟିଏ ଅଲଗା ଘରେ ଶୋଇବାକୁ ଦେବେ ?’

 

‘ଆଜି ରାତିରେ ତ ଆମେ ଏକା କାମେରାରେ ଶୋଇଲେ ।’

 

‘ରେଲ କଥା ଅଲଗା । ସେଠାରେ କିନ୍ତୁ ମୋତେ ସ୍ତ୍ରୀ ସହ ଏକା ପଲଙ୍କରେ ଶୋଇବାକୁ କହିବେ ।’

 

‘ତାଙ୍କର ଯାହା ଇଚ୍ଛା ସେ ତାହା କହିବେ । ଆମକୁ କିନ୍ତୁ ଠିକ୍‌ ଠିକ୍‌ ନାଟକ ଅଭିନୟ କରିବାକୁ ପଡ଼ିବ ।’

 

ଅମୃତର ପୂରା ବିଶ୍ୱାସ ଥାଏ ତା’ର ମନର ଦୃଢ଼ତାଦ୍ୱାରା ସେ ଯେ କୌଣସି ପରିସ୍ଥିତିରେ ବି ଚଳିଯାଇ ପାରିବ । ଶିଶିରର ଆଶ୍ୱାସନା ମଧ୍ୟ ତାକୁ ଖୁବ୍‌ ସାହସ ଦେଇଥାଏ । ସେଥିପାଇଁ ସେ ନିପୁଣ ଅଭିନୟ କରିବାର ଭରସା ରଖିଥାଏ । ତଥାପି ରେଳରେ ଗୋଟିଏ ରାତି ଏକାଠି ରହିବାରେ ନାଟକ ଅଭିନୟ ସଫଳତାର ସହିତ କରିପାରିବ ବୋଲି ଆଶା ବାନ୍ଧିଥାଏ ।

 

କିନ୍ତୁ ବର୍ଦ୍ଧମାନ ଷ୍ଟେସନରେ ଓହ୍ଲୋଉ ଓହ୍ଲୋଉ ଏକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଲା । ଶିଶିରର ମାଉସୀ ପ୍ରତିମା ଦେବୀ ଦାସ ଦାସୀ ନେଇ ଆସିଛନ୍ତି ଶିଶିରର ସ୍ତ୍ରୀକୁ ସଂଖୋଳି ନେବେ ବୋଲି ଷ୍ଟେସନରୁ । ଏତେ ଲୋକ ଦେଖି ଅମୃତ ଡରିଗଲା । ଶିଶିର ଅମୃତର କାନେ କାନେ କହିଲା, ‘ମାଉସୀଙ୍କର ପାଦଛୁଇଁ ପ୍ରଣାମକର ।’
 

‘କହିଦେବ ମାଉସୀ କିଏ ?’

 

‘ମୋ ଆଡ଼କୁ ଦେଖୁଥିବ । ମୁଁ ଯାହାଙ୍କୁ ପାଦଛୁଇଁ ପ୍ରଣାମ କରିବି ତୁମେ ମଧ୍ୟ ତାହାଙ୍କୁ ପାଦଛୁଇଁ ପ୍ରଣାମ କରିବ ।’

 

‘ତେବେ ଠିକ୍‌ ଅଛି ।’

 

ଗାଡ଼ି ଛିଡ଼ା ହେଉ ହେଉ ପ୍ରତିମାଦେବୀ ଫାଷ୍ଟକ୍ଲାସ ଡବା ସାମନାକୁ ଚାଲିଆସିଲେ । ଶିଶିର ଓ ଅମୃତ ସେହିଠାରେ ହିଁ ତାଙ୍କୁ ପ୍ରଣାମ କଲେ । ସେ ଦୁହିଁଙ୍କୁ ଆଶୀର୍ବାଦକରି ବୋହୂକୁ ଉଠେଇ ଆଲିଙ୍ଗନ କଲେ । ବୋହୂର ଅସାମାନ୍ୟ ରୂପରେ ମୁଗ୍‌ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ତା’ ମୁହଁଆଡ଼ୁ ଆଖି ଫେରେଇ ପାରିଲେନାହିଁ । ଶିଶିରକୁ ଲକ୍ଷ୍ୟ କରି କହିଲେ, ‘ତୋ ପାଖରେ ବୋହୂକୁ ତା’ର ଯୋଗ୍ୟ ଲୁଗାପଟା ଦେବାର ଯଦି ପଇସା ନଥିଲା ତେବେ ଟଙ୍କା ମଗେଇ ପଠେଇଲୁ ନାହିଁ କାହିଁକି ?’

 

‘ନାଁ, ମାଉସୀ, ଏ ସବୁ ଘଟଣା ଏତେ ଶୀଘ୍ର ଘଟିଗଲା ଯେ ଟଙ୍କା ତ ଦୂରର କଥା ମୁଁ ତମକୁ ସୁଦ୍ଧା ଡକେଇପାରିଲି ନାହିଁ । ଘରକୁ ଗଲେ ସବୁ ହେବ । ବର୍ତ୍ତମାନ କୁହ ତ ବୋହୂ ତମ ମନକୁ ଆସିଲା ନା ନାହିଁ ।’

 

ଏହାଶୁଣି ପ୍ରତିମାଦେବୀ ଅମୃତର ଗୋଡ଼ଠାରୁ ମୁଣ୍ଡଯାଏ ଚାହିଁଯିବାରେ ଅମୃତ ଲଜ୍ଜାରେ ଲାଲପଡ଼ିଗଲା । ପ୍ରତିମାଦେବୀ ଅମୃତର ଚିବୁକରେ ହାତମାରି ଚୁମ୍ବନ ଦେଇ କହିଲେ, ‘ହଁ, ଖୁବ୍‌ସୁନ୍ଦରୀ ।’

 

ଏତେବେଳକୁ ଜଣେ ଚାକର ଆସି ଗାଡ଼ି ଭିତରୁ ଜିନିଷ କାଢ଼ିବାକୁ ବସିବାରୁ ଶିଶିର ତାକୁ ନିଜର ଜିନିଷପତ୍ର ଦେଖାଇଦେଇ ମାଉସୀ ଓ ଅମୃତର ପଛେ ପଛେ ଗାଡ଼ିରୁ ଓହ୍ଲେଇଲା । ମାଉସୀ ଶିଶିରର କାନପାଖରେ ପଚାରିଲେ, ‘ବୋହୂରାଣୀ ନିଶ୍ଚୟ କିଛି ପଢ଼ାପଢ଼ି କରିଛି ।’

 

‘ହଁ ମାଉସୀ । ବି.ଏ.ପାସ୍‍ କରିଛି ।’

 

‘ମାଉସୀ ଶିଶିର ଓ ବୋହୂ ଗଳାରେ ଫୁଲମାଳ ପିନ୍ଧାଇ ଦେଇ ଦୁହିଁଙ୍କୁ କୁଣ୍ଢେଇ କହିଲେ, ‘ଚିରଂଜୀବୀ ହୋଇ ସଂସାର କର ଦୁଇଜଣଯାକ ।’

 

‘ଚାଲ ବର୍ତ୍ତମାନ ଯିବା, ଷ୍ଟେସନରେ ପୁଣି ଆମକୁ ଦେଖିବାକୁ ଲୋକ ଜମିନଗଲେ ରକ୍ଷା-।’

 

‘ହଁ ଚାଲ’ କହି ମାଉସୀ ଆଗେଇଲେ ।

 

ପ୍ରତିମାଦେବୀ ଅମୃତକୁ ସାଙ୍ଗରେ ଧରି ଷ୍ଟେସନବାହାରକୁ ଆସିଲେ । ଚାକର ଜିନିଷପତ୍ର ନେଇ ଚାଲିଗଲା । ଶିଶିର ଆଗରେ ଯାଉଥାଏ । ସାଙ୍ଗରେ ଥାଏ ପ୍ରତିମାଦେବୀଙ୍କ ଦିଅରର ପୁଅ ବିମଳାନନ୍ଦ; ବୟସ ଅନ୍ଦାଜ ଚାଳିଶ ହେବ । ତାଙ୍କର ଚାରୋଟି ସନ୍ତାନସନ୍ତତି । ବଡ଼ଝିଅଟିକୁ ବିବାହ ଦେଇଛନ୍ତି । ଛୋଟ ଝିଅଟିକୁ ଶିଶିରକୁ ବିବାହ ଦେବେ ବୋଲି ମନେ ମନେ ଇଚ୍ଛାକରୁଥିଲେ । ତେଣୁ ଶିଶିରର ଏହି ବିବାହରେ ସେ ସନ୍ତୁଷ୍ଟ ନ ଥିଲେ । ଗଲାଥର ଶିଶିର ଯେତେବେଳେ ବର୍ଦ୍ଧମାନରେ ଥିଲା; ସେତେବେଳେ ସେ ପ୍ରତିମାଦେବୀଙ୍କ ମାରଫତରେ ତାଙ୍କ ଝିଅ ଶଶୀ ସହିତ ଶିଶିରର ବିବାହ ପ୍ରସ୍ତାବ ଉଠାଇଥିଲେ । ସେତେବେଳେ ଶିଶିର ହଁ କି ନା କିଛି ମତ ଦେଇ ନ ଥିଲା । ତେଣୁ ସେ ମନେ ମନେ ଆଶାରଖିଥିଲେ ଶିଶିରକୁ ଜ୍ୱାଇଁରୂପେ ପାଇବେ ବୋଲି-। କିନ୍ତୁ ଅମୃତକୁ ବୋହୂରୂପେ ଦେଖି ସେ ବ୍ୟଥିତ ହେଲେ ।

 

ବିମଳାନନ୍ଦ ଶିଶିର ପାଖେ ପାଖେ ଯାଉଁ ଯାଉଁ ପଚାରିଲେ, ‘ଶିଶିର ! ଏହାକୁ କେଉଁଠୁ ଧରିଆଣିଲୁ ?’

 

‘ଲକ୍ଷ୍ନୌରୁ ।’

 

‘ବର୍ତ୍ତମାନ ଶଶୀର ଦଶା କ’ଣ ହେବ ? ସେ ତ ତୋତେ କେତେବର୍ଷରୁ ଅପେକ୍ଷାକରି ରହିଛି ।’

‘ସେ ତ ସତ କଥା, କିନ୍ତୁ ବିବାହ ବିଷୟରେ କୌଣସି ଭବିଷ୍ୟତବାଣୀ କରିହେବନାହିଁ, ଶଶୀପାଇଁ ଗୋଟିଏ ଭଲ ପ୍ରସ୍ତାବ କୁଆଡ଼ୁ କରିବା ।’

 

‘ତୁ ମତେ କିନ୍ତୁ ବଡ଼ ଧକ୍‌କା ଦେଲୁ, ଏ ଝିଅ ପଞ୍ଜାବୀ ଝିଅପରି ମନେହେଉଛି ।’

 

‘ହଁ ।’

 

‘ସାଦା ଚମଡ଼ା ଦେଖି ତୁମେ ସବୁ ବଙ୍ଗଳା ସଂସ୍କୃତିକୁ ଭୁଲିଗଲ ।’

 

‘ତା’ର କିନ୍ତୁ ଗୁଣ ଖୁବ୍‌ ଭଲ ।’

 

‘ସେ କ’ଣ ଗୀତ ବୋଲିପାରେ ?’

 

‘ମୁଁ ଜାଣେ ନାହିଁ ।’

 

‘ସେ କ’ଣ ନାଚିପାରେ ?’

 

‘ମୁଁ ତ ତାକୁ ନାଚିବା ଦେଖିନାହିଁ ।’

 

‘ସେ କ’ଣ ଚିତ୍ର ଆଙ୍କିବା ଜାଣେ ?’

 

ସେତେବେଳକୁ ସେମାନେ ଷ୍ଟେସନରୁ ବାହାରକୁ ଆସିଲେଣି । ଶିଶିର କହିଲା, ‘ଘରେ ସେ ବିଷୟରେ କଥାବାର୍ତ୍ତା ହେବା ।’

 

ବିମଳାନନ୍ଦ ଚୁପ୍‌ ରହିଲେ । ବୋହୂକୁ ନେଇ ପ୍ରତିମା ଦେବୀ ଯାଇଁ ମଟରରେ ବସିଲେ-। ବୋହୂ ପାଖକୁ ଲାଗି ଶିଶିରକୁ ବସିବାକୁ କହିବାରୁ ଶିଶିର ଆସି ମାଉସୀ ପାଖକୁ ଲାଗି ବସି କହିଲା, ‘ନାହିଁ, ମୁଁ ଏଇଠି ବସୁଛି । ସେପାଖରେ ବସିବାକୁ ମୋତେ ଲାଜମାଡ଼ୁଛି ।’

 

ବିମଳାନନ୍ଦ ଯାଇଁ ତାଙ୍କ ନିଜ ମଟରରେ ବସିଲେ ଓ ଶିଶିରର ମଟର ପଛେ ପଛେ ସେ ମଧ୍ୟ ଚଳେଇଲେ । ଆଉ ଗୋଟାଏ ଜିପ୍‌ରେ ଜିନିଷ ପତ୍ର ଲଦି ଚାକରମାନେ ଗଲେ ।

 

(୩)

 

ସନ୍ଧ୍ୟା ପାଞ୍ଚଟା ବେଳକୁ ଗାଡ଼ି ଯାଇ ବର୍ଦ୍ଧମାନରେ ପହଞ୍ଚିଗଲା । ଘରେ ପହଞ୍ଚୁ ପହଞ୍ଚୁ ଛଅ ବାଜିଲା । ପ୍ରତିମାଦେବୀ ଘରପାଖକୁ ବ୍ୟାଣ୍ଡବାଜା ଦଳ ସଜେଇଥିଲେ ଓ ପଡ଼ାର ସମସ୍ତଙ୍କୁ ଭୋଜୀପାଇଁ ନିମନ୍ତ୍ରଣ କରିଥିଲେ ।

 

ଏକେ ଧନୀ ବିଧବା, ଜମିଦାରଙ୍କ ପତ୍ନୀ ତା’ ଉପରେ ସହୃଦୟ ଓ ଧର୍ମପରାୟଣ ସ୍ତ୍ରୀ ହିସାବରେ ତାଙ୍କର ସେ ଅଞ୍ଚଳରେ ବଡ଼ ସୁଖ୍ୟାତି ଥାଏ । ବହୁ ଲୋକଙ୍କ ସହିତ ତାଙ୍କର ଘନିଷ୍ଠତା ଥାଏ । ତାଙ୍କର ପାଳିତପୁତ୍ର ଶିଶିରକୁମାର ବୋହୂ ନେଇ ଘରକୁ ଆସୁଥିବାର ଖବର ଚାରିଆଡ଼େ ରାଷ୍ଟ୍ର ହୋଇଯିବା ସାଙ୍ଗେ ସାଙ୍ଗେ ବହୁ ସ୍ତ୍ରୀ ପୁରୁଷ ବରବଧୂଙ୍କୁ ଦେଖିବାକୁ ଓ ଶ୍ରଦ୍ଧା ନିବେଦନ କରିବାକୁ ଆସି ରୁଣ୍ଡ ହେଲେ ।

 

ପ୍ରତିମା ସେହି ଗାଡ଼ିରୁ ହିଁ ଶିଶିରକୁ ଗାଳିଦେବାକୁ ଆରମ୍ଭ କରି ଦେଇଥାନ୍ତି । ‘ଏ ଲୁଗା ପ୍ରତିମାଙ୍କର ବୋହୂର ପିନ୍ଧିବାର ଆଦୌ ଯୋଗ୍ୟ ନୁହେଁ । ମୋତେ ଆଗରୁ ଲେଖିଥିଲେ ମୁଁ ପାଟଣାରେ ଯାଇ ତୁମମାନଙ୍କୁ ଭେଟି ସେଠାରୁ ଲୁଗା ଗହଣା ପିନ୍ଧେଇ ଏଠାକୁ ଆଣିଥାନ୍ତି । ଏମିତି ସଜେଇ ଆଣିଥାନ୍ତି ସମସ୍ତେ ବର୍ଦ୍ଧମାନବାସୀ ଆଶ୍ଚର୍ଯ୍ୟ ହୋଇଥାନ୍ତେ । ତୁ ତ ମୋର ଏକମାତ୍ର ପୁତ୍ର-। ତୋ’ର ବିବାହର ଠିକ୍‍ ପରେ ପରେ ଏପରି ଲୁଗା ପିନ୍ଧି ବୋହୂ ତା’ର ଶଶୁର ଘରକୁ ଆସିଥିବାରୁ ଏ ମୋ’ରି ଲଜ୍ଜା । ମୋ ମୁହଁ ତୁ କଳା କରିଦେଲୁ ।’

 

‘କିନ୍ତୁ ମାଉସୀ ! ଏହାର ସୌନ୍ଦର୍ଯ୍ୟ ଦେଖି କେହି ଏହାର ବସନ-ଭୂଷଣ ପ୍ରତି ଧ୍ୟାନ ଦେବେନାହିଁ । ମୋର ମଧ୍ୟ ଏଥିପ୍ରତି ବର୍ତ୍ତମାନ ସୁଦ୍ଧା ଧ୍ୟାନ ନଥିଲା । ମାଉସୀ ତୁମେ କହିଦିଅ ଯେ, ସେମାନେ ବହୁ ଦୂରରୁ ଆସିଲେ । ରାସ୍ତାରେ ପୋଷାକ ଖରାପ ହୋଇଯିବା ଓ ଗହଣାଗାଣ୍ଠି ହଜି ପଡ଼ିଯିବା ଭୟରେ ସେ ବସୁ ବ୍ୟବହାର କରିନାହାନ୍ତି । ଗାଧୋଇସାରି ସେ ସବୁ ପିନ୍ଧିବେ ।’

 

‘ସେ ବଡ଼ କଠିନ କଥା । କିଏ କାହିଁକି ପଚାରିବ ? ଆଉ ମୋତେ ନ ପଚାରିଲେ ମୁଁ ଏ କୈଫିୟତ ବା ଦେବି କାହିଁକି ? ଲୋକେ ସେମାନଙ୍କର ମନେ ମନେ ବିଚାର କରିବେ ସିନା !’’

 

‘ଆଉ ତୁମେ ଯଦି ବର୍ତ୍ତମାନ ତୁମ ବୋହୂକୁ ବସ୍ତ୍ର ଭୂଷଣରେ ସଜେଇ ଅତିଶୀଘ୍ର ବାହାର କରିବ ଏ ସବୁ ଅଡ଼ୁଆ ଛିଡ଼ିଯିବ ।’

 

‘ଠିକ୍‌ ତ କହୁଛୁ, ପୁଣି ଏହା ହେଲା କିପରି ? ମୁଁ ଜାଣିଲି ନାହିଁ, ମୋତେ ଖବର ଦେଲୁନାହିଁ, ତୁ ଏହା କିପରି କଲୁ ?’

 

‘ମାଉସୀ, ସମୟ ନ ଥିଲା । ତୁମେ ଯଦି ସବୁକଥା ଶୁଣିବ, ତେବେ ନିଶ୍ଚୟ ବୁଝିବ, ୟା’ଠାରୁ ଆମେ ଅଧିକ କିଛି କରିପାରି ନଥାନ୍ତୁ । ମୁଁ ଖାଲି ଲତିକି ଜାଣିବାକୁ ଚାହୁଁଛି, ବୋହୂ ତୁମ ମନକୁ ଆସିଲା କି ନାହିଁ ?’

 

‘ବିମଳାନନ୍ଦ ମୁହଁକୁ ଦେଖିଲୁ ? ଏ ଖବର ଶୁଣି ତାଙ୍କ ମୁହଁ କଳା ପଡ଼ିଯାଇଥିଲା ।’

 

‘ହଁ, ମୋତେ ପଚାରୁଥିଲେ ବର୍ତ୍ତମାନ ଶଶୀର ଅବସ୍ଥା କ’ଣ ହେବ ? ମୁଁ କହିଲି ତା’ର ସବୁ ବ୍ୟବସ୍ଥା ହୋଇଯିବ । ମାଉସୀ ! କାହିଁ ପୂର୍ଣ୍ଣିମା, କାହିଁ ଅମାବାସ୍ୟା ।’

 

ପ୍ରତିମାଦେବୀ କହିଲେ, ‘ନାହିଁ ଶିଶିର, ବଙ୍ଗାଳୀଝିଅଙ୍କୁ ଏପରି ନାପସନ୍ଦ କରିବାର ନୁହେଁ । ତାଙ୍କର ସ୍ୱତନ୍ତ୍ର ଗୁଣ ଅଛି, ୟାଙ୍କର ମଧ୍ୟ ଗୁଣ ସ୍ୱତନ୍ତ୍ର । ଶିଶିର ! ତୋତେ ଗୋଟାଏ କଥା କହୁଛି । ଶଶୀ ଟିକିଏ ବଡ଼ ଉଦଣ୍ଡୀ ପ୍ରକୃତିର । ମୁଁ ମନେ ମନେ ତାକୁ ବୋହୂ ନ କରିବାକୁ ଇଚ୍ଛା କରୁଥିଲି । ତୁ ପୁଣି ଏ ପାଲା ଲଗେଇଦେଲୁ ।’

 

ଏତିକି କହି ପ୍ରତିମା ଦେବୀ ଅମୃତ ଆଡ଼କୁ ଚାହିଁଲେ । ସେ କିଛି ନକହି ମୁଣ୍ଡ ନୋଇଁଲା-। ପ୍ରତିମାଦେବୀ ବୋହୂର ମୁହଁକୁ ଉପରକୁ ଟେକି କହିଲେ, ‘କ’ଣ କହୁଛୁ କହ ! ତୁ ମୋ ସଙ୍ଗେ କଜିଆ କରିବୁ ?’

 

ଅମୃତ ନଇଁପଡ଼ି ମାଉସୀଙ୍କର ପାଦଧୂଳି ନେଇ ମୁଣ୍ଡରେ ଦେଲା ଓ ଉଠି ମାଉସୀଙ୍କ ମୁହଁକୁ ଅନେଇଲା । ସିନେମାରେ ବଙ୍ଗାଳୀ ସ୍ତ୍ରୀ ଲୋକମାନେ ଏପରି କରିବାର ସେ ଦେଖିଥିଲା । ଏଥିରେ ପ୍ରତିମା ଦେବୀ ଅତି ମାତ୍ରାରେ ପ୍ରସନ୍ନ ହୋଇ ଦୁଇହାତରେ ବୋହୂର ମୁଣ୍ଡକୁ ଧରି ଗାଲରେ ଘନଘନ ଚୁମ୍ବନ ଦେବାକୁ ଆରମ୍ଭକଲେ ।

 

ସେମାନେ ଘରେ ପହଞ୍ଚିବାରୁ ଉପସ୍ଥିତ ଲୋକେ ଫୁଲମାଳମାନ ନେଇ ଆଗେଇ ଆସିଲେ । ଏହା ଦେଖି ପ୍ରତିମାଦେବୀ କହିଲେ, ‘ଆପଣମାନେ ଅଳ୍ପସମୟ ଅପେକ୍ଷା କରନ୍ତୁ । ବୋହୂ ବହୁଦୂରରୁ ଆସିଛି । ସେ ଅଳ୍ପସମୟ ଭିତରେ ସ୍ନାନସାରି ଲୁଗାପଟା ପିନ୍ଧି ବୈଠକ ଘରକୁ ଆସୁଛି । ଆପଣମାନେ ସେହିଠାରେ ତାକୁ ସ୍ୱାଗତ କରିବେ ।

 

‘ଶିଶିର ଶୀଘ୍ର କାମ ସାର । ତୁ ବି ଗାଧୋଇ ପଡ଼ ।’ ଏତିକି କହି ସେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ଲକ୍ଷ୍ୟକରି କହିଲେ, ‘ଆପଣମାନେ ବସି ଚା’ ପାନ ଖାଆନ୍ତୁ ।’ ଏହା ପରେ ଚାକରକୁ ଲକ୍ଷ୍ୟକରି କହିଲେ, ‘ସମସ୍ତଙ୍କୁ ମିଠେଇ ଚା ପ୍ରଭୃତି ଦେ ।’

 

ଅମୃତ ଲଜ୍ଜାରେ ବୁଡ଼ିଯାଇ ଶିଶିର ସଙ୍ଗେ ଘରଭିତରକୁ ଗଲା । ଅମୃତ ବରାବର ଭୟରେ ଭୟରେ ଥିଲା । ଶିଶିର ଅବଙ୍ଗାଳୀ ଝିଅ ବିବାହ କରିଛି ବୋଲି ତା ମାଉସୀ ତା ଉପରେ ରାଗିବେ । ହୁଏତ ବୋହୂକୁ ଘରେ ସ୍ଥାନ ଦେଇ ନ ପାରନ୍ତି । ଯଦି ସେ ଜାଣିଥାନ୍ତା ଯେ, ତା’କୁ ଏପରି ସ୍ୱାଗତ କରାଯିବ ଓ ମାଉସୀ ତାକୁ ଏତେ ଆଦରରେ ଗ୍ରହଣ କରିବେ, ତେବେ ସେ ହୁଏତ ଏଠାକୁ ମୋଟେ ଆସିନଥାନ୍ତା । କିନ୍ତୁ ଭାବିଲେ କ’ଣ ହେବ ! ନାଟକ ତ ଆରମ୍ଭ ହୋଇଗଲାଣି । ପର୍ଦ୍ଦା ଉଠିଗଲାଣି । ମଞ୍ଚ ଉପରେ ସେ ଓ ଶିଶିର । ବର୍ତ୍ତମାନ ପଳେଇଯିବାର ଉପାୟ ନାହିଁ ।

 

ଶିଶିର ଅମୃତକୁ ନେଇ ଦୋତାଲା ଉପରେ ତା’ର ନିଜ ଘରକୁ ଗଲା । ସେ ଘର ତା’ପାଇଁ ସବୁବେଳେ ସଜାସଜି ହୋଇ ଥାଏ । ସେ ଅମୃତର ଶୁଖିଲା ମୁହଁକୁ ଅନେଇଦେଇ ସବୁ ବୁଝିପାରିଲା । ସେ କହିଲା, ‘ଅମୃତ ! ସାହସ ସହିତ କାମକର । ରଙ୍ଗମଞ୍ଚ ଉପରକୁ ଆସି ଅସଫଳ ଅଭିନେତ୍ରୀ ହେବା ଖରାପ । ଦେଖ, ମୁଁ ଭାବିଥିଲି ଭାରି ଝଗଡ଼ା ହେବ । ବିମଳାନନ୍ଦ ମାଉସୀଙ୍କୁ ତତେଇ ରଖିଥିଲେ, ମୁଁ ଘରେ ପହଞ୍ଚୁ ନ ପଞ୍ଚୁଣୁ ହେବ ଗାଳିବୃଷ୍ଟି । ମୁଁ ତୁମର ହୋଇ ମାଉସୀଙ୍କୁ ମିନତି କରନ୍ତି, ଆଉ ମାଉସୀ ମୋତେ ଗୋଡ଼ରେ ଆଡ଼େଇ ଦିଅନ୍ତେ । କିନ୍ତୁ ଯାହା ହେଉଛି, ଦେଖୁଛି ସେ ସବୁ ଆଶାର ବିପରୀତ କାର୍ଯ୍ୟ । ମୁଁ ବଙ୍ଗାଳୀଙ୍କର ପ୍ରକୃତି ଜାଣେ । ସେମାନେ କୌଣସି ଅବଙ୍ଗାଳୀକୁ ବୋହୁରୂପେ ପାଇ କଦାପି ସନ୍ତୁଷ୍ଟ ନ ହେବାର କଥା । ଦେଖାଯାଉ ପରେ କ’ଣ ହେଉଛି ।’

 

‘ମୋତେ ଯଦି ଜଣାଥାନ୍ତା ଯେ, ତୁମ ମାଉସୀ ଏପରି ସ୍ନେହମୟୀ, ମୁଁ କଦାପି ଏଠାକୁ ଆସି ନ ଥାନ୍ତି । ମୁଁ ଏଠାକୁ ଆସିବାରୁ ସେ ଯେତେ ପ୍ରସନ୍ନ ହୋଇଛନ୍ତି, ଯେତେବେଳେ ଜାଣିବେ ଯେ ଏ ସବୁ ସତ ନୁହେଁ, ଅଭିନୟ ମାତ୍ର, ସେତେବେଳେ ସେ ଯେ କେତେ ଦୁଃଖ ପାଇବେ ସେ କଥା ମୁଁ କଳନା କରିପାରୁନାହିଁ ।’

 

‘କ’ଣ କରାଯିବ ? ଆସି ତ ଗଲଣି । ମନେରଖ, ଏହା ତୁମର ବା ମୋର ମାନଅପମାନର କଥା ନୁହେଁ, ଏହା ମୋର ମାତୃତୁଲ୍ୟ ମାଉସୀଙ୍କର ମନରେ ସୁଖ ବା କଷ୍ଟ ଦେବାର ପ୍ରଶ୍ନ ଅଟେ ।’

 

ଅମୃତ ଶିଶିରର ମୁହଁକୁ ଚାହିଁ ରହିଲା । ଶିଶିର ପୁଣି କହିଲା, ‘ମନେରଖ, ଏ ପରିସ୍ଥିତିରେ ତୁମଠାରୁ କୌଣସି ସୁବିଧାପାଇବା ସକାଶେ ଚେଷ୍ଟା କରାଯିବ ନାହିଁ । ସୁଶୀଳ ମୋର ବଡ଼ଭାଇ ପରି । ଫଳରେ ତୁମେ ମୋର ଭାଉଜ ସମାନ ।’

 

ଏତିକିବେଳେ ପ୍ରତିମାଦେବୀ ସେଠାରେ ଆସି ପହଞ୍ଚିଲେ । ସେ ବୋହୂକୁ ଲକ୍ଷ୍ୟକରି କହିଲେ, ‘ମୋ ସାଙ୍ଗରେ ଆ ଗାଧୋଇ ଲୁଗାପଟା ପିନ୍ଧି କେଉଁ ଗହଣା ତୋତେ ଭଲଲାଗିବ ଦେଖି ବାଛିବୁ । ଲୋକେ ତଳେ ଅପେକ୍ଷା କରିଛନ୍ତି । ଆଉ ବେଶିବେଳ ସେମାନଙ୍କୁ ବସେଇରଖିବା ଠିକ୍‌ ହେବନାହିଁ ।’

 

ଶିଶିର ମଧ୍ୟ ସ୍ନାନ କରିବାକୁ ଚାଲିଗଲା । ଗାଧୁଆଘରୁ ବାହାରିଲା ବେଳକୁ ଦେଖିଲା ତା’ପାଇଁ ଲୁଗା ପିନ୍ଧିବାକୁ ଥୁଆ ହୋଇଛି । ସେ ଧୋତି ପଞ୍ଜାବୀ ପିନ୍ଧିସାରିବାରୁ ତା’ ପାଇଁ ଜଳଖିଆ ବ୍ୟବସ୍ଥା ହୋଇଗଲା । ସେ ଠିକ୍‌ ଖାଇବାକୁ ଯାଉଛି ଦେଖିଲା ଅମୃତକୁ ଧରି ମାଉସୀ ଆସି ପହଞ୍ଚିଗଲେ ।

ମାଉସୀ କହିଲେ, ‘ତଳକୁ ମୋ ସଙ୍ଗେ ଆ, ତଳେ ତୋତେ ଆଉ ବୋହୂକୁ ଭେଟିବାକୁ ଅନେକ ଲୋକ ନାନାପ୍ରକାର ଭେଟି ଘେନି ଅପେକ୍ଷା କରିଛନ୍ତି ।’

ଶିଶିର ଖାଇବ କ’ଣ । ଉଠି ଠିଆ ହେଲା । ଅଳଙ୍କାରରେ ବୋଝୋଇ ହୋଇ ମାଉସୀଙ୍କ ପଛରେ ଅମୃତ ଠିଆହୋଇଛି । ତା ସାଜସଜ୍ଜା ଦେଖି ଶିଶିର ଆଶ୍ଚର୍ଯ୍ୟ ହୋଇଗଲା । ବଙ୍ଗାଳୀ ରୀତିରେ ଲୁଗାପିନ୍ଧା ଓ ଗହଣା ଲଗେଇବା ଦେଖି ଶିଶିରର ମନ କ୍ଷଣକାଳପାଇଁ ବିଚଳିତ ହୋଇ ଗଲା । ମନ ହେଲା ଅମୃତ ତାହାର ପତ୍ନୀ ହୋଇଥାଆନ୍ତା କି ।

ଆଉ ଅଧିକ ଭାବିବାକୁ ବେଳ ନ ଥିଲା । ସେ ମାଉସୀଙ୍କ ସାଙ୍ଗରେ ବାହାରିଲା । ପାଖକେ ଅମୃତ, ପାଖକେ ଶିଶିର । ଦୁହିଁଙ୍କୁ ନେଇ ମାଉସୀ ଗଲେ ।

ଶିଶିରର ମାଉସୀଘର ପ୍ରକାଣ୍ଡ କୋଠା । ଉପରତଳ ଦି ଖଞ୍ଜାରେ ପ୍ରାୟ କୋଡ଼ିଏ ବାଇଶ ଘର । ପାଞ୍ଚୁଟା ଗାଧୁଆ ଘର । ଘର ସବୁ ଆଧୁନିକ ଢାଞ୍ଚାରେ ତିଆରି ଓ ସଜ୍ଜିତ । ଘର ସାମନାରେ ଗୋଟିଏ ପ୍ରକାଣ୍ଡ ଖୋଲା ଜାଗା । ସୁନ୍ଦର ଉଦ୍ୟାନଟିଏ ଏ ଜାଗାକୁ ଆହୁରି ସୁନ୍ଦର କରିଛି । ଭିତରେ ମଟର ପାଇଁ ରାସ୍ତା । ଗୋଟିଏ ପାଖରେ ମଟରଗ୍ୟାରେଜ୍‌ । ଘରପଛକୁ ଆଉ ସାହାଲାଏ ଘର । ସେଥିରେ ଚାକରବାକର ଦାସଦାସୀ ରହନ୍ତି । ଏହି ଘରଭିତରୁ କେତୋଟି ଅପେକ୍ଷାକୃତ ଭଲ ଘରେ ପ୍ରତିମା ଦେବୀଙ୍କ ଦିଅରର ପୁଅ ବିମଳାନନ୍ଦ ସପରିବାରେ ରହନ୍ତି । ଜମିଦାରୀ ଥିଲାବେଳେ ବିମଳାନନ୍ଦବାବୁ ଜମିଦାରୀ ଦେଖାଶୁଣା କରୁଥିଲେ । ଏବେ କିଛି କରନ୍ତିନାହିଁ । କେବଳ କେତେବେଳେ ବଜାରସଉଦା, ଏଠାକୁ ଯିବା ସେଠାକୁ ଯିବା କାମ କରନ୍ତି । ଏଥିପାଇଁ ପ୍ରତିମାଦେବୀ ତାଙ୍କୁ ମାସିକ ଏକଶହ ଟଙ୍କା ଦିଅନ୍ତି ।

ବିମଳାନନ୍ଦଙ୍କର ଦୁଇଝିଅ । ବଡ଼ଝିଅ ସୂର୍ଯ୍ୟକୁମାରୀର ବିବାହ ସରିଥାଏ । ତାଙ୍କର ସ୍ୱାମୀ ପାକିସ୍ଥାନ ହେବା ପୂର୍ବରୁ ଢାକାରେ ରହୁଥିଲେ । ବର୍ତ୍ତମାନ ସେ କଲିକତାର କୌଣସି ଏକ ଅଫିସରେ ସୁପରିନ୍‌ଟେଣ୍ଡେଣ୍ଟ । ଭଲରେ ଚଳନ୍ତି ପିଲାଛୁଆ ଧରି ।

ବଡ଼ଝିଅଠାରୁ ପାଞ୍ଚବର୍ଷ ଛୋଟ ସାନଝିଅ ଶଶିକଳା । ବୟସ ବର୍ତ୍ତମାନ ପନ୍ଦର ଉପରେ-। କେତେଦିନଧରି ବିମଳାନନ୍ଦବାବୁ ମନେ ମନେ ସ୍ଥିର କରି ରଖିଛନ୍ତି ଯେ ଶିଶିର ହାତରେ ଶଶିକଳାକୁ ସମର୍ପଣ କରିବେ । ପ୍ରତିମାଦେବୀଙ୍କୁ ମଧ୍ୟ ଏଥିରେ ମତ ଦେବାକୁ ସେ ଜିଗର କରିଥିଲେ । କିନ୍ତୁ କୌଣସି କଥା ସ୍ଥିର ହୋଇ ନ ଥିଲା ।

ଘରର ତଳମହଲାରେ ଏକ ପ୍ରଶସ୍ତ ଘର । ଏହା ଦେଓ୍ୟାନଖାନା ନାମରେ ବିଖ୍ୟାତ । ସେଥିରେ ତଳେ ଗାଲିଚା ପଡ଼ିଛି । ତା’ଉପରେ ସୋଫା ଚଉକି ଟେବୁଲ ଆଲମାରୀ ସଜାଯାଇଛି । କାନ୍ଥରେ ପ୍ରତିମାଦେବୀଙ୍କ ସ୍ୱାମୀ ପ୍ରଫୁଲ୍ଲବାବୁ ଓ ତାଙ୍କ ପୂର୍ବପୁରୁଷମାନଙ୍କର ବିରାଟକାୟ ଛବିସବୁ ଟଙ୍ଗାଯାଇଛି । ଦେଓ୍ୱାନ୍‌ଖାନା ଛାତରୁ ଗୋଟିଏ ପ୍ରକାଣ୍ଡ ଆଲୁଅଝାଡ଼ରେ ଅତି କମ୍‌ରେ ପ୍ରାୟ ପଚାଶଟି ବତି ଖଞ୍ଜାଯାଇଛି । କାନ୍ଥରେ ମଧ୍ୟ କେତେ ପ୍ରକାର ରଙ୍ଗବେରଙ୍ଗର ଆଲୁଅ ଖଞ୍ଜାଯାଇଛି-

 

(୪)

 

ବରକନ୍ୟାଙ୍କ ସ୍ୱାଗତପାଇଁ ଦେଓ୍ୱାନ୍‌ଖାନାରେ ଯଥାରୀତି ଭିଡ଼ ଲାଗିଯାଇଛି । ସମସ୍ତେ ବୋହୂକୁ ଭେଟିବାକୁ କିଛିନାକିଛି ଆଣିଛନ୍ତି, ଆଉ ହାତରେ ଫୁଲର ମାଳସବୁ ଅଛି । ନିକଟସମ୍ପର୍କୀୟ କେତେକ ଦାମୀ ଦାମୀ ଲୁଗାପଟା ମଧ୍ୟ ଆଣିଥାନ୍ତି ।

 

ବରକନ୍ୟାଙ୍କୁ ଗୋଟିଏ କାଉଚ ଉପରେ ବସେଇ ଦିଆଗଲା । ଆଉ ଗୋଟିକ ପରେ ଗୋଟିଏକରି ନିମନ୍ତ୍ରିତ ବ୍ୟକ୍ତିମାନେ ଆସି ଫୁଲମାଳମାନ ପିନ୍ଧେଇଦେଇ ଅଳଙ୍କାର ପତ୍ର ସବୁ ଦେଇଯାଉଥାନ୍ତି । ଫୁଲମାଳରେ ଅମୃତର ମୁହଁ ଆଉ ଦେଖାଯାଉ ନ ଥାଏ । ସାମନା ଟେବୁଲ ଭେଟି ଉପହାରରେ ଭର୍ତ୍ତି ହେଲାଣି । ଅମୃତ ଏସବୁ ଦେଖୁଥାଏ ଓ ଜୁଳୁଜୁଳୁ କରି ଅନୋଉଥାଏ ।

 

ଏ ସବୁ ଦେଖି ଦେଖି ଏ ନାଟକରେ ଅଭିନୟ କରୁଥିବାରୁ ସେ ପଶ୍ଚାତ୍ତାପ କରୁଥାଏ । ଭାବୁଥାଏ ଏତେ ସ୍ନେହ ଶରଧା ଯେଉଁମାନେ ଅଯାଚିତ ଭାବରେ ଢାଳି ଦେଉଛନ୍ତି ସେମାନେ ଯେତେବେଳେ ଜାଣିବେ ଯେ, ଏହା ନାଟକ ଅଭିନୟ ବୋଲି ସେମାନେ କିପରି କ୍ଷୁର୍ଣ୍ଣ ହେବେ ? ସେମାନେ ମଧ୍ୟ ଭାବିବେ ଏ ଷଡ଼ଯନ୍ତ୍ରରେ ପ୍ରତିମାଦେବୀ ମଧ୍ୟ ସଂପୃକ୍ତା ।

 

ବାହାର ଲୋକମାନେ ଯେତେବେଳେ ଚାଲିଗଲେ, ଖାଲି ରହିଲେ ଘରଲୋକ, ଆତ୍ମୀୟ ସ୍ୱଜନ । ଚାଲିଲା ଥଟ୍ଟାତାମସା କିଛିସମୟଧରି । ପ୍ରତିମାଦେବୀ କହିଲେ, ‘ବହୁତ ଡେରି ହେଲାଣି । ଆସ ଖାଇପିଇ ବିଶ୍ରାମ କରିବା । ଏମାନେ ମଧ୍ୟ ବହୁଦୂରରୁ ଆସିଛନ୍ତି । କାମସରିଲେ ବିଶ୍ରାମ କରିବେ ।’

 

ମାଉସୀଙ୍କ ବିଶ୍ୱାସୀ ଭୃତ୍ୟ ହେଲା କଚେରୁ । ତାକୁ ଡାକି ପ୍ରତିମାଦେବୀ କହିଲେ, ‘କଚେରୁ ! ଏ ସବୁ ଜିନିଷପତ୍ର ଉଠେଇ ବୋହୂଘରକୁ ଆଣ । ଦେଖ୍‌, ଗହଣାଗାଣ୍ଠି ଯେପରି ହଜି ନ ଯାଏ, କିଛି ଭାଙ୍ଗିରୁଜି ନଯାଏ । ସବୁ ହୁସିଆରରେ ନେଇ ବୋହୂଘରେ ରଖ୍‍ ।’

 

ସମସ୍ତ ଚାକରଙ୍କୁ ଡାକି କଚେରୁ କହିଲା, ‘ଏସବୁ ଉଠେଇ ବୋହୂରାଣୀଙ୍କ ଘରକୁ ନେଇଚାଲ ।’ ଏତେ ଜିନିଷ ଥାଏ ଯେ, ତିନିଜଣ ଲୋକ ତରକରେ ସେସବୁ ନେଇ ଯାଇ ପାରିଲେ ନାହିଁ । କଚେରୁ ନିଜେ ଗହଣାଗାଣ୍ଠି ପ୍ରଭୃତି ମୂଲ୍ୟବାନ ପଦାର୍ଥତକ ଧରିଥାଏ ।

 

ପ୍ରତିମା ଦେବୀ ଶିଶିରକୁ ସମ୍ବୋଧନ କରି କହିଲେ, ‘ଆଜି ଯେତେବେଳେ ତୋ ଟେଲିଗ୍ରାମ ପାଇଲି, ମୋ ମନ କାହିଁକି ହଠାତ୍‌ ଦବିଗଲା । ତାର ଇଂରାଜିରେ ଲେଖା ହୋଇଥିଲା-। ବିମଳକୁ ଡାକି ତାକୁ ତାର ପଢ଼ିବାକୁ ଦେଲି । ବିମଳ ଯେତେବେଳେ କହିଲା ଯେ, ଶିଶିର ବୋହୂ ନେଇ ଆସୁଛି, ମୋ ମନ ଆନନ୍ଦରେ ନାଚିଉଠିଲା । ସେତିକିବେଳୁ ଚାଲିଲା ଘର ସଫେଇ, ବୋହୂ ରହିବାଘର ସଜା, ତା ପାଇଁ ପୁଣି ଲୁଗାପଟା, ଗହଣାଗାଣ୍ଠି ଖରିଦ୍‌ ପୁଣି କାହାକୁ ନିମନ୍ତ୍ରଣ କରାଯିବ ସେମାନେ କ’ଣ ଖାଇବେ ଏ ସବୁ ଠିକ୍‌ଠାକ୍‌ କରିବାରେ ଲାଗିପଡ଼ିଲି । ସେତିକିବେଳୁ ଏତେବେଳଯାଏ ମୋତେ ଟିକିଏ ହେଲେ ଅବସର ମିଳିନାହିଁ ।’

 

ଶିଶିର ସଙ୍କୁଚିତ ହୋଇ କହିଲା, ‘ମାଉସୀ, ତୁମକୁ କେତେ କଷ୍ଟ ଦେଲି ।’

 

‘ଚୁପ୍, ତୁ ମୋର ପୁଅ, ଘରକୁ ବୋହୂ ଆଣିଲୁ । ଏ ସବୁ ଆୟୋଜିତ ନ ହେଲେ ସୁନ୍ଦର ଦେଖାଯାଇଥାନ୍ତା । ଖାଲି ମନରେ ଥାଏ କେଜାଣି କିପରି ବୋହୂ ଆଣୁଛୁ । କିନ୍ତୁ ବୋହୂକୁ ଦେଖି ମୋ ମନ ଆନନ୍ଦରେ ପୂରିଉଠିଲା ।

 

‘ମୁଁ ଏବେ ବୁଝିଲି ପିଲାଏ ପାଠ ପଢ଼ିଲେ ବୁଦ୍ଧି ନଷ୍ଟ ହୋଇଯାଏ ବୋଲି ଅନେକ ଯାହା କହନ୍ତି, ସେ କଥା ମିଛ । ତୁ ବୋହୂକରି ଯାହାକୁ ବାଛୁଚୁ ତାକୁ ସମସ୍ତେ ପସନ୍ଦକରିଛନ୍ତି । ସ୍ୱର୍ଗର ଅପ୍‌ସରା ପରି ବୋହୂଟି । କ’ଣ ବିମଳ, ତୁମକୁ କିପରି ଲାଗିଲା ବୋହୂ ?’

 

ସମସ୍ତଙ୍କ ପଛରେ ଠିଆ ହୋଇଥିଲେ ବିମଳାନନ୍ଦ । ସେ ଖାଲି ଭିତରେ ଭିତରେ ଜଳୁଥାନ୍ତି । ଝିଅ ଶଶୀ ମଧ୍ୟ ପାଖରେ ଛିଡ଼ା ହୋଇଥାଏ । ପ୍ରତିମାଦେବୀ ଶଶୀକୁ ଦେଖି କହିଲେ, ‘ତୁ କାହିଁକି ସେଠି ଠିଆ ହୋଇଛୁ; ଏଠାକୁ ଆ, ତୋର ତ ଖୁଡ଼ୀ ହବ ଇଏ । ଆ, ଖୁଡ଼ୀକୁ କ’ଣ ମାଗ ।’

 

ଶଶୀ ଆଗେଇ ଆସି ଅମୃତ ଗୋଡ଼ ପାଖରେ ବସିଗଲା । ଅମୃତ ମୋଟର ଗାଡ଼ିରେ ଷ୍ଟେସନରୁ ଆସିଲା ବେଳକୁ ପ୍ରତିମାଦେବୀଙ୍କ କଥା ଶୁଣିଥିଲା । ତେଣୁ ତାକୁ ବୁଝିବାକୁ ଡେରି ହେଲା ନାହିଁ ଯେ ଏଇ ଶଶୀ ସହିତ ଶିଶିରର ସମ୍ବନ୍ଧ ହେବାର ଥିଲା । ବର୍ତ୍ତମାନ ଯେ ନହେବ ସେଥିରେ ସନ୍ଦେହ କରିବାର କିଛି ନାହିଁ । ଶଶୀ ଦେଖିବାକୁ କଳା, ଗଢ଼ଣ ମଧ୍ୟ ଅସୁନ୍ଦର । ଅମୃତ ମନେ ମନେ ଭାବୁଥାଏ, ଶଶୀ ଯଦି ଜାଣିଥିବ ତା’ର ଶିଶିର ସହିତ ବିବାହର ପ୍ରସ୍ତାବ ଥିଲା ଆଉ ସେ ଆଶାରେ ବର୍ତ୍ତମାନ ଅମୃତ ଯୋଗୁଁ ଜଳାଞ୍ଜଳି ଦେବାକୁ ପଡ଼ୁଛି, ତେବେ ସେ ମନେ ମନେ ଭାରି ରାଗିଥିବ । ତେବେ ସେ ଯାହାହେଉ ଅମୃତ ଶଶୀକୁ ଉଠେଇ ଆଣି ଆପଣା ପାଖରେ କାଉଚରେ ବସେଇଲା ।

 

ଶଶୀର ଆଖି ଛଳ ଛଳ ହେଉଥାଏ । ଅମୃତ ହାତରୁ ଗୋଟିଏ ମୁଦି କାଢ଼ି ଶଶୀ ହାତରେ ପିନ୍ଧେଇଦେଲା ଓ ଶଶୀର ମୁହଁ ଟେକିଧରି ତାକୁ ଆଦର କଲା । କହିବା ବାହୁଲ୍ୟ ଯେ, ମୁଦିଟି ଖୁବ୍‍ ଦାମୀ ଓ ସେଥିରେ ଗୋଟିଏ ହୀରା ବସାଯାଇଥିଲା । ବିମଳାନନ୍ଦଙ୍କ ସ୍ତ୍ରୀ ପ୍ରତିମାଦେବୀଙ୍କ ପାଖକୁ ଲାଗି ବସିଥିଲେ । ବୋହୂ ପ୍ରାୟ ପାଞ୍ଚଶ ଟଙ୍କାର ମୁଦି ଶଶୀକୁ ପିନ୍ଧେଇଦେବାର ଦେଖି ସେ କହିଲେ, ‘ବିଚାରୀ ଗରିବ ଘରର ଝିଅ, ଜାଣେ ନାହିଁ କାହାର ଦାମ କେତେ । ନହେଲେ ଏଡ଼େ ଦାମୀ ମୁଦି ସେ କେବେହେଲେ ଶଶୀ ହାତରେ ପିନ୍ଧେଇ ଦେଇ ନଥାନ୍ତା ।’

 

‘ବିମଳାନନ୍ଦଙ୍କ ସ୍ତ୍ରୀ ଅମୃତ ତଥା ଅମୃତର କୁଳ ଗୋତ୍ରକୁ ନିନ୍ଦା କରିବାକୁ ଯାଇଁ ଏକଥା କହିଥିଲେ, କିନ୍ତୁ ପ୍ରତିମା ଦେବୀ ତାଙ୍କର ଏ ଭ୍ରମକୁ ସାଙ୍ଗେ ସାଙ୍ଗେ ସଂଶୋଧନକରି କହିଲେ, ‘ନାହିଁ, ତା ନୁହେ ଯେ, ବୋହୂକୁ କାହାର ଦାମ କେତେ ସବୁ ଜଣା; ଏଥିରୁ ଜଣାପଡ଼ୁଛି ସେ କେଡ଼େ ଉଦାର । ପରୀକ୍ଷା କରିବାକୁ ଚାହୁଁଛୁ, ଆଚ୍ଛା ଦେଖ୍‌ ।’

 

ସେ କହିଲେ, ‘ବୋହୂ ! ତୁ ସେ ଝିଅକୁ ଜାଣିଛୁ ? ସେ ମୋ ଦିଅରର ନାତୁଣୀ, ତୋର ଝିଅ ପରି ।’

 

‘ହଁ, ମାଉସୀ, ସେଇଥିପାଇଁ ତ ତାକୁ ଏତେ ଦାମୀ ମୁଦି ଦେଇଛି, ମୁଁ ତ ବେକରୁ ଗୋଟାଏ ହାର ଖୋଲି ତାକୁ ଦେଇଦେଇଥାଆନ୍ତି, କିନ୍ତୁ ଆପଣଙ୍କ ଡରରେ ଦେଲିନାହିଁ ।’

 

‘କାହିଁକି, ଏଥିରେ ଡରିବାର କ’ଣ ଥିଲା ?’

 

‘ମୁଦିଟାର ଦାମ ଛଅଶ ଟଙ୍କା ହୋଇପାରେ, କିନ୍ତୁ ହାରଟା ଯେ ଦିହଜାରରୁ କମ ହେବନାହିଁ । ଯଦି ଆପଣ କହିବେ ତ ହାରଟାକୁ ତାକୁ ପିନ୍ଧେଇଦେବି ।’

 

‘ବିମଳାନନ୍ଦ ଓ ତାଙ୍କର ସ୍ତ୍ରୀ ଅବାକ୍‌ ହୋଇ ରହିଗଲେ । ପ୍ରତିମା ଦେବୀ କହିଲେ, ‘ଝିଅ-! ମୋର ଆଜି ଆନନ୍ଦର ଶେଷ ନାହିଁ । ତୋର ଯାହାକୁ ଯାହା ଇଚ୍ଛା ତୁ ବାଣ୍ଟି ଦେଇପାରୁ । ଏ ଘରକୁ ଆସି ତୋ’ର ପହିଲି ଆଶା ତ ପୂର୍ଣ୍ଣ ହେବା ଦରକାର । ଶଶୀତ ପୁଣି ନିଜର ଝିଅପରି ।’

 

ଅମୃତ ଆପଣା ଗଳାରୁ ଗୋଟିଏ ହାର କାଢ଼ି ଶଶୀ ବେକରେ ପିନ୍ଧେଇ ଦେଇ ତା ମୁହଁରେ ଚୁମା ଦେଇ କହିଲା, ‘ଶଶୀ ! ଭଗବାନ କରନ୍ତୁ, ତୁମର ମନସ୍କାମନା ପୂର୍ଣ୍ଣ ହେଉ ।’

 

(୫)

 

ଶୋଇବା ଘର ପଲଙ୍କ ଉପରେ ବସି ଅମୃତ କହିଲା, ‘ମୋର ଏଠାକୁ ଆସି ଅତ୍ୟନ୍ତ ଦୁଃଖ ଓ ମନସ୍ତାପ ହେଉଛି ।’ ପଲଙ୍କଟି ଖୁବ୍‍ ବଡ଼, କିନ୍ତୁ ସେ ଘର ଭିତରେ ସେହି ଗୋଟିଏ ମାତ୍ର ପଲଙ୍କ । ଶିଶିର ଘରର କବାଟ ବନ୍ଦ କରୁ କରୁ କହିଲା, ‘ତୁମେ ସେ ଝିଅକୁ ଦୁଇହଜାର ଟଙ୍କାର ହାର ଦେଇଦେଲ କାହିଁକି ?’

 

ଶିଶିର କବାଟ ବନ୍ଦ କରିଦେବାରୁ ଅମୃତ ପଲଙ୍କରୁ ଉଠି ଠିଆ ହୋଇ କହିଲା, ‘ବସନ୍ତୁ, ମୁଁ ତଳେ ମୋର ବିଛଣା କରିନେଉଛି ।’

 

‘ତଳେ ତ ମୁଁ ଶୋଇବି । ରାଣୀଙ୍କ ପାଇଁ ତ ପଲଙ୍କ ପଡ଼ିଛି, ରାଣୀ ଶୁଅନ୍ତୁ ସେଥିରେ ।’

 

‘ଶିଶିର ବାବୁ ! ଥଟ୍ଟା ବନ୍ଦ କରନ୍ତୁ । ବର୍ତ୍ତମାନ ସେ ସବୁ ବାଜେ କଥା ବନ୍ଦ କରନ୍ତୁ । ଅଭିନୟ ସରିଲାଣି । ପର୍ଦ୍ଦା ପଡ଼ିଲାଣି, ଆପଣ ଏଠାରେ ବସନ୍ତୁ ତ, ଦ୍ୱିତୀୟ ଅଙ୍କ ଅଭିନୟର ରିହରସାଲ ମୁଁ କରିନିଏ । କିନ୍ତୁ ମୁଁ ଦେଖୁଛି ଏହା ଅନାବଶ୍ୟକ । ଆପଣଙ୍କ ମାଉସୀଙ୍କର ବ୍ୟବହାର ସଂପୂର୍ଣ୍ଣ ଅପ୍ରତ୍ୟାଶିତ । ଏତେ ସହୃଦୟତା, ସହାନୁଭୂତିଶୀଳତା ଓ ଉଦାରତା ମୁଁ ଏହା ପୂର୍ବରୁ କେଉଁଠି ଦେଖିନାହିଁ । ମୁଁ ଶୁଣିଥିଲି ବଙ୍ଗାଳୀ ସ୍ତ୍ରୀଲୋକମାନେ ଖୁବ୍‌ ଭାବପ୍ରବଣା । ମୁଁ ଆଜି ତା’ର ପ୍ରତ୍ୟକ୍ଷ ପ୍ରମାଣ ପାଇଲି ।’

 

‘ଆଉ ବଙ୍ଗାଳୀ ଯୁବକ ବିଷୟରେ ତୁମେ କ’ଣ ଶୁଣିଛ ?’ ଶିଶିର ଥଟ୍ଟାରେ କହିଲା ।

 

‘ଆପଣ ଶୁଣିବେ ?’

 

‘ହଁ, ଦରକାର ହେଲେ ଗାଳି ମଧ୍ୟ ଦେଇପାରେ ।’

 

‘ନାହିଁ, ଗାଳି ଦେଇ ପାରିବି ନାହିଁ । ଯେଉଁଠାରେ ପ୍ରେମ ଓ ସହାନୁଭୁତିର ପ୍ରାଚୁର୍ଯ୍ୟ ଏତେ ବେଶି ସେଠାରେ ଗାଳିର ପ୍ରଶ୍ନ ଉଠି ନ ପାରେ । ଏହା ମଧ୍ୟ ଶୁଣିରଖନ୍ତୁ, ବଙ୍ଗାଳୀ ଯୁବକ ଷଡ଼ଯନ୍ତ୍ରକାରୀ, ଚଞ୍ଚଳ, ଚପଳ ପୁଣି ଚତୁର ବୋଲି ମୋର ଧାରଣା ।’

 

‘ଅମୃତ ଦେବୀ ! ଏ ଯେ ପ୍ରଶଂସାର ସୁଅ ଛୁଟେଇଦେଲେ ଏକେବାରେ ।’

 

‘ଏହା ପ୍ରଶଂସା ନୁହେଁ, କି ନିନ୍ଦା ନୁହେଁ । ଏହା ସାଧନା ମାତ୍ର । ଏହାକୁ ଭଲ ବା ମନ୍ଦ ଉଭୟ କାର୍ଯ୍ୟରେ ପ୍ରୟୋଗ କରାଯାଇପାରେ । କୌଣସି ଭଲ କାମ କରିବା ପାଇଁ ଷଡ଼ଯନ୍ତ୍ରର ପ୍ରୟୋଜନ ହୋଇପାରେ ପୁଣି କୌଣସି ଖରାପ ପାଇଁ ମଧ୍ୟ । ମୁଁ କେବଳ କେତୋଟି ବିଶେଷଣ କହିଛି ମାତ୍ର ।’

 

‘ତେବେ ତ ଠିକ୍‌ ଅଛି । ଆସ, ବର୍ତ୍ତମାନ ଅମୃତ ଦେବୀଙ୍କ ସହାୟତା ପାଇଁ ଓ ମାଉସୀଙ୍କୁ ଠକିବାପାଇଁ ଷଡ଼ଯନ୍ତ୍ର କରିବା ।’

 

‘ମୋର ଯେତେକ ଦୁଃଖ ଏଇଥିପାଇଁ । ଏଠାକୁ ଆସି ଏପରି ହେବ ବୋଲି ଜାଣିଥିଲେ ମୁଁ କଦାପି ଏଠାକୁ ଆସି ନ ଥାନ୍ତି । ମୁଁ ଭାବୁଛି ମାଉସୀ ଯେତେବେଳେ ଆମର ଠକାମି ଜାଣିବେ ସେତେବେଳେ ଅବସ୍ଥା କଣ ହେବ ? ସେ କଥା ଭାବିଲା ବେଳକୁ ମୋ ଛାତି ଥରି ଉଠୁଛି ।’

 

‘ତେବେ ଗୋଟିଏ କଥା କର ।’

 

‘କ’ଣ ।’

 

‘ତେବେ ମୁଁ ତୁମକୁ ପ୍ରକୃତରେ ବିବାହ କରିପକାଏ ?’

 

‘ଆଉ ଆପଣଙ୍କ ବନ୍ଧୁ ସୁଶୀଳ ସହିତ ଲଢ଼େଇ ଲଗେଇଦିଅନ୍ତୁ ।’

 

‘ତା’ର ଅନୁମତି ନେଇକରି କରିବି ।’

 

‘ନା, ସେ କଥା ହେବନାହିଁ । ମୁଁ ତାଙ୍କୁ ପ୍ରେମ କରିସାରିଛି ।’

 

‘ସେଥିରେ କ’ଣ ଅଛି ?’

 

‘ସେ କଥା ଆପଣ ଜାଣିବେ ନାହିଁ ।’

 

‘ଜାଣେ, ପସନ୍ଦ କରିବା ଜିନିଷକୁ ପାଇବାର ନାଁ ହେଉଛି ପ୍ରେମ ।’

 

‘ନାଁ, ସେ କଥା ନୁହେଁ । ମୋ ଭାଇ ମଧ୍ୟ ସେଇଆ କହନ୍ତି, ତେବେ ସୁଶୀଳବାବୁଙ୍କୁ ମୁଁ ପାଇବାପାଇଁ ପସନ୍ଦ କରି ସାରିଛି ।’

 

‘ପସନ୍ଦ ପୁଣି ପରିସ୍ଥିତି ଓ ଜ୍ଞାନବୃଦ୍ଧି ସାଙ୍ଗେ ସାଙ୍ଗେ ବଦଳିଯାଏ । ସୁଶୀଳବାବାଙ୍କର ପସନ୍ଦ ପୁଣି ତ ବଦଳିଯାଇପାରେ ।’

 

ଅମୃତ ହସି ଉଠିଲା ଓ କହିଲା, ‘ବର୍ତ୍ତମାନସୁଦ୍ଧା ଏପରି କୌଣସି କଥା ଉଠିନାହିଁ, ଯାହାପାଇଁ ତାଙ୍କ ଜାଗାରେ ଆପଣଙ୍କୁ ମୁଁ ପସନ୍ଦ କରିବି । ତେବେ ଗୋଟାଏ କଥା, ଯଦି ତାଙ୍କ ପରିବର୍ତ୍ତେ ଆପଣଙ୍କ ମାଉସୀଙ୍କୁ ପସନ୍ଦ କରିବା ପ୍ରଶ୍ନ ଉଠନ୍ତା, ତେବେ ମୁଁ ବିନାଦ୍ୱିଧାରେ ସେ ପ୍ରସଙ୍ଗରେ ରାଜି ହୋଇଯାଆନ୍ତି । କିନ୍ତୁ ଦୁଃଖର କଥା ବିବାହର ଅଭିନୟ କରିବାକୁ ପଡ଼ୁଛି ଆପଣଙ୍କ ସାଙ୍ଗରେ ।’

 

ଶିଶିର ମଧ୍ୟ ହସି ଉଠିଲା । ଏତେବେଳଯାଏ ଉଭୟେ ଠିଆ ହୋଇଥିଲେ । ଶିଶିର କହିଲା, ‘କଣ, ଆଜି ଠିଆରେ ଠିଆରେ ଲଢ଼େଇ ହେବ ? ବର୍ତ୍ତମାନ ବସିଯାଅ, ଆଉ ଧୀର ସୁସ୍ଥଭାବରେ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରାଯାଉ । ପଲଙ୍କରେ କିଏ ଶୋଇବ, ଏହା ତାହାରି ଭିତରେ ଫଇସଲା ହୋଇଯିବ ।’

 

‘ତେବେ ବସିବି କେଉଁଠି ?’

 

‘କାହିଁକି, ପଲଙ୍କରେ ! ଯେମିତି ରେଲଡ଼ବାରେ ଗୋଟିଏ ସିଟ୍‌ରେ ବସିଥିଲେ ।’

 

‘ଠିକ୍‌ କଥା ।’ ଦୁହେଁ ପଲଙ୍କ ଉପରେ ବସିଗଲେ ଓ କଥାବାର୍ତ୍ତା ଆରମ୍ଭ ହେଲା । ଶିଶିର କହିଲା, ‘ମୋ ବେଳକୁ ଏହା ଅଭିନୟ ନୁହଁ, ଯାହା ବାସ୍ତବରେ ହେବାର କଥା ସେଇଆ ହେଉଛି । କେବଳ ତୁମରି ଅଭିନୟ କଥା ବିଚାର କରିବା । ମୋ କହିବା ଅନୁସାରେ ତୁମର ପିତା ବଡ଼ିୟାମ ସିଂ ପଞ୍ଜାବର ବାସଚ୍ୟୁତ ବ୍ୟକ୍ତି । ତୁମେ ତୁମ ବାପାଙ୍କର ଏକମାତ୍ର ସନ୍ତାନ । କଲେଜରେ ପଢ଼ୁଥିଲ, ହଠାତ୍‌ ତୁମର ପିତାଙ୍କର ମୃତ୍ୟୁ ହୋଇଯିବାରୁ ତୁମେ ହେଲ ନିରାଶ୍ରୟ । କଲେଜରେ ତୁମର ମୋର ଥିଲା ପରିଚୟ, ପିଏଚ୍‌. ଡ଼ି କରିବାପାଇଁ ମୁଁ ବରାବର କଲେଜ ଲଇବ୍ରେରୀକୁ ଯାଉଥିଲି ବହିସକାଶେ । ସେହିଠାରେ ତୁମେ ମୋତେ ଦେଖି ପ୍ରେମ କରିଥିଲ । ଆଉ ତୁମ ପିତାଙ୍କ ମୃତ୍ୟୁ ପରେ ପରେ ତୁମର ଏକୁଟିଆ ରହିବା ଅସମ୍ଭବ ହୋଇପଡ଼ିଲା । ସେଥିଲାଗି ଆମର ତୁରନ୍ତ ବିବାହ ହୋଇଗଲା ରେଜେଷ୍ଟ୍ରିଦ୍ୱାରା କଚେରୀରେ । ମୁଁ ସିନା ବିବାହ କଲି, କିନ୍ତୁ ମୋର ପଢ଼ା ସରିନାହିଁ, ତେଣୁ ମୁଁ ତୁମକୁ ମୋ ମା ଭଳିଆ ମାଉସୀଙ୍କ ପାଖରେ ଛାଡ଼ିବାକୁ ଆସିଛି ।’

 

‘ହଁ, ଠିକ୍‌ ଅଛି ଯୋଜନା ।’

 

‘ମୁଁ ମାଉସୀଙ୍କୁ କହିଛି, ମୁଁ ଶୀଘ୍ର ଫେରିଯିବି । ପାଞ୍ଚଦିନ ଏଠାରେ ରହିବି । ମାସରେ ଦିନେ ଦୁଇ ଦିନପାଇଁ ଏଠାକୁ ଆସିବି । ଏମିତି ମୁଁ ଇଉନିଭରସିଟିରେ ‘ଥିସିସ୍‌’ ଦାଖଲ କରିବା ପର୍ଯ୍ୟନ୍ତ ଚାଲିବ ।’

 

‘ଠିକ୍‌ ଅଛି ।’

 

‘ବର୍ତ୍ତମାନ ବିଚାର କରିବାର କଥା, ତିନିମାସ ପରେ ଏଠାରୁ କିପରି ଯିବା ।’

 

‘ସମୟ ଆସିଲେ ସେ ଚିନ୍ତା କରିବା । ବର୍ତ୍ତମାନ ଏହା କୁହନ୍ତୁ, ଗୋଟାଏ ଘରେ ଶୋଇ ଆପଣ ଭଦ୍ର ପୁରୁଷପରି ଚଳିପାରିବେ ତ ?’

 

‘କେବେଠାରୁ ମୋତେ ଅଭଦ୍ର ବୋଲି ଆପଣ ଜାଣିଲେ ?’

 

Unknown

‘ଯେତେବେଳଠାରୁ ଆପଣ କହିଲେଣି ଯେ, ବାସ୍ତବରେ ଚାଲ ବିବାହ କରିନେବା ।’

 

‘ତେବେ ମୁଁ ମୋ କଥା ଫେରାଇ ନେଉଛି ।’

 

‘ହଁ, ଆଉ କ୍ଷମା ମାଗନ୍ତୁ । ଆଉ ସ୍ୱୀକାର କରନ୍ତୁ, ଏହା କହିବା ଅର୍ଥ ବନ୍ଧୁ ବନ୍ଧୁରେ ବିରୋଧ ହେବା ।’

 

‘ଠିକ୍‌ କଥା, ଦୋଷ ହୋଇଛି, କ୍ଷମାକରନ୍ତୁ ।’

 

ଏଥିରେ ଦୁହେଁ ହସି ଉଠିଲେ । ଅମୃତ କହିଲା, ‘ମୁଁ କ୍ଷମା କଲି, କିନ୍ତୁ ଗୋଟାଏ ସର୍ତ୍ତରେ-। ସର୍ତ୍ତ ହେଲା ଆପଣ ପଲଙ୍କରେ ଶୋଇବେ, ମୁଁ ତଳେ ଶୋଇବି ।’

 

‘ଆପଣଙ୍କ କୋମଳ ଶରୀରକୁ କଷ୍ଟ ହେବ !’

 

‘ମୁଁ ତୂଳୀତଳ୍ପରେ ଶୋଇ ମଣିଷ ହୋଇନାହିଁ । ମୁଁ ଏହି ସାଧାରଣ କଥାକୁ ଅତି ଭଲଭାବରେ ସହ୍ୟ କରିପାରିବି ।’

 

‘ଭଲ କଥା, ସହ୍ୟକର, କିନ୍ତୁ, ଆଉ ଗୋଟିଏ କଥା, ଏଠାରେ ସାପ ଖୁବ୍‌ ବେଶି । ତେଣୁ ତଳେ ଶୋଇବାରେ ସବୁବେଳେ ଭୟ ଅଛି ।’

 

‘ସେ ଭୟ କ’ଣ ପୁରୁଷଙ୍କ ସକାଶେ ନାହିଁ ?’

 

‘ପୁରୁଷ ବା ସ୍ତ୍ରୀ ସାପ ତ ତାହା ବୁଝେନାହିଁ ।’

 

‘ତେବେ ଆପଣ ଯେତେବେଳେ ଶୋଇବେ ବୋଲି କହୁଥିଲେ, ସାପ ଥିଲା କେଉଁଠି ?’

 

‘ସାପ ତ ଥିଲା ; ପୁଣି ରାତିରେ ବାହାରିବାର ସମ୍ଭାବନା ମଧ୍ୟ ଥିଲା । କିନ୍ତୁ ଯେତେବେଳେ କଥା ପକ୍‌କା ହୋଇଗଲା ଯେ, ମୁଁ ପଲଙ୍କରେ ଶୋଇବି, ସେତେବେଳେ କଥାଟାକୁ ପ୍ରକାଶ କରିଦେଇ ସାବଧାନ କରିଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ମନେ କରୁଛି ।’

 

‘ଆପଣ ଗୋଟାଏ ଗୁରୁତର ସମସ୍ୟା ଆଣିଦେଲେ । ସାପକୁ ମୋର ଭାରି ଭୟ ।

 

‘ତେବେ ବର୍ତ୍ତମାନ କୁହନ୍ତୁ, ସର୍ତ୍ତ କଣ ହେବ ?’

 

‘ଗୋଟାଏ କଥା କର ଅମୃତ ! ଅଧାରାତି ତୁମେ ପଲଙ୍କରେ ଶୁଅ, ଅଧାରାତି ମୁଁ ।’

 

‘ଏବେ ଠିକ୍‌ ସମାଧାନ ହେଲା ।’

 

‘ବର୍ତ୍ତମାନ କାଲିକା ପ୍ରୋଗ୍ରାମ ଶୁଣ । କାଲି ଆମକୁ କେତେକ ଆତ୍ମୀୟସ୍ୱଜନଙ୍କ ଘରକୁ ଯିବାକୁ ହେବ । ସେଠାରେ କେତେ ପ୍ରକାର ଥଟ୍ଟାତାମସା ହସ ଖୁସି ହେବ । ଗୋଟିଏ ଗୋଟିଏ ଶବ୍ଦ ସେଠାରେ ଖୁବ୍‌ ବୁଝିବିଚାରି କହିବାକୁ ହେବ ।’

 

‘ତାହା ମୁଁ କରିପାରିବି ।’

 

‘ପୁଣି ଏପରି କେହି ଆତ୍ମୀୟ ବା ବନ୍ଧୁ ଆସିପାରନ୍ତି, ଯେଉଁମାନେ କି ତୁମକୁ ଅବଙ୍ଗାଳୀ ବୋଲି ପସନ୍ଦ ମଧ୍ୟ କରି ନ ପାରନ୍ତି ।’

 

‘ମୁଁ ସେମାନଙ୍କୁ ପସନ୍ଦ କରିପାରିବି ନାହିଁ ।’

 

‘ନାଁ, ସେପରି ହେଲେ ଚଳିବ ନାହିଁ । ସେଠାରେ ବି ଆମକୁ ଅଭିନୟ କରିବାକୁ ହେବ । ଚାଲିଯାଉଥିବା ହାତୀ ଯେପରି କୁକୁରଙ୍କ ଭୁକିବାକୁ କାନ ଦିଏନାହିଁ, ତୁମେ ସେମାନଙ୍କ କଟାକ୍ଷକୁ ସେଭଳିଭାବରେ ଧ୍ୟାନ ଦେବ ନାହିଁ ।’

 

‘ତାହା ମୁଁ କରିନେବି ।’

 

‘ହଁ, ବର୍ତ୍ତମାନ କୁହ, ତୁମେ ଗୀତ ଗାଇପାର କି ନାହିଁ । ଆମର ଝିଅମାନଙ୍କର ଏହା ଏକ ଅତ୍ୟାବଶ୍ୟକୀୟ ଗୁଣ ।’

 

‘କିଛି କିଛି ଗାଇପାରେ । ଦିନେ ତୁମ ମାଉସୀଙ୍କୁ ଶୁଣାଇବି ।’

 

‘ନାହିଁ, କାଲି ସଞ୍ଜକୁ ଆମର ସବୁ ଆତ୍ମୀୟମାନଙ୍କର ସ୍ତ୍ରୀମାନେ ଆସିବେ । ବିମଳାନନ୍ଦଙ୍କର ସ୍ତ୍ରୀ କାଳେ ଏ କଥା ଉଠାଇବେ !’

 

‘ତାଙ୍କର ଝିଅ କ’ଣ ତେବେ ଗାଇ ଜାଣନ୍ତି ?’

 

‘ହିଁ, ସେ ନାଚ ମଧ୍ୟ ଜାଣେ ।’

 

‘ତେବେ କ’ଣ ଆପଣଙ୍କ ଶଶୀ ସହିତ ମୋର ପ୍ରତିଯୋଗିତା ହେବ ?’

 

‘ହୋଇପାରେ ।’

 

‘ଯତ୍ନ କରିବି ପ୍ରତିଯୋଗିତା କରିବାପାଇଁ । କିନ୍ତୁ ଯଦି ମୁଁ ଭଲ ନାଚି ଗାଇ ପାରିବି ନାହିଁ, ମୋତେ କ’ଣ ତଡ଼ିଦିଆଯିବ ?’

 

‘ନାହିଁ; ସେକଥା ନୁହେଁ ଯେ, ମୋତେ ସମସ୍ତେ ମୂର୍ଖ ବୋଲି କହିବେ । କାହିଁକି ନା ମୁଁ ଏପରି ଏକ ଝିଅକୁ ପସନ୍ଦ କଲି, ଯିଏ ନାଚି ଜାଣେ କି ଗାଇ ଜାଣେନାହିଁ । ବଙ୍ଗାଳୀ ଝିଅ କଳାମୟୀ ହେବାର କଥା ।’

 

‘ମୁଁ ତ ଆଉ ବଙ୍ଗାଳୀ ଝିଅ ନୁହେଁ, ମୋ ପାଇଁ କ’ଣ କିଛି ରିଆତି ନାହିଁ ?’

 

‘ସେ କଥା ମୁଁ ଚେଷ୍ଟା କରି କରେଇନେବି । କିନ୍ତୁ କିଛି ତ କରିବା ପୁଣି ଦରକାର । ଯଦି ଖାଲି ଛେଳିପରି ମେଁ ମେଁ କରି ତୁମେ ରହିଯାଅ, ମୁଁ କଅଣ କରିବି ?’

 

‘ବର୍ତ୍ତମାନ ଶୁଆଯାଉ । ଆପଣ ଆଗେ ଶୋଇବେ ନାଁ ମୁଁ ?’

 

‘ନାହିଁ ତୁମେ ଆଗେ ଶୋଇଯାଅ । ମୁଁ ତୁମକୁ ଅଢ଼େଇଟା ବେଳକୁ ଉଠେଇଦେବି । ତେଣିକି ତୁମେ ବସିବ, ମୁଁ ଶୋଇବି ।’

 

‘ତେବେ ଠିକ୍‌ ହେଲା ଶିଶିର ବାବୁ ! ମନେ ରଖନ୍ତୁ, ବର୍ତ୍ତମାନ ରାତି ଦଶ ବାଜିଛି । ଠିକ୍‌ ଅଢ଼େଇ ବାଜିଲେ ଉଠେଇଦେବେ । ପରେ ସାତଟା ପର୍ଯ୍ୟନ୍ତ ଆପଣ ଶୋଇପାରିବେ । ଲ୍ୟାମ୍ପ ଜଳୁଥିବ ରାତିଯାକ, ଆଉ ଆପଣ ପଲଙ୍କ ପାଖରେ ବସିଥିବେ ।’

 

(୬)

 

ଅମୃତର ନିଦ ଭାଙ୍ଗିଲାବେଳକୁ ରାତି ଯାଇ ସକାଳ ହେଲାଣି । ଶିଶିର ଅମୃତର ପଲଙ୍କର ଗୋଡ଼ ପାଖକୁ ଗାଢ଼ ନିଦରେ ଶୋଇଛି । ଏତେବେଳଯାଏ ଶୋଇପଡ଼ିଛି ବୋଲି ତାକୁ ବଡ଼ ଲାଜମାଡ଼ିଲା । ସେ ଉଠି ସିଧା ଗାଧୁଆଘର ଭିତରକୁ ଗାଧୋଇବାକୁ ପଶିଲା ।

 

ସକାଳୁ ଜଳଖିଆ ଧରି ଚାକରାଣୀ ଆସି ଦେଖେତ ଶିଶିର ପଲଙ୍କ ଉପରେ ଶୋଇଛି ସେତେବେଳଯାଏ । ସେ ବାବୁଙ୍କୁ ଉଠେଇଲା । ଶିଶିର ଘାବଡ଼େଇ ଉଠିପଡ଼ି ବସିଲା କିନ୍ତୁ ଘରର ଚାରିପାଖକୁ ଅନେଇଁ ଯେତେବେଳେ ଦେଖିଲା ଅମୃତ ନାହିଁ ସେ କେତେକ ପରିମାଣରେ ଆଶ୍ୱସ୍ତ ହେଲା । ଚାକରାଣୀକୁ ପଚାରିଲା, ‘ଯମୁନା, ବୋହୂ କାହାନ୍ତି ?’

 

‘ଗାଧୋଉଛନ୍ତି, ମୋ ଆସିବା ପୂର୍ବରୁ ସେ ଗାଧୋଇବାକୁ ଚାଲିଯାଇଛନ୍ତି ।’

 

‘ବହୁତ ଭୁଲ ହୋଇଗଲା ।’

 

‘ନାହିଁ ବାବୁ ! ନୂଆବୋହୂ କାଲି ଶୋଉ ଶୋଉ ବହୁତ ରାତି ହୋଇ ଯାଇଥିଲା ।’ ଏତିକି କହି ଯମୁନା କଣେଇ କରି ଶିଶିରକୁ ଚାହିଁଲା । ଶିଶିର ଯମୁନାକଥାର ଅଭିପ୍ରାୟ ଠିକ୍‌ ବୁଝିଲା । ମୁହଁ ତାର ଲାଲ ପଡ଼ିଗଲା । ରାତିଯାକ ଅମୃତପରି ସୁନ୍ଦରୀ ଝିଅ ଏକାଠି ଗୋଟିଏ ଘରେ ଶୋଇବାର ଦେଖିଛି ଓ ମନରେ କେତେ ପ୍ରକାର ଭାବନା ଖେଳିଛି, ସେହିକଥା ଭାବି ନୀରବ ରହିଲା ।’

 

ଅମୃତ ଗତଦିନ ବଡ଼ କ୍ଳାନ୍ତ ହୋଇପଡ଼ିଥିଲା । ବିଛଣାରେ ପଡ଼ୁ ପଡ଼ୁ ତାକୁ ନିଦ ହୋଇଗଲା । ଶିଶିର ପଲଙ୍କ ପାଖରେ କିଛିକାଳ ବସିରହି ଅମୃତର ଲୋଭନୀୟ ସୁନ୍ଦର ଶାନ୍ତ ମୁଖକୁ ଅପଲକ ଦୃଷ୍ଟିରେ ଚାହିଁ ରହିଲା । ପରେ ତା’ର ମନକୁ ଆସିଲା, ଘରେ ଯେତେବେଳଯାଏ ଆଲୁଅ ଜଳୁଥିବ, ସେତେବେଳଯାଏ ତା’ ଆଖି ସାମନାରୁ ଏ ଲୋଭନୀୟ ବସ୍ତୁଟି ଅପସରି ଯିବନାହିଁ । ସେ ଉଠିପଡ଼ି ଆଲୁଅ ନିଭେଇ ଦେଇ ଆସି ଅମୃତର ଗୋଡ଼ ପାଖରେ ପଲଙ୍କ ଉପରେ ବସିଲା । ବସି ଭାବିଲା, ‘ଶଶୀ, ଅମୃତ ଆଗରେ ଯେପରି ଅମାବାସ୍ୟାର ଅନ୍ଧକାର । ଅବଶ୍ୟ ଶଶୀ ଗାଇ ଜାଣେ ଭଲ, କିନ୍ତୁ ସ୍ତ୍ରୀର କ’ଣ ସବୁ ଗୁଣ ତା’ର ଗୀତ ଗାଇବାରେ ପ୍ରକାଶ ହେବ ?’ ଅମୃତକୁ ବିବାହ ହେବାପାଇଁ ଯତ୍ନ କରିବା ଚିନ୍ତା ତା’ ମନକୁ ଆସିଲା । ସୁଶୀଳ ସହିତ ବିବାଦ କରିବା କଥା ତା’ ମନରେ ଉଠିଲା । ପୁଣି ଭାବିଲା ଏକଥା ସୁଶୀଳକୁ ଆଗରୁ ଜଣେଇ ଦେବ, ପରେ ଅମୃତ ସହିତ କଥାବର୍ତ୍ତା ହେବ । କିନ୍ତୁ ଅମୃତ କ’ଣ ସତେ ରାଜି ହେବ ? ସୁଶୀଳ ଡାକ୍ତର, ତାର ଆୟ ପାଞ୍ଚଦଶହଜାର, ତାକୁ ଛାଡ଼ି ଅମୃତ କାହିଁକି ତା’ପରି ଫକ୍‌କଡ଼ ସାଙ୍ଗେ ବିବାହ ହେବାକୁ ରାଜି ହେବ-?

 

‘ଆଉ ବଳପୂର୍ବକ ଅମୃତକୁ ଅଧୀନ କରିବା କଥା । ସେଥିରେ ଅମୃତ ଯଦି ଚିତ୍କାର କରେ ତେବେ ସେଥିରେ ତା’ର ବଦନାମର ଶେଷ ରହିବ ନାହିଁ । ମାଉସୀ, ପଡ଼ା ପଡ଼ୋଶୀ, ଆତ୍ମୀୟସ୍ୱଜନ କାହାରି ଆଗରେ ସେ ଆଉ ମୁହଁ ଦେଖାଇ ପାରିବ ତ ? ମାଉସୀଙ୍କ ସହିତ ହୁଏତ ଚିରଦିନପାଇଁ ବିରୋଧ ହୋଇଯିବ ।’

 

‘ଏହିପରି ଭାବୁ ଭାବୁ କେତେବେଳେ ତାକୁ ନିଦ ଆସିଯାଇଛି, ସେ ଭାବନାଲୋକରୁ ଯାଇଁ ସ୍ୱପ୍ନଲୋକରେ ପହଞ୍ଚିଛି । ପାହାଡ଼ିଆ ଗୋଟିଏ ନଦୀର କୂଳରେ ଅସୁମାରୀ ଜାତି ଜାତି ଫୁଲର କିଆାରୀ । ତା ଭିତରେ ବସିଛି ଅମୃତ ଏକା । ସେ ଯାଇଁ ତା ପାଖରେ ଛିଡ଼ା ହେବାରୁ ଅମୃତ ଉଠି ଠିଆହେଲା । ସେ ତାକୁ ଧରିବାକୁ ବାହାରିବାରୁ ସେ ଦୌଡ଼ି ଚାଲିଗଲା । ଶିଶିର ତା’ ପଛେ ପଛେ ଦୌଡ଼ିଲା । ତାକୁ ଧରୁ ନ ଧରୁଣୁ ସେ ପୁଣି ଖସିଯାଏ । କିଛି ଦୂର ପଳେଇ ଯାଇ ପୁଣି ପଛକୁ ଚାହେଁ ଓ ଖିଲି ଖିଲି କରି ହସେ । ଯେପରି ଇଙ୍ଗିତ ଦିଏ, ଆସ, ଦୌଡ଼ ମୋତେ ଧର-

 

କେତେବେଳେ ନଦୀରେ ଗାଧୋଉଛି ତ କେତେବେଳେ ପାହାଡ଼ରେ ଚଢ଼ୁଛି । ସେ ପାଗଳପରି ତା ପଛେ ପଛେ ଧାଇଁଛି । ଯେତେବେଳେ ନିରାଶ ହୋଇ ଥକ୍‌କା ହୋଇ ରହୁଛି ସେତେବେଳେ ପୁଣି ଯେପରି ଧାଇଁବାକୁ ଅମୃତ ତାକୁ ସଙ୍କେତ ଦେଉଛି । ସେ ପୁଣି ଉତ୍ସାହରେ ଉଠିପଡ଼ି ତା’ ପଛରେ ଧାଉଁଛି । ଏହିପରି ଧାଉଁ ଧାଉଁ ତା ଗୋଡ଼ ମୋଡ଼ି ହୋଇଯାଉଛି ଓ ସେ ପଡ଼ିଯାଉଛି । ଏତିକିବେଳେ ଠିକ୍‍ ଯେତେବେଳେ ଜାଗାରେ ଗୋଡ଼ ମୋଡ଼ି ହୋଇଯାଉଛି ବୋଲି ସେ ସ୍ୱପ୍ନ ଦେଖୁଛି ସେତିକିବେଳେ ଯମୁନା ତାକୁ ହଲେଇ ଦେଇ ତା ନିଦ ଭାଙ୍ଗିଦେଲା ।

 

ଶିଶିର ମଧ୍ୟ ଗାଧୋଇବାକୁ ବାହରକୁ ଚାଲିଗଲା । ଅମୃତ ଗାଧୋଇସାରି ବାହାରି ଆସି ଦେଖେତ ତା’ ଜଳଖିଆ ପାଇଁ ଦୁଧ, ମିଠେଇ ଥୁଆ ହୋଇଛି, ଆଉ ସସଂଭ୍ରମେ ଠିଆ ହୋଇଛି ଯମୁନା । ଅମୃତ ପଚାରିଲା ‘ନାଁ କ’ଣ ତୁମର ?’

 

‘ଯମୁନା ।’

 

‘ସେ କୁଆଡ଼େ ଗଲେ ।’

 

‘ଗାଧୋଇବାକୁ ।’

 

‘ତେବେ ସେ ଆସିଲେ ଜଳଖିଆ ଖାଇବା, ଦୁଧ ନେଇ ଯା’, ଥଣ୍ଡା ହୋଇଯିବ, ସେ ଆସିଲେ ଆଣିବ ।’

 

ଯମୁନା ଯିବା ପଛେ ପଛେ ମାଉସୀ ଆସି ପହଞ୍ଚିଲେ । ଅମୃତ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିବାରୁ ସେ ଶିଶିର କାହିଁ ବୋଲି ପଚାରିଲେ । ଅମୃତ କହିଲା, ‘ସେ ଗାଧୋଇବାକୁ ଯାଇଛନ୍ତି ।’

 

‘ତେବେ ତୋତେ ଭୋକ ହବଣି, ତୁ ଖାଇନେ ।’ ମାଉସୀ ପ୍ରଥମ ଥର ପାଇଁ ଅମୃତକୁ ‘ତୁ, ତୋତେ’ ବୋଲି କହିଲେ ।

 

‘ନାହିଁ ମା ।’

 

‘ମା’-ଏଇତକ ଶୁଣି ପ୍ରତିମାଦେବୀ ଅମୃତ ମୁହଁକୁ ଚାହିଁ ରହିଗଲେ । ମାଉସୀ ତା ମୁହଁକୁ ଏପରି ଭାବରେ ଅନେଇଛନ୍ତି ଦେଖି ସେ ତାଙ୍କ ଗୋଡ଼ ଦୁଇଟିକୁ ଚାହିଁ ରହିଲା । ପ୍ରତିମା ଦେବୀ ପଚାରିଲେ, ‘ତେବେ ତୁ ମୋତେ ମା ବୋଲି ଡାକିବୁ ?’

 

‘‘ଆପଣ ଯଦି ନାହିଁ ନ କରନ୍ତି ।’

 

‘ମାଉସୀ’ ବୋଲି ଡାକିବୁ ନାହିଁ ?’

 

ମାଉସୀଠାରୁ ମା ଆହୁରି ସ୍ନେହକର । ଆଉ ମୁଁ ସେହି ସ୍ନେହର ଭିକାରୀ ।’

 

‘ସତେ ?’ ପ୍ରତିମାଦେବୀଙ୍କ ଆଖି ସେତେବେଳେ ଲୁହରେ ଛଳଛଳ । ସେ କହିଲେ, ‘ତେବେ ଡାକ୍‌, ଆଉ ଥରେ ଡାକ୍‌, ଆଉ ଥରେ ଡାକ୍‌, ମୁଁ ମା ବୋଲି ଶୁଣିବାକୁ ପାଗଳୀ ।’ ସେ ଅମୃତକୁ କୁଣ୍ଡେଇ ଧରି ନିଜର ଗଳାରେ ଲଗେଇଲେ ଆଉ କାନ୍ଦ କାନ୍ଦ ହୋଇ କହିଲେ, ‘ମା ଅମୃତ !’

 

‘ହଁ, ମା’ ଏତିକି କହି ଅମୃତ ମଧ୍ୟ ସେହି ସ୍ନେହମୟୀଙ୍କ କୋଳରେ କାନ୍ଦିବାକୁ ଲାଗିଲା ।

 

ଏହି ସମୟରେ ଶିଶିର ଗାଧୋଇସାରି ଲୁଗାପଟା ପିନ୍ଧି ସେଠାକୁ ଆସି ଅମୃତ ଓ ମାଉସୀଙ୍କୁ କୁଣ୍ଢାକୁଣ୍ଢି ହୋଇ କାନ୍ଦୁଥିବାର ଦେଖି କିରି କିରି ହୋଇ ହସିଉଠିଲେ । ଶିଶିରକୁ ଦେଖି ଦୁହେଁ ଦୁହିଁଙ୍କଠାରୁ ଛଡ଼ାଛଡ଼ି ହୋଇ ବିସ୍ମୟରେ ଶିଶିରକୁ ଦେଖିଲେ । ପ୍ରତିମା ଦେବୀ କହିଲେ, ‘ହସୁଛୁ କ’ଣ ଶିଶିର, ତୋ’ର ବିବାହ ପରେ ଆଜି ତୋ’ର ବୋହୂ ପହିଲି କରି ମୋତେ ‘ମା’ ବୋଲି ଡାକିବାରୁ ମୁଁ ଆତ୍ମବିସ୍ମୃତ ହୋଇ ପଡ଼ିଲି ରେ ।’

 

‘ତେବେ ମା ! ତାକୁ ଆଶୀର୍ବାଦ କର, ଏହା ମା’ର କର୍ତ୍ତବ୍ୟ ।’

 

‘ହଁ, କହି ପ୍ରତିମା ଦେବୀ ଅମୃତ ମୁଣ୍ଡରେ ହାତ ରଖି କହିଲେ, ସୌଭାଗ୍ୟବତୀ ହ ମା । ଶିଶିର ସହିତ ତୋ’ର ସମ୍ପର୍କ ଜନ୍ମଜନ୍ମାନ୍ତରରେ ବିଚ୍ଛିନ୍ନ ନ ହେଉ ।’

 

ଶିଶିର ପୁଣି ହସିଲା ଏବଂ କହିଲା, ‘ମାଉସୀ ତୁମ ତୁଣ୍ଡ ସୁତୁଣ୍ଡ ହେଉ ।’

 

‘ଦେଖ୍‌ ଶିଶିର ! ମୁଁ ତୋର ମାଉସୀ’ କିନ୍ତୁ ତା’ର ‘ମା’ । ସେ ହେବ ମୋର ସମ୍ପତ୍ତିର ଉତ୍ତରାଧିକାରିଣୀ ଓ ଆଉ ତୋତେ, ମିଳିବ ମାସିକ ଦରମା ପାଞ୍ଚଶ କରି ମାତ୍ର ।’

 

‘ତେବେ ମାଉସୀ, ମୁଁ ତାକୁ ବିବାହ କରି ବଡ଼ ଭୁଲ କରିଛି । ମୋତେ ଜୀବନଯାକ ପଶ୍ଚାତ୍ତାପ କରିବାକୁ ହେବ ।’

 

‘ମା’, ଅମୃତ କହିଲା, ‘ମୁଁ ଏଠାକୁ ଆସି ଶୁଣୁଛି ଯେ ଆପଣ ୟାଙ୍କର ବିବାହ ଶଶୀ ସହିତ ଦେବେ ବୋଲି ପ୍ରାୟ ନିଶ୍ଚୟ କରି ରଖିଥିଲେ । ସେ ବିଚାରୀ ବଡ଼ ନିରାଶ ହେଲା । ଯେବେ ଆପଣ ଆପଣଙ୍କର ସମ୍ପତ୍ତିରୁ ମୋତେ ଯାହା ଦେବେ ବୋଲି କହୁଛନ୍ତି ସେତକ ଶଶୀକୁ ଦେଇଦିଅନ୍ତେ, ମୁଁ ବଡ଼ ଖୁସୀ ହୁଅନ୍ତି ।’

 

‘ଗୋଟିଏ ମାତ୍ର ରାତିରେ ତା ଠାରେ ଏତେ ସ୍ନେହ ମମତା ତୋର ଲାଗିଗଲା ?’

 

‘କଥା ତା’ ନୁହେଁ ମା ! ମୁଁ ମନେକରୁଛି ମୁଁ ତାର ଯଥାସର୍ବସ୍ୱ ହରଣ କରିଛି, ତେଣୁ ମୁଁ ଅନ୍ତରର ସହିତ କାମନାକରୁଛି ଯାହା ଅଛି ତାକୁ ଆମେ ଦୁହେଁ ବାଣ୍ଟି ନେବା ।’

 

‘ତେବେ କ’ଣ ମୋତେ ବାଣ୍ଟିନେବ । ଥଟ୍ଟାକରି ଶିଶିର କହିଲା ।’

 

ଅମୃତ ଅଳ୍ପ ହସି ତା ଆଡ଼କୁ ଚାହିଁଲା । ମାଉସୀ ଏତିକିବେଳେ କହିଲେ, ‘ମୋତେ ବାସ୍ତବିକ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ହେବ ଯେ ସେ ଦୁଇଦୁଇଟା ବିବାହ କରିବା ପ୍ରଥାକୁ ରଦ୍‌ କରି ଦେଇଛନ୍ତି । ଆଇନକରି ସ୍ୱାମୀବଣ୍ଟରା ପରେ ପୁଣି ଶାଶୁବଣ୍ଟରା ଆରମ୍ଭ ନହେଉ-।’

 

ଏଇଠି ତିନିଜଣଯାକ ହସି ଉଠିଲେ ।

 

ଯମୁନା ଏତିକିବେଳେ ଜଳଖିଆ ଆଣି ପହଞ୍ଚେଇ ଦେବାରୁ ତିନିହେଁ ବସି ଜଳଖିଆ କଲେ । ଗୋଟାଏ ମିଠା ଖାଉ ଖାଉ ପ୍ରତିମାଦେବୀ କହିଲେ, ‘ଦେଖ ଅମୃତ ! ଯାହା ଭଗବାନ କରୁଛନ୍ତି, ସେ ସବୁ ମୋ କର୍ମାନୁସାରେ କରୁଛନ୍ତି । ମୋର ଭାଗ୍ୟ ଖୁବ୍‌ ଭଲ ଯେ, ଶିଶିର ତୋତେ ବୋହୂ କରି ନେଇଆସିଲା । ଆଉ ସେ ପୋଡ଼ାମୁହୀଁକୁ ବୋହୂ କରିବାର ଆବଶ୍ୟକତା ରହିଲାନାହିଁ-। ଶଶିର ଦୁଃଖ ହୋଇଛି କି ନାହିଁ କହିପାରୁନାହିଁ, କିନ୍ତୁ ବିମଳାନନ୍ଦ ଯେ ଦୁଃଖରେ ଭାଙ୍ଗିପଡ଼ିଛି ଏଥିରେ ସନ୍ଦେହ ନାହିଁ । ମୋର ପୂରା ସମ୍ପତ୍ତିର ଉତ୍ତରାଧିକାରୀ ହେବାକୁ ସେ ବସିଥିଲା, ବର୍ତ୍ତମାନ ତାହା ଆଉ ହୋଇ ପାରିଲା ନାହିଁ ।’

 

‘ଶିଶିର ! ଦେଖ୍‍, ତୁ ଆଜି ବେଣୀବାବୁ ପାଖକୁ ଯା । ମୁଁ ତାଙ୍କୁ ମୋର ଉଇଲ ଲେଖାପଢ଼ା କରିବା ବିଷୟ କହିଥିଲି । ତାଙ୍କୁ କହିବୁ ସେ ଯେପରି ଆଜି ଯେକୌଣସିମତେ ଆସି ମୋ ସହିତ ଦେଖା କରିବେ ଓ ଯେପରି ଦିନେ ଦୁଇଦିନ ମଧ୍ୟରେ ଉଇଲ ରେଜେଷ୍ଟ୍ରି ହୋଇଯିବ ।’

 

ଶିଶିର ଅବାକ୍‌ ହୋଇଗଲା । ଅମୃତ ଥାଇ ଥାଇ ପ୍ରତିମାଦେବୀଙ୍କ ମୁହଁକୁ ଅନୋଉଥାଏ, ମନରେ ଭାବୁଥାଏ, ଏପରି ଭଲଲୋକଙ୍କୁ ଧୋକ୍‌କା ଦେଇଛି ବୋଲି ଜଣାପଡ଼ିଲେ ତାଙ୍କ ମନରେ କେତେଦୂର ଯେ କଷ୍ଟ ହେବ କହିହେଉନାହିଁ । ଏହି ଚିନ୍ତାରେ ସେ ଚୁପ୍‌ ରହିଗଲା ।

 

ପ୍ରତିମା ଦେବୀ ଏହାପରେ ଅମୃତକୁ ସନ୍ଧ୍ୟାବେଳକୁ କ’ଣ କ’ଣ ହେବ ତାହା କହିଲେ । ସେ କହିଲେ, ‘ଦେଖ୍‌ ଝିଅ ! ଆଜି ସଞ୍ଜକୁ ଆମ ଘରକୁ କେତେକ ଆତ୍ମୀୟ ସ୍ତ୍ରୀଲୋକ ନିମନ୍ତ୍ରିତ ହୋଇ ଆସିବେ । ସେମାନେ ଖାଇବେ ପିଇବେ ଆଉ ତୋତେ ଗୀତ ଗାଇବାକୁ କହିବେ । ଆମର ଏଆଡ଼େ ଗୋଟାଏ ପ୍ରଥା ଅଛି ଯେ, ବୋହୂ ଏହିଦିନ ଗୋଟାଏ ଦି’ଟା ଗୀତ ଗାଇବ ଓ ଗୋଡ଼ରେ ଘୁଙ୍ଗୁର ବାନ୍ଧି ନାଚିବ । ଏଥିରେ ସମସ୍ତେ ବୋହୂକୁ ଆଶୀର୍ବାଦ କରିବେ । ଗୋଟାଏ କଥା କର, ଶିଶିରଠୁଁ ଗୋଟାଏ ଅଧେ ଗୀତ ଶିଖିନେ । ଆଉ ନାଚିବା କଥା ସେ ବେଶି କିଛି ନୁହେଁ, ତୁ କେବଳ ଗୋଡ଼ରେ ଘୁଙ୍ଗୁର ବାନ୍ଧି ଠିଆ ହୋଇ ପଡ଼ନା, ମୁଁ ସବୁ ସମ୍ଭାଳି ନେବି ।’

 

‘କିନ୍ତୁ ମା ! ଆପଣଙ୍କ ପୁଅ ମୋତେ ଶିଖେଇଲେ ତ ?’

 

‘ମୁଁ କହିଦେଉଛି, ସେ ଗୀତଗୋବିନ୍ଦରୁ ତୋତେ ପଦେ ଅଧେ ଶିଖେଇଦେଉ ।’

 

ଅମୃତ ଅଳ୍ପ ହସି ଚୁପ୍‌ ରହିଲା ।

 

ପ୍ରତିମା ଦେବୀ ଏଥର କଥାର ଢଙ୍ଗ ବଦଳେଇ କହିଲେ, ‘ଦେଖ୍‍ ଶିଶିର ! କାଲି ରାତିରେ ତୁମେ ସବୁ ଚାଲି ଆସିଲା ପରେ ବିମଳାନନ୍ଦ ଆସି କହିଲା, ତୁ ପଞ୍ଜାବୀ ବିବାହ କରିଥିବାରୁ ତୋ’ର ଆଉ ସମ୍ପତ୍ତିରେ କିଛି ଅଧିକାର ନାହିଁ । ତେଣୁ ମୁଁ ଆଉ ଡେରି ନକରି ମୋର ସମସ୍ତ ସମ୍ପତ୍ତିକୁ ମୋର ଶଶୁରଘରର ସମ୍ପର୍କୀୟ ଲୋକମାନଙ୍କମଧ୍ୟରେ ବାଣ୍ଟିଦିଏ । ତେଣୁ ମୁଁ ଠିକ୍‌ କରିଛି ଯେ, ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ଗୋଟାଏ ଉଇଲ୍‌ କରିନେବା ମୋ ପକ୍ଷେ ଉଚିତ୍‌-। ବିମଳାନନ୍ଦ ଏଥିରେ ଏକେବାରେ ନିରାଶ ହୋଇପଡ଼ିବ ।’

 

ଶିଶିରକୁମାର କହିଲା, ‘ମାଉସୀ ! ବର୍ତ୍ତମାନ ସମୟ ମୁହୂର୍ତ୍ତ ମୁହୂର୍ତ୍ତ ବଦଳିଯାଉଛି । ମୋର ଯେତେଦୂର ମନେହେଉଛି ତମର ମୃତ୍ୟୁ ପୂର୍ବରୁ ଦେଶର ଆଇନ୍‌ ଏପରି ହେବ ଯେ ଯଦ୍ଦ୍ୱାରା ବେଓ୍ୟାରିସ ହୋଇ ମରିବା ପରେ ସମ୍ପତ୍ତିର ମାଲିକ ସରକାର ସ୍ୱୟଂ ହୋଇଯିବେ ।’

 

‘କାହିଁକି ?’

 

‘କାରଣ ସମ୍ପତ୍ତି ଯିଏ କମେଇଛି, ସେହି ହେବ ସମ୍ପତ୍ତିର ଉତ୍ତରାଧିକାରୀ । ତୁମେ ଯଦି ସମ୍ପତ୍ତିତକ ମୋ ନାଁରେ ଲେଖିଦିଅ ତେବେ ମୁଁ ହୁଏତ ସେ ସମ୍ପତ୍ତିର ମାଲିକ ହୋଇନପାରେ । ସେ ସମ୍ପତ୍ତି ମୁଁ କମେଇନାହିଁ, ତେଣୁ ତା’ର ଉତ୍ତରାକାରୀ ହେବାର ଅଧିକାର ମୋର ନାହିଁ ।’

 

‘ତେବେ ମୋ ସମ୍ପତ୍ତିର ଅଧିକାରୀ ହେବ କିଏ ?’

 

‘ସରକାର ମାଲିକ ହେବେ ।’

 

‘ସରକାର ଏ ସମ୍ପତ୍ତି କମେଇବାରେ କ’ଣ ସାହାଯ୍ୟ କରିଛନ୍ତି ?’

 

‘ସରକାର ଦେଶର ସୁରକ୍ଷା ପାଇଁ ସବୁମନ୍ତେ ଚେଷ୍ଟା କରୁଛନ୍ତି, ତେଣୁ ସେ ହେବେ ସମ୍ପତ୍ତିର ମାଲିକ ।’

 

‘ମୁଁ ତ ସେଥିପାଇଁ ଆୟକର ଦେଉଛି ।’

 

‘ସେ ତ ସେପରି କିଛି ବେଶି ନୁହେଁ ।’

 

‘ଦରକାର ହେଲେ ଅଧିକ ମାଗିନେବେ, କିଏ କ’ଣ ସରକାରଙ୍କୁ ଦେବାକୁ ବାଧାଦେଉଛି-?’

 

‘ସରକାର ବର୍ତ୍ତମାନ ବୁଝୁଛନ୍ତି ଯେ, ଟିକସ୍‌ଦ୍ୱାରା ବେଶି ଆୟ ହେଉନାହିଁ । ସେଥିପାଇଁ ଆଗରୁ ଯାହା ନ ନିଆଯାଉଛି ତାକୁ ମରିବା ପରେ ଆଦାୟ କରି ନିଆଯିବ ।’

 

‘ଦେଖ୍‌ ଶିଶିର ! ମୁଁ ସେପରି ଲେଖାପଢ଼ାଜଣା ସ୍ତ୍ରୀଲୋକ ନୁହେଁ । ମୁଁ ନିଜେ ଏହାକୁ କିପରି ଭାବରେ ବୁଝିଛି ତାହା ତୋତେ ବୁଝାଇଦେଉଛି । ମୋର ସ୍ୱାମୀ ଯେତେବେଳେ ଜମିଦାରୀକୁ ନିଜେ ବୁଝାସୁଝା କରୁଥିଲେ ସେତେବେଳେ କରଜ ହୋଇଯାଇଥିଲା । ସେ ବହୁତ ଜଗାରଖାକରି ଜମିଦାରୀ ଚଳାଇ କରଜସବୁ ସୁଝିଲେ ଓ ବିବାହ କଲେ । ବିବାହପରେ ସେ ଖୁବ୍‌ ସାଧାସିଧା ଭାବରେ ଚଳି ଟଙ୍କା କିଛି ବଞ୍ଚାଉଥିଲେ ଓ କମ୍ପାନୀମାନଙ୍କର ଅଂଶ କିଣୁଥିଲେ । ତଦ୍ଦ୍ୱାରା ମୋତେ କେତେଲକ୍ଷ ଟଙ୍କାର ସମ୍ପତ୍ତି ଦେଇଯାଇଥିଲେ । ସମ୍ପତ୍ତିସବୁ ମୋ ନାମରେ ଉଇଲ କରିଦେଇ ଗଲେ । ତାଙ୍କର ଏ ଅର୍ଥ କୌଣସି ପାପକାମଦ୍ୱାରା ଅର୍ଜିତ ହୋଇ ନଥିଲା । ସେ ତାଙ୍କର ସଂପୂର୍ଣ୍ଣ ସ୍ୱପାର୍ଜିତ ଥିଲା ଓ ତାକୁ ଉଇଲ କରିଦେବାର ଅଧିକାର ତାଙ୍କର ପୂର୍ଣ୍ଣ ଭାବରେ ଥିଲା । ସେ ଉଇଲ୍‌ ବଳରେ ମୋତେ ଯାହା ମିଳିଥିଲା ମୁଁ ତାକୁ ନିଜର ସମାନ୍ୟ ବୁଦ୍ଧିବଳରେ ବଢ଼େଇ କୁଢ଼େଇ ଯାହାକିଛି କରିଛି । ସବୁ ପ୍ରକାର ଟିକସ ଦେଇ ମଧ୍ୟ ସମ୍ପତ୍ତି ବଢ଼େଇଛି । ଯେଉଁ ସମ୍ପତ୍ତିକୁ ମୁଁ ମୋର ପରିଶ୍ରମ ଓ ବିଦ୍ୟାବୁଦ୍ଧିରେ କମେଇଛି ତାକୁ କ’ଣ ବ୍ୟୟ କରିବାର ଅଧିକାର ମୋର ନାହିଁ ? ମୁଁ ତାକୁ, ଯାହାକୁ ଇଚ୍ଛା ତାକୁ କାହିଁକି ଦେଇ ପାରିବି ନାହିଁ ?’

 

‘ମାଉସୀ ! ସେ ସମ୍ପତ୍ତି ରୋଜଗାର କରିବାରେ ନାଁ ତୁମେ ନାଁ ମଉସା ନିଜେ କିଛି କରିଛନ୍ତି । ସେସବୁକୁ ମୂଲିଆମାନେ କମେଇଛନ୍ତି । ଟାଟା କମ୍ପାନୀରେ ତୁମର କେତେ ଅଂଶ ଅଛି-?’

 

‘ଦଶଲକ୍ଷରୁ ବେଶି ହେବ ।’

 

‘ଏ ଦଶଲକ୍ଷ ତ ଶ୍ରମିକମାନଙ୍କ ପରିଶ୍ରମଦ୍ୱାରା କମେଇବାରେ ସମ୍ଭବ ହୋଇଛି ! ତେବେ ଏହି କମେଇବାର ମାଲିକ ହେଲେ ମୂଲିଆ ।’

 

‘ତେବେ ତୁ କଣ ଏତିକି ବୁଝୁନୁ ଯେ ଶ୍ରମିକଙ୍କ ହାତରେ ହତିଆର ନ ଥିଲେ ସେମାନେ କିଛି ଉତ୍ପାଦନ କରି ପାରିବେ ନାହିଁ । ସେମାନଙ୍କ ହାତରେ ଏଇ କାରଖାନା, ଏହି ହତିଆର, ଆମେ ପଇସା ଖଟେଇଲାବାଲା ଟାଟା କମ୍ପାନୀ ମାରଫତଦାରିରେ ଦେଇଛୁଁ । କାରଖାନା ନଥିଲେ ସେମାନେ କିପରି ଉତ୍ପାଦନ କରିଥାନ୍ତେ ?’

 

‘କିନ୍ତୁ ଯେଉଁ ଶ୍ରମିକ ଉତ୍ପାଦନ କଲା ତାକୁ ମିଳିଲା କମ୍‌ ଅଥଚ ଯିଏ ପଇସା ଖଟେଇଲା ତାକୁ ମିଳିଲା ବେଶି । ଏହା ଅନ୍ୟାୟ । ସରକାର ଅନ୍ୟାୟକୁ ସୁଧାରିବାକୁ ଯାଉଛନ୍ତି ।’

 

‘ପଇସାବାଲାଙ୍କଠାରୁ ସମ୍ପତ୍ତି ଜବରଦସ୍ତିକରି ନେଇ ?’

 

‘ଯେତେବେଳେ ପର୍ଯ୍ୟନ୍ତ ସେ ଜୀବିତ, ସେତେବେଳଯାଏ ସେ ସବୁ ନେଇପାରିବ ।’

 

‘ତେବେ ଏହାର ଅର୍ଥ ହେଲା ଭଲ ଭାବରେ ପରିଚାଳନା କରିବା ପାପ । ‘ପଇସାକୁ ମଦମାଂସ, ମୋଟର, ଉଡ଼ାଜାହାଜରେ ଖର୍ଚ୍ଚ କରିବା ହେଲା ଉଚିତ ବ୍ୟୟ ଆଉ ଟାଟାପରି ସହସ୍ର ସହସ୍ର ଲୋକଙ୍କୁ କାମ ଯୋଗାଇବା ପାଇଁ କାରଖାନା ତିଆରି କରିବା ହେଲା ଅପବ୍ୟୟ ! ଶିଶିର ! ତୁ ଏଇ ପାଠ ପଢ଼ିଛୁ ? ଏପରି ଶିକ୍ଷାର ମୂଲ୍ୟ କ’ଣ ଅଛି ?’ ତଥାପି ମୁଁ କହୁଛି ଯେତେଦିନ ପର୍ଯ୍ୟନ୍ତ ତୁମ ସରକାର ଏପରି ଆଇନ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ମୁଁ ମୋର ସମ୍ପତ୍ତିକୁ ଉଚିତ୍‌ ପାତ୍ରରେ ସମର୍ପି ଦେବାର ବ୍ୟବସ୍ଥା କରିବି । ଆଜି ତୁ ବେଣୀବାବୁଙ୍କ ସହିତ ଦେଖାକରି ଉଇଲର ଚିଠା କରିପକା ।’

 

ଶିଶିର ଚୁପ୍‌ଚାପ ଜଳଖିଆ କରୁଥିଲା । ମାଉସୀଙ୍କପରି ଅଳ୍ପଶିକ୍ଷିତା ସ୍ତ୍ରୀଲୋକଙ୍କଠାରୁ ସେ ଏ ପ୍ରକାର ଯୁକ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମାଉସୀଙ୍କ ଯୁକ୍ତି ତା’ର ବିଚାରଶକ୍ତିକୁ ବିଚଳିତ କରି ଦେଇଥିଲା ଏବଂ ସେ ଭାବିବାକୁ ଲାଗିଲା ବ୍ୟକ୍ତିବିଶେଷଙ୍କର ସମୁଦାୟ ସମ୍ପତ୍ତିକୁ ସରକାରଙ୍କ ହାତକୁ ଦେଇଦେବା କ’ଣ ଠିକ୍‌ ହେବ ? ଯଦି କେହି ହେଲେ ଜଣେ ଧନ ସଞ୍ଚୟ ନ କରିବ ତେବେ ଲୋକେ ପରିଶ୍ରମ କରିବେ କାହିଁକି ? ଆଉ ଯାହା ବା ଉତ୍ପାଦନ କରିବେ ତାକୁ ଖାଇପିଇ ଉଡ଼େଇ ନ ଦେବେ କାହିଁକି ? ଯଦି କୌଣସି ପ୍ରକାରେ ତା ପାଖକୁ ତା’ର ଆବଶ୍ୟକତାଠାରୁ ଅଧିକଅର୍ଥ ଆସି ପହଞ୍ଚିଗଲା, ତେବେ ସେ ତାକୁ ଅନ୍ୟାୟ ଭାବରେ ଖର୍ଚ୍ଚ କରି ନଦେବ କାହିଁକି ? ତା’ କାନରେ ଖାଲି ବାଜୁଥାଏ ତା’ର ଅପାଠୋଇ ମାଉସୀଙ୍କର କଥା । ସହସ୍ର ଲୋକଙ୍କୁ କାମ ଯୋଗାଇପାରୁଥିବା ଟାଟା କମ୍ପାନୀପରି କାରଖାନା ବସାଇବା କ’ଣ ଅନ୍ୟାୟ ?’

 

ଶିଶିରକୁ ଚୁପ୍‌ ଥିବାର ଦେଖି ପ୍ରତିମା ଦେବୀ କହିଲେ, ‘ବେଣୀ ବାବୁଙ୍କୁ କହିବୁ, ମୋ’ର ସମସ୍ତ ସମ୍ପତ୍ତିର ତାଲିକା ତାଙ୍କ ପାଖରେ ଅଛି । ସେଥିରୁ ମାସିକ ଏକହଜାର ଟଙ୍କା ତୋତେ ଓ ଏକହଜାର ଟଙ୍କା ଅମୃତକୁ ଯେପରି ଆଜିଠାରୁ ମିଳିବ ତାହାର ବ୍ୟବସ୍ଥା କରିବେ, ଏବଂ ମୋର ମୃତ୍ୟୁ ପରେ ଅଧେ ସମ୍ପତ୍ତି ହେବ ତୋ’ର ଓ ଅଧେ ହେବ ବୋହୂର ।’

 

ଏହା ଶୁଣି ଅମୃତ କହିଲା, ‘ମା ! ସବୁ ସମ୍ପତ୍ତି ତାଙ୍କରି ନାଁରେ କରିଦେଉନା କାହିଁକି ? ମୁଁ ତାଙ୍କୁ ଯାହା ମାଗିବି ସେ ମୋତେ ଦେବେ ।’

 

ଏହା ଶୁଣି ପ୍ରତିମା ଦେବୀ କହିଲେ, ‘ଠିକ୍‌ ଅଛି । ମୁଁ ଭଲ ଭାବରେ ଜାଣୁଛି ତୋତେ ଯେଉଁ ସମ୍ପତ୍ତି ଦେବି, ତୁ ତାକୁ ଦରକାର ପଡ଼ିଲେ ଶିଶିରକୁ ଦେଇଦେବୁ । ତେଣୁ ସମସ୍ତ ସମ୍ପତ୍ତିକୁ ଦୁଇଭାଗ କରି ତୁମ ଦୁଇ ଜଣଙ୍କ ଭିତରେ ବାଣ୍ଟିଦେବି ।’

 

(୭)

 

ଶିଶିର ପାଞ୍ଚଦିନ ପର୍ଯ୍ୟନ୍ତ ବର୍ଦ୍ଧମାନରେ ରହିଲା । ଏଇ କେତେ ଦିନରେ ସେ ମାଉସୀଙ୍କର ଉଇଲ ଚିଠା କରି ରେଜେଷ୍ଟ୍ରି କରିଦେଲା । ବିମଳାନନ୍ଦ ଏହାର ବିନ୍ଦୁ ବିସର୍ଗ ଜାଣିଲେ ନାହିଁ । ଶିଶିର ବହୁଥର କହିଥିଲା ବିମଳାନନ୍ଦ ଓ ତାଙ୍କର ପିଲାପିଲିଙ୍କ ନାମରେ କିଛି ସମ୍ପତ୍ତି ଲେଖେଇ ଦେବା ଲାଗି; କିନ୍ତୁ ପ୍ରତିମା ଦେବୀ ସେଥିରେ କାନ ଦେଲେ ନାହିଁ । ବିମଳାନନ୍ଦ ଶିଶିର ଓ ଅମୃତକୁ ଯେତେ ନିନ୍ଦା କରୁଥାନ୍ତି, ପ୍ରତିମା ଦେବୀଙ୍କ ରାଗ ତହୁଁ ତହୁଁ ବଢ଼ିବାକୁ ଲାଗିଥାଏ ।

 

ଦ୍ୱିତୀୟ ଦିନ ସନ୍ଧ୍ୟା ସମୟ । ନିମନ୍ତ୍ରିତ ଆତ୍ମୀୟା ସ୍ତ୍ରୀଲୋକମାନେ ଖିଆପିଆ ସାରି ବସିବାରୁ ବିମଳାନନ୍ଦଙ୍କ ସ୍ତ୍ରୀ ଅମୃତକୁ ଖାଲି ହସି ଉଡ଼େଇ ଦେବାକୁ ଚେଷ୍ଟା କରୁଥାନ୍ତି । ସେ କହିଲେ, ‘ବର୍ଦ୍ଧମାନ ସାରା ଆମ ପରିବାରକୁ ସମସ୍ତେ ଗୋଟିଏ ବିଶିଷ୍ଟ ପରିବାର ବୋଲି ଜାଣନ୍ତି । ଶିଶିର ବାହାରୁ ଗୋଟିଏ ଝିଅକୁ ଏ ପରିବାରକୁ ଆଣି ଏ ପରିବାରର ପ୍ରତିଷ୍ଠାରେ ଆଞ୍ଚ ଆଣିଛି ।’

 

ବିମଳାନନ୍ଦଙ୍କ ସ୍ତ୍ରୀ ପ୍ରତିମା ଦେବୀଙ୍କୁ ଆଡ଼ ହୋଇ କିନ୍ତୁ ଶୁଣେଇ କହୁଥାନ୍ତି । ଯାହାଙ୍କୁ କହୁଥାନ୍ତି ସେମାନେ ମଧ୍ୟ କେତେକ ଖୋସାମଦୀ ଭାବରେ କେତେକ ଥଟ୍ଟାଲି ଭାବରେ କହିଲେ, ‘ନାହିଁ ନାହିଁ, ଶିଶିର ପିଲା ଭଲ, ସେ ଏଡ଼େ ମୂର୍ଖ କାହିଁକି ହେବ ?’

 

‘ଯଦି ତା ବୋହୂ ଏତେ ନବ୍ୟସଭ୍ୟ ଶିକ୍ଷିତା, ତେବେ ସେ ତ ନିଶ୍ଚୟ ଗୀତ ଗାଇ ଜାଣିଥିବ ।’

 

‘ହଁ ହଁ ନିଶ୍ଚୟ ଜାଣିଥିବ ।’ ସମସ୍ତେ ବୋହୂ କିପରି ଗୀତ ଗାଇବ ଶୁଣିବାକୁ ଆଗ୍ରହ ପ୍ରକାଶ କଲେ ।

 

ଅମୃତ ଥରେ ଦୁଇଥର କହିଲା, ‘ମୋତେ ସେପରି ଗୀତ ଗାଇ ଆସେ ନାହିଁ ।’ ଏହା ଶୁଣି ବିମଳାନନ୍ଦଙ୍କ ସ୍ତ୍ରୀ କହିଲେ, ‘ବୋହୂ ! ଗୀତ ଗାଇବା ଆମର ଏଠିକାର ଗୋଟାଏ ରୀତି । ତୁମକୁ ଗାଇବାକୁ ହେବ । ତୁମେ ବେସୁରା ଗାଇବ ତ, ଆମେ ହସିବୁ ଆଉ ହସି ହସି ତୁମକୁ ଆଶୀର୍ବାଦ କରିବୁ ।’

 

ଅମୃତ ଦେଖୁଥାଏ ବିମଳାନନ୍ଦଙ୍କ ସ୍ତ୍ରୀଙ୍କର ବ୍ୟଙ୍ଗ ଶୁଣି ପ୍ରତିମା ଦେବୀଙ୍କ ମୁହଁ କଳା ପଡ଼ିଯାଇଥାଏ । ସେ କହିଲେ, ‘ଦେଖ ଶଶୀମା ! ବୋହୂ ଗାଇ ଜାଣେ ନାହିଁ । ତେଣୁ ତାକୁ ହସି ଉଡ଼େଇ ଦେବାର ଆବଶ୍ୟକତା ନାହିଁ । ସେ ଗୀତ ଗାଇବ ନାହିଁ ।’

 

ଅମୃତ ଦେଖିଲା ପ୍ରତିମା ଦେବୀ କହିଲାବେଳକୁ ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଉଛି । ସେ କହିଲା, ‘ମା ! ଆପଣ ମିଛରେ ଦୁଃଖ କରୁଛନ୍ତି । ମୁଁ ଗାଉଛି ।’

 

‘ନାହିଁ ମା, ତୁ ଗାଇବୁ ନାହିଁ ।’

 

‘ମା, ଆପଣ ଶୁଣନ୍ତୁ; ମୁଁ କିଛି ହେଲେ ଗାଏ ।’ ଏହା ପରେ ଶଶୀର ମାଙ୍କୁ କହିଲା, ‘ଆଣନ୍ତୁ ଘୁଙ୍ଗୁର; ଆଉ ଗୋଟିଏ କଥା, ମୁଁ ନାଚିଲେ ମୃଦଙ୍ଗ ବଜେଇବ କିଏ ?’

 

‘ତୁମର ବଡ଼ ଭାଇ ବଜେଇବେ ।’ ଶଶୀର ମା’ର ଇଚ୍ଛା ବିମଳାନନ୍ଦ ବଜାନ୍ତୁ ।

 

ପ୍ରତିମାଦେବୀ କହିଲେ, ‘ସ୍ତ୍ରୀଙ୍କ ମେଳରେ ବସି ବଜେଇବାକୁ ତାଙ୍କୁ ଲାଜମାଡ଼ିବ ନାହିଁ-?’

 

‘ଖୁଡ଼ୀ, ସେ ତ ଅଛନ୍ତି । ମୃଦଙ୍ଗ ବିନା ନାଚ କିପରି ହେବ ? ତାଙ୍କୁ ଡାକେ ।’

 

‘ହଁ, ତାଙ୍କୁ ଡାକନ୍ତୁ, ମୁଁ ତ ତାଙ୍କ ଝିଅ ସମାନ । ସେଥିରେ ଲଜ୍ଜା କ’ଣ ଅଛି ।’

 

‘ମା ! ଆଜି ଗୋଟାଏ ଘରେ ଗୋଟାଏ ତାନପୁରା ପଡ଼ିଥିବାର ଦେଖିଥିଲି !’

 

‘ତେବେ ତୁ ତାନପୁରା ବଜେଇ ଗାଇବୁ ?’

 

‘କ୍ଷତି ଅଛି କ’ଣ ?’

 

ପ୍ରତିମାଦେବୀ ଅବାକ୍‌ ହେଲେ, ବିମଳାନନ୍ଦଙ୍କ ସ୍ତ୍ରୀ ଏହାକୁ ଗୋଟାଏ ଧମକ ବୋଲି ମନେକଲେ । ସେ ଶଶୀକୁ କହିଲେ, ‘ଯା, ବାପାଙ୍କୁ ଡାକିଆଣ, କହ ତାଙ୍କ ମୃଦଙ୍କ ନେଇ ଆସିବେ-। ଆଉ ତୁ ତୋର ତାନପୁରା ନେଇ ଆ ।’

 

ଶଶୀ ମଧ୍ୟ ତାମସା ଦେଖିବାକୁ ଇଚ୍ଛା କରୁଥାଏ । ସେ ଦୌଡ଼ି ଦୌଡ଼ି ଯାଇଁ ବାପାଙ୍କୁ ଡାକିଆଣିଲା । ବିମଳାନନ୍ଦ ନିଜର ମୃଦଙ୍ଗ ନେଇ ଆସିଲେ । ଶଶୀ ମଧ୍ୟ ତାନପୁରା ନେଇ ଆସିଲା-। ପ୍ରତିମା ଦେବୀ ଯମୁନାକୁ ଡାକି କହିଲେ, ‘ଯା ଶିଶିରକୁ କହ ତା’ ହାରମୋନିୟମ୍‌ ନେଇ ଆସୁ ।’

 

‘ହାରମୋନିୟମ କ’ଣ ହେବ, ଖୁଡ଼ୀ ! ତାନପୁରାରେ ଗାଇବା ଲୋକର ହାରମୋନିୟମ୍‌ ଦରକାର ନାହିଁ ।’ ବିମଳାନନ୍ଦ କହିଲେ ।

 

‘ତୁମର ମୃଦଙ୍ଗ ସ୍ୱର କରିବାକୁ ହାରମୋନିୟମ ମଗାଉଛି ।’

 

ଅମୃତ ହସିକରି କହିଲା, ‘ଆପଣ ମନ୍ଦ୍ରଧୈବତରେ ସୁର ବାନ୍ଧନ୍ତୁ ।’

 

‘ମନ୍ଦ୍ରଧୈବତ ! ତାକୁ ଏଠି ପାଇବି କେଉଁଠି ?’

 

‘ସେଇଥିପାଇଁ ତ ମା ହାରମୋନିୟମ ମଗାଉଛନ୍ତି । ଅନାଡ଼ୀ ଲୋକଙ୍କ ପାଇଁ ତ ହାରମୋନିୟମ ହୋଇଛି ।’

 

ବିମଳାନନ୍ଦଙ୍କ ମୁହଁ ରାଗରେ ଲାଲ ପଡ଼ିଗଲା । ସେ କହିଲା, ‘ଆଜ୍ଞା, ମୁଁ ଆପଣଙ୍କର ଝିଅ ସମାନ, ମୁଁ ବତେଇଦେଉଛି, ଦେଖନ୍ତୁ ।’

 

ସେ ତାନପୁରା ନେଇ ମନ୍ଦ୍ରଧୈବତରେ ସୁର କରିଦେଲା । ଦୁଇ ମିନିଟ୍‌ରେ ଏ ତାନପୁରା ସୁର କରିଦେବାରୁ ବିମଳାନନ୍ଦ ଜାଣିଲେ ଯେ, ଅମୃତ ଅନାଡ଼ୀ ନୁହେଁ । କିନ୍ତୁ ତାଙ୍କ ସ୍ତ୍ରୀ ବିମଳାନନ୍ଦଙ୍କ ମନର ଭାବ ଜାଣି ନପାରି କହିଲେ, ‘ତୁମେ ପଞ୍ଜାବୀ ଝିଅଙ୍କ କାରସାଦି ବୁଝିପାରିବ ନାହିଁ । ତୁମେ ତୁମର ମୃଦଙ୍ଗ ଧର ।’

 

ବିମଳାନନ୍ଦ ଚୁପ୍‌ ଚାପ୍‌ ମୃଦଙ୍ଗ ସଜାଡ଼ିବାରେ ଲାଗିଲେ । ଏତିକିବେଳେ ଶିଶିର ହାରମୋନିୟମ୍‌ ନେଇ ଆସି ପହଞ୍ଚିଲା । ହାରମୋନିୟମ ବାଜିବାରୁ ମୃଦଙ୍ଗରେ ସୁର ହେଲା ।

 

ଏତେବେଳକୁ ପ୍ରତିମା ଦେବୀଙ୍କର ଟିକିଏ ସାହସ ହେଲାଣି । ସେ ବୁଝିଲେଣି, ତାଙ୍କ ବୋହୂ ନିଶ୍ଚୟ କିଛି ନା କିଛି ଗାଇଦେବ । ସେ ଆନନ୍ଦିତ ହୋଇ ଅମୃତ ଆଡ଼କୁ ଚାହିଁବାରୁ ଅମୃତ ତାଙ୍କ ପାଦରେ ମୁଣ୍ଡ ରଖି କହିଲା, ‘ମା ! ଆଶୀର୍ବାଦ କରନ୍ତୁ ।’

 

ପ୍ରତିମା ଦେବୀ ତା ମୁଣ୍ଡରେ ହାତ ବୁଲେଇ ଆଣିବାରୁ ସେ ତାନପୁରା ଧରି ସ୍ୱର ଆରମ୍ଭ କଲା ।

 

ଦଶ ପନ୍ଦର ମିନିଟ ନାନାଦି ସ୍ୱର ଆଳାପ ପରେ ଗୋଟିଏ ହିନ୍ଦୀ ଗୀତ ଅମୃତ ଗାଇଲା-

 

ବଙ୍ଗଳା ସମାଜରେ ଅଳ୍ପ ବହୁତ ସଙ୍ଗୀତଜ୍ଞାନ ସମସ୍ତଙ୍କର ଥାଏ । ଯେଉଁମାନେ ଥଟ୍ଟା କରୁଥିଲେ ଆଳାପ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପରେ ପରେ । ଅନ୍ୟାନ୍ୟ ବୋଲ୍‌, ତାନ୍‌ମାନ୍‌ ସବୁ ଶୁଣି ସେମାନେ ମୁଗ୍‌ଧ ହୋଇଗଲେ । କାହାରି ଇଚ୍ଛା ହେଉନଥାଏ ବୋହୂକୁ ବନ୍ଦକରିବାକୁ କହିବାକୁ । ଏହିପରି ପଇଁଚାଳିଶ ମିନିଟ୍‌ କି ଘଣ୍ଟାଏ ଚାଲିଲା । ସେତେବେଳକୁ ବିମଳାନନ୍ଦ ମୃଦଙ୍ଗ ବଜେଇ ବଜେଇ ଥକି ପଡ଼ିଲେଣି । ତେଣୁ ଅମୃତ ଯେତେବେଳେ ଗୀତ ସାରି ଗୋଡ଼ରେ ଘୁଙ୍ଗୁର ବାନ୍ଧିବାକୁ ଆରମ୍ଭ କଲା, ସେତେବେଳେ ସେ କହିଲେ, ‘ମୁଁ ଆଉ ମୃଦଙ୍ଗ ବଜେଇ ପାରିବି ନାହିଁ ।’

 

ଅମୃତ କହିଲା, ‘ଆଜ୍ଞା, ନାଚ ବି ଦେଖିନିଅନ୍ତୁ । ଆପଣଙ୍କ ଘରର ବୋହୂକୁ ନଚେଇବାର ସଉକ୍‌ ଆପଣଙ୍କର ଥିଲା ନାଁ ?’

 

ପ୍ରତିମା ତ ଗୀତ ଶୁଣି ମୁଗ୍‌ଧ ହୋଇଥିଲେ । ଏପରି ଗୁଣବତୀ ବୋହୂ ଯେ ସେ ପାଇଲେ, ସେଥିପାଇଁ ସେ ଭାରି ଆନନ୍ଦିତା । ବିମଳାନନ୍ଦ ଉଠି ପଳେଇବାରୁ ସେ କହିଲେ, ‘ବୋହୂ-! ବର୍ତ୍ତମାନ ବସ୍‌, ଆଉ ନାଚ ଦରକାର ନାହିଁ । ଅନ୍ୟ କେଉଁଦିନ ତୋ ନାଚ ଦେଖିବା । ଜଣେ ଭଲ ଓସ୍ତାଦ୍‌ ତୋ ସହିତ ସଙ୍ଗତ କରିବାକୁ ମିଳିଲେ ତୁ ନାଚିବୁ, ମୁଁ ବରାବର ଦେଖୁଥାଏ ବିମଳାନନ୍ଦ ତୋ ସାଥିରେ ସଙ୍ଗତ କରିପାରୁ ନଥାଏ ।’

 

ଶେଷଦିନ କଥା । ପ୍ରତିମା ଦେବୀ ତ ଅମୃତପରି ବୋହୂ ପାଇ ଖୁସ୍‌ । ଶିଶିର କୁମାର ମଧ୍ୟ ଅମୃତପରି ଝିଅର ସ୍ୱାମୀ (ଯଦିଚ କେବଳ ଅଭିନୟରେ) ବୋଲି ନିଜକୁ ବଡ଼ ମନେ କରୁଥାଏ-। ବିମଳାନନ୍ଦଙ୍କ ଛଡ଼ା ଅନ୍ୟ ସମସ୍ତ ସମ୍ପର୍କୀୟ ଲୋକେ ଶିଶିର ଏପରି ବୋହୂ ପାଇଥିବାରୁ ତାକୁ ଭାଗ୍ୟବାନ ମନେ କରୁଥାନ୍ତି ।

 

ଯିବାଦିନର ପୂର୍ବ ରାତି । ଅମୃତକୁ ଏକୁଟିଆ ଦେଖି ଶିଶିର କହିଲା, ‘ଦେଖ ଅମୃତ ! ମାଉସୀ ଆଜି ତାଙ୍କ ଉଇଲ ରେଜେଷ୍ଟ୍ରି କରିଦେଲେ । ସେ ତାଙ୍କର ସମ୍ପର୍ତ୍ତିରୁ ଅଧେ ତୁମ ନାଁରେ ଲେଖିଦେଲେ ।’

 

‘ସେ ମୋତେ ତାଙ୍କର ନିଜକୁ ବୋହୂ ମନେକରି ଏପରି କଲେ । ପୁଣି ଯେତେବେଳେ ଜାଣିବେ ଆମେ ତାଙ୍କୁ ଠକୁଛୁ, ସେ ମନରେ କଷ୍ଟ କରିବେ ଓ ତାଙ୍କ ଉଇଲ ପରିବର୍ତ୍ତନ କରିଦେବେ-।’

 

‘ମୋର ତ ଏଠାରୁ ଏକାବେଳକେ ଆସ୍ଥାନ ଉଠିଯିବ । ମୁଁ ଆଉ ଏଠାରେ ମୁହଁ ଦେଖାଇବି କିପରି ?’

 

‘ମୁଁ କ’ଣ ଜାଣିଥିଲି ତୁମେ ଏପରି ଭଲ ଭାବରେ ନାଟକ ଅଭିନୟ କରିବ ବୋଲି ? ମାଉସୀ ତୁମକୁ ଯେପରି ଭଲ ପାଇଲେଣି, ମୋର ମନେ ହେଉଛି ତାହା ବାସ୍ତବତାକୁ ମଧ୍ୟ ପଛରେ ପକାଇ ଦେଉଛି । ତୁମେ ମାଉସୀଙ୍କ ପାଖରେ ଏପରି ସରଳ ଶାନ୍ତ ହୋଇଯାଉଛ ଯେ ମାଉସୀ ଏକେବାରେ ତୁମ ଉପରେ ଭାରି ସନ୍ତୁଷ୍ଟ ହୋଇପଡ଼ୁଛନ୍ତି । ଆଉ ମଧ୍ୟ ମୁଁ କ’ଣ ଜାଣିଥିଲି ତୁମେ ଏପରି ଭଜନ ଗାଇବ ଯେଉଁଥିରେ ସାହିଯାକ ମାଇପେ ମୁଗ୍‌ଧ ହୋଇଯିବେ । ଯଦି ମୁଁ ଜାଣିଥାନ୍ତି ଯେ ତୁମଠାରେ ଏତେ ଗୁଣ ଅଛି, ତେବେ ମୁଁ କେବେହେଲେ ସୁଶୀଳକୁ ତୁମକୁ ଆପଣାର କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଇ ନ ଥାନ୍ତି ।

 

‘ଆଉ ମାଉସୀ କହୁଛନ୍ତି, ତୁମେ ଯେତେବେଳେ ତାଙ୍କୁ ‘ମା’ ବୋଲି ଡାକି ଦେଉଛି, ସେତେବେଳେ ତାଙ୍କ ସ୍ତନଯୁଗଳରେ ସ୍ପନ୍ଦନ ଆସୁଛି । ଯେବେ ତୁମେ ଛୋଟ ଝିଅ ହୋଇଥାଆନ୍ତ ତେବେ ତୁମକୁ ଦଧୁ ଖୁଆନ୍ତେ ।’

 

ଅମୃତ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘ସତ !’

 

ଶିଶିର ପୁଣି କହିଲା, ‘ଜାଣିଛ, ଆଜି ମାଉସୀ ମୋତେ କ’ଣ କହୁଥିଲେ ? ସେ କହିଲେ, ତୁ ଏପରି ସୁନ୍ଦର, ଶାନ୍ତ, ସରଳ ବୋହୂକୁ ଛାଡ଼ି କିପରି ଯାଉଛୁରେ ? ତୋ ଛାତି ଏକେବାରେ ପଥରଠାରୁ କଠିନ ।’

 

ମୁଁ କହିଲି, ‘ମାଉସୀ ! ମୁଁ କେବଳ ତାହାରି ସୁନ୍ଦର ମୁହଁକୁ ଚାହିଁ ବିଦେଶ ଯାଉଛି । ସେଠାରେ ଯାଇ ବହୁତ ପାଠ ପଢ଼ି, ପଇସା କମେଇ ତାକୁଇ ସୁଖୀ କରିବି ।’

 

ସେଇଠୁ ସେ ମୋତେ କହିଲେ, ‘କିରେ, ତେବେ ମୁଁ ଯାହା ଦେଲି, ସେ କ’ଣ ତୋ ପାଇଁ ଯଥେଷ୍ଟ ହେଲାନାହିଁ ?’

 

‘ନାଁ ମାଉସୀ ! ସେ ଏହାଠାରୁ ଅଧିକ ଅଧିକାରିଣୀ ହେବା ଯୋଗ୍ୟ । ଏଥିରେ ମାଉସୀ ସନ୍ତୁଷ୍ଟ ହେଲେ । ପରେ ପଚାରିଲେ, ପୁଣି କେବେ ଆସୁଛୁ ? ମୁଁ କହିଲି, ମାସକ ପରେ ।’

 

ଏସବୁ ଶୁଣି ଅମୃତ ଗମ୍ଭୀର ହୋଇଗଲା । ସେ ତଳକୁ ମୁହଁକରି କହିଲା, ‘ଦେଖନ୍ତୁ ଶିଶିର ବାବୁ, ମୋତେ ଆପଣଙ୍କ ଦୁଃଖ ଆଉ ଅସୁବିଧା ପାଇଁ ଚିନ୍ତାନାହିଁ; କିନ୍ତୁ ମାଉସୀଙ୍କୁ କଥା ଭାବିଲାବେଳକୁ ମୋତେ ଭାରି କଷ୍ଟ ହେଉଛି । ମୁଁ ଭାବୁଛି, ଯଦି ମୁଁ ଅନ୍ତରର ସହିତ ତାଙ୍କୁ ଭଲ ପାଉ ନ ଥାନ୍ତି ତେବେ ଏ ନାଟକଟିର ଅଭିନୟ ଏପରି ସର୍ବାଙ୍ଗସୁନ୍ଦର କରିପାରନ୍ତି ନାହିଁ ! ମୁଁ ପ୍ରକୃତରେ ତାଙ୍କୁ ଭଲପାଇଛି । କିନ୍ତୁ ମୁଁ ସବୁ ସମୟରେ ସଚେତ ଅଛି ଯେ ମୁଁ ସୁଶୀଳବାବୁଙ୍କୁ ଭଲପାଇଛି ।’

 

ପାଞ୍ଚ ରାତି, ପଲଙ୍କ ଉପରେ ଅମୃତର ଗୋଡ଼ତଳକୁ ଶୋଇ ଶିଶିରର କଟିଯାଇଛି, କିନ୍ତୁ ବନ୍ଧୁ ସୁଶୀଳର ଅମାନତ ଉପରେ ହାତ ପକେଇବା କାର୍ଯ୍ୟରୁ ସେ ଦୂରରେ ରହିଛି । ଅମୃତର ଯଦ୍ୟପି ମନ ଉପରେ ଦୃଢ଼ତା ଥିଲା ଯଥେଷ୍ଟ ବେଶି, ତଥାପି ଶିଶିରର ସଂଯମ ଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇଛି । ସେ ବୁଝିଥିଲା ଯେ ଶିଶିରକୁ ତାହାର ଏ ଅଭିନୟ ଭିତରକୁ ଟାଣିଆଣି ଭୁଲ କରିଛି ।

 

ଶିଶିରକୁ ବିଦା କରିବାକୁ ପରଦିନ ପ୍ରତିମା ଦେବୀ ଓ ଅମୃତ ଷ୍ଟେସନକୁ ଗଲେ । ପ୍ରତିମା ଦେବୀ ଯେତେବେଳେ କହିଲେ, ‘ଶିଶିର, ତୁ ତୋ’ ଆଦରର ବୋହୂକୁ ଭୁଲିବୁ ନାହିଁରେ, ଶୀଘ୍ର ଫେରି ପଡ଼ିବୁ,’ ସେତେବେଳେ ଅମୃତ କେଜାଣି କାହିଁକି କାନ୍ଦିପକେଇଲା ।

 

ସମସ୍ତେ ମନେକଲେ ଶିଶିରର ବିଚ୍ଛେଦରେ ବୋହୂ କାନ୍ଦୁଛି, କିନ୍ତୁ କାହିଁକି ଯେ ବୋହୂ କାନ୍ଦୁଛି, ସେକଥା ବୋହୂ ନିଜେ ମଧ୍ୟ ଜାଣିପାରିଲା ନାହିଁ । ଏହାତ ବିଚ୍ଛେଦ ନୁହେଁ । ଯେଉଁଠି ମିଳନ ନାହିଁ, ସେଠାରେ ବିଚ୍ଛେଦର ପ୍ରଶ୍ନ ଉଠିବ କାହିଁକି ?

 

ଷ୍ଟେସନରୁ ଆସିଲା ରାସ୍ତାରେ ବରାବର ଅମୃତ କାନ୍ଦି କାନ୍ଦି ଆସିଲା । ପ୍ରତିମାଦେବୀ ସାନ୍ତ୍ୱନା ଦେଉଥାନ୍ତି । ଘରେ ପହଞ୍ଚି ସେ ଅମୃତକୁ ନିଜ ଘରଭିତରକୁ ନେଇଯାଇ କୋଡ଼ରେ ବସେଇ ଆଦର କରିବାକୁ ଲାଗିଲେ । ଏଥିରେ ଅମୃତର ଲୁହ କୌଣସି ବାଧା ନ ମାନି ଆହୁରି ବେଶି ବୋହିଲା । ସେ ବଡ଼ପାଟିରେ କାନ୍ଦିଲା । ମାଉସୀ ତାକୁ ଶୀତଳ ପାଣି ପିଆଇ ପବନ କଲେ ଓ ପଲଙ୍କଉପରେ ଶୁଆଇ କହିଲେ, ‘ମା ମୋର ! ଶୋଇପଡ଼ । ଶୋଇଲେ ଅନେକ ଶାନ୍ତି ପାଇବୁ-।’

 

(୮)

 

ଅମୃତ ଶୋଇପଡ଼ିଲା । ଯେତେବେଳେ ତା’ର ନିଦ ଭାଙ୍ଗିଲା, ସେତେବେଳେ ତା’ର ଗତରାତିର କଥା ମନେପଡ଼ି ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସେ ଭାବୁଥାଏ, ସେ କାନ୍ଦିଲା କାହିଁକି । ନିଜର ଅସ୍ତିତ୍ୱ କଥା ମନେପଡ଼ି ମଧ୍ୟ କମ୍ପିଉଠିଲା । ସେ ଗୋଟି ଗୋଟି କରି ପରକଥା ଭାବି ଅସ୍ଥିର ହୋଇ ପଡ଼ିଲା । ଏ ବିକଟ ପରିସ୍ଥିତିରୁ ଉଦ୍ଧାରର ରାସ୍ତା ନଦେଖି ସେ ଆହୁରି ହତାଶ ହୋଇପଡ଼ିଲା ।

 

ଗୋଟାଏ ରାସ୍ତା କଥା ସେ ଭାବିଲା । ତିନିଚାରିମାସ ଏଠାକାର ସୁଖସୁବିଧା ଭୋଗକରି ଦିନେ ସେ ଏଠାରୁ ପଳାଇଯିବ । କିନ୍ତୁ ଏହାର ପରିଣତି କ’ଣ ହେବ ସେ କଥା ମଧ୍ୟ ସେ ଭାବୁଥାଏ । ପାଞ୍ଚଦିନ ଭିତରେ ପ୍ରତିମାଦେବୀଙ୍କର ସ୍ୱଭାବ ସେ ଭଲକରି ଜାଣିସାରିଲାଣି । କେବଳ ‘ମା’ ଡାକରେ ପ୍ରତିମାଦେବୀ କିପରି ଭାବ ଗଦ୍‌ଗଦ ହୋଇପଡ଼ିଲେ, ପୁଣି ସେ ଗାଇ ଜାଣେନାହିଁ ଆଉ ସମସ୍ତେ ତା’ ଗୀତ ଶୁଣିବାକୁ ଜିଦ୍‍ କରିବାରୁ ସେ କାନ୍ଦି-ପକାଇଥିଲେ । ଶେଷରେ ଯେତେବେଳେ ବୋହୂ ତାଙ୍କର ଗୀତ ଗାଇ ସମସ୍ତଙ୍କୁ ମୁଗ୍‌ଧ କରିଦେଲା, ସେତେବେଳେ ତାଙ୍କ ଆନନ୍ଦ ଦେଖେ କିଏ ? ଏପରି ସ୍ତ୍ରୀଲୋକର ଯଦି ସମସ୍ତ ସୁଖସ୍ୱପ୍ନ ତାସ ଘର ପରି ଭାଙ୍ଗିପଡ଼େ ତେବେ ତାଙ୍କର ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇ ମୃତ୍ୟୁ ହେବ ନିଶ୍ଚୟ, ଆଉ ଏହି ମୃତ୍ୟୁ ପାଇଁ ଦାୟୀ ହେବ ସେ ଓ ସବୁ ପାପ ତାକୁଇ ଲାଗିବ । ମାଉସୀଙ୍କର ସଂସାର ସୁଖ ଆନନ୍ଦରେ କଟିଯାଉଥିଲା ଏକରକମ । ସେ ଆସି ଅକାରଣ ସେଥିରେ ସ୍ପନ୍ଦନ ସୃଷ୍ଟିକଲା କାହିଁକି ? ଯଦି କିଛି ହାନି ହୁଏ ମାଉସୀଙ୍କର, ତା’ର ସଂପୂର୍ଣ୍ଣ ଦାୟିତ୍ୱ ଅମୃତର ।

 

ତେବେ କଣ କରାଯିବ ? ଏପରି ଏକ ସ୍ତ୍ରୀଙ୍କୁ କଣ ସେ ଶାଶୁ ବୋଲି ସ୍ୱୀକାର କରିଯିବ-। ଶିଶିରକୁ ବିବାହ କଲେ ଯାଇଁ ଏହା କେବଳ ସମ୍ଭବ ? ପ୍ରଥମ ରାତିରେ ଯେପରି ଜଣାଯାଉଥିଲା ଶିଶିର ତାକୁ ବିବାହ କରିବାକୁ ଇଚ୍ଛୁକ, କିନ୍ତୁ ପର ଚାରିରାତି ସେ ଯେପରି ଅପୂର୍ବ ଧୈର୍ଯ୍ୟ ଓ ସଂଯମ ଦେଖାଇଛି ସେଥିରେ ଏପରି କୌଣସି ଇଚ୍ଛାର ଲେଶମାତ୍ର ନଥିଲା । ଯଦି ଶିଶିର ତାକୁ ବିବାହ କରିବାକୁ ରାଜି ହୋଇଯାଏ ତେବେ କ’ଣ ଏହା ଠିକ୍‌ ହେବ ? ସୁଶୀଳକୁ ଯେଉଁ ଜବାବ ଦେଇଛି ତା’ର ଫଳ କ’ଣ ହେବ ? ସେ କ’ଣ ଶିଶିରକୁ ଭଲ ପାଇପାରିବ ?

 

ଏହିଠାରେ ଆରମ୍ଭ ହେଲା ଶିଶିର ଓ ସୁଶୀଳ ମଧ୍ୟରେ ତୁଳନା । ଶିଶିର ଇତିହାସରେ ଏମ୍‌. ଏ. ପାସ୍‍ କରିଛି, ଆଉ ସୁଶୀଳ ଏମ୍. ବି. ବି. ଏସ୍‌ ପାସ୍‍ କରା ଡାକ୍ତର । ଡାକ୍ତରଖାନାରେ ଚାକିରୀ, ମାସିକ ହଜାରେ ଦୁଇ ହଜାର ଟଙ୍କାର କମେଇ ଅଛି । ଆହୁରି ଗୋଟିଏ କଥା । ମାଉସୀଙ୍କ ଉଇଲ ବଳରେ ଶିଶିର ବର୍ତ୍ତମାନ ଜଣେ ଧନୀ ବ୍ୟକ୍ତି । ଏହି ସମ୍ପତ୍ତିର ଆୟରୁ ସେ ସୁଶୀଳପରି ଗୋଟିଏ ଲୋକକୁ ଚାକିରୀ ରଖିପାରେ । ସୁଶୀଳ ଶିଶିରଠାରୁ ଯୋଗ୍ୟ ଏହି ହିସାବରେ ଯେ, ସୁଶୀଳ ଡାକ୍ତର ଆଉ ଶିଶିର କିଛି ନୁହେଁ ।

 

ଏସବୁ ଛାଡ଼ିଦେଲେ ଶିଶିରର ମାଉସୀ ସୁଶୀଳର ମାଙ୍କଠାରୁ ଅଧିକ ସ୍ନେହଶୀଳା । ବିବାହ ଅବଶ୍ୟ ଶିଶର ବା ସୁଶୀଳ ସଙ୍ଗରେ, ସେଥିରେ ମାଙ୍କର କଥା ଉଠେଇବାର ଆବଶ୍ୟକତା ଅଛି କ’ଣ ? କିନ୍ତୁ ଭାବିବାର କଥା, ଜଣଙ୍କର ମା ତାକୁ ଘୃଣା ଚକ୍ଷୁରେ ଦେଖିଲାବେଳେ ଅନ୍ୟ ଜଣଙ୍କର ମା ତାକୁ ନିଜର ଝିଅଠାରୁ ଆହୁରି ଅଧିକ ଆଦର କରୁଛନ୍ତି ।

 

ତା’ ମନରେ ଉଠୁଥାଏ, ଯାହାକୁ ବିବାହ କରିବ ସେ କ’ଣ ଜଣେ ଡାକ୍ତର ହେବା ନିହାତି ଆବଶ୍ୟକ ? ଏ ଚିନ୍ତାରେ ତାକୁ ହସ ମାଡ଼ିଲା । ପତି ଡାକ୍ତର, ପୁଣି ପତି କିଛି ନୁହେଁ–ଏହି ଦୁଇ ପତିଙ୍କ କଥାରେ ତା ଭିତରେ ପ୍ରବଳ ଦ୍ୱନ୍ଦ୍ୱ ଜାଗିଲା ।

 

ଶିଶିର କହୁଥିଲା ତାଙ୍କର ମାଉସୀ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି, ମାସିକ ହଜାରେ ଟଙ୍କା ଶିଶିର ଓ ହଜାରେ ଟଙ୍କା ଅମୃତ ନାଁରେ ଦେବାକୁ । ମାଉସୀଙ୍କର ମୃତ୍ୟୁପରେ ମଧ୍ୟ ସେ ଓ ଶିଶିର ଲକ୍ଷାଧିକ ଟଙ୍କାର ଅଧିକାରୀ ହେବେ । ଏହିସବୁ ଭାବି ସେ ତାର ନିଜର ବାସ୍ତବ ରୂପ ରକ୍ଷାକରିବାରେ ସଂନ୍ଦିଗ୍ଧ ହୋଇପଡ଼ିଲା । ସୁଶୀଳ ଓ ତା’ର ପିତାମାତାଙ୍କୁ ନିକିତିର ଗୋଟିଏ ପାଖରେ ଆଉ ଶିଶିର ଓ ତା’ର ମାଉସୀଙ୍କୁ ଆଉ ଗୋଟିଏ ପାଖରେ ପକେଇଲେ ଶିଶିର ପାଖଟା ତାକୁ ଯେପରି ଭାରି ଭାରି ମନେ ହେଲା ।

 

ଶିଶିରର ମାଉସୀଙ୍କର ଧନସମ୍ପତ୍ତି, ତାଙ୍କର ଚରିତ୍ର ଓ ବ୍ୟବହାର ଏପରି ଶ୍ରେଷ୍ଠ ପ୍ରତୀୟମାନ ହେଉଥାଏ ଯେ, ସୁଶୀଳର ଯାବତୀୟ ଗୁଣରାଶି ତା’ ତୁଳନାରେ ନ୍ୟୂନ ବୋଲି ପ୍ରତୀୟମାନ ହେଉଥାଏ । ସୁଶୀଳର ଗୁଣ ତା’ର ମାତା ପିତାଙ୍କର ବ୍ୟବହାର ଯୋଗୁଁ ଅନେକ ପରିମାଣରେ ଢାଙ୍କି ହୋଇ ପଡ଼ୁଥାଏ ।

 

ସବୁକଥା ଏ ପାଖ ସେ ପାଖ ଓଲଟ ପାଲଟକରି ତଉଲି ସାରିବା ପରେ ତା’ର ମନେ ହେଲା ସେ କ’ଣ ସୁଶୀଳକୁ ଛାଡ଼ି ଶିଶିରକୁ ଭଲ ପାଇବ ? ଏତିକିବେଳେ ତା’ର ହରଭଜନ ଓ ଶିଶିରଙ୍କ ପ୍ରେମର ବ୍ୟାଖ୍ୟା କଥା ସ୍ମରଣ ଆସିଲା । ସେମାନଙ୍କର ଯୁକ୍ତି ଯେ ପ୍ରେମ ପସନ୍ଦରୁ ଜାତ ହୁଏ, ଆଉ ପସନ୍ଦ, ସମୟ, ପରିସ୍ଥିତି, ଆବଶ୍ୟକତା ଓ ଜ୍ଞାନବୃଦ୍ଧି ଉପରେ ନିର୍ଭର କରେ ଏବଂ ଏହା ପରିବର୍ତ୍ତନଶୀଳ ମଧ୍ୟ । ତେବେ କ’ଣ ତା’ର ପରିସ୍ଥିତି ଏପରି ପରିବର୍ତ୍ତନ ହୋଇଗଲା, ଯାହା ଯୋଗୁଁ ତା’ର ପସନ୍ଦ ମଧ୍ୟ ପରିବର୍ତ୍ତନ-ସାପେକ୍ଷ ହୋଇପଡ଼ୁଛି ? ଏ ପ୍ରଶ୍ନର ଉତ୍ତର ସେ ପାଇପାରୁ ନ ଥାଏ ।

 

ତେବେ ସେଠାରେ ଯେତେଦିନ ରହିଛି, ସେ ସରଳତା ସହିତ କଟେଇବାକୁ ଚେଷ୍ଟା କଲା । ସକାଳୁ ଉଠି ସେ ପ୍ରତିମା ଦେବୀଙ୍କ ପାଖକୁ ଚାଲିଯାଏ । ଅମୃତ ଆସିବାର ବହୁପୂର୍ବରୁ ପ୍ରତିମା ଦେବୀ ଉଠି ନିତ୍ୟକର୍ମ ସାରି ପୂଜା ମଧ୍ୟ କରୁଥାନ୍ତି । ଅମୃତ ଆସି ଚୁପ୍‌କରି ଠାକୁର ଘର ଦୁଆର ମୁହଁରେ ଅପେକ୍ଷା କରିଥାଏ । ପ୍ରତିମାଦେବୀ ପୂଜା ସାରି ବାହାରକୁ ଆସିବା ସାଙ୍ଗେ ସାଙ୍ଗେ ସେ ତାଙ୍କର ପାଦଛୁଇଁ ପ୍ରଣାମ କରେ ଓ ତାଙ୍କ ଆଶୀର୍ବାଦ ଗ୍ରହଣ କରେ । ତା’ପରେ ସେ ଫେରିଆସି ତାର ନିତ୍ୟକର୍ମ ସାରି ଅଳ୍ପକିଛି ଜଳଖିଆ କରି ସଙ୍ଗୀତ ଚର୍ଚ୍ଚାରେ ଲାଗିପଡ଼େ । ମାଉସୀଙ୍କୁ କହି ଜଣେ ଭଲ ଓସ୍ତାଦ୍‌ଙ୍କୁ ମାସିକ ପଚାଶଟଙ୍କା ଦେଇ ମୃଦଙ୍ଗ ଓ ଅନ୍ୟାନ୍ୟ ଯନ୍ତ୍ରରେ ସଙ୍ଗତ କରିବାଲାଗି ନିଯୁକ୍ତ କରେଇଛି । ସେ ପ୍ରତ୍ୟହ ଘଣ୍ଟାଏ କରି ଆସନ୍ତି । ତା’ ପରେ ସେ କେତେକ ବହି ପଢ଼ାପଢ଼ି କରେ । ତା’ପରେ ଦି’ପହରରେ ପ୍ରତିମାଦେବୀ ଓ ସେ ସାଙ୍ଗହୋଇ ଖାଆନ୍ତି । ଖାଇସାରିବା ପରେ ସେ ପ୍ରତିମାଦେବୀଙ୍କୁ ବିଶ୍ରାମ ପାଇଁ ଛାଡ଼ିଦେଇ ଏପାଖ ସେପାଖ ହୋଇ ସମୟ କଟେଇଦିଏ । ବିଶ୍ରାମ ପରେ ପ୍ରତିମାଦେବୀଙ୍କ ସହିତ ପାଞ୍ଚଟାରେ ଚା ପିଇ ସେ ଓ ପ୍ରତିମାଦେବୀ ଘୋଡ଼ାଗାଡ଼ିରେ ବଜାର କରିବାକୁ ନଚେତ୍‌ ବୁଲିବାକୁ ଚାଲିଯା’ନ୍ତି । ସନ୍ଧ୍ୟାକୁ ସମସ୍ତେ ଏକାଠି ବସି ଖାଆନ୍ତି । ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ମଧ୍ୟ ବେଳେ ବେଳେ ଏଥିରେ ଯୋଗ ଦିଅନ୍ତି ଓ ଏକାନ୍ତ ଭାବରେ ଏଠାରେ ପରିବାର ବିଷୟରେ ଚର୍ଚ୍ଚା ହୁଏ ।

 

ଏହିପରି ଦିନ କଟିଯାଉଥାଏ । ବର୍ଦ୍ଧମାନ ଆସିବାର ଅମୃତର ମାସ ପୂରିଗଲାଣି । ଦିନେ ରାତିରେ ଖାଇଲାବେଳେ ପ୍ରତିମାଦେବୀ ବିମଳାନନ୍ଦ ବାବୁଙ୍କୁ କହିଲେ, ‘ବିମଳ, ଗୋଟାଏ କଥା ଶୁଣ । ମୁଁ ଶୁଶୁଛି ତୁମେ ଚାକରବାକର ଆତ୍ମୀୟସ୍ୱଜନଙ୍କ ଆଗରେ ବୋହୂର ନିନ୍ଦା କରୁଛ । ମୁଁ ତୁମକୁ କହିଦେବାକୁ ଚାହୁଁଛି ଶିଶିରର ଇଏ ଧର୍ମପତ୍ନୀ । ରୀତିମତ ବେଦୀରେ ବସି ସେ ଅମୃତକୁ ବିବାହ କରିଛି । ଅତଏବ ଭଲ ହେଉ ମନ୍ଦ ହେଉ, ସେ ବର୍ତ୍ତମାନ ଏ ପରିବାରର ଗୋଟିଏ ଅଙ୍ଗ । ତା’ର ନିନ୍ଦା ବୁଝିବାକୁ ହେବ ମୋର ନିନ୍ଦା, ପରିବାରର ନିନ୍ଦା । ଜାଣିଲ ?’

 

‘ମୁଁ ବୋହୂର ନିନ୍ଦା କରିନାହିଁ, ଖୁଡ଼ୀ । ଗୋଟିଏ କଥା ମୁଁ ପସନ୍ଦ କରୁନାହିଁ । ପଞ୍ଜାବୀ ଝିଅ ବଙ୍ଗାଳୀ ଘରର ବୋହୂ ହବାରେ ଯାହା ମୋର ଆପତ୍ତି; ଆଉ ବିଶେଷ କରି ବଙ୍ଗାଳୀ ଝିଅ ଯେତେବେଳେ ଅବିବାହିତ ହୋଇ ବସି ରହିଛି । ମୁଁ ଏଥିରେ କ’ଣ ଖରାପ କଥାଟାଏ କହିଲି ?’

 

‘ତେବେ ତୁମକୁ ଏ ଘର ଆଉ ଭଲ ଲାଗୁନାହିଁ । ଯାଅ ଯେଉଁଠିକି ତମର ଇଚ୍ଛା, ଏଠାରେ ରହିବାର ଆବଶ୍ୟକତା ନାହିଁ ।’

 

‘ଖୁଡ଼ୀ ! ତୁମେ ଏହା କହିବାଦ୍ୱାରା, ନିଜପ୍ରତି ତଥା ତୁମର ନିଜର ସମ୍ପର୍କୀୟମାନଙ୍କପ୍ରତି ଅନ୍ୟାୟ କରୁଛ । କେବଳ ସେତିକି ନୁହେଁ, ବଙ୍ଗାଳୀ ସଂସ୍କୃତି ପ୍ରତି ମଧ୍ୟ ତୁମେ ଏହାଦ୍ୱାରା ଅନ୍ୟାୟ କରୁଛ ।’

 

‘ମୋର ନ୍ୟାୟ ଅନ୍ୟାୟ ବିଷୟରେ ତୁମର ଚିନ୍ତା କରିବାର ପ୍ରୟୋଜନ ନାହିଁ । ମୁଁ ମୋର ଆତ୍ମୀୟମାନଙ୍କୁ ମଧ୍ୟ କହିରଖୁଛି ଯେ, ମୁଁ ସେମାନଙ୍କର କୌଣସି କ୍ଷତି କରୁନାହିଁ ଆଉ ଯଦି କେହି ମନେକରେ ତାଙ୍କ ପ୍ରତି ମୁଁ ବା ମୋ’ର ବୋହୂ ଅନ୍ୟାୟ କରୁଛୁ, ତାଙ୍କର ଏଠାକୁ ଆସିବା ଉଚିତ ନୁହେଁ । ମୁଁ ଯାହାଙ୍କୁ ଯେପରି ସମ୍ମାନ ଦେଉଛି, ସେହିପରି ସମ୍ମାନ ମୁଁ ଅନ୍ୟଠାରୁ ପାଇବି ବୋଲି ଆଶା କରୁଛି । ରଖ ତୁମର ସଂସ୍କୃତି କଥା । ସେସବୁ ମୁଁ ବୁଝେନାହିଁ । ବଙ୍ଗାଳୀ ସଂସ୍କୃତି ଓ ଏ ଝିଅର ସଂସ୍କୃତି ଭିତରେ ମୁଁ କିଛି ତଫାତ୍‌ ଦେଖୁ ନାହିଁ ।’

 

‘ଦେଖନ୍ତୁ ଖୁଡ଼ୀ, ଆମର ଗୋଟିଏ ଭାଷା ଅଛି, ଯାହାର ସାହିତ୍ୟ ଏକ ମହାନ୍‌ ସାହିତ୍ୟ-। ସେହି ସାହିତ୍ୟକୁ ଚାହିଁ ଆମର ଚାଲିଚଳନ । ଏହାକୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ଯଦି ଆମେ ଆମର ଝିଅପୁଅଙ୍କୁ ପଞ୍ଜାବ, କାଶ୍ମୀର ବା ରାଜସ୍ଥାନରେ ବାଣ୍ଟୁ, ତେବେ ଆମର ଭାଷା ଏକ ଖେଚୁଡ଼ୀ ଭାଷା ହୋଇଯିବ । ସାହିତ୍ୟର ପତନ ହେବ ଏବଂ ସଙ୍ଗେ ସଙ୍ଗେ ଯେଉଁ ବଙ୍ଗାଳୀ ଚାଲିଚଳନ ଓ ସଂସ୍କୃତି ପାଇଁ ଆମେ ଗର୍ବ କରୁ ତାହା ମଧ୍ୟ ଭ୍ରଷ୍ଟ ହୋଇଯିବ ।’

 

‘ମୁଁ ଏହା ମାନେ ନାହିଁ । ମୁଁ ବୁଝେ ବଙ୍ଗଳା ଭାଷା ସଂସ୍କୃତ ଭାଷାର ଅପଭ୍ରଂଶ । ଅପଭ୍ରଂଶରେ ପରିବର୍ତ୍ତନ କଲେ କ୍ଷତି କ’ଣ ? ଅପଭ୍ରଂଶ ତ ଅପଭ୍ରଂଶ । କେଉଁଟା ଛ’ଅଣାରେ କେଉଁଟି ଦଶଅଣାରେ । ଏହିପରି ସାହିତ୍ୟ ଓ ଚାଲିଚଳନ କଥା ବୁଝିନେବାକୁ ହେବ । କିଛି ବଦଳିଯିବ ତ କ’ଣ କ୍ଷତି ହୋଇଯିବ ?

 

‘ଏହା କିଛି ନୁହେଁ । ଦେଖ, ମୁଁ ଶଶୀର ବିବାହର ଉଦ୍ୟମ କରୁଛି । ଏଥିରେ ତୁମେ ଯଦି ପରିବାର ନିନ୍ଦା ଆରମ୍ଭ କରିଦିଅ, ତେବେ ତଦ୍ଦ୍ୱାରା ତୁମର ତଥା ତୁମର ଝିଅ ଶଶୀର କ୍ଷତି ହେବା ଛଡ଼ା ଅନ୍ୟ କିଛି ହେବନାହିଁ ।’

 

‘ଖୁଡ଼ୀ, ତୁମେ ମିଛଟାରେ ମୋ ଉପରେ ରାଗୁଛ । ମୁଁ କାହାରି ନିନ୍ଦା କରୁନାହିଁ; କିନ୍ତୁ ସମାଜର ପ୍ରତ୍ୟେକ ଲୋକର କର୍ତ୍ତବ୍ୟ ନିଜ ସମାଜର ସମ୍ମାନ ଅକ୍ଷୁର୍ଣ୍ଣ ରଖିବା । ଯଦି କୌଣସି ଅବଙ୍ଗାଳୀଦ୍ୱାରା ବଙ୍ଗାଳୀର ସମ୍ମାନ ହାନି ହେବାର ଆଶଙ୍କା ହୁଏ, ତେବେ ମୁଁ ଏହାକୁ ପସନ୍ଦ କରିପାରେ ନାହିଁ ।’

 

‘ଯେଉଁମାନେ ଏପ୍ରକାର ଚିନ୍ତା କରନ୍ତି, ବିମଳ, ସେମାନେ ସବୁ ମହା ମୂର୍ଖ । ମୁଁ ଚାହେଁ ନାହିଁ ଯିଏ ମୋ ସଙ୍ଗେ ସମ୍ପର୍କ ରଖିବ, ସେ ହେବ ମୂର୍ଖ । ବଙ୍ଗାଳୀ, ପଞ୍ଜାବୀ, ଗୁଜରାଟୀ, ମରହଟ୍ଟୀ ସମସ୍ତେ ମନୁଷ୍ୟ । ଏକ ଦେଶ, ଏକ ଶାସନ ଭିତରେ ରହିଲେ ପରସ୍ପର ପରସ୍ପର ସହିତ ଅତି ଆପଣାର ହୁଅନ୍ତି ।

 

‘ଏକ ପରିବାରର ଲୋକ ତ ଅନ୍ୟ ପରିବାର ଲୋକଙ୍କଠାରୁ ପୃଥକ୍; କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଗୋଟିଏ ପରିବାରର ସଂସ୍କୃତି ଅନ୍ୟ ପରିବାରର ସଂସ୍କୃତିଠାରୁ ପୃଥକ । ଭାଷା ଯୋଗୁଁ ସଂସ୍କୃତିର ପାର୍ଥକ୍ୟ ହେବ ଏହା ମୁଁ ବିଶ୍ୱାସ କରେ ନାହିଁ । ଗୋଟିଏ ମଣିଷ ଅନ୍ୟ ଗୋଟିଏ ଭାଷା ଶିଖିପାରେ । ଯଦି ଭେଦଭାବ ସୃଷ୍ଟି ହେବ, ତାହା ଆଚାର ବା ବ୍ୟବହାର ଯୋଗୁଁ ହେବା ଉଚିତ । ଶ୍ରେଷ୍ଠ ଓ ନଷ୍ଟ ମଧ୍ୟରେ, ଯୋଗ୍ୟ ଓ ଅଯୋଗ୍ୟ ମଧ୍ୟରେ, ମଣିଷ ଆଉ ପଶୁ ମଧ୍ୟରେ ଭେଦଭାବ ଥାଇପାରେ । ଇଏ ବର୍ଦ୍ଧମାନର, ସିଏ କଲିକତାର, ଇଏ ପାଟନାବାଲା, ସେ ରାଞ୍ଚିବାଲା ବା ଇଏ ଲକ୍ଷ୍ନୌର ବା ସେ ଆଲାହାବାଦର–ଏହି ଯୋଗୁଁ ଯଦି ବିରୁଦ୍ଧଭାବ ସୃଷ୍ଟିହୁଏ, ତେବେ ଦେଶର ସର୍ବନାଶ ହେବା ଅବଶ୍ୟମ୍ଭାବୀ । ସଙ୍ଗେ ସଙ୍ଗେ ମଧ୍ୟ ମାନବିକାତାର ପତନ ଅନିବାର୍ଯ୍ୟ ।’

 

‘ଖୁଡ଼ୀ ! ତୁମେ ଦୁନିଆର ସମସ୍ତଙ୍କଠାରୁ ପୃଥକ ହୋଇ ରହିପାରିବନାହିଁ ।’

 

‘ଥାଉ, ଏ ବିଷୟରେ ଆଉ ଆଲୋଚନା କରି ଲାଭନାହିଁ । ମୋର ବୁଦ୍ଧିର ଦୌଡ଼ି ଏହି ପର୍ଯ୍ୟନ୍ତ । ତୁମେ ଦୁନିଆରେ ରହ ବା ତହିଁରୁ ବାହାରେ ରୁହ ଏ କାମ ତୁମର । ମୁଁ ମୋର ପରିବାରରେ ରହିବାକୁ ଚାହେଁ । ଶ୍ରେଷ୍ଠ ଆଉ ଯୋଗ୍ୟ ଲୋକଙ୍କ ସହିତ ରହିଲେ ମୋର ପରିବାରର ହିତ ହେବ ବୋଲି ମୋର ବିଶ୍ୱାସ ।’

 

ଅମୃତ ଉପରେ ଏହି କଥାବାର୍ତ୍ତାର ପ୍ରଭାବ ହେଲା ଭିନ୍ନପ୍ରକାର । ସେ ବୁଝିଲା, ନିଶ୍ଚୟ ଗୋଟାଏ କିଛି ଅଛି, ଯାହାପାଇଁ ଏଠାରେ ବିମଳାନନ୍ଦ ଓ ସେଠାରେ ସୁଶୀଳର ମା ବଙ୍ଗାଳୀ ସମାଜକୁ ଅନ୍ୟ ସମାଜଠାରୁ ଭିନ୍ନ ଦେଖୁଛନ୍ତି । ତା’ପରେ ପରେ ସେ ନିଜର ପିତାଙ୍କ ବନ୍ଧୁ କର୍ତ୍ତାର ସିଂଙ୍କ କଥା ଭାବିଲା । ସେ ଶିଖ୍‌ ସମାଜକୁ ହିନ୍ଦୁ ସମାଜଠାରୁ ଭିନ୍ନ ଦେଖୁଥିଲେ । ସେ ଭାବିଲା, ତେବେ ଏ ଦୁଇଟାଯାକ କଥା କ’ଣ ଭୁଲ୍‌ । ତେଣୁ ଏ ବିଷୟରେ ବିଶେଷ ଚିନ୍ତା କରିବାର ଆବଶ୍ୟକତା ସେ ଉପଲବ୍‌ଧି କଲା । ରାତିଯାକ ସେ ପଲଙ୍କ ଉପରେ ପଡ଼ି ଏହି ଚିନ୍ତାରେ କେବଳ ଛଟପଟ ହେବାକୁ ଲାଗିଲା । ତା’ ମନ କର୍ତ୍ତାର ସିଂ, ସୁଶୀଳର ମା ଓ ବିମଳାନନ୍ଦଙ୍କ ଯୁକ୍ତିକୁ ମୋଟେ ସମର୍ଥନ କରି ପାରୁ ନ ଥାଏ । ସେ ଜାଣିଥିଲା, ଜୈନ, ଶିଖ୍‍, ବଙ୍ଗାଳୀ, ପଞ୍ଜାବୀ ଭିତରେ ପାର୍ଥକ୍ୟ ଅଛି; କିନ୍ତୁ ଏହାଯୋଗୁଁ ଜଣେ ଅନ୍ୟର ସମ୍ପର୍କରେ ଆସିପାରିବ ନାହିଁ, ଏକଥା ସେ ଭାବିପାରୁ ନ ଥାଏ ।

 

ଶିଖ୍‍, ଜୈନ, ବୌଦ୍ଧ, ଆର୍ଯ୍ୟସମାଜବାଦୀ ଭିନ୍ନ ଭିନ୍ନ ହେଲେ ସୁଦ୍ଧା କାହିଁକି ଯେ ଏକାଠି ହୋଇପାରିବେ ନାହିଁ, ଏକଥା ସେ ଭାବିପାରୁ ନ ଥାଏ । ସେହିପରି ପଞ୍ଜାବୀ, ବଙ୍ଗାଳୀ, ଗୁଜରାଟୀ ପ୍ରଭୃତି କ’ଣ ଏକ ନୁହନ୍ତି ? ଏହି ପ୍ରକାର ସମସ୍ୟା ମଧ୍ୟ ବ୍ରାହ୍ମଣ, କ୍ଷତ୍ରିୟ ତଥା ବୈଶ୍ୟଙ୍କୁ ନେଇ ଉପୁଜିବାର ଆଶଙ୍କା ଅଛି । ଛୁଆଁ ଅଛୁଆଁ, କଳା ଗୋରା, ପୀତ ଲୋହିତ ଲୋକଙ୍କ ମଧ୍ୟରେ ମଧ୍ୟ ଏହି ପାର୍ଥକ୍ୟ ରହିବ । ଏହିସବୁ ବିଚାର ମଧ୍ୟରେ ତା’ର ନିଜକଥା ମନକୁ ଆସିଲା । ସେ ଭାବିଲା, ସେ କାହିଁକି ଶିଖ୍‍ ସମ୍ପ୍ରଦାୟ ଛାଡ଼ି ହନ୍ଦୁ ସମ୍ପ୍ରଦାୟରେ ବିବାହ କରିବାକୁ ଚାହୁଁଛି ? ଶିଖ୍‍ ସମାଜ ଛାଡ଼ି ହିନ୍ଦୁ ସମାଜକୁ ଆସିବାକୁ କାହିଁକି ଚାହୁଁଛି ? ଏହି ସୀମା ଅତିକ୍ରମ କରିବାକୁ ସେ କାହିଁକି ସଙ୍କୋଚ କରୁନାହିଁ ? ଏହି ପ୍ରକାର ଚିନ୍ତା କରୁ କରୁ ତା ମନକୁ ଅନେକକଥା ଆସିଲା । ସେ ଭାବିଲା ପ୍ରତିମାଦେବୀ ବଙ୍ଗାଳୁଣୀ ହୋଇ କାହିଁକି ତାକୁ ପସନ୍ଦ କରୁଛନ୍ତି ଓ ଆଦର କରୁଛନ୍ତି ? ଏହି ପ୍ରଶ୍ନରୁ ତାକୁ ସବୁ ବାଟ ଦିଶିଲା । ସେ ମନେକଲା, ବଙ୍ଗାଳୁଣୀ ହେଲେ ବି ପ୍ରତିମାଦେବୀଙ୍କଠାରେ କିଛି ବିଶେଷତ୍ୱ ଅଛି । ତାଙ୍କର ସହୃଦତା ବଙ୍ଗାଳୀ ବା ପଞ୍ଜାବୀର ସଂସ୍କୃତି ନୁହେଁ । ତାହା ମାନବିକତାର ବହିର୍ପ୍ରକାଶ । ସେ ପ୍ରତିମାଦେବୀଙ୍କୁ ଆଦର କରିପାରୁଛି, କାରଣ ତାଙ୍କଠାରେ ମାନବିକତା ଅତ୍ୟଧିକ ମାତ୍ରାରେ ଅଛି । ଏଥିରୁ ତାହାର ସ୍ପଷ୍ଟ ଧାରଣା ହେଲା ଯେ, ସବୁ ମନୁଷ୍ୟମଧ୍ୟରେ କୌଣସି ନା କୌଣସି ଐକ୍ୟ ଅଛି । ସେହି ଐକ୍ୟ ପ୍ରତି ଧ୍ୟାନ ଦେଲା । ସେ ହିନ୍ଦୁ ଓ ଶିଖ୍‍ଙ୍କ ଭିତରେ ଥିବା ସମାନତା ବା ଐକ୍ୟପ୍ରତି ଦୃଷ୍ଟି ଦିଅନ୍ତି । କିନ୍ତୁ ବିମଳାନନ୍ଦ ପ୍ରଭୃତିଙ୍କ ଦୃଷ୍ଟିକୋଣ ଠିକ୍‌ ବିପରୀତ-। ସେ ସବୁକଥା ବୁଝିପାରିଲା । ସେପ୍ରକାର ଲୋକେ ବଙ୍ଗାଳୀ, ପଞ୍ଜାବୀ, ଅଥବା ଗୁଜରାଟୀ ବା ରାଜସ୍ଥାନୀ, ଶିଖ୍‍ ବା ଜୈନମଧ୍ୟରେ ପାର୍ଥକ୍ୟଟାକୁ ଦେଖନ୍ତି । ଏହା ଏକ ସଙ୍କୁଚିତ ଦୃଷ୍ଟିକୋଣ । ସେ ଗୁଣୀକୁ ଛାଡ଼ି ଅଗୁଣୀଙ୍କୁ ଦେଖନ୍ତି । ସେହି କାରଣରୁ ସେମାନେ ସମାନତାକୁ ଦୃଷ୍ଟି ଦିଅନ୍ତିନାହିଁ, ପାର୍ଥକ୍ୟକୁ ଦୃଷ୍ଟି ଦିଅନ୍ତି । ସମଦୃଷ୍ଟି ସମନ୍ୱୟର ସୂଚକ । ଭେଦପ୍ରତି ଦୃଷ୍ଟିଦେଲେ ବିଭେଦର ସୃଷ୍ଟି ହେବ ହିଁ ହେବ ।

 

ଗୋଟିଏ ପରିବାରର ଲୋକଭିତରେ ମଧ୍ୟ ପାର୍ଥକ୍ୟ ରହିଛି । ଯଦି ସେହି ପରିବାରର ପ୍ରତ୍ୟେକଙ୍କ ସମାନତା ପ୍ରତି ଦୃଷ୍ଟି ନ ଦେଇ ପ୍ରତ୍ୟେକର ଭିନ୍ନତା ଉପରେ ଦୃଷ୍ଟି ଦିଆଯାଏ, ତେବେ ପରିବାରରେ ମଧ୍ୟ ବିଭେଦ ସୃଷ୍ଟି ହେବ । ସେ ବୁଝିଲା, ପ୍ରତିମାଦେବୀ ଶିଶିରକୁ ଯେଉଁ ଚକ୍ଷୁରେ ଦେଖନ୍ତି, ତା’ର ଭାଇ ହରଭଜନକୁ ମଧ୍ୟ ସେହି ଦୃଷ୍ଟିରେ ଦେଖିବେ । ଏ ଚିନ୍ତାଦ୍ୱାରା ପ୍ରତିମାଦେବୀଙ୍କ ପ୍ରତି ତା’ର ଆଦର ଅଧିକରୁ ଅଧିକ ବଢ଼ିବାକୁ ଲାଗିଲା ।

 

ବର୍ଦ୍ଧମାନରେ ସେ ଜୀବନ ଆରମ୍ଭ କରିଥିଲା ଏକ ଅଭିନୟସ୍ୱରୂପ । ପ୍ରତିମାଦେବୀଙ୍କ ଚରଣ ସ୍ପର୍ଶକରି ପ୍ରଣାମକରିବା ଅଭିନୟର ଏକ ଅଙ୍ଗ ବୋଲି ସେ ଧରିନେଇଥିଲା । କିନ୍ତୁ ଯହୁଁ ଯହୁଁ ସେ ପ୍ରତିମାଦେବୀଙ୍କ ସ୍ୱଭାବ ବିଶ୍ଲେଷଣ କରିବାକୁ ଲାଗିଲା, ତହୁଁ, ତହୁଁ ତାଙ୍କପ୍ରତି ତା’ର ଅଧିକରୁ ଅଧିକ ଭକ୍ତି ଓ ଶ୍ରଦ୍ଧା ବଢ଼ିବାକୁ ଲାଗିଲା ।

 

ସେ ବୁଝିଲା ଯେ, ପ୍ରତିମାଦେବୀ, ତା’ର ଭାଇ-ଏମାନେ ସମସ୍ତେ ଏକପ୍ରକାର ବିଚାରଧାରାର ଅଧିକାରୀ । ଏହି ବନ୍ଧୁତ୍ୱ ମାନବିକତାର ବନ୍ଧୁତ୍ୱ । ଯେଉଁ ରକ୍ଷଣଶୀଳ ବ୍ୟବହାରପାଇଁ ସେ ଘର ଛାଡ଼ିଛି, ଯେଉଁ ସଙ୍କୁଚିତ ବିଚାରଧାରାପାଇଁ ତା’ର ଭାଇ ହରଭଜନ ସିଂ କେଶ କଟେଇ-ପକେଇଛି ସେହି ପଥର ପଥିକ ହୋଇ ପ୍ରତିମାଦେବୀ ଆଜି ତାଙ୍କର ଆତ୍ମୀୟସ୍ୱଜନଙ୍କ ସହିତ ସମ୍ପର୍କ ଛିଣ୍ଡେଇ ଦେବାକୁ ବସିଛନ୍ତି ।

 

ଏହି ସମୟରେ ନୀଳାଦେବୀଙ୍କର ଗୋଟାଏ କଥା ସ୍ମରଣ ହେଲା । ସେ କହୁଥିଲେ, ସଂସାରର, ‘ସବୁ ଇଜମ୍‌’ ଗୋଟିଏ ଗୋଟିଏ ଛୋଟ ଛୋଟ ଘେର । ଏ ଘେରର ଲାଭ ବା ଗୁଣ ଯେତେ ଥାଉ ପଛକେ, ତାହା କଦାପି ଅଭେଦ୍ୟ ବା ଅଲଂଘନୀୟ ନୁହେଁ । ତାହା ମାନବିକତାର ପ୍ରଗତିର ବାଧା ଦେଇପାରିବନାହିଁ ।

 

ଆଜି ସେ ପ୍ରତିମାଦେବୀଙ୍କୁ ଗୋଟିଏ ଭିନ୍ନ ରୂପରେ ଦେଖିବାକୁ ପାଇଲା । ତାଙ୍କ ତୁଳନାରେ ସୁଶୀଳର ମାତାପିତା ଅତ୍ୟନ୍ତ ନୀଚ କୋଟିର ଲୋକ ବୋଲି ତା’ର ମନେ ହେଲା ।

 

(୯)

 

ଶିଶିରକୁମାର ଲକ୍ଷ୍ନୌ ପହଞ୍ଚିବା ସଙ୍ଗେ ସଙ୍ଗେ ସୁଶୀଳ ସହିତ ଦେଖାକରିବାକୁ ଗଲା । ସୁଶୀଳ ନିଜ କ୍ୱାଟରରେ ସରକାରବାବୁଙ୍କ ସହିତ ଗଳ୍ପ କରୁଥିଲା । ଶିଶିରକୁ ଦେଖି ଚୁପ୍‌ ହୋଇଗଲା । ସୁଶୀଳ କିଛି କହୁ ନ ଥାଏ କି ସରକାର ବାବୁଙ୍କ କଥାରେ ବାଧା ଦେଉ ନ ଥାଏ । ସରକାର ବାବୁ କହି ଚାଲିଥାନ୍ତି, ‘ବାବୁ ସୁଶୀଳ, ରେଣୁର ଇଚ୍ଛା ତୁ ତା ଜନ୍ମଦିନକୁ ଆମ ଘରକୁ ଯିବୁ-। ମୋର ବି ନିମନ୍ତ୍ରଣ ରହିଲା । ମୋର ଇଚ୍ଛା, ସେହିଦିନ ବିବାହର ତିଥି ସ୍ଥିର କରି ନେବା ।’

 

‘ବିବାହ ତ ବର୍ତ୍ତମାନ ଶୀଘ୍ର ହୋଇପାରୁନାହିଁ । ରେଣୁର ବର୍ତ୍ତମାନ ବୟସ ଅଠର ବର୍ଷ । ଡାକ୍ତରଙ୍କ ମତରେ କୋଡ଼ିଏ ବର୍ଷରୁ କମ୍‌ରେ ଝିଅକୁ ବିବାହ ଦେବା ଅନୁଚିତ ।’

 

‘ବିଲାତ ଦେଶର ଲୋକଙ୍କପାଇଁ ଡାକ୍ତରଙ୍କର ଏ ସିଦ୍ଧାନ୍ତ । ସେଠାର ଜଳବାୟୁ ଏଠା ଅପେକ୍ଷା ଅଧିକ ଶୀତଳ । ସେଠାର କଥା ଏଠା କଥା ଭିତରେ ବହୁତ ତଫାତ ।

 

‘ଆଉ ତୁମେ ଯଦି ଚାହଁ, ତେବେ ମୁଁ ମାସେ ଦୁଇମାସ ଅପେକ୍ଷା କରିପାରେ । ଦେଖ ସୁଶୀଳ ! ମୁଁ ତ ପୁଣି ମଣିଷ ! ମୋତେ ଜଣା ବିବାହର ଇଚ୍ଛା କେତେ ପ୍ରବଳ ହୁଏ । ଏହାକୁ ଚାପି ରଖିଲେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼େ । ଯଦି ଥରେ ବିବାହର ପ୍ରସଙ୍ଗ ଉଠିଲା, ତେବେ ତାହା ସମ୍ପନ୍ନ ହେବା ଉଚିତ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଅଧିକ ଦିନ ଅପେକ୍ଷାକରିବା ଭଲ ନୁହେଁ । ତୁମେ ଏଠାରେ ଏକା, ଆଉ ସେ ସେଠାରେ ଏକା ରହି କେବଳ ଶୀତଳ ନିଃଶ୍ୱାସରେ ଦିନ କାଟୁଛି । ମାନବିକତା ଦୃଷ୍ଟିରୁ ମଧ୍ୟ ଏପରି ବିଚାର ଠିକ୍‌ ନୁହେଁ ।’

 

‘ଆଚ୍ଛା; ଆଜି ଆପଣ ଆସନ୍ତୁ । ମୁଁ ଯିବି ଓ ଆପଣଙ୍କ ସହିତ ସେ ସମ୍ବନ୍ଧରେ କଥାବାର୍ତ୍ତା କରିବି ।’

 

ସରକାରବାବୁ ଗଲାପରେ ଶିଶିର କହିଲା, ‘ସୁଶୀଳ ! ଏ ସବୁ କଣ କଥାବାର୍ତ୍ତା ?’

 

‘ଅମୃତ ସେଠାରେ ଯାହା କରୁଛି, ମୁଁ ଠିକ୍‌ ଏଠାରେ ସେଇଆ କରୁଛି । ମୁଁ ବି ତା’ପରି ନାଟକ ଅଭିନୟ କରୁଛି । ବର୍ଦ୍ଧମାନରୁ ତୋ ଚିଠି ପାଇ ବୁଝିଲି ଯେ, ଅମୃତ ସେଠାରେ ଖୁବ୍‌ ଭଲ ଭାବରେ ନାଟକ ଅଭିନୟ କରୁଛି ।

 

‘ମୋର ବାପାବୋଉ ମୋର ବିବାହ ଏହିଠାରେ ଦେବାକୁ ପସନ୍ଦ କରୁଛନ୍ତି । ଅମୃତର ବାପାବୋଉ ତା’ର ବିବାହ ଅନ୍ୟତ୍ର ଦେବାକୁ ଇଚ୍ଛା କରନ୍ତି । ଏହାହିଁ ବିଡ଼ମ୍ବନା । ତେଣୁ ଆମ ଦୁହିଁଙ୍କୁ ଦୁଇ ଜାଗାରେ ଏପରି ଅସ୍ୱାଭାବିକ ଅଭିନୟ କରିବାକୁ ପଡ଼ୁଛି ।

 

‘କିନ୍ତୁ ମୁଁ ଦେଖୁଛି ଏମାନେ ମୋତେ ମୋହଜାଲରେ ପକେଇବାକୁ ବସିଛନ୍ତି । ମୁଁ ଯେତେବେଳେ ଏମାନଙ୍କ ଘରକୁ ଯାଉଛି, ସେତେବେଳେ ୟା’ଙ୍କ ଝିଅ ମୋ ପାଦଛୁଇଁ ପ୍ରଣାମ କରୁଛି ଓ ଗୋଡ଼ପାଖରେ ବସୁଛି । ନିଜେ ଗୀତଗାଇ ମୋତେ ଶୁଣାଉଛି । କେବେ ବା ବୀଣା ବଜାଉଛି ବା ନାଚ ମୋତେ ଦେଖାଉଛି । ମୋ ପାଇଁ ପାନ ଭାଙ୍ଗି ଆଣୁଛି ଓ ନିଜେ ନାନାପ୍ରକାର ଜଳଖିଆ ତିଆରି କରି ମୋତେ ଖୁଆଉଛି । ତା’ର ଗଢ଼ଣ ମଧ୍ୟ ଖୁବ୍‌ଭଲ ।

 

‘ଦେଖ୍‌, ମୋ ପାଇଁ କିପରି ସୁନ୍ଦର ଜର୍ସିଟିଏ ବୁଣି ପଠେଇଛି ।’ ଏହା କହି ସୁଶୀଳ ନିଜେ ପିନ୍ଧିଥିବା ଜର୍ସିଟିକୁ ଶିଶିରକୁ ଦେଖାଇଲା ଓ ଅମୃତ କିପରି ଅଛି ବୋଲି ପଚାରିଥିଲା ।

 

ଶିଶିର ଲକ୍ଷ୍ନୌ ଷ୍ଟେସନରୁ ଅମୃତକୁ ନେଇ ରେଳରେ ଚଢ଼ିବାଠାରୁ ସବିସ୍ତାରେ ଛଳ ଛଳ ଆଖିରେ କିପରି ତା’ଠାରୁ ବିଦାୟ ନେଇ ଆସିଲା ସେ ବିଷୟ ବର୍ଣ୍ଣନା କଲା । ଅମୃତ ପ୍ରତି ମାଉସୀଙ୍କର ବ୍ୟବହାର ମଧ୍ୟ ବ୍ୟାଖ୍ୟ ସହିତ ବୁଝେଇଲା । ଶେଷରେ କହିଲା, ‘ଆମେ ଦୁହେଁ ଏପରି ଭୀଷଣ ପରିସ୍ଥିତିର ସମ୍ମୁଖୀନ ହୋଇଥିଲୁ ଯେ, ମୋର ମନେହେଉଛି କୌଣସି ଅଜ୍ଞାତ ଶକ୍ତିର ଦୟାରୁ ଆମେ ସେଥିରୁ ମୁକ୍ତି ପାଇଲୁ । ବୋଧହୁଏ ବନ୍ଧୁପ୍ରତି ସଦ୍‌ଭାବହିଁ କେବଳ ଏହି ଶକ୍ତିର କେନ୍ଦ୍ର ।’

 

‘ଏହାର ଅର୍ଥ ?’

 

‘ଅର୍ଥ ବୁଝିପାରୁନୁ ? ମୁଁ ପାଞ୍ଚରାତି ଅମୃତ ସହିତ ଗୋଟିଏ ଘରେ ଗୋଟାଏ ପଲଙ୍କରେ ଶୋଇ ଶୋଇ ବ୍ୟସ୍ତ ହୋଇ ପଡ଼ିଛି । ଅତି ଧୈର୍ଯ୍ୟ ଓ ସଂଯମ ସହକାରେ ଅମୃତ ନିଷ୍ଠାର ସହିତ ତୋ’ ପ୍ରତୀକ୍ଷାରେ କଟେଇଛି ; ଆଉ ମୁଁ ତା’ ପାଦତଳେ ତା’ ଗୋଇଠାମାଡ଼ ଖାଇ ପଡ଼ିରହିଛି ।’

 

ସୁଶୀଳ ହସି ଉଠି କହିଲା, ‘ତୁମେ ଦୁହେଁ ଅଲଗା ଅଲଗା ଶୋଇବାର ଗୋଟାଏ ବାହାନା ବାହାର କଲନାହିଁ କାହିଁକି ? ଋତୁକାଳ ବୋଲି କହିଲ ନାହିଁ କାହିଁକି ?’

 

‘ଆଉ ମାଉସୀ ଏକଥା ଜାଣି ପକେଇଥିଲେ ଆମର ସବୁ ପ୍ଳାନ ଫସର ଫାଟି ଯାଇଥାନ୍ତି । ବିଶ୍ୱାସ କର ସୁଶୀଳ, ତୋର ଅମାନତ ଜିନିଷକୁ ପୂରା ଅସ୍ପୃଶ୍ୟ ଭାବରେ ସେଠାରେ ଛାଡ଼ିକରି ଆସିଛି । କହିବି, ଆସିଲାବେଳେ ମାଉସୀ କ’ଣ କହୁଥିଲେ ?’

 

‘ହଁ ହଁ, କହ, କ’ଣ କହିଲେ ?’

 

‘କହିଲେ ଯୁବତୀ ବୋହୂକୁ ଅଧିକଦିନ ଏକା ଛାଡ଼ି ରହିବା ଠିକ୍‌ ହେବନାହିଁ । ମୋର ବିଚ୍ଛେଦରେ ତା’ର ଦେହ ଶୁଖି ଶୁଖି କଣ୍ଟା ରହିବ ।

 

‘ସୁଶୀଳ ! ତୁ ମୋତେ ଗୋଟାଏ ମହା ଅଡ଼ୁଆରେ ପକେଇ ଦେଲୁ ।’

 

‘ଆରେ, ବନ୍ଧୁ ସକାଶେ ଟିକିଏ କଷ୍ଟ କଲୁ, ଏଇଆ ତ ?’

 

‘ମୋ ନିଜ କଥା ଛାଡ଼ । ମୁଁ କେବଳ ମାଉସୀଙ୍କ କଥା ଭାବୁଛି । ଦିନେ ସନ୍ଧ୍ୟାବେଳେ ଅମୃତ ଗୀତ ଗାଇ ଶୁଣେଇଲା । ସେହି ମୁହୁର୍ତ୍ତରୁ ମାଉସୀ ତାକୁ ଗୃହଲକ୍ଷ୍ମୀ ଭାବି ରୀତିମତ ପୂଜା କରୁଛନ୍ତି । ଯଦି ସେ ଜାଣନ୍ତି ଯେ ଅମୃତ ଓ ମୁଁ ତାଙ୍କୁ ଠକିଛୁ, ତେବେ ତାଙ୍କ କ୍ରୋଧର ଆଉ ସୀମା ରହିବ ନାହିଁ ।’

 

‘ଏଠାରେ ମୋର ମଧ୍ୟ ସେହି ଅଭିନୟ ଚାଲିଛି । ଗୋଟିଏ ବାଳିକା ଓ ତା’ର ଆତ୍ମୀୟସ୍ୱଜନ ସମସ୍ତେ ମୋତେ ଯେପରି ଦିନରାତି ବ୍ୟସ୍ତ ଭାବରେ ଅପେକ୍ଷା କରିଛନ୍ତି ।

 

‘କାଲି ହରଭଜନ ମୋ ସାଙ୍ଗେ ଦେଖା କରିବାକୁ ଆସିଥିଲା । ତା’ର ସନ୍ଦେହ ହେଉଛି ଯେ ମୁଁ ଅମୃତକୁ ଲୁଚେଇକରି ରଖିଛି । ମୁଁ ସରକାର ବାବୁଙ୍କ ଘରୁ ଆସିଥିବା ଭେଟି ଜିନିଷସବୁ ଯେତେବେଳେ ତାକୁ ଦେଖେଇଲି, ସେତେବେଳେ ଯାଇଁ ସେ ବିଶ୍ୱାସ କଲା । ରେଣୁର ଚିଠି ଯେତେବେଳେ ମୁଁ ତାକୁ ପଢ଼ି ଶୁଣେଇଲି, ସେତେବେଳେ ଯାଇଁ ତା’ର ମୋ ପ୍ରତି ସନ୍ଦେହ ଦୂର ହେଲା । କିନ୍ତୁ ଫଳ ହେଲା ଯେ ରେଣୁର ମୋର ସମ୍ବନ୍ଧ ଆହୁରି ଦୃଢ଼ତର ହୋଇଗଲା ।’

 

‘ସୁଶୀଳ ! ଏପରି ନାଟକ ଅଭିନୟ ସୈତାନୀ ଛଡ଼ା ଅନ୍ୟ କିଛି ନୁହେଁ । ତୁ ଏହା ଶୀଘ୍ର ବନ୍ଦକର । ଇଏ ତୋତେ, ମୋତେ ଆଉ ଯେଉଁ ଯେଉଁମାନେ ଏଥିରେ ସଂପୃକ୍ତ ସମସ୍ତଙ୍କୁ ନରକଗାମୀ କରିବ ।’

 

‘ବର୍ତ୍ତମାନ କିଛିମାସ ଗଡ଼ିଯାଉ । ପଛକୁ ସୁବିଧାକରି ଦେଖିବା ଏ ସଙ୍କଟରୁ କିପରି ମୁକ୍ତି ମିଳିବ ।’

 

ଶିଶିରର ପାର୍ଟିକାମ ଥିଲା, ସୁଶୀଳର ମଧ୍ୟ କେତେଟା ‘କଲ୍‍’ ଥିଲା, ତେଣୁ ଦୁହେଁ ଅମୃତର ଚର୍ଚ୍ଚା ଛାଡ଼ି ଯେଝା କାମରେ ବାହାରି ଗଲେ ।

 

ମାସକ ପରେ ଶିଶିରର ମାଉସୀଙ୍କ ପାଖରୁ ଚିଠି ଆସିଲା । ସେ ଚିଠିକୁ ଧରି ସେ ସୁଶୀଳ ପାଖକୁ ଆସିଲା । ସୁଶୀଳ ଚିଠି ଦେଖିଲା । ସେଥିରେ ଲେଖାଥିଲା-

 

‘ପ୍ରିୟ ଶିଶିର !

 

‘ତୁ, ମନେହେଉଛି ବୋହୂକୁ ଏକେବାରେ ଭୁଲିଗଲୁ । ଏକ ମାସ ଗଲାଣି, ତୁ ଖଣ୍ଡେ ବି ଚିଠି ଦେଲୁନାହିଁ । ସେ ବି ଲାଜରେ ମୁହଁ ଖୋଲୁନାହିଁ । କିଏ ନ ଜାଣେ ଯେ ଭରାଯୌବନରେ ବିଚ୍ଛେଦର କଷ୍ଟ କେଡ଼େ ସାଂଘାତିକ !

 

‘ରାତି ପାହିବାଠାରୁ ଶୋଇବାକୁ ଯିବା ପର୍ଯ୍ୟନ୍ତ ବୋହୂ କିଛି ନା କିଛି କରୁଛି । ପୁଣି ଶୋଇବା ପୂର୍ବରୁ ନିୟମିତ ଭାବେ ମୋର ଗୋଡ଼ ମୋଡ଼ିଦିଏ । ବିଚାରୀ ଚାକରାଣୀ ପୋଇଲି ପରି କଷ୍ଟ ସହି ପଡ଼ିଛି । ତା’ର ଦୁଃଖ ଦେଖି ମୋର କଲିଜା ଶୁଖି ଯାଉଛି । ତୋ କଥା ଉଠିଲେ ଆଖିରୁ ତା’ର ଖାଲି ଦର ଦର ଲୁହଧାର ଝରୁଛି ।

 

‘ତୋତେ ଠାକୁରଙ୍କ ରାଣ, ତୁ ଦି’ ତିନି ଦନିପାଇଁ ହେଲେ ଚାଲିଆ । ସ୍ତ୍ରୀକୁ ଏପରି ଦୁଃଖ ଦେବା ଭାରି ପାପ ।

 

‘ମୁଁ ବରାବର ଭାବୁଛି, ତୋ’ର ଆଉ ବେଶି ପଢ଼ି ଲାଭ କ’ଣ ? ପିଏଚ. ଡ଼ି. କରି ଲାଭ କ’ଣ ? ହୋଇ ହୋଇ ଗୋଟାଏ ପ୍ରଫେସର ହେବୁ । ପାଞ୍ଚଶ ଟଙ୍କା ପାଇବୁ । ସେଇଥିପାଇଁ ତ ମାସିକ ହଜାରେ ଟଙ୍କା ତୋ ନାଁରେ ଖଞ୍ଜି ଦେଇଛି । ତୁ ଯଦି ଚାଲିଆସୁ, ତେବେ ଆମ ଫାର୍ମର ସବୁ କାମ ବୁଝାସୁଝା କରିବୁ ଓ ତହିଁର ଲାଭ ମଧ୍ୟ ତୋ’ରି ହେବ । ମୁଁ ବଞ୍ଚିଥିବାଯାଏ ଏ ବ୍ୟବସ୍ଥା, ମୁଁ ମଲେ ସବୁ ତ ତୋ’ରି ।

 

‘ଆମ ଫାର୍ମର ଚାକର କର୍ମଚାରୀ ଲୁଟି ଖାଇ ସୁଦ୍ଧା ସେଥିରୁ ବାର୍ଷିକ କୋଡ଼ିଏ ହଜାର ଟଙ୍କା ନିଟ୍‌ ଆୟ ହେଉଛି । ମୋର ବିଶ୍ୱାସ ତୁ ନିଜେ ଯଦି ଏହାକୁ ଦେଖାଶୁଣା କରୁ ତେବେ ଆୟ ଖୁବ୍‌ ବଢ଼ିଯିବ ।

 

‘ଆଉ ତୋ’ର ଦରକାର କ’ଣ । ମୋ କଥା ମାନ୍‌ । ତୋତେ ତୋ ବୋହୂ ରାଣ । ତୁ ଶୀଘ୍ର ଏଠାକୁ ଚାଲିଆ । ମୋତେ ଯେପରି ଆଉଥରେ ଚିଠି ଲେଖିବାକୁ ନ ପଡ଼େ ।’

 

(୧୦)

 

ସୁଶୀଳ ଚିଠି ପଢ଼ି ବିସ୍ମିତ ହେଲା । ସେ ଆଉ ପଦେ କଥା ନକହି ପକେଟରୁ ଗୋଟିଏ ଟିକଟଲଗା ଲଫାଫା କାଢ଼ି ଶିଶିର ହାତକୁ ଦେଇ ତାକୁ ପଢ଼ିବାକୁ କହିଲା ।

 

ଶିଶିର ଲଫାଫାରୁ ଚିଠି କାଢ଼ି ପଢ଼ିଲା । ରେଣୁ ସେ ଚିଠି ଲେଖିଥିଲା । ସେଥିରେ ଲେଖାଥିଲା, ‘ପ୍ରିୟତମ ! ମୋର ବର୍ଣ୍ଣ ଶ୍ୟାମଳ, ଗଢ଼ଣ ମଧ୍ୟ ସୁନ୍ଦର ନୁହେଁ । କିନ୍ତୁ ପତ୍ନୀ ହେବାପାଇଁ ଏ ଦୁଇଟି ଗୁଣ କ’ଣ ସବୁଠାରୁ ବଡ଼ ? ଦାମ୍ପତ୍ୟ ଜୀବନପାଇଁ ସହଯୋଗିତା, ସହଚାରିତା, ସହୃଦୟତା, ଓ ସହିଷ୍ଣୁତା ପ୍ରଭୃତିର କ’ଣ ମୂଲ୍ୟ ନାହିଁ ? ମନର ଏସବୁ ଗୁଣ ଶରୀରର ଉପରୋକ୍ତ ଗୁଣଠାରୁ ଶତଗୁଣରେ ଶ୍ରେୟ ନୁହେଁ କି ?

 

‘ଆପଣ ଲେଖିଛନ୍ତି ଭଗବାନ ଆପଣଙ୍କ ଭାଗ୍ୟରେ ଗୋଟିଏ କାଳୀ ଚେପ୍‌ଟାନାକୀ ଆଉ ଛୋଟ ଛୋଟ ଆଖି ଝିଅ ଜୁଟେଇଛନ୍ତି । ସେଥିପାଇଁ ଆପଣ ଆପଣଙ୍କ ଭାଗ୍ୟ ଉପରେ ସନ୍ତୁଷ୍ଟ ହେବା ଉଚିତ ।

 

‘ମୋର କହିବାର କଥା ଭଗବାନ ଆପଣଙ୍କ ଭାଗ୍ୟରେ ଦିନରାତି ଆପଣଙ୍କ ସେବାରେ ମନପ୍ରାଣ ଦେବାଭଳିଆ ଗୋଟିଏ ଦାସୀ ଦେଇଛନ୍ତି । ମୁଁ ରାନ୍ଧିବି, ବାଢ଼ିବି, ଲୁଗାପଟା ଘରଦ୍ୱାର ପରିଷ୍କାର କରିବି । ଆପଣ ଆପଣଙ୍କ ନିଜ କାର୍ଯ୍ୟପାଇଁ ଯଦି କ୍ଲର୍କ, ଷ୍ଟେନୋ, ଟାଇପିଷ୍ଟ ବା ଅନ୍ୟ କିଛି ଚାହାନ୍ତି ତେବେ ମୁଁ ସେଥିରେ ସହାୟକ ମଧ୍ୟ ହେବି ।

 

‘ମୁଁ ଇଂରାଜୀ କହିପାରେ, ଲେଖିପାରେ । ସଙ୍ଗୀତ ଓ ଚିତ୍ରବିଦ୍ୟାରେ ଆପଣଙ୍କ ମନୋରଞ୍ଜନ କରିପାରିବି । ସବୁଠାରୁ ବେଶି ଆପଣଙ୍କ ସୁଖ ଦୁଃଖରେ ମୁଁ କାନ୍ଧକୁ କାନ୍ଧ ମିଶାଇ ଆପଣଙ୍କ ପାଖରେ ଠିଆହେବି ।

 

‘ଆପଣ ମୋତେ ଆପଣଙ୍କର ଘରକୁ ନେଇ ପଶ୍ଚାତ୍ତାପ କରିବେ ନାହିଁ । ମୁଁ ଆପଣଙ୍କ ଭାଷାଭାଷୀ, ଆପଣଙ୍କ ସାହିତ୍ୟର ଜଣେ ସେବିକା ଆଉ ସେହି ସାହିତ୍ୟିକ ଢଙ୍ଗରେ ମଧ୍ୟ ନିଜ ଜୀବନକୁ ଗଢ଼ିପାରିଛି ।

 

‘ଏହାଠାରୁ ଅଧିକ ଆପଣଙ୍କର କ’ଣ ପ୍ରୟୋଜନ । ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ଆପଣ ଆପଣଙ୍କ ଘରେ ମାଟିର କମନୀୟ ସୁନ୍ଦର ମୂର୍ତ୍ତି ରଖିଲେ ଚଳିଯିବ । କିନ୍ତୁ ମୁଁ ଏଥିରୁ ଅଧିକ ଯାହା ଆପଣଙ୍କ ଘରକୁ ଦେବି, ଅର୍ଥାତ୍‌ ପ୍ରେମ, ସେବା, ତପସ୍ୟା, ଏସବୁ ଆପଣ କୁଆଡ଼ୁ ପାଇବେ ?’

 

ଚିଠିରେ ଆହୁରି କେତେ କ’ଣ ଲେଖା ଥିଲା, କିନ୍ତୁ ଶିଶିର ଚିଠି ଫେରାଇ ଦେଇ କହିଲା, ‘ଯାହା ସ୍ୱାଭାବିକ ତାକୁ ଅସ୍ୱାଭାବିକ କରିବାକୁ କାହିଁକି ଚାହିଁଛୁ ?’

 

‘ମୁଁ କରିବାକୁ ଚାହେଁ ଚାହେଁ ନାହିଁ, ଶିଶିର ! ମୋର ଇଚ୍ଛା ହେଉଛି ଦୁହିଙ୍କୁ ବିବାହ କରନ୍ତି, କିନ୍ତୁ ଦେଶର ଆଇନ ଏ କାର୍ଯ୍ୟକୁ ସ୍ୱୀକାର କରିବ ନାହିଁ ।’

 

‘ଅର୍ଥାତ୍‌ ତୁ ରେଣୁକୁ ନାପସନ୍ଦ କରୁନୁ ।’

 

‘ରୂପ ଲାବଣ୍ୟରେ ଅମୃତ ରେଣୁର ବହୁ ଉପରେ, କିନ୍ତୁ ରେଣୁ ମୋତେ ଅତ୍ୟନ୍ତ ପ୍ରେମ କରେ ।

 

‘ଦିନକର କଥା କହୁଛି । ସେ ଏଠାକୁ ଆସିଥାଏ ଓ ବସି ବସି ଘଣ୍ଟାଏ କାଳ ସଙ୍ଗେ କଥାବାର୍ତ୍ତା କରେ । ମୁଁ ତାକୁ କହିଲି, ରେଣୁ, ତୁମେ ଏକା କିପରି ଆସିଛ ?’

 

‘ସେଥିରେ କଣ ଗୋଟାଏ ଦୋଷ ଲେଖୁଛି ?’

 

‘ଯଦି ମୁଁ ତୁମ ପ୍ରତି ବଳପ୍ରୟୋଗ କରେ ।’

 

‘କାହିଁକି ଏପରି କରିବେ ? ପରସ୍ତ୍ରୀ ପ୍ରତି ବଳପ୍ରୟୋଗ କରାଯାଏ, ମୁଁ ତ ଆପଣଙ୍କ ନିଜର ।’

 

‘କିନ୍ତୁ ତୁମେ ତ ବର୍ତ୍ତମାନ ପର୍ଯ୍ୟନ୍ତ ମୋର ପତ୍ନୀ ହୋଇନ ।’

 

‘କିଏ କହୁଛି ? ମୁଁ ତ ମନ-ବଚନ-କର୍ମରେ ଆପଣଙ୍କୁ ବରଣ କରି ସାରିଛି ।’

 

‘ତେବେ ତୁମେ ମୋର ପତ୍ନୀ ?’

 

‘ଆପଣଙ୍କର ଏଥିରେ କ’ଣ ଆଉ ସନ୍ଦେହ ଅଛି ?

 

‘ଯେତେବେଳଯାଏ ମୁଁ ତୁମକୁ ଗ୍ରହଣ ନ କରିଛି, ସେତେବେଳଯାଏ ସନ୍ଦେହ ଅଛି ।’

 

‘ତେବେ ଆସନ୍ତୁ, ଗ୍ରହଣ କରନ୍ତୁ । ମୁଁ ତ ମନେ ମନେ ଆପଣଙ୍କ ଚରଣସେବିକା ହୋଇସାରିଛି ।’

 

‘କିନ୍ତୁ ଏହା ପରେ ମୁଁ ଯଦି ତୁମକୁ ବିବାହ ନ କରେ ?’

 

‘ମୁଁ ତେବେ ଆପଣଙ୍କର ତ୍ୟକ୍ତା ପତ୍ନୀ ହୋଇ ରହିବି; ପତ୍ନୀ ତ ହୋଇ ରହିବି । ତେଣିକି ଆପଣଙ୍କ ଇଚ୍ଛା, ରଖିଲେ ରଖିବେ, ଛାଡ଼ିଲେ ଛାଡ଼ିବେ । ମୁଁ ତ ଆପଣଙ୍କୁ ବରଣ କରି ସାରିଛି ।’

 

‘ଶିଶିର ! ଗୋଟିଏ ନିର୍ଜନ ବନ୍ଦ ଘର, ସେଥିରେ ସେ ଓ ମୁଁ ଏକାକୀ; ଏଥିରେ କଣ ହୋଇପାରେ କହିଲୁ ?’

 

ଶିଶିର କିରି କିରି ହସି ଉଠି କହିଲା, ‘ତୁ କ’ଣ ତା ସହିତ ସହବାସ କରିଛୁ ?’

 

‘ନାହିଁ ବନ୍ଧୁ ! ଏତିକି ବିଶ୍ୱାସ ଓ ଭରସା ଯିଏ ମୋଠା’ରେ ରଖିପାରିଛି ତା’ପ୍ରତି ବିଶ୍ୱାସଘାତକତା କରି ପାରିଲି ନାହିଁ । ମୁଁ ତାକୁ ନିଜ ମଟରରେ ବସେଇ ନେଇ ତାଙ୍କ ଘରେ ଛାଡ଼ି ଆସିଲି । ଏହାଦ୍ୱାରା ତା’ ଆଗରେ ମୋର ଗୁଣ ଆହୁରି ମୂର୍ତ୍ତିମନ୍ତ ହୋଇ ପ୍ରକାଶ ପାଇଛି ।’

 

‘ସୁଶୀଳ ! ତୁ ଅତୀଶୀଘ୍ର ସେ ବିଚାରୀକୁ ବିବାହ କରିପକା ।’

 

‘ମୁଁ ବି ସେଇଆ ଭାବୁଛି । କିନ୍ତୁ ଅମୃତର ଗୋଟିଏ କିଛି କିନାରା କରିବାକୁ ହେବ । ତାକୁ ଚିଠି ଲେଖିବି ବୋଲି ଭାବୁଛି, କ’ଣ ଲେଖିବି ଓ କ’ଣ ଲେଖି ମୋର ପ୍ରତିଶ୍ରୁତିକୁ ଫେରେଇ ଆଣିବି ଭାବିପାରୁନାହିଁ । ମୁଁ ଗତ କେତେ ଦିନ ହେବ ତା’ ପାଖକୁ ଲେଖିବି ଲେଖିବି ବୋଲି ହେଉଛି, କିନ୍ତୁ କଲମ ଚଳୁନାହିଁ । ଏହି ସମସ୍ୟା କ୍ରମେ ମୋ ମୁଣ୍ଡ ବିଗାଡ଼ି ଦେବ ଦେଖୁଛି ।’

 

‘ବେଶ୍‌ ତ, ତୁ ମୋତେ ଏ କାମରେ ଶିଖଣ୍ଡି କରି ତୋର ସୁବିଧା କରିନେବାକୁ ବସିଛୁ-?’

 

‘ଏ ବିଷୟରେ ତୁ ମୋର ସହାୟତା କର ।’

 

‘ଆଗ କାମଠାରୁ ଏ କାମ ଆହୁରି କଠିନ । ମୁଁ ତ ହସି ହସି ଏ କାମରେ ପଶିଯାଇଥିଲି କିନ୍ତୁ ସେ ଯେ ତା’ର ଆଖିର ପାଣିରେ ଦୁନିଆକୁ ଭସେଇ ଦେବ । ତୋତେ, ମୋତେ ଏପରି କି ସମସ୍ତ ବଙ୍ଗାଳୀ ସମାଜ ପ୍ରତି ତା’ର ଘୃଣା ଆସିଯିବ ।’

 

‘ତୁ ତାକୁ କାହିଁକି ବିବାହ କରୁନୁ ? ତୋ’ର ମାଉସୀ ତ ତାକୁ ଖୁବ୍‌ ପସନ୍ଦ କରୁଛନ୍ତି ।’

 

‘ସୁଶୀଳ, ଏହା ବିବାହ । ଗାଈ ଛେଳି ଖରିଦ ବିକ୍ରି ନୁହେଁ । ଜଣେ ଗ୍ରାହକ ନ ମିଳିଲା ତ ଆଉ କେତେ ଗ୍ରାହକ ଆସି ଜୁଟିବେ ।’

 

‘ବଡ଼ ଦୁଃଖର ବିଷୟ ଯେ, ମୁଁ ତାକୁ ତୋ ସାଙ୍ଗେ ଚାଲିଯିବାକୁ କହିଥିଲି ।’

 

‘ଆଉ ମଧ୍ୟ କହିଥିଲୁ ତୋ ବଢ଼ନ୍ତା କ୍ଷେତରେ ମୁହଁ ନ ପକେଇବାକୁ ।’

 

‘ମୁଁ ମୋ କହିବା କଥାକୁ ଫେରେଇ ନେଉଛି ।’

 

‘ସୁଶୀଳ ! ସେ କିନ୍ତୁ କ୍ଷେତ ନୁହେଁ, ସେ ଗୋଟିଏ ଶିକ୍ଷିତା, ସଭ୍ୟା ତରୁଣୀ ।’

 

‘ତେବେ ତୁ କ’ଣ ତାକୁ ପସନ୍ଦ କରୁନୁ ?’

 

‘ମୋ’ର ପସନ୍ଦ ନାପସନ୍ଦର ପ୍ରଶ୍ନ ତ ଉଠୁନାହିଁ । ସେ ତୋତେ ପ୍ରେମ କରେ, ମୋତେ ନୁହେଁ ।’

 

‘ତୁ ତାକୁ କହିକରି ଦେଖ୍‌ । ଯଦି ସେ ତୋତେ ପସନ୍ଦ କରେ, ଆଉ ତୋ’ର ମାଉସୀ ଯେପରି ତାକୁ ଭଲ ପାଇଛନ୍ତି, ସେଥିରେ ମୋର ବିଶ୍ୱାସ କିଛି ଅସୁବିଧା ହେବନାହିଁ ।’

 

‘କିପରି ?’

 

‘ତେବେ ଗୋଟାଏ ଷଡ଼ଯନ୍ତ୍ର କରାଯାଉ । ବଙ୍ଗାଳୀ ମୁଣ୍ଡରେ ଏଥିପାଇଁ ମସଲାର ଅଭାବ ନାହିଁ ।’

 

ଶିଶିର ମନେମନେ ବିଚାର କରୁଥାଏ, ପିଲା ଭାରି ଷଡ଼ଯନ୍ତ୍ର କଲାବାଲା । ସୁନା ବଦଳରେ ଯାହା କଂସା ନେବାକୁ ଯାଉଛି, ଅତି ଚାଲାକ ହୋଇ । ତା’ ପରେ କହିଲା, ‘ମୁଁ ତେବେ କାଲି ବର୍ଦ୍ଧମାନ ଯାଉଛି । ତା’ ମନକଥା ପଚାରି ବୁଝିବି । ଯଦି କିଛି ସୁବିଧାଜନକ ଦେଖେ ତେବେ ମୋର ଭାଗ୍ୟ ପରୀକ୍ଷା କରିବି ।’

 

‘ସତରେ ! ମୁଁ ତେବେ ତୋଠାରେ ଚିରଋଣୀ ହେବି ।’

 

ମନେ ମନେ ଖୁସୀ ହୋଇ ଶିଶିର ଫେରିଲା । ସେ ସୁଶୀଳକୁ ଗୋଟିଏ ଓଲୁ ବୋଲି ମନେ କରୁଥାଏ ।

 

(୧୧)

 

ଶିଶିର ମନେ ମନେ ଭାବୁଥାଏ, ସୁଶୀଳର ବିବାହ ପରେ ଅମୃତକୁ ରାଜି କରେଇବାରେ କୌଣସି ଅସୁବିଧା ହେବ ନାହିଁ । ଅମୃତ ସାବାଳିକା ହେବାପୂର୍ବରୁ ସୁଶୀଳର କିନ୍ତୁ ବିବାହ ହୋଇଯିବା ଦରକାର । ତା’ଛଡ଼ା ସେ କମ୍ୟୁନିଷ୍ଟ ପାର୍ଟିରେ ବେତନଭୋଗୀ କର୍ମଚାରୀ । ବିବାହ ପରେ ସେ ଆଉ ଏ କାମ କରିପାରିବ ନାହିଁ । ହୁଏତ ଅମୃତକୁ କମ୍ୟୁନିଷ୍ଟ ମତବାଦରେ ଦୀକ୍ଷିତା କରାଇ ଦୁହେଁ ପରେ ପାର୍ଟି କାମ କରିବେ । କିନ୍ତୁ ଏହା ସେତେ ସୁବିଧାଜନକ ନୁହେଁ । ପୁଣି ପାର୍ଟି ଛାଡ଼ିଦେବାଟା ସୁବିଧାଜନକ ବୋଲି ସେ ମୋଟେ ମନେକରୁନଥାଏ । କମ୍ୟୁନିଷ୍ଟ ସିଦ୍ଧାନ୍ତକୁ ସେ ସଂସାରରେ ସବୁଠାରୁ ମାନବସମାଜର ହିତକାରୀ ପନ୍ଥା ବୋଲି ଭାବୁଥାଏ ଏବଂ ଏହାର ପ୍ରଚାରହିଁ ତା’ର ଜୀବନର ଏକମାତ୍ର ବ୍ରତ ବୋଲି ସେ ଗ୍ରହଣ କରିଥାଏ । ପୁଣି ତା’ର ମାଉସୀଙ୍କର ଫାର୍ମ ପରିଚାଳନା କଥା ମନକୁ ଆସେ । ସେଠାରେ ଫାର୍ମର କର୍ମଚାରୀମାନଙ୍କୁ ସେ ନିଜର ବେତନଭୋଗୀ କର୍ମଚାରୀ ବୋଲି ଧରିନେବ ?

 

ସେ ଲକ୍ଷ୍ନୌ ଅଟୋମୋବାଇଲ କାରଖାନା ଇଉନିୟମର ପ୍ରଧାନ କର୍ମକର୍ତ୍ତା । ପ୍ରବୋଧ କାରଖାନାର କର୍ମଚାରୀମାନଙ୍କୁ ସଂଘଠିତ କରେଇ ସେ ଆଜି କାରଖାନାର ଦୁର୍ଗତି ଆଣିଛି । ନିଜର ମାଉସୀଙ୍କର ଫାର୍ମରେ ଏହି ନୀତି ସେ କିପରି ଗ୍ରହଣ କରିବ ?

 

ଗୋଟାଏ କଥା । ସେ ବୁଝୁଥିଲା ଅମୃତ ସହିତ ତା’ର ଯଦି ବିବାହ (ଯଦିବା ଅଭିନୟ) ହୋଇ ନ ଥାନ୍ତା ତେବେ ମାଉସୀଙ୍କ ଘରେ ତା’ର ଆସ୍ଥାନ ଆଉ ରହନ୍ତା ନାହିଁ । ସେ ମାଉସୀଙ୍କ ସହିତ ସମ୍ପର୍କ ବର୍ତ୍ତମାନ ତୁଟେଇବାକୁ ଚାହୁଁ ନ ଥିଲା । ସେ ପରିଷ୍କାର ଜାଣିଥିଲା ଯେ, ବର୍ତ୍ତମାନ କଂଗ୍ରେସ ରାଜୁତିରେ କମ୍ୟୁନିଷ୍ଟଙ୍କୁ କିଛି ମିଳିବ ନାହିଁ । ଆସନ୍ତା ନିର୍ବାଚନରେ ମଧ୍ୟ କଂଗ୍ରେସ ଶକ୍ତିଶାଳୀ ଦଳ ରହିବାର ପୂର୍ଣ୍ଣ ଆଶା ଅଛି । କମ୍ୟୁନିଷ୍ଟ ପାର୍ଟି ଶକ୍ତିସଂଚୟ କରିବାକୁ ବହୁତ ଡେରି ଅଛି । ସେ ପର୍ଯ୍ୟନ୍ତ ମାଉସୀଙ୍କର ପଇସା ତାହାର ନିଶ୍ଚୟ ଆବଶ୍ୟକ ।

 

ସେ ମଧ୍ୟ ଏହା ଜାଣିଥିଲା ଯେ, ଅମୃତ ମାଉସୀଙ୍କୁ ଖୁବ୍‌ ଭଲପାଏ, ଆଉ ଯଦି ସେହି ମାଉସୀଙ୍କ ନାଁ କହି ସେ ଅମୃତକୁ ବିବାହ କରିବ ବୋଲି ପ୍ରସ୍ତାବ ଆଣେ, ତେବେ ଅମୃତ ଅମଙ୍ଗ ହେବନାହିଁ । ଅମୃତ ସାବାଳିକା ହେବାକୁ ଏହି ଯେଉଁ ତିନିମାସ ଅଜ୍ଞାତବାସରେ ଅଛି ତାହାରି ଭିତରେ ବିବାହ ହେବା ଉଚିତ ।

 

ଏମିତି ଭାବୁ ଭାବୁ ସେ ଆସି ପାର୍ଟି ଅଫିସରେ ପହଞ୍ଚିଲା । ସେଠାରେ ମାଉସୀ ତୁରନ୍ତ ଯିବାକୁ ଡକେଇଛନ୍ତି ବୋଲି କହି ସିଧା ବର୍ଦ୍ଧମାନ ଯିବାକୁ ଗାଡ଼ି ଧରିଲା । ଯିବା ଖବର ମଧ୍ୟ ମାଉସୀଙ୍କୁ ଆଗରୁ ଜଣେଇବାକୁ ସମୟ ପାଇଲା ନାହିଁ ।

 

ବର୍ଦ୍ଧମାନରେ ଯାଇ ଘରଫାଟକରେ ଗାଡ଼ି ଠିଆ କରି ଯେତେବେଳେ ଚାକରବାକରଙ୍କୁ ଜିନିଷପତ୍ର ନେବାପାଇଁ ଡାକିଲା, ଅମୃତ ତା ଡାକ ଶୁଣିପାରିଲା । ସେ ଝରକାରୁ ମୁହଁ କାଢ଼ି ଦେଖିବାକୁ ଲାଗିଲା । ଚାକର ଶିଶିରର ଜିନିଷ ନେଇ ଆସୁଛି ଓ ତା’ ସାଙ୍ଗେ ସାଙ୍ଗେ ଶିଶିର ଆସୁଛି-। ଏତେ ଶୀଘ୍ର ଯେ ଶିଶିର ଫେରି ଆସିବ ସେ ଭାବି ନ ଥିଲା । ସେ ଭାବିଲା, ଶିଶିର ପୁଣି ଏଠାରେ କେତେଦିନ ରହିବ ଏବଂ ତାକୁ ପୁଣି କବାଟ ଝରକା ବନ୍ଦକରି ତା ସାଙ୍ଗେ ଶୋଇବାକୁ ପଡ଼ିବ ।

 

ଏ ଚିନ୍ତା ସାଙ୍ଗେ ସାଙ୍ଗେ ଲକ୍ଷ୍ନୌର ଖବର ମଧ୍ୟ ସେ ଶୁଣିବାକୁ ଉତ୍ସୁକ ଥାଏ । ନିଜର ଭାଇ ଓ ବାପା ବୋଉଙ୍କ କଥା ମଧ୍ୟ ଶୁଣିବାକୁ ଇଚ୍ଛା କରୁଥାଏ । ସୁଶୀଳ କଥା ମଧ୍ୟ ଜାଣିବାକୁ ଉତ୍ସୁକ ଥାଏ । ଆଉ ମଧ୍ୟ ନୀଳା, ପ୍ରବୋଧ ପ୍ରଭୃତି, ସେ ପଳାଇ ଆସିବା ପରେ କ’ଣ ଭାବିଛନ୍ତି, ସେ ବିଷୟ ମଧ୍ୟ ଜାଣିବାକୁ ତା’ର ଆଗ୍ରହ ଥାଏ । ତେଣୁ ଶିଶିର ସହିତ ଏକାନ୍ତରେ କିପରି ଦେଖା ହେବ ସେ କଥା ଭାବୁଥାଏ । ସେ ଶିଶିରକୁ ସ୍ୱାଗତ କରିବ ବୋଲି ଦ୍ୱାର ଆଡ଼କୁ ଯିବ କ’ଣ, ତା’ର ଶୋଇବା ଘର ଭିତରକୁ ଚାଲିଗଲା ।

ମାଉସୀ ବୁଝିଲେ ଯେ, ସମସ୍ତଙ୍କ ସମାନାରେ ସେ ପତିଙ୍କ ସହିତ ଦେଖା ନ କରି ବୋଧହୁଏ ଶୋଇବା ଘର ଭିତରକୁ ଚାଲିଗଲା । ଏକଥା ଭାବି ସେ ଆନନ୍ଦିତା ହେଲେ ।

ଶିଶିର ଭିତରକୁ ଆସିବାରୁ ମାଉସୀ କହିଲେ, ‘ଆସିବୁ ବୋଲି ଆଗରୁ ଖବର କାହିଁକି ଦେଲୁନାହିଁ ?’

‘ତୁମର ଚିଠି ପାଇ ତ ବାହାରି ଆସିଲି, ଖବର ଦେଇ ପାରିଲି ନାହିଁ, କୁହତ ଅମୃତ ତୁମକୁ ହଇରାଣ କରିଛି କି ନାହିଁ ।’

‘ନାହିଁ ଶିଶିର, ସେ ବିଚାରୀ ବଡ଼ ଶାନ୍ତ ପିଲା । ମୁଁ ତ ଏବେ ତାକୁ ଛାଡ଼ି ରହିପାରୁନି । ସେ ଆସିଲାଦିନୁ ମୋର ଯେପରି ନୂଆ ଜୀବନ ପ୍ରାପ୍ତି ହୋଇଛି । ବର୍ତ୍ତମାନ ଗୋଟାଏ କଥା କର । ଗୋଟିଏ ପୁଅ ତା’ କୋଳରେ ଦେଇଯା । ମୋର ମନସ୍କାମନା ପୂର୍ଣ୍ଣ ହୋଇଯିବ ।’

‘ମାଉସୀ ! ସେ ତ ଭଗବାନଙ୍କ ହାତର କଥା ।’

‘ତୁ ପୁଣି କେବେଠୁ ଭଗବାନଙ୍କୁ ମାନିଲୁଣି ?’

‘ଯେଉଁଦିନଠାରୁ ଅମୃତକୁ ପାଇଲିଣି ।’

‘ତେବେ ତ ମୋତେ ତା’ଠାରେ ଅଧିକ କୃତଜ୍ଞ ହେବା ଉଚିତ । ମୋ ପୁଅକୁ ସତ୍‌ମାର୍ଗ ଦେଖାଇ ପାରିଛି ।’

ଶିଶିର ହସି ଉଠିଲା, ତେଣୁ ପ୍ରତିମାଦେବୀ ବିସ୍ମୟରେ ପଚାରିଲେ, ‘ତେବେ କ’ଣ ଏକଥା ଭୁଲ ?’ ଶିଶିର ଗୋଟାଏ ଚୌକିରେ ବସି ପଡ଼ିଲା । ସମସ୍ତେ ବୈଠକଖାନାରେ ଠିଆ ହୋଇଥିଲେ ଶିଶିରକୁ ଘେରି, ସମସ୍ତେ ବସିଗଲେ । ପ୍ରତିମାଦେବୀ ନ ବସି କହିଲେ, ‘ତୁ ଯା’, ବୋହୂ ତୋତେ ଅନେଇଥିବ । ବର୍ତ୍ତମାନ ଏଠାରେ ଥିଲା, ତୋ’ର ଆସିବା ଶୁଣି ତା’ ଶୋଇବାଘରକୁ ଚାଲିଯାଇଛି ।’

‘ଆଛା ମାଉସୀ ! ତା ସଙ୍ଗେ ଦେଖାକରି ଆସୁଛି ।’

ଏହା କହି ଶିଶିର ଅମୃତ ଘରେ ଯାଇଁ ପହଞ୍ଚିଲା । ଦୁଆର ମୁହଁ ପାଖରେ ସେ ଠିଆହୋଇ ଅପେକ୍ଷା କରୁଥିଲା । ଶିଶିର ଘର ଭିତରେ ପଶି ଦ୍ୱାର ବନ୍ଦକରି ଦେଇ କହିଲା, ‘କୁହ, କ’ଣ କହିବ ?’

‘ଏଠାରେ ସବୁ ଭଲ । ମୁଁ ମୋ ପାର୍ଟକୁ ଏଠାରେ ଭଲଭାବରେ ଅଭିନୟ କରୁଛି । ମାଉସୀ ଆଉ କିଛି କହୁଥିଲେ କି ?’

 

ଶିଶିର ଗୋଟିଏ ଚୌକିରେ ବସୁ ବସୁ କହିଲା, ‘ହଁ, କହୁଥିଲେ ତୁମେ ଖୁବ୍‌ ଭଲ । କେବଳ ତୁମର ଗୋଟିଏ ପୁଅ ତାଙ୍କର ଦରକାର । ସେଇଟି ହୋଇଗଲେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ ।’

 

ଅମୃତର ମୁହଁ ଲାଲ ପଡ଼ିଗଲା । ଶିଶିର ଦେଖିଲା କିନ୍ତୁ ସେଥିପ୍ରତି ଦୃଷ୍ଟି ନ ଦେଇ କହିଲା, ‘ଅମୃତ ! ବସ, ଲକ୍ଷ୍ନୌ କଥା ଶୁଣିବ ନାହିଁ ?’

 

‘ସେଇଥି ପାଇଁ ତ ଏଠାକୁ ଚାଲି ଆସିଛି ।’

 

‘ତୁମର ମାତା ପିତା ଓ ଭାଇ ତୁମକୁ ଖୋଜିବାରେ ଲାଗିଛନ୍ତି । ତୁମର ଭାଇଙ୍କର ମତ ଯେ, ତୁମେ ଘରୁ ବାହାରି ଆସି ଭୁଲ କରିଛ । ନୀଳା ଦେବୀଙ୍କର ମଧ୍ୟ ସେହି ମତ । ସେ ଦୁହେଁ ଭାବୁଛନ୍ତି ତୁମେ ଘରେ ରହି ଯଦି ବାପାବୋଉଙ୍କ କଥାର ବିରୋଧ କରିଥାନ୍ତ, ତେବେ ଭଲ ହୋଇଥାନ୍ତା ।’

 

‘ଆପଣ କ’ଣ ନିଜେ ସେମାନଙ୍କୁ ଭେଟିଥିଲେ ?’

 

‘ନାହିଁ । ଏସବୁ କଥା ଯଦି ମୁଁ ସେମାନଙ୍କ ସାଙ୍ଗରେ ଆଲୋଚନା କରିଥାନ୍ତି, ତେବେ ସେମାନେ ସନ୍ଦେହ କରିଥାନ୍ତେ ଯେ, ତୁମେ ମୋ ପାଖରେ ଅଛ । ସୁଶୀଳଠାରୁ ମୁଁ ଏସବୁ କଥା ଜାଣିଲି ।’

 

‘ମୋ ବିବାହ ବିଷୟରେ ବାପା ବୋଉ କ’ଣ ବିଚାର କରୁଛନ୍ତି ?’

 

‘ବିବାହ କଥା ଶେଷ ହୋଇଯାଇଛି । ସର୍‌ଦାର କର୍ତ୍ତାର ସିଂ ତୁମ ବାପାଙ୍କ ସହିତ ଦେଖାକରି ତାଙ୍କର ମାମୁଲି ନୀତିକଥା ଶୁଣାଇଛନ୍ତି । ମା’ଙ୍କର କ୍ରୋଧ ଅନେକ ପରିମାଣରେ ଶାନ୍ତ ପଡ଼ିଛି, କିନ୍ତୁ ବାପାଙ୍କ ବିଷୟରେ ମୁଁ କିଛି କହିପାରୁ ନାହିଁ । କେତେବେଳେ ବହୁତ ରାଗି ଯାଉଛନ୍ତି ପୁଣି କେତେବେଳେ କହୁଛନ୍ତି ସ୍ୱୀକାର ଦେବା ପୂର୍ବରୁ ତୁମର ମତ ନେବା ତାଙ୍କର ଉଚିତ ଥିଲା ।’

 

‘ସୁଶୀଳ ବାବୁ କିପରି ଅଛନ୍ତି ?’

 

‘ବହୁତ ମଜ୍ଜାରେ ଅଛି । ତୁମ ନାଟକ ପରି ତା’ର ନାଟକ ମଧ୍ୟ ଗୋଟିଏ ଭୟାନକ ଅଙ୍କରେ ଆସି ପହଞ୍ଚିଛି । ରେଣୁ ତାକୁ ପ୍ରେମ କରିବାରେ ଲାଗିଛି, ସେ ମଧ୍ୟ ତାକୁ ଛାଡ଼ିବାକୁ ନାରାଜ । ସରକାର ବାବୁ ସାରା ସହରରେ ଓ ବଙ୍ଗାଳୀ ମହଲରେ ତାଙ୍କ ଝିଅ ସୁଶୀଳକୁ ବିବାହ କରୁଛି ବୋଲି ପ୍ରଚାର କରିବାରେ ଲାଗିଛନ୍ତି । ସୁଶୀଳର ଡାକ୍ତରଖାନାର କର୍ତ୍ତାମାନେ ସୁଶୀଳର ଏ ସମ୍ପର୍କ ବିଷୟରେ ଜାଣିସାରି, ସୁଶୀଳ ବିବାହରେ ସେମାନେସବୁ କି କି ଭେଟି ଦେବେ ତାହା ଯୋଗାଡ଼ କରିବାରେ ବ୍ୟସ୍ତ ।’

 

‘ଦେଖନ୍ତୁ ଶିଶିରବାବୁ ! ମୁଁ ସୁଶୀଳବାବୁଙ୍କୁ କହିଥିଲି, ଏ ନୀତି ଠିକ୍‌ ନୁହେଁ । ସେ ବିଷୟରେ ସୀମା ବାହାରକୁ ଗଲେ ପୁଣି ଫେରି ଆସିବା କଷ୍ଟକର ହେବ । ସେ ନିଶ୍ଚୟ ସେ ଚିକିଣିଆ କଥାରେ ଭୁଲିଗଲେ ଆଉ ସାଙ୍ଗେ ସାଙ୍ଗେ ମୋତେ ମଧ୍ୟ ବୁଡ଼େଇଦେଲେ ।

 

‘ମୁଁ ଏଠି ଆପଣଙ୍କ ଦୟାମୟୀ ସ୍ନେହମୟୀ ମାଉସୀଙ୍କ ସ୍ନେହରେ ଏପରି ବାନ୍ଧି ହୋଇଗଲିଣି ଯେ, ଏଠା ଛାଡ଼ି ଯିବା କଥା ଭାବିଲେ ମୋ ଛାତି କାନ୍ଦୁଛି ।’

 

‘କାହିଁକି ?’

 

‘ସେ କ’ଣ ଭାବିବେ ? ଆମର ଧପ୍‌ପାବାଜି ତାଙ୍କ ମନରେ କିପରି ପ୍ରଭାବ ପକାଇବ-? ତାଙ୍କୁ ହତ୍ୟା କରିବାର ପାପ ପୁଣି ମୋ ମୁଣ୍ଡକୁ ନ ଆସୁ । ଦି ଦିନ ତଳେ ଆପଣଙ୍କ ଭାଇ ବିମଳାନନ୍ଦ ତାଙ୍କୁ ବହୁତ ଶୁଣେଇଲେ । ମାଉସୀ କହିଲେ, ବିମଳ ! ମୁଁ ତୁମକୁ ପରିଷ୍କାର କହି ଦେଉଛି ଯେ, ଶିଶିର ଅମୃତକୁ ବିବାହ କରିଛି । ଧର୍ମବେଦୀରେ ତାକୁ ଅର୍ଦ୍ଧାଙ୍ଗିନୀ ରୂପେ ଗ୍ରହଣ କରିଛି । ତେଣୁ ଭଲ ହେଉ ଖରାପ ହେଉ ସେ ଆମ ପରିବାରର ଜଣେ । ତା’ର ନିନ୍ଦା ମୋ ନିନ୍ଦା । ଏକଥା ଜାଣିରଖ ।’

 

‘ତେବେ କ’ଣ ବିମଳାନନ୍ଦ ତୁମର ନିନ୍ଦା କରିଥିଲେ ?’

 

‘କିଏ କାହାକୁ କ’ଣ କହୁଥିଲା ମୁଁ ଜାଣେ ନାହିଁ । ମାଉସୀ ତାଙ୍କୁ ଗାଳି ଦେବାରୁ ସେ ବିଚାରୀ ମଲା ମୂଷା କରି ଚିଁ ଚିଁ କରୁଥିଲେ । ମୁଁ ତ ଭାବୁଛି ମୁଁ ଯଦି ଏଠାରୁ ପଳାଏ ତେବେ ବିମଳାନନ୍ଦ ପ୍ରଭୃତିଙ୍କର ପୁଅ ବାର ହେବ ଓ ମାଉସୀଙ୍କର ମୁହଁ ଦେଖେଇବାର ରାସ୍ତା ରହିବ ନାହିଁ-।’

 

‘ତେବେ ବର୍ତ୍ତମାନ କରାଯିବ କ’ଣ ?’

 

ମୁଁ ବର୍ତ୍ତମାନ ଚାହୁଁଛି ଯେ ସୁଶୀଳ ବାବୁ ତାଙ୍କର ନାଟକ ଅଭିନୟ ବନ୍ଦ କରନ୍ତୁ । ସେ ଏଠାକୁ ଆସି ମାଉସୀଙ୍କ ଗୋଡ଼ଧରି ସାଫ ସାଫ କ୍ଷମା ମାଗନ୍ତୁ ଓ ସବୁ କଥା କରିଷ୍କାର ଭାବେ କହିଦିଅନ୍ତୁ । ଯଦି ଏହା ସମ୍ଭବ ନ ହୁଏ ତେବେ ଲକ୍ଷ୍ନୌରେ ଆପଣ ଗୋଟାଏ ଚାକିରୀ ପାଇଛନ୍ତି ବୋଲି ମୋତେ ସେଠାକୁ ନେଇ ଚାଲନ୍ତୁ ଏବଂ ପରେ ମାଉସୀଙ୍କୁ ସେଠାକୁ ଡକେଇ ନେଇ ସବୁକଥା ତାଙ୍କୁ କହିଦେବା । ଏ ଦୁଇକଥା ଦୁଇମାସ ଭିତରେ ହୋଇଯିବା ଦରକାର । ସେଠାରେ ଆପଣ ମଧ୍ୟ ଆପଣଙ୍କ ବିବାହର ବନ୍ଦୋବସ୍ତ କରିନେବେ । ଯାହାଦ୍ୱାରା ମାଉସୀଙ୍କ ମନ ମଧ୍ୟ ଶାନ୍ତ ହେବ ।’

 

ଏ ଯୋଜନା ଶୁଣି ଶିଶିର ହସିଉଠିଲା । ଶିଶିର କହିଲା, ‘ଏ ଯୋଜନାରେ ବହୁ ବଡ଼ ବଡ଼ ଛିଦ୍ର ରହିଯାଉଛି । ପ୍ରଥମେ ସରକାର ବାବୁଙ୍କ ଝିଅ ସହିତ ବିବାହ ବିଚ୍ଛେଦ ସୁଶୀଳ କରି ପାରିବ ନାହିଁ । ସରକାର ବାବୁ ବୁଝିଲେ ମଧ୍ୟ, ରେଣୁ ସୁଶୀଳବାବୁଙ୍କ ଦ୍ୱାରରେ ସିଧା ସତ୍ୟାଗ୍ରହ ଆରମ୍ଭ କରିଦେବ । ସାରା ସହରରେ ଗୋଟାଏ ଦୁର୍ନାମ ରଟିଯିବ । ଏହାଦ୍ୱାରା ସୁଶୀଳର ବଦନାମ ହେବ, ଏବଂ ଫଳରେ ତା’ ଚାକିରୀରେ ମଧ୍ୟ ବାଧା ଉପୁଜିବ । ଦ୍ୱିତୀୟ ଛିଦ୍ର ହେଲା, ମାଉସୀଙ୍କୁ ଲକ୍ଷ୍ନୌ ନେବା । ଏହା ଅସମ୍ଭବ । ମୁଁ ଯଦିବା ଜିଦିକରି ତୁମକୁ ଲକ୍ଷ୍ନୌ ନେଇଯାଏ ତେବେ ସେ କଦାପି ଯିବେନାହିଁ । ଆଉ ମଧ୍ୟ ତୁମର ବିବାହ ସୁଶୀଳ ସହିତ ହେଲେ ସେ ବଡ଼ ଦୁଃଖ ଅନୁଭବ କରିବେ । ତୃତୀୟ ଛିଦ୍ର ହେଲା, ମୁଁ ପୁଣି କାହାକୁ ବିବାହ କରିବି ? ସେ ଯାହା ହେଉ ମାଉସୀ ତୁମକୁ ଖୁବ୍‌ ଖରାପ ମନେକରିବେ । ମୁଁ ଶଶୀକୁ ବାହାହେବି ବୋଲି ପ୍ରସ୍ତୁତ ଅଛି ବୋଲି କହିଲେ କେବଳ ବିମଳାନନ୍ଦବାବୁଙ୍କ ମୁହଁ ବନ୍ଦ ହୋଇପାରିବ । ମୁଁ ଏହା କରିପାରିବିନାହିଁ । ମାଉସୀ ମଧ୍ୟ ଏ ପ୍ରସ୍ତାବରେ ଅମତ ।’

 

‘ତେବେ ଆପଣଙ୍କ କହିବାର ଅର୍ଥ ହେଉଛି ମୋ ଯୋଜନା ମୋଟେ କାର୍ଯ୍ୟକାରୀ ହେବନାହିଁ ?’

 

‘ମୋଟେ ନୁହେଁ ।’

 

‘ତେବେ ପୁଣି କ’ଣ କରିବା ?’

 

‘ମୁଁ କି ଜାଣେ ? ତୁମେ ଜାଣ, ସୁଶୀଳ ଜାଣେ । ମୁଁ ଏ ଧପ୍‌ସା ବାଜି ଭିତରକୁ ଆସି ଠିକ୍‌ କରିନାହିଁ । ମୁଁ ନିଜର କ୍ଷତିକୁ ସହି ଯାଇ ପାରେ । ମୁଁ ଏକ ସୃଷ୍ଟିଛଡ଼ା ଫକଡ଼୍‌ । କିନ୍ତୁ ତୁମେ ଦୁହେଁ ନିଜ କଥା ଭାବିନିଅ ।’

 

‘ବଡ଼ ବିପଦରେ ପଡ଼ିଗଲି କିନ୍ତୁ ।’

 

‘ଦେଖ ଅମୃତ ! ମୋର ଯୋଜନା ହେଲା–ସ୍ୱୟଂ ସୁଶୀଳ ଆସି ଏଠାରେ ମାଉସୀଙ୍କ ଗୋଡ଼ ଧରି ପରିଷ୍କାର ସବୁକଥା କହିଯିବ ଓ ତୁମକୁ ଏଠାରୁ ନେଇଯିବ । ମୁଁ ଭଣ୍ଡାମି କରିଛି ବୋଲି ମାଉସୀ ତେଣିକି ମୋତେ ଯେଉଁ ଦଣ୍ଡ ଦେବେ ମୁଁ ସହିନେବି । ଯଦି ସେ ଏହା ନ କରିବ ତେବେ ଦୁଇପାଖର ନାଟକ ଅଭିନୟ ନ ହୋଇ ସତ୍ୟରେ ପରିଣତ ହେବ ।’
 

‘ଏ ଯୋଜନାରେ କ’ଣ ଛିଦ୍ର ନାହିଁ ?’

 

‘ଅଛି । ସେଗୁଡ଼ିକ ମଧ୍ୟ ବଡ଼ ବଡ଼ ଛିଦ୍ର । କିନ୍ତୁ ଏହାର ଫଳ ସମସ୍ତଙ୍କୁ ସହିବାକୁ ହେବ । ଆଉ ମଧ୍ୟ ଭାବୁଛି ଏ ଯୋଜନା ଚଳିବ ନାହିଁ, କାରଣ ରେଣୁ ସୁଶୀଳକୁ କଦାପି ଛାଡ଼ିବନାହିଁ । ସାରା ଲକ୍ଷ୍ନୌରେ ଏଥିପାଇଁ ହାଟ ବସିବ । ସୁଶୀଳର ମଧ୍ୟ ଚାକିରୀ ଚାଲିଯିବା ବିଚିତ୍ର କଥା ନୁହେଁ ।

 

‘ମାଉସୀ ତୁମକୁ ଏଠାରୁ ଛାଡ଼ିବେ ନାହିଁ । ମୋର ଯେତେ ଦୂର ବିଶ୍ୱାସ ରେଣୁ ସୁଶୀଳକୁ ବିବାହ କରିବାରେ ସଫଳକାମ ହେବ ଆଉ ତୁମେ ଯେପରି ମାଉସୀଙ୍କର ଗେହ୍ଲା ବୋହୂ ହୋଇ ରହିଛି ସେହିପରି ରହିଯିବ । ମାଉସୀଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ ।’

 

‘ମାଉସୀଙ୍କ ବୋହୂ ହେବାରେ ମୋର କୌଣସି ଆପତ୍ତି ନାହିଁ କିନ୍ତୁ ତାଙ୍କର ପୁଅର ପତ୍ନୀ ହେବାରେ ମୋର ଯାହା ଆପତ୍ତି ।’

 

‘କାହିଁକି ? ସେ କ’ଣ କଣା କେମ୍ପା ହୋଇଛି ?’

 

‘ତାଙ୍କର ଗୋଟାଏ ଏପରି ଦୋଷ ଅଛି ଯାହାକି କୌଣସି ପତିଠାରେ ରହିବା ଠିକ୍‌ ନୁହେଁ ।’

 

‘ଅମୃତ ! ତେବେ ତା’ର ସେ ସବୁ ଦୋଷ ତା’କୁ ବୁଝେଇ ଦିଅ । କାଳେ ସେ ନିଜ ଦୋଷକୁ ନିଜେ ସଜାଡ଼ି ନେଇ ପାରିବ ।’

 

(୧୨)

 

ତିନିଦିନକାଳ ବର୍ଦ୍ଧମାନରେ କଟେଇ ଶିଶିର ଯେତେବେଳେ ଯିବାକୁ ବାହାରିଲା, ସେତେବେଳେ ଅମୃତ କହିଲା, ‘ଯାଅ, ଏଥରକ ଦୁଇମାସ ପର୍ଯ୍ୟନ୍ତ ଯେପରି ଆଉ ନ ଆସ । ମୋର ଯଦି ବିଶ୍ୱାସ ହେବ ଯେ ସୁଶୀଳର ରେଣୁ ସହିତ ବିବାହ ହୋଇଯାଇଛି, ତେବେ ମୁଁ ଲକ୍ଷ୍ନୌ ଫେରିବି ଓ ସେଠାରେ ଆପଣଙ୍କୁ ବିବାହ କରିବି । ସୁଶୀଳର ବିବାହ ତିଥି ଆପଣ ମୋତେ ଜଣାଇବେ । ତେବେ ଯାଇଁ ମୁଁ ଯିବି ।’

 

‘କିନ୍ତୁ ମଝିରେ ମୋର ଏଠାକୁ ଆସିବାରେ ବାଧା କ’ଣ ?’

 

‘ଏଠାକୁ ଆସିଲେ ଆପଣ ସଂଯତ ହୋଇ ରହିବାରେ ବାଧା ଆସିପାରେ ।’

 

‘ତୁମେ ଯଦି ସଂଯତ ହୋଇ ରହି ପାରୁଛ ମୁଁ ନ ରହି ପାରିବି କାହିଁକି ?’

 

‘ମୁଁ ତାହା ଜାଣେ ନାହିଁ, ତେବେ ତୁମେ ଯେପରି କଥାମାନ କହୁଛ ମୋତେ ଡର ମାଡ଼ୁଛି-।’

 

‘ନାହିଁ ଯେ, କଥା ତାହା ନୁହେଁ । ମୁଁ ମନରେ ଯାହା ଭାବୁଛି ତାକୁ ସିଧା ସିଧା କଥାରେ ପ୍ରକାଶକରି ଦେଉଛି । କିନ୍ତୁ ମୁଁ ତୁମକୁ ପ୍ରେମ କଥା କହିବାଦ୍ୱାରା ମୁଁ ମୋ ମନକୁ ଶାନ୍ତ ରଖିପାରୁଛି-। ଯେତେବେଳେ ଜନତା ମନରେ ଗୋଟାଏ ଧାରଣା ଅତ୍ୟନ୍ତ ଉଗ୍ରଭାବରେ ଦେଖାଦିଏ ସେତେବେଳେ ଆମେ ନେତାଏ କ’ଣ କରୁ ଜାଣ ? ଆମେ ଗୋଟାଏ ଗୋଟାଏ ଧ୍ୱନି ଦେଉ । ସେହି ଧ୍ୱନିଦ୍ୱାରା ଜନତାର ଅନ୍ତର୍ନିହିତ ରୁଦ୍ଧ ଧାରଣାଗୁଡ଼ିକ ପଦାକୁ ଚାଲିଯାଇ ସେମାନଙ୍କର ଉଗ୍ରତା ହ୍ରାସ ପାଏ ।’

 

‘ମୁଁ କିନ୍ତୁ ଏହାର ଓଲଟା ଅର୍ଥ ବୁଝେ । ଯଦି କୌଣସି ମୂର୍ଖ ବା ଗୁଆଁର ଲୋକକୁ ଉତ୍ତେଜିତ କରିବାକୁ ପଡ଼େ ତେବେ ଧ୍ୱନିର ଆବଶ୍ୟକତା ହୁଏ । ଧ୍ୱନିଦ୍ୱାରା ତା’ର ମସ୍ତିସ୍କରେ ଏପରି ଏକ ପ୍ରତିକ୍ରିୟା ସୃଷ୍ଟି ହୁଏ ଯଦ୍ଦ୍ୱାରା ସେ ତା’ର ନିଜତ୍ୱ ହରାଇ ବସେ ।’

 

‘କିନ୍ତୁ ଅମୃତ ! ମୁଁ ମୂର୍ଖ ବା ଗୁଆଁର ନୁହେଁ । ମୂଁ ମୋର ମନକଥା କହିପାରିଲେ ମୋତେ ଶାନ୍ତି ମିଳେ ।’

 

‘ତେବେ ଭଲ କଥା । ଏକମାସ ପରେ ଆସି ମୋତେ ପ୍ରେମର ଧ୍ୱନି ଦେଇ ଉତ୍ତେଜିତ କରିବେ ଏବଂ ଆପଣଙ୍କ ଚିତ୍ତକୁ ଶାନ୍ତ କରି ଯିବେ ।’

 

‘ଧନ୍ୟବାଦ’, ଏତିକି କହି ଶିଶିର ହସିଉଠିଲା ।

 

ଯିବାବେଳେ ମାଉସୀ କହିଲେ, ‘ଶିଶିର ! ମୁଁ ତୋ’ର ଏପରି ଥରକୁଥର ଆସି ଫେରିବାଟାକୁ ପସନ୍ଦ କରୁନାହିଁ । ବୋହୂକୁ ଛାଡ଼ି ଏମିତି ଥରକୁଥର ଯିବାଟା ମୋତେ ଭଲ ଲାଗୁନାହିଁ । ମୁଁ ତୋ ଭାବଭଙ୍ଗୀରୁ ପରିଷ୍କାର ଦେଖିପାରୁଛି ତୁ ଆଉ ପଢ଼ାପଢ଼ି କରିପାରିବୁ ନାହିଁ । ମିଛରେ ବିଚ୍ଛେଦ ଦୁଃଖ ସହୁଛୁ, ଆଉ ବୋହୂକୁ ମଧ୍ୟ ଦୁଃଖ ଦେଉଛୁ ।’

 

ଏଥର ଶିଶିର ଗଲାବେଳେ ଅମୃତ କାନ୍ଦିଲା ନାହିଁ । ମାଉସୀ ଆଶ୍ଚର୍ଯ୍ୟ ହେଲେ । ତେଣୁ, ଷ୍ଟେସନରୁ ଫେରିଲାବେଳେ ମାଉସୀ ଅମୃତକୁ ପଚାରିଲେ, ‘କିରେ, ତୁମ ଦୁହିଁଙ୍କର କ’ଣ କଜିଆଗୋଳ ଲାଗିଛି କି ?’

 

‘ନାହିଁ ତ ମା ।’

 

‘ଗଲାଥର ଶିଶିର ଗଲାବେଳେ ତୋ’ର ଯେତେ ଦୁଃଖ ହୋଇଥିଲା, ଏଥର କାହିଁକି ସେପରି ଦୁଃଖ ହେବା ମନେ ହେଉନାହିଁ ।’

 

‘ହଁ, ସେ କଥା ସତ ମା ! ତା’ର କାରଣ ଅଛି । ଗଲାଥର ସେ ଗଲାବେଳେ କହିଥିଲେ ଯେ ଛଅମାସ ପର୍ଯ୍ୟନ୍ତ ସେ ଆଉ ଆସିବେ ନାହିଁ, କନ୍ତୁ ଏଥର କହିଗଲେ ମାସକ ପରେ ଆସିବେ ବୋଲି ।’

 

‘ତେବେ ତୋତେ ବହୁତ ଆଶା ଦେଇଯାଇଛି ।’

 

‘ହଁ ମା, ସେ କହିଯାଇଛନ୍ତି ତାଙ୍କର ବନ୍ଧୁ ସୁଶୀଳକୁମାରଙ୍କ ବିବାହ ଏହି ମାସକ ମଧ୍ୟରେ ହେବ ଏବଂ ସେ ମୋତେ ଆସି ନେଇଯିବେ ।’

 

‘ତେଣୁ ତୋ ମନ ଖୁସୀ । ଭଗବାନ କରନ୍ତୁ ତୋ’ର ଦିନ ଖୁସିରେ କଟୁ ଓ ନଅମାସ ପରେ ଗୋଟିଏ ପୁଅ ହେଉ ।’

 

‘ମା ! ଆପଣଙ୍କର ଆଶୀର୍ବାଦ ଫଳରେ ସବୁ ହେବ ।’

 

ଶିଶିର ଲକ୍ଷ୍ନୌ ଆସି ଶୁଣିଲା ଯେ ସୁଶୀଳକୁମାର ତାକୁ ଖୋଜିବାକୁ ଆସିଥିଲା । ପାର୍ଟି ଅଫିସରେ ମଧ୍ୟ ଆସି ଶୁଣିଲା ଯେ ଆଗଦିନ ସୁଶୀଳ ଆସି ତାକୁ ଖୋଜୁଥିଲା । ସେ ତା’ର ନିତ୍ୟ କର୍ମ ସାରୁ ନ ସାରୁଣୁ ପୁଣି ସୁଶୀଳ ଆସି ମଟର ନେଇ ହାଜର । ସେ ଆସୁ ଆସୁ ପଚାରିଲା, ‘ଶିଶିର ! କ’ଣ କରି ଫେରିଲୁ ?’

 

‘କରିବାର ଆଉ ଥିଲା କ’ଣ ? ମାଉସୀଙ୍କୁ ଦେଖିବାକୁ ଯାଇଥିଲି, ଦେଖି ଫେରି ଆସିଲି-। ସେ ସ୍ୱପ୍ନ ଦେଖିଥିଲେ ଯେ, ମୁଁ ଦୁର୍ଘଟଣାରେ ପଡ଼ିଛି । ତେଣୁ ମୋତେ ସଶରୀରରେ ଦେଖି ଆଶ୍ୱସ୍ତ ହେଲେ । ମୋତେ ମଧ୍ୟ ମୋ ପଢ଼ାପାଇଁ ଏଠାକୁ ଆସିବାକୁ କହିଲେ ।’

 

ସୁଶୀଳ ଶିଶିରକୁ ଧରି ମଟର ପାଖକୁ ଆସିଲା । ଦୁହେଁ ମଟରରେ ବସିଲାରୁ ସୁଶୀଳ ଏ ଭିତରେ ଲକ୍ଷ୍ନୌରେ କ’ଣ ଘଟିଛି, ତାହା କହିବାକୁ ଆରମ୍ଭ କଲା । ସୁଶୀଳ କହିଲା, ‘କାଲି ସରକାରବାବୁ ଓ ତାଙ୍କ ସ୍ତ୍ରୀ, ମୋ ବାପା ବୋଉଙ୍କ ସହିତ ଆସି ମୋ ହାସପାତଳରେ ପହଞ୍ଚିଲେ । ସେଠାରେ ଡାକ୍ତର ହନୁମାନ ସିଂ, ହାସପାତାଳର ଡାଇରେକ୍ଟର ଓ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଡାଇରେକ୍ଟର ଓ ମୋ ବାପାଙ୍କର ଖୁବ୍‌ ବନ୍ଧୁତା ଅଛି । ତାହାର ବଳରେ ମୋର ଏ ଚାକିରୀ । ସେ ସମସ୍ତଙ୍କ ଉପସ୍ଥିତିରେ ମୋର ବିଭାଘର ପ୍ରଶ୍ନ ପଡ଼ିଲା । ହାସପାତାଳର ଚିଫ୍‌ ମେଡ଼ିକାଲ ଅଫିସର ଡାକ୍ତର କମଳାପତି ଦାସଙ୍କର ମଧ୍ୟ ମୋ ବିବାହରେ ଖୁବ୍‌ ଆଗ୍ରହ । ଏ ସମସ୍ତେ ଥାଇ ମୋର ବିଭାଘର ତିଥି ଅପ୍ରେଲ ପାଞ୍ଚ ତାରିଖକୁ ଠିକ୍‌ ହେଲା ।

 

‘କମଳାପତି ବାବୁ ସରକାର ବାବୁଙ୍କର ପରମ ମିତ୍ର । ସେ ମୋତେ କଥାରେ କଥାରେ ବରାବର କହନ୍ତି ଗୋଟାଏ ବଙ୍ଗାଳୀ ଯୁବକର କମେଇ ଗୋଟିଏ ପଞ୍ଜାବୀ ଝିଅ ପେଟରେ ପଡ଼ିବା ଠିକ୍‌ ନୁହେଁ । ବୋଧହୁଏ ବାପା ଅମୃତ ଓ ମୋକଥା ତାଙ୍କଆଗେ କହି ଦେଇଛନ୍ତି ।’

 

Unknown

‘ସୁଶୀଳ ! ଏ ବଡ଼ ଅଡ଼ୁଆ କଥା ହେଲା । ତୋତେ ସରକାର ବାବୁ ଭଲା ଜାଲରେ ପକାଇଦେଲେ । କ’ଣ ଭାବୁଛୁ, ଚାକିରୀ ଛାଡ଼ିଦେବୁ ?’

 

‘ମୋଦ୍ୱାରା ଦୋକାନଦାରୀ ଚଳିବନାହିଁ । ହରଭଜନ ତ ଖୁବ୍‌ ଭଲ ସର୍ଜନ ହୋଇ ମାସରେ ପାଞ୍ଚ ଛଅଶହ ଟଙ୍କା ରୋଜଗାର କରିପାରୁନାହିଁ । ପୁଣି ସେହି ଟଙ୍କାରୁ କ୍ଳିନିକ୍‌ ଭଡ଼ା ପ୍ରଭୃତି ଅଛି । ମୁଁ ତ କିଛି ଖର୍ଚ୍ଚ ନ କରି ମାସକୁ ଦି’ତିନିହଜାର ଟଙ୍କା ପକେଟରେ ପକେଇପାରୁଛି ।

 

‘ଏ ସବୁ ହାସପାତାଳ ଚାକିରୀର ଫଳ । ଡାକ୍ତରଖାନାରେ ବେଡପାଇବେ ବୋଲି ଲୋକେ ଘରେ ଆସି ଫିସ ଦେଇ ଯାଉଛନ୍ତି । ଯେଉଁଠି ହରଭଜନ ଓ ନୀଳା ପାଞ୍ଚଟଙ୍କା ଫିସ୍‌ ପାଉଛନ୍ତି, ମୁଁ ପାଉଛି ପନ୍ଦରଟଙ୍କା । ହାସପାତାଳ ଛାଡ଼ିଲେ ଏହା ଆଉ ମିଳିବ ନାହିଁ । ତାହା ସତ୍ତ୍ୱେ ଅମୃତକୁ ବିବାହ କରିବା ଅର୍ଥ ତାକୁ ହିଁ ବିପଦରେ ପକେଇବା ।’

 

‘ତେବେ କ’ଣ ତୁ ସରକାର ବାବୁଙ୍କ ଝିଅକୁ ବିବାହ କରିବାକୁ ରାଜି ହେଲୁ ?’

 

‘ହଁ ।’

 

‘ତେବେ ତ ଅମୃତ ଗୋଟାଏ କଟିଯିବା ଗୁଡ଼ିପରି ଶୂନ୍ୟରେ ଉଡ଼ି ବୁଲିଲା । ନାଁ ଏ କୂଳ ନାଁ ସେ କୂଳ ।’

 

‘ତୁ କ’ଣ ତୋ’ କାମରେ ସଫଳ ହେଲୁନାହିଁ ?’

 

‘ସୁଶୀଳ ! ଅମୃତ କହୁଛି ତୋ’ର ବିବାହ ଯାଇଁ ହୋଇସାରିଲେ ସେ ଅନ୍ୟ କେଉଁଠି ବିବାହ କରିବା କଥା ବିଚାର କରିପାରେ ।’

 

‘ତେବେ ତ ସେ ଏଠାକୁ ଆସିବା ଆଗରୁ ମୋର ବିବାହ ସରିବା ଦରକାର ।’

 

‘ହଁ, ତା ନ ହେଲେ ସେ କୌଣସି ନାଁ କୌଣସି ବିଘ୍ନ ସୃଷ୍ଟି କରିବ ।’

 

‘ତେବେ କ’ଣ ବର୍ତ୍ତମାନ ତା’ର ମାଉସୀଙ୍କ ସହିତ ବିବାଦ ହୋଇଗଲାଣି ?’

 

‘ହଁ, ସେ ଦୁହିଁଙ୍କର ଆଉ କେତେଦିନ ପଡ଼ନ୍ତା ? ଜଣେ ବରଫ ତ ଅନ୍ୟଜଣକ ନିଆଁ ; ଜଣେ ଅତ୍ୟନ୍ତ ଭାବପ୍ରବଣ ତ ଅନ୍ୟଜଣକ ଅତିମାତ୍ରାରେ ଚଞ୍ଚଳ । ଗୋଟିଏ ମାସ ବି ସୁଦ୍ଧା ଭଲରେ କଟିଲାନାହିଁ ।’

 

‘ଶିଶିର ! ଯେ କୌଣସି ଉପାୟରେ ହେଉ ତୁ ମୋତେ ରକ୍ଷାକର ।’

 

‘କରୁଛି ତ ! ମାଉସୀଙ୍କୁ କହିଆସିଛି ତାକୁ ବରାବର ତାଲା ବନ୍ଦକରି ରଖିବେ । କୁଆଡ଼େ ପଳେଇବ ତ ଆମକୁ ବଡ଼ ବିପଦରେ ପଡ଼ିବାକୁ ହେବ ।’

 

‘ସାବାସ ଶିଶିର । ସାବାସ ତୋ ବୁଦ୍ଧିକୁ । ତା ନ ହେଲେ ତୁ ଷଡ଼ଯନ୍ତ୍ରକାରୀ ହୁଅନ୍ତୁ କି-? ତେବେ ସେ ଏଠାକୁ ପଳେଇଆସିଲେ ମାଉସୀ ମୋଟେ ଦୁଃଖିତ ହେବେନାହିଁ । ତାଙ୍କ ମନକୁ ତୁ ତେବେ ଆଗରୁ ତିଆରିକରି ଆସିଛୁ ।’

 

‘ହଁ, କିନ୍ତୁ ସେ ବିଚାରୀ ପ୍ରତି ମୋର ବଡ଼ ଦୟା ହେଉଛି । ତା’ର ହବ କ’ଣ ?’

 

‘ମାଉସୀଙ୍କ ଭଳି ସ୍ତ୍ରୀ ପାଖରେ ଯିଏ ଚଳି ନ ପାରିଲା ତା’ର ଆଉ ହବ କ’ଣ ? ସେ ନିଜର ଅର୍ଜିଲା କର୍ମର ଫଳ ପାଇବ । ତୋ’ର ଆଉ ସେଥିରେ ହବ କ’ଣ । ତା’ର ବଦନାମ ସାରା ଲକ୍ଷ୍ନୌରେ ହୋଇ ସାରିଲାଣି ।’

 

‘ତୋ ବ୍ୟବହାର ଉପରେ ମଧ୍ୟ ତା’ର ଅବିଶ୍ୱାସ ଆସିଛି । ତା’ର ବିଶ୍ୱାସ ତୁ ଜାଣିଶୁଣି ତାକୁ ଲକ୍ଷ୍ନୌରୁ ବାହାରକୁ ପଠେଇ ତୋ’ର ରାସ୍ତାରୁ କଣ୍ଟାକୁ ଦୂର କରିଛୁ । ସେଥିପାଇଁ ସେ ମନେ ମନେ ତୋ’ ଉପରେ ରାଗିଛି, ଆଉ ସେ ରାଗକୁ ଝାଡ଼ୁଛି ମାଉସୀଙ୍କ ଉପରେ ।’

 

‘ମୁଁ ତ ତା’ର ଭଲପାଇଁ କରିଥିଲି । ମୁଁ କଣ ଜାଣିଥିଲି, ପରିସ୍ଥିତି ଏପରି ବଦଳିଯିବ ଓ ମୁଁ ଗୋଟାଏ ଏମିତି ଘେରାରେ ପଡ଼ିଯିବି ! ମନୁଷ୍ୟର ଶକ୍ତି ଓ ବୁଦ୍ଧିର ତ ପୁଣି ଗୋଟାଏ ସୀମା ଅଛି । ମୁଁ ଏକଥା ବୁଝିପାରୁନାହିଁ ଯେ ଭାଗ୍ୟ ପୁଣି ଏତେ ପ୍ରବଳ ହୋଇପାରିଲା; ଶେଷରେ ତାକୁ ସୂତାରେ ଲଟକି ରହିଲାପରି ରହିବାକୁ ପଡ଼ିଲା ।’

 

‘ଦେଖ୍‍ ଶିଶିର ! ମୋ ବିବାହ ସରିବା ପର୍ଯ୍ୟନ୍ତ ତାକୁ ଯେକୌଣସିମତେ ବର୍ଦ୍ଧମାନରେ ରଖ । ପରେ ସେ ଯେପରି ସେଠାରୁ ପଳାଏ, ତା’ର ଚେଷ୍ଟା କର । ମାଉସୀଙ୍କ ମନରୁ ତା’ର ଅସ୍ତିତ୍ୱ ଯେପରି ଲୋପ ପାଇଯାଏ ।’

 

ସୁଶୀଳକୁ ଯଥାସମ୍ଭବ ଶୀଘ୍ର ତା’ର ବିବାହ ସମ୍ପନ୍ନ କରିବାକୁ କହି ଶିଶିର ଆସି ପାର୍ଟି ଅଫିସରେ ପହଞ୍ଚିଲା । ସେ ମନେ ମନେ ବଡ଼ ଖୁସ୍ । ବିଲେଇ କପାଳକୁ ଶିକା ଛିଣ୍ଡିଲା । ସୁଶୀଳ ମନେ ମନେ ବଡ଼ ଚତୁର ବୋଲି ଭାବି ଶିଶିରକୁ ସୁବିଧା କରିଦେଲା ।

 

ଗୋଟାଏ କଥା ସେ ଏଣିକି ଭାବୁଥାଏ । କିପରି ପାର୍ଟି ଜଞ୍ଜାଳରୁ ମୁକ୍ତି ପାଇବ । ମନେ ମନେ ଠିକ୍‌କରି ନେଇଥିଲା ଯେ ସେ ଆଉ ପାର୍ଟିରେ ବେତନଭୋଗୀ କର୍ମକର୍ତ୍ତା ହୋଇ ରହିବନାହିଁ-। ତା’ର ବର୍ତ୍ତମାନ ବେତନର ପ୍ରୟୋଜନ ନାହିଁ । ତାକୁ ଏଲାହାବାଦ ବ୍ୟାଙ୍କର ବର୍ଦ୍ଧମାନ ଶାଖାରୁ ଗୋଟିଏ ହଜାରଟଙ୍କିଆ ଚେକ୍‌ ମିଳିଯାଇଥିଲା ମାଉସୀଙ୍କ ଦୟାରୁ ।

 

ତା’ପରେ ପାର୍ଟିସହିତ ପୂରାପୂରି ତା’ର ସମ୍ପର୍କ ଛିଣ୍ଡେଇ ଦେବାକୁ ସେ ଭାବୁ ନ ଥିଲା । ସେ ପରିଷ୍କାର ଭାବୁଥିଲା ଯେ ଅତି ଶୀଘ୍ର ସଂସାରରେ କମ୍ୟୁନିଷ୍ଟ ମତବାଦର ଶ୍ରେଷ୍ଠତା ଆସିବ । କମ୍ୟୁନିଷ୍ଟ ମତବାଦୀମାନେ କ୍ଷଣକପାଇଁ ସୁଦ୍ଧା ମତଭେଦ ବରଦାସ୍ତ କରିବେନାହିଁ । ସେ ରାଜ୍ୟରେ ନାଁ ମାଉସୀଙ୍କର ସମ୍ପତ୍ତି ନାଁ ମାସିକ ହଜାରଟଙ୍କାର ନଗଦ ଭତ୍ତା ତିଷ୍ଠି ରହି ପାରିବ । ସେତେବେଳକୁ ସେ କମ୍ୟୁନିଷ୍ଟ ହୋଇ ଥିଲେ ନିଶ୍ଚୟ ସେଥିରୁ ସୁବିଧା ଉଠେଇବ ।

 

ତା’ର ବୟସ ବର୍ତ୍ତମାନ ମାତ୍ର ବାଇଶି । ଅତି କମ୍‌ରେ ସେ ତ ସତୁରିବର୍ଷ ପର୍ଯ୍ୟନ୍ତ ବଞ୍ଚିବ ବୋଲି ଆଶା କରୁଛି । ଏହି ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଯେଉଁ ପରିବର୍ତ୍ତନ ଆସିବ ସେଥିପାଇଁ ତାକୁ ପ୍ରସ୍ତୁତ ହୋଇ ରହିବାକୁ ହେବ । ‘ଆତ୍ମ ସୁରକ୍ଷା’ ଜୀବନର ଗୋଟିଏ ମୁଖ୍ୟ ସିଦ୍ଧାନ୍ତ; ସେଥିରୁ ନିବର୍ତ୍ତିବା ଠିକ୍‌ ହେବନାହିଁ ।

ଭାରତର ପ୍ରଧାନମନ୍ତ୍ରୀ ସେଦିନ ରୁଷ ପରିଭମ୍ରଣରେ ଯାଇଥିଲେ । ସେଠାରେ ତାଙ୍କର ବିରାଟ ସ୍ୱାଗତ ହୋଇଥିଲା । ତା’ପରେ ଯେଉଁଦିନ ରୁଷର ପ୍ରଧାନମନ୍ତ୍ରୀ ଭାରତ ପରିଦର୍ଶନରେ ଆସିଲେ ସେତେବେଳେ ତାଙ୍କୁ ଯେପରି ସ୍ୱାଗତ କରାଗଲା, ତାହା ସଂସାରରେ କେଉଁ ଦେଶରେ କେଉଁ ସମୟରେ ମଧ୍ୟ ହୋଇ ନ ଥିଲା । ଏ ସବୁରୁ ପରିଷ୍କାର ବୁଝାପଡ଼ୁଛି ଯେ ଭାରତ ତଥା ସମୁଦାୟ ପୃଥିବୀ ଆଜି କମ୍ୟୁନିଷ୍ଟ ମତବାଦ ପ୍ରତି ଆକୃଷ୍ଟ ହୋଇଛି ।

ଏ ବିଷୟରେ ପାର୍ଟିରେ ଚର୍ଚ୍ଚା ପଡ଼ିଥିଲା । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ପାର୍ଟିର ସମସ୍ତେ ଏକମତ ହେଲେ ଯେ ଭାରତ କ୍ରମେ କମ୍ୟୁନିଜମ୍‌ ପ୍ରତି ଆକୃଷ୍ଟ ହେଉଛି । ସମସ୍ତେ ବିଚାରୁଛନ୍ତି ବିପ୍ଳବ ହେବ ନଚେତ୍‌ ଦ୍ରୁତଗତିରେ ବିକାଶ ହେବ । ଭାରତର ପ୍ରଧାନମନ୍ତ୍ରୀ ଆଉ ଯାହା ହୁଅନ୍ତା ନା କାହିଁକି କମ୍ୟୁନିଜମ୍‌ ପ୍ରତି ତାଙ୍କର ପ୍ରଚ୍ଛନ୍ନ ଆନ୍ତରିକତା ରହିଛି ଏଥିରେ ସନ୍ଦେହ ନାହିଁ ।

ଏହି ପରିବର୍ତ୍ତନଶୀଳ ପରିସ୍ଥିତିରେ ସେ ପାର୍ଟିଠାରୁ ସମ୍ବନ୍ଧ ଛିଣ୍ଡେଇ ଦବାଟାକୁ ପସନ୍ଦ କରୁ ନ ଥିଲା ।

କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ ଲକ୍ଷ୍ନୌ ଆସିଥିବା ବେଳେ ସେ ତାଙ୍କୁ କହିଥିଲେ ଯେ, ସେ ପାର୍ଟିର ବେତନଭୋଗୀ କର୍ମକର୍ତ୍ତା ହୋଇ ରହିବାରିବ ନାହିଁ ।

‘କାହିଁକି ?’

‘ମୋର ବିବାହ ହେବାର ସ୍ଥିର ହୋଇଛି । କାର୍ଯ୍ୟ ପ୍ରତି ପୂର୍ଣ୍ଣ ସହାନୁଭୂତି ଥିଲେ ବି ପୂରା ସମୟ ଦେଇ କାମ କରିପାରିବି ନାହିଁ ବୋଲି ମୋର ଆଶଙ୍କା ହେଉଛି ।’

‘ତେବେ ଚଳିବେ କିପରି ?’

‘ମୋର ମାଉସୀ, ଯିଏ କି ଏ ବିବାହର ପ୍ରସ୍ତାବ କରୁଛନ୍ତି, ସେ ମୋତେ ମାସିକ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି ।’

‘ତେବେ ସେ ହଜାର ଟଙ୍କା ତୁମେ ପାର୍ଟିକୁ ଦେଇଦିଅ । ଜଣେ ପୁଞ୍ଜିପତିର ସମ୍ପତ୍ତିକୁ ପାର୍ଟି ଫଣ୍ଡକୁ ଦେବାଦ୍ୱାରା କେତେ ଯେ ଭଲ କାମ ହେବ ତାହା ତୁମେ ନିଶ୍ଚୟ ଅନୁଭବ କରୁଥିବ ।’

‘ସେ ଏ କଥା ଜାଣିପାରିଲେ ମୋତେ ଆଉ ଟଙ୍କା ଦେବେ ନାହିଁ ।’

‘ତୁମକୁ ଖାଇବା ପିଇବା ପାଇଁ ତ ମିଳୁଛି ।’

‘କିନ୍ତୁ ଏତିକିରେ ତ ଆଉ ପରିବାର ଚଳିବ ନାହିଁ ।’

‘ତୁମକୁ ବିବାହ ପରେ ବିବାହ ଭତ୍ତା ମିଳିବ ।’

‘ନାହିଁ ଆଜ୍ଞା, ମୁଁ ଜବାବ୍‌ ଦେଉଛି ଖର୍ଚ୍ଚବାର୍ଚ୍ଚ ଯାଇ ଏ ହଜାର ଟଙ୍କାରୁ ଯାହା ବଞ୍ଚିବ ତାକୁ ମୁଁ ପାର୍ଟିକୁ ଦେଇ ଦେବି । ତା’ଉପରେ ପୁଣି ପାର୍ଟିର କାମ ପୂର୍ବପରି କରିବି । ମୋତେ ହଜାରେ ଟଙ୍କା ମିଳୁଛି ବୋଲି ତ ମୁଁ ଆଉ ବ୍ୟବସାୟ ସେଥିରେ କରିବି ନାହିଁ ।’

ସେକ୍ରେଟେରୀ କହିଲେ, ‘କେବେଠାରୁ ବେତନ ନେବା ବନ୍ଦ କରୁଛ ?’

 

‘ଏହି ମାସଠାରୁ ।’

 

‘କେଉଁଠି ରହିବ ?’

 

‘ବର୍ତ୍ତମାନ ତ ଏ ଅଫିସରେ ଅଛି । ବିବାହ ପର୍ଯ୍ୟନ୍ତ ଏଇଠାରେ ରହିବି । ପରେ ଯେଉଁଠି ରହେ ପଛେ ପାର୍ଟି ସହିତ ସମ୍ପର୍କ ରଖିବି ।’

 

‘ତେବେ ତ ଠିକ୍‌ ଅଛି । ଏଠାରେ ନିଉ ଇଣ୍ଡିଆ ଅଟୋମୋବାଇଲ ଓ୍ୟାର୍କସ୍‌ରେ ଗୋଳମାଳ ହୋଇଛି । ତାକୁ ମୁଁ ତୁମ ହାତରେ ଦେଉଛି । ତୁମେ ତ ସେ ଇଉନିୟନର ପ୍ରଧାନ କର୍ମକର୍ତ୍ତା । ବର୍ତ୍ତମାନ ତୁମକୁ ହାଇକମାଣ୍ଡଙ୍କ ଆଜ୍ଞାନୁସାରେ ସେଠାକାର ଝଗଡ଼ାକୁ ସଞ୍ଚାଳନ କରିବାକୁ ହେବ ।’

 

‘କିନ୍ତୁ ସେ କାରଖାନାର ମାଲିକ ତ ଆମର ସଭ୍ୟ । ସେ କାରଖାନା କର୍ମଚାରୀଙ୍କୁ ନେଇ ଗୋଟିଏ କାର୍ଯ୍ୟକାରୀ କମିଟି ଗଢ଼ିଛନ୍ତି, ଆଉ ସେହି କମିଟି ସବୁ କଥା ବୁଝାମଣା କରୁଛି । ସେ କାର୍ଯ୍ୟକାରୀ କମିଟିକୁ ସବୁ ସୁବିଧା ଦିଆଯାଇଛି । ତଦ୍ଦ୍ୱାରା କର୍ମଚାରୀମାନେ ବହୁତ ଖୁସିରେ ଚଳୁଛନ୍ତି ।’

 

‘କାର୍ଯ୍ୟକାରୀ କମିଟିର ସିଦ୍ଧାନ୍ତକୁ ନ ମାନି ଏହି ଝଗଡ଼ାର ସୂତ୍ରପାତ ହୋଇଛି । ହାଇକମାଣ୍ଡ ମତ ଯେ, ମାଲିକକୁ ଶିକ୍ଷା ଦେବା ଦରକାର ଯେ, ସେ ଯେପରି କମିଟିର ନିଷ୍ପତ୍ତିକୁ ଅବହେଳା ନ କରନ୍ତି । ଆଉ ମଧ୍ୟ ଆମ ପାର୍ଟିର ନିୟମ ଯେ, ଇଉନିୟନର ମୁଖ୍ୟ ହାଇକମାଣ୍ଡଙ୍କ ଆଜ୍ଞା ପାଳନକରିବା ଉଚିତ । ବିଚାର କରିବା କମାଣ୍ଡର କାମ । ଇଉନିୟନଗୁଡ଼ିକ ତାଙ୍କରି ନିର୍ଦ୍ଦେଶ ଅନୁସାରେ କାମ କରିବା ଉଚିତ ।’

 

‘ମୁଁ ତ ସେ କଥା ଅସ୍ୱୀକାର କରୁନାହିଁ । ମୋର ତ ପୁଣି ପରିସ୍ଥିତିକୁ ଚାହିଁ କାମ କରିବା ଉଚିତ ।’

 

‘ହାଇକମାଣ୍ଡକଙ୍କୁ ପରିସ୍ଥିତି କଥା ବେଶ୍‍ ମାଲୁମ୍‌ ।’

 

‘କିନ୍ତୁ ତାଙ୍କୁ ବୋଧହୁଏ ଜଣାନାହିଁ ଏହି କାରଖାନାର କର୍ମଚାରୀମାନେ ମାଲିକ ଉପରେ ଖୁବ୍‌ ସନ୍ତୁଷ୍ଟ, ତେଣୁ ଧର୍ମଘଟ ସଫଳ ହେବାର ସମ୍ଭାବନା ନାହିଁ ।’

 

‘ମୋର ବିଶ୍ୱାସ ଧର୍ମଘଟ ପର୍ଯ୍ୟନ୍ତ କଥା ଯିବନାହିଁ । କେବଳ ଧମକରେ କାମ ଫଇସଲା ହୋଇଯିବ ।’

 

‘ମୁଁ ବୁଝୁଛି ଏଥିରେ ହାଇକମାଣ୍ଡ ଭୁଲ କରୁଛନ୍ତି ।’

 

‘ବର୍ତ୍ତମାନ ତୁମେ ନିଜର ଅଧିକାରର ବାହାରକୁ ଯାଉଛ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିବା ତୁମର କାମ ନୁହେଁ ।’

 

‘ଶିଶିର ଏତିକିରେ ଚୁପ୍‌ ହୋଇଗଲା ।’

 

(୧୩)

 

ଶିଶିର ଜାଣିଥିଲା ଯେ, ପ୍ରବୋଧରେ କାରଖାନାରେ କର୍ମଚାରୀମାନେ ଅନ୍ୟ କାରଖନା କର୍ମଚାରୀମାନଙ୍କଠାରୁ ଅଧିକ ବେତନ ଓ ଅଧିକ ଛୁଟି ପାଆନ୍ତି, କାମ ମଧ୍ୟ କମ୍‌ କରନ୍ତି । ଏ କାରଖାନାରେ ଗଣ୍ଡଗୋଳ ସୃଷ୍ଟି କରିବାରେ କର୍ମଚାରୀମାନଙ୍କର ଉପକାର ହେବନାହିଁ । ଏଥିପାଇଁ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ମଣି, ସେ କାରଖାନା କର୍ମଚାରୀମାନଙ୍କର ମିଟିଂ ଡାକିଲା । ସେ ମିଟିଂରେ କହିଲା, ‘ପ୍ରବୋଧ ତା’ କାରଖାନାରେ ଆପଣମାନଙ୍କୁ ଯେ କମ୍‌ କାମ ଦେଉଛି, ସେ ତାହା ଦୟାକରି ଦେଉନାହିଁ । ତା’ କାରଖାନାକୁ କାମ କମ୍‌ ଆସୁଛି, ଆଉ ସେ ମଧ୍ୟ ଭଲ ମେନେଜର ନୁହେଁ । ତାହାର ଅଯୋଗ୍ୟତା ଯୋଗୁଁ ଆପଣମାନଙ୍କର ବେତନ ମଧ୍ୟ କମେଇ ଦେବାର ପ୍ରସ୍ତାବ କରାଯାଉଛି ।’

 

ଶିଶିରର ଏ କଥାକୁ କର୍ମଚାରୀମାନେ ମାନିନେବାକୁ ରାଜି ହେଲେ ନାହିଁ । ଏତିକିବେଳେ ଅମୃତର କଥା ଶିଶିର ମନକୁ ଆସିଲା । ଅମୃତ କହିଥିଲା, ‘ଯଦି କୌଣସି ମୂର୍ଖ ବା ଗୁଆଁରକୁ ଉତ୍ତେଜିତ କରିବାର ଆବଶ୍ୟକତା ପଡ଼େ ତେବେ ସେମାନଙ୍କୁ ଗୋଟାଏ ‘ଧ୍ୱନି’ ଦେବା ଦରକାର । ଧ୍ୱନି କରିବା ଫଳରେ ମୂର୍ଖମାନଙ୍କର ମସ୍ତିଷ୍କରେ ଏପରି ପ୍ରତିକ୍ରିୟା ଜାତ ହୁଏ ଯେ, ସେ ଯାହା ଇଚ୍ଛା ତାହା କରିବାକୁ ଉଦ୍ୟତ ହୋଇପଡ଼େ ।’ ଏହା ସ୍ମରଣ କରି ସେ କର୍ମଚାରୀମାନଙ୍କୁ କହିଲା, ‘ହୋଇପାରେ, ପ୍ରବୋଧ ଆପଣମାନଙ୍କୁ କିଛି ସୁବିଧା ଦେଉଛି । କିନ୍ତୁ ନିଜର ଅଯୋଗ୍ୟତା ଓ ମାଲିକାନାକୁ ଲୁଚାଇବାପାଇଁ ସେ ଏ ସବୁ ସୁବିଧା ଆପଣମାନଙ୍କୁ ଦେଉଛି ।

 

‘ଦେଖନ୍ତୁ ! ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଉଛି । ଆମେରିକାରେ ଫୋର୍ଡ କମ୍ପାନୀ କର୍ମଚାରୀମାନଙ୍କୁ କେତେକ ସୁବିଧା ଦେଇଛନ୍ତି, କିନ୍ତୁ ଏହି ସୁବିଧା ଦେବା ମୂଳରେ ରହିଛି ଅଫିମ ଖୁଆଇ ସେମାନଙ୍କୁ ନିଜ ଅଧୀନରେ ରଖିବା ।’

 

ଏହା ଶୁଣି ଜଣେ କର୍ମଚାରୀ କହିଲା, ‘ମୋର ମନେହୁଏ ସେ କାରଖାନାର କର୍ମଚାରୀମାନଙ୍କର ଧର୍ମଘଟ କରିବା ଉଚିତ । ସେମାନେ ତ ଏତେ କଷ୍ଟ ସହ୍ୟ କରୁଛନ୍ତି ।’

 

‘ଏହା ଅସମ୍ଭବ ଓ ଯୁକ୍ତିସଂଗତ ନୁହେଁ । ଯେଉଁମାନେ ଭଲଲୋକ ବା ଯାହାର କିଛି ସମ୍ବଳ ଅଛି ସେହିମାନେ ହିଁ ଅନ୍ୟ ଲୋକଙ୍କ ଅବସ୍ଥା ସୁଧାରିବା ପାଇଁ ଯତ୍ନ କରିବେ । ଆପଣମାନଙ୍କୁ ଭଲ ଦରମା ମିଳୁଛି । ଆପଣଙ୍କ ପାଖରେ ନିଶ୍ଚୟ କିଛି ଧନ ଥିବ । ସେଥିପାଇଁ ଆପଣମାନେ ହିଁ ଶ୍ରମିକମାନଙ୍କ ପାଇଁ ଲଢ଼ି ପାରିବେ ।’

 

ଏ ଯୁକ୍ତି ଶୁଣି ପ୍ରଶ୍ନକର୍ତ୍ତା ଚୁପ୍‌ ରହିଗଲା । ବାସ୍ତବିକ ସେ ଏହାର କି ଉତ୍ତର ଦେବ ଜାଣି ନ ଥିଲା । ଏହାକୁ ସୁ ଅବସର ମନେ କରି ଶିଶିର କର୍ମଚାରୀମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟାକଲା ।

 

‘ଆମେ ସବୁ ଶ୍ରମିକ ଭାଇ ଭାଇ । ଆମକୁ ଶ୍ରମିକମାନେ ସ୍ଥାପନ କରିବାକୁ ହେବ । ଏଥିପାଇଁ ସଙ୍ଗତିସମ୍ପନ୍ନ କର୍ମଚାରୀଙ୍କୁ ଆଗଭର ହେବାକୁ ହେବ । ଆସ, ଆମେ ସମସ୍ତେ ପୁଞ୍ଜିପତିଙ୍କର ମୂଳ ଉତ୍ପାଟନ କରିବା ପାଇଁ ଏକଜୁଟ୍‌ ହେବା ।’

 

ଏହା କହି ସେ ଧ୍ୱନି ଦେଲା, ‘ମାଲିକ’.....

 

କେତେ ଶ୍ରମିକ ଉତ୍ସାହରେ କହି ଦେଲେ, ‘ମୁର୍ଦ୍ଦାବାଦ୍‌’ ।

 

‘ସେପରି ନୁହେଁ, ସମସ୍ତେ ଏକସ୍ୱରରେ କୁହ, ମାଲିକ’ । କେତେକ ଶ୍ରମିକ ଜୋର୍‌ରେ କହିଲେ ‘ମୁର୍ଦ୍ଦାବାଦ’ ।

 

‘ଶ୍ରମିକଙ୍କ ହକ୍‌’– ।

 

‘ହାସଲ କରିବୁ ।’

 

‘ମୁନାଫାଖୋର୍‌’ ।

 

‘ମୁର୍ଦ୍ଦାବାଦ୍‌ ।’

 

ସେତେବେଳକୁ ସବୁ ଶ୍ରମିକ ମିଶି ଧ୍ୱନି ଦେବାକୁ ଆରମ୍ଭ କଲେଣି । ଶିଶିରକୁମାର ପୁଣି କହିଲା ‘ଭାରତ ରୁଷ୍‌ ବନ୍ଧୁତା’ ।

 

‘ଚିରସ୍ଥାୟୀ ହେଉ ।’

 

ଏହି ଧ୍ୱନିଫଳରେ ପ୍ରବୋଧର କାରଖାନା ଭଲ କି ଖରାପ ଏକଥା କୁଆଡ଼େ ଗଲା, କିନ୍ତୁ ଭାରତରେ ଚୁଷ୍‌ ନମୁନାରେ ‘ମଜଦୂର ରାଜ୍‌’ ଗଢ଼ିବାର ନୀତି ଦୃଢ଼ୀଭୂତ ହେଲା । ଏହା ନିଶ୍ଚୟ ହେଲା ଯେ, ପ୍ରବୋଧକୁ ନୋଟିସ ଦିଆଯିବ ଯେ, ସେ ଦରମା କାଟି ପାରିବନାହିଁ କି କମିଟିର ନିଷ୍ପତ୍ତିକୁ ଅବହେଳା କରିବ ନାହିଁ । ନୋଟିସର ସାରକଥା ହେଲା, ‘ନିଉଇଣ୍ଡିଆ ଅଟୋମୋବାଇଲ ଓ୍ୟାର୍କସ୍‌ ଆରମ୍ଭ ହେବାର ବର୍ଷେ ପୂରିଲା, ତେଣୁ କାରଖାନାରେ କାମ କରୁଥିବା କର୍ମଚାରୀମାନଙ୍କୁ ବୋନସ୍‌ ମିଳିବା ଦରକାର । ବୋନସ ଦେବା ପରିବର୍ତ୍ତେ କାରଖାନା କର୍ତ୍ତୃପକ୍ଷ ଦରମା କାଟିବାକୁ ବସିଛନ୍ତି ।’

 

‘ଏହି କାଟିବାର କାରଣ କିଛି ନାହିଁ କି ମାଲିକର ମଧ୍ୟ ଦରମା କାଟିବାର ଅଧିକାର ନାହିଁ ।

 

‘ଜୀବନ ଧାରଣା ପାଇଁ ଆବଶ୍ୟକୀୟ ପଦାର୍ଥର ଦାମ ବର୍ତ୍ତମାନ ଖୁବ୍‌ ଚଢ଼ା । ତେଣୁ ଦରମା କଟାଯାଇପାରିବନାହିଁ । ଇଉନିୟନ ଏହି ବେତନ କାଟିବାର ଘୋର ନିନ୍ଦା କରିବା ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରି ଦେଉଛି ଯେ, ବେତନ କଟାଗଲେ ନିଶ୍ଚୟ ଧର୍ମଘଟ ହେବ ।’

 

ଏହି ପ୍ରସ୍ତାବକୁ ପଢ଼ି ଶୁଣାଇ ଦିଆଗଲା । ପ୍ରବଳ ଉତ୍ତେଜନା ଓ ଧ୍ୱନିଦ୍ୱାରା ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ପରଦିନ ପ୍ରବୋଧର ଟେବୁଲ ଉପରେ ଏହି ପ୍ରସ୍ତାବ ରଖିଦିଆଗଲା ।

 

ପ୍ରବୋଧ ଯଥା ସମୟରେ ଉତ୍ତର ଦେଲା ।

 

ଉତ୍ତର ଏହିପରି ଥିଲା, ‘ମୁଁ ନିଜେ ମଜଦୂର ଓ ମଜଦୂରର ହିତ ମୋର ପ୍ରିୟ କାମ । ସେହି କାରଣରୁ ମୁଁ ମୋର କାରଖାନା କର୍ମଚାରୀମାନଙ୍କୁ ଅଧିକ ବେତନ ଓ ଅଧିକ ସୁବିଧା ଦେଉଛି । ଏ ବର୍ଷ କାରଖାନାରେ କ୍ଷତି ହୋଇଛି । ସେଥିପାଇଁ ବେତନ ଓ ଅନ୍ୟାନ୍ୟ ସୁବିଧା କେତେକ ପରିମାଣରେ କମେଇବାକୁ ବାଧ୍ୟ ହେଉଛି । ମୋର ବିଶ୍ୱାସ କର୍ମଚାରୀମାନେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ ଭଲ ହୁଅନ୍ତା । ଆପଣମାନଙ୍କ ପରିଶ୍ରମ ଓ ବୁଝିବିଚାର କାମକରିବା ଫଳରେ କାରଖାନାର ଅଧିକରୁ ଅଧିକ ଉନ୍ନତି ହେବ ଓ ଲାଭ ହେବା ଫଳରେ ଆପଣମାନେ ଅଧିକ ବୋନସ୍‌ ଓ ଦରମା ନେବାକୁ ସକ୍ଷମ ହେବେ ।’

 

ଏହି ଉତ୍ତର ପାଇ ଇଉନିୟନରେ ବିଚାର ହେଲା ଯେ, ପନ୍ଦର ଦିନର ନୋଟିସ ଦିଆଯାଉ କାରଖାନା କର୍ତ୍ତୃପକ୍ଷଙ୍କୁ । ସେଥିରେ ଶ୍ରମିକଙ୍କ ଦାବୀ ପୁଣିଥରେ ଉଲ୍ଳେଖ କରାଯିବ ଏବଂ ଏହାର କିଛି ବିଚାର ନ କଲେ ଧର୍ମଘଟ କରାଯିବ ।

 

ଏ ନୋଟିସ ପାଇ ପ୍ରବୋଧ ଅବାକ୍‌ ହୋଇଗଲା । ସେ ନିଜେ ଯାଇଁ ଶିଶିରକୁମାର ସହିତ ଦେଖାକରି କହିଲା, ‘ଅନ୍ୟାନ୍ୟ କାରଖାନାର ଶ୍ରମିକମାନଙ୍କୁ ଯାହା ଦରମା ଦିଆଯାଉଛି ତା’ଠାରୁ ମୋ କାରଖାନା ଶ୍ରମିକମାନଙ୍କୁ ମୁଁ ଯେ କେବଳ ବେଶି ଦରମା ଦେଉଛି ତାହା ନୁହେଁ ସେମାନଙ୍କର ପରିବାରକୁ ଚାହିଁ ସେମାନଙ୍କୁ ଅଧିକ ଭତ୍ତା ମଧ୍ୟ ଦେଉଛି । ପ୍ରତ୍ୟେକ କର୍ମଚାରୀଙ୍କ କାମ ଓ ଅଭିଜ୍ଞତାକୁ ଚାହିଁ ସେମାନଙ୍କର ବେତନ ସ୍ଥିର କରାଯାଇଛି । ତାହା କାହାର କମ୍‌ ବା କାହାର ବେଶି । ତାହା ଛଡ଼ା ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କର ଆଶ୍ରିତଙ୍କ ସଂଖ୍ୟାକୁ ଚାହିଁ ଭତ୍ତା ଦିଆଯାଉଛି । ପ୍ରକୃତରେ ମୁଁ ଏହି ଆଶ୍ରିତଙ୍କପାଇଁ ଦେଉଥିବା ଭତ୍ତାରୁ କିଛି କାଟିଛି । ଆଗରୁ ପ୍ରତ୍ୟେକ ସାବାଳକ ଆଶ୍ରିତପାଇଁ ବାରଟଙ୍କା ଦେଉଥିଲି, ତାକୁ କମେଇ ବର୍ତ୍ତମାନ ଆଠଟଙ୍କା କରିଛି-। ପ୍ରତ୍ୟେକ ଛୋଟ ପିଲାଙ୍କୁ ଆଗରୁ ପାଞ୍ଚଟଙ୍କା କରି ଦେଉଥିଲି, ବର୍ତ୍ତମାନ ତାକୁ କମେଇ ତିନିଟଙ୍କା କରି ଦେଇଛି । କିନ୍ତୁ କୌଣସି କର୍ମଚାରୀଙ୍କର ଦରମାରୁ ପଇସାଏ କାଟିନାହିଁ ।’

 

ଏ ସବୁ କଥା ଶୁଣି ଶିଶିର ମଧ୍ୟ ଆଶ୍ଚର୍ଯ୍ୟ ହେଲା । ଯେଉଁଠି ଏତେ ପ୍ରକାର ସୁବିଧା ଦିଆଯାଉଛି ସେଠାରେ ଗୋଳମାଳ ସୃଷ୍ଟି କରିବାକୁ ତା ମନ ବଳିଲା ନାହିଁ । ସେ ଯାହାସବୁ କରୁଥିଲା ତାହା ନିଜ ବିଚାରଧାରା ଉପରେ ନିର୍ଭରକରି କରୁ ନ ଥିଲା । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ କରୁଥିଲା । ଯଦି ସେ ନିଜ ହାତର କଥା ହୋଇଥାନ୍ତା ତେବେ ସେ ଗଣ୍ଡଗୋଳକୁ ଯେକୌଣସିମତେ ଶାନ୍ତ କରିଦେଇ ପାରନ୍ତା, କିନ୍ତୁ ସେ ନାଚାର । ସେ କହିଲା, ‘ମୁଁ ଆପଣଙ୍କର ଏ ବିଷୟ ହାଇକମାଣ୍ଡ ପାଖରେ ପେଶ୍‌ କରିବି ।’

 

‘ଉତ୍ତର କେବେ ମିଳିବ ?’

 

‘ତାହା ମୁଁ କିପରି କହିବି ?’

 

‘ତେବେ ଉତ୍ତର ନ ଆସିବା ପର୍ଯ୍ୟନ୍ତ ଧର୍ମଘଟ ହେଉ ନାହିଁ ତ ?’

 

‘ସେ ବିଷୟରେ ବର୍ତ୍ତମାନ ମୁଁ କିଛି କହିପାରୁନାହିଁ ।’

 

‘ତେବେ କାମ କିପରି ଚାଲିବ ?’

 

‘ଯେପରି ଚଳୁଛି ସେହିପରି ।’

 

‘ମୁଁ ଏହାର ଅର୍ଥ ବୁଝିପାରୁନାହିଁ । ଧର୍ମଘଟ ହବ ତ କାମ କିପରି ଚାଲିବ ?’

 

‘ଆପଣ କର୍ମଚାରୀମାନଙ୍କୁ କହି ଦିଅନ୍ତୁ ଯେ, ସେମାନଙ୍କର ଦାବୀ ବିଚାର କରାଯାଉଛି-।’

‘ବିଚାର କରିବାର ପ୍ରଶ୍ନ ତ ଉଠୁନାହିଁ । ଲାଭ ତ ହୋଇନାହିଁ । ଦରମା ଯାହାକି ଅଧିକା ବୋଲି ମନେ ହେଉଛି, ସେତକ ବି ତ ଦେଇ ହେଉନାହିଁ । ମୁଁ କହୁଛି ଯଦି ମୋର ହିସାବରେ ଇଉନିୟନର ସନ୍ଦେହ ଥାଏ, ତେବେ ସେମାନେ ମୋ ଖାତାପତ୍ର ଦେଖିପାରନ୍ତି ।’

‘ଖାତାପତ୍ର ତ ସୁବିଧା ଅନୁସାରେ ତିଆରି କରେଇ ନେଇ ହେବ ।’

‘ମୋତେ ଯଦି ଆପଣ ବିଶ୍ୱାସ ନ କରିବେ ମୁଁ ଆଉ କ’ଣ କହିବି ? ମୋର ଏଥିରେ କ୍ଷତି ହେବ ସତ, କିନ୍ତୁ ଶ୍ରମିକଙ୍କର ଯେ ଲାଭ ହେବ ତାହା ନୁହେଁ ।’

‘ଆପଣ ହୁଏତ ଠିକ୍‌ କହିପାରୁଥାନ୍ତି, କିନ୍ତୁ ଶ୍ରମିକମାନେ ଏକଥା ବିଶ୍ୱାସ କଲେ ହେଲା-।’

‘ସେ କାମ ଆପଣଙ୍କର ।’

ଏହି କଥାବାର୍ତ୍ତାର ଫଳ କିଛି ହେଲାନାହିଁ, ଏବଂ ନିର୍ଦ୍ଦଷ୍ଟ ଦିବସରେ ଧର୍ମଘଟ ଆରମ୍ଭ ହୋଇଗଲା । ଧର୍ମଘଟ ହେବା ପରେ ପ୍ରବୋଧ ଜଣ ଜଣ କରି କର୍ଚଚାରୀମାନଙ୍କୁ ଭେଟିଲା । ପ୍ରାୟ ସମସ୍ତେ ପ୍ରବୋଧ କଥା ବିଶ୍ୱାସ କରନ୍ତି, କିନ୍ତୁ ପରେ ଯେତେବେଳେ ସଭାରେ ‘ଧ୍ୱନି’ ଦିଆଯାଏ, ସେତେବେଳେ ସେମାନେ ସବୁକଥା ପାସୋରି ଦିଅନ୍ତି ।

ଧର୍ମଘଟ ଚାଲିଲା । ଯେତେବେଳେ କର୍ମଚାରୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଓ ସେମାନଙ୍କ ଘରେ ଖାଇବା ଅଭାବ ପଡ଼ିଲା, ଇଉନିୟନ କର୍ମକର୍ତ୍ତାମାନେ ପ୍ରବୋଧ ସହିତ ଦେଖା କରିବାକୁ ଅଧୈର୍ଯ୍ୟ ହୋଇପଡ଼ିଲେ । କଥାବାର୍ତ୍ତା ପନ୍ଦର ଦିନ ଚାଲିଲା । ଏହା ଭିତରେ ପ୍ରବୋଧର ସ୍ତ୍ରୀ ନୀଳାଦେବୀ ଓ ପ୍ରବୋଧର ବାପା ଆସି ଏଥିରେ ଯୋଗ ଦେଲେ । ସେମାନଙ୍କ ଆସିବା ଫଳରେ ପରିସ୍ଥିତି ଏପରି ସୃଷ୍ଟି ହେଲା ଯେ, ଇଉନିୟନ କର୍ମକର୍ତ୍ତାମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଲେ ।

ଇଉନିୟନ ଓ କମ୍ୟୁନିଷ୍ଟ ପାର୍ଟି ଭିତରେ ଯୋଗସୂତ୍ର ଥାଏ ଶିଶିର । ସେ ପ୍ରଥମରୁ ଧର୍ମଘଟ ନ ହେଉ ବୋଲି ମତ ଦେଉଥିଲେ । ନିଜର ଇଚ୍ଛା ବିରୁଦ୍ଧରେ କାମ କରିବାକୁ ପାର୍ଟି ତାକୁ ଜୋର କରିବାରୁ ତା ମନରେ ଅଶାନ୍ତି ଆସିଲା । କେବଳ ପାର୍ଟିର ନୀତି ବିଷୟରେ ପାଟି ନ ଫିଟେଇ ସେ ଯନ୍ତ୍ରପରି କାମ କରୁଥାଏ, କିନ୍ତୁ ତା’ର ଏଥିରେ ଆନ୍ତରିକତା ନ ଥାଏ । ଯେଉଁମାନେ ଧର୍ମଘଟ ଚାଲୁରଖିବାକୁ କହୁଛନ୍ତି, ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ସେ ଭାବୁଥାଏ କର୍ମଚାରୀମାନେ ମିଛରେ ବହୁ ଯନ୍ତ୍ରଣା ସହ୍ୟ କରୁଛନ୍ତି । ସେମାନେ କିଛି ବୁଝୁନାହାନ୍ତି କି ସେମାନଙ୍କୁ ବୁଝିବାକୁ ସୁବିଧା ଦିଆଯାଉନାହିଁ । ଧ୍ୱନି ଓ ଶୋଭାଯାତ୍ରାଦ୍ୱାରା ଶ୍ରମିକମାନଙ୍କର ଅସଲ ଅବସ୍ଥା କଥା ନ ଭାବି କିପରି ଶ୍ରମିକରାଜ ସ୍ଥାପନ ହେବ ଏହି ବଡ଼ ବଡ଼ କଥା ସେ ସେମାନଙ୍କ ଆଗରେ ଥୋଉଥାଏ ।

ବର୍ତ୍ତମାନ କାରଖାନା ବିକ୍ରି ହୋଇଗଲା । ପ୍ରବୋଧ ବେକାର ହେଲା । ସବୁ କର୍ମଚାରୀଙ୍କୁ ଚାକିରୀରୁ ବିଦାୟ କରି ଦିଆଗଲା । ତିନିଜଣ କର୍ମଚାରୀ ଗୁଳିଚୋଟରେ ମଲେ ଓ ପ୍ରାୟ କୋଡ଼ିଏ ଜଣ ଆଘାତ ପାଇଲେ ।

 

ପୁରୁଣା କର୍ମଚାରୀମାନଙ୍କୁ ଚାକିରୀ ଦିଆଯିବ ବୋଲି ନୀଳା କେତେକଙ୍କୁ ଆଶ୍ୱାସନା ଦେଇଥିଲା । ଏତିକିବେଳେ ହାଇକମାଣ୍ଡ ନିର୍ଦ୍ଦେଶ ଦେଲେ ଯେ, କାରଖାନା ଯେପରି ବିକ୍ରି ନ ହୁଏ, ସେଥିପାଇଁ ମକଦ୍ଦମା ଆରମ୍ଭ କରିଦେବାକୁ । ଏ ନିର୍ଦ୍ଦେଶ ପାଇ ଶିଶିର ହତାଶ ହୋଇ ପଡ଼ିଲା । ସେ କାରଖାନା ବିକ୍ରି ନିଷେଧପାଇଁ କଚେରୀରେ ମକଦ୍ଦମା ଦାଖଲ କଲା ସତ, କିନ୍ତୁ ତା’ର କମ୍ୟୁନିଷ୍ଟ ନୀତି ଉପରୁ ବିଶ୍ୱାସ ତୁଟିଗଲା ।

 

ଆଜି ସେ କଚେରୀରୁ ସିଧା ସୁଶୀଳ ଘରକୁ ଚାଲିଗଲା । ପାର୍ଟି ଅଫିସକୁ ଯିବାକୁ ଆଉ ତା’ମନ ହେଲାନାହିଁ । ଶିଶିରକୁ ଚୁପ୍‍ଚାପ୍‍ ହୋଇ ତା ଘରେ ଚୌକିରେ ବସିଥିବାର ଦେଖି ସୁଶୀଳ କହିଲା, ‘ଶିଶିର, କଥା କ’ଣ ? ଦେହ ଭଲ ଅଛି ତ ?’

 

‘ମୋ ମନ ଭାରି ଖରାପ । କ’ଣ କରିବି ବୁଝିବାରୁନାହିଁ । ଏହି ଧର୍ମଘଟରେ ମୁଁ ମୋର ଆତ୍ମାକୁ ନଷ୍ଟ କରିଦେଇଛି ।’

 

‘କାହିଁକି ?’

 

‘ମୁଁ ଜାଣେ ଲକ୍ଷ୍ନୌରେ ଯଦି କୌଣସି କାରଖାନା କର୍ମଚାରୀଙ୍କ ସୁବିଧାପ୍ରତି ମୁଁ ଦୃଷ୍ଟି ଦେଉଥାଏ, ସେ ହେଲା ପ୍ରବୋଧର କାରଖାନା । ସେଠାରେ ଧର୍ମଘଟ କରେଇବାର କୌଣସି କାରଣ ନ ଥିଲା, କିନ୍ତୁ ମୋତେ ଶୃଙ୍ଖଳାରକ୍ଷାପାଇଁ ଏହା କରିବାକୁ ପଡ଼ିଲା । ମୋର ଇଚ୍ଛା ବିରୁଦ୍ଧରେ ମଧ୍ୟ ଆଜି ଏହି ମକଦ୍ଦମା କରିବାଟାକୁ ମଧ୍ୟ ମୁଁ ଯୁକ୍ତିସଙ୍ଗତ ନୁହେଁ ବୋଲି ମନେ କରୁଛି-। ମୁଁ ଏହା କରିବାକୁ ଚାହିଁ ନ ଥିଲି । ଏହାଦ୍ୱାରା କାରଖାନାର ନୂଆ ମାଲିକ ବଡ଼ ଅଡ଼ୁଆରେ ପଡ଼ିବ-। କର୍ମଚାରୀମାନେ ମଧ୍ୟ ଯେ ବିଶେଷ ଲାଭବାନ ହେବେ ଏକଥା ନୁହେଁ; ଯେଉଁମାନଙ୍କୁ ଚାକିରୀ ଦେବେ ବୋଲି ସେ ଭାବୁଥିଲେ ଏହି ମକଦ୍ଦମା କରିବା ଫଳରେ ସେମାନଙ୍କୁ ଅକାରଣ ମକଦ୍ଦମା ସରିବା ପର୍ଯ୍ୟନ୍ତ ବେକାର ଅବସ୍ଥାରେ ରହିବାକୁ ପଡ଼ିବ ।

 

‘ମୋର ସବୁଠାରୁ ଅଧିକ ଦୁଃଖ ଯେ, ଏ ସରକାର ବଦଳିକରି କମ୍ୟୁନିଷ୍ଟ ପାର୍ଟି ସରକାର ଦଖଲ କରିବ ବୋଲି ବିଚାରା ଶ୍ରମିକମାନଙ୍କୁ ବଳି ଦିଆଯାଉଛି । ରାଜନୈତିକ ଶକ୍ତିସଞ୍ଚୟ ଲାଗି ଶ୍ରମିକମାନଙ୍କୁ ହତିଆର ରୂପେ ବ୍ୟବହାର କରାଯାଉଛି ।’

 

‘ତେବେ ବର୍ତ୍ତମାନ ତୁ କ’ଣ କରିବୁ ଭାବୁଛୁ ?’

 

‘ମୁଁ ବେମାର ବୋଲି ତୋ ଡାକ୍ତରଖାନାରେ ଭର୍ତ୍ତି ହେବି ବୋଲି ଭାବୁଛି ।’

 

‘ସେଥିରେ କ’ଣ ହେବ ?’

 

‘ଏ କାମ ମୋ ହାତରୁ ନେଇ ଆଉ କାହା ହାତରେ ଦେଇ ଦିଆଯିବ ।’

 

‘ପୁଣି ତ ଅନ୍ୟ ଆଡ଼େ କିଛି ହେଉଛି । ସେଠାରେ କ’ଣ କରିବୁ ? ହାସପାତାଳରୁ ଆସିଲେ କାମ କିପରି ଚାଲିବ ?’

 

‘କୁଆଡ଼େ ପୁଣି କ’ଣ ହେଉଛି ?’

 

‘କାଲି ଅମୃତର ବାପା ତା’ଠାରୁ ଚିଠି ପାଇଛନ୍ତି ।’

 

‘ସେଥିରେ କ’ଣ ଲେଖାଅଛି ?’

 

‘ସେଥିରେ ଲେଖାଅଛି, ସେ ସାବାଳକ ହେଲାଣି, ଏବଂ ଏଣିକି ନିଜର ବିବାହ ନିଜର ଇଚ୍ଛାନୁସାରେ କରିବ । ଯଦି ତାହାର ମାତାପିତା ତା ପଳେଇଯିବା ଦୋଷକୁ କ୍ଷମା କରନ୍ତି ତେବେ ସେ ଫେରି ଆସିବା ପାଇଁ ପ୍ରସ୍ତୁତ ଅଛି ।’

 

ଶିଶିର ଏ କଥା ଶୁଣି ଅବାକ୍‌ ହୋଇଗଲା । ସେ ତାହାର ଅର୍ଥ କ’ଣ ହୋଇପାରେ ଭାବିବସିଲା । କିନ୍ତୁ ଭାବିଲାବେଳକୁ ଘଟଣାଟା ତାକୁ ଅତ୍ୟନ୍ତ ଭୟାନକ ବୋଲି ମନେହେଲା ।

 

ଏଠାରେ ଦୁଇମାସ ଧରି ସେ ଧର୍ମଘଟ କାମରେ ଲିପ୍ତ ରହି ଅମୃତର ନାଁଗନ୍ଧ ପର୍ଯ୍ୟନ୍ତ ପାସୋରି ପକାଇଥିଲା । ତାହାର ମନେହେଲା ଅମୃତ ଯେପରି ଦିନ ଦିନ ଧରି ତାହାରି ପ୍ରତୀକ୍ଷାରେ କ୍ଷୁବ୍ଧ ହୋଇ ଏପରି ପନ୍ଥା ଅବଲମ୍ବନ କରିଛି । ସେ ମଧ୍ୟ ଭାବିଲା ଯେ ଶିଶିର ବି ତାକୁ ଛାଡ଼ି ଚୁପ୍‌ ହୋଇଗଲା ।

 

ଅଧିକ ଆଉ କିଛି ଜାଣିବାକୁ ଇଚ୍ଛାକରି ସେ ପଚାରିଲା, ‘ତୋତେ ଏ ଖବର କିଏ ଦେଲା ?’

 

‘ହରଭଜନଠାରୁ ଶୁଣି ମୋତେ କାଲି ନୀଳାଦେବୀ କହୁଥିଲେ । ଚିଠିରେ ପୁଣି ଲେଖାହୋଇଛି ଯେ, ଯଦି ତା’ର ପିତାମାତା ତାକୁ କ୍ଷମା କରନ୍ତି, ତେବେ ସେଇକଥା ତାଙ୍କ ବନ୍ଧୁବାନ୍ଧବଙ୍କ ଭିତରେ କହିଲେ, ଅମୃତ ତାହା ଜାଣିପାରିବ ଓ ଫେରି ଆସିବ ।’

 

‘ଚିଠିରେ କ’ଣ ତା’ର ଠିକଣା ନାହିଁ ?’

 

‘ନାଁ, କଲିକତାରୁ ଏ ଚିଠି ଆସିଛି ।’

 

‘ମୁଁ ପାଞ୍ଚ ଛଅଦିନ ତଳେ ମାଉସୀଙ୍କ ଚିଠି ପାଇଥିଲି । ମୁଁ ଗତମାସରେ ବର୍ଦ୍ଧମାନ ନ ଯାଇଥିବାରୁ ସେ ମୋ ଉପରେ ବିରକ୍ତ । ସେ ଅମୃତକୁ ନେଇ କଲିକତା ଯାଇଥିଲେ । ସେଇଠୁଁ ବୋଧହୁଏ ଅମୃତ ଏ ଚିଠି ଦେଇଥିବ ।’

 

‘ତେବେ ତୁ ଜଲଦି ଯା । କ’ଣ ଗୋଳମାଳ ହେଲା ବୋଲି ମତେ ଲାଗୁଛି । ସେ ଆସିବାଟାକୁ ମୁଁ ବର୍ତ୍ତମାନ ପସନ୍ଦ କରୁନାହିଁ । ମୋ ବିବାହ ଆଉ ପାଞ୍ଚଦିନ ରହିଲା । ସେ ପର୍ଯ୍ୟନ୍ତ ତାକୁ ସେଠାରେ ଯେମିତି ହେଲେ ରଖ୍‌ ।’

 

‘ତୋ ବିବାହର ନିମନ୍ତ୍ରଣ ପତ୍ର ମିଷ୍ଟର ଆଉ ମିସେସ ଶିଶିରଙ୍କ ନାମରେ ପଠେଇଦେ । ତାହାହେଲେ ସେ ବର୍ତ୍ତମାନ ଏଠାକୁ ଆସିବାରେ ବାଧା ପଡ଼ିବ ।’

 

‘ଛାପା ନିମନ୍ତ୍ରଣପତ୍ର ସୁଶୀଳ ତାକୁ ଦେଲା । ତା’ ଉପରେ ଶିଶିର ଓ ତାହାର ‘ପତ୍ନୀ’ର ନାମ ଲେଖିଦେଲା ।’

 

(୧୪)

 

ସରଦାର ବଡ଼ିୟାମ୍‌ ସିଂ ପ୍ରଚାର କଲେ ଯେ ଅମୃତ ଫେରି ଆସିବ ଓ ତା’ର ନିଜ ଇଚ୍ଛା ଅନୁସାରେ ବିବାହ କରିବ । ଏ କଥା ଗୁରୁଦ୍ୱାରରେ କର୍ତ୍ତାର ସିଂଙ୍କ କାନରେ ପଡ଼ିଲା । ସେ ଦିନେ ସରଦାର ବଡ଼ିୟାମ ସିଂଙ୍କ ସଙ୍ଗେ ଦେଖାକଲେ । କିଛି ସମୟ ପରେ ଏକର ସେକର କଥାବାର୍ତ୍ତା କରି ଶେଷରେ ଅମୃତ କଥା ପକେଇଲେ । ସେ କହିଲେ, ‘ଅମୃତ କୁଆଡ଼େ ଚିଠି ଦେଇଛି ?’

 

‘ହଁ, ସେ ଲେଖିଛି ଯେ ବର୍ତ୍ତମାନ ସେ ସାବାଳିକା ହେଲାଣି । ସେହି କାରଣରୁ ମୁଁ ଯଦି ତାକୁ ନିଜର ଇଚ୍ଛାଅନୁସାରେ ବିବାହ କରିବାକୁ ଅନୁମତି ଦିଏ ତେବେ ସେ ଫେରି ଆସିବ ।’

 

‘ସେ ସବୁର ଆଉ ଆବଶ୍ୟକତା କ’ଣ ଅଛି ?’ ଯେତେବେଳେ ସେ ତିନିମାସ ସିଆଡ଼େ ରହିଲା ସେତେବେଳେ ବିବାହ କରି ପକାଇଥିଲେ କ୍ଷତି କଣ ହୋଇଥାନ୍ତା ? ଆପଣଙ୍କର ମୁହଁରେ କଳା ଦେବାକୁ ଓ ମୋତେ ଅପମାନିତ କରିବାକୁ ସେ କାହିଁକି ଆସିବ ?’

 

‘ମୁଁ ସେ କଥା ଭାବୁନାହିଁ । ମୁଁ ତାହାର ମତାମତ ନ ନେଇ ତା’ ବିଭାଘର ସ୍ଥିର କରିଥିଲି-। ସେଥିପାଇଁ ସେ ଏଠାରୁ ପଳେଇ ଯାଇଥିଲା । ସେ ସେତେବେଳେ ନାବାଳିକା ଥିବାରୁ ନିଜର ମତାମତ ଦେଇ ପାରୁନଥିଲା । ବର୍ତ୍ତମାନ ନିଜର ସ୍ୱତନ୍ତ୍ର ମତ ଦେବାର ଅଧିକାର ତା’ର ଆସିଲାଣି-। ତେଣୁ ସେ ଫେରି ଆସିଲେ ତା’ର କିଛି କ୍ଷତି ହେବନାହିଁ ।’

 

‘ଭାଇ ସାହେବ ! କଥାଟା କିନ୍ତୁ– ।’

 

‘ଯାହା ଆପଣ ଭାବନ୍ତୁ ।’

 

‘ଚିଠି କେଉଁଠୁ ଲେଖିଛି ?’

 

‘କଲିକତାରୁ ।’

 

‘ତେବେ ସେ କେବେ ଆସୁଛି ?’

 

‘ମୋର ବିଶ୍ୱାସ ସେ ଦିନେ ଦୁଇଦିନ ମଧ୍ୟରେ ଆସି ପହଞ୍ଚିଯିବ ।’

 

‘ତେବେ ତାକୁ କ’ଣ ଆପଣ ନିଜ ଘରେ ସ୍ଥାନ ଦେବେ ?’

 

‘କାହିଁକି ରଖିବି ନାହିଁ ? ସେ ତ ପୁଣି ମୋ ଝିଅ ।’

 

‘ଆପଣ ତା’ର ବିବାହ ଦେବେ ?’

 

‘ଯଦି ସେ ଯାହାକୁ ବାଛିବ ମୋର ସେ ପାତ୍ର ପସନ୍ଦ ହୁଏ ତେବେ କ୍ଷତି କ’ଣ ?’

 

‘ଆପଣ ଆପଣଙ୍କର ସମ୍ପତ୍ତିର ଅଂଶ ମଧ୍ୟ ତାକୁ ଦେବେ ?’

 

‘ମୁଁ ମଲାବେଳେ ସେ କଥା ବିଚାର କରାଯିବ । ବର୍ତ୍ତମାନ ସେ ବିଷୟରେ କିଛି କହିହେବ ନାହିଁ ।’

 

ଏହା ଶୁଣି ସରଦାର କର୍ତ୍ତାର ସିଂ ଗମ୍ଭୀର ହେଲେ । ଏହା ଦେଖି ବଡ଼ିୟାମ ସିଂ ପଚାରିଲେ, ‘କଥା କ’ଣ ସରଦାର ସାହେବ ?’

 

‘କଥା କ’ଣ କି, ମୁଁ ପ୍ରୀତମ୍‌ ସିଂକୁ ଲେଖିଥିଲି ଅମୃତ ଚିଠି ଦେଇଛି ବୋଲି । ସେ ପଚାରିଛି, ‘ଅମୃତ କେଉଁଠି ଅଛି ବୋଲି । ସେ ଠିକଣା ଜାଣିଲେ ନିଜେ ଯାଇଁ ଅମୃତ ସଙ୍ଗେ ଦେଖାକରି କଥାବାର୍ତ୍ତା କରିବ । ମୁଁ ମଧ୍ୟ ମନେ କରୁଛି ତାଙ୍କ ଦୁହିଁଙ୍କର ବିବାହ ହୋଇଗଲେ ଭଲ ହୁଅନ୍ତା । ପ୍ରୀତମ ଭାବୁଛି ସେ ଅମୃତ ସହିତ କଥାବାର୍ତ୍ତା କରି ତାକୁ ରାଜି କରେଇନେବ ।’

 

ଏକଥା ଶୁଣି ବଡ଼ିୟାମ ସିଂ ଆଶ୍ଚର୍ଯ୍ୟ ହେଲେ । ସେ ପଚାରିଲେ, ‘ସରଦାର କର୍ତ୍ତାର ସିଂ-! ଏକଥା କ’ଣ ପ୍ରୀତମ ସିଂକୁ ବର୍ତ୍ତମାନ ସୁଦ୍ଧା ଭଲ ଲାଗୁଛି ।’

 

‘ସେମାନେ ଆଜିକାଲିକା ପିଲା । ଏ କଣ ଆମ ଯୁଗ ହୋଇଛି ।’

 

‘କିନ୍ତୁ ଯେତେବେଳେ ହରଭଜନ ସିଂ କେଶ କଟେଇ ପକେଇଥିଲା, ସେତେବେଳେ ଆପଣ କହୁଥିଲେ ଯେ, ହରଭଜନକୁ ଘରୁ ବାହାର କରିଦିଅ । ଆଉ ବର୍ତ୍ତମାନ ତ ନିଜ ପୁଅପାଇଁ କିପରି ସୁପାରିଶ କରୁଛନ୍ତି !’

 

‘ରକ୍ତ ପାଣିଠାରୁ ଆହୁରି ଗାଢ଼ା ବୋଲି ।’

 

‘ତେବେ ବୁଝିଲି କର୍ତ୍ତାର ସିଂ ! ତୁମେ ମୋତେ ମୂର୍ଖ ମନେକରି ଏକଥା କହିଥିଲେ । ତେଣୁ ମୁଁ ପୁଅ ଉପରେ ରାଗ ହେଲି ।’

 

‘ତା ବୋଲି ପୁଅକୁ ତ ଆଉ ବାହାର କରି ଦେଲନାହିଁ !’

 

‘ତା’ର କାରଣ, ହରଭଜନର ମା’ର ବୁଦ୍ଧି ମୋ’ଠାରୁ ବେଶି ।’

 

‘ଯାହା କୁହ ବଡ଼ିୟାମ ସିଂ, ବର୍ତ୍ତମାନ ପଳେଇ ଯାଇଥିବା ଝିଅକୁ ଯିଏ ବିବାହ କରିବ ବୋଲି ଆଗଭର ହୋଇ ଆସିବ, ସେ ଗୋଟାଏ ପ୍ରଶଂସନୀୟ କାମ କରୁଛି ବୋଲି ବୁଝିବାକୁ ହେବ-।’

 

‘ଭଲ କଥା, ମୁଁ ତୁମକୁ ଧନ୍ୟବାଦ ଦେଉଛି । ଯଥାସମୟରେ ତୁମେ ମୋ ଆଖି ଖୋଲି ଦେଇଛ । ପ୍ରୀତମ୍‌କୁ ଲେଖିଦିଅ ଯେ ଅମୃତ ଲକ୍ଷ୍ନୌ ଆସିଲେ ସେ ଆସି ତା’ ସହିତ ଦେଖାକରି ତାକୁ ରାଜିକରାଉ ।’

 

‘ମୋର ଇଚ୍ଛା ଯେ ବର୍ତ୍ତମାନ ମଧ୍ୟ ସେ ଗୁରୁମୁଖ ହେଉ । ଯଦି ସେ ପ୍ରୀତମ୍‌କୁ ପସନ୍ଦ ନ କରେ ତେବେ ଅନ୍ୟ ଗୁରୁଙ୍କର କୌଣସି ଯୁବକ ସହିତ ସେ ଭେଟ କରୁ । ଗୁରୁ ତାକୁ ସାହାଯ୍ୟ କରିବେ ।’

 

‘ଫଳ ଏଇଆ ହେଲା ଯେ, ବଡ଼ିୟାମ ସିଂ ଅମୃତ ଆସିବା ପୂର୍ବରୁ ଆଉ ଜଣେ ପସନ୍ଦ ମୁତାବକ ଶିଖ୍‌ ଯୁବକ କାହାକୁ ପାଇବେ ବୋଲି ଆଖି ଫେରେଇଲେ । ସେ ବିଚାର କଲେ ଯେ, ଯେଉଁ ଲୋକଙ୍କ ସହିତ ଅମୃତ ପଳେଇଥିଲା ତାହା ସହିତ କୌଣସି କାରଣରୁ ବୋଧହୁଏ ଅପଡ଼ ହୋଇ ସେ ଫେରି ଆସୁଛି, ଏହି ଅବସ୍ଥାରେ ତାକୁ ଅନ୍ୟତ୍ର ବିବାହ ଦେବା ସୁବିଧା ଜନକ ହେବ ।

 

ଏ କଥା ଉଠିବାରୁ କେତେ କେତେ ଶିଖ୍‌ ଯୁବକ ବଡ଼ିୟାମ ସିଂଙ୍କ ପରି ଧନୀଲୋକର ଏକମାତ୍ର ସୁନ୍ଦରୀ ଶିକ୍ଷିତା କନ୍ୟାକୁ ବିବାହ କରିବେ ବୋଲି ଆଗଭର ହେଲେ ।

 

ଚିଠି ଆସିବାର ଦଶଦିନ ପରେ ଅମୃତ ଆସିଲା । ସକାଳୁ ବନାରସରୁ ଟେଲିଗ୍ରାମ ଆସିଲା ଯେ, ସେ ଡେରାଡ଼ୁନ ଏକ୍‌ସ୍‌ପ୍ରେସ୍‌ରେ ଲକ୍ଷ୍ନୌ ଆସୁଛି । ତାକୁ ଆଣିବାକୁ ହରଭଜନକୁ ଷ୍ଟେସନ ପଠାଗଲା । ବାପା ବୋଉ ନିଜେ ଯିବାଟାକୁ ପସନ୍ଦ କଲେ ନାହିଁ । ନିଜର ମଟର ନେଇ ହରଭଜନ ଷ୍ଟେସନରେ ପହଞ୍ଚିଲା । ସେ ଜାଣିବାକୁ ଇଚ୍ଛା କରୁଥାଏ ଯେ ଅମୃତ ଏକା ଆସିଛି ନାଁ ତା ସଙ୍ଗେ ଆଉ କେହି ଆସିଛି ।

 

ଅମୃତ ଏକା ଫାଷ୍ଟକ୍ଳାସ ଡବାରୁ ଓହ୍ଲେଇବାରୁ ତା’ର ବିସ୍ମୟର ସୀମା ରହିଲାନାହିଁ । ଅମୃତ ସେ ଡବାରୁ ଏକା ଓହ୍ଲେଇଲା ସତ କିନ୍ତୁ ତା ସାଙ୍ଗରେ ଥିଲା ଗୋଟାଏ ପ୍ରକାଣ୍ଡ ବେଡ଼ିଂ ଓ ବଡ଼ ଚମଡ଼ା ସୁଟ୍‌କେଶ । ତା’ର ପରିଧାନରେ ଦାମୀ ରେଶମୀ ଶାଢ଼ୀ, ମୁହଁରେ ପରିବର୍ତ୍ତନର କୌଣସି ଚିହ୍ନ ଦେଖାଯାଉ ନ ଥାଏ । ତାହାର ଚେହେରାରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖାଯାଉ ନ ଥାଏ । ପୂର୍ବପରି ଚେହେରାଟି ବେଶ୍‌ ସୁଢ଼ଳ ସୁନ୍ଦର । ପତିତ ହବାର କୌଣସି ଚିହ୍ନ ସେ ମୁହଁରେ ନାହିଁ । ଆଖିରେ ତା’ର ଚିରନ୍ତନ ଦିପ୍ତୀ, ସେଥିରେ ଲଜ୍ଜା ବା ସଙ୍କୋଚର କୌଣସି ଚିହ୍ନ ନାହିଁ ।

 

ଅମୃତ ହରଭଜନକୁ ଆଗେ ଦେଖିଲା । ସେ ହରଭଜନକୁ ହାତଯୋଡ଼ି ‘ସତ୍‌ ଶ୍ରୀ ଅକାଳ’ ବୋଲି ସମ୍ବୋଧନ କରିବାରୁ ହରଭଜନ ଆସି ତା’ଡ଼ବା ଦୁଆର ମୁହଁରେ ଠିଆହେଲା । ସେ ଗାଡ଼ିରୁ ଓହ୍ଲେଇବାରୁ ତାକୁ କୁଣ୍ଢେଇ ପକେଇ ତା’ମୁଣ୍ଡକୁ ଆଉଁସିଲା । ସେ ପଚାରିଲା, ‘ଅମୃତ, ତୁ ଆସିଲୁ ? କେମିତି ଥିଲୁରେ ?’

 

‘ଭାଇ, ତୁମେ ଭଲ ତ’, ଏହା କହୁ କହୁ ତା ଆଖିରୁ ପାଣି ଗଡ଼ିପଡ଼ିଲା ।

 

‘ହଁ ମୋର ସବୁ ଭଲ ।’

 

‘ବାପା ବୋଉ କିପରି ଅଛନ୍ତି ?’

 

‘ଠିକ୍‌ ଅଛନ୍ତି, ତୁ ଫେରିଆସି ଖୁବ୍‌ ଭଲ କରିଛୁ ।’

 

ଦୁହେଁ ଯେତେବେଳେ ମଟରରେ ଘରମୁହାଁ ହେଲେ ଅମୃତ ପଚାରିଲା, ‘ଭାଇ ତୁମର ବାହାଘର କେତେଦୂର ଗଲା ?’

 

‘ହରଭଜନ ସିଂ ଅମୃତକୁ ଚାହିଁ କହିଲା, ବର୍ତ୍ତମାନ ନୁହେଁ ।’

 

‘ତେବେ ବର୍ତ୍ତମାନ କିଛି ଠିକ୍‌ କରିନାହଁ ?’

 

‘ପରେ କହିବି । ତୁ ଆଗ କହ ଏତେ ଜିନିଷ ସବୁ କେଉଁଠୁ ପାଇଲୁ ।’

 

‘ମୁଁ ମୋର ଗୋଟିଏ ସାଙ୍ଗର ମାଉସୀଘରେ ରହୁଥିଲି । ସେ ମୋତେ ବହୁତ ସ୍ନେହ କରୁଥିଲେ । ଏ ସବୁ ସେ ଦେଇଛନ୍ତି ।’

 

‘କିନ୍ତୁ ଏ କଥା କଣ ? ତୋ ଚିଠି ଆସିଲା କଲିକତାରୁ, ତାର ଆସିଲା ବନାରସରୁ ଆଉ ତୁ ଆସିଲୁ ବର୍ଦ୍ଧମାନରୁ ।’

 

‘ଯଦି ଏହା କରି ନ ଥାନ୍ତି ତେବେ ବାପା ଯାଇଁ ମୋତେ ଧରିଆଣି ନ ଥାନ୍ତେ ? ଆଉ–’

 

‘ଆଉ କ’ଣ ?

 

‘ଆଉ କହି ପାରୁନାହିଁ । ମୋର ମଧ୍ୟ ଭୁଲ ହୋଇଛି । ମୋର ବିଶ୍ୱାସ ହୋଇଗଲା ଯେ ବାପା ମୋତେ ଜବରଦସ୍ତି ବାହାକରି ଦେଇଥାନ୍ତେ ।’

 

‘ଆଉ ମୁଁ କୁଆଡ଼େ ଚାଲିଯାଇଥାନ୍ତି ?’

 

‘ମୋତେ ତେବେ କ’ଣ ତୁମେ ରକ୍ଷା କରିଥାନ୍ତ ?’

 

‘କାହିଁକି ରକ୍ଷାକରି ନ ଥାନ୍ତି ? ତୋ ଇଚ୍ଛା ବିରୁଦ୍ଧରେ ମୁଁ ଥାଉଁ ଥାଉଁ କେବେହେଲେ ବିବାହ ହୋଇ ନ ଥାନ୍ତା, ସେ ଯାହା ହେଉ ପଛକେ ।’

 

‘ସତରେ ! ଏକଥା ମୁଁ ଜାଣି ନ ଥିଲି । ତେବେ ବର୍ତ୍ତମାନ ତ କିଛି କ୍ଷତି ହୋଇନାହିଁ ।’

 

‘ମୁଁ ଏକଥା ଭାବୁଛି । ଏକଥା ତୋତେ କିଏ କହିଲା ?’

 

‘ତୁମର ମନକଥା ମୋର ବନ୍ଧୁ ଖବର ଦେଉଥିଲେ ।’

 

‘ତୁ ଘରୁ ଏପରି ପଳେଇବାରେ ଘରର ଭାରି ବଦନାମ ହେଲା ।’

 

‘ମୁଁ ପଳେଇବାରେ ତମ ସମସ୍ତଙ୍କର ବହୁତ କଷ୍ଟ ହେଲା ?’

 

‘ଯାହା ହବାର ତ ହୋଇଗଲାଣି । ବର୍ତ୍ତମାନ କହ ଦେଖି କିପରି ତିନିମାସ କଟେଇଲୁ-?’

 

‘ମୋର ଶାରୀରିକ କଷ୍ଟ ତ ଟିକିଏ ହୋଇନାହିଁ । କିନ୍ତୁ ମାନସିକ ଦୁଃଖ ବରାବର ଥାଏ-। ତେଣୁ ଚିଠି ଦେବାକୁ ଡେରି ହେଲା ।’

 

‘ଯାହା କହ, ଏହା ଠିକ୍‌ କଲୁନାହିଁ । ତୋ’ର ବ୍ୟବହାରକୁ ନୀଳାଦେବୀ ମୋଟେ ପସନ୍ଦ କରୁ ନ ଥିଲେ ।’

 

‘ସେ ସବୁ ତ ଶେଷ ହେଲା, ବର୍ତ୍ତମାନ ମୋର କ’ଣ କରିବାକୁ ହେବ କୁହ ।’

 

‘ଯାହା ଘରକୁ ବର୍ତ୍ତମାନ ତୁ ଯାଉଛୁ ଏ କଥା ତାଙ୍କୁ ପଚାରିବୁ । ମୋର ତ ନିଜଘର ଏପର୍ଯ୍ୟନ୍ତ ହୋଇନାହିଁ ।’

 

‘ଦିଲ୍ଳୀ ପ୍ରଫେସରଙ୍କ ଝିଅ କଥା କ’ଣ ହେଲା ?

 

‘ତୁ ପଳେଇଯିବା କଥା ଶୁଣି ସେ ଆଉ କାହାକୁ ବାହା ହୋଇଗଲା ।’

 

‘ଆଉ ପ୍ରବୋଧ ବାବୁଙ୍କ ଭଉଣୀ ମାଧୁରୀର କଥା କ’ଣ ହେଲା ?’

 

‘ସେ ସବୁ ଠିକ୍‌, କିନ୍ତୁ ବହୁତ ବଛାବଛି ପରେ ଲୀଲାବତୀ କଥା ଠିକ୍‌ ହୋଇଛି ।’

 

‘ସୁଶୀଳର ତ ବିବାହ ହେଉଛି ।’

 

‘ହଁ, କାଲି ହେବ ।’

 

‘ହଁ, ମୋତେ ନିମନ୍ତ୍ରଣ ପତ୍ର ମିଳିଛି ।’

 

‘ସତରେ ! ତାକୁ କ’ଣ ତୋ ଠିକଣା ଜଣାଥିଲା ?’

 

‘ନାହିଁ । ମୋର ଯିଏ ସାଙ୍ଗ ସେ ସୁଶୀଳ ବାହାଘର ନିମନ୍ତ୍ରଣ ମୋ’ ପାଖକୁ ପଠେଇଥିଲା ।’

 

ଏହା ଶୁଣି ହରଭଜନ ଗମ୍ଭୀର ହେଲା ।

 

ମଟର ଏତେବେଳକୁ ଆସି ଘରେ ପହଞ୍ଚିଲାଣି । ଅମୃତ ମଟରରୁ ଓହ୍ଲାଇ ସିଧାସଳଖ ବାପାଙ୍କ ଶୋଇଲାଘର ଭିତରକୁ ଚାଲିଗଲା । ବାପା ଓ ବୋଉ ତାକୁ ଅପେକ୍ଷାକରି ସେଠାରେ ବସିଥିଲେ । ଅମୃତ ପହଞ୍ଚି ଦୁହିଙ୍କର ପାଦସ୍ପର୍ଶ କରି ସତ୍‌ ଶ୍ରୀ ଅକାଳ ବୋଲି କହି ଠିଆହେଲା ।

 

‘ଏକଥା କେଉଁଠୁ ଶିଖି ଆସିଲୁ ?’

 

‘ଯାହାପାଖରେ ଏ ତିନିମାସ ଥିଲି । ସେଠାରେ ଛୋଟମାନେ ବଡ଼ମାନଙ୍କର ପାଦ ଛୁଇଁ ପ୍ରଣାମ କରନ୍ତି ।’

 

‘ଆଚ୍ଛା, ବର୍ତ୍ତମାନ ବସ । କହତ କେଉଁଠି କିପରି ରହିଲୁ ?’

 

ଅମୃତ ବସିପଡ଼ିଲା । ବାପା ବୋଉ ମଧ୍ୟ ବସିଲେ । ସେତେବେଳକୁ ହରଭଜନ ସୋହନୁ ଜିମା ସବୁ ଜିନିଷ ଦେଇ ସେଠାକୁ ଆସିଲା । ସେ ଆସି କହିଲା, ‘ସେ ବହୁତ ଦୂରରୁ ଆସିଛି । ବଡ଼ କଷ୍ଟ ହୋଇଥିବ । ସେ ଆଗ ଆରାମ କରୁ ।’

 

ଅମୃତ କହିଲା, ‘ନାହିଁ ଭାଇ । କାଲି ମୋର ସୁଶୀଳ ବିଭାଘରକୁ ଯିବାର କଥା । କେତେ ସମୟ ଲାଗିବ ଜାଣେନାହିଁ । ମୋର ଇଚ୍ଛା, ଆଜି ବାପା ମୋ ବିଷୟରେ ଗୋଟାଏ କିଛି ନିଷ୍ପତ୍ତି କରିଦେବେ ।’

 

‘ଆମେ ପୁଣି କ’ଣ ମତ ଦେବୁ । ତୁ ତ ଲେଖିଥିଲୁ ତୋ ନିଜଇଚ୍ଛାରେ ବିବାହ କରିବୁ ? ତାହାହିଁ କର । ମୋର ଆପତ୍ତି ନାହିଁ । ଏଠାର ପରିସ୍ଥିତି ଏପରି ଯେ ଲୋକେ ତୋ’ର ସବୁ କର୍ମ ଜାଣିଲା ପରେବି ସେ ସବୁ ଭୁଲିଯିବାକୁ ଠିକ୍‌ ମନେକରିବେ । ମୁଁ ତୋ’ର ବିବାହରେ ଯେଉଁ ଧନ ଦେବି ତା’ର ଲୋଭ ବହୁତ ବେଶି ।’

 

‘ଭାଇ କହୁଥିଲେ ଯେ ମୁଁ ଘରୁ ପଳେଇବା ପରେ ଘରର ଭାରି ବଦ୍‌ନାମ୍‌ ହୋଇଛି ।’

 

‘ସେ ତ ହୋଇଛି, କିନ୍ତୁ ମୋର ଧନ ସେ ସବୁକୁ ଚାପିଦେଉଛି । ମୁଁ ଘୋଷଣା କରିଛି ତୋ’ର ବିଭାଘରରେ ମୁଁ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରିବି ।’

 

‘ଦୁଇ ଲକ୍ଷ ! ଆପଣ ଏହା ଘୋଷଣାକରି ମୋ ପ୍ରତି ଭାରି ଅନ୍ୟାୟ କରିଛନ୍ତି ।’

 

‘ଅନ୍ୟାୟ କ’ଣ କରିଛି ? ମୁଁ ତୋର ରକ୍ଷାପାଇଁ ଘରକୁ ତଳିତଳାନ୍ତ କରିଦେଇଛି ।’

 

‘ଯାହାର ରକ୍ଷାର ପ୍ରୟୋଜନ ନାହିଁ, ତାହାର ରକ୍ଷାପାଇଁ କିଛିବି ବ୍ୟୟ କରିବା ଅର୍ଥ ଦୁର୍ବଳତାକୁ ପ୍ରଶ୍ରୟ ଦେବା । ଆପଣ ଏହା ଘୋଷଣାକରି ମୋର ବ୍ୟବହାର ଅପମାନଜନକ ବୋଲି ମାନିନେଉଛନ୍ତି । ଆପଣଙ୍କ ବିଚାରରେ ମୋ’ର ଭାରି ଦୁଃଖ । ଯେତେ ଲୋକ ଆପଣଙ୍କ ପୁରସ୍କାର ଘୋଷଣାରେ ଆକୃଷ୍ଟ ହୋଇ ମୋତେ ବିବାହ କାରିବାକୁ ଆସିବେ ସେମାନେ ମୋତେ କୁଳଟା ମନେକରି ଆସିବେ । ଏହା ହୋଇ ପାରିବନାହିଁ ।’

 

‘ତେବେ କ’ଣ ହେବ ?’

 

‘ମୁଁ ଏଠାରୁ ଏକପଇସା ବି ଯୌତୁକ ନେଇ ଯିବିନାହିଁ । ଯାହାର ଖୁସୀ ସେ ମୋତେ ବିବାହ କରୁ ଅଥବା ନ କରୁ । କେବଳ ଏତିକି ନୁହେଁ, ମୁଁ ସ୍ପଷ୍ଟଭାବରେ ବୁଝେଇ ଦେବି ଯେ ମୋ ଜୀବଦ୍ଦଶାରେ ମୁଁ ଏ ଘରର ପଇସାଟିଏ ବି ନେବିନାହିଁ । ଯଦି ଆପଣ ମୋର ଏ ନିଷ୍ପତ୍ତି ପରେ ମୋତେ ଘରେ ସ୍ଥାନ ଦେବାକୁ ନାରାଜ ତେବେ ସ୍ପଷ୍ଟ କରି କୁହନ୍ତୁ । ମୁଁ ଅନ୍ୟତ୍ର ଚାଲିଯିବି ।’

 

‘କୁଆଡ଼େ ଚାଲିଯିବୁ ?’

 

‘ବର୍ତ୍ତମାନ ତ କାର୍ଲଟନ ହୋଟେଲକୁ ଚାଲିଯିବି, କାଲି ଅନ୍ୟ କେଉଁଠି ବନ୍ଦୋବସ୍ତ କରି ରହିବି ।’

 

ବଡ଼ିୟାମ ସିଂ ଆଶ୍ଚର୍ଯ୍ୟ ହୋଇ ଅମୃତ ମୁହଁକୁ ଚାହିଁ ରହିଗଲେ । ଉତ୍ତର ଦେଲା ହରଭଜନ ସିଂ । ସେ କହିଲା, ‘ମୁଁ ବୁଝୁଛି, ଅମୃତ ବାପାଙ୍କ କଥା ଠିକ୍‌ ବୁଝିନାହିଁ । ଏତେ ଯୌତୁକ ଦେବେ ବୋଲି ଘୋଷଣାକରି ବାପା ଅମୃତପ୍ରତି କିଛି ଅନ୍ୟାୟ କରିନାହାନ୍ତି । ଏହାଫଳରେ ଗୋଟିଏ ଯୋଗ୍ୟ ବର ଅମୃତକୁ ମିଳିଯିବାର ସମ୍ଭାବନା ବେଶି ।’

 

‘ଭାଇ, ଯିଏ ଟଙ୍କାଲୋଭରେ ମୋତେ ବିବାହକରିବାକୁ ଆସିବ ସେ କଦାପି ଭଲ ହୋଇପାରେ ? ତା’ପରେ ବାପାଙ୍କୁ ଚାହିଁ କହିଲା, ‘ନାହିଁ ବାପା ! ମୋ ବିବାହରେ ପଇସାଟିଏ ବି ଖର୍ଚ୍ଚ ହେବନାହିଁ ।’

 

‘ତେବେ ବିବାହ କେଉଁଠି ହେବ ?’

 

‘ସେ କଥାତ ମୁଁ ବର୍ତ୍ତମାନ ସୁଦ୍ଧା ଜାଣେନାହିଁ ।’

 

ଅମୃତ ବୁଝିଲା ସେ ତା’ ମନକଥା ବାପା ବୋଉଙ୍କୁ କହିଦେଇଛି ବୋଲି । ତେଣୁ ସେ ତାଙ୍କୁ ସବୁକଥା ବିଚାରକରି ଦେଖିବାକୁ ସମୟ ଦେଲା । ସେ ଉଠିପଡ଼ି କହିଲା, ‘ମୁଁ ବର୍ତ୍ତମାନ ଟିକିଏ ବିଶ୍ରାମ କରୁଛି ।’ ଏହା କହି ନିଜ ଘରଭିତରକୁ ପଶିଗଲା । ତା ପଛେ ପଛେ ହରଭଜନ ଯାଇ ସେଠାରେ ପହଞ୍ଚିଲା । ଅମୃତ ନିଜ ସୁଟକେଶ ଖୋଲି ଗାଧୋଇବାର ଜିନିଷତକ ଧରି ଗାଧୁଆଗର ଭିତରକୁ ଚାଲିଗଲା । ହରଭଜନ ସେଇଠି ବସି ତାକୁ ଅପେକ୍ଷା କଲା । ଅମୃତର ବିଛଣାକୁ ସୋହନୁ ଖୋଲିଦେଇଥିଲା । ତାକୁ ଦେଖି ହରଭଜନ ଆଶ୍ଚର୍ଯ୍ୟ ହେଲା । ବିଛଣାଟି ତା’ର ଗୋଟିଏ ରାଣୀର ବିଛଣାପରି ହୋଇଥିଲା । ରାତିରେ ଘୋଡ଼ି ହେବାପାଇଁ ସେଥିରେ ଯେଉଁ ଶାଲ ଥିଲା, ଅତିକମ୍‌ରେ ତା’ର ଦାମ ହେବ ପାଞ୍ଚଶ ଟଙ୍କା । ସେ ଭାବିଲା ଏ ପୁଣି ଅମୃତର କେଉଁ ସାଙ୍ଗ, ଯାହାର ମାଉସୀ ଏତେ ସବୁ ଦାମୀ ଜିନିଷ ଅମୃତକୁ ଦେଇପାରେ । ସୋହନୁ ବିଛଣାକୁ ଝାଡ଼ି ପଲଙ୍କଉପରେ ପକେଇଥିଲା । ଏତିକିବେଳେ ହରଭଜନ ସୋହନୁକୁ କହିଲା, ‘ଯା’ ଆମ ଦୁହିଙ୍କପାଇଁ ଖାଇବା ଏଠାକୁ ନେଇଆ ।’

 

ସୋହନୁ ଖାଇବା ଆଣିବାକୁ ଚାଲିଗଲା । ଅମୃତ ଗାଧୋଇସାରି ଯେଉଁ ଲୁଗା ପିନ୍ଧି ଗାଧୁଆଘରୁ ବାହାରିଲା ତାକୁ ଦେଖି ହରଭଜନ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘ଅମୃତ ! ତୋତେ ଏ ଲୁଗାସବୁ ତୋ’ସାଙ୍ଗର ମାଉସୀ ଦେଇଛନ୍ତି ?’

 

‘ହଁ ଭାଇ, ଇଏତ କିଛି ନୁହେଁ । ଆଉ ଅନେକ ଜିନିଷ ଦେଇଛନ୍ତି । ତୁମେ ଦେଖିବ କ’ଣ କ’ଣ ସବୁ ମୋତେ ଦେଇଛନ୍ତି ? ସେ ଯେତେବେଳେ ଜାଣିଲେ ଯେ ମୁଁ ସୁଶୀଳ ବିଭାଘରକୁ ଆସୁଛି ସେ ମୋତେ ପିନ୍ଧିବାପାଇଁ ଅନେକ ଗହଣା ଦେଇଛନ୍ତି ମୁଁ ମନାକରିବା ସତ୍ତ୍ୱେ । ବାହାଘର ପରେ ମୁଁ ସେସବୁ ତାଙ୍କୁ ଫେରେଇ ଦେଇପାରେ ।’

 

ଏହାକହି ସେ ସବୁ ଗହଣାର ସୁନ୍ଦର ସୁନ୍ଦର ବାକ୍‌ସ କାଢ଼ି ଦେଖେଇଲା । ସେ ସବୁକୁ ଦେଖି ହରଭଜନ ଆହୁରି ଆଶ୍ଚର୍ଯ୍ୟ ହେଲା । ଏତିକିବେଳେ ସୋହନୁ ଆସିଯିବାରୁ ସେ ଆଉ କିଛି ନକହି ଚୁପ୍‌ହୋଇ ରହିଲା । ମନେ ମନେ ଏ ରହସ୍ୟ କ’ଣ ବୋଲି ସେ ଭାବୁଥାଏ । ଯେଉଁ ଗହଣା ଦେଖିଲା ତା’ର ଦାମ କୋଡ଼ିଏ ତିରିଶ ହଜାରରୁ କମ୍‌ ହେବ ନାହିଁ ।

 

ଖାଇବା ପରେ ସୋହନୁ ବାସନ ନେଇ ଚାଲିଯିବାରୁ ସେ ତା’ ମନକଥା କହିଲା, ‘ଅମୃତ ! ମୋର ପୂରା ବିଶ୍ୱାସ ଅକାରଣରେ କେହି ଏତେ ଦାମୀ ଜିନିଷ ତୋତେ ଦେବ ନାହିଁ ।’

 

‘ହୋଇପାରେ, ମାଉସୀଙ୍କର ଏଥିରେ କିଛି ଉଦ୍ଦେଶ୍ୟ ଥିବ । କିନ୍ତୁ ମୁଁ ଯେତେଦୂର ଜାଣେ ମୁଁ ଏହା ପାଇବାପାଇଁ ତାଙ୍କୁ କୌଣସି ପ୍ରତିଶ୍ରୁତି ଦେଇନାହିଁ ।

Image

 

ଚତୁର୍ଥ ଭାଗ

(୧)

 

ଏଥର ଶିଶିରକୁମାର ବର୍ଦ୍ଧମାନରେ ପହଞ୍ଚି ଦେଖିଲା ଯେ ଅମୃତ ଭାରି ଅଧୀର ହୋଇପଡ଼ିଛି । ଏହା ଦେଖି ସେ ପଚାରିଲା, ‘ଅମୃତ କ’ଣ ହେଲା ? ତୁମେ କାହିଁକି ଲକ୍ଷ୍ନୌ ଚିଠି ଦେଲ ?’

 

‘ମୋର ଏଠାକୁ ଆସିବା ତିନିମାସରୁ ଉପର ହୋଉଗଲାଣି । ମୁଁ ଏଠାକୁ ଆସିବା ପରେ ସୁଶୀଳବାବୁଙ୍କ ମନରେ ଅନେକ ପରିବର୍ତ୍ତନ ହୋଇଛି । ସେଥିପାଇଁ ମୁଁ ଭାବୁଛି ମୋର ଭବିଷ୍ୟତପାଇଁ ଗୋଟାଏ କିଛି ନା କିଛି କର୍ମପନ୍ଥା ସ୍ଥିର କରିବାକୁ ହେବ । ଯେଉଁ ପ୍ରୟୋଜନରେ ମୁଁ ଏଠାକୁ ଆସିଥିଲି ତାହା ତ ପୂର୍ଣ୍ଣ ହେଲା । ମୁଁ ସାବାଳିକା ହେବା ପର୍ଯ୍ୟନ୍ତ ଏଠାରେ ଲୁଚିରହିବାକୁ ଇଚ୍ଛା କରୁଥିଲି, ବର୍ତ୍ତମାନ ତାହା ତ ହେଲା । ବର୍ତ୍ତମାନ ଆପଣ ଆସିଗଲେ । ମୋର ସେ ଚିଠିର କ’ଣ ପ୍ରତିକ୍ରିୟା ହେଲା, ତାହା ନିଶ୍ଚୟ ଜାଣି ଆସିଥିବେ ।’

 

‘ହଁ, ନୀଳାଠାରୁ ତା’ର ଖବର ପାଇଛି । ତୁମର ବାପା ତୁମର କଥା ମାନିବାକୁ ଓ ତୁମକୁ ତାଙ୍କ ଘରେ ସ୍ଥାନ ଦେବାକୁ ପ୍ରସ୍ତୁତ ଅଛନ୍ତି ।’

 

‘ତାହା ହେଲେ ଠିକ୍‌ ହେଲା, ମୁଁ ଏଥରକ ଯାଏ ।’

 

‘ତେବେ ମୋର ଆଉ ମାଉସୀଙ୍କର କ’ଣ ହେବ ?

 

‘ସେ କଥା ଆପଣ ଜାଣନ୍ତି । ଆପଣ କ’ଣ କରିବାକୁ ଚାହାନ୍ତି ?’

 

‘ଦେଖ ଅମୃତ ! ସୁଶୀଳର ତ ବିବାହ ହେଉଛି । ମୋ’ର ବିଶ୍ୱାସ ତୁମେ ସେଦିଗରୁ ବନ୍ଧନ-ମୁକ୍ତ ହେଲ । ବର୍ତ୍ତମାନ ଯଦି ତୁମେ ମୋତେ ବିବାହ କରିବାକୁ ପ୍ରସ୍ତୁତ ଥାଅ ତେବେ ତାହାର ଗୋଟିଏ ବ୍ୟବସ୍ଥା କରିବାକୁ ହେବ ।’

 

‘ମୁଁ ଆପଣଙ୍କ ମାଉସୀଙ୍କର ବୋହୂ ହେବାକୁ ପ୍ରସ୍ତୁତ, କିନ୍ତୁ ଆପଣଙ୍କର ସ୍ତ୍ରୀ ହେବାଟା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ ।’

 

‘ଧନ୍ୟବାଦ, ତେବେ ଆଜି ରାତିରେ ହିଁ ଆମର ବିବାହ ହୋଇଯିବ ।’

 

‘ବାଃ ! ମୋ କହିବାର କ’ଣ ଏହି ଅର୍ଥ ହେଲା ? ମୋର କହିବା କଥା ଏହି ଉଦ୍ଦେଶ୍ୟରେ ମୋତେ ଗୋଟିଏ ଯୋଜନା ପ୍ରସ୍ତୁତ କରିବାକୁ ହେବ । ବିବାହ ତ ବିଧିବିଧାନ ଅନୁସାରେ ହେବ ।’

 

ଶିଶିର ଅମୃତକୁ ଚାହିଁ ରହିଗଲା । ତା’ପରେ ଅମୃତ ତା’ ଯୋଜନା କଥା କହିଲା । ସେ କହିଲା, ‘ଆପଣ ମାଉସୀଙ୍କୁ କହନ୍ତୁ ଯେ ମୁଁ ସୁଶୀଳର ବିଭାଘରକୁ ଯିବି । ତେଣିକି ସେଠାକୁ ଗଲେ ବିବାହର ବ୍ୟବସ୍ଥା କରିବାକୁ ହେବ ।’

 

‘ତେବେ ଠିକ୍‌ ହେଲା । ମୁଁ ଆଜି ମାଉସୀଙ୍କୁ କହି ତାହାର ବ୍ୟବସ୍ଥା କରି ଦେଉଛି ।’

 

ସେହିଦିନ ରାତିରେ ଶିଶିର ମାଉସୀଙ୍କୁ କହିଲା, ‘ମାଉସୀ, ତୁମେ ତ ସୁଶୀଳକୁ ଜାଣ । ତା’ର ବିଭାଘର ହେଉଛି । ସେ ମୋତେ ଓ ଅମୃତକୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ଅମୃତର ଇଚ୍ଛା ସେ ବାହାଘରକୁ ଯିବାକୁ । ସେ ସୁଶୀଳକୁ ଭଲଭାବରେ ଜାଣେ ।’

 

ଅମୃତ ପାଖରେ ଥିଲା । ମାଉସୀ ପଚାରିଲେ, ‘ବୋହୂ ! ତୋର କ’ଣ ଇଚ୍ଛା ?’

 

‘ମା ! ଅନୁମତି ଦେଲେ ନିଶ୍ଚୟ ଯାଇପାରିବି ।’

 

‘ହଁ ବୋହୂ, ତୁ ଯା’, ମୋର ଆଶୀର୍ବାଦ ତାଙ୍କୁ ଦେବୁ । ଆଉ ଏଠାରୁ ଯାହା କିଛି ବିଭାଘରରେ ଉପହାର ଦେବାକୁ ଇଚ୍ଛା କରୁଛୁ ତାହା ସାଙ୍ଗରେ ନେଇ ଯା ।’

 

‘ମୁଁ ବଡ଼ କୃତଜ୍ଞ ଆପଣମାନଙ୍କଠାରେ’ । ‘ଏହା କହି ସେ ମାଉସୀଙ୍କର ଚରଣ ସ୍ପର୍ଶକଲା-। ପ୍ରତିମାଦେବୀ ତା’ ମୁଣ୍ଡରେ ହାତ ଦେଇ ପଚାରିଲେ, ‘ତେବେ କେବେ ଯିବୁ ଓ କେବେ ଫେରିବୁ-?’

 

‘ଆପଣ ଯେବେ କହିବେ ଓ ଯେତେ ଦିନ ପର୍ଯ୍ୟନ୍ତ ସେଠାରେ ରହିବାକୁ ଅନୁମତି ଦେବେ ।’

 

‘କେଉଁଠି ରହିବୁ ସେଠାରେ ?’

 

‘ସେ ଯେଉଁଠି ରଖିବେ ।’

 

‘ଦେଖ୍‍ ଶିଶିର ! ସୁଶୀଳ ଘରେ ଦିନେ ଓଳିଏରୁ ଅଧିକ ରହିବନାହିଁ । ସେଥିରୁ ଅଧିକ ରହିବାର ପ୍ରୟୋଜନ ମନେକଲେ ଗୋଟାଏ ଭଲ ହୋଟେଲ ଦେଖି ରହିଯିବ ।’

 

ଶିଶିର ସୁଶୀଳର ନିମନ୍ତ୍ରଣ ଦେଖାଇ କହିଲା, ‘ଆଜି ତ ଦୁଇତାରିଖ । ମୁଁ କାଲି ପଞ୍ଜାବମେଲରେ ଯାଇଁ ପରଦିନ ଲକ୍ଷ୍ନୌରେ ପହଞ୍ଚିବି । ଚାରିତାରିଖରେ ବିବାହ । ଆମେ ହୋଟେଲରେ ଯାଇଁ ଉଠିବୁ ଓ ସେଠାରୁ ବିବାହରେ ଯୋଗଦେବୁ । ବିବାହ ଛଅତାରିଖରେ ସରିଲେ ଆମେ ଆଠତାରିଖରେ ସେଠାରୁ ବାହାରି ନଅ ସକାଳେ ଆସି ବର୍ଦ୍ଧମାନରେ ପହଞ୍ଚିବୁ ।’

 

‘ଭଲକଥା । ମୁଁ ନଅତାରିଖକୁ ତୁମକୁ ଅପେକ୍ଷା କରିବି ।’

 

ଯୋଜନାର ପ୍ରଥମଭାଗ ତ ଶେଷ ହେଲା । ତା’ ପରଦିନ ସେମାନେ ପଞ୍ଜାବମେଲରେ ବର୍ଦ୍ଧମାନରୁ ବାହାରିଗଲେ । କିନ୍ତୁ ଅମୃତ ବନାରସରେ ଓହ୍ଳାଇ ଡେରାଡ଼ୁନ ଏକ୍‌ସପ୍ରେସରେ ଯାଇଁ ଲକ୍ଷ୍ନୌରେ ପହଞ୍ଚିଲା । ବନାରସରେ ସେ ଯେଉଁ ତିନିଘଣ୍ଟା ରହିଲା, ତାହାରି ଭିତରେ ସେ ବାପାଙ୍କପାଖରୁ ଗୋଟାଏ ତାର କରିଦେଲା ।

 

ତା’ପରଦିନ ଗାଧୁଆ ପାଧୁଆ ସାରି ସାମାନ୍ୟ କିଛି ଖାଇ ସେ ଯାଇଁ ସୁଶୀଳଘରେ ପହଞ୍ଚିଲା । ସେଠାରେ ପହଞ୍ଚି ସୁଶୀଳ ସହିତ ଦେଖା କରିବାକୁ ଇଚ୍ଛାକଲା । ସୁଶୀଳ ଅମୃତ ଫେରିବା କଥାଟା ଜାଣି ନ ଥିଲା । ତେଣୁ ବାହାରକୁ ଆସି ଅମୃତକୁ ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲା । ତାହାର ବିଶ୍ୱାସ ଥିଲା, ଶିଶିର ତାକୁ ଅନ୍ତତଃ ବାହାଘରର ଶେଷଯାଏ ଅଟକେଇ ରଖିବ । ଅମୃତ ସୁଶୀଳକୁ ଚୁପ୍‌ଚାପ୍‌ ହୋଇ ଠିଆହେବାର ଦେଖି ପଚାରିଲା, ‘କଥା କ’ଣ ସୁଶୀଳ ବାବୁ ! ଚୁପ ରହିଲେ ଯେ ? ମୁଁ ଆପଣଙ୍କ ବିବାହରେ ବାଧା ଦେଉନାହିଁ । ଶିଶିରବାବୁଙ୍କ ମାଉସୀ ଆପଣଙ୍କ ବୋହୂପାଇଁ ଉପହାର ଦେଇଛନ୍ତି । ମୁଁ କେବଳ ତାକୁଇ ଦେବାକୁ ଆସିଛି ।’

 

‘ଶିଶିର ଆସିଛି ନା ତୁମେ ଏକା ଆସିଛ ?’

 

‘ଶିଶିର ବାବୁ ଆସିଛନ୍ତି । ଅବଶ୍ୟ ମୁଁ ଏଠାକୁ ବର୍ତ୍ତମାନ ଏକା ଆସିଛି ।’

 

‘ମୋର ଇଚ୍ଛା ମାଉସୀଙ୍କ ଉପହାରକୁ ତୁମେ ଶିଶିର ହାତରେ ପଠେଇଦେବ !’

 

ଅମୃତ ଏହାର ଅର୍ଥ ବୁଝିପାରିଲା ନାହିଁ । ସୁଶୀଳପ୍ରତି ତା’ର ଭାରି ଘୃଣା ହେଲା । ତେଣୁ ସେ ଆଉ ସେଠାରେ ଠିଆ ନ ହୋଇ ବା ପଦେ ବି କଥା ନ କହି ଚାଲିଗଲା । ସେ ସୁଶୀଳକୁ ପଦେ ଅଧେ ଶୁଣେଇବ ବୋଲି ସେଠାକୁ ଯାଇଥିଲା । କିନ୍ତୁ ସୁଶୀଳ ତାକୁ ଦେଖୁ ଦେଖୁ ଯେପରି ଭାବରେ ଚାହିଁଲା, ତାକୁ ଦେଖି ତା ମନରେ ଭାରି ଗ୍ଳାନି ହେଲା ଏବଂ ସେ ସାଙ୍ଗେ ସାଙ୍ଗେ ସେ ସ୍ଥାନ ଛାଡ଼ି ଚାଲିଆସିଲା । ସେଠାରୁ ସେ ନୀଳାଦେବୀଙ୍କୁ ଭେଟିବାକୁ ତାଙ୍କ ଡାକ୍ତରଖାନାକୁ ଗଲା । ଇଚ୍ଛା ଥିଲା ସେଠାରେ ନୀଳାଦେବୀଙ୍କ ସାଙ୍ଗେ ଦେଖାକରି ନିଜ ଭାଇକୁ କହି ଶିଶିରକୁ ସେଠାକୁ ଡକେଇବ । ନୀଳାଦେବୀଙ୍କ ଡାକ୍ତରଖାନାରେ ପହଞ୍ଚି ଦେଖିଲା ନୀଳାଦେବୀ ଜଣେ ଲୋକସାଙ୍ଗରେ କଥାବାର୍ତ୍ତାରେ ବ୍ୟସ୍ତ । ତେଣୁ ସେ ଦୁଆରମୁହଁ ପାଖରେ ଠିଆହେଲା । ନୀଳାଦେବୀଙ୍କ ଆଖି ତା’ଉପରେ ପଡ଼ିବା ସାଙ୍ଗେ ସାଙ୍ଗେ ସେ ଉଠିଆସି ଅମୃତକୁ କୁଣ୍ଢେଇ ପକେଇଲେ ଓ ତାକୁ ତାଙ୍କପାଖରେ ନେଇ ବସେଇଲେ । ପଚାରିଲେ, ‘କେବେ ଆସିଲୁ ?’

 

‘କାଲି ସନ୍ଧ୍ୟାରେ ପହଞ୍ଚିଲି ।’

 

‘କୁଆଡ଼େ ଯାଇଥିଲୁ ।’

 

ଅମୃତ ହସି ଉଠିଲା । ନୀଳା ବୁଝିଲା ଯେ ଅମୃତ ସେ କଥା କହିବ ନାହିଁ । ତେଣୁ ସେ କହିଲା, ‘ଆଚ୍ଛା ବସ୍‌, ମୁଁ ଟିକିଏ ଏ ବାବୁଙ୍କ ସହିତ କଥା ଶେଷକରି ତୋ ସଙ୍ଗେ କଥାବାର୍ତ୍ତା ହେବି-।’

 

ସେ ପୁଣି କଥାବାର୍ତ୍ତା ଆରମ୍ଭ କଲେ ସେ ବାବୁଙ୍କ ସାଙ୍ଗରେ । ଅମୃତ ପାଖରେ ବସିଥାଏ । ସେ ବାବୁ କହିଲେ, ‘ହଁ, ମୁଁ କହୁଥିଲି, ଶିଶିରବାକୁ ଯେମିତି ଫେରିଲେ, ମୁଁ ସାଙ୍ଗେ ସାଙ୍ଗେ କାମକୁ ଯାଇଁ ପୋଲିସକୁ ଖବର ଦେଲି । ପୁଲିସକୁ ସାଙ୍ଗରେ ଆଣି କମ୍ୟୁନିଷ୍ଟ ପାର୍ଟି ଅଫିସରେ ଶିଶିରବାବୁଙ୍କୁ ଗିରଫ କରେଇଲି । ଆଜି ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ହାଜିର କରାଯିବ । ମୁଁ ପୋଲିସବାଲାଙ୍କୁ କହିଛି, ଆଜି ଯେପରି ସେ ଜାମିନ ନ ପାଆନ୍ତି । ସେ ମାଜିଷ୍ଟ୍ରେଟଙ୍କୁ କହି ତାହା କରିବେ ।’

 

ନୀଳା ଦେବୀ ତୃପ୍ତିର ନିଶ୍ୱାସ ମାରି ଉଠିଲେ, ‘ଠିକ୍‌ କଲେ । ଇଞ୍ଜଙ୍କସନ ମକଦ୍ଦମା କଥା କ’ଣ ହେଲା ?’

 

‘ତାହାର ଜବାବ୍‌ ମୁଁ ଠିକ୍ କରିଛି । ଦୁଇତିନିଦିନ ମଧ୍ୟରେ ପେଶ୍‌ କରିବି । ଏ କଥା ଯେ ଏଇଠି ଛିଡ଼ିବ ମୋର ମନେ ହେଉ ନାହିଁ । ଏଥିପାଇଁ ସୁପ୍ରିମ୍‌ କୋର୍ଟକୁ ଯିବାକୁ ପଡ଼ିବ ମନେ ହେଉଛି ।’

 

‘ଆଚ୍ଛା, ଆପଣ ବର୍ତ୍ତମାନ ଯାଆନ୍ତୁ । ମୁଁ ଠିକ୍‍ ଏଗାରଟା ବେଳେ କଚେରୀରେ ପହଞ୍ଚିବି-।’

 

ସେ ଭଦ୍ରବ୍ୟକ୍ତି ଚାଲିଯିବାରୁ ଅମୃତ ପଚାରିଲା, ‘ନୀଳାଦେବୀ ! ସେ ଶିଶିରବାବୁ କିଏ-?’

 

‘ଜଣେ କମ୍ୟୁନିଷ୍ଟ । କିଛିଦିନ ପୂର୍ବରୁ ସେ ପ୍ରବୋଧବାବୁଙ୍କ କାରଖାନାରେ ନିଆଁ ଲଗେଇ ଦେବାକୁ ବସିଥିଲେ । ସେଥିପାଇଁ ଚାରିଦିନ ହେଲା ତାଙ୍କ ନାମରେ ଓ୍ୱାରଣ୍ଟ ବାହାରିଥିଲା, କାଲି ତାଙ୍କୁ ଧରାଗଲା ।’

 

ଏ ସବୁ କଥା ବୁଝିବାପାଇଁ ଅମୃତ କ୍ଷଣକପାଇଁ ଚୁପ୍‌ ରହିଗଲା । ପରେ କହିଲା, ‘ତୁମେ ଠିକ୍‌ ଜାଣ ? ଏହା ପୁଲିସବାଲାଙ୍କର ଗୋଟାଏ ଚକ୍ରାନ୍ତ ନୁହେଁ ତ ?’

 

‘ନାହିଁ, ଏହା ମୁଁ ଠିକ୍‌ ଦେଖିଛି । ମକଦ୍ଦମା ତ ପୁଲିସ କରିଛି, କିନ୍ତୁ କାରଖାନାର କର୍ମଚାରୀମାନେ ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେଉଛନ୍ତି ।’

 

ଅମୃତର ମୁହଁର ରଙ୍ଗ ବିବର୍ଣ୍ଣ ହୋଇଗଲା । ତା’ର ଏପରି ଅବସ୍ଥା ଦେଖି ନୀଳା ପଚାରିଲା, ‘କ’ଣ ହେଲା ? ତୁ କ’ଣ ଶିଶିରକୁ ଜାଣୁ ?’

 

‘ସୁଶୀଳବାବୁଙ୍କ ବନ୍ଧୁ ଶିଶିରବାବୁ ତ ?’

 

‘ହଁ, ସେହି, କ’ଣ ହେଲା ?’

 

‘ତାଙ୍କୁ କୌଣସି ପ୍ରକାରେ ମୁକ୍ତ କରି ହେବନାହିଁ ?’

 

ନୀଳାଦେବୀଙ୍କ ମନରେ ସନ୍ଦେହ ହେଲା । ସେ ଅମୃତ ମୁହଁକୁ ଚାହିଁ ପଚାରିଲେ, ‘ଅମୃତ ! ଏ ଶିଶିର କିଏ ?’

‘ନୀଳାଦେବୀ ! ତୁମେ ତାଙ୍କୁ ମୁକୁଳେଇ ଆଣ । ତାଙ୍କ ସହିତ ମୋର ବିବାହ ସ୍ଥିର ହୋଇଛି ।’

 

‘ମୁକୁଳେଇ ଆଣିବି ? ହଁ, ଏହା ସମ୍ଭବ । କିନ୍ତୁ ସେ ମୋତେ ବହୁତ ହଇରାଣ କରିଛି ।’

 

‘ମୁଁ ସେ ସବୁ ସୁଧାରି ଦେବି ।’

 

କିଛିସମୟ ଭାବି ନୀଳା କହିଲା, ‘ତୋ କହିବା ସେ ଶୁଣିବେ ତ ?’

 

‘ମୋର ବିଶ୍ୱାସ ମାନିଯିବେ ।’

 

‘ତେବେ ମୋ ସାଙ୍ଗରେ ଚାଲ । ମୁଁ ତାଙ୍କ ସହିତ ତୋ’ର ଦେଖା କରେଇ ଦେବି । ଆଉ ତୁ ଯଦି ତାଙ୍କୁ ବୁଝେଇ ସୁଝେଇ ପ୍ରବୋଧବାବୁଙ୍କ ନାଁରେ ସେ ଯେଉଁ ମକଦ୍ଦମା କରିଛନ୍ତି, ତାକୁ ଉଠାଇ ନେବାକୁ ରାଜି କରେଇପାରୁ, ତେବେ ମୁଁ ପୁଲିସକୁ କିଛି ଦେଇ ତାଙ୍କୁ ମୁକୁଳେଇ ଆଣିପାରିବି ।’

 

‘ତେବେ ଚାଲ, ମୁଁ ତାଙ୍କୁ ବୁଝେଇ ଦେବି ଯେ ତୁମେ ମୋର ପରମ ବନ୍ଧୁ । ମୋ କଥା ତାଙ୍କୁ ମାନିବାକୁ ହିଁ ହେବ ।’

 

ଦୁହେଁ ପୁଲିସ ଥାନା ଆଡ଼େ ଚାଲିଲେ । ବାଟରେ ନୀଳା ଶିଶିର ସମ୍ବନ୍ଧରେ ସବୁକଥା ଅମୃତଠାରୁ ଶୁଣିଲା । ନୀଳା କହିଲା, ‘ଶିଶିର ବାବୁ ଅଟୋମୋବାଇଲ୍‌ ଓ୍ୟାର୍କସ ଇଉନିୟନର କର୍ତ୍ତା-। ପ୍ରବୋଧବାବୁଙ୍କ କାରଖାନାର କର୍ମଚାରୀମାନେ ଧର୍ମଘଟ କରି ନାନା ପ୍ରକାର ଅନର୍ଥ ସୃଷ୍ଟିକଲାରୁ, ସେ ତାଙ୍କ କାରଖାନାକୁ ବିକିଦେଲେ । ଏହି ବିକ୍ରି ଯେପରି ହୋଇନପାରିବ ସେଥିପାଇଁ ଇଉନିୟନର କର୍ତ୍ତା ହିସାବରେ ଶିଶିରବାବୁ ମକଦ୍ଦମା କରିଛନ୍ତି ଇଞ୍ଜଙ୍କସନ କରିବାପାଇଁ । ମୁଁ ଜାଣେ ଏ ଦାବୀ ବଳବତ୍ତର ହେବନାହିଁ । ତା’ ଉପରେ ପୁଣି ଯିଏ କାରଖାନା କିଣିବାକୁ ବାହାରିଛି, ତା’ ଉପରେ ମଧ୍ୟ ଅତ୍ୟାଚାର ଆରମ୍ଭ ହୋଇଛି । ଯଦି ଶିଶିରବାବୁ ସିଏ କରିଥିବା ମକଦ୍ଦମାକୁ ଉଠେଇ ନିଅନ୍ତି, ତେବେ ତାଙ୍କ ନାଁରେ କରାଯାଇଥିବା ମକଦ୍ଦମା ମଧ୍ୟ ଉଠାଇ ନିଆଯିବ ।’

 

ଥାନାରେ ଯାଇଁ ପହଞ୍ଚି ସେମାନେ ଇନଚାର୍ଜଙ୍କ ସହିତ ଦେଖା କଲେ ଓ ତାଙ୍କର ଅନୁମତି ନେଇ ହାଜତରେ ଶିଶିର ସହିତ ସାକ୍ଷାତ କଲେ । ଶିଶିର ଅମୃତକୁ ଦେଖି ଭାରି ରାଗିଲା-। ତାକୁ ଏପରି ଅବସ୍ଥାରେ ଦେଖି ଅମୃତ ନୀଳାଦେବୀଙ୍କୁ ଛାଡ଼ି ହାଜତର ଗୋଟାଏ ପାଖକୁ ଯାଇଁ ଶିଶିର ସଙ୍ଗେ ଏକୁଟିଆ କଥାବାର୍ତ୍ତା ଆରମ୍ଭ କଲା । ଅମୃତ କହିଲା, ‘କୁହନ୍ତୁ, ବର୍ତ୍ତମାନ କ’ଣ କରାଯିବ ?’

 

‘ମୋର ଆଜି ଜାମିନ୍‌ ମିଳିଯିବ ।’

 

‘ଆପଣଙ୍କର ଜାମିନ କିଏ ହେବ ?’

 

‘ସୁଶୀଳକୁ ଖବର ପଠେଇଛି ।’

 

‘ସେ କ’ଣ ଜାମିନ୍‌ ହେବାକୁ ଆସିବେ ?’

 

‘ନାହିଁ । ସେ ଆଉ ଜଣେ କାହାକୁ ପଠେଇବ ।’

 

‘କିଏ କହିବାକୁ ଯାଇଥିଲା ?’

 

‘ଗୋଟିଏ କନେଷ୍ଟବଳକୁ ଚିଠି ଦେଇ ପଠେଇଥିଲି ।’

 

‘ସୁଶୀଳଠାରୁ ସାହାଯ୍ୟ ପାଇବାର କିଛି ଆଶା ମୁଁ ଦେଖୁନାହିଁ ।’

 

‘ତେବେ ଜେଲରେ ରହିବି ଓ ମକଦ୍ଦମାରେ ଦୁଇଚାରିବର୍ଷ ଜେଲ ଭୋଗିଯିବି ।’

 

‘ଏତେ କ’ଣ ଆପଣଙ୍କ ଅପରାଧ ?’

 

‘ଗୋଟାଏ ଦିଗରୁ ଦେଖିଲେ ଅଭିଯୋଗ ସତ । ପ୍ରବୋଧର କାରଖାନାର ବାହାରେ ମୁଁ ଏକ ସଭା କରି ଧ୍ୱନିମାନ ଦେଇଥିଲି । ଏହାର ଫଳ ଏଇଆ ହେଲା ଯେ ଲୋକେ ପୁଲିସ ଘେରି ଭାଙ୍ଗି କାରଖାନା ଭିତରେ ପଶିଗଲେ ଓ ସେଠାରେ ଯନ୍ତ୍ରପାତି ଭଙ୍ଗାଭଙ୍ଗି କରିଦେଲେ । ପୁଲିସ ଯଦି ଠିକ୍‌ ସମୟରେ ଗୁଳି ଚଳେଇ ନ ଥାନ୍ତା, ତେବେ କାରଖାନାରେ ନିଆଁ ଲଗେଇ ଦେଇଥାନ୍ତେ ସେମାନେ ।’

 

‘କିନ୍ତୁ ଆପଣ ଏ ସବୁ କଲେ କାହିଁକି ?’ ଅମୃତ କାନ୍ଦ କାନ୍ଦ ହୋଇ କହିଲା ।

 

‘ପାର୍ଟିର ତଥା ପାର୍ଟିର ନେତାମାନଙ୍କ ନିର୍ଦ୍ଦେଶରେ ମୁଁ ଏହା କରିଛି ।’

 

‘କିନ୍ତୁ ଏହା କରିବାଟା କ’ଣ ଠିକ୍‌ ହେଲା ?’

 

ଶିଶିର ସେତେବେଳେକୁ ଅମୃତ ଆଖିର ଢଳ ଢଳ ଲୁହ ଟୋପାକୁ ଦେଖୁଥିଲା । ସେ ଅନ୍ୟମନସ୍କ ଭାବରେ କହିଦେଲା, ‘ମୁଁ ଏହା କରିବାକୁ ମନେ ମନେ ଚାହୁଁ ନଥିଲି ।’

 

‘ତେବେ ବର୍ତ୍ତମାନ ପ୍ରାୟଶ୍ଚିତ୍ତ କରନ୍ତୁ ।’

 

ହାଜତରେ ପଡ଼ି ତ ତା’ର ପ୍ରାୟଶ୍ଚିତ୍ତ କରୁଛି ।’

 

‘ଏହା ପ୍ରାୟଶ୍ଚିତ୍ତ ନୁହେଁ । ଏହା କୃତକର୍ମର ଫଳଭୋଗ ମାତ୍ର । ପ୍ରାୟଶ୍ଚିତ୍ତପାଇଁ ନୀଳାଦେବୀଙ୍କୁ କ୍ଷମା ମାଗନ୍ତୁ । ମୋର ଆଶା ଦେବୀ ପ୍ରସନ୍ନ ହୋଇ ବରଦାନ ଦେବେ ।’

 

‘ତେବେ ତୁମ ସାଙ୍ଗ ଆଗରେ ଯାଇଁ ଆଣ୍ଠୁ ମାଡ଼ି ବସିବି ?’

 

‘ନାହିଁ ଶିଶିରବାବୁ ! ଆପଣ ନିଜ ଭୁଲକୁ ସ୍ୱୀକାର କରନ୍ତୁ, ଆଉ ପ୍ରବୋଧ ବାବୁଙ୍କ ବିରୁଦ୍ଧରେ କରିଥିବା ମକଦ୍ଦମାକୁ ଉଠେଇ ନେବାକୁ ପ୍ରାର୍ଥନା କରନ୍ତୁ ।’

 

‘ନାହିଁ ଅମୃତ, ତୁମେ ଜାଣନାହିଁ, ଏ ଦୁଇ ମକଦ୍ଦମା ପରସ୍ପରଠାରୁ ପୃଥକ୍‌ । ମୋ ବିରୁଦ୍ଧରେ ପୁଲିସ ମକଦ୍ଦମା କରିଛି ଆଉ ପ୍ରବୋଧବାବୁଙ୍କ ବିରୁଦ୍ଧରେ ଇଉନିୟନ ମକଦ୍ଦମା କରିଛି-। ଗୋଟାକୁ ଉଠେଇନେଲେ ଅନ୍ୟଟା ଛାଏଁ ଛାଏଁ ଉଠିଯାଇ ପାରିବନାହିଁ ।’

 

‘ଆପଣ ଇଉନିୟନର କର୍ତ୍ତା ନା ?’

 

‘ନିଶ୍ଚୟ ।’

 

‘ଆଉ ସେ ଇଂଜଙ୍କସନ ମକଦ୍ଦମା ଆପଣ କରିଛନ୍ତି ନାଁ ?’

 

‘ମୁଁ ମକଦ୍ଦମା କରିଛି ସତ, କିନ୍ତୁ ଇଉନିୟନ ମକଦ୍ଦମା ଲଢ଼ୁଛି ।’

 

‘ଆପଣ ମକଦ୍ଦମା ଉଠେଇ ନେବାକୁ ପ୍ରାର୍ଥନା କଲେ କ’ଣ ମକଦ୍ଦମା ଉଠିଯାଇ ପାରିବନାହିଁ ?’

 

‘ହଁ, ଏ ମକଦ୍ଦମା ଉଠିଯିବ, କିନ୍ତୁ ଇଉନିୟନ ଆଉ ଗୋଟାଏ ମକଦ୍ଦମା ରୁଜୁ କରିପାରେ ତ ?’

 

‘ଇଉନିୟନର ଏହି ମକଦ୍ଦମାଦ୍ୱାରା କ’ଣ କାରଖାନା ବିକ୍ରି ବନ୍ଦ କରିଦେଇ ହେବ ?’

 

‘ଓକିଲ ତ କହୁଛି, ହେବ ।’

 

‘ମୁଁ କୌଣସି ଓକିଲଙ୍କ ମତାମତ ପଚାରୁନାହିଁ, ମୁଁ ଆପଣଙ୍କୁ ପଚାରୁଛି ।’

 

‘ଏ ମକଦ୍ଦମା କାରଖାନା କର୍ମଚାରୀଙ୍କର କିଛି ଉପକାର କରିବ ନାହିଁ । ଏହା କମ୍ୟୁନିଷ୍ଟ ପାର୍ଟିର ନେତାମାନଙ୍କ ନିର୍ଦ୍ଦେଶକ୍ରମେ କରାଯାଇଛି ।’

 

‘ତେବେ ଆପଣ କ’ଣ ଏ ମକଦ୍ଦମାକୁ ଭୁଲ ବୋଲି ଭାବୁଛନ୍ତି ?’

 

‘ଭୁଲ ଠିକ୍‌ ମୁଁ ଜାଣେ ନାହିଁ, ତେବେ ଏ କଥା ନିଶ୍ଚୟ ଯେ ଏଥିରେ କର୍ମଚାରୀଙ୍କର କିଛି ଲାଭ ହେବ ନାହିଁ ।’

 

‘ଦେଖନ୍ତୁ ଶିଶିରବାବୁ ଆମେ ସାଧାରଣ ବୁଦ୍ଧି ସମ୍ପନ୍ନ ଲୋକ, କୌଣସି କାର୍ଯ୍ୟ କରିବା ଉଚିତ କି ନୁହେଁ ସେ କଥା ସେ କାର୍ଯ୍ୟଦ୍ୱାରା କେତେ ପରିମାଣରେ ଲାଭ ବା କ୍ଷତି ହେବ ତହିଁରୁ ନିର୍ଦ୍ଧାରଣ କରିଥାଉଁ । ଆପଣ ନିଃସ୍ୱାର୍ଥଭାବରେ ଦୂରଦୃଷ୍ଟି ସହିତ ବିଚାର କରନ୍ତୁ କାରଖାନା ବିକ୍ରୀ ବନ୍ଦ ହେଲେ କାହାର ଲାଭ ହେବ ।’

 

ଶିଶିର ନିରୁତ୍ତର ରହିଲା । ସେ ଜାଣିଥିଲା ଯେ, ଏ ମକଦ୍ଦମା କେବଳ ପ୍ରବୋଧର କାରଖାନାକୁ କିଣିବାକୁ ଇଚ୍ଛା କରୁଥିବା ଲୋକଙ୍କୁ ସେଥିରୁ ନିବୃତ୍ତ ହେବାପାଇଁ କରାଯାଇଛି । ତାକୁ ଚୁପ୍‌ ରହିବା ଦେଖି ଅମୃତ କହିଲା, ‘ବର୍ତ୍ତମାନ ମୋ ଅବସ୍ଥା ଟିକିଏ ଚିନ୍ତା କରନ୍ତୁ । ମୋର ସବୁ ଯୋଜନା ବିଫଳ ହେବା ଉପରେ । ଆପଣ ନୀଳାଦେବୀଙ୍କୁ ମକଦ୍ଦମା ଉଠାଇଆଣିବା ପାଇଁ ପ୍ରାର୍ଥନା କରି ଲେଖିଦିଅନ୍ତୁ, ସେ ଆପଣଙ୍କୁ ମୁକୁଳେଇ ଦେବେ ।’

 

ଶିଶିର ତଥାପି ଚୁପ୍‌ । ଅମୃତ ତା ହାତକୁ ଧରି ନୀଳାଦେବୀଙ୍କ ସାମନାରେ ଆଣି ଛିଡ଼ା କରିଦେଲା । ନୀଳା ସାମନାରେ ଅମୃତ କହିଲା, ‘ନୀଳାଅପା, ୟେ ତ ନିଜର ଭୁଲ ସ୍ୱୀକାର କରୁଛନ୍ତି, କିନ୍ତୁ କିପରି ଏହା ସମ୍ଭବ ହେବ ସେ ଭାବିପାରୁ ନାହାନ୍ତି ।’

 

ନୀଳା ନିଜର ଓକିଲକୁ ଥାନାକୁ ଡକେଇ ଆଣିଥିଲା । ସେ ତାଙ୍କୁ କହି ସବ୍‌ଜଜ୍‌ କୋର୍ଟରେ କିପରି ପ୍ରାର୍ଥନାପତ୍ର ଦିଆଯିବ ତାହା ଲେଖେଇ ଶିଶିରର ଦସ୍ତଖତପାଇଁ ତା ହାତକୁ ବଢ଼େଇ ଦେଲା ।

 

ଶିଶିର ଦସ୍ତଖତ କରିବା ପୂର୍ବରୁ ପଚାରିଲା, ‘ଆଉ ମୋ ନାଁରେ ଯେଉଁ ମକଦ୍ଦମା ହୋଇଛି ତା’ର କ’ଣ ହେବ ?’

 

ତାହାର ଉତ୍ତର ଅମୃତ ଦେଇ କହିଲା, ‘ଆପଣ ଆପଣଙ୍କ କୃତକର୍ମର ପ୍ରାୟଶ୍ଚିତ୍ତ କରୁଛନ୍ତି ନା ଦରଦାମ କରୁଛନ୍ତି ? ସେ କଥା ନୀଳାଦେବୀଙ୍କ ଉପରେ ଛାଡ଼ିଦିଅନ୍ତୁ । ଆପଣ ଯାହା କରିଛନ୍ତି, ତା’ର ପ୍ରତିକାର ପାଇଁ ଏହା କରିଦିଅନ୍ତୁ ।’

 

ଶିଶିର ଥଙ୍ଗେଇ ମଙ୍ଗେଇ ହୋଇ ଦସ୍ତଖତ କରିଦେଲା । ନୀଳା ପୂର୍ବରୁ ପୁଲିସବାଲାଙ୍କ ସହିତ କଥାବାର୍ତ୍ତା କରି ରଖିଥିଲା । ସେଠାରୁ ସେ ଓକିଲବାବୁ, ଅମୃତ ଓ ଶିଶିରକୁ ନେଇ କଚେରୀକୁ ଗଲା ।

 

କଚେରୀକୁ ସୁଶୀଳର ଚାକର ଆସିଥିଲା । ଶିଶିର ଭାବିଲା ଯେ ସେ କୌଣସି ଜାମିନଦାର ଯୋଗାଡ଼ କରି ପଠେଇଥିବ, କିନ୍ତୁ ସେ ଚାକର ଯେତେବେଳେ ଶିଶିରକୁ ସୁଶୀଳର ଖଣ୍ଡେ ଚିଠି ଦେଲା ଆଉ ଶିଶିର ତାକୁ ପଢ଼ିଲା, ସେତେବେଳେ ତା’ ମୁହଁ କଳା ପଡ଼ିଗଲା । ସେ ଲେଖିଥିଲା, ‘ମୁଁ ତ ନିଜେ ଜାମିନ ହୁଅନ୍ତି ନାହିଁ, ତେବେ ବାପାଙ୍କୁ କହି ଜାମିନଦାର ଜଣେ ଯୋଗାଡ଼ କରିପାରିଥାନ୍ତି । ବାପା ନିଜେ ସରକାରୀ କର୍ମଚାରୀ ହୋଇଥିବାରୁ ସେ ଏ ସବୁ ରାଜନୈତିକ ଗଣ୍ଡଗୋଳ ଭିତରକୁ ଆସିବାକୁ ମନା କରିଦେଲେ । ତୁ ଅନ୍ୟ କୌଣସି ବ୍ୟବସ୍ଥା ଦେଖି କର ।’

 

ଶିଶିର ଅମୃତକୁ ସେ ଚିଠି ଦେଖାଇଲା । ସେ ଚିଠି ପଢ଼ି କହିଲା, ‘ତାଙ୍କଠାରୁ ମୁଁ ଠିକ୍‌ ଏହି ଆଶା କରିଥିଲି ।’

 

ମକଦ୍ଦମା ପଡ଼ିବାରୁ ଇଉନିୟନ ତରଫରୁ ଦୁଇଜଣ ଓକିଲ ଉପସ୍ଥିତ ହୋଇଗଲେ । ସେ ଦୁହିଙ୍କୁ ଶିଶିର ଆଗରୁ ଓକାଲତନାମା ଦସ୍ତଖତ କରି ଦେଇଥିଲା । କଚେରୀରେ ପହଞ୍ଚି ଶିଶିର ଯେତେବେଳେ ସେମାନଙ୍କୁ କହିଲା, ‘ମୁଁ ଏ ମକଦ୍ଦମା ଉଠାଇ ନେବାକୁ ଇଚ୍ଛା କରୁଛି, ’ ସେମାନେ ଉତ୍ତର ଦେଲେ, ‘ବର୍ତ୍ତମାନ ତାହା ହେବ ନାହିଁ ।’

 

‘କାହିଁକି ?’

 

‘ଆମେ ତୁମର ଓକାଲତନାମା ଫେରେଇବୁ ନାହିଁ ।’

 

‘ତେବେ ମୁଁ ଯାଇ ସବ୍‌ଜଜ୍‌ଙ୍କ ଆଗରେ ପରିଷ୍କାର କହିବି ଯେ, ‘ଏମାନେ ମୋ’ର ଓକିଲ ହୋଇ ମୋ କଥା ଶୁଣୁନାହାନ୍ତି ।’

 

ଏକଥା ଶୁଣି ଦୁଇଜଣଯାକ ଓକିଲ ମୁହଁ ଚାହାଁଚହିଁ ହୋଇ ସେଠାରୁ ଚାଲିଗଲେ । ନୀଳାଦେବୀଙ୍କ ଓକିଲ ଶିଶିରର ପ୍ରାର୍ଥନାପତ୍ର କୋର୍ଟରେ ଦାଖଲ କଲେ ଓ ମକଦ୍ଦମା ଉଠିଗଲା ।

 

ଇଉନିୟନର ଓକିଲ ଦୁଇଜଣଯାକ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ । ସେ ଦୁହେଁ ବାହାରେ ଛିଡ଼ା ହୋଇ ବିଚାର କରୁଥିଲେ, ବର୍ତ୍ତମାନ କ’ଣ କରିବେ । ଶିଶିର ମକଦ୍ଦମା ଉଠାଇନେଇ ଘରୁ ବାହାରି ଆସିବାରୁ ସେମାନେ ପଚାରିଲେ, ‘ଶିଶିରବାବୁ ! କଥା କ’ଣ ?’

 

‘ମକଦ୍ଦମା ଉଠେଇ ଅଣାଗଲା ।’

 

‘ପାର୍ଟିର ସ୍ୱୀକୃତି ନପାଇ ତୁମେ ଏହା କିପରି କଲ ?’

 

‘ମୁଁ ପାର୍ଟିଆଗରେ ମୋର ନିଜତ୍ୱକୁ ବିକିନାହିଁ ଏତେଦିନ ପର୍ଯ୍ୟନ୍ତ । ମୁଁ ମୂଳରୁ ଏ ମକଦ୍ଦମା କରିବାଟାକୁ ଭୁଲ ବୋଲି ମନେ କରୁଥିଲି ।’

 

‘ତୁମର ତେବେ ପାର୍ଟିରୁ ଇସ୍ତଫା ଦେବା ଉଚିତ ଥିଲା ।’

 

‘ବର୍ତ୍ତମାନ ଦେଇ ଦେଇଛି ।’

 

‘ତା’ପରେ ମଧ୍ୟ ତୁମେ ମକଦ୍ଦମା ଉଠାଇନେବାକୁ ଆସିଛ ?’

 

‘ମୁଁ ଇଉନିୟନର କର୍ତ୍ତାପଦରୁ ଇସ୍ତଫା ଦେଇନାହିଁ ।’

 

‘ଏକା କଥା ।’

 

‘ଆଇନରେ ଏ ଦୁହିଁଙ୍କ ଭିତରେ କୌଣସି ସମ୍ବନ୍ଧ ନାହିଁ ।’

 

‘ଇଉନିୟନ ବୈଠକ ଡକେଇ ସେ କଥା ବିଚାର କରାଯିବ ।’

 

‘ହଁ, ମୁଁ ଦିନେ ଦୁଇଦିନ ମଧ୍ୟରେ ବୈଠକ ଡକାଉଛି ।’

 

ଓକିଲ ଦୁହେଁ ଶିଶିରଆଡ଼କୁ ଅନେଇ ରହିଗଲେ ।

 

(୨)

 

ଶିଶିରର ମନ ପାର୍ଟିଉପରେ ତିକ୍ତ ହୋଇଯାଇଛି । ନୀଳାଦେବୀ ତା’ର ଓ ପାର୍ଟି ଓକିଲ ଦୁଇଜଣଙ୍କ କଥା ଶୁଣୁଥିଲେ । ସେ ତାଙ୍କୁ ଲକ୍ଷ୍ୟକରି କହିଲା, ‘ନୀଳାଦେବୀ ! ଆପଣ ଯଦି ପୁରୁଣା କର୍ମଚାରୀମାନଙ୍କୁ ପୁଣି ରଖି ନିଅନ୍ତି, ତେବେ ଯେଉଁ ବିଚାରରେ ମୁଁ ଏ ମକଦ୍ଦମା ଉଠେଇ ନେଇଛି, ତା ପୂରାମାତ୍ରରେ ସଫଳ ହେଲା ବୋଲି ଜାଣନ୍ତି ।’

 

‘ସେ ହେବ । ଆପଣ କର୍ମଚାରୀମାନଙ୍କୁ କହିଦିଅନ୍ତୁ, ସେମାନେ କାଲି କାରଖାନାରେ ଯାଇଁ ହାଜିରା ଦେବେ ।’

 

କୋର୍ଟରୁ ନୀଳା, ଅମୃତ ଓ ଶିଶିର ଘରକୁ ଫେରି ଆସିଲେ । ଡାକ୍ତରଖାନା ଖୋଲିବା ସମୟ ହୋଇ ଯାଇଥିଲା । ଘରୁ ଯାଇଁ ଖାଇ ଆସିବାକୁ ମଧ୍ୟ ସମୟ ନ ଥିଲା । ନୀଳାଦେବୀ ଶିଶିରକୁ ଲକ୍ଷ୍ୟକରି କହିଲେ, ‘ଆପଣ ବର୍ତ୍ତମାନ କୁଆଡ଼େ ଯାଉଛନ୍ତି ?’

 

‘ମୁଁ ତ ପାର୍ଟି ଅଫିସରେ ହିଁ ରହୁଥିଲି, କିନ୍ତୁ ବର୍ତ୍ତମାନ ଆଉ ସେଠାକୁ ଯିବିନାହିଁ । କୌଣସି ହୋଟେଲରେ ବର୍ତ୍ତମାନ ଖାଇ ନେଇ ପରେ ରହିବା କଥା ଚିନ୍ତା କରିବି ।’

 

‘ତେବେ ଚାଲନ୍ତୁ, ସାମନାରେ ତ ପଞ୍ଜାବ-ସିନ୍ଧ୍‌ ହୋଟେଲ୍‌, ସେଠାରେ ଖାଇନେବା, ଆଉ ମୁଁ ମଧ୍ୟ ତାହାରି ଭିତରେ କାରଖାନା ବିଷୟରେ କେତେକ କଥା ଆପଣଙ୍କୁ କହିଦେବି ।’

 

ସେମାନେ ହୋଟେଲ ଭିତରକୁ ଚାଲିଗଲେ ଓ ନୀଳାଦେବୀ ଖାଇବାର ଅର୍ଡର ଦେଇସାରି କଥା ଆରମ୍ଭ କଲେ । ସେ କହିଲା, ‘କାରଖାନା ବିକ୍ରି କରିବା କଥା କେବଳ କାଗଜ କଲମରେ, ଏକଥା ସତ । ଏହା ଫଳରେ ଏତିକି ହେଲା ଯେ, ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ପ୍ରବୋଧବାବୁଙ୍କର ବଦଳି ମଧ୍ୟ ସମ୍ଭବ ହୋଇପାରିଲା । ମୁଁ ସେ ବିଷୟରେ ତାଙ୍କ ସହିତ ବହୁତ ଆଳାପ ଆଲୋଚନା କରି ଯେଉଁ ଯୋଜନା ତିଆରି କରିଛି ସେଥିରେ ସେ ପୂର୍ଣ୍ଣଭାବରେ ଏକମତ-। ନୂଆ ସର୍ତ୍ତ ଅନୁସାରେ କାମ କରିବାକୁ ଯେଉଁ ଯେଉଁ କର୍ମଚାରୀ ପ୍ରସ୍ତୁତ, ମୁଁ ସେମାନଙ୍କୁ ତୁରନ୍ତ ଚାକିରୀରେ ନେଇଯିବି । ଆମେ ମଧ୍ୟ କର୍ମଚାରୀମାନଙ୍କର ଗୋଟିଏ କାଉନ୍‌ସିଲ ଗଢ଼ୁଛୁ, ମାତ୍ର ସେ କାଉନ୍‌ସିଲର ପରିସର ଅତ୍ୟନ୍ତ ସୀମିତ ହେବ । ମାଲିକ ଓ କାର୍ମଚାରୀଙ୍କର କାଉନ୍‌ସିଲରେ କି ଅଧିକାର ରହିବ ତାହାର ଏକ ନିଶ୍ଚିତ ନିୟମ କରାଯାଇଛି । କର୍ମଚାରୀମାନଙ୍କର କାମର କଠିନତା ଓ ଅଧିକତା ଦୃଷ୍ଟିରୁ ସେମାନଙ୍କର ବେତନହାର ନିର୍ଣ୍ଣୟ କରାଯିବ । ପ୍ରତି ତିନିମାସରେ କର୍ମଚାରୀଙ୍କର କାମର ରେକର୍ଡ଼ ପରୀକ୍ଷା କରାଯାଇ ସେମାନଙ୍କର ବେତନ ବଢ଼େଇ ଦିଆଯିବ ବା କମେଇ ଦିଆଯିବ । ଗୋଟିଏ ଫଣ୍ଡ କରାଯାଇ, ସେଥିରେ କର୍ମଚାରୀଙ୍କର ପରିବାରର ସୁବିଧା କରିଦେବାର ବ୍ୟବସ୍ଥା କରାଯିବ ।’

 

ଏ ବ୍ୟବସ୍ଥା ଶୁଣି ଶିଶିର ଭାରି ଖୁସି ହେଲା । ତା’ପରେ ତା’ ମନରେ ଗୋଟାଏ ସନ୍ଦେହ ଜାତ ହୋଇଥିଲା । ସେ ତାହାର ସ୍ପଷ୍ଟିକରଣ ଚାହୁଁଥିଲା । ସେ ପଚାରିଲା, ‘ଏ ଯେଉଁସବୁ ବ୍ୟବସ୍ଥା ଆପଣ କହିଗଲେ, ସେଗୁଡ଼ିକ ଅକ୍ଷରେ ଅକ୍ଷରେ ପାଳନ କରାଯିବା ତ ?’

 

‘ଏହା ଗ୍ୟାରେଣ୍ଟି ଦେଇ ଅବଶ୍ୟ କହି ହେବନାହିଁ, ତେବେ ଏ ବ୍ୟବସ୍ଥାକୁ ସସମ୍ମାନେ ପାଳନ କରିବାକୁ ଚେଷ୍ଟା କରାଯିବ । ସମ୍ମାନଜ୍ଞାନଥିବା ମନରେ ଗୋଟାଏ ଗୁଣ ଅଛି । ଆଇନ ଯେତେ ଭଲ ହୋଇଥାଉ ପଛକେ, ଆଇନକୁ ମାନି ଚଳିବା ଲୋକର ମନ ଯଦି ପବିତ୍ର ନ ହେଲା, ତେବେ ତାହା କାହାରି ଉପକାରକୁ ଆସିବ ନାହିଁ । ମାଲିକ ମନରେ ବର୍ତ୍ତମାନ ସୁଦ୍ଧା ଆଇନର ଖିଲାପ କରିବାର ଧାରଣା ନାହିଁ । ମୁଁ ବୁଝୁଛି ବିଶ୍ୱାସରୁ ବିଶ୍ୱାସର ଉତ୍ପତ୍ତି । ଯେବେ କର୍ମଚାରୀମାନେ ନିଜନିଜର ବ୍ୟବହାର ଠିକ୍‌ ରଖିବେ, ତେବେ ତାହାର ପ୍ରତିକ୍ରିୟା ମଧ୍ୟ ଠିକ୍‌ ହେବ-।’

 

ଶିଶିର ମନ ବଡ଼ ବିଚଳିତ ଥିଲା । ନୀଳାର କଥାରେ ତା’ମନରେ ପ୍ରତିକ୍ରିୟା ହେଲା । ସେ କମ୍ୟୁନିଷ୍ଟପାର୍ଟିର କାର୍ଯ୍ୟପନ୍ଥାରେ ନିରାଶ ହୋଇ ପଡ଼ିଥିଲା । ନୀଳାକଥାରୁ ସେ ପରିଷ୍କାର ବୁଝୁଥିଲା ଯେ, କର୍ମଚାରୀମାନେ ସନ୍ତୁଷ୍ଟ ରହିଲେ ମାଲିକର ଲାଭ ସୁନିଶ୍ଚିତ । ତଥାପି ସେ ପଚାରିଲା, ‘ନୀଳାଦେବୀ ! ମୁଁ ଗୋଟାଏ କଥା ଜାଣିବାକୁ ଇଚ୍ଛାକରୁଛି । ଆପଣ ଏ ସବୁ ବ୍ୟବସ୍ଥା ଶ୍ରମିକମାନଙ୍କ ପ୍ରତି ଦୟା ଦେଖେଇ କରିଛନ୍ତି ନାଁ ସେମାନଙ୍କୁ ଡରିକରି କରିଛନ୍ତି ?’

 

ନୀଳାଦେବୀ ହସିଉଠିଲେ । ସେ କହିଲେ, ‘ଗୋଟାଏ କଥା ଆପଣ ବୁଝୁନାହାନ୍ତି । ଯେଉଁ କାମ ଦୟା ବା ଭୟର ପ୍ରଭାବରେ କରାଯାଏ, ତାହା କଦାପି ସ୍ଥାୟୀ ହୋଇ ରହେନାହିଁ । ବାହାର ପ୍ରଭାବ ଚାଲିଗଲେ ସେ କାମ ବନ୍ଦ ହୋଇଯିବ । ଯେଉଁଥିରେ ଆତ୍ମାର ପ୍ରେରଣା ଅଛି, ତାହା ସ୍ଥାୟୀ ଓ ସମ୍ମାନର ସହିତ ନିଷ୍ପନ୍ନ ହୁଏ । ମୁଁ ଏକଥା ପରିଷ୍କାର ଜାଣୁଛି ଯେ ଶ୍ରମିକମାନଙ୍କ ପ୍ରତି ହେଉଥିବା ଭଲ ବ୍ୟବହାରଦ୍ୱାରା ଶେଷରେ ମାଲିକର ହିଁ ଲାଭ ହୁଏ । ମୁଁ ଭାବୁଛି ଏ କଥା କର୍ମଚାରୀମାନଙ୍କ ମୁଣ୍ଡରେ ପୁରେଇଦେବାକୁ ହେବ ଯେ, ନିଜର ଶ୍ରମ ଓ ଚେଷ୍ଟାଫଳରେ ଯେଉଁ କାମ ସେମାନେ କରୁଛନ୍ତି, ତାହା ସେହିମାନଙ୍କର ହିତପାଇଁ କରୁଛନ୍ତି ।’

 

‘ନୀଳା ଦେବୀ, ଆଉ ଗୋଟିଏ କଥା । ଆପଣଙ୍କ ବ୍ୟବସ୍ଥାରେ ୟୁନିଅନର ସ୍ଥାନ ରହିବ କେଉଁଠି ?’

 

‘କର୍ମଚାରୀ ନିଜନିଜର ଇଉନିୟନ କରିପାରନ୍ତି । ମୁଁ ତ ବୁଝୁଛି କର୍ମଚାରୀଙ୍କ କାଉନ୍‌ସିଲ ହିଁ ବାସ୍ତବରେ ଇଉନିୟନର କାମ କରିବ । ପ୍ରଭେଦ କେବଳ ଏତିକି ହେବ ଯେ, ଇଉନିୟନ ପରିଚାଳିତ ହେବ କମ୍ୟୁନିଷ୍ଟପାର୍ଟିର ନିର୍ଦ୍ଦେଶରେ ଆଉ କାଉନ୍‌ସିଲ ହେବ କାରଖାନାର କର୍ମଚାରୀମାନଙ୍କର ନିଜସ୍ୱ ଅନୁଷ୍ଠାନ । କୌଣସି ବାହାର ଲୋକର ହାତ ଏଥିରେ ରହିବ ନାହିଁ ।’

 

ଶିଶିର କିଛିସମୟ ଚିନ୍ତାକରି କହିଲା, ‘ମୁଁ ପାର୍ଟି ଛାଡ଼ିଦେଉଛି । ଯେଉଁଦିନରୁ ପ୍ରବୋଧବାବୁଙ୍କ କାରଖାନାରେ ଧର୍ମଘଟ କରାଯାଇଛି, ସେହିଦିନଠାରୁ ପାର୍ଟି ଓ ତା’ର କର୍ମପନ୍ଥାରେ ମୋର ଅବିଶ୍ୱାସ ଆସିଛି । ସେ କାମର ଢଙ୍ଗରେ ମୋର ଘୃଣା ଆସିଯାଇଛି । ଆଜି ମୋତେ ଅନେକ କଥା ସ୍ପଷ୍ଟଭାବରେ ଜଣାପଡ଼ିଛି । ମୁଁ ବୁଝିପାରୁଛି ଶ୍ରେଣୀସଂଘର୍ଷ ନୁହେଁ, ଶ୍ରେଣୀ ସହଯୋଗର ଆବଶ୍ୟକତା ଦେଶରେ ବେଶି ।

 

‘ସବୁଠାରୁ ପ୍ରକାଶଯୋଗ୍ୟ କଥା ହେଲା ରୁଷର କାର୍ଯ୍ୟପଦ୍ଧତି ଉପରେ ସେହି ରୁଷର କେତେକ ନେତାଙ୍କର ରହସ୍ୟ ଉଦ୍‌ଘାଟନ । ଆଜିକି ଆଠ ଦଶବର୍ଷ ତଳେ ଯେତେବେଳେ ପଞ୍ଝାଏ ଲୋକ ରୁଷରେ ରହି ରୁଷର ଅନାଚାର କଥା କହୁଥିଲେ, ସେମାନଙ୍କୁ ମୁଁ କହୁଥିଲି ଏମାନେ ଧନିକତନ୍ତ୍ରର ଦଲାଲ, ବୃଥାରେ ମାନବସମାଜର ବଦନାମ ପାଇଁ ଏ କଥା କହୁଛନ୍ତି । ଯେତେବେଳେ ସେହି ଲୌହପରଦା ଅନ୍ତରାଳରେ ଥାଇ କେତେଜଣ ସେମାନଙ୍କର ବିରୋଧର ସ୍ୱର ଉଠାଇଲେ; ଆମେ ଏଠାରେ ରେଶମୀ ପରଦା ଅନ୍ତରାଳରୁ ବିରୋଧର ସ୍ୱର ମଧ୍ୟ ଉଠେଇବାକୁ ଆରମ୍ଭ କଲୁ । କିନ୍ତୁ ରୁଷ ନେତାମାନଙ୍କର ଏହି ରହସ୍ୟ ଉଦ୍‌ଘାଟନ ଫଳରେ ଯେଉଁ ବୁର୍ଜ୍ଜୁୟା ମନୋବୃତ୍ତିର ଲୋକ ଏହାଙ୍କୁ ସମାଲୋଚନା କରି ଆସୁଥିଲେ, ସେମାନଙ୍କର କଥା ସତ ହେଲା ।

‘ମୁଁ ଏହା ବୁଝୁଛି ଯେ, ଭାରତର କମ୍ୟୁନିଷ୍ଟପାର୍ଟି ରୁଷର ବଲସେଭିକ୍‌ ଦଳର ପଦାଙ୍କ ଅନୁସରଣ କରି ଚାଲିଛି । କେବଳ କଥାର ଚାତୁରୀଦ୍ୱାରା ଲକ୍ଷ ଲକ୍ଷ ଯୁବକଙ୍କୁ ମୁର୍ଖ ବନେଇ ସମାଜରେ ଅବ୍ୟବସ୍ଥା ସୃଷ୍ଟି କରାଯାଇ କେବଳ ପ୍ରଭୃତ୍ୱ କାଏମ ରଖିବାର ଚେଷ୍ଟା କରାଯାଉଛି । ମୁଁ ଏସବୁ ଭଣ୍ଡାମିରେ ରହିବାକୁ ଚାହେଁନାହିଁ ।’

ନୀଳାଦେବୀ କହିଲେ, ‘ସଂସାରରେ ଶ୍ରେଣୀସଂଘର୍ଷ ତ ରହିଛି, କିନ୍ତୁ କାର୍ଲମାର୍କସ୍‌ ଯେଉଁ ଶ୍ରେଣୀ କଥା ଉଲ୍ଲେଖ କରିଛନ୍ତି, ସେ ଶ୍ରେଣୀ ଏ ନୁହେଁ । ଯେଉଁଠାରେ ଗୋଟିଏ ଶ୍ରେଣୀର ଲୋକର ଅନ୍ୟ ଶ୍ରେଣୀକୁ ଯିବାର ଅଧିକାର ଅଛି, ସେଠାରେ ଶ୍ରେଣୀସଂଘର୍ଷ ମାନିବା ଦରକାର ନାହିଁ । ମାଲିକ ଓ ଶ୍ରମିକମଧ୍ୟରେ ଏପରି ଏକ ଅଲଙ୍ଘନୀୟ ରେଖା ନାହିଁ ଯାହାକୁ ଉଭୟ ଅତିକ୍ରମ କରିପାରିବେ ନାହିଁ । ମାଲିକ କେଉଁଠି ଶ୍ରମିକ ହୋଇଛି ବା ଶ୍ରମିକ କେଉଁଠି ମାଲିକ ହୋଇଛି, ଏପରି ଉଦାହରଣ କ’ଣ କେଉଁଠି ଦେଖାଯାଇନାହିଁ । ବିଚାରିବାର କଥା ଏହି ଯେ ଏହି ରେଖାକୁ ଭଲଭାବରେ ପାରିହେବାର ଚେଷ୍ଟା କରିବାକୁ ହେବ । ଏକଥା ଶ୍ରେଣୀସଂଘର୍ଷଦ୍ୱାରା ସମ୍ଭବ ନୁହେଁ; ଶ୍ରେଣୀ ସହଯୋଗଦ୍ୱାରା କେବଳ ଏହା ସମ୍ଭବ ।

Unknown

‘ଦେଖନ୍ତୁ ଶିଶିରବାବୁ ! କମ୍ୟୁନିଜମ୍‌ର ପ୍ରସାର ବେଶି ଛାତ୍ର ଓ ଗୃହହୀନଙ୍କ ମହଲରେ । ଆପଣ ତ ବର୍ତ୍ତମାନ ଛାତ୍ର ନୁହନ୍ତି । ସଙ୍ଗେ ସଙ୍ଗେ ଆପଣ ଘର ମଧ୍ୟ ବାନ୍ଧନ୍ତୁ । ତେବେ ଯାଇଁ ଏ ‘ଇଜମ୍‌’ ଆପଣଙ୍କଠାରୁ ନିଃଶେଷ ହୋଇଯିବ ।’

‘ଚେଷ୍ଟା ତ କରୁଛି । ତେବେ ସଫଳତା ଏହାଙ୍କ ହାତରେ ।’ ଏହା କହି ସେ ଅମୃତଆଡ଼କୁ ଚାହିଁ ଟିକିଏ ହସିଦେଲା ।

 

(୩)

 

ଚାରିଟାବେଳକୁ ଅମୃତ ଘରେ ପହଞ୍ଚିଲା । ସେ ଘରେ ପହଞ୍ଚି ସିଧା ନିଜ କୋଠରୀ ଭିତରକୁ ଚାଲିଗଲା । ସେତିକିବେଳକୁ ହରଭଜନ ମଟରରେ କୁଆଡ଼େ ଯିବବୋଲି ସେଠାରେ ଠିଆହୋଇଥିଲା । ସେ ଅମୃତକୁ ଆସିବାଦେଖି ଗାଡ଼ିରେ ନ ଉଠି ଅମୃତ ପଛେ ପଛେ ତା ଘରଭିତରକୁ ଗଲା । ଅମୃତ ଥକ୍‌କାମାରି ଗୋଟିଏ ଚୌକିରେ ବସିପଡ଼ିଥିଲା । ହରଭଜନ ଆସି ପଚାରିଲା, ‘ଅମୃତ ! ଆଜି ଦିନସାରା ଥିଲୁ କେଉଁଠି ?’

 

ଅମୃତ ସୁଶୀଳଘରକୁ ଯିବାଠାରୁ ଆରମ୍ଭକରି ଶିଶିରକୁ ହୋଟେଲରେ ଛାଡ଼ି ଆସିବାପର୍ଯ୍ୟନ୍ତ ସବୁକଥା କହିଗଲା । ହରଭଜନ କହିଲା, ‘ବାପାଙ୍କପାଖକୁ ମଧ୍ୟ କେତେଲୋକ ତୋ ବିବାହ ପ୍ରସଙ୍ଗ ନେଇ ଆଜି ଆସି ସାରିଲେଣି ।

 

‘ମୁଁ ଜାଣେ ସେମାନେ ମୋ ପାଇଁ ଆସି ନ ଥିଲେ, ସେମାନେ ବାପାଙ୍କ ଧନଲୋଭରେ କେବଳ ଆସୁଛନ୍ତି । ମୋର ସେମାନଙ୍କ କଥାରେ କିଛି ଯାଏଆସେ ନାହିଁ ।’

 

‘ତେବେ ସେ ସବୁ କିପରି ହେବ ?’

 

‘ଶିଶିରବାବୁ ଆଜି ସଞ୍ଜକୁ ବାପାଙ୍କ ସହିତ ଦେଖା କରିବାକୁ ଆସିବେ । ମୁଁ ଚାହୁଁ ନାହିଁ ତାଙ୍କ ସମ୍ବନ୍ଧରେ କିଛି କଥା ମୁଁ ନିଜେ କହିବାକୁ । ମୁଁ ଜାଣିବାକୁ ଚାହୁଁଛି, ତାଙ୍କ କହିବାଦ୍ୱାରା ବାପାଙ୍କ ମନରେ କି ପ୍ରକାର ପ୍ରତିକ୍ରିୟା ହେଉଛି । ସେ କଥା ଜାଣିଲେ କଥା ଯାଇଁ ଆଗେଇବ ।’

 

‘ମୁଁ ଚାହୁଁଛି, ସେତେବେଳକୁ ମୁଁ ପାଖରେ ଥିଲେ ଭଲ ହୁଅନ୍ତା ।’

 

‘ତେବେ ଭାଇ, ଗୋଟାଏ କଥା କର । ତାଙ୍କ ସହିତ ହୋଟେଲରେ ଦେଖାକରି ଗୋଟାଏ ସମୟ ଠିକ୍‌ କର । ସେତିକିବେଳେକୁ ତାଙ୍କୁ ସାଙ୍ଗରେ ଧରି ଆସିବ ।’

 

‘ବର୍ତ୍ତମାନ ସର୍ଦ୍ଦାର କର୍ତ୍ତାର ସିଂଙ୍କ ପୁଅ ପ୍ରୀତମ ସିଂ ବାପାଙ୍କ ସାଙ୍ଗେ ବସି କଥାବାର୍ତ୍ତା କରୁଛି । ତା’ କଥା ମୋର ମୋଟେ ପସନ୍ଦ ନୁହେଁ । ସେଇଥିପାଇଁ ମୁଁ ସେଠାରୁ ଉଠି ଚାଲିଆସିଲି । ମୋର ବିଶ୍ୱାସ ବାପା ତାକୁ ତୋ’ପାଖକୁ ଆଣିବେ । ତୁ ଥା, ମୁଁ ଚାଲିଲି ।’

 

‘ଆଚ୍ଛା ତେବେ ଯାଅ, ମୁଁ ଟିକିଏ ବିଶ୍ରାମ କରେ ।’

 

ଅମୃତ ଟିକିଏ ବିଶ୍ରାମ କରିଛି କି ନାହିଁ, ବଡ଼ିୟାମ ସିଂ ପ୍ରୀତମକୁ ଧରି ଆସି ସେ ଘରେ ପହଞ୍ଚିଲେ । ସେ ଆସୁ ଆସୁ ପଚାରିଲେ, ‘ଅମୃତ, କୁଆଡ଼େ ଯାଇଥିଲୁ ?’

 

ପ୍ରଥମେ ସୁଶୀଳବାବୁଙ୍କ ଘରକୁ ଯାଇଥିଲି, ପରେ ନୀଳାଦେବୀଙ୍କ ସଙ୍ଗେ ସାକ୍ଷାତ କଲି-। ସେ ଏତେବେଳଯାକେ ଅଟକେଇଦେଲେ । ବର୍ତ୍ତମାନ ଆସୁଛି ।’

 

‘ଏ କିଏ ଜାଣୁ ?’ ପ୍ରୀତମ ସିଂ ଆଡ଼କୁ ଆଙ୍ଗୁଠି ଦେଖାଇ ବାପା ପଚାରିଲେ ।

 

‘ହଁ, ପିଲାଦିନୁ ତ ମୁଁ ତାଙ୍କୁ ଜାଣେ । ମୁଁ ଘରୁ ପଳେଇବା ପୂର୍ବରୁ ଆପଣଙ୍କ ସାଙ୍ଗରେ ମୋର ବିବାହ ପ୍ରସ୍ତାବ ଉଠିଥିଲା, ନା ?’

 

ଏ ପ୍ରକାର ଖୋଲାଖୋଲି କଥାରେ ବଡ଼ିୟାମ ସିଂଙ୍କ ଆଖି ତଳକୁ ହୋଇଗଲା । ପ୍ରୀତମ ସିଂ ଓ ସେ ଠିଆ ହୋଇଥିଲେ । ସେ ଦୁହିଁଙ୍କୁ ସ୍ୱାଗତ କରିବାକୁ ଅମୃତ ମଧ୍ୟ ଠିଆ ହୋଇଯାଇଥିଲା । କଥା ବଦେଳେଇବାକୁ ଯାଇଁ ବଡ଼ିୟାମ ସିଂ ପ୍ରୀତମ ସିଂକୁ ବସିବାକୁ କହି, ନିଜେ ମଧ୍ୟ ବସିପଡ଼ିଲେ । ଅମୃତ ବସିପଡ଼ିବାରୁ ପ୍ରୀତମ ସିଂ କଥା ଆରମ୍ଭ କଲା । ସେ କହିଲା, ‘ମୁଁ ଜାଣିଥିଲି ଯେ ତୁମେ ଘରୁ ପଳେଇଯାଇଛ । ତୁମେ ଫେରିଆସିବା ଖବର ପାଇ ତ ମୁଁ ଆସିଛି । ମୁଁ ତୁମ ସହିତ ଅଲଗା କଥା କହିବାକୁ ଚାହେଁ ।’

 

‘ବାପା ଏଠାରେ ଉପସ୍ଥିତ ରହିବେ ନାଁ ତାଙ୍କ ସହିତ ଆପଣ ପୃଥକ୍‌ ଭାବେ କଥାବାର୍ତ୍ତା କରିବେ ?’

 

‘ମୋର ଇଚ୍ଛା ତୁମେ ଓ ମୁଁ ଏକଲା ରହିଲେ ଭଲ ହୁଅନ୍ତା ।’

 

‘ଭଲ କଥା ।’ ଏହା କହି ଅମୃତ ବାପାଙ୍କ ଆଡ଼କୁ ଅନେଇଲା । ବଡ଼ିୟାମ ସିଂ ସବୁ ବୁଝିପାରି କହିଲେ, ‘କଥାବାର୍ତ୍ତା ସରିଲେ ତୁମେ ସାମନା ଲନ୍‌କୁ ଚା’ ଖାଇବାକୁ ଆସିବ । ମୁଁ ସେଠାରେ ତୁମ ଅପେକ୍ଷାରେ ରହିଲି ।’ ଏହା କହି ସେ ଘରୁ ପଦାକୁ ବାହାରିଗଲେ ।

 

ପ୍ରୀତମ ସିଂ କଥା ଆରମ୍ଭ କଲା । ସେ କହିଲା, ‘ଆପଣ ଯେତେବେଳେ ଛୋଟ ଥିଲେ ଓ ଆପଣଙ୍କ ମାଆଙ୍କ ଲୁଗା ଧରି ଧରି ଗୁରୁଦ୍ୱାରକୁ ଯାଉଥିଲେ, ସେହିଦିନୁ ମୁଁ ଆପଣଙ୍କୁ ଜାଣେ । ସେହିଦିନଠାରୁ ମୁଁ ଆପଣଙ୍କୁ ବିବାହ କରିବି ବୋଲି ମନେ ମନେ ସ୍ଥିର କରିଥିଲି । ତେଣୁ ଚାକିରୀ ପାଇବା ପରେ ପରେ ଆପଣଙ୍କ ପିତାଙ୍କ ପାଖକୁ ଖବର ପଠାଇଲି । ତାଙ୍କର କଥା ଅନୁସାରେ ସ୍ୱୀକାର ମଧ୍ୟ ଦିଆଗଲା ।’

 

‘ଆପଣ ଯାହା କହୁଛନ୍ତି ହୁଏତ ତାହା ଠିକ୍‌ ହୋଇପାରେ, କିନ୍ତୁ ଯେତେଦିନଠାରୁ ମୁଁ ଆପଣଙ୍କ ବିଷୟ ଜାଣିବାକୁ ପାଇଛି, ସେତେଦିନଠାରୁ ଆପଣଙ୍କୁ ସ୍ୱାମୀରୂପେ ଚିନ୍ତାକରିବାକୁ କାହିଁକି ମୋଟେ ଇଚ୍ଛା କରି ନାହିଁ ।’

 

‘କାହିଁକି ?’

 

‘ଦେଖନ୍ତୁ ସର୍ଦ୍ଦାର ପ୍ରୀତମ ସିଂ ! ମୁଁ, ମୋର ଯେତେଦୂର ମନେ ହେଉଛି, କାହିଁକି ଆପଣଙ୍କୁ ଗୁଆଁର ବୋଲି ମନେ କରିଛି । ମୁଁ ଏଠାରେ ଆପଣଙ୍କ ଭବିଷ୍ୟତ ଜୀବନ ବିଷୟରେ ବିଚାର କରିବାକୁ ବସିଛି । ସେହି କାରଣରୁ ମନର ଭାବକୁ ବୁଝେଇବାକୁ ଯାଇଁ ଯଦି ଆପଣଙ୍କ ମନରେ କଷ୍ଟ ଆସିବା ଭଳି ଗୋଟାକେତେ ଶବ୍ଦ ମୋ ପାଟିରୁ ବାହାରିଯାଏ, ସେଥିପାଇଁ ମୋତେ କ୍ଷମା ଦେବେ । ମୋତେ ଆପଣଙ୍କ ପୋଷାକ ପିନ୍ଧା, ଆପଣଙ୍କ କଥାବାର୍ତ୍ତା ଓ ଗୁରୁଦ୍ୱାରରେ ଆପଣଙ୍କ ବ୍ୟବହାର, କାହିଁକି ବରାବର ଅରୁଚିକର ବୋଲି ମନେହୁଏ ।

 

‘ପରେ ପୁଣି ଯେତେବେଳେ ଆପଣ କଲେଜରେ ପଢ଼ୁଥିଲେ ଓ ମୁଁ ସ୍କୁଲରେ ପଢ଼ୁଥିଲି, ସେତେବେଳେ ଆପଣ ଯେପରି ବୁଲିବୁଲି କଲେଜ ସ୍କୁଲର ଝିଅମାନଙ୍କୁ ଦେଖୁଥିଲେ, ସେଥିରେ ଆପଣଙ୍କ ପ୍ରତି ମୋର ଗୋଟାଏ ଖୁବ୍‌ ଖରାପ ଧାରଣା ଆସିଯାଇଛି । ଆହୁରି ଗୋଟାଏ କଥା, ମୁଁ ଏବେ ବି ବୁଝିବାକୁ ଅକ୍ଷମ ଯେ, ଜଣେ ପଢ଼ାଲେଖା ଜାଣିବା ଲୋକ କିପରି ବାସ୍ତବିକତାକୁ ଛାଡ଼ି ବାହାର କଥାରେ ଏପରି ଧ୍ୟାନ ଦେଇପାରନ୍ତି ! ଜଣେ ସେବାୟତ ଥରେ ଗୁରୁଗ୍ରନ୍ଥସାହେବଙ୍କ ଆଡ଼କୁ ପଛକରି ଠିଆ ହୋଇଯାଇଥିଲା ବୋଲି ଆପଣ ତାକୁ ଗୁରୁଦ୍ୱାରରୁ ବାହାର କରି ଦେଇଥିଲେ, ନାଁ ? ଆଉ ବାପା ଯେତେବେଳେ ସେ ସେବାୟତ୍‌କୁ କ୍ଷମା କରିବାକୁ କହିଲେ, ଆପଣ ତାଙ୍କର ବିରୋଧ କରିଥିଲେ, ନାଁ ?

 

‘ଏହାଠାରୁ ମଧ୍ୟ ଆହୁରି ଅନେକ କଥା ଅଛି, ଯାହାପାଇଁ କି ମୁଁ, ଜଣେ ସାଧାରଣ ବ୍ୟକ୍ତିଠାରୁ ଆପଣଙ୍କଠାରେ ଅଧିକ କିଛି ବିଶେଷତ୍ୱ ଅଛି ବୋଲି ମନେ କରିପାରୁ ନାହିଁ । ଆପଣଙ୍କ ଉପରେ ମୋର ଧାରଣା ଯେତେବେଳେ ଏପରି, ସେତେବେଳେ ଆପଣଙ୍କ ସହିତ ବିବାହ କରିବା କଥା ଚିନ୍ତା ନ କରିବା ହିଁ ସ୍ୱାଭାବିକ ।’

 

ପ୍ରୀତମ ସିଂ ଏହିଠାରେ କହିଲା, ‘କିନ୍ତୁ ମୁଁ ତ ବର୍ତ୍ତମାନ ଆଉ ସେ ପ୍ରୀତମ ସିଂ ନାହିଁ; ଶିଖ୍‌ମାନଙ୍କ ମଧ୍ୟରେ ମୁଁ ଜଣେ ଉଦାରପନ୍ଥୀ ବୋଲି ତ ବର୍ତ୍ତମାନ ବିବେଚିତ ।’

 

‘ସତରେ ?’

 

‘ମୁଁ ଏ ବିଷୟରେ ଆପଣଙ୍କ ବାପାଙ୍କ ପାଖକୁ ଲେଖିଥିଲି ।’

 

‘କ’ଣ ଲେଖିଥିଲେ ?’

 

‘ଲେଖିଥିଲି ଯେ, ଆପଣଙ୍କ ବିଚାରର ମୁଁ ଜଣେ ସମର୍ଥକ । ଆପଣଙ୍କ ପ୍ରଗତିଶୀଳ ବିଚାରପାଇଁ ଆପଣ ଆଜି ମୋର ଅଧିକ ପ୍ରିୟ ।’

 

‘କିନ୍ତୁ ଆପଣଙ୍କ ଚରିତ୍ରରେ ଯେ କିଛି ପରିବର୍ତ୍ତନ ଆସିଛି, ମୁଁ ତ କାହିଁକି ଲକ୍ଷ୍ୟ କରିପାରୁନାହିଁ ।’

 

‘ଚାକିରିପାଇଁ ଏପରି ଆଚରଣ ଗ୍ରହଣ କରିବାକୁ ପଡ଼ୁଛି । ଦେଖନ୍ତୁ ! ମୁଁ ଥାର୍ଡକ୍ଳାସ ଏମ୍‌.ଏ., ତା’ପରେ ଗୋଟିଏ ସ୍କୁଲ ଇନ୍‌ସପେକ୍ଟର ଚାକିରି ମଧ୍ୟ ପାଇଛି । କେବଳ କେଶଧାରୀ ଶିଖ୍‌ ହୋଇଥିବାରୁ ଚାକିରୀ ପାଇବା ସମ୍ଭବ ହୋଇଛି । ପଞ୍ଜାବରେ ଶିଖ୍‌ମାନଙ୍କର ସ୍ଥିତି ହିନ୍ଦୁମାନଙ୍କର ଦୁଇ ଦଳ ଉପରେ ନିର୍ଭର କରୁଛି । ତେଣୁ ହିନ୍ଦୁମାନେ ବର୍ତ୍ତମାନ ଶିଖ୍‌ଙ୍କୁ ସନ୍ତୁଷ୍ଟ ରଖିବାକୁ ବରାବର ଚେଷ୍ଟା କରୁଛନ୍ତି । ମୁଁ ଶିଖ୍‌ ବୋଲି ଏତେକ ଲାଭ ଉଠାଇ ପାରିଛି ।’

 

‘ତେବେ ଚାକିରୀ ଯୋଗୁଁ ଆପଣ ଏପରି କରିଛନ୍ତି । ପ୍ରକୃତରେ ଆପଣ ଶିଖ୍‌ଧର୍ମରେ ବିଶ୍ୱାସ କରନ୍ତି ନାହିଁ ?’

 

‘ସେ କଥା ନୁହେଁ । ମୁଁ ମନରେ ଶିଖ୍‌, କିନ୍ତୁ ଏସବୁ କେଶ, କଡ଼ା, କଛାର ଆବଶ୍ୟକତା ମୁଁ ବୁଝେ ନାହିଁ ?’

 

‘ମୁଁ ବୁଝିଲି, ଆପଣ ବଡ଼ ଦୁର୍ବଳ । ତେଣୁ କେଉଁଟା ଆବଶ୍ୟକ ପୁଣି କେଉଁଟା ଅନାବଶ୍ୟକ ତା ମଧ୍ୟରେ ପାର୍ଥକ୍ୟ ଧରିପାରନ୍ତି ନାହିଁ ।’

 

‘ଦେଖନ୍ତୁ ! ଆଜିକାଲି ପଞ୍ଜାବରେ ଶିଖ୍‌ ଓ ହିନ୍ଦୁଙ୍କ ମଧ୍ୟରେ ଭାରି କହଳ ଲାଗିଛି । ଅତି ନିକଟଭବିଷ୍ୟତରେ ଶିଖ୍‌ମାନଙ୍କୁ ଗୋଟାଏ ଜୀବନମରଣ ପ୍ରଶ୍ନର ସମ୍ମୁଖୀନ ହେବାକୁ ହେବ । ସେହି ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଖ୍‍କୁ, ଯେଉଁମାନେ କି ଶିଖ୍‌ ସମ୍ପ୍ରଦାୟର ହିତ କାମନା କରନ୍ତି, ସେମାନଙ୍କୁ ପ୍ରକଟ ଭାବରେ ଶିଖ୍‍ ହୋଇ ରହିବାକୁ ହିଁ ହେବ । ତା ନ ହୋଇଥିଲେ ମୁଁ ଆପଣଙ୍କର ବହୁ ପୂର୍ବରୁ ଏ ସବୁ ଜଞ୍ଜାଳରୁ ମୁକ୍ତି ନେଇଥାଆନ୍ତି ।’

 

‘ବଡ଼ ବିଚିତ୍ର କଥା ! ଆପଣ ଶିଖ୍‍ଧର୍ମର ରକ୍ଷା ଲାଗି ଏପରି ତ୍ୟାଗ ଓ କଷ୍ଟ ସ୍ୱୀକାର କରୁଛନ୍ତି । କିନ୍ତୁ ମୁଁ ଏହା ବୁଝିପାରୁନାହିଁ ଯେ, ଏହାକୁ ରକ୍ଷା କରିବାର ଆବଶ୍ୟକତା କେଉଁଠି ?’

 

‘ଗୁରୁମହାରାଜ ଯେଉଁ ଶିକ୍ଷା ଦେଇଛନ୍ତି, ତାକୁ ରକ୍ଷା କରିବାର ଆବଶ୍ୟକତା ପୁଣି ଅଛି ତ ?’

 

‘ରକ୍ଷା ତ ଏପରି ମଧ୍ୟ ହେବ । ଗୁରୁ ଗ୍ରନ୍ଥସାହେବଙ୍କୁ ବିଭିନ୍ନ ଭାଷାରେ ଅନୁବାଦ କରି ପ୍ରକାଶକରି, ତାକୁ ବାଣ୍ଟିଲେ, ଏ ଧର୍ମକୁ ରକ୍ଷାକରିବା ଆହୁରି ସହଜ ହେବ । ଏବେ ବି ହିନ୍ଦୁମାନେ ଆଗ୍ରହର ସହିତ ଗୁରୁମହାରାଜଙ୍କ ବାଣୀ ଶୁଣନ୍ତୁ । ତେବେ ହିନ୍ଦୁଧର୍ମରୁ ଶିଖ୍‌ ଧର୍ମ ସ୍ୱତନ୍ତ୍ର ହେଲା କିପରି ? ମୁଁ ତ ଦରବାର ସାହେବରେ ପଢ଼ିଛି;

 

‘କହତ କବୀର ଅବର ନହୀଁ କାମା,

ହମରେ ମନଧନ ରାମକୋ ନାମା

ରାମ ସିମର ରାମ ସିମର ରାମ ସିମର ଭାଇ

ରାମ ନାମ ସିମରଣ ବିନୁ ବୁଡ଼ତେ ଅଧିକାଇ ।

ବନିତା ସୁତ ଦେହ ଗ୍ରେହ ସମ୍ପତ୍ତି ସୁଖଦାଇ

ଇହ୍ନ ମେଁ କଛୁ ନାହୀଁ ତେରୋ କାଳ ଅବଧି ଆୟୀ ।

ଅଜାମଳ ଗଜ ଗନିକା ପତିତ କରମ କୀନେ

ଢେଉ ଉତରି ପାରି ପରେ ରାମ ନାମ ଲୀନେ

ସୁକର କୁକର ଯେନି ଭ୍ରମେ ତଉଲାଜ ନ ଆୟୀ

ରାମ ନାମ ଛାଡ଼ି ଅମୃତ କାହେ ବିଖୁଁଖାଇ ।

 

ଏହି ବାଣୀକୁ ତ ଯେ କୌଣସି ହିନ୍ଦୁ ପସନ୍ଦ କରିବ ।’

 

‘ନାହିଁ ଅମୃତଦେବୀ ! କଥା ତାହା ନୁହେଁ । ଯଦି ଶିଖ୍‍ଙ୍କୁ ଅଧିକାର ନ ମିଳିବ ତେବେ କିଏ କାହିଁକି ଶିଖ୍‌ ଧର୍ମ ମାନିବ ?’

 

‘ଅଧିକାର କାହାଠାରୁ ଆପଣ ଚାହାନ୍ତି ? ଯାହା ଆପଣଙ୍କର ନାହିଁ ହିନ୍ଦୁଙ୍କର ଅଛି ?’

 

‘ମୋର ଧାରଣା ଯେ, ଯଦି କୌଣସି ଗୋଟିଏ ରାଜ୍ୟ ଉପରେ ଶିଖ୍‍ଙ୍କର ପ୍ରଭୃତ୍ୱ ରହିବନାହିଁ, ତେବେ ଜଣେ ହେଲେ ଶିଖ୍‌ ଆଉ ରହିବେ ନାହିଁ ।’

 

‘ଶିଖ୍‍ ଧର୍ମ ଅତ୍ୟନ୍ତ ଭଲ ହେବା ସତ୍ତ୍ୱେ କ’ଣ ଲୋକ ଏ ଧର୍ମ ଛାଡ଼ିଦେବେ ?’

 

ପ୍ରୀତମ ସିଂହର ଏତିକିବେଳେ ମନେହେଲା ସେ ଶିଖ୍‌ ହିନ୍ଦୁ ବିବାହ କଥା ପକେଇ ନିଜର ଏଠାକୁ ଆସିବାର ଉଦ୍ଦେଶ୍ୟ ଭୁଲିଯାଉଛି । ସେଥିଯୋଗୁଁ ସେ କଥା ବଦଳେଇ କହିଲା, ‘କିନ୍ତୁ ଅମୃତ ଦେବୀ ! ଏ କଥା ସହିତ ବିବାହର କ’ଣ ସମ୍ପର୍କ ଅଛି ? ମୁଁ ଆପଣଙ୍କୁ ବହୁତ ସୁଖରେ ରଖିବି ଓ ଆପଣଙ୍କୁ ସ୍ୱାଧୀନତା ଉପରେ କେବେହେଲେ ବାଧା ଦେବି ନାହିଁ ।’

 

‘ଆପଣଙ୍କ ଏ ଆଶ୍ୱାସନା ପାଇଁ ମୁଁ ଖୁବ୍‌ କୃତଜ୍ଞ । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ମୁଁ ଜଣେ ଶିଖ୍‌ ଓ ଜଣେ ହିନ୍ଦୁ ଭିତରେ କିଛି ପାର୍ଥକ୍ୟ ଦେଖୁନାହିଁ । ଶିଖ୍‌ ଓ ହିନ୍ଦୁ ଧର୍ମ ଭିତରେ ପ୍ରଭେଦ ଥିଲାଭଳିଆ ମୁଁ କିଛି ଦେଖୁନାହିଁ । ମୁଁ ଯେତେବେଳେ ଦରବାର ସାହେବରେ ପଢ଼େ–

 

ଅସ୍ଥାବର ଜଙ୍ଗମ କୀଟ ପତଙ୍ଗା

ଅନେକ ଜନ୍ମ କିୟେ ବହୁରଙ୍ଗା,

ଐସେ ଘର ହମ ବହୁ ବସାଏ

ଯବ୍‌ ହମ ରାମ ଗରଭ ହୋଇ ଆୟେ

ଯୋଗୀ ଯତି ତପି ବ୍ରହ୍ମଚାରୀ

କବହୁଁ ଛତ୍ରପତି କବହୁଁ ଭିକାରୀ ।

 

ସେତେବେଳେ ମୋର ମନେ ପଡ଼ିଯାଏ ଗୁରୁ ମହାରାଜାଙ୍କ ଜନ୍ମର ସହସ୍ର ବର୍ଷ ପୂର୍ବରୁ ଜନ୍ମ ନେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ କଥା । ଭଗବାନ ଶ୍ରୀକୃଷ୍ଣ କହିଥିଲେ, ‘‘ହେ ଅର୍ଜ୍ଜୁନ ! ତୁମେ ଓ ମୁଁ ଲକ୍ଷବାର ଜନ୍ମଗ୍ରହଣ କରିଛୁ । ତୁମେ ଏକଥା ଜାଣନାହିଁ, କିନ୍ତୁ ମୁଁ ଜାଣିଛି ।’’

 

ଯଦି ଏହା ହୁଏ, ତେବେ ଆପଣଙ୍କର ଏସବୁ କହିବା ବୃଥା ।’

 

‘କିନ୍ତୁ ଅମୃତଦେବୀ ! ମୁଁ ତ ବିବାହ ବିଷୟରେ କହିବାକୁ ଆସିଛି ।’

 

‘ମୁଁ ସେ କଥା ଭୁଲି ଯାଇଥିଲି, କିନ୍ତୁ ଏ ପ୍ରସଙ୍ଗ ତ ଆପଣ ଆରମ୍ଭ କରିଥିଲେ ।’

 

‘ତେବେ ଆପଣଙ୍କର ମତ କ’ଣ ? ବାହାରେ ଆପଣଙ୍କର ପିତା ଲନ୍‌ରେ ଅପେକ୍ଷା କରି ରହିଛନ୍ତି ଓ ଚା ତୁଚ୍ଛାଟାକୁ ଥଣ୍ଡା ହେଉଛି ।’

 

‘ମୋର ଆପଣଙ୍କ ପ୍ରତି ଧାରଣାର କୌଣସି ପରିବର୍ତ୍ତନ ହୋଇ ନାହିଁ । ସେହି ପିଲାଦିନର ଧାରଣା ଏବେ ବି ବଦ୍ଧମୂଳ ହୋଇ ରହିଛି ମୋ ମନରେ ।’

 

‘କିନ୍ତୁ ମୁଁ ତ ଆପଣଙ୍କୁ ପ୍ରେମ କରେ ।’

 

ଅମୃତ ହସି ଉଠିଲା, କହିଲା, ଛାଡ଼ନ୍ତୁ ସେସବୁ କଥା, ଜଣେ ଉଚ୍ଚମହଲରେ ଘୁରାଫେରା କରୁଥିବା ସଙ୍ଗତିସମ୍ପନ୍ନ ବଙ୍ଗାଳୀ ଯୁବକ ଡାକ୍ତର ମଧ୍ୟ ମୋତେ ଏହିପରି କହୁଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ପଚାଶ ହଜାର ଟଙ୍କାର ଯୌତୁକ ଗୋଟାଏ ଜାଗାରୁ ମିଳିବାର ପ୍ରସ୍ତାବ ହେଲା, ସେତେବେଳେ ସେ ଏସବୁ କଥା ଭୁଲିଯାଇ, ସେଠାରେ ବିବାହ କରିବାକୁ ସମ୍ମତ ହେଲେ । ସେହି ଝିଅକୁ ସେ ଦିନେ କାଳୀ, ଅଶିକ୍ଷିତା ଓ କଦର୍ଯ୍ୟ ବୋଲି କହୁଥିଲେ । ଏହି ପ୍ରେମ ଶବ୍ଦ ଗୋଟିଏ ଆଡ଼ମ୍ବର । ଭାବୁକ ଯୁବକମାନେ ଏହାକୁ ଗଳ୍ପ କବିତାରେ ଲେଖିବାପାଇଁ ରଖିଥାନ୍ତି । ନିମ୍ନକୋଟିର କଳାକାରମାନେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି ମନେ କଲେଣି ।’

 

‘ତେବେ ଆପଣଙ୍କର ଇଚ୍ଛା କଣ ?’

 

‘ବାହାରକୁ ଚାଲନ୍ତୁ । ଚା’ ଅକାରଣରେ ଥଣ୍ଡା ହେଉଛି ।’

 

ଏହା କହି ଅମୃତ ଠିଆହେଲା । ଉଠୁ ଉଠୁ ସେ କହିଲା, ‘ମୋର ବିଶ୍ୱାସ ଆଉ ଆପଣଙ୍କର କିଛି କହିବାକୁ ବାକୀ ରହିଲାନାହିଁ । ଚାଲନ୍ତୁ, ବାପା ବହୁତ ବେଳୁ ଆମକୁ ଅପେକ୍ଷା କରି ବସିଲେଣି ।’

 

(୪)

 

ବଗିଚାରେ ବଡ଼ିୟାମ ସିଂଙ୍କୁ ଚା ଦିଆଯାଇଥିଲା । ଏ ଦୁହେଁ ସେଠାରେ ପହଞ୍ଚି ଚା ପିଇବାକୁ ଚୁପ୍‌ଚାପ ଚଉକି ଉପରେ ବସିଗଲେ । ଅମୃତ ମନେ ମନେ ହସୁଥାଏ । ସେ ମନେ ମନେ ଭାବୁଥାଏ, କଥା କହିବାର ଢଙ୍ଗ ଯାହାକୁ ଆସେନାହିଁ, ସେ ପୁଣି ବାହା ହବାକୁ ଆସିଛି ।

 

ବଡ଼ିୟାମ ସିଂ ଅମୃତକୁ ଉତ୍‌ଫୁଲ୍ଲ ଦେଖି ମନେକଲେ ଯେ, ଇଏ ଦୁହିଁଙ୍କଭିତରେ ଗୋଟାଏ ବୁଝାମଣା ହୋଇଗଲା । ତେଣୁ ସେ ପଚାରି ବସିଲେ, ‘କଣ ଠିକ୍‌ କଲ ?’

 

ଅମୃତ ଥଟ୍ଟାକରି କହିଲା, ‘ତାଙ୍କୁ ପଚାରି ନିଅନ୍ତୁ ।’

 

ଏଥିରେ ଉତ୍ସାହିତ ହୋଇ ବଡ଼ିୟାମ ସିଂ ପ୍ରୀତମ୍‌ ସିଂ ଆଡ଼କୁ ଚାହିଁଲେ । ତାହା ଦେଖି ପ୍ରୀତମ ସିଂ କହିଲେ, ‘ଅମୃତ ଦେବୀ ମନେ ମନେ କାହାକୁ ପସନ୍ଦ କରି ରଖିଛନ୍ତି ।’

 

ଅମୃତ ଆଡ଼କୁ ଚାହିଁ ବଡ଼ିୟାମ ସିଂ କହିଲେ, ‘କାହାକୁ ?’

 

‘ତାଙ୍କୁଇ ପଚାରନ୍ତୁ, ସେ କହିବେ । ଯିଏ ଏତେକଥା ଜାଣିଛନ୍ତି, ସେ ଏକଥା ମଧ୍ୟ କହିବେ ।’

 

ବଡ଼ିୟାମ ସିଂ ଦୁହିଁଙ୍କ ମୁହଁକୁ ଚାହିଁ ରହିଲେ । ଏ କଥାବାର୍ତ୍ତାର ଅର୍ଥ ସେ କିଛି ବୁଝୁ ନ ଥାନ୍ତି । ଅମୃତ ଏବେବି ମୁଚୁକି ହସୁଥାଏ । ପ୍ରୀତମର ମୁହଁ କିନ୍ତୁ ବିଷର୍ଣ୍ଣ ଦେଖାଯାଉଥାଏ । ବୋଧହୁଏ ଅମୃତ ଅନ୍ୟ କାହାକୁ ପସନ୍ଦକରିଛି ବୋଲି କହି ସେ ତାକୁ ଚିଡ଼ୋଉଛି । ସେ ଭାବୁଥାନ୍ତି, ଅମୃତ କିଛିନା କିଛି କହିବ ଏବଂ ସେଇଥିରୁ କଥାଟା ଧରାପଡ଼ିଯିବ । କିନ୍ତୁ ତାକୁ ଶାନ୍ତ ଏବଂ ପ୍ରସନ୍ନ ଦେଖି ସେ ମଧ୍ୟ ମନେ ମନେ ରାଗିଗଲେ ।

 

‘ସେକଥା ଛାଡ଼, ଚା’ ପିଅ ଓ ଶାନ୍ତିରେ କଥାବାର୍ତ୍ତା କର ।’

 

ଅମୃତ ଚା’ ତିଆରି କରିବାରେ ଲାଗିପଡ଼ିଲା । ପ୍ରୀତମ ସିଂ ଅମୃତର ପିତାଙ୍କୁ କହିଲେ, ‘କ୍ଷମାକରିବେ, ଚା’ ତ ସବୁଠାରେ ମିଳିବ । ଯେଉଁ ପଦାର୍ଥଲୋଭରେ ମୁଁ ଏଠାକୁ ଆସିଥିଲି, ଯଦି ସେ ପଦାର୍ଥ ନମିଳିଲା, ତେବେ ଏଠାରେ ରହିବାର ପ୍ରୟୋଜନ କ’ଣ ?’

 

ତିଆରିକରିଥିବା ଚା’ ପିଆଲାକୁ ପ୍ରୀତମ ସିଂ ଆଡ଼କୁ ବଢ଼େଇ ଦେଉ ଦେଉ ଅମୃତ କହିଲା, ‘ପ୍ରୀତମ ସିଂ ଜୀ ! ମୋର ପିତା ଓ ଆପଣଙ୍କ ପିତାଙ୍କ ବନ୍ଧୁତା ଆମର ଏହି ଅସଫଳ ପ୍ରେମଠାରୁ ଆହୁରି ପୁରାତନ । ସେ ସମ୍ବନ୍ଧକୁ ଆପଣ ଭାଙ୍ଗି ଦେଉଛନ୍ତି କାହିଁକି ?’

 

ହଁ ନାହିଁ କରି ପ୍ରୀତମ ସିଂ ସେ ଚାହା ପିଆଲାକୁ ଶେଷକଲା ଏବଂ ସତ୍‌ଶ୍ରୀ ଅକାଳ ବୋଲି ସମ୍ବୋଧନ କରି ବାହାରିଗଲା । ସେ ଚାଲିଯିବାପରେ ବଡ଼ିୟାମ ସିଂ ପଚାରିଲେ, ‘କଣ କଥାବାର୍ତ୍ତା ହେଲ ?’

 

‘ସେପରି କିଛି ନୁହେଁ । ସେ କହୁଥିଲେ ମୋତେ ପସନ୍ଦ କରୁଛନ୍ତି ବୋଲି, ମୁଁ କହିଲି ମୋର କିନ୍ତୁ ତାଙ୍କୁ ପସନ୍ଦ ନାହିଁ । ସେଥିରେ ସେ ବିରକ୍ତହୋଇ କହିଲେ ଯେ, ମୁଁ ଅନ୍ୟକାହାକୁ ପସନ୍ଦ କରିସାରିଛି ।’

 

‘ଅମୃତ ! ତୋର ବିବାହପ୍ରସ୍ତାବ ଆହୁରି ପାଞ୍ଚ ଜାଗାରୁ ଆଜି ଆସିଛି । କିଛି ଗୋଟାଏ ତ ଠିକ୍‌ କରିବାକୁ ହେବ ।’

 

‘ହୋଇଯିବ ଖୁବ୍‌ ଶୀଘ୍ର । ମୁଁ ବର୍ତ୍ତମାନ ଲକ୍ଷ୍ନୌରେ ରହିବାକୁ ଚାହୁନାହିଁ ।’

 

‘ପୁଣି କେଉଁଠି ରହିବାକୁ ଇଚ୍ଛା କରୁଛୁ ?’

 

‘କେଉଁଠି ତ ହେଲେ ରହିବାକୁ ହେବ । ଆପଣ ଅକାରଣ ସେ ଚିନ୍ତା କରନ୍ତୁନାହିଁ ।’

 

ବଡ଼ିୟାମ ସିଂ ନିରାଶ ହୋଇ ଚୁପ୍‌ ରହିଲେ । ଚା’ ପିଇ ଦୁହେଁ ନିଜ ନିଜ କୋଠରୀଭିତରେ ପଶିଲେ ।

 

ସନ୍ଧ୍ୟାବେଳକୁ ହରଭଜନ ସିଂ ଶିଶିରକୁ ଧରି ଆସିଲା ଓ ତାକୁ ସିଧା ବାପାଙ୍କ ଘରଭିତରକୁ ନେଇଗଲା । ସେଠାରେ ସେ ଶିଶିରକୁ ବାପାଙ୍କ ସହିତ ପରିଚୟ କରାଇଦେଇ କହିଲା, ‘ବାପା ! ଏହାଙ୍କ ନାମ ଶିଶିରକୁମାର, ଅଟୋମୋବାଇଲ ଓ୍ୟାର୍କରସ୍‌ ଇଉନିୟନର ସଭାପତି । ଆପଣଙ୍କୁ କିଛି ନିବେଦନ କରିବାକୁ ଆସିଛନ୍ତି ।’

 

ବଡ଼ିୟାମ ସିଂ ସତର୍କତାର ସହିତ କହିଲେ, ‘କୁହନ୍ତୁ ଆଜ୍ଞା ! କ’ଣ କହିବେ ।’

 

ଶିଶିର ବସିକରି କହିବାକୁ ଆରମ୍ଭକଲା, ‘ଆଜିକି ତିନିମାସରୁ କିଛି ଅଧିକ ହେବ ମୋର ଜଣେ ବନ୍ଧୁ ମୋପାଖକୁ ଆସିଲେ । ତାଙ୍କସାଙ୍ଗରେ ଗୋଟିଏ ଝିଅ । ସେ କହିଲେ, ସେ ଝିଅ ତିନିମାସପାଇଁ ତାଙ୍କର ବାପମାଙ୍କୁ ଲୁଚିକରି ରହିବାକୁ ଚାହୁଛନ୍ତି । ତେଣୁ ମୁଁ ତାଙ୍କୁ ମୋ ମାଉସୀଙ୍କ ପାଖରେ ଛାଡ଼ିଆସିବି । ସେ ମୋ ମାଉସୀଙ୍କୁ ଜାଣିଥିଲେ ।

 

‘ମୁଁ ସେ ଝିଅକୁ ମୋର ମାଉସୀଙ୍କ ଘରେ ଛାଡ଼ିଆସିଲି । ମାଉସୀ ପଚାରିବାରୁ ଆମେ ଦୁହେଁ ତାଙ୍କୁ ପତିପତ୍ନୀ ବୋଲି ପରିଚୟ ଦେଲୁ । ମାଉସୀ ଯେପରି କୌଣସି ଅନ୍ୟାୟ ସମ୍ପର୍କ ବୋଲି ସନ୍ଦେହ ନ କରନ୍ତି ସେଥିପାଇଁ ଆମେ ଏପରି ପରିଚୟ ଦେବାକୁ ବାଧ୍ୟହେଲୁ । ତଦ୍ଦ୍ୱାରା ଝିଅଟି ସେଠାରେ ସସମ୍ମାନେ ରହିଲା ।

 

‘ଝିଅକୁ ସେଠାରେ ଛାଡ଼ି ମୁଁ ଲକ୍ଷ୍ନୌରେ ରହିଲି । ତିନିମାସ ଭିତରେ ମାଉସୀଙ୍କସାଙ୍ଗରେ ସେ ଝିଅର ଏପରି ମାୟା ଲାଗିଗଲା ଯେ, ସେ ତାଙ୍କୁ ତାର ପ୍ରକୃତ ଶାଶୁବୋଲି ଗ୍ରହଣ କରିବାକୁ ଇଚ୍ଛା କରୁଛି । ମୋ ମାଉସୀ ମଧ୍ୟ ତାକୁ ବୋହୂ ମନେକରି ତା’ଉପରେ ଭାରି ପ୍ରସନ୍ନ ଅଛନ୍ତି ।

 

‘ମାଉସୀଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି । ମୋତେ ସେ କୋଡ଼ରେ କାଖରେ କରି ମଣିଷ କରିଛନ୍ତି । ସେ ଝିଅ ଓ ମାଉସୀଙ୍କର ଇଚ୍ଛାକୁ ଯଦି ସ୍ୱାଭାବିକଭାବରେ ପୂରଣ କରାଯାଏ, ତେବେ ମୋତେ ସେ ଝିଅର ସ୍ୱାମୀ ହେବାକୁ ହେବ, ଏବଂ ଏହା କେବଳ ଆପଣଙ୍କର ଆଶୀର୍ବାଦଦ୍ୱାରା ହିଁ ସମ୍ଭବ ।’

 

‘ମୁଁ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲି, କିନ୍ତୁ ବର୍ତ୍ତମାନ ସେ ପାର୍ଟି ଛାଡ଼ିଦେଇଛି । ବର୍ତ୍ତମାନ ପାର୍ଟିର ନେତାମାନଙ୍କୁ ମୁଁ ଏ ବିଷୟରେ ଚିଠି ଲେଖି ଆସିଛି । ମୋ ଅଭିପ୍ରାୟ ମୁଁ ସ୍ୱାଧୀନ ହେବି ଓ ସ୍ୱାଧୀନ ଭାବରେ ଜୀବିକାର୍ଜନର ଉପାୟ ଗ୍ରହଣ କରିବି ।’

 

ବଡ଼ିୟାମ ସିଂ ଏହିପରି ଗୋଟାଏ କଥା ଆଶଙ୍କା କରୁଥିଲେ । ଶିଶିର ତା’ର କଥାକୁ ଏପରି ଭାବରେ ବୟାନ କଲା ଯେ, ବଡ଼ିୟାମ ସିଂଙ୍କୁ ଲାଗିଲା, ସେ ଜଣେ ବିଶିଷ୍ଟ ଲୋକଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ପୁଣି ତାଙ୍କର କେଉଁ ମିତ୍ର ସେ ଝିଅକୁ ତାଙ୍କ ପାଖକୁ ନେଇଥିଲେ, ଯୁବକ କହିଲେ ନାହିଁ; ଦ୍ୱିତୀୟ କଥା, ଯାହା ଉପରେ ତାଙ୍କର ସନ୍ଦେହ ବିଶ୍ୱାସର ସୀମା ପର୍ଯ୍ୟନ୍ତ ପହଞ୍ଚିଥିଲା, ଏ ଯୁବକଙ୍କ ସହିତ ତାଙ୍କର ସମ୍ବନ୍ଧ କ’ଣ ? ସେ ମଧ୍ୟ ଭାବିପାରୁ ନଥାନ୍ତି ଯେ ଏ ଦୁହେଁ ‘ପତିପତ୍ନୀ’ର ଅଭିନୟ କରୁ କରୁ କିପରି ଘନିଷ୍ଠ ସମ୍ପର୍କଠାରୁ ଦୂରରେ ରହିପାରିଛନ୍ତି । ଏ ସବୁ କଥା ଭାବି ସେ କିପରି ଏ ବିବାହକୁ ବନ୍ଦ କରିବେ ସେ କଥା ଭାବିପାରୁ ନ ଥାନ୍ତି । ସେ ଏ ପ୍ରକାର ସମ୍ବନ୍ଧକୁ ପ୍ରଥମେ ଥଟ୍ଟା ବୋଲି ମନେ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେ ସମ୍ବନ୍ଧରେ ଚୁପ୍‌ ରହିବା ଛଡ଼ା ତାଙ୍କର ଅନ୍ୟ ଉପାୟ ନ ଥିଲା ।

 

କିନ୍ତୁ ନିଜର ଉତ୍ସୁକତାକୁ ଚାପି ରଖି ନ ପାରି ସେ ପଚାରି ଦେଲେ, ‘ଯେଉଁ ମିତ୍ର ସେ ଝିଅକୁ ନେଇ ଆପଣଙ୍କ ପାଖକୁ ଯାଇଥିଲେ, ସେ ହରଭଜନ ସିଂ ତ ?’

 

‘ଆଜ୍ଞା ନାଁ । ସେ ହରଭଜନ ନୁହେଁ, ସୁଶୀଳକୁମାର । ଝିଅର ବିଶ୍ୱାସ ଥିଲା ସୁଶୀଳକୁମାର ତାକୁ ପ୍ରେମ କରୁଛି ଓ ତାକୁ ବିବାହ କରିବାକୁ ଇଚ୍ଛୁକ । ଆଜି ସୁଶୀଳକୁମାରର ବିବାହ, ସରକାରବାବୁଙ୍କ ଝିଅ ସହିତ ହେଉଛି । ପୁଣି ସେ ଝିଅ ସୁଶୀଳକୁମାରର ମା’ଙ୍କଠାରୁ ମୋ ମାଉସୀଙ୍କୁ ଅଧିକ ପସନ୍ଦ କରେ ।’

 

ବଡ଼ିୟାମ ସିଂ ହସି ଉଠିଲେ । ସେ କହିଲେ, ‘ହରଭଜନ ! ମୋର ଯାହା ବଦନାମ ହେବାର କଥା, ହୋଇସାରିଲାଣି । ତୁ ଜାଣୁ ପ୍ରୀତମ ସିଂ ଏଠାକୁ ଆସିଥିଲା । ଅମୃତ ତା’ ସଙ୍ଗେ ଝଗଡ଼ାକରି ତାକୁ ତଡ଼ିଦେଲା । ସେଥିପାଇଁ ମୁଁ ଝିଅର ବିବାହ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଦେଇଦେବାକୁ ଠିକ୍‌ ମନେକରୁଛି । ନହେଲେ ଲୋକ ଆସୁଥିବେ ଓ ଅମୃତ ସେମାନଙ୍କ ସହିତ ଝଗଡ଼ା କରି ତଡ଼ି ଦେଉଥିବ ।’

 

ବଡ଼ିୟାମ ସିଂ ଶିଶିର କୁମାରଙ୍କୁ ଚାହିଁ ପଚାରିଲେ, ‘ଦେଖ ଯୁବକ ! ମୁଁ ଅମୃତକୁ ଡ଼ାକି ପଚାରୁଛି । ତେବେ ମୁଁ ଜାଣିବାକୁ ଚାହେଁ, ତୁମ ପାଖରେ ନିଜର ପତ୍ନୀକୁ ସୁଖୀ କରେଇବା ପାଇଁ ଆବଶ୍ୟକୀୟ ବିଦ୍ୟାବୁଦ୍ଧି ଓ ଯୋଗ୍ୟତା ଅଛି କି ନାହିଁ । କମ୍ୟୁନିଷ୍ଟମାନେ ପ୍ରାୟ ନିର୍ଦ୍ଧନ, ଅଯୋଗ୍ୟ, ଅଶିକ୍ଷିତ ଏବଂ ଭାବପ୍ରବଣ ହୁଅନ୍ତି । ଜୀବନର ସଂଗ୍ରାମରେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର କ୍ଷମତା ସେମାନଙ୍କର ନ ଥିବାରୁ ସେମାନେ ସରକାରୀ ସାହାଯ୍ୟପ୍ରାର୍ଥୀ ହୁଅନ୍ତି । ମୁଁ ରାଷ୍ଟ୍ରୀୟକରଣର ଅର୍ଥ କ’ଣ ବୁଝେ ଜାଣନ୍ତି ? ଅଯୋଗ୍ୟ ଲୋକଙ୍କୁ ଖାଇବା ପିଇବାକୁ ଦେଇ ତାକୁ ଉଚ୍ଚସ୍ଥାନରେ ଅଧିଷ୍ଠିତ କରେଇବାକୁ ସୈନ୍ୟଦଳ ଓ ପୁଲିସ ଶକ୍ତିର ପ୍ରୟୋଗ କରିବା ।

 

‘ଏହା ମୁଁ ଭଲଭାବରେ ଜାଣେ ଯେ, ଭାରତ ସରକାର ଏହିପରି ନିର୍ଦ୍ଧନ ତଥା ଅଯୋଗ୍ୟ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପକ୍‌କା ବ୍ୟବସ୍ଥା କରିଛନ୍ତି । ତେଣୁ ମୁଁ ମୋର ଜାମାତାକୁ ରାଜ୍ୟର, ଅର୍ଥାତ୍‌ କରଦାତାମାନଙ୍କର ଆଶ୍ରୟରେ ଛାଡ଼ିଦେବାକୁ ଚାହେଁ ନାହିଁ ।’

 

ଶିଶିର ହସି ଉଠିଲା । ସେ ନିଜର ମନକଥା ବା ନିଜ ମାଉସୀଙ୍କର ଧନସମ୍ପତ୍ତି ବିଷୟ ଉତ୍‌ଥାପନ ନକରି ସରକାରୀ ଠିକାଦାରଙ୍କୁ ପ୍ରଶ୍ନ ପଚାରିବାକୁ ଆରମ୍ଭ କରିଦେଲା । ଏ ଲୋକ, ଶିଶିରର ମନରେ ଯେଉଁ ଭାବନା ଉପସ୍ଥିତ ହୋଇଥିଲା, ତାହାର ଗୋଟିଏ ଅଭିନବ ରୂପ ତା’ ଆଗରେ ଉପସ୍ଥାପିତ କଲେ । ଶିଶିର କହିଲା, ‘ଆପଣଙ୍କର ପ୍ରଶ୍ନ ଯଥାର୍ଥ । କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବାପୂର୍ବରୁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ, କୁହନ୍ତୁ, ଜଣେ ନିର୍ଦ୍ଧନ ଅଯୋଗ୍ୟ ବ୍ୟକ୍ତି ନିଜ ସରକାରଠାରୁ ସାହାଯ୍ୟ ମାଗିବ ନାହିଁ ତ ମାଗିବ କାହାଠାରୁ ? ପୁଞ୍ଜିପତିମାନେ ନିର୍ଦ୍ଧନର ଧନକୁ ଯେ ବିଚକ୍ଷଣତାର ସହିତ ଶୋଷଣ କରି ରଖିଛନ୍ତି ! ଯଦି ସରକାର ସେମାନଙ୍କୁ ସାହାଯ୍ୟ ଦିଅନ୍ତି, ତେବେ ଆପଣ ଆପତ୍ତି କରିବେ କାହିଁକି ?’

 

ବଡ଼ିୟାମ ସିଂ କହିଲେ, ‘ହଁ ଠିକ୍‌ କଥା, ଏ ପରିସ୍ଥିତିରେ ସରକାର ଦୁଃଖୀ ଓ ଶୋଷିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଚିତ । ମୁଁ ବୁଝୁଛି ସବୁ ଦେଶର ଶ୍ରମିକ ରକ୍ଷଣାବେକ୍ଷଣ ପାଇଁ ଆଇନମାନ ଗଢ଼ାଯାଉଛି । ତାହା ଠିକ୍‌ ହେଉଛି । ତା’ର ବିରୋଧରେ ମୁଁ କିଛି କହୁନାହିଁ । ମୋର କହିବାର କଥା, ସରକାର ବ୍ୟବସ୍ଥାକର୍ତ୍ତା ହୋଇ ନିଜେ ଯଦି ମାଲିକ ବା ବ୍ୟବସାୟୀ ହୋଇଯାଆନ୍ତି, ତେବେ ଯେଉଁ ସରକାର ଶ୍ରମିକ ମଜଦୁରଙ୍କ ପରିଶ୍ରମଲବ୍‌ଧ ଧନଦ୍ୱାରା ଚଳୁଛି, ସେ ସରକାର ବେକାର, ଅଯୋଗ୍ୟ ତଥା ବିପଦଗ୍ରସ୍ତ ଲୋକଙ୍କୁ ଆଶ୍ରୟ ଦେବାକୁ ବାଧ୍ୟ ।

 

‘ବର୍ତ୍ତମାନ ଦେଖ, ସରକାର ବୀମା କମ୍ପାନୀଗୁଡ଼ିକ ଜାତୀୟକରଣ କରି ଯେଉଁ କମ୍ପାନୀଗୁଡ଼ିକ ପରିଚାଳକମାନଙ୍କର ଅଯୋଗ୍ୟତାରୁ ଫେଲ ହେବାକୁ ବସିଥିଲା, ସେଗୁଡ଼ିକୁ ସାହାଯ୍ୟ ଦେଉଛନ୍ତି । କମ୍ପାନୀଗୁଡ଼ିକ ଏହି ଅଧଃପତନରୁ ରକ୍ଷା କରିବାର ଏକମାତ୍ର ଉପାୟ ଥିଲା, ପ୍ରିମିୟମ ହାର କମେଇବା, ଖର୍ଚ୍ଚ ନିୟନ୍ତ୍ରଣ କରିବା ଓ ଯଥାସମ୍ଭବ ଶୀଘ୍ର କାର୍ଯ୍ୟ ଫଇସଲା କରିବା । ତା’ ବୋଲି ଭାରତବର୍ଷର ସବୁ କମ୍ପାନୀକୁ ଏକାଠି କରି ଗୋଟିଏ କମ୍ପାନୀ କରି ତାକୁ ପୁଣି ସରକାରୀ ଅଧୀନରେ ରଖିଦେବାଦ୍ୱାରା କେଉଁ କାମ ହେଲା ? କମ୍ପାନୀ କମ୍ପାନୀ ମଧ୍ୟରେ ଯେଉଁ ପ୍ରତିଯୋଗିତା ହେଉଥିଲା, ତାହା ବନ୍ଦ ହୋଇଯିବାରୁ ବୀମା ବ୍ୟବସାୟର ଉନ୍ନତିରେ ବାଧା ପଡ଼ିବ-। ପରିଚାଳକମାନଙ୍କର ବ୍ୟବହାର ମଧ୍ୟ ଭଲ ହେବନାହିଁ ।

 

‘ବୀମା କମ୍ପାନୀର କର୍ମକର୍ତ୍ତାମାନେ ଧୀରେ ଧୀରେ ଅଳସୁଆ, ଫାଙ୍କିବାଜ ଓ ଲାଞ୍ଚଖୋର ହୋଇ ପଡ଼ିବେ, ବର୍ତ୍ତମାନର ରେଲ କର୍ମଚାରୀମାନଙ୍କ ପରି ।’

 

ଶିଶିର କହିଲା, ‘ତେବେ କ’ଣ ଆପଣ ସରକାରଙ୍କର କଣେ ଉଚ୍ଚପାହ୍ୟା ଅଫିସର, ଧରନ୍ତୁ ଜଣେ ସେକ୍ରେଟେରୀ ଓ ଜଣେ ଠିକାଦାର ମଧ୍ୟରେ, କିଛି ପାର୍ଥକ୍ୟ ଦେଖୁନାହାନ୍ତି ? ଏମାନଙ୍କ ମଧ୍ୟରୁ କେଉଁ ଜଣକ ନିଷ୍କାମ ଭାବରେ କାମ କରିପାରିବ ?’

 

‘ଲୋକେ ତ ସେକ୍ରେଟେରୀକୁ ବଡ଼ ବୋଲି କହିବେ, କିନ୍ତୁ ତାହା ବାସ୍ତବିକତାଠାରୁ ବହୁ ଦୂରରେ । ଠିକାଦାର ଯେଉଁଠାରେ ବିଶ୍ୱାସଯୋଗ୍ୟ ନୁହେଁ, ସେଠାରେ ସିଏ କଣ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇ ବଶୀଭୂତ କରି ପାରିବ ନାହିଁ ? ଯଦି ସେକ୍ରେଟେରୀ ବା ଇଞ୍ଜିନିୟର ତାଙ୍କ ଆୟଠାରୁ ଆହୁରି ଅଧିକ ଉପୁରି ଆୟ ଚାହୁଁ ନ ଥାନ୍ତେ ତେବେ ଠିକାଦାର କ’ଣ ସିମେଣ୍ଟରେ ବେଶି ବାଲି ମିଶାଇପାରନ୍ତା ? ଠିକାଦାର ଅଧିକ ରୋଜଗାର କରିବା ପାଇଁ ଓଭରସିୟର, ଇଂଜିନିୟର ସମସ୍ତଙ୍କୁ ଦକ୍ଷିଣା ଦେଉଛି ।’

 

‘ତେବେ ଆପଣ ବିଚାରିଛନ୍ତି କି ଆପଣଙ୍କ ନିଜ କୋଠା ଓ ଠିକାନେଇ କରାଯାଇଥିବା ସରକାରୀ କୋଠା ମଧ୍ୟରେ କି ପାର୍ଥକ୍ୟ ଅଛି ? ଏ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । କାହିଁକି କହନ୍ତୁ ? ସରକାରୀ କର୍ମଚାରୀମାନେ କାର୍ଯ୍ୟର ଗୁରୁତ୍ୱ ପ୍ରତି ଧ୍ୟାନ ନ ଦେଇ ନିଜର କିପରି ଉପୁରି ଦି’ପଇସା ବେଶି ହେବ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ।’

 

‘ନିଜ କାମରେ ବ୍ୟୟ କରୁଥିବା ଅର୍ଥ ନିଜର ଅର୍ଜ୍ଜିତ ଧନ । ସରକାରୀ କୋଠାରେ ଯେଉଁ ଧନ ଖର୍ଚ୍ଚ ହେଉଛି ତାହା ଅନ୍ୟର ଧନ । ତେଣୁ ଏହା ସ୍ୱାଭାବିକ ଯେ ନିଜ କାମ କରାଉଥିବା ଲୋକ ଅଳ୍ପ ପଇସାରେ ଅଧିକ କାମ କରାଇ ନେଇପାରିବେ ।’

 

‘କାମ କରିବା ଲୋକ ତ ପୁଣି ମନୁଷ୍ୟ ? ସେ ନିଜ କାମ କରନ୍ତୁ ବା ସରକାରୀ କାମ କରନ୍ତୁ । ଏପରି ତେବେ କାହିଁକି ହେଉଛି ?’ ଶିଶିର ଉତ୍ସୁକ ହୋଇ ଏ ପ୍ରଶ୍ନ ପଚାରିଲା ।

 

‘ସରକାର କେବେହେଲେ କୌଣସି କାର୍ଯ୍ୟ ନିଜେ କରୁଥିବା କାମଠାରୁ ଭଲ କରି ନ ପାରନ୍ତି । ଏହାର କାରଣ ସରକାର ତାଙ୍କର ସବୁ କାମର ଏକଚାଟିଆ କାରବାରକୁ ଠୁଳ କରିଛନ୍ତି । ସରକାରୀ କାମରେ ଅନ୍ୟାୟରେ ଧନବ୍ୟୟ ହେଉଛି ଦେଖିଲେ ସରକାରୀ କର୍ତ୍ତାଙ୍କର ଦୁଃଖ ହେଉନାହିଁ । ସେ ତ ଆଉ ତାଙ୍କର ନିଜ ଅର୍ଜ୍ଜିତ ଧନ ନୁହେଁ । ସେ ଜନତାର ପଇସାରେ ଖେଳ ଖେଳୁଛନ୍ତି ।’

 

‘ମୁଁ ପଚାରେ, ବ୍ୟକ୍ତିଗତ ପ୍ରୟାସର ବିଶେଷତ୍ୱ କଣ ? ଜଣେ ଠିକାଦାରର ଆବଶ୍ୟକତା କ’ଣ ?’

 

‘ବ୍ୟକ୍ତିଗତ ପ୍ରୟାସର ଗୋଟିଏ ରୂପ ହେଲା ଠିକାଦାରୀ । ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରୟାସ ଓ ଏହା ମଧ୍ୟରେ ତଫାତ୍‌ ଏତିକି ଯେ ଏଥିରେ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବାର ବିଶେଷ ଆବଶ୍ୟକତା ଅଛି । ସୁବ୍ୟବସ୍ଥା କରିବାର ଶକ୍ତି ପରସ୍ପର ପ୍ରତିଯୋଗିତା ଫଳରେ ନରମ ବା ଗରମ ହୋଇଥାଏ ।

 

‘ମୁଁ ଆପଣଙ୍କୁ ମୋ ନିଜକଥା କହୁଛି । ମୋ ବାପା ପଞ୍ଜାବରେ ଠିକାଦାରୀ କରୁଥିଲେ । ମୋର ପନ୍ଦରବର୍ଷ ବୟସରେ ମୁଁ ମାଟ୍ରିକ ପାସ୍‌କରି ବାପାଙ୍କ ସହିତ କାମ କରିବାକୁ ଲାଗିଲି । ବର୍ଷେ ଦୁଇବର୍ଷ ଭିତରେ ମୁଁ କାମର ଭିତିରିକଥା ବୁଝିଗଲି । ସେ ଥିଲା ଲେବର ଅର୍ଗାନାଇଜେନସ୍‌ (କର୍ମଚାରୀଙ୍କ ସୁବ୍ୟବସ୍ଥା) । ଯେତେବେଳେ ମୁଁ ମୋ ବିଚାରବୁଦ୍ଧି ଅନୁସାରେ କାମ କରିବାକୁ ଲାଗିଲି, ବାପାଙ୍କ ସଙ୍ଗେ ମୋର ଝଗଡ଼ା ହୋଇଗଲା ଓ ମୁଁ କିଛି ନ ନେଇ ଲକ୍ଷ୍ନୌ ପଳେଇ ଆସିଲି-। ଏଠାରେ ଆସି ଦୀନାନାଥ ଠିକାଦାରଙ୍କ ପାଖରେ ଗୁମାସ୍ତାକାମ କଲି । ବହୁ ଜଗିରଖି ବର୍ଷେକାଳ ଚଳି ପାଞ୍ଚଶଟଙ୍କା ଠୁଳକରି ନିଜେ ଠିକାଦାର ଆରମ୍ଭ କରିଦେଲି । ବଡ଼ ଠିକାଦାରଙ୍କଠାରୁ ଛୋଟ ଛୋଟ କାମନେଇ ପଇସା କମେଇଲି । ପାଞ୍ଚବର୍ଷରେ ମୁଁ ସ୍ୱତନ୍ତ୍ର ଭାବରେ ଠିକାଦାରୀ କରିବାକୁ ସକ୍ଷମ ହେଲି । ଦୀନାନାଥ ସବୁବେଳେ ମୋତେ ଭଲ ପାଉଥିଲେ । ମୁଁ ଏକୁଟିଆ ଭଲ ଠିକାଦାରୀ କରି ପଇସା କମେଇଲାରୁ ସେ ମୋତେ ତାଙ୍କ ଝିଅ ସହିତ ବିବାହ କରେଇ ଦେଲେ । ତା’ପରେ ମୁଁ ମୋ ଚେଷ୍ଟାରେ କ୍ରମେ ଉନ୍ନତି କରିବାରେ ଲାଗିଛି । ବର୍ତ୍ତମାନ ମୁଁ ଲକ୍ଷେ ଟଙ୍କାର କାମ ସହଜରେ କରିପାରୁଛି ।

 

‘ଯେଉଁମାନେ ଉନ୍ନତି କରି ପାରୁନାହାନ୍ତି, ସେମାନେ ଈର୍ଷାନ୍ୱିତ ହୋଇ ମୋତେ ଗାଳିଦିଅନ୍ତି । ଆଉ ଯେଉଁମାନେ ମୋତେ ଗାଳି ଦଉନାହାନ୍ତି ଆଉ ନିଜର ଯୋଗ୍ୟତା ଅଛି, ସେମାନେ ମୋ’ପରି ଉନ୍ନତି କରୁଛନ୍ତି ।’

 

‘ତେବେ ଆପଣଙ୍କର କହିବା କଥା ଯେ, ପୁଞ୍ଜିପତିମାନେ ସମ୍ମାନିତ ଓ ଖୁବ୍‌ କାମିକା ଲୋକ ।’

 

‘ମୁଁ ସେ କଥା କହୁନାହିଁ । ପୁଞ୍ଜିପତି ବା ମାଲିକାନା କ’ଣ ମୁଁ ବୁଝେନାହିଁ । କାହାରି ପାଖରେ ଧନ ଜମାହୋଇଯାଇଛି । ସେ ହୁଏତ ଧନୀର ସନ୍ତାନ । ମୁଁ ସେମାନଙ୍କ କଥା କହୁନାହିଁ । ମୁଁ କହିବାକୁ ଚାହେଁ ଯେ ଅର୍ଗାନାଇଜିଂ କାପାସିଟି (ସୁବ୍ୟବସ୍ଥା କରିବାର ଶକ୍ତି) ଠିକାଦାରଙ୍କର ଗୋଟିଏ ଅତ୍ୟାବଶ୍ୟକ ଗୁଣ । ପଇସା ଥିଲେ ଏ ଯୋଗ୍ୟତା ଆପେ ଆପେ ହାସଲ ହେବ, ଏହା ନୁହେଁ । ଅଯୋଗ୍ୟ ଲୋକ ହାତରେ ପଇସା ରହିବ ନାହିଁ । ପଇସା ଥିଲେ ମଧ୍ୟ ଅଯୋଗ୍ୟ ଲୋକ ସଫଳକାମ ହୋଇ ପାରିବ ନାହିଁ ।’

 

ଶିଶିର ଏହା ପରେ ନିଜର ଗୋଟିଏ ସନ୍ଦେହ ମୋଚନ ପାଇଁ ପଚାରିଲା, ‘ଧନ କମେଇବା ତ ଖରାପ କଥା ନୁହେଁ, କିନ୍ତୁ ଶ୍ରମିକର ଶ୍ରମକୁ ଠକିନେବାରେ ଶ୍ରମିକକୁ ଶୋଷଣ କରାଯାଏ । ତାହାର ଶ୍ରମକୁ ଶସ୍ତା ଦାମରେ କିଣି ମହଙ୍ଗା ଦାମରେ ବିକ୍ରି କରାଯାଏ ।’

 

ବଡ଼ିୟାମ ସିଂ ହସି କରି କହିଲେ, ‘କେତେକାଂଶରେ ଏ ଲାଞ୍ଛନା ହୁଏ, କିନ୍ତୁ ଏହି ଶୋଷଣକୁ ବନ୍ଦ କରିବାର ଉପାୟ କ’ଣ ଗୋଟିଏ ଶୋଷଣକାରୀକୁ ହଟେଇ ଆଉ ଏକ ଶୋଷଣକାରୀକୁ ତା ଜାଗାରେ ବସେଇବା ? ରାଷ୍ଟ୍ରୀୟକରଣର ଅର୍ଥ ଏହାଠାରୁ ପୃଥକ୍‌ ନୁହେଁ । ମୁଁ ଯଦି ଶୋଷଣ କଲି ସେ ହେଲା ଶୋଷଣ, କିନ୍ତୁ ରେଲବାଇ ଯଦି ଶୋଷଣ କଲା ସେ ଶୋଷଣ ନୁହେ ?’

 

‘ରେଲବାଇ କିପରି ଶୋଷକ ହେଲା ? ତା’ର ଲାଭ ତ ଆଉ ସେ ନିଜେ ନେଉନାହିଁ । ତାହା କର୍ମଚାରୀ ଓ ଜନସାଧାରଣଙ୍କ ମଙ୍ଗଳପାଇଁ ଖର୍ଚ୍ଚ ହେଉଛି ।’

 

‘ଆପଣଙ୍କ କଥାରେ ମୋର ସନ୍ଦେହ ହେଉଛି । ପ୍ରତିବର୍ଷ ମୁଁ ରେଲବାଇ ବଜେଟକୁ ବହୁତ ଦୁଃଖର ସହିତ ପଢ଼େ ଓ ତହିଁର କର୍ମଚାରୀମାନଙ୍କର ବେତନ ଓ ଅବସ୍ଥା କଥା ମଧ୍ୟ ଦେଖେ-। ମୋର କର୍ମଚାରୀଙ୍କଠାରୁ ସେ କର୍ମଚାରୀମାନଙ୍କର ଅବସ୍ଥା କୌଣସି ଗୁଣେ ଭଲ ନୁହେଁ-

 

‘ମୋର ମନେ ହେଉଛି ରେଲବାଇର କୋଟି କୋଟି ଟଙ୍କାର ଆୟ ବଡ଼ ବଡ଼ କର୍ମଚାରୀମାନଙ୍କର ଅତିରିକ୍ତ ଦରମା, ଠିକାଦାରମାନଙ୍କଠାରୁ ପଇସା ନେଇ ଅଧିକ ସୁବିଧା ଦେବାରେ ଏବଂ କର୍ମଚାରୀମାନଙ୍କର ସମୟକୁ ବୃଥାରେ ନଷ୍ଟକରିବାଦ୍ୱାରା କମିଯାଉଛି ।

 

‘ବର୍ତ୍ତମାନ ଯାତ୍ରୀଙ୍କ ପାଇଁ କିଛି ସୁବିଧା ହୋଇଛି, ସେ କଥା ମୁଁ ମାନୁଛି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ରେଲବାଇର ଲାଭର ସଦୁପଯୋଗ ହେଉଛି । ବରଂ ଯୋଜନା ପାଣ୍ଠିରୁ ଏଥିପାଇଁ ପ୍ରଚୁର ଟଙ୍କା ଦିଆଯାଉଛି; ଆଉ ଯୋଜନା ବ୍ୟୟ ରେଲବାଇର ଆୟର ଅର୍ଥ ନୁହେଁ, ଏହା କରଦାତାଙ୍କଠାରୁ କର ରୂପେ ସଂଗୃହୀତ ଅର୍ଥ ।

 

‘ମୋର କହିବାର ଅଭିପ୍ରାୟ ଏହା ଯେ, ରାଷ୍ଟ୍ରୀୟ ଉଦ୍ୟୋଗ ଧନ୍ଦାଗୁଡ଼ିକର ଆୟ, ନାଁ କର୍ମଚାରୀଙ୍କର ନା ସର୍ବସାଧାରଣଙ୍କର ହିତକାର୍ଯ୍ୟରେ ବ୍ୟୟିତ ହେଉଛି । ଏହା ଅଯୋଗ୍ୟ, ଆଳସ୍ୟପରାୟଣ ଆଉ କମ୍‌ କାମକରୁଥିବା ସରକାରୀ ଅଫିସରଙ୍କ ପକେଟକୁ ଯାଉଛି ।’

 

‘ଆପଣଙ୍କ କଥାରୁ ଏହା ପରିଷ୍କାର ବୁଝାପଡ଼ୁଛି ଯେ, ଆପଣ କହିବାକୁ ଚାହାନ୍ତି ଜଣେ ପାରିବାର ଶିଳ୍ପପତି ଶ୍ରମିକଙ୍କଠାରୁ ବେଶି କାମ ଆଦାୟ କରନ୍ତି ଓ କମ୍‌ ବେତନ ଦିଅନ୍ତି । ତାହାରି ପାଇଁ ଆପଣ ଯଥେଷ୍ଟ କର ଦେଇ ମଧ୍ୟ ଆରାମରେ ରହିପାରୁଛନ୍ତି ।’

 

‘ଏହା ପାଇଁ ଆଇନ କରାଯାଇପାରେ । ବେତନ କେତେ ନେବେ, କାମ କେତେ ଘଣ୍ଟା କରିବେ ଓ ଅନ୍ୟାନ୍ୟ କି କି ସୁବିଧା ପାଇବେ । ମୋର ବିଶ୍ୱାସ ଏ ସବୁ ହେଲେ ମଧ୍ୟ ଘରୋଇ ଶିଳ୍ପପତିମାନଙ୍କର କାର୍ଯ୍ୟର ଦକ୍ଷତା ସରକାରଙ୍କ ପରିଚାଳିତ ଶିଳ୍ପଗୁଡ଼ିକର କାର୍ଯ୍ୟର ଦକ୍ଷତାଠାରୁ ଭଲ ହେବ ।’

 

‘ଏହା ମନୁଷ୍ୟର ପ୍ରକୃତି ଯେ, ସେ ଯେତେବେଳେ ବୁଝିବ ତା’ର କାର୍ଯ୍ୟର ଲାଭକ୍ଷତିର ପ୍ରଭାବ ତା’ଉପରେ ପଡ଼ିବ, ସେ ସେତେବେଳେ ବେଶି ପରିଶ୍ରମ ଓ ବିଚାରସହିତ କାମ କରିବ । ଜଣେ ବେତନଭୋଗୀ କର୍ମଚାରୀ କାର୍ଯ୍ୟର ଲାଭକ୍ଷତିଠାରୁ ପୃଥକ ରହିବାଯୋଗୁଁ କାର୍ଯ୍ୟ ସମ୍ପନ୍ନ କରିବାରେ ଶିଥିଳ ହୋଇପଡ଼େ ।’

 

‘ତେବେ ଆପଣ କହିବାକୁ ଚାହାନ୍ତି ସମବାୟହିଁ ସର୍ବୋତ୍କୃଷ୍ଟ ପନ୍ଥା । ସେଥିରେ ଶ୍ରମିକମାନେ ମଧ୍ୟ ଲାଭକ୍ଷତିରେ ଭାଗୀଦାର ହୁଅନ୍ତି ।’

 

‘ହଁ ଯଦି ସମବାୟସମିତିଗୁଡ଼ିକୁ କୌଣସି ଏକଚାଟିଆ କାରବାରର ସୁବିଧା ଦିଆ ନ ଯାଏ ତେବେ ସେମାନେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନିଜନିଜର ଦକ୍ଷତା ବଢ଼େଇ ଚାଲିବେ-।’

 

‘ଆପଣତ କେବଳ ମାଟ୍ରିକ୍‌ ପାସ୍‍ କରିଛନ୍ତି ।’

 

‘କିନ୍ତୁ ମୋର ଶିକ୍ଷା ଓ ଅନୁଭୂତି ମାଟ୍ରିକ ପାସ୍‌ କରିବା ପରେ ଆରମ୍ଭ ହୋଇଛି । ମୁଁ ମୋର ସ୍କୁଲ ଶିକ୍ଷା ପରେ ଚାଳିଶବର୍ଷଧରି ଅନେକ ଅନେକ ଲୋକଙ୍କର ସଂସ୍ପର୍ଶରେ ଆସିଛି ଏବଂ ସେ ସମସ୍ତଙ୍କଠାରୁ ଶିକ୍ଷା ଗ୍ରହଣ କରିଛି । ଜୀବନର ପ୍ରତ୍ୟେକ ଘଟଣାରୁ ମୁଁ ଶିକ୍ଷା ଗ୍ରହଣ କରୁଛି । ମୋର ସବୁଠାରୁ ବଡ଼ ଗୁଣ ହେଲା ମୁଁ ସମସ୍ତଙ୍କଠାରୁ କିଛି କିଛି ଗ୍ରହଣ କରିବାକୁ ଚେଷ୍ଟା କରେ । ଫଳରେ ନୂଆ ନୂଆ ଭାବଧାରା ବା ପରିସ୍ଥିତିରେ ମୁଁ ନିଜକୁ ଭସେଇ ଦିଏ ନାହିଁ । ସବୁ ବିଚାର କରି ଗ୍ରହଣ କରେ ।’

 

(୫)

 

ଶିଶିର ଆଜିଯାଏ କେବଳ ସମାଜବାଦୀଙ୍କ ଯୁକ୍ତି ହିଁ ଶୁଣିଥିଲା । ଆଜି ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟକଳାପ ଦେଖି ତା ମନ ଅତ୍ୟନ୍ତ ଉଚ୍ଚାଟ ହେଉଥିଲା । ସେମାନେ ଡିକ୍‌ଟେଟରରୀତିରେ କାର୍ଯ୍ୟକରୁଥିଲେ । ବିପ୍ଳବ ସୃଷ୍ଟି ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେମାନେ ଭୁଲିଯାଇଥିଲେ ଅତୀତସମୟରେ ବିପ୍ଳବର ଆବଶ୍ୟକତା ଥିଲା । ଯେଉଁଠି ଏକଛତ୍ରବାଦ ଶାସନ ସ୍ନେହ ଓ ସହାନୁଭୂତିର ସହିତ ପରିଚାଳିତ ନ ହୁଏ ସେଠାରେ ବିପ୍ଳବର ଆବଶ୍ୟକତା ପଡ଼େ । ଭାରତରେ ତ ପ୍ରତି ପାଞ୍ଚବର୍ଷରେ ଶାନ୍ତିପୂର୍ଣ୍ଣ ବିପ୍ଳବର ଆବଶ୍ୟକତା ପଡ଼ୁଛି ।

 

ଯେତେବେଳେ ପାର୍ଟି କେବଳ ଗଣ୍ଡଗୋଳ କରିବା ଉଦ୍ଦେଶ୍ୟରେ ଧର୍ମଘଟ ଆରମ୍ଭ କରିଦେଲା ଏବଂ ସେ ଧର୍ମଘଟ ଆସି ଶେଷସୀମାରେ ପହଞ୍ଚିଲା ଶିଶିର ତା’ର କାର୍ଯ୍ୟପନ୍ଥାର ତ୍ରୁଟି ପରିଷ୍କାର ବୁଝିପାରୁଥିଲା । କିନ୍ତୁ ଯେତେବେଳେ ଗୋଟାଏ ବୃଥା ମକଦ୍ଦମା କରି କାରଖାନାର ମାଲିକକୁ ହଇରାଣ କରିବାର ଆଜ୍ଞା ହେଲା, ସେତେବେଳେ ସେ ବଡ଼ କ୍ଷୁବ୍ଧ ହେଲା ଏବଂ ସୁବିଧା ପାଇବା ସଙ୍ଗେ ସଙ୍ଗେ ସେ ନିଜକୁ ପାର୍ଟିରୁ ମୁକ୍ତ କରି ନେଲା ।

 

କିନ୍ତୁ ଆଜି ତାକୁ ଜଣେ ପୁଞ୍ଜିପତିଙ୍କ ଦୃଷ୍ଟିକୋଣରୁ କଥାଟାକୁ ବିଚାର କରିବାର ସୁଯୋଗ ମିଳିଲା । ତା’ ମୁଣ୍ଡର ଗୋଳମାଳିଆ ଭାବନାଗୁଡ଼ିକ ଗୋଟିଏ ଧାରାରେ ପଡ଼ିଲା । ସରଦାର ବଡ଼ିୟାମ ସିଂଙ୍କ କହିବାର କଥା ଥିଲା ଯେ, ପୁଞ୍ଜିପତିଙ୍କ ମଧ୍ୟରେ ମଧ୍ୟ ଉଚ୍ଚାନୀଚା ଅଛି । ଏହା ପୁଞ୍ଜି ବେଶି ବା କମ୍‌ଉପରେ ନିର୍ଭର କରେନାହିଁ; ଏହା ନିର୍ଭରକରେ ପୁଞ୍ଜି ଉତ୍ପାଦନ କରିବାର ଯୋଗ୍ୟତା ଉପରେ ।

 

ଜଣେ ଲୋକ ଦଶ କୋଡ଼ିଏ ବା ଚାରି ପାଞ୍ଚଶ ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରେ । ସେ ତାହାର ମିତବ୍ୟୟିତା, କାରଖାନାର ସୁପରିଚାଳନା ଓ ନିଜ ଅନୁଷ୍ଠାନର କର୍ମଚାରୀମାନଙ୍କୁ ସନ୍ତୁଷ୍ଟ ଓ ଖୁସି ରଖିବା ଫଳରେ ସେହି ବ୍ୟବସାୟରେ ଉନ୍ନତି କରେ । ଆଉ ଜଣେ ଲୋକ ତା’ ବାପ ଅଜାଙ୍କ ଗଚ୍ଛିତ ଧନକୁ ବ୍ୟବସାୟରେ ଖଟେଇ ପରିଚାଳନାର ତ୍ରୁଟିଯୋଗୁଁ ଅଳ୍ପଦିନଭିତରେ ଦିବାଳିଆ ହୋଇ ବସେ । ଦୁଇପ୍ରକାର ଉଦ୍ୟୋଗ ଓ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଭେଦ ଅଛି ।

 

ସଙ୍ଗେ ସଙ୍ଗେ ସେ ମଧ୍ୟ ଏକଥା କହିଥିଲେ ଯେ, ଯଦି ଶ୍ରମିକ ଓ ମାଲିକମଧ୍ୟରେ ସମ୍ପର୍କ ଭଲ ନ ଥାଏ ତେବେ ଦେଶର ଆଇନ ବଳରେ ତାକୁ ସୁଧାରି ଦିଆଯାଇ ନ ପାରେ ।

 

ବଡ଼ିୟାମ ସିଂଙ୍କର ଆଉ ଗୋଟିଏ କଥାର ପ୍ରଭାବ ଶିଶିରଉପରେ ବିଶେଷଭାବରେ ପଡ଼ିଥିଲା । ତାହା ହେଲା ଏକଚାଟିଆ କାରବାର ସମ୍ପର୍କରେ ତାଙ୍କର ମନ୍ତବ୍ୟ । ଯଦି କୌଣସି ବ୍ୟବସାୟରେ କାହାକୁ ଏକଚାଟିଆ ଅଧିକାର ମିଳିଯାଏ, ତେବେ ପ୍ରତିଯୋଗିତା ଅଭାବରୁ ସେ ବ୍ୟବସାୟୀ ଆଳସ୍ୟପରାୟଣ ହୋଇ ଉଦ୍ଦ୍ୟୋଗହୀନ ହୋଇପଡ଼େ ।

 

ଏ ଯୁକ୍ତି ଶିଶିରଠାରେ ପୁଞ୍ଜିଭୂତ ହୋଇଥିବା ସମାଜବାଦର ସିଦ୍ଧାନ୍ତଗୁଡ଼ିକ ଏକେବାରେ ମୂଳରୁ ଦୋହଲାଇଦେଲା । ସମାଜବାଦର ବୃକ୍ଷ ତା ଅନ୍ତରରୁ ସମୂଳେ ଉତ୍ପାଟିତ ନ ହୋଇଥିଲେ ମଧ୍ୟ ତାହାର ସପକ୍ଷରେ ଥିବା ଯୁକ୍ତିଗୁଡ଼ିକ ସେ ଆଉ ପୂର୍ବପରି ବାଖ୍ୟାନ କରିପାରିଲା ନାହିଁ ।

 

ଏହି ବାଦବିବାଦରୁ ମୁକ୍ତି ପାଇବା ପାଇଁ ସେ କହିଲା, ‘ମୋର ମାଉସୀ ବର୍ଦ୍ଧମାନ ଜିଲାର ଗୋଟିଏ ବଡ଼ ଜମିଦାରଙ୍କ ବିଧବା ସ୍ତ୍ରୀ । ଜମିଦାରୀ ତ ଲୋପ ପାଇଗଲା, କିନ୍ତୁ ତାଙ୍କର ନଗଦ ଓ କମ୍ପାନୀ ବା କାରଖାନାର ଅଶଂକୁ ଛାଡ଼ିଦେଲେ ଗୋଟାଏ ଫାର୍ମ ଅଛି । ମୋତେ ସେ ଫାର୍ମର ପରିଚାଳନା ଭାର ନେବାକୁ ହେବ । କେବଳ ସେଇଥିରୁ ହିଁ ବର୍ଷକୁ ତିରିଶ ଚାଳିଶ ହଜାର ଟଙ୍କା ମିଳିବ ।’

 

ବଡ଼ୟାମ ସିଂ କିଛି ବିଚାର କରି କହିଲେ, ହରଭଜନ ! ଅମୃତକୁ ଡ଼ାକିଦେ । ଯଦି ସେ ଏହି ଯୁବକକୁ ବିବାହ କରିବାକୁ ଇଚ୍ଛାକରୁଥାଏ ତେବେ ତାହା ସେ କରିନେଉ । ମୋର ସେଥିରେ ଆପତ୍ତି ନାହିଁ ।’

 

ହରଭଜନ ସିଂ ଯାଇ ଅମୃତକୁ ଡାକି ଆଣିଲା । ବଡ଼ିୟାମ ସିଂ ତାକୁ ବହୁପ୍ରକାର ପ୍ରଶ୍ନ କଲେ ଓ ଯେତେବେଳେ ଜାଣିଲେ ଯେ ଅମୃତ ସବୁଥିରେ ସନ୍ତୁଷ୍ଟ ସେତେବେଳେ ସେ ନିଜର ସ୍ୱୀକୃତି ଦେଇ ଦେଲେ ।

 

ବିବାହ ବିଧିମୁତାବକ ହେବାର କଥା ପଡ଼ିବାରୁ ଶିଶିର କହିଲା, ‘ମାଉସୀ ଜାଣନ୍ତି ଯେ ଆମର ବିବାହ ହୋଇଯାଇଛି ।’ ତେଣୁ ସେ ଜାକଜକମରେ ବିବାହ କରିବାକୁ ମୋଟେ ରାଜି ହେଲା ନାହିଁ ।’ ସେ କହିଲା, ‘ଅତିଶୀଘ୍ର ମାମୂଲି ରୀତିରେ ବିଭାଘର ହୋଇଯାଉ ।’

 

ବଡ଼ିୟାମ ସିଂ ହରଭଜନକୁ ଡ଼ାକି କହିଲେ, ‘ତୁ ଯା ଗୁରୁଦ୍ୱାରରୁ ‘ଗ୍ରନ୍ଥୀ’କୁ ଡାକିଆଣ ସେ ବିବାହର ମଙ୍ଗଳାଚରଣ କରିଦେଇ ଯାଉ ।’

 

‘କିନ୍ତୁ ବାପା ! ଯିଏ ଶିଖ୍‌ ନୁହେଁ, ଯାହାର ଦାଢ଼ି କେଶ ନାହିଁ ତାର ମଙ୍ଗଳାଚରଣପାଇଁ ଗୁରୁଦ୍ୱାର ଗ୍ରନ୍ଥୀ ଆସିବ କାହିଁକି ?’

 

ବଡ଼ିୟାମ ସିଂ କିଛି ସମୟ ପାଇଁ ଚୁପ୍‌ ରହିଲେ । ପରେ କହିଲେ, ‘ଛାଡ଼ ସେସବୁ କଥା-। କୌଣସି ପଣ୍ଡିତକୁ ଡାକି ବିବାହ କରେଇଦେ । କଚେରୀରେ ଯାଇଁ ତ ରେଜେଷ୍ଟ୍ରି ବିବାହ ହୋଇପାରନ୍ତା, କିନ୍ତୁ ସେଥିପାଇଁ ଅତିକମ୍‌ରେ ପନ୍ଦର ଦିନ ସମୟ ତ ଦରକାର ।’

 

ଶିଶିର କହିଲା, ‘ପଣ୍ଡିତ ଡାକି ବିବାହ କରେଇଲେ ଶୀଘ୍ର ହେବ ଓ ମାଉସୀଙ୍କ ମନଅନୁସାରେ ମଧ୍ୟ ହେବ ।’

 

ବାପା ପଚାରିଲେ, ‘ଅମୃତ କ’ଣ କହୁଛି ?’

 

‘ଏ କଥା ମୋର ସ୍ଥିର କରିବାର ନୁହେଁ । ମୋର ସ୍ଥିର କରିବାର ହୋଇଥିଲେ ମୁଁ ଆଉ ଏଠାକୁ ଫେରି ଆସିଥାନ୍ତି କାହିଁକି ?’

 

‘ତେବେ ଠିକ୍‍ ଅଛି । ପଣ୍ଡିତଙ୍କୁ ଡକେଇ ବିବାହ କରେଇ ନେବା ଭଲ । ସାକ୍ଷୀପାଇଁ ଦଶକୋଡ଼ିଏ ଲୋକର ଆବଶ୍ୟକ ପଡ଼ିପାରେ । ତେଣୁ ନିକଟ ଆତ୍ମୀୟ କେତେଜଣଙ୍କୁ ଡାକିବାକୁ ହେବ ।’

 

ପରଦିନ ସକାଳକୁ ସେ ସବୁ ସ୍ଥିର ହେବ ବୋଲି କଥା ହେଲା । ପରଦିନ ଶହେ ଦେଢ଼ଶ ବନ୍ଧୁ ମିତ୍ରଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ସରଦାର ବଡ଼ିୟାମ ସିଂ ନିଜେ କନ୍ୟାଦାନ କଲେ । ଶିଶିରର ବନ୍ଧୁ ଭିତରେ ନୀଳା, ପ୍ରବୋଧ ଓ ଇଉନିୟନର କେତେଜଣ ସଦସ୍ୟ ଥିଲେ । ହରଭଜନର ମାମୁଁ ବିଷ୍ଣୁ ସହାୟ ଓ ଆଉ କେତେକ ବନ୍ଧୁ ଯାହାଙ୍କୁ କି ଟେଲିଫୋନ ଯୋଗେ ଆମନ୍ତ୍ରଣ କରାଯାଇ ପାରିଲା ସେମାନେ ମଧ୍ୟ ବିବାହରେ ଯୋଗ ଦେଇଥିଲେ ।

 

ବିବାହ ହୋଇଗଲା । ଏ ଖବର ଗୁରୁଦ୍ୱାରରେ ପହଞ୍ଚିଲା । ସରଦାର ବଡ଼ିୟାମ ସିଂଙ୍କ ଝିଅ ହିନ୍ଦୁ ମତରେ ବିବାହ କରିଛି ଶୁଣି ତାଙ୍କୁ ଗୁରୁଦ୍ୱାର ବାସନ୍ଦ କରିବାର ଚର୍ଚ୍ଚା ଆରମ୍ଭ ହୋଇଗଲା-। ସ୍ଥିର ହେଲା, ବଡ଼ିୟାମ ସିଂଙ୍କୁ ଗୁରୁଦ୍ୱାର କମିଟିରୁ ବାହାର କାରିଦିଆଯିବ ।

 

ଏ କଥା ବଡ଼ିୟାମ ସିଂ ଜାଣିପାରି ନିଜେ କମିଟିରୁ ଇସ୍ତଫା ଦେଇ ଚିଠି ଦେଇଦେଲେ ।

 

ବିବାହ ପରେ ବଡ଼ିୟାମ ସିଂ ଶିଶିର କୁମାରକୁ ଡାକିନେଇ ଏକାନ୍ତରେ ପଚାରିଲେ, ମୁଁ ବିବାହରେ କିଛି ଭେଟି ଦେବାକୁ ଚାହୁଁଥିଲି । କିନ୍ତୁ ମୁଁ ସେ କଥା ଶୁଣିବାକୁ ଅପେକ୍ଷା କରୁଥିଲି କାଳେ ତୁମେ ଆଗ ଏ ବିଷୟରେ କହିବ । ତୁମେ ଏ ବିଷୟରେ କିଛି କହିଲ ନାହିଁ । ତେଣୁ ମୁଁ ଜାଣିବାକୁ ଚାହେଁ, ତୁମେ କ’ଣ ପାଇବାକୁ ଆଶା କରିଥିଲ ।’

 

‘ମୁଁ ଯାହା ପାଇବାକୁ ଆଶା କରୁଥିଲି ପାଇଲି । ମୁଁ ବିବାହରେ କୌଣସି ଯୌତୁକର ପ୍ରତ୍ୟାଶା କରି ନ ଥିଲି । ମୋର ଆଶା ଆମ ଘରର ଅବସ୍ଥା ଅମୃତକୁ ଜଣା; ତାକୁ ପଚାରନ୍ତୁ ସେ ସେଠାରେ କେଉଁ ଜିନିଷର ଅଭାବ ଅନୁଭବ କରିଛି । ସେ ପଦାର୍ଥ ତାକୁ ଦେଇଦିଅନ୍ତୁ ।’

 

ଅମୃତକୁ ଡକାଗଲା ଓ ବଡ଼ିୟାମ ସିଂ ଗୋଟିଏ ଖାଲି ଚେକ୍‌ରେ ଦସ୍ତଖତ କରି ତାହା ଅମୃତ ହାତକୁ ବଢ଼େଇଦେଲେ । ଅମୃତ ପଚାରିଲା, ‘ୟା’କୁ କ’ଣ କରିବି ?’

 

‘ତୁ ଯେତେ ନେବାକୁ ଇଚ୍ଛା କରୁଛୁ ଲେଖ, ଆଉ ଯାହା ନାଁରେ ଲେଖିବାର ଇଚ୍ଛା କରୁଛୁ ଲେଖ ।’

 

ଅମୃତ ସେ ଚେକ୍‌ ଫେରେଇ ଦେଉ ଦେଉ କହିଲା, ‘ବାପା ! ଆପଣ ଯେ ମୋର ଉଚ୍ଛୃଙ୍ଖଳତାକୁ କ୍ଷମା କରିଛନ୍ତି ଏଇ ମୋର ଲକ୍ଷେ ଟଙ୍କା । ୟା’ଙ୍କର ମାଉସୀ ଭାରି ଭଲଲୋକ । ସେ ଜାଣନ୍ତି ଯେ ମୁଁ ଗୋଟିଏ ଦରିଦ୍ର ଆଶ୍ରୟପ୍ରାର୍ଥୀର ଝିଅ, ତେଣୁ କିଛି ଯୌତୁକ ଆଣିନାହିଁ, କିନ୍ତୁ ଏଥି ସକାଶେ ସେ ମୋତେ ଘୃଣା କରିନାହାନ୍ତି କି ମୋତେ ଛୋଟ ମନେ କରି ନାହାନ୍ତି । ମୋର କହିବାର ଅର୍ଥ ଯେ, ମୋର ଆଉ କୌଣସି ଜିନିଷର ପ୍ରୟୋଜନ ନାହିଁ ।’

 

‘ମୁଁ ତୋତେ ଏ ଟଙ୍କା ଏଥିପାଇଁ ଦେଉନି ଯେ, ତୁ ତୋ’ର ଶାଶୁକୁ ଏ ଟଙ୍କା ଘୁସ୍‌ ଦେଇ ଖୁସୀ ହେବୁ । ମୁଁ ତ ମୋର ସ୍ନେହର ନିଦର୍ଶନ ସ୍ୱରୂପ ଏହା ଦେଉଛି ।’

 

‘ତେବେ ଏଥିପାଇଁ ମୋତେ କାହିଁକି ପଚାରୁଛନ୍ତି ? ଆପଣ ଆପଣଙ୍କର ସ୍ନେହର ମୂଲ୍ୟ ଯେତେ ବୋଲି ମନେ କରୁଛନ୍ତି ତାହା ଦେଇ ଦିଅନ୍ତୁ ଓ ମୋପ୍ରତି ସବୁ ସ୍ନେହକୁ ନିଃଶେଷ କରିଦିଅନ୍ତୁ । ଏପରିଭାବରେ ଏହି ସ୍ନେହର ମୂଲ୍ୟ ଦବାଟାକୁ ମୁଁ ମୋଟେ ପସନ୍ଦ କରୁନାହିଁ । ଏହା ବ୍ୟାଙ୍କରେ ଜମା ଥାଉ ବୋଲି ମୁଁ କହୁଛି ।’

 

ଏହା କହି ସେ ପିତାଙ୍କ ମୁଖ ବନ୍ଦ କରିଦେଲା । ଶିଶିର କଥାର ମୋଡ଼ ବଦଳାଇବାକୁ ଯାଇ କହିଲା, ‘ଆମେ ଆଜି ସନ୍ଧ୍ୟାକୁ ଘରକୁ ଯିବାକୁ ଇଚ୍ଛା କରୁଛୁ ।’

 

(୬)

 

ସେଦିନ ସେ ଘରକୁ ଯାଇପାରିଲା ନାହିଁ । ବିବାହ ସରିବା ପରେ ପରେ ନୀଳା ଅମୃତକୁ ଧରି ପକାଇଲା ଓ ସନ୍ଧ୍ୟାବେଳକୁ ତାକୁ ଚା ପିଇବାକୁ ନିମନ୍ତ୍ରଣ କଲା । ନୀଳାର ଏହି ନିମନ୍ତ୍ରଣକୁ ସେ ମନାକରି ପାରିଲା ନାହିଁ ।

 

ସେଠାକୁ ପାର୍ଟିର କେତେକ ଲୋକଙ୍କୁ ମଧ୍ୟ ଡକାଯାଇଥିଲା । ସେମାନେ ପ୍ରବୋଧ ସହିତ ପରିଚିତ ଥିବାରୁ ଆସିଥିଲେ । ପାର୍ଟିର ମୁଖ୍ୟ ଦେବେନ୍ଦ୍ରକୁ ମଧ୍ୟ କରାହୋଇଥିଲା । ତା’ ପାଖକୁ ଶିଶିରର ଇସ୍ତଫାପତ୍ର ଯାଇସାରିଥିଲା । ସେ ତାହାର କାରଣ ବୁଝିପାରିଲା ନାହିଁ । ସେ ଭାବୁଥିଲା ପାର୍ଟିର ବିନା ନିର୍ଦ୍ଦେଶରେ ଶିଶିର ମକଦ୍ଦମା ଉଠାଇ ନେଇଥିବାରୁ ତା’ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରାଯିବା ଉଚିତ୍ । ବର୍ତ୍ତମାନ ଏହି ଇସ୍ତଫାର ଅର୍ଥ ଭିନ୍ନ ପ୍ରକାର ହେଲା ।

 

ୟାଡ଼ୁ ସିଆଡ଼ୁ କେତେକ କଥା ପଡ଼ିଲା ପରେ ଦେବେନ୍ଦ୍ର ଆସି ପ୍ରବୋଧ, ନୀଳା, ଶିଶିର ପ୍ରଭୃତି ଯେଉଁଠି ବସିଥିଲେ ସେଠାରେ ବସିଲା । ସୁବିଧା ପାଇ ଦେବେନ୍ଦ୍ର କହିଲା, ‘ଶିଶିର ! ବୋଧହୁଏ ନିୟମଭଙ୍ଗ ଦୋଷରୁ ଅବ୍ୟାହତି ପାଇବାପାଇଁ ତୁମେ ଏ ଇସ୍ତଫାପତ୍ର ଦେଇଛ ?’

 

‘ନାହିଁ ଦେବେନ୍ଦ୍ରବାବୁ ! ମୁଁ କୌଣସି ନିୟମ ଭଙ୍ଗ କରିନାହିଁ ବା ମୁଁ ଏହାକୁ ଯେ ଡରି ଏପରି କରିଛି ଏହା ନୁହେଁ, ମୁଁ ତ ଇସ୍ତଫା ଦେଇ ଦେଇଛି । ଏହାର କାରଣ ମୁଁ ପାର୍ଟିର ସିଦ୍ଧାନ୍ତ ବା ତାହାର କାର୍ଯ୍ୟବିଧି ଉପରେ ଆଉ ମୋଟେ ବିଶ୍ୱାସ କରୁନାହିଁ ।

 

‘ଏକଥା କେବେଠୁଁ ହୋଇଛି ?

 

‘ଯେବେଠାରୁ ପ୍ରବୋଧ କାରଖାନାରେ ଧର୍ମଘଟ କରିବାକୁ ନିଷ୍ପତ୍ତି ହୋଇଛି ।’

 

‘କିନ୍ତୁ ତୁମେ ତ ପୁଣି ସଫଳତାର ସହିତ ଧର୍ମଘାଟ ଚଳାଇଥିଲ ?’

 

‘ପାର୍ଟିର ନିର୍ଦ୍ଦେଶ ମାନି ଚଳେଇଥିଲି ସତ । କିନ୍ତୁ ଏହା ସଫଳ ହୋଇ ନ ଥିଲା ବୋଲି ମୁଁ ବରାବର ଭାବୁଥିଲି ।’

 

‘କାହିଁକି ? ଚାଳିଶଦିନ ପର୍ଯ୍ୟନ୍ତ ଧର୍ମଘଟ ଚାଲିଥିଲା ଏବଂ ଗୋଟିଏ ହେଲେ କର୍ମଚାରୀ ନିୟମ ଭଙ୍ଗ କରି ନ ଥିଲେ । ଏହାକୁ ତୁମେ ସଫଳ ହୋଇନାହିଁ ବୋଲି କିପରି କହୁଛ ?

 

‘ଯେପରି କେହି ପହଁରିକରି ନଈ ପାର ହେବାକୁ ଯାଇ ମଝିଧାରରେ ବୁଡ଼ି ମରେ ଏ ସେହିଭଳିଆ ସଫଳ ହୋଇଥିଲା । ସେ ଖୁବ୍ ସାବଧାନତା ସହିତ ପହଁରୁଥିଲା, ଅଥଚ ବୁଡ଼ିମଲା, ଏକଥା କହିବା ଯେପରି; ଧର୍ମଘଟ ଆମର ସେହିପରି ଠିକ୍ ହୋଇଥିଲା ଅଥଚ ଅଧବାଟରେ ବୁଡ଼ିମଲା ।’

 

‘ଏହା ଠିକ୍ ଉଦାହରଣ ହେଲାନାହିଁ । ଦେଖ ! ତୁମେ ନିଜେ ଧର୍ମଘଟ କରେଇଲ ଓ ଶେଷ ପର୍ଯନ୍ତ ନିରବଚ୍ଛିନ୍ନ ଭାବରେ ଏହା ଚାଲିଥିଲା । ଏହାକୁ କ’ଣ ଧର୍ମଘଟ ସଫଳତାର ସହିତ ହେଲା ବୋଲି କୁହାଯିବ ନାହିଁ ?

 

‘ଧର୍ମଘଟ କ’ଣ ଆମର ଲକ୍ଷ୍ୟ ଥିଲା ? ବାସ୍ତବରେ ଦେଖିଲେ ଧର୍ମଘଟ ଥିଲା ପନ୍ଥା । ଯେପରି ନଦୀ ପାର ହେବା ହେଲା ଲକ୍ଷ୍ୟ ଆଉ ପହଁରି ପାର ହେବା ହେଲା ପନ୍ଥା, ସେହିପରି କର୍ମଚାରୀଙ୍କ ପାଇଁ ସୁବିଧା ହାସଲ କରିବା ଥିଲା ଆମର ଲକ୍ଷ୍ୟ ଆଉ ଧର୍ମଘଟ କରିବା ଥିଲା ତା’ର ପନ୍ଥା ମାତ୍ର ।’

 

‘ସେ ସମୟରେ ଧର୍ମଘଟ ହିଁ ଆମର ଲକ୍ଷ୍ୟ ଥିଲା, ଅନ୍ୟ ସବୁ ଥିଲା ଗୌଣ ।’

 

‘ନିଜର ଆର୍ଥିକ ଅବସ୍ଥା ସୁଧାରିବାକୁ କର୍ମଚାରୀମାନେ ଧର୍ମଘଟ କରିଥିଲେ ।’

 

‘ସେମାନ ତ ମୂର୍ଖ ଓ ଅଶିକ୍ଷିତ । ଆମର ଉଦ୍ଦେଶ୍ୟ ସେମାନେ ବୁଝନ୍ତୁ, ଏ ଆଶା କରିବା ବୃଥା । ଆମର ଅଖଣ୍ଡ ଯୁଦ୍ଧର ଖୋରାକି ସେମାନେ ଯାହା ଯୋଗାଇଛନ୍ତି । ଆମେ ଚାହିଁଥିଲୁ ସହରରେ ଗୋଟାଏ ଗଣ୍ଡଗୋଳ ସୃଷ୍ଟି କରିବାକୁ । ଆମର ସେ କାର୍ଯ୍ୟ ସଫଳ ହେଲା । ଗଣ୍ଡଗୋଳ ହେଲା; ଗୁଳି ଚାଲିଲା । ଡଜନେ ପର୍ଯ୍ୟନ୍ତେ କର୍ମଚାରୀ ଆହତ ହେଲେ, ତିନିଜଣ ମଲେ । ପାର୍ଲିଆମେଣ୍ଟ ଓ ରାଜ୍ୟସଭାରେ ପ୍ରଶ୍ନ ପଚରାଗଲା, ମୁଲତବି ପ୍ରସ୍ତାବମାନ ଆସିଲା, ପୁଣି ଯେତେବେଳେ ଏ ପ୍ରସ୍ତାବକୁ ନାଚକ କରିଦିଆଗଲା, ସେତେବେଳେ ଶ୍ରମିକମାନଙ୍କର ମନ କଂଗ୍ରେସ ସରକାର ପ୍ରତି ଘୃଣାରେ ଭରିଗଲା । ଏସବୁ ତ ତୁମରି ଯୋଗୁଁ ସମ୍ଭବ ହେଲା । ଏ ପ୍ରକାର ଧର୍ମଘଟକୁ ହିଁ ସଫଳ ଧର୍ମଘଟ କୁହାଯାଏ ।’

 

‘ତେବେ କ’ଣ ଶ୍ରମିକଙ୍କ ସ୍ୱାଥପାଇଁ ଏ ଧର୍ମଘଟ କରାଯାଇ ନ ଥିଲା ?’

 

‘କଦାପି ନୁହେଁ । ମୁଁ ଆମର ପାର୍ଟିକୁ ମଜବୁତ୍ କରିବାକୁ ଚାହେଁ, ତେଣୁ ସରକାରବିରୋଧୀ ଭାବନା ଉତ୍ପନ୍ନ କରିବାପାଇଁ ଏ ପ୍ରକାର ଗଣ୍ଡଗୋଳର ଆବଶ୍ୟକତା ସବୁଠାରୁ ବେଶି । ମୁଁ ଭଲଭାବରେ ଜାଣେ ଶ୍ରମିକଙ୍କର ଏହାଦ୍ୱାରା କ୍ଷତି ହୋଇଛି, କିନ୍ତୁ ପାର୍ଟିର ଲାଭ ହୋଇଛି ଯଥେଷ୍ଟ ।’

 

‘ମୁଁ ଏ ପ୍ରକାର ଗଣ୍ଡଗୋଳ ପ୍ରବୋଧବାବୁଙ୍କ କାରଖାନାରେ ଆରମ୍ଭ କରିଥିଲି, ପାର୍ଟିର ଏ ପ୍ରକାର ବିଚାର ଦୃଷ୍ଟିରୁ ନୁହେଁ, କେବଳ ଜନତାଙ୍କର ସହାନୁଭୂତିକୁ ଶ୍ରମିକଙ୍କ ଆଡ଼କୁ ଆକର୍ଷଣ କରିବାପାଇଁ । ଏହାଦ୍ୱାରା କର୍ମଚାରୀଙ୍କ ଉପରେ ଆପଣଙ୍କର ପାର୍ଟିର ପ୍ରଭାବ ଖୁବ୍ କମିଯାଇଛି । ପୁଣି ମୁଁ ଆପଣଙ୍କୁ ପରିଷ୍କାର କହିଦେବାକୁ ଚାହେଁ ଯେ, କେବଳ ଦେଶରେ ଗଣ୍ଡଗୋଳ ସୃଷ୍ଟି କରିବାକୁ ମୁଁ ଆପଣଙ୍କ ପାର୍ଟିର କାମ କରୁ ନ ଥିଲି । ମୋର ମଧ୍ୟ କଂଗ୍ରେସ ଦଳ ବା ଦେଶର ଅନ୍ୟ କୌଣସି ଦଳ ସହିତ ବିରୋଧ ନାହିଁ । ମୁଁ ଶ୍ରମିକଙ୍କର ମଙ୍ଗଳକାମନା କରୁଥିଲି ଏବଂ ଏ ଧର୍ମଘଟଦ୍ୱାରା ସେମାନଙ୍କର କ୍ଷତି ହେଲା । ମୋର ବିଶ୍ୱାସ ଯେ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତାମାନେ ଯେ କେବଳ ନିଜ ନିଜର ନୀତିବିଚାରରେ ଭୁଲ କରୁଛନ୍ତି, ତାହା ନୁହେଁ, ସେମାନେ ପାର୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ବସିଲେଣି ।’

 

ଏହା ଶୁଣି ଦେବେନ୍ଦ୍ରର ମୁଣ୍ଡ ବିଗିଡ଼ିଗଲା । ସେ କହିଲା, ‘ଶିଶିର ! ଦଶବର୍ଷ ହେଲା ପାର୍ଟିର କାମ କରି ମଧ୍ୟ ତୁମେ ଆଜି ପାର୍ଟିର ନୀତିକୁ ଭୁଲ ବୋଲି କହିପାରୁଛ ? ଜଣେ କଣ୍ଟ୍ରାକ୍ଟର ଝିଅକୁ ବିବାହ କରିବା ପରେ ତୁମର ଏ ମତିଭ୍ରମ ହୋଇଛି ।’

 

କଥା ବଢ଼ୁଥିବାର ଦେଖି ପ୍ରବୋଧ କହିଲା, ‘ଆପଣଙ୍କର ଲଢ଼ିବାର ଇଚ୍ଛା ତ ଏଠାରୁ ବାହାରିଯାଇ ପଦାରେ ଲଢ଼ନ୍ତୁ । ମୁଁ ଶିଶିରର ବିବାହ ଉପଲକ୍ଷେ ଏଠାରେ ଏହି ପାର୍ଟିର ବନ୍ଦୋବସ୍ତ କରିଛି । ଏଠାରେ ପାଠଚକ୍ର ଖୋଲିନାହିଁ ।’

 

ଶିଶିର ଏଥିରେ ହସି ଉଠିଲା । କିନ୍ତୁ ଦେବେନ୍ଦ୍ର ଲାଗ ଲାଗ ଦି ଢୋକ ଚା ଖାଇସାରି ପ୍ରବୋଧକୁ ପଚାରିଲା, ‘ଆପଣ କ’ଣ ବୁଝୁଛନ୍ତି ଆପଣଙ୍କ କାରଖାନାରେ ଧର୍ମଘଟ ହେବା ଫଳରେ ବହୁତ ଖରାପ ହୋଇଛି ?’

 

‘ମୁଁ ତ ଆପଣଙ୍କର ପାର୍ଟିର ସିଦ୍ଧାନ୍ତକୁ ବରାବର ମାନିଆସୁଥିଲି । କିନ୍ତୁ ଶେଷରେ ଆପଣମାନେ ମୋତହିଁ ଆପଣଙ୍କ କଳ୍ପିତ ଗଣ୍ଡଗୋଳ ସୃଷ୍ଟି ପାଇଁ ଖାଦ୍ୟ ହିସାବରେ ନେଲେ । ମୋତେ ଏକଥା ମୋଟେ ଭଲଲାଗିଲା ନାହିଁ । ବସ୍ତବିକ ପାର୍ଟିର ସଭ୍ୟ ଓ ମୋ’ଭିତରେ ଅନେକ ପାର୍ଥକ୍ୟ ଅଛି । ପାର୍ଟିର ସଭ୍ୟ ତ ଆଉ କାରଖାନା ଖୋଲି ନଥିଲେ ସେମାନେ ତ କାରଖାନା ଚଳାଇବାପାଇଁ ବ୍ୟାଙ୍କରୁ ଟଙ୍କା କରଜ କରି ନ ଥିଲେ । ସେହିକାରଣରୁ ସେମାନେ ଯାହା ଭାବୁଥିଲେ, ମୁଁ ତାହା ଭାବିପାରୁ ନଥିଲି । ମୁଁ ସମସ୍ତ ଦେଶର ଅବସ୍ଥାକୁ ଦେଖି କାମ କରୁଥିଲି । ଆପଣଙ୍କର ଓ ଶିଶିରର ଦୃଷ୍ଟିକୋଣ ସୀମିତ । ଯେତେବେଳେ ଦେଶରେ ସମାଜବାଦ ବିସ୍ତାର ଲାଭ କରିବ ସେତେବେଳେ ବ୍ୟାଙ୍କରୁ କରଜ ନେବା ବା ଧର୍ମଘଟ କରେଇବାର ଆବଶ୍ୟକତା ରହିବ ନାହିଁ । ଆଜି ଆମର ସରକାର ସେହିକଥା କରିବାକୁ ଯାଉଛି । ତେଣୁ ଆପଣଙ୍କ ପାର୍ଟିର ଆବଶ୍ୟକତା ବର୍ତ୍ତମାନ ଆଉ ନାହିଁ । ଯଦି ଆପଣଙ୍କର ପାର୍ଟିର କାର୍ଯ୍ୟ ଏହାହିଁ ହୁଏ ତେବେ ତାକୁ ଭାଙ୍ଗି ଦେବା ଉଚିତ୍ ।

 

‘କିନ୍ତୁ କଂଗ୍ରେସ ସରକାର ଯେପରିଭାବରେ କାମ କରୁଛି ସେଥିରେ ଶହେବର୍ଷ ଲାଗିଯିବ କାର୍ଯ୍ୟ ହାସଲ ହେବାକୁ ତଥାପି ଠିକ୍‌ ଭାବରେ ହୋଇପାରିବ କି ନାହିଁ କହି ହେଉନାହିଁ ।’

 

‘ତେବେ ଆପଣଙ୍କ ପାର୍ଟି ଓ କଂଗ୍ରେସ ସରକାର ଭିତରେ ପ୍ରଭେଦ କେବଳ ବିପ୍ଳବର ଗତିକୁ ନେଇ ରହିଗଲା ।’

 

‘ଗତି ହିଁ ସବୁ ! ମୁଁ ନିଜ ଚେଷ୍ଟାର ଫଳ ମୋ ଜୀବନକାଳ ମଧ୍ୟରେ ଭୋଗ କରିବାକୁ ଚାହେଁ । ମୋର ପୁତ୍ର ପ୍ରପୁତ୍ର ଏହା ଦେଖିବେ ବୋଲି ମୁଁ ଅପେକ୍ଷାକରି ରହି ନ ପାରେ ।’

 

‘ତେବେ ଆପଣ ଏଠାରେ ମଧ୍ୟ ଷ୍ଟାଲିନ୍‌ସାହୀ ଚଳେଇବାକୁ ଚାହାନ୍ତି ?’

 

‘କେବଳ ସେତିକି ନୁହେଁ, ତାହା ପୂର୍ବରୁ ଲେନିନ୍ ଯେଉଁ ବିପ୍ଳବ ଆରମ୍ଭ କରିଥିଲେ ସେ ବିପ୍ଳବ ମଧ୍ୟ ଏଠାରେ ଆରମ୍ଭ କରିବାକୁ ଚାହେଁ ।’

 

‘ତେବେ ଆପଣ କ’ଣ ଜାଣନ୍ତି ନାହିଁ ଲେଲିନ୍‌ଙ୍କ କାର୍ଯ୍ୟକୁ ଷ୍ଟାଲିନ୍ ନିନ୍ଧା କରିଥିଲେ ଓ ଷ୍ଟାଲିନଙ୍କ କାର୍ଯ୍ୟକୁ ମଧ୍ୟ ତାଙ୍କ ପରବର୍ତ୍ତୀ ରାଜନୀତିଜ୍ଞ ମାନେ ଘୃଣା କରୁଛନ୍ତି । ମୋର ବିଶ୍ୱାସ ଏ ନୀତିରେ କିଛି ଭୁଲ ରହିଯାଇଛି । ରୁଷିଆରେ ଏ ଦୁହିଁଙ୍କର ପରୀକ୍ଷା ହୋଇ ସାରିଛି ଏବଂ ଏ ଦୁଇଟିଯାକ ଦୋଷପୂର୍ଣ୍ଣ ବୋଲି ଦେଖାଯାଇଛି । ଆମେ ଏଠାରେ ତାକୁ ପୁଣି ପରୀକ୍ଷା କରି ମହାର୍ଘ ବହୁଦର୍ଶିତା ଲାଭ କରିବାକୁ ଚାହୁଁନୁ ।’

 

ଦେବେନ୍ଦ୍ର ପଚାରିଲା, ‘ତେବେ ଆପଣ ମଧ୍ୟ ବିଦାୟ ନେଲେ ?’

 

‘ଯେଉଁଦିନ ଆପଣ ମୋ କାରଖାନାରେ ଧର୍ମଘଟ ଆରମ୍ଭ କରି ଦେଲେ, ସେହି ଦିନ ହିଁ ମୁଁ ଆପଣଙ୍କ ବିଚାରଧାରା ଭ୍ରମାତ୍ମକ ବୋଲି ବୁଝିନେଇଛି । ମୁଁ ଚାହୁଁ ଥିଲି ଯେତେ ଅଳ୍ପ କ୍ଷତି ଶ୍ରମିକଙ୍କର ହୋଇ ଧର୍ମଘଟ ବନ୍ଦ ହୋଇଯାଉ, କିନ୍ତୁ ସେଥିରେ ସହାୟକ ହେଲେ କେତେଜଣ ପୁଞ୍ଜିପତି, ଯଥା ମୋ’ବାପା ଓ ସ୍ତ୍ରୀ ନୀଳାଦେବୀ ।’

 

ଏତିକିବେଳେ ନୀଳା ଦେବୀ ଯେ କି ଅମୃତ ସଙ୍ଗେ ବସି କଥାଭାଷା କରୁଥିଲେ ସେ ଉଠିଆସି କହିଲେ, ‘ଏ ତର୍କ ବର୍ତ୍ତମାନ ବନ୍ଦ ହବ ନା ନାହିଁ ? ମୁଁ ମନେ କରୁଛି ବର୍ତ୍ତମାନ ବରକନ୍ୟାଙ୍କର ଶୁଭକାମନା କରି ସେମାନଙ୍କୁ ସମ୍ବର୍ଦ୍ଧନା କରିବା ଉଚିତ ।’

 

(୭)

 

ପ୍ରବୋଧ ଘରେ ପାର୍ଟି ସରୁ ସରୁ ବହୁତ ଡେରି ହୋଇଗଲା । ତେଣୁ ସେଦିନ ଯିବା ପ୍ରୋଗ୍ରାମ ବନ୍ଦ ରହିଲା । ତେଣେ ବଡ଼ିୟାମ ସିଂ ଦେଖିଲେ ଯେ, ପ୍ରବୋଧ ବରକନ୍ୟାଙ୍କ ଉଦ୍ଦେଶ୍ୟରେ ଗୋଟାଏ ପାର୍ଟି ଦେଇଛି, ତେଣୁ ସେ ମଧ୍ୟ ଏକ ବିରାଟ ପାର୍ଟିର ଆୟୋଜନ କରି ବସିଲେ । ସେହି କାରଣରୁ ଶିଶିରକୁ ଆଉ ଦୁଇଦିନ ଲକ୍ଷ୍ନୌରେ ରହିବାକୁ ପଡ଼ିଲା ।

 

ଝିଅ ତିନିମାସ ନିରୁଦ୍ଦେଶ ରହିବାରୁ ବଡ଼ିୟାମ ସିଂ ପ୍ରଥମେ ଭାରି ରାଗିଥିଲେ । ସେ ଫେରି ଆସିବାରୁ ସେ ନିଜକୁ ଅପମାନିତ ମନେ କରୁଥିଲେ । ପରେ ପରେ ଅମୃତକୁ ବିବାହ ଦେବେ ବୋଲି ବହୁତ ଯୌତୁକ ଦେବାର ଘୋଷଣା କରି ଦେଇଥିଲେ । ଏ ଘୋଷଣା ଶୁଣି କର୍ତ୍ତାର ସିଂ ଯେତେବେଳେ କହିଲେ ଯେ, ରକ୍ତ ପାଣିଠାରୁ ଗାଢ଼ା ଓ ତାଙ୍କ ପୁଅ ପ୍ରୀତମ୍ ସବୁସତ୍ତ୍ୱେ ଅମୃତକୁ ବିବାହ କରିବାକୁ ଇଚ୍ଛୁକ, ସେତେବେଳେ ତାଙ୍କ ଭାବନାରେ ପରିବର୍ତ୍ତନ ଦେଖାଗଲା । ପୁଣି ଯେତେବେଳେ ପ୍ରୀତମ ସିଂ ଧନଲୋଭରେ ନିଜର କେଶଦାଢ଼ି ମଧ୍ୟ କଟାଇଦେବାକୁ ପ୍ରସ୍ତୁତ ବୋଲି କହିଲା, ସେ ନିଜ ଝିଅର ହିତଦୃଷ୍ଟିରୁ ସବୁକଥା କରିବାକୁ ସ୍ୱୀକୃତ ଥିଲେ ।

 

କିନ୍ତୁ ଯେତେବେଳେ ଶିଶିର ସହିତ ଦେଖା ହେଲା ଓ ସେ ‘ପ୍ରେମ, ସୌନ୍ଦର୍ଯ୍ୟ’ ପ୍ରଭୃତି କୌଣସି ଶବ୍ଦ ଉଚ୍ଚାରଣ ନ କରି ସିଧାସଳଖ ସବୁ କଥା କହିଗଲା, ତାଙ୍କର ମତ ବଦଳିଗଲା । ସେ ଅମୃତ ପ୍ରତି ଦେଖାଇଥିବା ବ୍ୟବହାର ପାଇଁ ପଶ୍ଚାତ୍ତାପ କଲେ । ସେ ଅମୃତର ବିବାହରେ ବହୁତ ଯୌତୁକ ଦେବାକୁ ମନସ୍ଥ କରିଥିଲେ ଓ ଶିଶିରର ଇଚ୍ଛା କ’ଣ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଦେଖିଲେ ଯେତେବେଳେ ଶିଶିର ଏ ବିଷୟରେ ନୀରବ, ସେ ତାକୁ ଏକାନ୍ତରେ ଡାକି ଯୌତୁକ ବିଷୟରେ କହିଥିଲେ । ଶିଶିର କହିଥିଲା ଯେ, ଅମୃତ ତ ଯାଇଁ ମାଉସୀଙ୍କ ପାଖରେ ଚଳିକରି ଆସିଛି, ସେ କହୁ ତା’ର ସେଠାରେ କ’ଣ ଅସୁବିଧା ଓ କି କି ଜିନିଷର ଅଭାବ । ସେହି ଅନୁସାରେ ତାକୁ ଦିଆଯାଉ । ସେ ବୁଝିଲେ ଅମୃତର ନିଷ୍ପତ୍ତି ଭୁଲ ହୋଇନାହିଁ । ପୁଣି ଯେତେବେଳେ ଦେଖିଲେ ଯେ, ଶିଶିରର ଜଣେ ବନ୍ଧୁ ସେମାନଙ୍କୁ ଚା ପାର୍ଟିରେ ନିମନ୍ତ୍ରଣ କରିଛି ସେତେବେଳେ ସେ ମଧ୍ୟ ଗୋଟାଏ ପାର୍ଟିର ବନ୍ଦୋବସ୍ତ କରିବେ ବୋଲି ସ୍ଥିର କଲେ ।

 

ପାର୍ଟିର ବନ୍ଦୋବସ୍ତ ହେଲା । ସେଥିରେ ଦୁଇଦିନ ବିତିଗଲା । ବିବାହ ପୂର୍ବଦିନ ମଧ୍ୟାହ୍ନ ଭୋଜନ ପରେ ଶିଶିର ଅମୃତକୁ ବର୍ଦ୍ଧମାନ ଯିବା କଥା କହି ଦେଇଥିଲା । ବଡ଼ିୟାମ ସିଂ ପ୍ରତିମାଦେବୀଙ୍କର ସରଳ ହୃଦୟ କଥା ଶୁଣି ଖୁବ୍ ପ୍ରଭାବିତ ହୋଇଥିଲେ । ସେ ମନେ ମନେ ସ୍ଥିର କରିନେଇଥିଲେ ଯେ, ସେ ଅମୃତକୁ ଖାଲି ହାତରେ ଯିବାକୁ ଦେବେ ନାହିଁ ।

 

ତୃତୀୟ ଦିନ ସନ୍ଧ୍ୟାକୁ ପାର୍ଟିର ସବୁ ବନ୍ଦୋବସ୍ତ ହୋଇଗଲା । ହଜାରେରୁ ଅଧିକ ଲୋକଙ୍କ ପାଇଁ ଚା’ ପାଣିର ବନ୍ଦୋବସ୍ତ କରାଯାଇଥିଲା । ବଗିଚାରେ ପଡ଼ିଥିବା ପ୍ରକାଣ୍ଡ ସାମିଆନା ତଳେ ହାଜାରେରୁ ବେଶି ଆମନ୍ତ୍ରିତ ବ୍ୟକ୍ତି ବସି ଅମୃତର ଘରୁ ପଳେଇବା ଓ ନିଜେ ନିଜର ସ୍ୱାମୀ ବାଛିନେବା ବିଷୟରେ ଚର୍ଚ୍ଚା କରୁ କରୁ ଚା’ ପାନ କରି ଫେରିଥିଲେ ।

 

ଏ ପାର୍ଟିର ଆଉ ଗୋଟିଏ ମଧ୍ୟ ପରିଣାମ ହେଲା । ମାଧୁରୀ ହରଭଜନ ଉପରେ ରାଗିଥିଲା । ସେ ବିବାହ ବିଷୟରେ କୌଣସି ଶେଷ ନିଷ୍ପତ୍ତି କରି ପାରୁ ନ ଥିଲା । ଯେଉଁଦିନ ଅମୃତର ଚିଠି କଲିକତାରୁ ଆସିଲା ସେହିଦିନ ସେ ଦୁହିଁଙ୍କର ଶେଷ କଥିବାର୍ତ୍ତା ହୋଇଥିଲା । ତା’ ପରେ ହରଭଜନ ଅମୃତର ଆସିବାକୁ ଅନେଇ ରହିଲା । ସେ ପ୍ରଥମେ ତା’ର ବନ୍ଧୁ ଆତ୍ମୀୟ ସମସ୍ତଙ୍କୁ କହୁଥାଏ ଯେ ଅମୃତ ସାବାଳିକା ହେଲାଣି, ଏଣିକି ତା ଖୁସୀ ଅନୁସାରେ ସେ ବିବାହ କରିବ ।

 

ତା’ପରେ ଅମୃତ ଫେରି ଆସିଲା । ତା’ର ବିବାହ ହେଲା । ବିବାହ ପରେ ପରେ ଏସବୁ ପାର୍ଟି ପ୍ରଭୃତି ହେବାରୁ ହରଭଜନ ଆଉ ମାଧୁରୀକୁ ଭେଟିବାକୁ ବେଳ ପାଇ ନ ଥିଲା । ଆଜି ଚା’ ଖାଇବାକୁ ମାଧୁରୀ, ପ୍ରବୋଧ, ନୀଳା ସମସ୍ତେ ନିମନ୍ତ୍ରିତ ହୋଇଛନ୍ତି । ଏହି ଅବସରରେ ହରଭଜନ ମାଧୁରୀ ସହିତ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଦେଲା । ମାଧୁରୀ ଟିକିଏ ରାଗି କହିଲା, ‘ଆପଣ କଣ ମୋ ସହିତ ଥଟ୍ଟା କରୁଛନ୍ତି ?’

 

‘ସେ କଥା ନୁହେଁ ମାଧୁରୀ ! ଅମୃତ ଘରୁ ଚାଲିଯିବା ପରେ ମୋ ମନ ଏପରି କ୍ଷୁନ୍ନ ହେଲା ଯେ ମୋ ମୁଣ୍ଡ ଠିକ୍ ରହିଲାନାହିଁ । ଭଲ ମନ୍ଦ ଆଗପଛ ବିଚାର କରିବାର ଶକ୍ତି ମଧ୍ୟ ହରାଇ ବସିଲି । ଅମୃତର ବିବାହ ହୋଇଯିବାରୁ ମୁଣ୍ଡରୁ ଗୋଟାଏ ବୋଝ ଉତୁରିଗଲା ପରି ଲାଗୁଛି । ମୋର ପ୍ରସ୍ତାବ କ’ଣ ଡ଼େରି ହୋଇଯାଇଛି ?’

 

‘ଡେରି ହୋଇଛି ବୋଲି କହୁନାହିଁ, କିନ୍ତୁ ଯାହା କିଛି ହବାର କଥା ତାହା ଆଜି ସ୍ଥିର ହୋଇଯାଉ । କାଲି କଥା ପୁଣି କାଲିକି ରହି ଯିବ ।’

 

ହରଭଜନ ହସି କରି କହିଲା, ‘ତେବେ ମୁଁ ବାପାଙ୍କୁ କହୁଛି ତୁମ ବାପାଙ୍କ ସହିତ କଥାବାର୍ତ୍ତା କରିବାକୁ ।’

 

‘ଆପଣଙ୍କ ଇଚ୍ଛା, ମୋର ସେଥିରେ କିଛି କହିବାର ନାହିଁ ।’

 

ପ୍ରଭୁଦୟାଲ ଏହି ନିଷ୍ପତ୍ତିପାଇଁ ବରାବର ଅପେକ୍ଷା କରି ବସିଥିଲେ । ଯେତେବେଳେ ବଡ଼ିୟାମ ସିଂ କହିଲେ, ‘ବାରିଷ୍ଟର ସାହେବ ! ମୁଁ ମୋ’ର ପୁଅର ଇଚ୍ଛା ଅନୁସାରେ ଆପଣଙ୍କ ଝିଅ ମାଧୁରୀ ସହିତ ତା’ର ବିବାହ ପ୍ରସ୍ତାବ କରୁଛି । ମୋର ବିଶ୍ୱାସ ଏ ପ୍ରସ୍ତାବକୁ ଆପଣ ଅନୁଚିତ ବୋଲି ମଣିବେ ନାହିଁ । ଆପଣଙ୍କ ମତାମତ ଏ ବିଷୟରେ ମୁଁ ଜାଣିବାକୁ ଚାହେଁ । ମୁଁ ଆପଣଙ୍କୁ କହିଦିଏ ଯେ ଯେତେଦୂର ବିଶ୍ୱାସ ମାଧୁରୀର ଏଥିରେ ଅମତ ନାହିଁ ।’

 

ବାରିଷ୍ଟର ସାହେବ ମାଧୁରୀକୁ ପଚାରି ନିଜର ଅନୁମତି ଦେଇଦେଲେ । ଦୁଇ ଗୁରୁଜନ ବସି ନିଷ୍ପତ୍ତି କଲେ ଯେ ଏ ବିବାହ ଅମୃତ ବର୍ଦ୍ଧମାନ ଯିବା ପୂର୍ବରୁ ସମ୍ପନ୍ନ ହେବା ଉଚିତ । ଫଳରେ ଶିଶିର ଓ ଅମୃତକୁ ଆଉ ଦିନେ ରହିବାକୁ ପଡ଼ିଲା । ପରଦିନ ହରଭଜନ ସିଂ ଓ ମାଧୁରୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।

 

ଅମୃତର ବିବାହ ଓ ପାର୍ଟିକୁ ଓ ହରଭଜନର ବିଭାଘରକୁ ଗୁରୁଦ୍ୱାରରୁ କେହି ଆସିଲେ ନାହିଁ । ଏ ସବୁ ବଡ଼ିୟାମ ସିଂ ଲକ୍ଷ୍ୟ କରୁଥିଲେ । ସେ ମନେ କରୁଥିଲେ ଗୁରୁଦ୍ୱାରବାଲା ତାଙ୍କୁ ଏକଘରକିଆ କରିବେ । ଏହା ପରେ ଯେତେବେଳେ ଦେଖିଲେ ଯେ, ତାଙ୍କର ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ପରିଜନ ଅମୃତର ବିବାହକୁ ସ୍ୱୀକୃତି ଦେଉଛନ୍ତି ସେତେବେଳେ ଶିଖ୍ ସମ୍ପ୍ରଦାୟ ପ୍ରତି ତାଙ୍କର ଆଉ କ୍ରୋଧ ରହିଲା ନାହିଁ । ଆତ୍ମୀୟ ବନ୍ଧୁ ମାନେ ମଧ୍ୟ ଅମୃତକୁ ବହୁତ ଜିନିଷ ଉପହାର ଦେଲେ ।

 

(୮)

 

ଶିଶିର ଓ ଅମୃତଙ୍କ ବିଭାଘର ପାଇଁ ନୀଳାଦେବୀ ଯେଉଁ ପାର୍ଟି ଦେଇଥିଲେ ସେଥିରେ ହୋଇଥିବା ଆଲୋଚନାଦ୍ୱାର ଦେବେନ୍ଦ୍ର ଭାରି ରାଗିଯାଇଥିଲେ । ତାଙ୍କର ରାଗିବାର କାରଣ ଯେ, ସେ ତାଙ୍କ ନିଜର ଦୃଷ୍ଟିକୋଣ ଶିଶିର ଓ ପ୍ରବୋଧକୁ ବୁଝାଇ ପାରିଲେ ନାହିଁ । ସେଥିପାଇଁ ସେ ପରଦିନ ପାର୍ଟିର ଏକ ବିଶେଷ ବୈଠକ ଡକାଇ କେତେକ ଆବଶ୍ୟକୀୟ ନିଷ୍ପତ୍ତି କରାଇନେଲେ । ସେଥିରେ ଥିଲା, ‘ପ୍ରବୋଧ ଓ ଶିଶିର ବୁର୍ଜୁୟା ମନୋବୃତ୍ତିର ଲୋକଙ୍କ ସହିତ ମିଳିତ ହେବାରୁ ସେ ଦୁହିଙ୍କୁ ପାର୍ଟିରୁ ବହିଷ୍କାର କରାଗଲା ।’ ଦ୍ୱିତୀୟ ପ୍ରସ୍ତାବ ଥିଲା, ‘ଶିଶିର ଜାଗାରେ ପଣ୍ଡିତ ଭୃଗୁଦତ୍ତଙ୍କୁ ଅଟୋମୋବାଇଲ ଇଉନିୟନର ପ୍ରେସିଡେଣ୍ଟ ନିଯୁକ୍ତି କରାଗଲା ।’

 

ଭୃଗୁଦତ୍ତ ପ୍ରବୋଧ କାରଖାନାର ଧର୍ମଘଟର ପରିଣାମ ଦେଖି ସାରିଥିଲେ । ତେଣୁ ପାର୍ଟିର ବିଶେଷ ଅଧିବେଶନରେ ତାକୁ ଇଉନିୟନର ପ୍ରେସିଡେଣ୍ଟ ନିଯୁକ୍ତ କରିବା କଥା ଶୁଣି ସେ ବଡ଼ ଅଡ଼ୁଆରେ ପଡ଼ିଗଲେ । କୌଣସି କାରଣରୁ ସେଦିନ ସେ ପାର୍ଟି ମିଟିଂରେ ନ ଥିଲେ । ତାଙ୍କୁ ଏ ଖବର ଦେବେନ୍ଦ୍ରର ଜଣେ ସମର୍ଥକ ଦେଲେ । ସେ ଏହି ନିଷ୍ପତ୍ତିକୁ ମାନି ନବ କ’ଣ, ଓଲଟି କହିଲା ‘ମୁଁ ଆଜି ସଞ୍ଜକୁ ଦେବେନ୍ଦ୍ର ବାବୁଙ୍କ ସହିତ ଏହାର ମୁକାବିଲ କରିବି ।’

 

ଏ ଉତ୍ତର ଶୁଣି ଦେବେନ୍ଦ୍ର ରାଗିଗଲା । ସନ୍ଧ୍ୟାରେ ଭୃଗୁଦତ୍ତ ଦେଖା କରିବାକୁ ଆସିଲାରୁ ସେ କହିଲା, ‘ମୁଁ ଜାଣେ ସହରରେ ପ୍ଲେଗ୍ ରୋଗ ଲାଗିଲେ ତାହା ସୁସ୍ଥ ଅସୁସ୍ଥ ସମସ୍ତଙ୍କୁ ଲାଗିଯାଏ । ମୋର ମନେ ହେଉଛି ତୁମକୁ ମଧ୍ୟ ଶିଶିରର ଭୁତ ଆକ୍ରମଣ କରିଛି ।’

 

‘ମୁଁ କିଛିଦିନ ଲକ୍ଷ୍ନୌରେ ନଥିଲି, ତେଣୁ ମୁଁ ଜାଣେନାହିଁ ଶିଶିରକୁ କି ଭୁତ ଲାଗିଛି, ଯାହାର ଲକ୍ଷଣ ଆପଣ ମୋ’ଠାରେ ବି ଦେଖିବାକୁ ପାଉଛନ୍ତି ।’

 

ପୁଞ୍ଜପତି ପ୍ଲେଗର ଲକ୍ଷଣ । ଶିଶିରର ବିବାହ ଏଠାକାର ଜଣେ କୁଖ୍ୟାତ ଠିକାଦାର ବଡ଼ିୟାମ ସିଂଙ୍କ ଝିଅ ସହିତ ହୋଇଗଲା ଓ ତାହା ଫଳରେ ତା’ ଉପରେ ଧନିକଗୋଷ୍ଠୀଙ୍କର ପ୍ରଭାବ ପଡ଼ିଲା । ତୁମେ ମଧ୍ୟ ପାର୍ଟିର ନିଷ୍ପତ୍ତି ଶୁଣି ଯେତେବେଳେ କହିଲ ଯେ ମୋ ସଙ୍ଗେ ଦେଖାକରି ମୁକାବିଲା କଲେ ଯାଇଁ ଯାହା ସ୍ଥିର କରିବା, ସେତେବେଳେ ସେହି ପ୍ଲେଗର ଲକ୍ଷଣ ମୁଁ ତୁମଠାରେ ଦେଖିବାକୁ ପାଇଲି ।’

 

ଭୃଗୁଦତ୍ତ ହସି ଉଠିଲା । ସେ କହିଲା, ‘ଦେବେନ୍ଦ୍ର ବାବୁ ! ମୋ’ ମନରେ ଅନ୍ୟ ଏକ ବିପ୍ଳବର ଭବନା ଆସିଛି । ମୁଁ ଜାଣେ ନାହିଁ ତାହା ଆପଣ ଭାବୁଥିବା ପ୍ଲେଗ ରୋଗର ଲକ୍ଷଣ ବା ଅନ୍ୟ କିଛି । କିନ୍ତୁ ମୋର ବିଶ୍ୱାସ ଏ ସବୁ ବେମାରୀର ଚିକିତ୍ସା କରିବାକୁ ଆପଣ ଉପଯୁକ୍ତ ଡାକ୍ତର ନୁହଁନ୍ତି ।

 

‘ମୁଁ ଯେତେବେଳେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲି, ସେତେବେଳେ ମୋର ଦୃଢ଼ଧାରଣା ଥିଲା ଯେ ପାର୍ଟିର ଡିକ୍ଟେଟରସିପ୍ ଦ୍ୱାରା ଦେଶର କାମ ଚଳିବ । ମୋ’ର ସେ ଧାରଣା ଭୁଲ ବୋଲି ମୁଁ ଏବେ ବୁଝୁଛି । କମ୍ୟୁନିଷ୍ଟ ପାର୍ଟିର ଡିକ୍ଟେଟରସିପ୍ ନାହିଁ, ଅଛି ଜଣେ ଜଣେ ମୁଖ୍ୟକର୍ତ୍ତାଙ୍କର ଡିକ୍ଟେଟରସିପ୍ । ମୁଁ ଦେଖୁଛି ଆପଣ ପାର୍ଟିର ସଦସ୍ୟ ମାନଙ୍କର ସ୍ୱାଧୀନ ଚିନ୍ତାଧାରା ବା ସାମାନ୍ୟ ବିରୋଧ ବରଦାସ୍ତ କରିବାକୁ ଏକାବେଳକେ ନାରାଜ । ସ୍ୱାଧୀନ ମତବାଦର ସ୍ଥାନ ଏଠାରେ ନାହିଁ । ଆପଣ ଆପଣଙ୍କ ଉପରବାଲାଙ୍କର, ସେ ତାଙ୍କ ଉପରବାଲାର ଆଜ୍ଞା ପାଳନ କରିବା ମାତ୍ର ଜାଣନ୍ତି । ପ୍ରଥମେ ଥିଲେ ଆପଣଙ୍କ ଇଷ୍ଟ ଷ୍ଟାଲିନ ଏବେ ହେଲେ କୃଶ୍ଚେଭ । ଆପଣଙ୍କର ଏହି ନେତାମାନଙ୍କର ଶୃଙ୍ଖଳା ଭିତରେ ମୁଁ ମାନବ ହିତପାଇଁ କିଛି ଥିବାର ଦେଖୁ ନାହିଁ । କୁହନ୍ତୁ ଆପଣ ଶିଶିରକୁ କାହିଁକି ପାର୍ଟିରୁ ବହିଷ୍କାର କରି ଦେଲେ ? ପାର୍ଟିରେ କ’ଣ ମତଭେଦର ସ୍ଥାନ ନାହିଁ ?

 

ଦେବେନ୍ଦ୍ର କହିଲା, ‘ସେ ପାର୍ଟିର ବିନା ନିର୍ଦ୍ଦେଶରେ ପ୍ରବୋଧ କାରଖାନାର ବିକ୍ରି ଉପରେ କରିଥିବା ଇଞ୍ଜଙ୍କସନ ମକଦ୍ଦମାକୁ ଉଠାଇ ନେଇଥିଲା ।’

 

‘ସେଇକଥା ତ ମୁଁ କହୁଛି । ପ୍ରବୋଧ କାରଖାନାରେ କାମ କରୁଥିବା ଲୋକମାନଙ୍କ ସହିତ ଆପଣଙ୍କର ପାର୍ଟିର ସମ୍ବନ୍ଧ କ’ଣ ଥିଲା ? ସେ ସମସ୍ତ କର୍ମଚାରୀ ତ ପାର୍ଟିର ସଭ୍ୟ ନୁହନ୍ତି । ସେହି କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ଶିଶିର ମକଦ୍ଦମା ଉଠାଇ ନେଇଛି ।’

 

‘ଦେଖ ଭୃଗୁ ! କେଉଁଟା କର୍ମଚାରୀଙ୍କର ହିତ ବା କେଉଁଟା ଅହିତ ସେ କଥା ବିଚାର କରିବାର ଅଧିକାର ଶିଶିରର ନ ଥିଲା ।’

 

‘ତେବେ ସେ ଅଧିକାର ଥିଲା କାହାର ?’

 

‘ପାର୍ଟି, ଅର୍ଥାତ୍ ପାର୍ଟିର ନେତାମାନଙ୍କର ।’

 

‘ମୁଁ ଏ ଫିଲଜଫିକୁ ମାନେ ନାହିଁ । ମୋର ଧାରଣା କର୍ମଚାରୀମନଙ୍କର ଏହା ପ୍ରଥମ ଅଧିକାର ଏବଂ ସେମାନେ ମକଦ୍ଦମା ଉଠାଇନେବା ସପକ୍ଷରେ ଥିଲେ ।’

 

‘ମୁଁ ଅଳ୍ପବୁଦ୍ଧି ଶ୍ରମିକମାନଙ୍କୁ ଏ ଅଧିକାର ଦେଇ ନ ପାରେ । ଏହାଦ୍ୱାରା ସୋସିଆଲିଷ୍ଟି ଷ୍ଟେଟ୍ ନିର୍ମାଣ ହୋଇପାରିବ ନାହିଁ । ସମାଜବାଦୀ ଦେଶରେ ଡିକ୍‌ଟେଟର ଶାସନହିଁ କେବଳ ସଫଳ ହେବ । ଭାରତ, ଆମେରିକା, ଇଂଲଣ୍ଡରେ ପ୍ରଚଳିତ ଡିମୋକ୍ରେଶୀଦ୍ୱାରା ସମାଜବାଦୀ ସମାଜ ଗଠନ ସମ୍ଭବପର ହେବନାହିଁ ।’

 

‘ତେବେ ଆପଣଙ୍କର କହିବା ଅଭିପ୍ରାୟ ଏହା ଯେ ସମାଜବାଦୀ ସମାଜ ଗଠନର ଗୌରବ ଓ ଲାଭ ଏତେ ଅଧିକ ଯେ ପ୍ରତ୍ୟେକ ଲୋକଙ୍କର ମସ୍ତିଷ୍କରେ ତାଲା ପକାଇଦେବା ମଧ୍ୟ କ୍ଷମଣୀୟ ବୋଲି କହିବାକୁ ହେବ ।’

 

‘ଏଥିରେ କ’ଣ ସନ୍ଦେହ ଅଛି ? ସମାଜବାଦୀ ସମାଜରେ ପ୍ରତ୍ୟକ ବ୍ୟକ୍ତି ଭୋଜନ, ପରିଧାନ, ବାସଗୃହ ପାଇବେ ଏବଂ ଏହି ବିରାଟ କାର୍ଯ୍ୟକୁ ସମ୍ପାଦାନ କରିବାପାଇଁ ମୂର୍ଖଙ୍କ ମସ୍ତିଷ୍କରେ ତାଲା ପକାଇବାକୁ ଯଦି ପଡ଼େ ସେଥିରେ କିଛି କ୍ଷତି ନାହିଁ ।’

 

‘ବୁଦ୍ଧିମାନ ଲୋକ ତା’ ମସ୍ତିଷ୍କରେ ତାଲା ପକାଇବାକୁ ରାଜି ହେବ ତ ?’

 

‘ମୁର୍ଖଙ୍କ ମସ୍ତିଷ୍କରେ ମୂଳରୁ ତ ତାଲା ପଡ଼ିଛି । କେବଳ ସମାଜବାଦୀ ସମାଜ ଗଠନ ପାଇଁ ଏହାର ଉପଯୋଗ କରାଇବା ଆମର କାମ ।’

 

ଭୃଗୁଦତ୍ତ ଏ ଯୁକ୍ତି ଶୁଣି ସ୍ତବ୍‌ଧ ହୋଇ ରହିଗଲା । କିଛି ସମୟ ପର୍ଯ୍ୟନ୍ତ ନିଜର ଭାବନାକୁ ବିଶ୍ଳେଷଣ କରି କହିଲା, ‘ମୁଁ ଏହାକୁ କେବଳ ଦାମ୍ଭିକତାପୂର୍ଣ୍ଣ ଭାବନା ବୋଲି କହିବି । ମାନବର ସର୍ବଶ୍ରେଷ୍ଠ ଶକ୍ତି, ତା’ର ମନନଶକ୍ତିକୁ ଖର୍ବ କରିବା ଲୋକକୁ ମୁଁ ଘୋର ପାପୀ ବୋଲି ମନେ କରେ । ମୁଁ ତ ଏପରି କରିପାରିବି ନାହିଁ । ସେହି କାରଣରୁ ମୁଁ ଇଉନିୟର ପ୍ରେସିଡେଣ୍ଟ ହୋଇ, ଶ୍ରମିକମାନଙ୍କର ନିଜର ହିତ ଅହିତ ଚିନ୍ତା କରିବାର ଯୋଗ୍ୟତାକୁ ନଷ୍ଟ କରିଦେବାକୁ ଚାହେଁ ନାହିଁ ।

 

‘ତେବେ ତୁମେ ମଧ୍ୟ ପାର୍ଟିର ଆଦେଶ ମାନିବ ନାହିଁ ?

 

‘ପାର୍ଟିର ନା ଆପଣଙ୍କର ? ନାଁ ଆପଣଙ୍କର ପରମଗୁରୁ ରୁଷ ବଲସେଭିକ ଦଳର ପ୍ରଧାନ ମନ୍ତ୍ରୀଙ୍କ ଆଦେଶ ? ମୁଁ ତ ଭାରତବର୍ଷର ଲୋକ । ଭାରତରେ ଆଜି ପ୍ରଜାତନ୍ତ୍ର ରାଜ ସ୍ଥାପିତ ହୋଇଛି । ପ୍ରଜାତନ୍ତ୍ରରେ ବିଚାରର ସ୍ୱଧୀନତା ଲୋକମାନଙ୍କର ଗୋଟିଏ ମୂଲ୍ୟବାନ ଅଧିକାର । ମୁଁ ଏ ଅଧିକାରକୁ ଆପଣଙ୍କୁ ବିକି ଦେବାକୁ ପ୍ରସ୍ତୁତ ନୁହେଁ ।’

 

ଭୃଗୁଦତ୍ତର ଏହି ବାକ୍ୟବାଣରେ ଦେବେନ୍ଦ୍ର ଏକେବାରେ ରାଗି ଲାଲ । ସେ ଆଉ ସମ୍ଭାଳି ନପାରି ନିଜର ନିଷ୍ପତ୍ତି ଶୁଣେଇ ଦେଇ କହିଲା, ‘ମୁଁ ତୁମକୁ ପାର୍ଟିରୁ ବହିଷ୍କାର କଲି । ତୁମେ ବର୍ତ୍ତମାନ ଏଠାରୁ ଅନ୍ୟତ୍ର ଚାଲିଯାଅ, ନଚେତ୍ ତୁମ ମୁହଁର କଥା ବନ୍ଦ କରି ଦିଆଯିବ । ଯେପରି ପ୍ଲେଗଦ୍ୱାରା ଆକ୍ରାନ୍ତ ମୂଷାକୁ କିରାସିନୀ ପକେଇ ପୋଡ଼ି ଦିଆଯାଏ, ସେହିପରି ବ୍ୟବସ୍ଥା ମୁଁ ତୁମପାଇଁ କରିବାକୁ ଭାବୁଛି ।’

 

ଭୃଗୁଦତ୍ତ ଏହା ଅସମ୍ଭବ ବୋଲି ଭାବୁଥିଲେ ମଧ୍ୟ ଏହା ପରେ ତା’ର ଆଉ ସେଠାରେ ରହିବା ଠିକ୍ ମନେ ହେଲା ନାହିଁ ।’

 

ପରଦିନ ଭୃଗୁଦତ୍ତକୁ ପାର୍ଟିରୁ ବହିଷ୍କାର କରାଯିବା କଥାଟା ସବୁ ସଦସ୍ୟଙ୍କ ପାଖକୁ ପଠାଇ ଦିଆଗଲା ।

 

(୯)

 

ଶେଷରେ ଶିଶିର ଓ ଅମୃତର ବିଦାୟ ହେବାର ଦିନ ଆସିଲା । ସେମାନଙ୍କୁ ଲକ୍ଷ୍ନୌ ଷ୍ଟେସନରେ ଛାଡ଼ିବାପାଇଁ ପ୍ରାୟ କୋଡ଼ିଏରୁ ଅଧିକ ଲୋକ ଯାଇଥିଲେ । ବନ୍ଧୁ ଓ ଆତ୍ମୀୟମାନେ ବରକନ୍ୟାଙ୍କୁ ଫୁଲମାଳ ପିନ୍ଧାଇ ଆଶୀର୍ବାଦ କଲେ ।

 

ଠିକ୍ ଗାଡ଼ି ଛାଡ଼ିବା ପୂର୍ବରୁ ବଡ଼ିୟାମ ସିଂ ଡବା ଭିତରକୁ ଚଢ଼ି ଆସି ଅମୃତକୁ ହାତୀ ଦାନ୍ତର ଗୋଟିଏ ବାକ୍‌ସ ଦେଲେ । ଦେଲାବେଳେ କହିଲେ, ‘ଅମୃତ ! ମୋର ବନ୍ଧୁ ଓ ଆତ୍ମୀୟମାନେ ତୁମମାନଙ୍କୁ ବହୁତ ଜିନିଷ ଉପହାର ଦେଇଛନ୍ତି । ମୁଁ କେବଳ ଏହି ଜିନିଷଟି ଦେଉଛି । ୟାକୁ ରଖ ଓ ଗାଡ଼ି ଛାଡ଼ିଲେ ଯାଇ ଫିଟେଇବୁ ।’

 

ଶିଶିର ଏତିକିବେଳେ ତା’ର ବନ୍ଧୁ, ଯେଉଁମାନେ କି ପାର୍ଟିର ଲୋକ ନୁହନ୍ତି, ସେମାନଙ୍କଠାରୁ ବିଦାୟ ନେଉଥିଲା । ଗାଡ଼ି ସିଟି ଦେବାରୁ ସେ ଗାଡ଼ି ଉପରକୁ ଚଢ଼ିଗଲା ଏବଂ ସେ ଓ ଅମୃତ ଝରକା ବାଟେ ମୁହଁ ବଢ଼ାଇ ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କରିବାକୁ ଲାଗିଲେ ।

 

ଗାଡ଼ି ଷ୍ଟେସନରୁ ବାହାରକୁ ଆସିବାରୁ ବଡ଼ିୟାମ ସିଂ ଦେଇଥିବା ହାତୀ ଦାନ୍ତର ବାକ୍‌ସକୁ ଅମୃତ ଶିଶିରକୁ ଦେଖାଇ କହିଲା, ‘ଏ ବାକ୍‌ସଟିକୁ ବାପା ଠିକ୍ ଗାଡ଼ି ଛାଡ଼ିବା ପୂର୍ବରୁ ମୋତେ ଦେଇଗଲେ ।’

 

ଶିଶିର ବାକ୍‌ସକୁ ଦେଖିଲା । ଖୁବ୍ ସୁନ୍ଦର ବାକ୍‌ସଟିଏ, ଏହାର ଦାମ ଦୁଇତିନିଶ ଟଙ୍କାରୁ କମ୍ ହେବନାହିଁ ବୋଲି ସେ ଭାବୁଥାଏ । ଶିଶିର କହିଲା, ‘ଏହା ତ ସ୍ନେହର ନିଦର୍ଶନ ମାତ୍ର । ଶ୍ୱେତ ହାତୀଦାନ୍ତର ପଦାର୍ଥ ଅତି ଶୁଭ ବୋଲି କୁହାଯାଏ ।’ ଏହା କହୁ କହୁ ସେ ବାକ୍‌ସ ଖୋଲି ଦେଖିବାକୁ ଆରମ୍ଭ କରିଦେଲା । ସେଥିରେ ଖଣ୍ଡିଏ କାଗଜ ଭଙ୍ଗାଭଙ୍ଗି ହୋଇ ଥୁଆ ହୋଇଥାଏ । ଶିଶିର ଭାବିଲା ଏ ବାକ୍‌ସ କିଣାର ରସିଦ । ତେଣୁ ଦାମ ଜାଣିବାକୁ ସେ କାଗଜ ଖଣ୍ଡିକୁ ଖୋଲିକରି ଦେଖିଲା । ପଢ଼ୁ ପଢ଼ୁ ତା ଆଖି ଓ ମୁହଁ ବିଷ୍ଫାରିତ ହୋଇଗଲା । ତାହା ଏଲାହାବାଦ ବ୍ୟାଙ୍କର ବର୍ଦ୍ଧମାନ ଶାଖା ଉପରେ ପାଞ୍ଚଲକ୍ଷ ଟଙ୍କାର ଡ୍ରାଫଟ । ସେ ଡ୍ରାଫଟକୁ ଅମୃତକୁ ଦେଖାଇବାରୁ ତା ଆଖିରୁ ପାଣି ଗଡ଼ି ପଡ଼ିଲା । ଶିଶିର କହିଲା, ‘ଏହା ବହୁତ ହୋଇଗଲା, ନୁହେଁ ?

 

‘ସେ କଥା ନୁହେଁ । ମୁଁ ପରିଷ୍କାର ଜାଣିପାରିଛି ଯେ ବାପା କେବଳ ମୋତେ କ୍ଷମା କରି ନାହାନ୍ତି, ବରଂ ପ୍ରଥମରୁ ମୋ ପ୍ରତି ଯେଉଁ କଠୋରତା ଦେଖାଇଥିଲେ ତା’ର ପ୍ରାୟଶ୍ଚିତ୍ତ କରିଛନ୍ତି । ସେ ମାନିନେଲେ, ମୁଁ ଘରୁ ପଳାଇଯାଇ କୌଣସି ଅନୁଚିତ କାର୍ଯ୍ୟ କରିନାହିଁ ଓ ମୋ’ର ବାଛିବାଟା ଏକେବାରେ–

 

‘ଏକେବାରେ ଭୁଲ । ଏୟା ତ ?’

 

ଏଥିରେ ଦୁଇଜଣଯାକ ହସି ଉଠିଲେ । ଅମୃତର ଆଖିରୁ ଲୁହ ଝରିପଡ଼ୁଥାଏ ଏବଂ ସେ ତାକୁ ପୋଛିବାରେ ଲାଗିଥାଏ ।

 

(୧୦)

 

ଅମୃତର ଅନୁପସ୍ଥିତିରେ ବର୍ଦ୍ଧମାନରେ କେତେକ ପରିବର୍ତ୍ତନ ଦେଖାଗଲା । ଯେତେବେଳେ ଅମୃତ ଓ ଶିଶିର ଲକ୍ଷ୍ନୌ ଯିବାପାଇଁ ଷ୍ଟେସନକୁ ଆସିଥିଲେ, ବିମଳାନନ୍ଦ ମଧ୍ୟ ସେମାନଙ୍କ ସାଙ୍ଗରେ ଆସିଥିଲେ । ଶଶୀପାଇଁ ତ ତାଙ୍କ ମନରେ ବିଷାଦର ପୂର୍ଣ୍ଣ ଛାୟାପାତ ହୋଇଥାଏ । ଯେଉଁମାନେ ତାଙ୍କୁ ଛାଡ଼ିବାକୁ ଆସିଥିଲେ ସେମାନେ ପ୍ଲାଟଫର୍ମରେ ଗାଡ଼ି ଛାଡ଼ିବାକୁ ଅପେକ୍ଷା କରିଥିଲା ବେଳେ ଜଣେ ଉର୍ଦ୍ଦିପିନ୍ଧା ମୋଟର ଡ୍ରାଇଭର ଏ ଭିଡ଼ ଦେଖି ବିମଳାନନ୍ଦବାବୁଙ୍କୁ ପଚାରିଦେଲେ, ‘କିଏ ଯାଉଛନ୍ତି କି ?’ ସେ ମଧ୍ୟ ଲକ୍ଷ୍ନୌ ଯାଉଥିଲା ।

 

ବିମଳାନନ୍ଦ କହିଲେ, ‘ସେ ଏଠାକାର ଜମିଦାର ପ୍ରଫୁଲ୍ଲବାବୁଙ୍କର ବୋହୂ ଓ ପୂଅ ।’

 

‘ସେ ଝିଅ ତ ପଞ୍ଜାବୀ ଝିଅ, ମୁଁ ତାକୁ ଜାଣେ ।’

 

‘କେଉଁଠି ଦେଖିଥିଲ’ ? ବିମଳାନନ୍ଦ ମଧ୍ୟ ଏ ପର୍ଯ୍ୟନ୍ତ କଥାଟାକୁ ଥଟ୍ଟା ମନେ କରିଥିଲେ-

 

ଡ୍ରାଇଭର କହିଲା, ‘ସେ ଝିଅ ଲକ୍ଷ୍ନୌର ଜଣେ ବଡ଼ କଣ୍ଟ୍ରାକ୍ଟର ବଡ଼ିୟାମ ସିଂଙ୍କ ଝିଅ ଅମୃତ କଉର । ମୁଁ ତାଙ୍କ ଘରେ ଡ୍ରାଇଭର ଥିଲି ।’

 

ବିମଳାନନ୍ଦଙ୍କ କାନ ଦି’ଟା ଠିଆ ହୋଇଗଲା । ସେ କହିଲେ ‘ସତ କହୁଛ ?’

 

‘ହିଁ ଆଜ୍ଞ, ମୁଁ ଭଲକରି ଚିହ୍ନୁଛି ଏ ସେହି ।’

 

‘ଜମିଦାରଙ୍କ ପୁଅ ଏହାକୁ ଲକ୍ଷ୍ନୌରୁ ବାହା ହୋଇ ଆଣିଛି । ସେ କହୁଥିଲା ତା’ ବାପା ମରିଯାଇଛି ଓ ତା’ର କେହି ଆତ୍ମୀୟ ସ୍ୱଜନ ନାହାନ୍ତି ।’

 

‘ବିବାହ କରିନାହିଁ ଆଜ୍ଞା, ଏ ଝିଅ ଘରୁ ପଳେଇ ଆସିଛି ।’

 

ବିମଳାନନ୍ଦ ପାଟିକରି କହିଲେ, ‘ଚୁପ୍ ରହ ।’

 

ଗାଡ଼ିର ସିଟି ବାଜିଉଠିଲା ଏବଂ ସେ ଡ୍ରାଇଭର ପୋଷାକପିନ୍ଧା ଲୋକଟା ଦୌଡ଼ିଯାଇଁ ଗୋଟିଏ ଥାର୍ଡକ୍ଳାସ ଡବାରେ ଚଢ଼ିଗଲା । ବିମଳାନନ୍ଦ ସେ ଯାହା କହିଲା ତାହାର ଅର୍ଥ କେବଳ ଭାବୁଥାଏ । ଗାଡ଼ି ଛାଡ଼ିଦେବାରୁ ସେ ସମସ୍ତଙ୍କ ସାଙ୍ଗେ ଘରକୁ ଫେରି ଆସିଲା । ଘରେ ଆସି ସେ ତାଙ୍କର ସ୍ତ୍ରୀଙ୍କୁ ଡ୍ରାଇଭରର କଥା କହିବାରୁ ସେ ଏକେବାରେ ଚମକି ଉଠିଲେ । ସେ ନିଜ ପତ୍ନୀକୁ କହିଲେ, ‘ହେଲା ଏଣିକି ମୋର ପୁଅ ବାର । ଶିଶିର ଗୋଟାଏ ଘରୁ ପଳେଇ ଆସିଥିବା ଝିଅକୁ ଘରେ ସ୍ଥାନ ଦେଇ ତା’ ସହିତ ଅବୈଧ ସମ୍ପର୍କ କରିଛି । ଖୁଡ଼ୀ ଏକଥା ଜାଣିଲେ ଏକେବାରେ ଅଗ୍ନିଶର୍ମା ହୋଇଯିବେ ।’

 

‘ହଁ, ମୋର କାମ ବି ଫଇସଲା ହୋଇଯିବ । ଶିଶିର ବିବାହର ଆଶା ବର୍ତ୍ତାମାନ କରାଯାଇପାରେ ।’

 

‘ତୁମେ କାଲି ଲକ୍ଷ୍ନୌ ଯାଇଁ ସେଠାରୁ ପୁରା ଖବର ନେଇ ଆସ । ସେ ଡ୍ରାଇଭର ତା ବାପ ନାଁ କ’ଣ ବୋଲି କହୁଥିଲା ?’

 

‘ବଡ଼ିୟାମ ସିଂ । ଲକ୍ଷ୍ନୌର ଜଣେ ଭାରି ବଡ଼ କଣ୍ଟ୍ରାକ୍ଟର ।

 

‘ତେବେ ତ ସହଜରେ ଖବର ମିଳିଯିବ । ସବୁ ଖବର ନେଇ ଶିଶିର ଫେରିବା ଆଗରୁ ଫରିଆସ । ବାକୀ କାମ ମୋ ଉପରେ ଛାଡ଼ିଦିଅ । ମୁଁ ଠିକ୍ କରିଦେବି ।’

 

ବିମଳାନନ୍ଦ ଏ ଖବର ଆଣିବାପାଇଁ ଲକ୍ଷ୍ନୌ ଗଲେ ଓ ଷ୍ଟେସନରେ ଓହ୍ଲେଇ ପଚାରିବାକୁ ଆରମ୍ଭ କଲେ । ଶିଶିର ତିନିଦିନ ରହି ଫେରି ଆସିବା କଥା । ତେଣୁ ସେ ତା ଦିନକ ଆଗରୁ ଫେରିବାକୁ ମନସ୍ଥ କରିଥାନ୍ତି । ବଡ଼ିୟାମଂ ସିଂଙ୍କ ଘରର ଠିକଣା ପାଇ, ତାଙ୍କର ପାଖ ପଡ଼ୋଶୀଙ୍କଠାରୁ ସବୁକଥା ଶୁଣି ସେ ବର୍ଦ୍ଧମାନ ଫେରି ଆସିଲେ ।

 

ସେ ଯେତିକି ଶୁଣିଥିଲେ ଆଉ ଯେତିକି ନିଜ ବୁଦ୍ଧିବଳରେ କଳ୍ପନା କରି ପାରିଲେ, ସେ ସବୁତକ ମିଶେଇ ଗୋଟାଏ ସୁନ୍ଦର ଗଳ୍ପ ସଜେଇ ଦେଲେ । ବର୍ଦ୍ଧମାନରେ ପହଞ୍ଚି ନିଜ ସ୍ତ୍ରୀଙ୍କ ସହିତ ପରାମର୍ଶ କରି ସେମାନେ ପ୍ରତିମା ଦେବୀଙ୍କୁ ଭେଟିଲେ । ପ୍ରତିମା ଦେବୀ ବିମଳାକୁ ତିନିଦିନ ହେଲା ଦେଖି ନ ଥିଲେ । ତେଣୁ ଦେଖୁ ଦେଖୁ ପଚାରିଲେ, ‘ବିମଳ ଆଜିକାଲି କୁଆଡ଼େ ରହୁଛୁ ।’

 

‘ଖୁଡ଼ୀ ! ମୁଁ ଲକ୍ଷ୍ନୌ ଯାଇଥିଲି ।’

 

‘ସେଠାରେ କି କାମ ଥିଲା ?’

 

‘ଯେଉଁ ଶିଶିର ଆପଣଙ୍କୁ ଓ ସମସ୍ତ ପରିବାରକୁ କଳଙ୍କିତ କରିଛି ତା’ ବିଷୟରେ ଠିକ୍ ଠିକ୍ ସବୁକଥା ଜାଣିବାପାଇଁ ।’

 

ପ୍ରତିମା ଏକଥା ଶୁଣୁଶୁଣୁ ରାଗରେ ପାଗଳ ହୋଇଗଲେ । ସେ ରାଗିଉଠି କହିଲେ, ‘ବିମଳ, ତୁ କ’ଣ କହୁଛୁ ? ମୋ ପୁଅ ଆଉ ଅମୃତ ନାଁରେ ଯେ କେହି ମିଥ୍ୟା କଳଙ୍କ ରୋପଣ କରିବ ତାକୁ ମୁଁ ଘରୁ ବାହାର କରିଦେବି ଏବଂ ତାକୁ ତଳିତଳନ୍ତ କରିଦେବି ।’

 

‘ଖୁଡ଼ୀ, ମୁଁ ତୁମ ରାଣ ପକେଇ କହୁଛି ସେ ଲକ୍ଷ୍ନୌର ଜଣେ ବଡ଼ କଣ୍ଟ୍ରାକ୍ଟରର ଘରୁ ପଳେଇ ଆସିଥିବା ଝିଅ । ସେ ଶିଶିରକୁ ଓଲୁ ବନେଇଛି । ଦୁହିଙ୍କର ବିବାହ ହୋଇନାହିଁ ଓ ସେ ଝିଅ ଘରୁ ଲୁଚି ପଳେଇ ଆସିଛି ।’

 

‘ମୋର ବିଶ୍ୱାସ ହେଉ ନାହିଁ ।’

 

‘କେଉଁ କଥା ବିଶ୍ୱାସ ହେଉ ନାହିଁ ?’

 

‘ତୋ’ର କହିବା ପଦେ କଥା ବି ବିଶ୍ୱାସ ହେଉନାହିଁ ।’

 

‘ତେବେ ମୋ ସଙ୍ଗେ ଲକ୍ଷ୍ନୌ ଚାଲନ୍ତୁ, ମୁଁ ସବୁକଥା ମୁକାବିଲା କରିଦେବି ।’

 

‘ଯିବି, କିନ୍ତୁ ଆଗ ସେମାନେ ଆସନ୍ତୁ ।’

 

‘ଖୁଡ଼ୀ ! ମୋ କଥା ଯଦି ସତ ବୋଲି ଭାବନ୍ତି ତେବେ ତାଙ୍କୁ ମୋଟ ଆସିବାକୁ ଦିଅନାହିଁ । ଏଠାକୁ ଆସି ପୁଣି ତାଙ୍କୁ ଘରୁ ବାହାର କରିଦେଲେ ଭାରି ବଦନାମ ହେବ । ମୁଁ ତ ପ୍ରଥମରୁ କହୁଥିଲି ବଙ୍ଗାଳୀ ସମ୍ପ୍ରଦାୟ ଛଡ଼ା ବାହାର ସମ୍ପ୍ରଦାୟର ଝିଅକୁ ଘରକୁ ଆଣିବା ଠିକ୍ ନୁହେଁ-। କିନ୍ତୁ ତୁମେ ତାଙ୍କର ମିଠା ବ୍ୟବହାର ଓ ମିଛ ଅଭିନୟରେ ଏପରି ଭୁଲି ପଡ଼ିଲ ଯେ ମୋ କଥାକୁ ମୋଟେ କାନ ଦେଲ ନାହିଁ ।’

 

ଏ ସଂବାଦରେ ପ୍ରତିମା ଦେବୀଙ୍କ ମନରେ ଖୁବ୍ କଷ୍ଟ ହେଲା । ସେ ବୁଝୁଥିଲେ ଝିଅ ଯଦି ଚରିତ୍ରହୀନା ତେବେ ତାକୁ ଘର ସ୍ଥାନଦେବା ଅନୁଚିତ, କିନ୍ତୁ ପରମୁହୂର୍ତ୍ତରେ ଅମୃତର ମନଭୁଲାଣିଆ ମୁହଁ ମନେପକାଇ ସେ ବିମଳାନନ୍ଦଙ୍କ କଥାକୁ ମୋଟେ ବିଶ୍ୱାସ କରିପାରିଲେ ନାହିଁ-। ସେ ମଧ୍ୟ ବୁଝିପାରୁ ନ ଥିଲେ ଯେ ଅନ୍ୟ ସମସ୍ତଙ୍କ ପରି ଶିଶିର କିପରି ଏ ଷଡ଼ଯନ୍ତ୍ର ଭିତରକୁ ଗଲା ଓ ଜାଣୁ ଜାଣୁ ଗୋଟିଏ ଚରିତ୍ରହୀନା ଝିଅକୁ ଘରେ ଆଣି ରଖିଲା । ପୁଣି ଶିଶିର ଯଦି ତାଙ୍କରି ପରି ଠକେଇରେ ପଡ଼ିଛି ତେବେ ତାକୁ ଘରୁ ବାହାର କରି ଲାଭ କ’ଣ ? ଅନ୍ୟର ଦୋଷ ପାଇଁ ନିଜ ପୁଅକୁ ଘରୁ ତଡ଼ିବା କଥାଟାକୁ ସେ ଭାବିପାରୁ ନ ଥିଲେ । ତା’ ଉପରେ ବିମଳାନନ୍ଦଙ୍କ କଥା ତାଙ୍କର ମୋଟେ ବିଶ୍ୱାସ ହେଉ ନ ଥିଲା । ତେଣୁ ସେ ସେମାନଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମନେ ମନେ ଠିକ୍ କରି ବିମଳକୁ କହିଲେ, ‘ଦେଖ ବିମଳ ! ତୁମେ ଏ କଥା କାହାକୁ କୁହନାହିଁ । ମୁଁ ଆଜି ରାତିକ ଏ ବିଷୟରେ ଚିନ୍ତା କରି ପ୍ରୟୋଜନ ହେଲେ କାଲିକୁ ଲକ୍ଷ୍ନୌ ଯିବାର ବନ୍ଦୋବସ୍ତ କରିବି । ସେଠାରେ ଶିଶିରକୁ ସେ ଦୁଷ୍ଟା ନଷ୍ଟଚରିତ୍ରା ଝିଅର କବଳରୁ ମୁକ୍ତ କରି ଆଣିବି-। ଯଦି ତାକୁ ଛାଡ଼ି ଶିଶିର ଏଠାକୁ ଆସେ ତେବେ ଶଶୀ ସହିତ ତାହାର ବିବାହ କରିଦେବି ।’

 

ଖୁଡ଼ୀଙ୍କ ମୁହଁରୁ ଏକଥା ଶୁଣି ବିମଳାନନ୍ଦ ବହୁତ ଖୁସି ହୋଇ ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ ବୋଲି ଜବାବ୍ ଦେଇ ନିଜ ଘରକୁ ଚାଲିଗଲେ । ରାତିଯାକ ସେ ଆଉ ତାଙ୍କ ସ୍ତ୍ରୀ ମନେ ମନେ କେତେ କଳ୍ପନା ଜଳ୍ପନା କଲେ ।

 

ପରଦିନ ସକାଳୁ ସେ ଖୁଡ଼ୀଙ୍କ ଇଚ୍ଛା ଜାଣିବାକୁ ଚାହିଁଲା । ଖୁଡ଼ୀ ପୂଜା ଘରେ ଥିଲେ, ସେ ବାହାରେ ବସି ଅପେକ୍ଷା କଲା ପ୍ରତିମାଦେବୀ ପୂଜା ଘରୁ ବାହାରି ଲୁଗା ବଦଳିବାକୁ ନିଜର ଶୋଇବାଘରକୁ ଚାଲିଗଲେ । ଲୁଗା ପିନ୍ଧି ସେ ବାହାରକୁ ଆସି ବିମଳକୁ ଦେଖି କହିଲେ, ‘ବିମଳ, ମୁଁ ଆଉ ଲକ୍ଷ୍ନୌ ଯିବିନାହିଁ ।’

 

‘କାହିଁକି ଖୁଡ଼ୀ ! ମୋତେ ବିଶ୍ୱାସ କରୁନାହାନ୍ତି ?’

 

‘ମୁଁ ବର୍ତ୍ତମାନ ମୋ ଠାକୁରଙ୍କୁ ପଚାରୁଥିଲି, ଜବାବ୍ ପାଇଲି– ଅପେକ୍ଷା କର ।’

 

‘ଠାକୁର କ’ଣ ଏଇୟା କହିଲେ ?’

 

‘ହଁ ।’

 

‘ସେ କ’ଣ ତୁମକୁ କଥା କହନ୍ତି ।’

 

‘ହଁ ! ମୋ ସହିତ କଥାବାର୍ତ୍ତା କରନ୍ତି ?’

 

‘କ’ଣ ପାଗଳ ହେଲେ ଖୁଡ଼ୀ ?’

 

‘ନାହିଁ ବିମଳ ! ତୁମେ ଏ କଥା ବୁଝି ପାରିବନାହିଁ । ତୁମେ କେବେ ଶୁଦ୍ଧପୂତଭାବରେ ଠାକୁରଙ୍କ ଗୋଡ଼ତଳେ ବସିନାହଁ । ତେଣୁ ସେ ତୁମକୁ କେବେ ହେଲେ କଥା କହିନାହାଁନ୍ତି ।’

 

‘ଖୁଡ଼ୀ ! ଏହା କେବେ ହେଲାଣି ନାଁ ହେବ ? ପଥର ଠାକୁର ପୁଣି କେବେ କଥା କହିବେ ?’

 

‘ଶୁଣ, ସେ କ’ଣ କହିଲେ । ରାତିଯାକ ମୁଁ ରାମନାମ ଜପ କରୁଛି । ମୋର କେବଳ ଗୋଟିଏ ପ୍ରାର୍ଥନା ଥାଏ–ମୋତେ ମାର୍ଗ ଦେଖାଅ ପ୍ରଭୁ !

 

‘ଆଜି ପ୍ରତିଦିନଠାରୁ ଘଣ୍ଟାଏ ଆଗରୁ ମୁଁ ଯାଇ ଠାକୁରଙ୍କ ପାଦ ତଳେ ବସିଥିଲି । ଏହି ପନ୍ଦର ମିନିଟ ଆଗରୁ ସେ ସାକ୍ଷାତ ପ୍ରକଟ ହେଲେ, ଏବଂ ମୋତେ ଆଶୀର୍ବାଦ କରି କହିଲେ, ‘ବିମଳର ଯାଞ୍ଚ ପୂରା ନୁହେଁ । ଅମୃତ ଶୁଦ୍ଧ ଓ ପବିତ୍ର । ଶିଶିର ଦେବତା । ବିମଳର ଭବିଷ୍ୟତ ଅନ୍ଧକାରପୂର୍ଣ୍ଣ ।’

 

‘ସେ ସବୁ ଅସମ୍ଭବ ଖୁଡ଼ୀ । ସେ ତୁମ ନିଜ ମନର ବିଚାର ହୋଇପାରେ । ମୁଁ ସତକଥା ଜାଣି ଆସିବା ପୂର୍ବରୁ ତୁମ ମନରେ ଏ ବିଚାର ଦୃଢ଼ ହୋଇ ସାରିଛି । ଠାକୁରେ ଏହା କେବେ ହେଲେ କହିନାହାନ୍ତି । ଏହାକୁ ପରୀକ୍ଷା କରି ଦେଖ ।’

 

‘ତାହା କରିବି, କିନ୍ତୁ ବର୍ତ୍ତମାନ ଲକ୍ଷ୍ନୌ ଯିବାର ଆବଶ୍ୟକତା ନାହିଁ ।’

 

‘ତେବେ ଏଠାରେ ପରୀକ୍ଷା କରିବେ କିପରି ?’

 

‘ସେ ମାର୍ଗ ଠାକୁର ବତେଇବେ । ମୁଁ ତ ନିଜକୁ ତାଙ୍କ ଅଧୀନରେ ଛାଡ଼ି ଦେଇଛି ।’

 

‘ଖୁଡ଼ୀ, ମୁଁ ତୁମକୁ ପ୍ରାର୍ଥନା କରୁଛି, ଲକ୍ଷ୍ନୌ ଚାଲ । ସେଠାରେ ସବୁ କଥା ନିଜ ଆଖିରେ ଦେଖି ଆସି; କାନରେ ଶୁଣି ଆସ ।’

 

‘ନାହି, ମୁଁ ବର୍ତ୍ତମାନ ଯିବିନାହିଁ । ତୁମର ଭବିଷ୍ୟତ ଅନ୍ଧକାରମୟ, ବିମଳ ! ମୁଁ ଅପେକ୍ଷା କରିବି । ସେମାନେ ଆଗ ଫେରନ୍ତୁ ।’

 

ଅଗତ୍ୟା ବିମଳ ହାତଶ ହୋଇ ଫେରିଲା । କିନ୍ତୁ ସେ ତା’ ଚେଷ୍ଟାରୁ ବିରତ ହେଲା ନାହିଁ-। ସେ ଓ ତା’ ସ୍ତ୍ରୀ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନଙ୍କ ଭିତରେ ପ୍ରଚାର କରିଦେଇ ଶିଶିର ଯାହାକୁ ସ୍ତ୍ରୀ ବୋଲି ଏଠାକୁ ଆଣିଛି ସେ ତା’ର ବିବାହିତା ସ୍ତ୍ରୀ ନୁହେଁ । ସେ ଲୁଚିକରି ଶିଶିର ସାଙ୍ଗରେ ପଳେଇ ଆସିଥିଲା ଓ ବର୍ତ୍ତମାନ ତା’ ବାପା ମାଙ୍କ ସହିତ ପୁଣି ମିଳାମିଶା କରିବାପାଇଁ ଯାଉଛି । ତା ସହିତ ନିଜ ମନଗଢ଼ା କଥା ମଧ୍ୟ ଯୋଡ଼ି ଦିଆଗଲା, ‘ସେ ଚରିତ୍ରହୀନା ଝିଅ । ତା’ ବାପା ମା ତା’ ଉପରେ ରାଗିଛନ୍ତି । ଘରୁ ପଳେଇ ଆସି କାହା ନାହିଁ କାହା ସଙ୍ଗେ କେଉଁଠି ରହି, ଶେଷକୁ ଆସି ଶିଶିର ମୁଣ୍ଡରେ ଲଦି ହୋଇଛି ।’

 

ଶୁଣିବା ଲୋକେ ବିମଳ ଓ ତାଙ୍କ ସ୍ତ୍ରୀଙ୍କ କଥା ଶୁଣି ଅବାକ୍ ହୋଇଗଲେ । ସମସ୍ତେ ଯେତେବେଳେ ଶୁଣିଲେ ନିଜେ ବିମଳାନନ୍ଦ ଲକ୍ଷ୍ନୌ ଯାଇ କଥାଟା ଟିକିନିଖି କରି ତଦନ୍ତ କରି ଆସିଛନ୍ତି ସେତେବେଳେ ସମସ୍ତେ ପ୍ରତିମା ଦେବୀ ଠକି ଯାଇଛନ୍ତି ବୋଲି ପରିଷ୍କାର ମତ ଦେଲେ । ସେମାନେ ପ୍ରତିମା ଦେବୀଙ୍କ ପାଖରେ ଆସି ବିମଳାନନ୍ଦ ଓ ତାଙ୍କ ସ୍ତ୍ରୀ କହୁଥିବା କଥା କହିଲେ ।

 

ପ୍ରତିମାଦେବୀ ଜାଣିପାରିଲେ ଯେ ବିମଳାନନ୍ଦ ଓ ତାଙ୍କ ସ୍ତ୍ରୀ ରୀତିମତ ଶିଶିର ଓ ଅମୃତର କୁତ୍ସାରଟନାରେ ଲାଗି ପଡ଼ିଛନ୍ତି । ତା ସତ୍ତ୍ୱେ ସେ ଲକ୍ଷ୍ନୌ ଯାଇ ଠିକ୍ କଥାକୁ ବୁଝିବାକୁ ମଧ୍ୟ ଇଚ୍ଛା କରୁ ନ ଥାନ୍ତି । ପୂଜାରେ ବସି ବସି ତାଙ୍କ ମନକୁ କିପରି ପରିଷ୍କାର ଧାରଣା ଆସିଲା, ଯେ ବିମଳାନନ୍ଦ ଯାହା କହୁଛି ତାହା ମିଛ । ଏପରି ନିନ୍ଦା କରିବାହାରା ତାଙ୍କର ସ୍ୱାର୍ଥ ସିଦ୍ଧି ହେଉଛି ।

 

ବିମଳାନନ୍ଦ ଚାରିଆଡ଼େ ବୁଲିବୁଲି ଶିଶିରର କୁତ୍ସାରଟନା କରିବାଦ୍ୱାରା ପ୍ରତିମା ଦେବୀ ବୁଝିଲେ ଯେ ପରିବାରର ମାନରକ୍ଷା ପାଇଁ ବିମଳ ଯେତେ ଚିନ୍ତିତ ନୁହନ୍ତି ସେତେ ନିଜର କୌଣସି ସ୍ୱାର୍ଥସିଦ୍ଧିପାଇଁ ଚେଷ୍ଟିତ । ଫଳରେ ସେ ଅତ୍ୟନ୍ତ ରାଗିଲେ । ସେ ଭାବୁଥିଲେ ବିମଳାନନ୍ଦ ଶିଶିରର ଅନ୍ତତଃ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଭଲ ହୋଇଥାନ୍ତା । ତା’ଠାରୁ କଥାଟା ଶୁଣିବା ଉଚିତ ଥିଲା । ସେ ଶିଶିର କିପରି ଫେରଆସିବ ସେଥିଲାଗି ଅପେକ୍ଷା କରି ରହିଥାନ୍ତି । ଶିଶିର ଆସିଲେ ଯେ ଯାଇଁ ବିମଳାନନ୍ଦଙ୍କ ସହିତ କଥାବାର୍ତ୍ତା ହେବେ ବୋଲି ବସି ରହିଲେ ।

 

ବିମଳାନନ୍ଦଙ୍କ କଥା ଧୀରେ ଧୀରେ ଚେର ମାଡ଼ିଲା । ଏଣେ ଶିଶିରର ଆସିବାକୁ ମଧ୍ୟ ଡେରି ହୋଇଗଲା । ତଦ୍ଦ୍ୱାରା ବିମଳାନନ୍ଦର ନିନ୍ଦନୀୟ କାର୍ଯ୍ୟ କରିବାକୁ ଆହୁରି ସୁଯୋଗ ମିଳିଲା । ବିମଳାନନ୍ଦଙ୍କର କାର୍ଯ୍ୟରେ ପ୍ରତିମା ଦେବୀ ବେଳେ ଏପରି ଉତ୍ତ୍ୟକ୍ତ ହୋଇ ପଡ଼ନ୍ତି ଯେ, ବିମଳାନନ୍ଦକୁ ତାଙ୍କ ଘରୁ ବାହାର କରିଦେବାକୁ ତାଙ୍କର ଇଚ୍ଛା ହୁଏ । ପୁଣି ଠାକୁରଙ୍କ ପୂଜାରେ ମନ ଦେଇ ତାଙ୍କର ଅଧୀର ହୃଦୟକୁ କେତେକାଂଶରେ ସାନ୍ତ୍ୱନା ଦିଅନ୍ତି ।

 

ଯେତେବେଳେ ମନ ତାଙ୍କର ଅତ୍ୟନ୍ତ ଉବବେଳିତ ହୁଏ ସେତେବେଳେ ସେ କାହାକୁ କିଛି ନ କହି ଘରେ କବାଟ ଦେଇ ଘଣ୍ଟା ଘଣ୍ଟା ଧରି କଟେଇ ଦିଅନ୍ତି । ତାଙ୍କ ମନରେ ବାରମ୍ବାର ଏହି ପ୍ରର୍ଥନା ଆସେ, ‘ପ୍ରଭୁ ! ବୁଦ୍ଧିହୀନା ଦାସୀକୁ ମାର୍ଗ ଦେଖାଅ ।’

 

(୧୧)

 

ଶିଶିର କେବେ ବର୍ଦ୍ଧମାନରେ ପହଞ୍ଚିବ ସେ ଖବର ସେ ଆଗରୁ ଦେଇ ନ ଥିଲା । ସେ ବେଶି ଜାକଜମକ ଚାହୁଁ ନ ଥିଲା । ବାଟଯାକ ଅମୃତ ଓ ତାହାର କଥାବାର୍ତ୍ତା ଚାଲିଲା, ମାଉସୀଙ୍କୁ କିପରି ସତକଥାଟା କହିବେ । ଅମୃତର ଇଚ୍ଛା ସବୁ ସତକଥାତକ ଗୋଟି ଗୋଟି କରି ମାଉସୀଙ୍କୁ କହି ଦେବେ, କିଛି ଲୁଚାଇବେ ନାହିଁ । ଶିଶିର କହୁଥାଏ ତଦ୍ଦ୍ୱାରା ମାଉସୀଙ୍କର ମନରେ ଖୁବ୍‍ କଷ୍ଟ ହେବ, ହୁଏତ ସେ ସେମାନଙ୍କୁ ଘରୁ ତଡ଼ିଦେବାକୁ କହିବେ । ସେ ଧାର୍ମିକ; ତାଙ୍କର ସଦାଚାର ଶୁଚିତାରେ ଅଗାଧ ବିଶ୍ୱାସ । ଯଦି ସେ ଭାବନ୍ତି ଯେ ବିବାହ ପୂର୍ବରୁ ଆମେ କିପରି ସହବାସ କଲୁ, ତେବେ ଆଉ ରକ୍ଷା ନାହିଁ । ସେ ତୁମକୁ ପୂରାପୂରି ଭ୍ରଷ୍ଟା ଓ ପତିତା ବୋଲି ମନେ କରିବେ ।

 

କିନ୍ତୁ ଅମୃତ କହିଲା, ‘ଦେଖନ୍ତୁ, ମିଛ କହିଲେ ସାରାଜୀବନଟା ଆମକୁ ଦକ୍ ଦକ୍ ହୋଇ କଟେଇବାକୁ ହେବ, କାଳେ କେତେବେଳେ ସତକଥାଟା । ପ୍ରଘଟ ହୋଇଯିବ ବୋଲି । ଥରେ ସବୁ କଥା ଠିକ୍ ଠିକ୍ ବତେଇ ଦେଲେ ସ୍ୱଂୟ ଭଗବାନ ଆମର ସହାୟ ହେବେ । ଏହା ସତ୍ତ୍ୱେ ସେ ଯଦି ରୁଷ୍ଟ ହୁଅନ୍ତି ତେବେ ପାଞ୍ଚଲକ୍ଷ ଟଙ୍କା ତ ଆମ ପାଖରେ ଅଛି । କଲିକତା ଯାଇଁ କିଛି ଗୋଟାଏ ବ୍ୟବସାୟ କରି ଚଳିଯିବା ।’

 

‘ମୁଁ ମିଛ କହିବାକୁ କହୁନାହିଁ । ମୁଁ କହୁଛି କିଛି ଲୁଚେଇବା କିଛି କହିବା । ଆସ୍ତେ ଆସ୍ତେ ସବୁ କଥା ପ୍ରକାଶ କରିଦେବା । ସେ ଗୋଟ ଗୋଟି କରି ଆମକଥା ଶୁଣି ତାକୁ ସହ୍ୟ କରିବା ପରେ ଆଉ ଗୋଟିଏ କଥା କହିବା ।’

 

କିନ୍ତୁ ଅମୃତ ମାନିଲା ନାହିଁ । ସେ କହିଲା, ‘ଦେଖନ୍ତୁ, ଆପଣ ମୋ ବାପାଙ୍କ ଆଗରେ ସତ କଥା କହିବାରୁ ତାଙ୍କ ମନ ଉପରେ କିପରି ମନ୍ତ୍ରର ପ୍ରଭାବ ହେଲାପରି ହେଲା । ଆପଣ ମୋ ଉପରେ ଛାଡ଼ି ଦିଅନ୍ତୁ, ମୁଁ କହିବି । ଯଦି ମୋ କହିବାରେ ତାଙ୍କର ବିଶ୍ୱାସ ନ ହୁଏ ତେବେ ସେ ନିଜେ ଲକ୍ଷ୍ନୌ ଯାଇଁ କଥାଟା ଯାଞ୍ଚ କରି ଆସିବେ ।’

 

‘କିନ୍ତୁ ସେ ଆମ ଦୁହିଁଙ୍କୁ ବିବାହ ପୂର୍ବରୁ ଗୋଟିଏ ଘରେ ଶୋଇବାର ତ ପୁଣି ଦେଖିଛନ୍ତି-।’

 

‘ସେଥିରେ ହେଲା କ’ଣ ? ଆମେ ନିର୍ଦ୍ଦୋଷ । ଆମର ଭୟ କରିବାର କାରଣ ନାହିଁ । ଦେଖନ୍ତୁ ! ସତ୍ୟ ଏକ ମହାନ୍ ଶକ୍ତି, ଅତି ଗୁରୁତର ପରିସ୍ଥିତିରେ ମଧ୍ୟ ଏହାଦ୍ୱାରା ସାହାଯ୍ୟ ମିଳିଥାଏ ।’

 

ଦିନଯାକ ରେଳଗାଡ଼ିରେ କେତେ କଥା କଟାକଟି ପରେ ଶେଷରେ ଅମୃତର କଥାମୁତାବକ କାମ କରାଯିବ ବୋଲି ସ୍ଥିର ହେଲା । କିନ୍ତୁ ଶିଶିର କହିଲା, ‘ତୁମକୁ ଏ ସବୁ ବିଷୟରେ କହିବାକୁ ହେବ ।’

 

‘ହଁ, ଆପଣ ନିଶ୍ଚିନ୍ତ ରହନ୍ତୁ । ସତ୍ୟର ବଳ ଉପରେ ମୋର ପୂରା ବିଶ୍ୱାସ ଅଛି । ତଦ୍ଦ୍ୱାରା ପାପୀର ପ୍ରାୟଶ୍ଚିତ୍ତ ହୁଏ ଏବଂ ଫଳରେ ପରିଣାମ ଭୋଗରୁ ମୁକ୍ତି ମିଳେ ।’

 

ସନ୍ଧ୍ୟା ପାଞ୍ଚଟାରେ ସେମାନେ ଘରେ ପହଞ୍ଚିଲେ । ଚାକରବାକର ଯେଉଁମାନେ ଆସି ଘରଫାଟକ ପାଖରେ ଜମା ହୋଇଥିଲେ ସେମାନେ ସମସ୍ତେ ସେ ଦୁହିଁଙ୍କ ମୁହଁକୁ ଅନେଇ ଠିଆ ହୋଇଗଲେ । ସେମାନେ ଭାରି ଗୋଟାଏ ଗୋଳମାଳର ଆଶଙ୍କା କରୁଥିଲେ । ଗୋଟାଏ କଥା ସେମାନେ ଦେଖିଲେ ଯେ, ବୋହୂ ଗଲାବେଳେ କେବଳ ଗୋଟିଏ ସୁଟକେଶ ଓ ବେଡ଼ିଂ ନେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ଆସିଲାବେଳୁ ପୂରା ଗାଡ଼ିଏ ଜିନିଷ କେଉଁଠୁ ଆସିଲା । ସବୁ ମିଶି ପ୍ରାୟ ଷୋଳ ସତରଟା ଜିନିଷ ହେବ ।

 

ସମସ୍ତେ ମୁହଁକୁ ଅନେଇ ଛିଡ଼ା ହେବାର ଦେଖି ଶିଶିର କହିଲା, ‘ଜିନିଷ ଉତାର, କ’ଣ ସବୁ ଠିଆ ହୋଇ ଦେଖୁଛ ?’

 

ଏହି ଧମକରେ ସେମାନେ ସତର୍କ ହୋଇ ଘୋଡ଼ାଗାଡ଼ିରୁ ମାଲ ଉତାରିବାର ଲାଗିଗଲେ । ଶିଶିର କହିଲା, ‘ଦେଖ୍ କଚେରୁ ! ସବୁ ମିଶି ଷୋହଳଟା ଜିନିଷ ଅଛି । ଯେପରି ଗୋଟାଏ ନ ହଜେ ।’ ଏହା କହି ଗାଡ଼ିବାଲାକୁ ଭଡ଼ା ଦେଇ ଶିଶିର ଅମୃତକୁ ନେଇ ଘର ଭିତରକୁ ପଶିଲା । ଚାକରମାନେ ଚୁପ୍‌କରି ରହିଲେ । ଭିତରେ ବର୍ତ୍ତମାନ ଭାରି ଗୋଳମାଳ ସୃଷ୍ଟି ହେବ ବୋଲି ସେମାନେ ଆଶଙ୍କା କରୁଥିଲେ ।’

 

ଜଣେ କହିଲା, ‘ବିମଳବାବୁଙ୍କୁ ଖବର ଦେଇ ଦେବା ।’

 

କଥା କହୁ ନ କହୁଣୁ ଜଣେ ବିମଳବାବୁଙ୍କ ଘରଆଡ଼େ ଦୌଡ଼ିଲା ।

 

ଶିଶିର ଓ ଅମୃତ ଭିତରକୁ ଯିବାରୁ ସେମାନଙ୍କୁ ଯମୁନା କହିଲା, ‘ମାଉସୀ ଠାକୁରଘରେ ଅଛନ୍ତି ।’

 

‘କଥା କ’ଣ ? ଏତେବେଳେ ଠାକୁରଘରେ କାହିଁକି ?’

 

‘ତା’ର କାରଣ ଅଛି । ତାଙ୍କ ମନ ଖୁବ୍ ଖରାପ ।’

 

‘କାହିଁକି, କ’ଣ ହେଲା ?’

 

ଏହାର ଉତ୍ତର ଦାସୀ ଦେଇପାରିଲା ନାହିଁ । ଶିଶିର ଲୁଗା ବଦଳିବାକୁ ନିଜ ଶୋଇବା ଘର ଭିତରକୁ ଗଲା । ଅମୃତ ଠାକୁର ଘର ସାମନାରେ ଆସି ଠିଆ ହେଲା । ପ୍ରତିମା ଦେବୀ ଠାକୁରଙ୍କ ସାମନାରେ ଆଖି ବୁଜି କବାଟକୁ ଦରଆଉଜା କରି ଆଲୁଅ ନିଭେଇ ବସିଛନ୍ତି ।

 

ଅମୃତର ସନ୍ଦେହ ହେଲା, କିଛି ଗୋଟାଏ ହୋଇଛି, ଯାହାକୁ କି ଦାସୀ କହିବାକୁ ସାହସ କରୁନାହିଁ । ନିଶ୍ଚୟ ତାଙ୍କର ବିଷୟରେ କିଛି ହୋଇଛି । ନ ହେଲେ ଦାସୀ କାହିଁକି ସାଫ୍ ସାଫ୍ କଥାଟା କହି ନ ଥାନ୍ତା । ଏହା ଭାବି ସେ ଠାକୁରଘର ସାମନାରେ ତଳେ ହିଁ ବସିପଡ଼ିଲା ।

 

ବାହାରେ କିଛି ଗୋଳମାଳର ସୂଚନା ପାଇ ପ୍ରତିମାଦେବୀ ଶିଶିର ଓ ବୋହୂ ଆସିଗଲେ ବୋଲି ଭାବିଲେ । ସେ ଭଗବାନଙ୍କୁ ଶେଷଥର ପାଇଁ ନିବେଦନ କରି କହିଲେ, ‘ପ୍ରଭୁ ! ଏ ଅନ୍ଧକୁ ମାର୍ଗ ଦେଖାଅ ।’ ଏହା କହି ସେ ଠିଆ ହୋଇଗଲେ । ତାଙ୍କର ଦୃଷ୍ଟି ସିଧା ଅମୃତ ଉପରେ ପଡ଼ିଲା-। ସେ ଠାକୁର ଘର ସାମନାରେ ତଳେ ବସିଥିଲା । ଅମୃତର ହସ ହସ ପ୍ରଫୁଲ୍ଲ ମୁହଁକୁ ଦେଖି ତାଙ୍କର ସମସ୍ତ ସଂଶୟ ଦୂର ହୋଇଗଲା । କିନ୍ତୁ କେବଳ ମୁହଁ ଦେଖି ଗୋଟିଏ କୌଣସି ନିଷ୍ପତ୍ତିରେ ପହଞ୍ଚିଯିବା ଠିକ୍ ହେବନାହିଁ ଭାବି ଠାକୁରଘର ବାହାରକୁ ଚାଲିଆସିଲେ ।

 

ସେ ବାହାରକୁ ଆସିବା ସଙ୍ଗେ ସଙ୍ଗେ ଅମୃତ ତାଙ୍କର ପାଦ ଛୁଇଁ ପ୍ରଣାମ କରି ତାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରିଲା ଏବଂ କହିଲା, ‘ମା, ଯମୁନା କହିଲା ଆପଣଙ୍କ ମନରେ କୁଆଡ଼େ ଭାରି ଦୁଃଖ । କଥା କ’ଣ ?’

 

ପ୍ରତିମା ଦେବୀ ଅମୃତ ଆଖିରେ ନିର୍ଭୀକତାର ଚିହ୍ନ ସ୍ପଷ୍ଟ ଦେଖୁଥିଲେ ସୁଦ୍ଧା କହିଲେ, ‘ବୋହୂ, ମୁଁ ତୁମର ବହୁତ ନିନ୍ଦା ଶୁଣୁଛି । ମୁଁ ସେ ସବୁ ସହିପାରୁନାହିଁ । ଯେତେବେଳେ ମନ ଅତ୍ୟନ୍ତ ଆତୁର ହୁଏ ସେତେବେଳେ ମନ୍ୟୁଷର ଅନ୍ତିମ ଆଶ୍ରୟ ଏହି ଭଗବାନଙ୍କ ଚରଣତଳେ ଆସି ଆଶ୍ରା ନିଏ । ମୋତେ ଏଠାରେ ଶାନ୍ତି ମିଳେ । କିନ୍ତୁ ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବଙ୍କ ଆଗକୁ ବାହାରିବାକୁ ସଙ୍କୋଚ ହୁଏ । ମୁଁ ଜାଣିପାରେ ନାହିଁ, କ’ଣ କରିବି ?’

 

‘ମା, କୁକୁର ଭୁକାରେ କେବେ କ’ଣ ହାତୀ ତା’ର ପାହୁଣ୍ଡ ପକା ବନ୍ଦ କରିଦେବ ? ଭଗବାନଙ୍କ ଭକ୍ତ କ’ଣ ଲୋକନିନ୍ଦାକୁ ଭୟ କରେ ? ମା ! ମୁଁ ପୂର୍ଣ୍ଣ ନିର୍ଦ୍ଦୋଷ ।’

 

‘ଭଗବାନଙ୍କୁ ସାକ୍ଷୀ କରି ଏ କଥା କହିପାରିବୁ ?’

 

‘କାହିଁକି କହିବି ନାହିଁ, ମୁଁ କୌଣସି ପ୍ରକାର ଦୋଷରେ ଦୋଷୀ ନୁହେଁ ।

 

‘ତେବେ ଆ ! ଭଗବାନଙ୍କ ପାଦଦେଶରେ ବସି ନିଜ କଥା କହିଯା । ତୁ କିଏ, କୁଆଡ଼ୁ ଆସିଲୁ, କିପରି ଆସିଲୁ ।’

 

ଆଜି ପ୍ରଥମଥର ପାଇଁ ଅମୃତ ମାଉସୀଙ୍କର ଠାକୁରଘର ଭିତରକୁ ଗଲା । ପ୍ରତିମା ମୂର୍ତ୍ତିର ଗୋଡ଼ ପାଖରେ ଠିଆ ହୋଇ ରହିଲେ । ଅମୃତ ଭଗବାନଙ୍କ ଚରଣତଳେ ମୁଣ୍ଡିଆମାରି ସେହିଠାରେ ବସି ବସି କଥା ଆରମ୍ଭ କଲା ।

 

ସେ ନୀଳା ସହିତ ତାହାର ପରିଚୟ ହେବାଦିନୁ ନିଜକଥା କହିବାକୁ ଆରମ୍ଭ କଲା । ସୁଶୀଳ ସଙ୍ଗେ କିପରି ପରିଚୟ ହେଲା ଓ ପରିଚୟ ପ୍ରେମରେ ପରିଣତ ହେଲା, କେଉଁ କାରଣରୁ ସେ ନିଜ ଜାତିର ଗୋଟିଏ ଯୁବକକୁ ବିବାହ କରିବାକୁ ମନା କରିଦେଲା । ତାହାର ବାପା ବୋଉ ସେହି ଯୁବକ ସହିତ ବିବାହ କରିବାକୁ ଜବରଦସ୍ତି କରିବବାରୁ ସେ ସୁଶୀଳର ପରାମର୍ଶ ଅନୁସାରେ ଶିଶିର ସାଙ୍ଗରେ ଏଠାକୁ କିପରି ପଳେଇ ଆସିଲା ।

 

ଅମୃତ ନିଜର ମନର ଭାବ ଓ ଶିଶିର ସହିତ ଏକାଠି ଏକା ଘରେ ରାତ୍ରିଯାପନ କରିବା ଓ ଶିଶିରର ସଂଯମ କଥା ସବୁ କହିଗଲା । ତା’ପରେ ସେ କିପରି ଲକ୍ଷ୍ନୌ ଫେରି ଯାଇଁ ସେଠାରେ ତା ବାପାବୋଉଙ୍କୁ କ୍ଷମାମାଗି ଶିଶିର ସହିତ ବିବାହ କଲା, ସେ ବିବାହରେ କିପରି ତାଙ୍କର ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ହୋଇଥିଲେ ଓ ଅନେକ ଉପହାର ସବୁ ଦେଇଥିଲେ ସେ ସବୁ କଥା ଠିକେ ଠିକେ ଗପିଗଲା । କେତେ ବନ୍ଧୁ ଆତ୍ମୀୟ କିପରି ସେ ଦୁହିଁଙ୍କୁ ଛାଡ଼ିବାକୁ ଷ୍ଟେସନକୁ ଆସିଥିଲେ ସେ କଥା ମଧ୍ୟ କହିଲା । ଆଉ ତା’ ବାପା କିପରି ପାଞ୍ଚଲକ୍ଷ ଟଙ୍କାର ଡ୍ରାଫ୍‌ଟ ତାକୁ ଆସିଲା ବେଳେ ଦେଇଛନ୍ତି, ସେ କଥା ମଧ୍ୟ କହିବାକୁ ଭୁଲିଲା ନାହିଁ ।

 

ଶେଷରେ ସେ ପୁଣି କହିଲା, ‘ମା ! ଏ କଥା ସତ ଯେ, ପ୍ରଥମଥରପାଇଁ ମୁଁ ଯେତେବେଳେ ଏଠାକୁ ଆସିଥିଲି, ସେତେବେଳେ ଆମେ ବିବାହ କରି ନ ଥିଲୁ । ପୁଣି ଏ କଥା ସତ ଯେ ଆମେ ଦଶରାତି ଏକାଠି ରହିବାର ସୁଯୋଗ ପାଇଥିଲେ ମଧ୍ୟ ଆମେ କେବେ ହେଲେ ପତିପତ୍ନୀ ଭାବରେ ରହିନାହୁଁ । ମୁଁ ଭଗବାନଙ୍କ ଦ୍ୱାହି ଦେଇ କହିପାରେ ଯେ, ଆମେ ଦୁହେଁ ପରସ୍ପରକୁ ସେତେବେଳେ ସ୍ପର୍ଶ ବି କରି ନ ଥିଲୁ ।

 

‘ତାଙ୍କୁ ପତିରୂପେ ବରଣ କରିବାର ପ୍ରଥମ ଇଚ୍ଛା ଜାଗ୍ରତ ହେଲା, ତାଙ୍କ ସ୍ନେହମୟୀ ମାଉସୀଙ୍କର ମୋ ପ୍ରତି ସହୃଦୟ ବ୍ୟବହାର ଯୋଗୁଁ । ମୋର ମନେ ହେଲା ଆପଣଙ୍କର ବୋହୂ ହେଲେ ମୁଁ ଜୀବନସାରା ସୁଖୀ ହେବି ।

 

‘ଧନର ଲୋଭ ମୋର ନ ଥିଲା । ମୋ ବାପା ବୋଉଙ୍କର ତ ସେ ଜିନିଷର ଅଭାବ ନ ଥିଲା । ତା’ର ପ୍ରମାଣ ଏହି ଡ୍ରାଫ୍‌ଟରୁ ଜଣାପଡ଼ିବ, ଯାହାକି ବର୍ତ୍ତମାନ ତାଙ୍କ ପାଖରେ ଅଛି । ଆପଣଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର ହିଁ ମୋତେ ମୁଗଧ୍ କରିଦେଲା ।

 

‘ମୁଁ ଯେତେବେଳେ ମୋ ମନକଥା ଆପଣଙ୍କ ପୁଅଙ୍କୁ କହିଲି ସେ କହିଲେ, ସୁଶୀଳର ଅନୁମତି ବିନା ସେ ଏପ୍ରକାର ଆଲୋଚନା ମଧ୍ୟ କରିବାକୁ ସଂପୂର୍ଣ୍ଣ ନାରାଜ । ବନ୍ଧୁର ଅମାନତ ଉପରେ ବେମାନୀ କରିବାକୁ ସେ ରାଜି ହେଲେ ନାହିଁ । ତେଣୁ ଲକ୍ଷ୍ନୌ ଯିବାକୁ ପଡ଼ିଲା ଆମେ ସେଠାରେ ଯେଉଁଦିନ ପହଞ୍ଚିଲୁ ସେହି ଦିନ ହିଁ ସୁଶୀଳବାବୁଙ୍କର ବିବାହ ଅନ୍ୟ ଗୋଟିଏ ଝିଅ ସହିତ ହୋଇଗଲା । ତେଣୁ ମୋତେ ମଧ୍ୟ ମୁକ୍ତି ମିଳିଲା ।

 

‘ଆପଣଙ୍କ ପୁଅ ମୋ ବାପା ବୋଉଙ୍କୁ ଏହି କଥା ପରିଷ୍କାର ଜଣାଇଦେବାରୁ ସେ ମୋ’ର ସବୁ ଦୋଷ କ୍ଷମା କଲେ । ଆଜିକୁ ପାଞ୍ଚଦିନ ହେବ ଆମର ବିବାହ ହେଲା, କିନ୍ତୁ ଆମେ ଏହା ମନେ ମନେ ସ୍ଥିର କରିଥିଲୁ ଯେ ଯେଉଁଦିନ ପର୍ଯ୍ୟନ୍ତ ଆପଣ ନିଜେ ଆମପାଇଁ ଶେଯ ସଜେଇ ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଆମେ.... ।’

 

ଏତିକି କହୁ କହୁ ଅମୃତର ଆଖି ଲୁହରେ ଛଳ ଛଳ ହୋଇଗଲା ଓ ସେ ନିଜ କଥା ଶେଷ କରିବକୁ ଯାଇଁ କହିଲା, ‘ମୁଁ ଭଗବାନଙ୍କୁ ଅନୁନୟ କରି କହୁଛି ଯେ, ମୁଁ ଯାହା ଯାହା କହିଗଲି ସେଥିରୁ ଗୋଟିଏ କଥା ଯଦି ମିଛ ହୋଇଥାଏ ତେବେ ସେ ମୋତେ ଏହିଠାରେ ଏହି ମୁହୂର୍ତ୍ତରେ ବଜ୍ର ମାରି ଭସ୍ମ କରିଦିଅନ୍ତୁ ।’

 

ପ୍ରତିମା ଦେବୀ ଦଣ୍ଡେ ବିଚାରକରି ସ୍ଥିର ରହିଗଲେ । ତା’ପରେ ସେ ବିହୁଳ ହୋଇ କାନ୍ଦି କାନ୍ଦି ଅମୃତକୁ ତଳୁ ଉଠାଇ କୁଣ୍ଢେଇ ଧରିଲେ । ସେ କହିଲେ, ‘ମା, ବର୍ତ୍ତମାନ ତୋର ଏ ବିବାଦ ତୋ’ର ଓ ଭଗବାନଙ୍କ ଭିତରେ ହୋଇଗଲା, ମୁଁ ସେଥିରୁ ବାହାରେ ରହିଗଲି ।’

 

‘ଭଗବାନ ଜାଣନ୍ତି ଆଉ ତୁ ଜାଣୁ । ଯଦି ତୁ ମିଛ କହିଥାଉ ତେବେ ସେହି ଅନ୍ତର୍ଯାମୀ ମିଥ୍ୟାବାଦୀ ପ୍ରତି କିପ୍ରକାର ବ୍ୟବହାର କରିବେ ତାହା ସେ ଜାଣନ୍ତି । ଯଦି ଏହି କଥା ଯାଇଁ ସ୍ୱୟଂ ଭଗବାନଙ୍କ ଦରବାରରେ ପହଞ୍ଚିଯାଇଛି, ମୁଁ ଛାର କିଏ, ସେଥିରେ ପାଟି ଫିଟେଇବି ?’

 

‘କିନ୍ତୁ ବୋହୂ ! ମୋତେ ପୁଣି ମୋର ବନ୍ଧୁ ବାନ୍ଧବଙ୍କ ଆଗରେ ମୁହ ଦେଖାଇବକୁ ହେବ-। ସେଥିପାଇଁ ମୋତେ ଉପଯୁକ୍ତ କରିବାକୁ ହେବ । ତାହା କିପରି ହେବ ? ସେମାନେ ତ ଗଭବାନ କଥା ମାନିବେ ନାହିଁ ।

 

‘ସେ ଭାର ମୋର । ସବୁ ବନ୍ଧୁ ବାନ୍ଧବଙ୍କୁ ମୁଁ ନିଜେ ଏ ସବୁ କଥା କହିବି ଆଉ ସମସ୍ତଙ୍କୁ କହିବି ଯିଏ ଏ କଥାରେ ଅବିଶ୍ୱାସ କରୁଛି ସେ ଲକ୍ଷ୍ନୌ ଯାଇଁ ମୋର ବାପା ବୋଉ, ପରିଚିତ ତଥା ବନ୍ଧୁବାନ୍ଧବଙ୍କୁ ପଚାରି ଆସନ୍ତୁ । ଯଦି ଏହା ସତ୍ତ୍ୱେ ସୋମନେ ନ ମାନନ୍ତି ତେବେ ତାଙ୍କୁ ଭଗବାନଙ୍କ ହାତରେ ସମର୍ପଣ କରି, ସେମାନଙ୍କଠାରୁ ନିଜକୁ ଅନ୍ତର କରିଦେବି ।

 

‘ସେମାନେ ଭଗବାନଙ୍କ କଥା ମାନନ୍ତୁ ବା ନ ମାନନ୍ତୁ, ସେ କିନ୍ତୁ ସର୍ବଶକ୍ତିମାନ୍ । ସେ ସତ୍ୟର ପ୍ରତିଷ୍ଠା ପାଇଁ ନିଶ୍ଚୟ ସେମାନଙ୍କୁ ସୁମତି ଦେବେ ।’

Image